ଓଡିଆ ଶିଶୁ ଗପ

Children

3  

ଓଡିଆ ଶିଶୁ ଗପ

Children

ଶୁଆ ଶାରୀ କଥା - ୩୦

ଶୁଆ ଶାରୀ କଥା - ୩୦

6 mins
7.3K


ଯୋଗୀ ଗୁଣିଆ କଥା

ଏତେ କଥା ପରେ ସାନ ଭଉଣୀର ମନ କେଉଁଠାରେ ସ୍ଥିର ହୋଇ ରହି ପାରିଲା ନାହିଁ । ସନ୍ନ୍ୟାସୀଙ୍କର କଥା ମଧ୍ୟ ତା’ର ମନକୁ ଆସିଲା ନାହିଁ । ସାନ ରାଜା ପୁଅକୁ ଛାଡି ଦେଲେ ତା’ର ଯେ ଏ ସଂସାରରେ କେହି ଆପଣାର ନାହାଁନ୍ତି । ଏହି କଥା ଭାବି ଭାବି ସାନ ଭଉଣୀ ସନ୍ନ୍ୟାସୀଙ୍କର ଆଶ୍ରମ ପରିତ୍ୟାଗ କଲା । ପୁଣି କାନ୍ଦି କାନ୍ଦି ଅରଣ୍ୟକୁ ପଳାଇଲା । ଜୀବନ ପ୍ରତି ଯାହାର ମୋହ ନାହିଁ, ମମତା ନାହିଁ ତାର ପୁଣି ଭୟ କାହାକୁ । ଭଗବାନଙ୍କୁ ପାଇବା ଲାଗି ସାଧନାରେ ବସି ଥିବା ଯୋଗୀକୁ ତ ବାଘ ଭାଲୁ ହିଂସ୍ରଜନ୍ତୁ ଦେଖି କରି ପଳାଇ ଯାଆନ୍ତି ।

ସେହି ପରି ହୃଦୟ ସାନ ଭଉଣୀର । ତା’ର ବଂଚିବାକୁ ହେଲେ ସାନ ରାଜ କୁମାର ଦରକାର । ମରିବାକୁ ହେଲେ ସେ ସେହି ସାନ ରାଜା ପୁଅ ଲାଗି ଜୀବନ ହାରିବ । ତେଣୁ ଅରଣ୍ୟର ବାଘ ଭାଲୁଙ୍କ ପରି ହିଂସ୍ରଜନ୍ତୁ ମାନଙ୍କ ପ୍ରତି ତାର ଭୟ ନଥାଏ ।

ସାନ ଭଉଣୀ ସବୁକୁ ତ୍ୟାଗ କରି ଜଙ୍ଗଲରେ ପହଁଚି ଖାଲି କାନ୍ଦିବାକୁ ଲାଗିଲା । ସେହି ସାନ ଭାଇ ରଜା ପୁଅଙ୍କର ନାମ ଧରି ବାହୁନି ବାହୁନି କାନ୍ଦିବାକୁ ଲାଗିଲା । ମନ ତାର ଆଉ ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହି ପାରିଲା ନାହିଁ । ତହୁଁ ସେ ଚାଲି ବାକୁ ଲାଗିଲା, ରାସ୍ତାରେ ଭୋକ ଶୋଷ ହେଲେ ସେ ଆଉ କିଛି ଖାଇଲା ନାହିଁ । କେବଳ ପାଣି ପିଇ ପିଇ ଜୀବନ ବଂଚାଇଲା ।

ଏଭଳି ଚାଲୁ ଚାଲୁ ଯାଇ ସେ ଏକ ଅଜଣା ରାଜ୍ୟରେ ପହଁଚିଲା । ସେହି ରାଜ୍ୟରେ କିଛି ଦିନ ସେ ରହିଲା ବହୁତ ବୁଝା ସୁଝା କଲାରୁ ସେ ଜାଣି ବାକୁ ପାଇଲା ଯେ ସେ ଯାହାଙ୍କୁ ଖୋଜୁ ଥିଲା ସେହି ସାନ ରାଜ କୁମାରଙ୍କର ଏହି ରାଜ୍ୟ ।

