ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଶୁଆ ଶାରୀ କଥା - ୨୮

ଶୁଆ ଶାରୀ କଥା - ୨୮

6 mins
7.5K


ଚାରୀ ସୁନ୍ଦରୀ ଓ ମେଣ୍ଢା କଥା - ୨

ସାନ ଭଉଣୀ ଏହା ଭାବି ସାରି ଚାରି ଗୋଟି ବଇଁଚ କୋଳି ଆଣି କହିଲା – ଏଥର ମୁଁ ତୁମର ମନରେ ଯେପରି ଦୁଃଖ ନହେବ ସେହି କଥା କରୁଛି । ନିଅ ଏହି ଚାରୋଟି ବଇଁଚ କୋଳି, ଏହା ଅମୃତ ପରି ମିଠା, ଚାରି ଭାଇ ଏହାକୁ କଳରେ ଚାପି ରଖିବ । ଦେଖିବ ତମକୁ ଆଉ ଏଠାକାର ଗୁଣି ଲାଗିବ ନାହିଁ । ଯିଏ ଯେତେ ଗୁଣି କଲେ ମଧ୍ୟ ତାହା କାର୍ଯ୍ୟ କରିବ ନାହିଁ । ଏହା ପରେ ତୁମେ ଚାରି ଭାଇ ନିର୍ଭୟାନନ୍ଦରେ ନିଜ ରାଜ୍ୟକୁ ଫେରି ଯିବ ।

ସାନ ଝିଅ ଠାରୁ କୋଳି ଚାରୋଟିକୁ ନେଲା ସାନ ଭାଇ । ତା’ର ମନ ମଧ୍ୟରେ ଗୋଟିଏ କଥା ନାରୀ, ନଦୀ, ନିଆଁ ଏ ସମସ୍ତଙ୍କୁ ଆଦୌ ବିଶ୍ୱାସ କରିବାର ନୁହଁ । ସାନ ଝିଅ ମୋତେ ଏତେ ଆପଣାର ମନେ କରି ପୁଣି କିପରି ପାଖରୁ ଅଲଗା କରିବ କହୁଛି । ନାଁ ଏ କୋଳି ତିନୋଟିକୁ ଆଗ ତିନି ଭାଇଙ୍କୁ ଦେଇ ପରୀକ୍ଷା କରିବି ।

ଏହା ପରେ ସାନ ଭାଇ କହିଲା – ଆହେ ପ୍ରିୟେ ମୋର ଏବେ ଚାରୋଟି କୋଳି କ’ଣ ହେବ । ମୁଁ କିନ୍ତୁ ତୁମକୁ ଛାଡି କିପରି ରହିବି । ବରଂ ତିନି ଜଣଙ୍କ ଲାଗି ତମେ କୋଳି ଦିଅ । ମୁଁ ସେମାନଙ୍କୁ ଦେଇ ଦେଲେ ସେମାନେ ଏଠାରୁ ମୁକ୍ତ ହୋଇ ରାଜ୍ୟକୁ ଫେରି ଯିବେ । ଆଉ ମଧ୍ୟ ତୁମେ ଯଦି ମୋ ସାଥିରେ ଯିବା ଲାଗି କହୁଛ ତାହା ହେଲେ ମୋତେ ମଧ୍ୟ ଗୋଟିଏ କୋଳି ଦିଅ । ସାନ ଭଉଣୀ କହିଲା – ନାଁ ମୁଁ ବର୍ତ୍ତମାନ ତୁମ ସାଥିରେ ଯାଇ ପାରିବି ନାହିଁ ।

ସାନ ଭାଇ କହିଲା – ତାହା ହେଲେ ଠିକ୍ ଅଛି, ତୁମେ ମୋତେ ତିନୋଟି କୋଳି ଦିଅ ।

ହେଲେ ଏକଥା ଭାବି କୋଳି ଗୁଡିକ ଭାଇ ମାନଙ୍କ ପାଖକୁ ନେଇ ଗଲା ହେଲେ କୋଳିବା ଦେବ କିପରି । ଦିନରେ ସେମାନେ ତ ମେଣ୍ଢା ରୂପରେ ଅଛନ୍ତି । ରାତିରେ ପୁଣି ବଡ ଭଉଣୀ ମାନଙ୍କ ପାଖରେ ଥିବେ । ଏକଥା ଭାବି ଭାବି ପୁଣି ଯାଇ ସାନ ଭଉଣୀକୁ କହିଲା – ଏହାର ପୁଣି କି ଉପାୟ କରିବା କୁହ ।

