ଅଜଣା ସମ୍ପର୍କ
ଅଜଣା ସମ୍ପର୍କ
ଥରେ ମୋ ସାନ ଝିଅ ର ଦେହ ଭଲ ନ ଥିବାରୁ ତାକୁ ସମ୍ବଲପୁର ର ଏକ ନର୍ସିଂ ହୋମ ରେ ଭର୍ତ୍ତି କରିଥିଲୁ । ମୁଁ,ବଡ ଝିଅ ଓ ମୋ ସ୍ଵାମୀ ବି ସାଙ୍ଗରେ ତିନି ଦିନ ଯାଏ ସେହି ନର୍ସିଂ ହୋମ ରେ ରହିଲୁ ।
ଝିଅର ବେଡ ପାଖକୁ ଗୋଟିଏ ବେଡ୍ ରେ ଚାରି ବର୍ଷ ର ଝିଅ ଟିଏ ଚିକିତ୍ସିତ ହେଉଥାଏ । ଗୋରା ତକ୍ ତକ୍ ଦେହଟି ।ଗୋଲ ଗାଲ ଚେହେରା । ପରିସ୍ରା ସଂକ୍ରମଣ କାରଣରୁ ତାର ସମ୍ପୂର୍ଣ୍ଣ ଶରୀର ଫୁଲି ଯାଇଥାଏ । ଏମିତି କି ତା ଆଖି ଯୋଡ଼ାକ ବି ଦେଖା ଯାଉ ନ ଥାଏ । ଶରୀର ଯନ୍ତ୍ରଣା କାରଣ ରୁ ଦିନ ରାତି ସବୁ ବେଳେ ବଡ଼ ପାଟିରେ କାନ୍ଦୁଥାଏ । ତାକୁ ତା ଆତ୍ମୀୟ ମାନେ କାଖ କରି ବୁଲାଉଥାନ୍ତି । ତଥାପି ସେ ଛାଟିପିଟି ହୋଇ ସବୁ ବେଳେ କାନ୍ଦୁଥାଏ । ଯାହା ଖାଇବାକୁ ଦେଲେ ଫିଙ୍ଗା ଫୋଫଡ଼ା କରୁଥାଏ । ଇଞ୍ଜେକସନ ଓ ସାଲାଇନ୍ ଦ୍ଵାରା ଯାହା ଖାଦ୍ୟ ତାକୁ ମିଳୁଥାଏ ।
ତାର କାନ୍ଦ ବୋବାଳି ଯୋଗୁଁ ଅନ୍ୟ ରୋଗୀ ମାନେ ମଧ୍ୟ ରାତି ସାରା ଶୋଇ ପାରୁ ନ ଥାନ୍ତି । କେହି କେହି ବିରକ୍ତ ବି ହେଉଥାନ୍ତି । ହେଲେ ଛୁଆ ଟିର ଅବସ୍ଥା ଦେଖି ପୁଣି ଦୁଃଖ ପ୍ରକାଶ କରୁଥାନ୍ତି। ସବୁ ବେଳେ ପିଲାଟି ପାଟି କରି କାନ୍ଦି କାନ୍ଦି କହୁଥାଏ "ତୁରେନ୍ ପିଇବି, ତୁରେନ୍ ପିଇବି ।" ପ୍ରଥମେ ମୁଁ ତା କାନ୍ଦିବା ଯୋଗୁଁ ବୁଝି ପାରୁ ନ ଥାଏ ,ସେ କଣ ପିଇବାକୁ ମାଗୁଛି ବୋଲି । ତା ଜେଜି ତାକୁ ବୁଝାଉଥାଏ , "ଏଠି ତୁରେନ୍ ମିଳିବନି ,ଘରକୁ ଗଲେ ତୁରେନ୍ ପିଇବୁ ।" ମୋତେ ପିଲାଟିର ଅବସ୍ଥା ଦେଖି ବହୁତ୍ ଦୁଃଖ ଲାଗୁଥାଏ । ଏମିତି ଛାଟିପିଟି ହେଉଥାଏ ଯେ ତାକୁ ସମ୍ଭାଳିବା କଷ୍ଟକର । ପାଖକୁ ଯାଇ ତା ବୋଉ କୁ ପଚାରିଲି "ସେ କଣ ମାଗୁଛି?" ତା ବୋଉ କହିଲେ "ତୁରେନ୍ ପିଇବ ବୋଲି କହୁଛି । ଦେଖ ତ ଭଉଣୀ, ଏଠୁ କୋଉଠୁ ତୁରେନ୍ ମିଳିବ ଯେ...." ମୁଁ ଏଥର ବୁଝିଗଲି କି ସେ ତୋରାଣି ପିଇବାକୁ ମାଗୁଛି । ମୁଁ କହିଲି "ହୋଟେଲ କୁ ଯାଇ କିଛି ତୋରାଣି ନେଇ ଆସ । ପିଲାଟି କେତେବେଳୁ ମାଗୁଛି । କିଛି ତ ଖାଉନି,ତୋରାଣି ଟିକେ ହେଲେ ପିଇଲେ ତାକୁ ଶାନ୍ତି ଲାଗିବ ।" ତା ବାପା କହିଲେ," ହୋଟେଲ କୁ ଯାଇଥିଲି ଭଉଣୀ, ସେମାନେ ତୋରାଣି ତକ ଫୋପାଡି ଦେଇ ସାରିଛନ୍ତି । କଣ କରିବି ?"