କଥାଟି ଜାଣି ସାରିବା ପରେ ପେଟ ତାର ପୁରି ଗଲା ମନ ମଧ୍ୟରେ ଅନେକ ବଡ ଆଶା ଆସି ପହଁଚି ଗଲା । ବହୁତ ଦିନ ସେ ତା’ର ସେହି ପ୍ରିୟ ମନର ମଣିଷକୁ ଦେଖିବାକୁ ଖୋଜୁ ଥିଲା । ଆଜି ତା’ର ଆଶା ପୂରଣ ହୋଇଛି । ଏବେ ନିଶ୍ଚୟ ତାଙ୍କୁ ଦେଖା କରିବ । ସେ ତାକୁ ଆପଣାର କରି ନିଅନ୍ତୁ ନନିଅନ୍ତୁ, ନିଜର ଜୀବନର ଧନକୁ ନୟନ ପୂରାଇ ଅନ୍ତତଃ ଦେଖି ତ ପାରିବ ।

ଏହା ଭାବିଲା ସାନ ଭଉଣୀ । ଆଉ ଖାଇବା ପିଇବା ପ୍ରତି ତାର ଧ୍ୟାନ ନାହିଁ । ସେ କେବଳ ଥରେ ଆଖି ପୂରାଇ ଦେଖି ନେବ । ତା’ର ଧନ କିପରି ଅଛନ୍ତି, ସୁଖରେ କି ଦୁଃଖରେ, ଆନନ୍ଦରେ କି ନିରାନନ୍ଦରେ । ପ୍ରତି ଦିନ ଭଲ କରି ଖିଆ ପିଆ କରୁ ଛନ୍ତି ତ ।

ଏ କଥା ସବୁକୁ ମନ ମଧ୍ୟରେ ରଖି ସାନ ଭଉଣୀ ପୁଣି କିଛି ଦିନ ସେହି ରାଜ୍ୟ ମଧ୍ୟରେ ବୁଲା ବୁଲି କଲା । କାହାକୁ କିଛି ପରିଚୟ ନଦେଇ ରାଜ୍ୟର ସବୁ ରାସ୍ତାରେ ସେ ବୁଲି ବୁଲି ସାନ ରାଜ କୁମାରଙ୍କୁ ଦେଖିବା ଲାଗି ଚେଷ୍ଟା ଚଳାଇଲା ।

ଦିନକର ଉପର ବେଳା କଥା । ଶୁଣି ଥିଲା ସାନ ରାଜ କୁମାର ଠିକ୍ ଏହି ସମୟରେ ଉଦ୍ୟାନ ଭ୍ରମଣରେ ଆସୁ ଛନ୍ତି । ସେ ବେଳାରେ ସାନ ଭଉଣୀ ଆସି ଉଦ୍ୟାନର ବଡ ଫାଟକ ପାଖରେ ବସି ରହିଲା ।

ସତକୁ ସତ, ବିଚାରି ଫାଟକ ପାଖରେ ବସିଛି ସାନ ଭଉଣୀ । ସାନ ରାଜ କୁମାର ଏକ ନାଲି ଅଶ୍ୱରେ ଚଢି ଉଦ୍ୟାନର ଫାଟକ ପାଖରେ ପହଁଚି ଗଲା । ସାଙ୍ଗରେ କେତେ ଜଣ କେଜାଣି ସିପାହୀ ଆଉ ଦେହ ରକ୍ଷୀ । ତତ୍କ୍ଷଣାତ୍ ସାନ ରାଜ କୁମାରଙ୍କୁ ଦେଖି ସାନ ଭଉଣୀ ପଳାଇ ଗଲା କୁମାରଙ୍କ ପାଖକୁ ତାଙ୍କର ପାଦ ଦୁଇଟାକୁ ଧରି ପକାଇ ଭୋ ଭୋ ହୋଇ କାନ୍ଦି ବାକୁ ଲାଗିଲା । ଏ ଦାସୀ ତୁମ ପାଖରେ କେଉଁ ଅପରାଧ କରି ଥିଲା । ତୁମେ ଏକା ବେଳକେ ତାଙ୍କୁ ଭୁଲି ପର କରି ଇଆଡେ ଏକା ହୋଇ ରହି ଗଲ । ଦିନେ କଣ ଏହି ଦାସୀ କଥା ତୁମର ମନେ ପଡିଲା ନାହିଁ । ମୁଁ ଦୁଃଖିନୀ ତୁମରି ଲାଗି ଭଉଣୀ ମାନଙ୍କର ଶତ୍ରୁ ହୋଇ ଗଲି । ଯେବେ ଠାରୁ ତୁମେ ମୋତେ ଛାଡି ଆସିଲଣି, ତୁମକୁ ନଦେଖି ମୁଁ ଅନ୍ଧ ହୋଇ ଗଲିଣି । ସ୍ୱାମୀ ସତରେ ତୁମକୁ ଏପରି ଆଉ ଥରେ ଦେଖିବି ବୋଲି ମୋର ବିଶ୍ୱାସ ନଥିଲା । ଭଗବାନ କରନ୍ତୁ ତୁମେ କୁଶଳରେ ଥାଅ । ଏତେ ଗୁଡାଏ ଶ୍ରମ ମୋର ସାର୍ଥକ ହୋଇ ଗଲା ସ୍ୱାମୀ ।

