କାହିଁ ଆଉ ମୋ ଗାଁ
କାହିଁ ଆଉ ମୋ ଗାଁ
ନଈ ର ସୁଅ ଓ ସମୟ ର ଗତି କୁ କିଏ ବା ଅଟକାଇ ପାରିବ । ଜଣା ପଡ଼େ ନାହିଁ ସିନା ସମୟ ର ଗତି ଚକ୍ର ଆଗକୁ ଆଗକୁ ବଢ଼ି ଚାଲେ । କାଲି ପରି ଲାଗେ ସବୁ କିଛି । ହିସାବ କଲେ ମୋ ଆଗରେ ହିଁ ଛଅ ଦଶକ ପାରି ହୋଇ ଆଜି ସମୟ ଆସି ଏଠି ପହଞ୍ଚି ଯାଇଛି । ସେବେ ମୁଁ ଗାଁ ସ୍କୁଲ୍ ରେ ପାଠ ପଢ଼ୁଥିଲି । ଏବେ ଚାଳିଶି ବର୍ଷ ଚାକିରୀ ପରେ ଅବସର ନେଇ ସାରିଛି । ମୁଣ୍ଡ ର କେଶ ଧଳା ହୋଇ ଗଲାଣି ।
ଅବସର ପରେ ଗାଁ କଥା ମନେ ପଡ଼ିଲା । ଦିନେ ଯାଇଥିଲି ଗାଁ କୁ ବୁଲିବାକୁ । ହେଲେ ସବୁ କିଛି ବଦଳି ଯାଇଛି । ମୁଁ ନିଜେ ମୋ ଗାଁ କୁ ଚିହ୍ନି ପାରୁନି । ମୋ ଗାଁ ର ସେଇ କାଦୁଅ ପଚ ପଚ ରାସ୍ତା କାହିଁ? ଯେଉଁ ରାସ୍ତାରେ ମୁଁ ଛତା ଟିଏ ଧରି ଖାଲି ପାଦରେ ଯାଉ ଯାଉ ପାଦ ଖସି ଯାଉଥିଲା । କାଦୁଅ ସରସର ହୋଇ କାନ୍ଦି କାନ୍ଦି ଘର କୁ ଫେରୁଥିଲି । ବୋଉ ପୁଣି ଶୁଖିଲା ଜାମା ପିନ୍ଧାଇ ଦେଉଥିଲା । ପବନ ସହିତ ବର୍ଷା ହେଉଥିଲେ ଛତା ଓଲଟି ଯାଇ ଖଣ୍ଡିଏ ଦୂରକୁ ଉଡ଼ାଇ ନେଉଥିଲା । ମୁଁ ବର୍ଷା ରେ ଭିଜି ଭିଜି ଛତା ଆଣିବାକୁ ଚେଷ୍ଟା କଲେ ଛତା ଟି ଆହୁରି ଦୂରକୁ ଉଡ଼ି ଯାଉଥିଲା । ବହି ବସ୍ତାନି ଭିଜି ଯାଇ ବହି ଖାତା ଓଦା ହୋଇ ଯାଇଥିଲା । ସେତେ ବେଳର କାଳି କଲମ ରେ ଲେଖିଥିବା ଅକ୍ଷର ଗୁଡା ପାଣିରେ ବତୁରି ଯାଇ ଅସ୍ପଷ୍ଟ ହୋଇ ଯାଉଥିଲା । ଘରକୁ ଫେରିଲା ପରେ ବୋଉ ଚୁଲି ମୁଣ୍ଡରେ ବହି ଖାତା ଗୁଡା ସେକି ଦେଉଥିଲା ।
ଓଦା ସରସର ଲୁଗା ପଟା ଗୁଡ଼ା ବର୍ଷା ଦିନେ ଶୁଖୁ ନ ଥିଲା । ବୋଉ ଚୂଲିରେ ସେକି ସେକି ପିନ୍ଧିବା ଯୋଗ୍ୟ କରି ଦେଉଥିଲା । ସେତେ ବେଳେ ଆଜି କାଲି ପରି ମାଗଣା ଡ୍ରେସ୍ ଜୋତା ମିଳୁ ନ ଥିଲା । ବାପା କିଣିଥିବା ଦୁଇ ଟି ଫ୍ରକ୍ ବଦଳ ଉଦଳ କରି ପିନ୍ଧିବାକୁ ପଡୁଥିଲା ।