ପିଲାଟି ଆହୁରି ଜୋର୍ ଜୋର୍ ରେ କାନ୍ଦୁଥାଏ । ମୋତେ ବହୁତ୍ ବାଧୁଥାଏ । ଗୋଟିଏ ଉପାୟ ଚିନ୍ତା କଲି । ସେହି ନର୍ସିଂ ହୋମ୍ ରେ ମୋର ଜଣେ ଝିଆରୀ ନର୍ସ କାମ କରୁଥିଲେ । ସେ ଆମର ଖାଇବା କଥା ବି ବୁଝୁଥିଲେ । ତୁରନ୍ତ ତାଙ୍କ ରୁମ୍ କୁ ଗଲି । ସେମାନେ ବି ଭାତ ଢ଼ାଳି ସାରି ତୋରାଣି ସବୁ ଫୋପାଡ଼ି ସାରିଥାନ୍ତି । "ତୋରାଣି କଣ କରିବ କାକୀ "ବୋଲି ମୋ ଝିଆରୀ ପଚାରିଲେ । ମୁଁ ତାଙ୍କୁ ସବୁ କଥା କହିଲି । ମୋ ଝିଆରୀ ବି ରାଉଣ୍ଡ ରେ ଗଲା ବେଳେ ସେ ଝିଅ କୁ ଦେଖି ଥାନ୍ତି । ସେ କହିଲେ "ସନ୍ଧ୍ୟା ବେଳେ ତା ପାଇଁ ତୋରାଣି ରଖି ଦେବି । ଏବେ ତ ନାହିଁ।"କଣ କରିବି ,ପିଲା ଟି ର କାନ୍ଦଣା କିପରି ବନ୍ଦ ହେବ ,ଚିନ୍ତା କଲି । ତାଙ୍କ ଡେକଚି ରୁ କିଛି ଭାତ କାଢି ନେଇ ଗୋଟିଏ କଢ଼େଇ ରେ ଦୁଇ ଗ୍ଲାସ୍ ପାଣି ଦେଇ ଅଳ୍ପ ସମୟ ଫୁଟାଇ ଦେଲି । ଭାତ ସବୁ କୁ ହାତରେ ଚକଟି ଦେଲି । ଏଥର ତୋରାଣି ପ୍ରସ୍ତୁତ ହୋଇଗଲା । ଗୋଟିଏ ବେଲା ରେ ତାକୁ ଥଣ୍ଡା କରି ଦେଇ ନେଇ କି ଝିଅ କୁ ଦେଲି । "କହିଲି ନେ ତୁରେନ୍ ପି..." ଝିଅ ଟି ମୋ ମୁହଁକୁ ଟିକେ ଅନେଇଲା । ଏଥର ଧିରେ ଧିରେ ତା କାନ୍ଦ ବୋବାଳି ଛାଡି ତୋରାଣି ବେଲା କୁ ଦେଖି ଖୁସି ହୋଇଗଲା । ତୋରାଣି ବେଲା କୁ ଧରି ଅଳ୍ପ ଅଳ୍ପ ପିଇବାକୁ ଲାଗିଲା । ରୁମ୍ ରେ ଯେତେ ଲୋକ ଥିଲେ ସମସ୍ତେ ମୋ କାମ ଦେଖି ଖୁସି ହୋଇ ଗଲେ । ପଚାରିଲେ "କୋଉଠୁ ତମେ ତୋରାଣି ଯୋଗାଡ଼ କଲ କି ?" ମୁଁ ହସିଦେଲି । ମୋତେ ଦେଖି ମୋ ସ୍ଵାମୀ ବି ହସିବାକୁ ଲାଗିଲେ । କହିଲେ "ବିନୁ , ଯାହା ହେଉ ଆଜି ତୁମ ପାଇଁ ଝିଅ ଟି ଖୁସି ହେଲା ।"
ତା ପର ଦିନ ଆମେ ନର୍ସିଂ ହୋମ୍ ରୁ ଛୁଟି ପାଇଲୁ । ସେ ଛୋଟ ଛୁଆ ଟି କହୁଥାଏ ",ମାଉସୀ ,ଆଜି ଆଉ ଟିକେ ତୋରାଣି ଆଣି ଦେବନି କି ? ତମେ ଚାଲି ଗଲେ ମୋତେ କିଏ ତୋରାଣି ଦେବ ? " ତା କଥା ଶୁଣି ସମସ୍ତେ ହସିବାକୁ ଲାଗିଲେ ।
ତା" ବାପା ମୋ ସ୍ଵାମୀ ଠାରୁ ଫୋନ୍ ନମ୍ୱର୍ ମାଗି ନେଲେ । ଏବେ ବି ସେ ମୋ ପାଖକୁ ବେଳେବେଳେ ଫୋନ୍ କରନ୍ତି । ସେଇ ଝିଅଟି ଏବେ ବଡ଼ ହୋଇ ଦୁଇଟି ପିଲା ର ମାଆ ହେଲାଣି । ତାର ସେଇ ଫୁଲା ଫୁଲା ଚେହେରା ଆଉ କାନ୍ଦ କଥା ଏବେ ବି ମୋ ମନ ରେ ସତେଜ ହୋଇ ରହିଛି । ତା କଥା ବେଳେ ବେଳେ ମୋ ଝିଅ ସହିତ ଆଲୋଚନା କରୁ । ମୋ ଝିଅ ବି ହସି ପକାଏ । ଏଇ ତ "ଅଜଣା ସମ୍ପର୍କ ।।"
ହୃଦୟ ଭିତରେ ସବୁ ବେଳେ ସତେଜ ହୋଇ ରହେ ।