ଏହି ସ୍ୱାମୀ ଶବ୍ଦଟି ସାନ କୁମାରଙ୍କର କାନରେ ପଡି ଯିବାରୁ ସେ ସ୍ତବ୍ଧ ହୋଇ ଗଲେ । ତା’ର ଚୁଟି ଧରି ଝିଙ୍କି ଆଣି ଦେଖିବା ବେଳକୁ ସେ ଚାରି ସଇତାନି ଭଉଣୀ ମାନଙ୍କର ଏ ସାନ ଭଉଣୀ ବୋଲି ଜାଣି ପାରି ଭାବି ବାକୁ ଲାଗିଲେ – ଆରେ ୟାକୁ ମାରି ନଦେଇ ମୁଁ କେତେ ବଡ ଭୁଲ୍ କଲି ।

ମୁଳୁ ମାଇଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ପା କଳି ।

ସେଦିନ ୟାକୁ ମାରି ଦେଇ ପଳାଇ ଆସି ଥିଲେ ଖୁବ୍ ଭଲ ହୋଇ ଥାଆନ୍ତା । ନମାରି ଛାଡି ଆସିବାରୁ ସିନା ସେ ମୋ ରାଜ୍ୟକୁ ପଳାଇ ଆସିଲା । ଏଠାକୁ ସେ ଆସିଲା ନାହିଁ ତ ସେ ମୋ ଜୀବନ ଲାଗି ସାରା ଦିନକୁ କଂଟା ହେଲା । ନାଁ ୟାକୁ ଆଉ ଦୟା କରିବା ଦରକାର ନାହିଁ । ୟା ଲାଗି ଉଚିତ୍ ଦଣ୍ଡର ବ୍ୟବସ୍ଥା କରିବାକୁ ହେବ ।

ଏହା ପରେ ସାନ ରାଜ କୁମାର ସିପାହୀ ମାନଙ୍କୁ ଆଦେଶ ଦେଲେ ଯେତେ ଶୀଘ୍ର ପାରୁଛ ଏହି ପାଷାଣ୍ଡୀ ରମଣୀକୁ ବାନ୍ଧି ନେଇ କାରାଗାରର ଅନ୍ଧାରିଆ ସ୍ଥାନରେ ନେଇ ପକାଇ ଦିଅ । ଆସନ୍ତା କାଲି ସକାଳ ହେଲେ ଏହାର ଉଚିତ୍ ବିଚାର ହେବ ।

ସାନ କୁମାରଙ୍କର ଆଦେଶ ପାଇବା ମାତ୍ରେ ସିପାହୀ ମାନେ ତାକୁ ବାନ୍ଧି ପକାଇଲେ । ସେତେ ବେଳେ ବିଚାରୀ କେତେ ଯେ ଅନୁନ୍ନୟ ବିନୟ ନହୋଇଛି । କେତେ ଯେ ଆଖିରୁ ଲୁହ ନଝରାଇଛି । ହେଲେ ନିଷ୍ଠୁର ସାନ ରାଜ କୁମାର ତା’ର ସମସ୍ତ ଭଲ ପାଇବାକୁ ଭୁଲି ଗଲା ।

ସକାଳ ହେବାରୁ ରାଜା ପୁଅ ଯାଇ ବିଚାରପତି ଆଗରେ ସବୁ କଥା ବୁଝାଇ କହି ଦେବାରୁ ବିଚାରପତି କହିଲେ । ଏଥି ଲାଗି ସେ ରମଣୀଙ୍କୁ କି ଦଣ୍ଡ ଦିଆ ଯିବ ତାହା ମୁଁ ସ୍ଥିର କରିବି ।

ସାନ ରାଜ କୁମାର କହିଲେ – ତୁମେ ପୁଣି କି ବିଚାର କରିବ ଶୁଣେ । ବିଚାରପତି କହିଲେ ତାହା ହେଲେ ମୁଁ ଯାହା କହୁଛି ତାହାକୁ ଶୁଣ ।

