STORYMIRROR

BANANIBALA NAIK

Others

4  

BANANIBALA NAIK

Others

ଢୋଲ

ଢୋଲ

3 mins
344



   ସରିତା ଘର ପାଇଟି ସାରି ଦଉଡ଼ିଆ ଖଟ ରେ ଟିକେ ଗଡପଡ ହେଲା ପରେ ଆଖି ଟା ଟିକିଏ ଲାଗି ଯାଇଥାଏ । ହଠାତ୍ ଢୋଲ ବାଜିବା ଶୁଣି ଚମକି ଉଠିଲା । ମୁଣ୍ଡ ତାର ଝାଇଁ ଝାଇଁ ହୋଇ ଗଲା । ଫଗୁଣ ମାସର ସୁଲୁସୁଲିଆ ପବନ ରେ ଆଖି ଲାଗି ଯାଉଥିଲା ସିନା ,ଢୋଲ ବାଜିବା ଶବ୍ଦ ଶୁଣି ଦେହ ଝାଳ ରେ ଝିମ୍ ଝିମ୍ ହୋଇ ଗଲା । ତାର ମନେ ପଡିଗଲା ,ଆଜି ପଡିଶା ଘରେ ବାହା ଘର ଅଛି । ରଘୁ ଦାସ ର ଝିଅ ର ବାହା ଘର । ଢୋଲ ଶବ୍ଦ ଶୁଣିଲେ କାହିଁକି କେଜାଣି ଛାତି ଭିତର ଟା ନଡ଼ିଆ କୋରିଲା ପରି କୋରି ହୋଇଯାଏ । 

  ଦୀର୍ଘ ଚାରି ବର୍ଷ ତଳର କଥା ଛାଏଁ ଛାଏଁ ଆଖି ଆଗରେ ନାଚି ଗଲା । ତାର ବାହାଘର ଦିନ ଏହି ପରି ଢୋଲ,ଯୋଡ଼ି ମହୁରୀ ଆହୁରି କେତେ କଣ ବାଜା ବାଜି ଥିଲା । ସେ ଦିନ କାହିଁକି କେଜାଣି ଢୋଲ ଶବ୍ଦ ଶୁଣି ତାର କୁଆଁରୀ ମନରେ ଏକ ଅପୂର୍ବ ରୋମାଞ୍ଚ ସୃଷ୍ଟି ହୋଇ ଥିଲା । କେତେ କଣ ସ୍ବପ୍ନ ଦେଖିଥିଲା ସରିତା । ବାହା ଘର ଦିନ ବର ଆସିଥିଲା , ହାତ ଗଣ୍ଠି ପଡ଼ିଥିଲା । ସରିତା ହାତେ ଲମ୍ବ ର ଓଢଣା ତଳୁ କଣେଇ କଣେଇ ତା ବର କୁ ଦେଖିଥିଲା । ରାଜକୁମାର ପରି ଗୋରା ତକ ତକ ସୁନ୍ଦର ଚେହେରା । ବର ବି କଣେଇ କଣେଇ ସରିତା କୁ ଦେଖିବାକୁ ଚେଷ୍ଟା କରିଥିଲା ଓଢଣା ଫାଙ୍କ ରେ କାଳେ ଚାନ୍ଦ ପରି ମୁହଁ ଟା ଦେଖା ଯିବ । ହୁଳହୁଳି ଶବ୍ଦ ରେ ବାହା ବେଦୀ ଉଛୁଳି ପଡୁଥିଲା । ସାଙ୍ଗ ସାଥି ମାନେ ଟାହି ଟାପରା କରି ସରିତା କୁ ଅସ୍ତବ୍ୟସ୍ତ କରି ପକାଉଥିଲେ । ବାହା ଘର ବି ସରିଗଲା । ସରିତା ମିଛି ମିଛିକା କାନ୍ଦଣା କାନ୍ଦିଥିଲା । ବର କନ୍ୟା ବିଦାୟ ହେଲା । ବାପା ବୋଉକୁ କୁଣ୍ଢେଇ ବହେ କାନ୍ଦିଲା ସରିତା । ସାଙ୍ଗ ସାଥି ଙ୍କ ସହିତ ଭେଟ ହୋଇ ବର ସହିତ ଗାଡି ରେ ଯାଇ ବସିଲା ସରିତା । ବନ୍ଧୁ ବାନ୍ଧବ ସାହି ପଡିଶା ସମସ୍ତେ ତାକୁ ଛଳ ଛଳ ଆଖିରେ ବିଦାୟ ଦେଲେ ।