ହେଲେ ଆଜି ଆଉ ସେ କାଦୁଅ ରାସ୍ତା ନାହିଁ । ଗଳି କନ୍ଦି ମୁଖ୍ୟ ରାସ୍ତା ସବୁ କଂକ୍ରିଟ । ଚିହ୍ନି ହେଉ ନାହିଁ ଗାଁ ର କଳେବର । ଯେଉଁଠି ଝୁମ୍ପୁଡ଼ି ଘର ସବୁ ଥିଲା ସେଠି ଆଜି ଚକାଚକିଆ ଦି ତାଲା କୋଠା ଘର ସବୁ ଠିଆ ହୋଇଛି । ସମସ୍ତଙ୍କ ଘରକୁ ସପ୍ଲାଇ ପାଣି । ଘରେ ଘରେ ପାଇଖାନା । ଗାଁ ରେ ଦଶ ପନ୍ଦର ଟି ନଳ କୂଅ । ପାଣିର ଅଭାବ ନାହିଁ । ଆମେ ସବୁ ଦିନ ପୋଖରୀ କୁ ଗାଧୋଇବାକୁ ଯାଉଥିଲୁ । ସ୍କୁଲ୍ ସମୟ ହୋଇଯାଉଥିଲେ ବାଡି ରେ ଥିବା କୂଅ ମୂଳରେ ଗାଧୋଉଥିଲୁ। ତେଣ୍ଡା ସାହାଯ୍ୟରେ ପାଣି କାଢ଼ିବାକୁ ପଡୁଥିଲା । ଆଜି ଆଉ ସେ ତେଣ୍ଡା କାହିଁ ? କୂଅ କଥା ପଚାରେ କିଏ ? ଘରକୁ ଘର deep bore well ।
କିଏ କାହିଁକି ପୋଖରୀ କୁ ଗାଧୋଇ ବାକୁ ଯିବ ??
ସେଇ ପୋଖରୀ ଆଜି ପରିତ୍ୟକ୍ତ ଅବସ୍ଥା ରେ ପଡ଼ିଛି ।
ଦଳ ଓ ପଙ୍କ ଭର୍ତ୍ତି । ବିଭିନ୍ନ ଅନାବନା ଗଛ ଓ ଅମରି ଗଛ ପୋଖରୀ କୁ ଦଖଲ କରି ସାରିଲେଣି । ପୋଖରୀ ହୁଡ଼ା ରେ ବସି ପିଲା ମାନେ ବଂଶୀ ସାହାଯ୍ୟରେ ମାଛ ଧରିବା ଦୃଶ୍ୟ ମନେ ପଡିଗଲା । ଆମେ ବି ରବିବାର ଛୁଟି ଦିନରେ ପୋଖରୀ ରେ ଗାମୁଛା ପକାଇ ମାଛ ଧରୁଥିଲୁ । ଭାବିଲେ ସେ ସବୁ ସ୍ବପ୍ନ ପରି ଲାଗେ । ସତରେ ସମୟ ଏତେ ପରିବର୍ତ୍ତନଶୀଳ । କାଲି ର କଥା ଆଜିକୁ ନାହିଁ ।
କାହିଁ ଆଉ ସେ ଖପର ଘର ? ଯେଉଁଠି ଚାଳରେ ମାଡ଼ିଥାଏ ଲାଉ ,କଖାରୁ ଲଟା । କାହିଁ ଆଉ ସେ ବାଡ଼ରେ ଲାଗିଥିବା କଳରା,ଜହ୍ନି ,ପୋଇ ଲତା ? ସଞ୍ଜ ବେଳେ ଫୁଟୁ ଥିବା ଜହ୍ନି ଫୁଲ କେଡ଼େ ମନଲୋଭା ସତରେ । ଜହ୍ନି ଫୁଲ ତୋଳି ଆମେ ଖେଳୁଥିଲୁ । ଖୁସିରେ ଗାଉଥିଲୁ- "ଜହ୍ନି ଫୁଲ ଠୋ,ଠା, କାକୁଡି ଫୁଲ ଠୋ,ଠା,