ବିରାଟ ଦେଶ ନାମରେ ଏକ ରାଜ୍ୟ ଥିଲା । ସେ ଦେଶରେ ମନୁରଜନ ନାମରେ ଜଣେ ରାଜା ଥିଲେ । ସେ ରାଜାଙ୍କ ପାଖରେ ଜଣେ ଯୋଗୀ ମଧ୍ୟ ରହୁ ଥିଲେ । ଯୋଗୀଟି ମନ୍ତ୍ର, ଯନ୍ତ୍ର, ତନ୍ତ୍ର ଏ ସବୁ ବିଦ୍ୟାରେ ପାରଙ୍ଗମ ଥିଲେ ।

ଦିନେ ମଣିମାଙ୍କର ଏକ ଦୂର ରାଜ୍ୟକୁ ଜରୁରୀ କାର୍ଯ୍ୟରେ ଯିବାକୁ ଥିଲା । ପୁଣି ଯଥା ଶୀଘ୍ର ଯିବାକୁ ହେବ । ବିଳମ୍ବ କରିଲେ କଥା ସରିଲା ।

ରାଜା କିପରି ଯିବେ ଶୀଘ୍ର ଚିନ୍ତା କରୁ ଥାଆନ୍ତି । ଯୋଗୀ ତାହା ଜାଣି ପାରି କହିଲେ – ସେ ସବୁ କଥା ମୋ ଉପରେ ଛାଡି ଦିଅନ୍ତୁ । ବର୍ତ୍ତମାନ ଆପଣ ଯାଇ ବିଶ୍ରାମ କରନ୍ତୁ ।

ରାଜା ଯାଇ ନିଜ ଉଆସରେ ବିଶ୍ରାମ ନେଲେ, ବିଶ୍ରାମ ନେଉ ନେଉ ରାଜାଙ୍କର ଆଖି ଲାଗି ଗଲା ।

ଯୋଗୀ ରାଜାଙ୍କର ସେ ସମୟକୁ ଖୋଜୁ ଥିଲା । ଏହି ସୁଯୋଗରେ ଯୋଗୀ ବୀର ବେତାଳଙ୍କୁ ଲଗାଇ ଦେଲା । ବେତାଳ ମାନେ ରାଜାଙ୍କୁ ନେଇ ତାଙ୍କର ପହଁଚିବା ସ୍ଥାନରେ ପହଁଚାଇ ଦେଲେ ।

ରାଜାଙ୍କର ଏଥର ନିଦ୍ରା ଭାଙ୍ଗିଲା, ତାଙ୍କର ଯେଉଁ ସ୍ଥାନରେ ପହଁଚିବା କଥା ସେ ସ୍ଥାନରେ ପହଁଚି ଥିବାର ଦେଖି ରାଜା ଆଶ୍ଚର୍ଯ୍ୟ ହୋଇ ଗଲେ । ଏବେ ରାଜା ତାଙ୍କର ଯେଉଁ ଯେଉଁ କାର୍ଯ୍ୟ କରିବା କଥା ତାହା ସବୁ ଶୀଘ୍ର ଶୀଘ୍ର ସମାପନ କରି ଦେଇ ଭୋଜନ କାର୍ଯ୍ୟ ମଧ୍ୟ ସାରି ଦେଲେ । ତା’ପରେ ଯାଇ କିଛି ସମୟ ବିଶ୍ରାମ ନେଲେ ।

ଏଣେ ଯୋଗୀର ବୀର ବେତାଳ ମାନେ ରାଜାଙ୍କର ବିଶ୍ରାମ ସମୟକୁ ଅପେକ୍ଷା କରି ଥିଲେ । ସେ ସଙ୍ଗେ ସଙ୍ଗେ କ’ଣ କଲେ ନା ରାଜାଙ୍କର ଶୟନ ଅବସ୍ଥା ଦେଖି ସେଠାରୁ ପୁଣି ଉଠାଇ ନେଇ ଚାଲି ଆସିଲେ ।