  ସରିତା ର ଆଖିରେ ଆଖିଏ ସ୍ବପ୍ନ । ତା ସ୍ବାମୀ ର ଘର ଟି କ

େମିତି ଥିବ । ଶାଶୁ ଶ୍ୱଶୁର ,ନଣନ୍ଦ ଦିଅର ସମସ୍ତ ଙ୍କ କଥା ଭାବୁ ଥାଏ । ବାପ ଘର କୁ ପର କରି ଆସିଛି ।ଏବେ ସେ ସ୍ଵାମୀ ସହିତ ନୂଆ ସଂସାର କରିବ । ତା କୋଳ କୁ ଟିକୁ କଣ୍ଢେଇ ଟେ ଆସିବ । ଏହି ପରି ଅନେକ ସ୍ବପ୍ନ ତା ଆଖିରେ । ସ୍ଵାମୀ ସହିତ ପାଖା ପାଖି ଗାଡ଼ିରେ ବସି ଥାଏ ସେ । ତାଙ୍କ ଘର ଠୁ ଶାଶୁ ଘର କୋଡିଏ କିଲୋମିଟର ଦୂର । ଆଉ ଅଳ୍ପ ବାଟ ବୋଧେ ବାକି ଅଛି । ବେଳେ ବେଳେ ଗାଡ଼ିର ଝରକା ଦେଇ ଓଢଣା ତଳୁ ରାସ୍ତା କଡ ଦୃଶ୍ୟ ସବୁ ଦେଖୁଥାଏ ।

   ହଠାତ୍ କଣ ହେଲା କେଜାଣି , ବିକଟାଳ ଶବ୍ଦ ଟେ କାନରେ ବାଜିଲା । ଆଉ ତାପରେ କିଛି ଜାଣି ପାରିଲା ନି ସରିତା ।

   ଯେତେ ବେଳେ ତାର ସଂଜ୍ଞା ଫେରିଲା ସେତେ ବେଳେ ସେ ନିଜକୁ ଡାକ୍ତରଖାନା ର ବେଡ ରେ ପାଇଲା । ମୁଣ୍ଡରେ ପଟି, କହୁଣି ରେ ବ୍ୟାଣ୍ଡେଜ୍। ଦେହରେ ନାଲି ଟୁକ୍ ଟୁକ୍ ପାଟ ରେ ଠାଏ ଠାଏ ରକ୍ତ ଛିଟା ଲାଗି ଶୁଖି ଯାଇଛି । ସାଲାଇଁନ ଲାଗିଛି ତା ଦେହରେ । ସେ କିଛି ବୁଝି ପାରିଲାନି । ତା ବେଡ କୁ ଲାଗି ବାପା ଠିଆ ହୋଇ ଥାନ୍ତି । ସରିତା ବଲ ବଲ କରି ବାପା ଙ୍କୁ ଚାହିଁଲା । ବାପା ଆଉ ସମ୍ଭାଳି ନ ପାରି ଭୋ ଭୋ କାନ୍ଦି କହିଲେ ,"ତୋର ସବୁ ସ୍ବପ୍ନ ଚୂର୍ ମାର ହୋଇ ଗଲା ଲୋ ମା ....। ତୁମେ ବସିଥିବା ଗାଡ଼ିକୁ ଏକ ଡମ୍ଫର୍ ଆସି ପିଟି ଦେଇ ଗଲା । ଗାଡି ଟା ଚୁରମାର ହୋଇ ଗଲା । ଜୋଇଁ ପୁଅ ଙ୍କ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଗଲା ।ଜୋଇଁ ସାଙ୍ଗରେ ଡ୍ରାଇଭର ବି ଚାଲିଗଲା । ଭାଗ୍ୟକୁ ତୁ ବଞ୍ଚି ଗଲୁ । "

  ବାପ ଘରେ ସେଇ ଦିନ ଠୁ ଏମିତି ରହିଛି ସରିତା । ସରିତା କୁ ସେଦିନ କଥା ତାଜା ତାଜା ଲାଗୁଛି । ଆଜି ପୁଣି ସେଇ ଢୋଲ ସେ ଦିନ କଥା କୁ ମନେ ପକେଇ ଦେଲା । ଏବେ ତ ସରିତା ଆଖିରେ ଆଉ ଲୁହ ବି ନାହିଁ କାନ୍ଦିବାକୁ ।

  ପଡିଶା ଘରେ ଢୋଲ ଟା ଆହୁରି ଜୋର୍ ଜୋର୍ ରେ ବାଜୁଥାଏ । 



Rate this content
Log in