ବଦଳି ଯାଇଛି ମୋ ଗାଁ
ବଦଳି ଯାଇଛି ମୋ ଗାଁ
ପଶ୍ଚିମ ଓଡ଼ିଶା ରେ ଭାଇ ଜିଉନ୍ତିଆ ଏକ ମୁଖ୍ୟ ପର୍ବ । ଆଶ୍ୱିନ ମାସ ରେ ହେଉଥିବା ନବ ରାତ୍ର ପୂଜାରେ ଅଷ୍ଟମୀ ଦିନ ଏହି ପର୍ବ ପାଳନ କରାଯାଏ । ସମସ୍ତେ ନିଜ ନିଜର ବାହା ଦେଇଥିବା ଝିଅ ମାନଙ୍କୁ ଏହି ପର୍ବ ରେ ଘରକୁ ଡାକନ୍ତି । ଅଷ୍ଟମୀ ଦିନ ମା ଅଷ୍ଟଭୁଜା ଙ୍କ ନାମରେ ଉପବାସ କରି ଝିଅ ମାନେ ନିଜ ଭାଇ ମାନଙ୍କ ପାଇଁ ଆଶୀର୍ବାଦ ଓ ଦୀର୍ଘ ଆୟୁଷ କାମନା କରିଥାନ୍ତି।
ଗତ ବର୍ଷ ଆଶ୍ୱିନ ମାସରେ ମୋତେ ମଧ୍ୟ ମୋ ବାପ ଘରୁ ନିମନ୍ତ୍ରଣ ଆସିଥିଲା ପ୍ରତିବର୍ଷ ପରି । ମୁଁ ମଧ୍ୟ ଯାଇଥିଲି ଭାଇଯିଉନ୍ତିଆ ବ୍ରତ କରିବା ପାଇଁ । ଏହି ବ୍ରତ ରେ ଅଷ୍ଟମୀ ପୂଜା ପରେ ନବମୀ ଦିନ ବଡ଼ି ଭୋର୍ ରୁ ନଦୀ,ପୋଖରୀ ବା କୌଣସି ଜଳାଶୟ ନିକଟକୁ ଯାଇ ବୁଡ଼ ପକାଇ ପରମ୍ପରା ଅନୁଯାୟୀ ଲିଙ୍ଗ ସ୍ଥାପନା ପୂର୍ବକ ଶିବ ଙ୍କ ପୂଜାର୍ଚ୍ଚନା କରି ନଦୀରେ ଭସାଇ ଦିଆଯାଏ । ମୁଁ ମଧ୍ୟ ଯାଇଥିଲି ଅନ୍ୟ ବ୍ରତ ଧାରୀ ସାଙ୍ଗ ସାଥି ମାନଙ୍କ ସହିତ ପାଖରେ ବହି ଯାଇଥିବା ଅତି ଆପଣାର ଇବ୍ ନଦୀ ପାଖକୁ ।
ନଦୀ ପାଖରେ ପହଞ୍ଚୁ ପହଞ୍ଚୁ ମୋର ଆଖି ଖୋସି ହୋଇ ଗଲା । ସ୍କୁଟି ରୁ ଓହ୍ଲାଇ କିଛି କ୍ଷଣ ସ୍ତବ୍ଧ ହୋଇ ଠିଆ ହୋଇଗଲି ନଦୀବନ୍ଧ ଉପରେ । ସବୁ ନୂଆ ନୂଆ ଲାଗୁଥାଏ । ମୁଁ ଦେଖିଥିବା ମୋର ପୁରୁଣା ଇବ୍ ନଦୀ ସହିତ ତାଳ ମେଳ ଖାଉ ନ ଥିବା ଦୃଶ୍ୟ ସବୁ ମୋତେ କିଛି ସମୟ ଚକିତ କରି ଦେଇଥିଲା । ମୋ ଭଉଣୀ ଡାକିବାରୁ ପ୍ରକୃତିସ୍ଥ ହୋଇ ନଦୀ ପଠା କୁ ଓହ୍ଲାଇଲି । ଯନ୍ତ୍ରବତ୍ ପାହୁଣ୍ଡ ପାହୁଣ୍ଡ ଆଗକୁ ଯାଉଥିଲେ ମଧ୍ୟ ମୋ କଳ୍ପନା ଚକ୍ଷୁ ଅତୀତ ର ସ୍ମୃତି କୁ ରୋମନ୍ଥନ କରିବାକୁ ଲାଗିଲା ।