ରାଜା ଏବେ ଦେଖନ୍ତି ତ ସେ ଯାଇଥିବା ସ୍ଥାନରୁ ଆସି ପୁଣି ନିଜର ରାଜ ଉଆସରେ ଅଛନ୍ତି । ରାଜା ଏଥର ବିଶ୍ୱାସ କଲେ ଯୋଗୀ ଜଣଙ୍କ ଖୁବ୍ ବଡ ଗୁଣିଆ । ତେଣୁ ଏପରି ଗୁଣିଆକୁ ପାଖରେ ରଖିଲେ ନିଜ ଜୀବନ ଲାଗି ଦିନେ ନା ଦିନେ ନିଶ୍ଚୟ ବିପଦ ଆସିବ । ସମୟତ ସବୁ ବେଳେ ସମାନ ଯାଏ ନାହିଁ । କେତେ ବେଳେ ଯଦି ମୋର ଯୋଗୀ ସହିତ ଅପ୍ରିୟତା ସୃଷ୍ଟି ହେବ ସେତେ ବେଳେ ଗୁଣିଆ ତା’ର କାରନାମା ଦେଖାଇ ମୋତେ ଉଠାଇ ନେଇ ସାଗର ମଧ୍ୟରେ ପକାଇ ଦେବ ନାହିଁ କାହିଁକି? ଏତେ ସବୁ କଥା ଭାବିବା ମଧ୍ୟରେ ଶେଷରେ ରାଜାଙ୍କ ମୁଣ୍ଡରେ ଆସି ଗୋଟେ କଥା ଢୁକିଲା । ସେ ସଙ୍ଗେ ସଙ୍ଗେ ଆଦେଶ ଦେଲେ ଯେ ଏହି ଗୁଣିଆକୁ ନେଇ ଯେତେ ଶୀଘ୍ର ପାରୁଛ ଫାଶି ଖୁଂଟରେ ଝୁଲାଇ ଦିଅ ।

ଏ ଗୁଣିଆ ସମାଜର କ୍ଷତି କରିବା ଲାଗି ବଂଚିଛି । କେତେ ବେଳେ ସେ କାହାରି ଉପକାର କରିବାକୁ ଯାଇ ଆଉ କାହାର ଭେଳା ବୁଡାଇ ଦେବ ।

କଥା ସରିବା ପରେ ବିଚାରପତି କହିଲା ଯେ – ୟାକୁ ମଧ୍ୟ ସେହି ପରି ଫାଶି ଦଣ୍ଡରେ ଦଣ୍ଡିତ କରାଯିବା ଦରକାର । ସାନ ରାଜା ପୁଅଙ୍କର ମନକୁ ମଧ୍ୟ ବିଚାରପତିର ବିଚାର ପାଇ ଗଲା । ସେ ମଧ୍ୟ ବିଚାରପତି ମତରେ ସହମତ ହେଲେ । କହିଲେ ଆପଣ ଯେତେ ଶୀଘ୍ର ପାରୁଛନ୍ତି ବର୍ତ୍ତମାନ ତାକୁ ବନ୍ଦିଶାଳରୁ ଆଣି ଫାଶୀ ଖୁଂଟରେ ଝୁଲାଇ ଦିଅନ୍ତୁ ।

ଏହା ପରେ ବିଚାରପତି ସେ ସ୍ଥାନ ଛାଡି ଗଲେ । ତା’ ପରର କିଛି କ୍ଷଣ ପରେ ସାନ ଭଉଣୀଙ୍କୁ ଫାଶି ଦଣ୍ଡ ଭୋଗିବାକୁ ହେଲା ।

ଶାରୀ କହିଲା ଏ କଥା ଶୁଣିଲୁ ନା ଶୁଆ – ବିଚରା ସାନ ଭଉଣୀ କେତେ ଭଲ ପାଉ ଥିଲା ରାଜା ପୁଅକୁ । ତାହା ତ ଆଗରୁ ଜାଣିଛୁ । ଶେଷରେ ସେ ଟିକେ ସାନ ରାଜ କୁମାରଙ୍କୁ ଦେଖିବାକୁ ଆସି ଥିଲା – ଦେଖିଲୁ ତ ତମ ପୁରୁଷ ଜାତିର ଲୋକମାନେ କେଡେ ନିଷ୍ଠୁର ।

ଶୁଆ କହିଲା – ମୁଁ ସବୁ ତ ଶୁଣିଲି ଶାରୀ, ଯାହାର ଯାହା ଦଣ୍ଡ ପାଇବା କଥା ସେ ଠିକ୍ ସେହି ଦଣ୍ଡ ପାଇଛି । ଏହା ତ ବିଚାର ଯୋଗ୍ୟ କଥା । ତୁ ଏଥିରେ ଅଯଥାଟାରେ ଓକିଲାତି କରୁଛୁ । ତାହା ହେଲେ ଶୁଣ ମୁଁ ତୋତେ ଏହାର ଆଉ ଏକ ଉଦାହରଣ ଦେଉଛି । ସେହି ଥିରୁ ଜାଣି ପାରିବୁ ଯେ ତୁମ ନାରୀ ଜାତିର ଗୁଣ ।


Rate this content
Log in

Similar oriya story from Children