ଗୁଣ୍ଡୁଚି ମୂଷା କହି ଯାଇଛି ,ଚାଉଳ ମୁଠେ ରଖିଥା ।"
କାହିଁ ଆଉ ସେ କାଳର ସାଙ୍ଗ ମେଳ । ସାଙ୍ଗ ହୋଇ ପୋଖରୀ ପାଣି ରେ ବୁଡ଼ି ବୁଡ଼ି ଖେଳିବା ମଜା ସବୁଠାରୁ ନିଆରା । ବୁଡ଼ି ବୁଡ଼ି ଆଖି ଲାଲ ହୋଇ ଯାଉଥିଲା । ଘରକୁ ଆସି ଦୁଇ ଚାରି ପଦ ଗାଳି ଶୁଣିବା ଅଭ୍ୟାସ ହୋଇ ଯାଇଥାଏ । ଆଜିକାଲି ପିଲା ପୋଖରୀ ରେ ଦିନେ ଅଧେ ଗାଧୋଇଲେ କାଛୁ କୁଣ୍ଡିଆ ହବ । ଜ୍ଵର,ଥଣ୍ଡା ସର୍ଦ୍ଦି ହବ । ସତରେ ଯୁଗ ବଦଳି ଯାଇଛି । ତା ଯୁଗ ସାଙ୍ଗରେ ତାଳ ଦେଇ ଗାଁ ର ରଙ୍ଗ ରୂପ ବି ବଦଳି ଯାଇଛି ।
ତାରା ଭରା ଧବଳ ଜ୍ୟୋତ୍ସ୍ନା ବିଧୌତ ସଞ୍ଜ ବେଳେ ସାହି ର ସମସ୍ତ ଝିଅ ବୋହୂ ମାନେ ଦାଣ୍ଡ ରେ ଏକାଠି ହୋଇ ହୁମ ଗୀତ ଗାଉଥିଲୁ । ଦୁଇ ଦଳ ହୋଇ ଗୋଟିଏ ଦଳ ଗୀତ ଗାଇଲା ପରେ ଅନ୍ୟ ଦଳ ଗୀତ ଗାଉଥିଲୁ । ସତରେ କେତେ ଭଲ ଥିଲା ସେ ଦିନ ଗୁଡ଼ାକ । ଜଞ୍ଜାଳ ବୋଲି କିଛି ନ ଥିଲା ।
ସାଙ୍ଗ ସାଙ୍ଗ ଭିତରେ ଅନାବିଳ ସ୍ନେହ ଓ ଆତ୍ମୀୟତା । ନ ଥିଲା ଛନ୍ଦ କପଟ । ଆଜି ଆଉ ସେ ଦିନ କାହିଁ ଆଜି କାଲି ପିଲା ମାନେ କେବଳ ମୋବାଇଲ୍ ରେ ସମୟ କଟାଇ ଦେଉଛନ୍ତି । ଆମ ସମୟ ରେ ରେଡ଼ିଓ ଥିଲା । ଏବେ ରେଡ଼ିଓ ଯୁଗ ଯାଇ TV ଯୁଗ ବି ଗଲାଣି ।
କାହିଁ ଆଉ ସେ ବିଲ ରୁ ମିଳୁଥିବା ଚୁନା ମାଛ ,ଯାହାକୁ ବୋଉ ପତ୍ର ରେ ଗୁଡେ଼ଇ ରଡ ନିଆଁ ରେ ପୋଡ଼ି ଦେଉଥିଲା । ଆହା ପଖାଳ ସାଙ୍ଗରେ କି ମଜା ! କାହିଁ ଆଉ ଅନୁଢ଼ା କିଶୋରୀ ମାନଙ୍କ କାଖରେ କଳସୀ ନେଇ ଫେରିବାର ଦୃଶ୍ୟ । ଗାଈଆଳ ଟୋକା ର ବଂଶୀ ସ୍ଵନ,କୃଷକ ଭାଇ ର ହଳିଆ ଗୀତ, ଭାଗବତ ଟୁଙ୍ଗି ରେ ଭାଗବତ ପାଠ । ସବୁ ହଜିଗଲା ଅତୀତ ରେ ।
ସବୁ ବଦଳି ଯାଇଛି ମୋ ଗାଁ ର ।