ମାତା କୁଷ୍ମାଣ୍ଡା
ମାତା କୁଷ୍ମାଣ୍ଡା
ଶରତ ଋତୁ ରେ ମାତା ଦୁର୍ଗା ଙ୍କ ନବରାତ୍ର ପୂଜା ହିନ୍ଦୁ ମାନଙ୍କ ମନରେ ନବ ଉନ୍ମାଦନା ଭରି ଦିଏ । ନଅ ଦିନ ବ୍ୟାପୀ ମାତା ଙ୍କ ପୂଜାରେ ଚତୁର୍ଥ ଦିବସ ଟି ମାତା କୁଷ୍ମାଣ୍ଡା ଙ୍କୁ ସମର୍ପିତ । ମାତା ଦୁଷ୍ଟ ଦଳନ ପାଇଁ କୈଳାସ ତେଜି ଧରା ପୃଷ୍ଠରେ ଅବତରଣ କରିଛନ୍ତି । ପୁର ପଲ୍ଲୀ,ସହର,ନଗର ସର୍ବତ୍ର ବିଭିନ୍ନ ପ୍ରକାର ଆକର୍ଷଣୀୟ ତୋରଣ, ସୁନା ଚାନ୍ଦି ମେଢ଼ ରେ ମାତା ଙ୍କ ମହିଷାମର୍ଦ୍ଦିନୀ ମୃଣ୍ମୟୀ ପ୍ରତିମା ଶୋଭା ପାଇ ଅଛି । ଦଶ ଭୁଜା ଦୁର୍ଗା ଦଶ ପ୍ରହରଣ ଧରି ମହିଷାମର୍ଦ୍ଦିନୀ ରୂପେ ବିରାଜିତା । ମହିଷାସୁର ଉପରେ ମାତା ଙ୍କ ଗୋଟିଏ ପାଦ,ଅନ୍ୟ ପାଦ ତାଙ୍କର ବାହନ ସିଂହ ଉପରେ । ମାତାଙ୍କ ତ୍ରିଶୂଳ ମହିଷାସୁର ର ବକ୍ଷ ଭେଦ କରିଥାଏ । ମାତା ବହୁ ମୂଲ୍ୟ ରତ୍ନାଳଙ୍କାର ରେ ବିଭୂଷିତା । ମନ୍ଦାର ମାଳିନୀ ମାତା ଦୁର୍ଗା ବିଭିନ୍ନ ଆୟୁଧ ରେ ଶୋଭା ପାଆନ୍ତି । ବିଭିନ୍ନ ଆଲୋକ ମାଳା ରେ ସୁସଜ୍ଜିତ ଦେବୀ ମେଢ଼ ସମସ୍ତଙ୍କ ମନ,ହୃଦୟ କୁ ଆକର୍ଷିତ କରିଥାଏ । ନାସ୍ତିକ ମନରେ ମଧ୍ୟ କିଛି ସମୟ ପାଇଁ ଭକ୍ତି ଭାବ ଜାଗ୍ରତ ହୁଏ । ମାତାଙ୍କ ଭବ୍ୟ ରୂପ କୁ ଦେଖିଲେ ଭକ୍ତି ରେ ଆପେ ଆପେ ମୁଣ୍ଡ ତଳକୁ ହୋଇ ଯାଏ । ଦୁଇ ହାତ ଯୋଡ଼ି ହୋଇ ଯାଏ । ଭକ୍ତି ରେ ହୃଦୟ ଗଦଗଦ ହୋଇ ଯାଏ । ମାତୃ ଶକ୍ତି ସହ ସନ୍ତାନ ଗଣ ଙ୍କ ର ସତରେ ଏକ ନିଆରା ସମ୍ପର୍କ ।
ଆସନ୍ତୁ ଜାଣିବା ଚତୁର୍ଥ ସ୍ୱରୂପା ମାତା କୁଷ୍ମାଣ୍ଡା ଙ୍କ ଅଲୌକିକ କଥା ।
କୁଷ୍ମାଣ୍ଡ ର ଅର୍ଥ କୁମଢା ବା ପାଣି କଖାରୁ । ଯେତେ ବେଳେ ସୃଷ୍ଟି ର ଆରମ୍ଭ ହୋଇ ନ ଥିଲା ,କେବଳ ଏକ ଆଲୋକ ର ରେଖା ପ୍ରତିଭାତ ହେଉଥିଲା ।ଏହି ଆଲୋକ ରୂପକ ରେଖା ର କୌଣସି ଆକାର ନ ଥିଲା । ହଠାତ୍ ସେହି ଶୂନ୍ୟ ସ୍ଥାନ ରେ ଏକ ଦିପିମୟ ଆକାର ବିରାଜମାନ ହେଲା । ତାହା ଏକ ଦେବୀ ରୂପେ ପ୍ରତୀୟମାନ ହେଲା । ସେ ଥିଲେ ସ୍ଵୟଂ ସମ୍ଭୂତା ଦେବୀ କୁଷ୍ମାଣ୍ଡା ।। ମାତା କୁଷ୍ମାଣ୍ଡା ଙ୍କ ର ସ୍ମିତ ହାସ୍ୟ ଦ୍ଵାରା ବିଶ୍ଵ ବ୍ରହ୍ମାଣ୍ଡ ର ସୃଷ୍ଟି ହେଲା । ସେ କୁସୁମ ରୂପକ ଅନ୍ତରୀକ୍ଷ ଅଣ୍ଡା କୁ ସୃଷ୍ଟି କଲେ ।ତେଣୁ ତାଙ୍କ ନାମ କୁଷ୍ମାଣ୍ଡା। ମାତା ବ୍ର