ସେତେବେଳେ ଏହି ନଦୀ ରେ କିପରି ଲୋକେ ଡଙ୍ଗା ସାହାଯ୍ୟରେ ପାରି ହେଉଥିଲେ । ଯାତ୍ରୀ ଙ୍କ ସହିତ ସାଇକେଲ ,ମୋଟର ସାଇକେଲ ଲଦି ଭରା ନଦୀରେ କାତ, ଆହୁଲା ମାରି ନାଉରୀ ନଦୀ ଆରପାରି କୁ ନେଇ ଯାଉଥିଲା ଦମ୍ଭ ର ସହିତ । ଆମେ ଏହି ନଦୀ କୁ ଗାଧେଇବାକୁ ଆସୁଥିଲୁ ।ଘଣ୍ଟା ଘଣ୍ଟା ଧରି ପାଣିରେ ବତୁରି ମାଛ ଧରୁଥିଲୁ । ପୁଣି ଘରକୁ ପହଞ୍ଚି ମାଡ଼ ଗାଳି ବି ଖାଉଥିଲୁ । ଆଜି ନଦୀଉପରେ ବିରାଟ ପୋଲ ତିଆରି ହୋଇଛି । ଲୋକ ମାନଙ୍କୁ ଆଉ ଡଙ୍ଗା ର ଦରକାର ପଡୁ ନାହିଁ । ବିଚରା ନାଉରିଆ ଟି ନଦୀରେ ଡଙ୍ଗା ଚଳାଇ କିଛି ଉପାର୍ଜନ କରୁଥିଲା । ଦଶ ଖଣ୍ଡ ଗାଁ ର ଲୋକ ଙ୍କ ସୁଖ ଦୁଃଖର ସାଥୀ ହୋଇ ପାରିଥିଲା । ବେଳ ଅବେଳ ରେ ନଦୀ ଆର ପଟୁ ଡାକ ପକାଇଲେ ସଙ୍ଗେ ସଙ୍ଗେ ଡଙ୍ଗା ନେଇ ଆସୁଥିଲା । ଆସନ୍ନ ପ୍ରସବା ହେଉ ବା ମୂମୂର୍ଷୁ କି ରୋଗୀ ଲୋକ ଙ୍କୁ ଡାକ୍ତରଖାନା ନେବାକୁ ହେଲେ ସେଇ ଡଙ୍ଗା ହିଁ ଏକମାତ୍ର ସ
ାହାରା । ଏବେ ପୋଲ ହେବାରୁ ତାର ବେଉସା ବୁଡି ଗଲା । ନଦୀରେ ଖୁଣ୍ଟ ସାହାଯ୍ୟରେ ବନ୍ଧା ହୋଇଥିବା ଡଙ୍ଗା ଟି ଏବେ ଆଉ ନାହିଁ । ଗୋଟିଏ ଭଙ୍ଗା ଦଦରା ଡଙ୍ଗା ଅଲୋଡ଼ା ହୋଇ ନଈ ଧାର ରେ ପଡିଥିବାର ଦେଖିଲି । ଆହା, ଲୋକ ଙ୍କ ର ସୁଖ ଦୁଃଖର ସାଥୀ ବେଳ ଅବେଳ ରେ ଲୋକ ଙ୍କୁ ନଦୀ ଆର ପାରି କୁ ନେଇ ଯାଉଥିଲା । ଏବେ ଅଲୋଡ଼ା ହୋଇ ପରିତ୍ୟକ୍ତ ହୋଇ ପଡ଼ିଛି । ପାଣିରେ ପଡ଼ି ପଡ଼ି ପଚିଗଲାଣି । ତା ଦେହରେ ବହଳ ଚାଦର ପରି ଶିଉଳି ଜମି ଯାଇଛି ।
ଏବେ ପୋଲ ଉପରେ ଘିରି ଘିରି କରି ଗାଡ଼ି ମଟର ଯା' ଆସ କରୁଛି । ପୋଲ ଟି ତିଆରି ହେବାରୁ ଗାଁ ଭିତର ଦେଇ ବସ୍ ଚଳାଚଳ କରୁଛି । ଅତୀତ ରେ ଗାଁ କୁ ବସ୍ ଆସିବା ତ ଦୂରର କଥା ଦୁଇ ଚକିଆ ମୋଟର ସାଇକେଲ ଟିଏ ଆସିଲେ ଆମେ ଦେଖିବା ପାଇଁ ଘରୁ ଦଉଡ଼ି ଆସୁଥିଲୁ । ବସ୍ ଚଢ଼ିବାକୁ ହେଲେ ଆମକୁ ଛଅ କିଲୋମିଟର ବାଟ ଚାଲି ଚାଲି ଯିବାକୁ ପଡୁଥିଲା । ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା । ବସ୍ ନ ଆସିଲେ ପୁଣି ଘରକୁ ଫେରି ଆସିବା କମ୍ କଷ୍ଟକର ନ ଥିଲା । ତଥାପି ଦେହସୁହା ହୋଇ ଯାଇଥାଏ ।
ନଦୀ ର ଦୁଇ କୂଳ ଖାଇ ନଦୀ ପୂର୍ବାପେକ୍ଷା ଢେର୍ ଚଉଡ଼ା ହୋଇଥାଏ । ନଦୀ ପଠା ରେ ଯେଉଁଠି ମୋ ଜେଜେ କୋଳଥ,ବିରି, ମୁଗ ବୁଣୁଥିଲେ । ସେହି ଜାଗା ଟି ନଦୀରେ ମିଶି ଯାଇଛି । ମନକୁ ଭାରି କଷ୍ଟ ହେଉଥାଏ । ଯେଉଁଠି ଘଞ୍ଚ ଜଙ୍ଗଲ ପରି ଗିଲ୍ ଗଛ ସବୁ ଭର୍ତ୍ତି ହୋଇଥିଲା ,ସେ ଜଙ୍ଗଲ ର ଚିହ୍ନ ବର୍ଣ୍ଣ ନାହିଁ । ସେଠି ଏବେ ଜଣେ ବ୍ୟବସାୟୀ ଇଟା ଭାଟି କରିଛନ୍ତି । ପୁଣି ସେଇଠି ତାଙ୍କ ସୁବିଧା ପାଇଁ ଆଜବେଷ୍ଟସ ଘର ତିଆରି ହୋଇଛି । ପାଖରେ ବୋର୍ ୱେଲ୍ ଖୋଲା ହୋଇ ଆଖ ପାଖ ଜମିରେ ବିଭିନ୍ନ ପ୍ରକାର ଫସଲ ହୋଇଛି । ପାଖରେ ଛିଡ଼ା ହୋଇଛି ଚାରିଟା ଟ୍ରକ୍, ଦୁଇଟା ଟ୍ରାକ୍ଟର ଓ ଗୋଟିଏ ଚକଚକିଆ ଦାମୀ କାର୍ ।
ଆଖି ଖୋସି ହୋଇ ଯାଉଥାଏ । ଅତୀତ ର ଦୃଶ୍ୟ ଚଳଚ୍ଚିତ୍ର ପରି ଆଖିରେ ଝଲସି ଯାଉଥାଏ । ବିରାଟକାୟ ଅଶ୍ୱତ୍ଥ ଗଛ ଟି ଆଉ ସେଠି ନାହିଁ । ବଡ଼ ବଡ଼ ଆମ୍ବ ଗଛ ସବୁ ନଈ ରେ ଭାସି ଗଲେ । ସେଇ ଜାଗାରେ ସୃଷ୍ଟି ହୋଇଛି ଶାଗୁଆନ ଓ ଉଇକାଲିପଟାସ୍ ର କୃତ୍ରିମ ଜଙ୍ଗଲ । ଓଃ, ସମୟ ର ଗତି ସତରେ କେତେ ବେଗବାନ୍। କାଲି ପରି ଲାଗୁଥାଏ ।
ସତରେ ମୋ ଗାଁ କେତେ ବଦଳି ଯାଇଛି । ମୋର ଏତେ କଥା ଭାବୁ ଭାବୁ ବ୍ରତ ଧାରୀ ମାନେ ବାଲି ରେ ଲିଙ୍ଗ ତିଆରି କରି ପୂଜା ପାଇଁ ପ୍ରସ୍ତୁତ ହୋଇ ସାରିଲେଣି । ମୋ ଭଉଣୀ ର ଡାକରେ ପ୍ରକୃତିସ୍ଥ ହେଲି । ପୁଣି ଯଥାବିଧି ପୂଜା ସାରି ଘରକୁ ଫେରିଲୁ ।