ହ୍ମା,ବିଷ୍ଣୁ ଓ ଶିବ ଙ୍କୁ ସୃଷ୍ଟି କଲେ । ମାତା କୁଷ୍ମାଣ୍ଡା ଙ୍କୁ ଆଦିଶକ୍ତି କୁହାଯାଏ ।ସୃଷ୍ଟି ବଞ୍ଚି ରହିବା ପାଇଁ ତାପ ଓ ଆଲୋକ ର ଆବଶ୍ୟକତା ହେବାରୁ ମାତା ସୂର୍ଯ୍ୟ ଙ୍କୁ ସର୍ଜନା କଲେ । ମାତା ଙ୍କ ଆଶୀର୍ବାଦ ରୁ ସୂର୍ଯ୍ୟ ମହାନ୍ ଶକ୍ତି ରେ ଶକ୍ତି ମାନ ହୋଇ ଉଠିଲେ । ମା ଙ୍କ ଆଶୀର୍ବାଦ ବିନା ସୂର୍ଯ୍ୟ ନିଷ୍ପ୍ରଭ ହୋଇ ଯିବ । ମାତା ସୂର୍ଯ୍ୟଙ୍କ କେନ୍ଦ୍ର ରେ ରହି ପାର୍ଥିବ ଜଗତ କୁ ପାଳନ କରୁଛନ୍ତି । ମାତା ଏମିତି ଶକ୍ତି ଅଟନ୍ତି ଯିଏ କି ସୂର୍ଯ୍ୟ ମଣ୍ଡଳ ରେ ବାସ କରନ୍ତି ।ମାତା ଙ୍କୁ ଆରାଧନା କଲେ ରୋଗ ଶୋକ ଦୂର ହୁଏ । ସେ ଅଳ୍ପ ଭକ୍ତି ରେ ସନ୍ତୁଷ୍ଟ ହୋଇ ଥାଆନ୍ତି । ମାତା ଙ୍କ ଆଶୀର୍ବାଦ ରେ ସଂସାର ସାଗର ରୁ ମୁକ୍ତି ମିଳେ ,ଆଦି ବ୍ୟାଧି ଦୂର ହୁଏ । ସମସ୍ତ ସୁଖ ସମ୍ମୃଦ୍ଧି ଲାଭ ହୁଏ । ଶ୍ରଦ୍ଧା ପୂର୍ବକ ପୂଜା କଲେ ସୂର୍ଯ୍ୟ ସମନ୍ଧୀୟ ଦୋଷ ରୁ ମୁକ୍ତି ମିଳେ ।
ମାତା ସିଂହ ବାହିନୀ ଅଟନ୍ତି। ମାତାଙ୍କ ଅଷ୍ଟ ଭୂଜରେ ଗଦା, କମଳ, ଧନୁତୀର,ଚକ୍ର,ଅମୃତ କଳସ ଶୋଭା ପାଏ । ଏକ ହସ୍ତ ସର୍ବଦା ବରଦା ମୁଦ୍ରାରେ ଥାଏ ।
ମାତା ଙ୍କୁ ପୂଜା କରିବା ଦ୍ୱାରା ଦୁରାରୋଗ୍ୟ ବ୍ୟାଧି ରୁ ମୁକ୍ତି ମିଳେ ।
ବ୍ରାହ୍ମ ମୁହୂର୍ତ୍ତ ରୁ ଉଠି ସ୍ନାନ ଶୌଚ ସାରି ହଳଦିଆ ବସ୍ତ୍ର ପରିଧାନ କରି ମାତାଙ୍କ ଆସ୍ଥାନ ବସାଇ କୁମ୍ଭ ସ୍ଥାପନ ପରେ ଶିବ, ବ୍ରହ୍ମା ଓ ବିଷ୍ଣୁ ଙ୍କୁ ଅବହାନ ପୂର୍ବକ ମାତା ଙ୍କୁ ପୂଜା କରାଯାଏ । ଦେବୀ ଙ୍କୁ ପୁଷ୍ପ ମାଳା ଦିଆ ଯାଏ। ଆରତୀ ଓ ମନ୍ତ୍ର ପାଠ କରାଯାଏ । ଭୋଗ ଦିଆ ଯାଏ । କୁଷ୍ମାଣ୍ଡ ରେ ପ୍ରସ୍ତୁତ ପେଠା ଓ ମାଲପୁଆ ମାତା ଙ୍କ ପ୍ରିୟ ଭୋଗ । କୁଷ୍ମାଣ୍ଡ ବଳି ମଧ୍ୟ ମାତା ଙ୍କୁ ଦେଲେ ମାତା ପ୍ରସନ୍ନ ହୋଇ ଥାନ୍ତି । ଚାମେଲି ଫୁଲ ମାତା ଙ୍କ ର ପ୍ରିୟ ଫୁଲ ଅଟେ । ପାନ ଗୁଜୁରାତି,ଗୁଆ, ଚୂଆ,ଶ୍ରୀ କର୍ପୂର ଓ ପାନ ମହୁରୀ ଭୋଗରେ ମାତା ଙ୍କୁ ଦିଆ ଯାଏ ।
ତେବେ ଆସନ୍ତୁ ସମସ୍ତେ ମାତା କୁଷ୍ମାଣ୍ଡା ଙ୍କୁ ଆରାଧନା କରି ମାତା ଙ୍କ କୃପା ଲାଭ କରିବା । ଜୟ ମା କୁଷ୍ମାଣ୍ଡା ।