ସାନ ଭାଇ ଯାହା କହୁଛନ୍ତି ତାହା ସତ୍ୟ କଥା – ସେଇଠୁ ସାନ ଭଉଣୀ କହିଲା, ଏମିତି ତ ଅନେକ ଦିନ ବିତି ଗଲାଣି । ଆଉ ମାତ୍ର କେତେ ଦିନ ଅମାବାସ୍ୟା, ଅମାବାସ୍ୟା ଦିନ ରାତିରେ ମୋର ଭଉଣୀ ମାନେ ମନ୍ତ୍ର ସିଦ୍ଧ କରିବା ନିମନ୍ତେ ଭୈରବୀ ମାତାଙ୍କ ମନ୍ଦିରକୁ ଯିବେ । ସେହି ଦିନ ରାତ୍ରିରେ ମନେ ରଖି ତୁମେ ଭାଇ ମାନଙ୍କୁ ନେଇ କୋଳି ଦେଇ ଦେବ । ବାସ୍ ସେଦିନ ଭାଇ ମାନେ ନିର୍ଭୟରେ ଏଠାରୁ ପଳାଇ ଯିବେ ।

ଆସିଲା ଦିପାବଳୀ ଅମାବାସ୍ୟା, ସଂଧ୍ୟା ହେବାରୁ ତିନି ଭଉଣୀ ଯାକ ଭୈରବୀ ମନ୍ଦିରକୁ ବାହାରି ଗଲେ । ସାନ ଭାଇ ଏହି ସୁବିଧା ଉଣ୍ଡି ସାନ ଭଉଣୀର କଥାନୁଯାୟୀ କୋଳି ତିନୋଟି ନେଇ ଭାଇ ମାନଙ୍କୁ କଳରେ ଯାକି ବାକୁ କହିଲା – ଏହା ପରେ ତୁମକୁ ଏହି ସାନ ଭଉଣୀ ମାନଙ୍କର ଗୁଣି କାଟିବ ନାହିଁ ।

ତା’ପରେ ତିନି ଭାଇ ଯାକ ପାଟିରେ କୋଳି ଯାକନ୍ତେ ସେମାନଙ୍କର ସଦ୍ବୁଦ୍ଧି ଫେରି ଆସିଲା । ଏବେ ଆଉ ସେଠାରେ ମୁହୂର୍ତେ ରହିବା ନିରାପଦ ନୁହଁ । ତେଣୁ ବିଳମ୍ବ ନକରି ସେ ସ୍ଥାନ ଛାଡି ପଳାଇଲେ ।

ଏଣେ ତିନି ଭଉଣୀ ଯାକ ଭୈରବୀ ମାତାଙ୍କ ମନ୍ଦିରରୁ ମନ୍ତ୍ର ସିଦ୍ଧ କରି ଫେରି ଆସିଲେ । ଆସି ନିଜ ନିଜ କୋଠରିରେ ଦେଖନ୍ତି ତ ସେମାନଙ୍କର ପ୍ରିୟ ପୁରୁଷ ମାନେ ନାହାଁନ୍ତି । ନିଜର ସମସ୍ତ ଜିନିଷ ପତ୍ର ଧରି ସେମାନେ ପଳାଇ ଯାଇଛନ୍ତି । ସେମାନେ ଆମକୁ ଠକି ଦେଇ ଛନ୍ତି । ଏଥର ସେମାନଙ୍କୁ ନାହିଁ ରକ୍ଷା ଏହା ଭାବି ସେମାନେ ସେମାନଙ୍କର ବୀର ବେତାଳ ମାନଙ୍କୁ ରାସ୍ତାରୁ ସେ ତିନି ଭାଇଙ୍କୁ ବାନ୍ଧି ଆଣ ବୋଲି ଆଦେଶ ଦେଲେ ।

ବୀର ବେତାଳ ମାନେ ଆଦେଶ ପାଇବା ମାତ୍ରେ ପବନ ବେଗରେ ଧାଇଁ ଯାଇ ସେମାନଙ୍କ ପାଖରେ ପହଁଚି ଗଲେ ହେଲେ ସେମାନଙ୍କୁ ଧରି ଆଣି ବାକୁ ଆଉ ସାହାସ ପାଇଲେ ନାହିଁ । ତହୁଁ ସେମାନେ ନିରାଶ ହୋଇ ନିରସ ବଦନରେ ତିନି ଭଉଣୀଙ୍କୁ କହିଲେ । ତମେ ମାନେ ଏବେ ସେମାନଙ୍କ ଆଶା ଛାଡି ଦିଅ । ସେମାନେ ନିଜ କଳରେ କୋଳି ଯାକି ଛନ୍ତି ଆମର ସବୁ ବୁଦ୍ଧି ସେଥି ଲାଗି କାର୍ଯ୍ୟ କଲା ନାହିଁ ।

କ’ଣ କରିବେ । ଏବେ ତ ସବୁ ତାଙ୍କ ହାତରୁ ଚାଲି ଯାଇଛି । ତେଣୁ ମୁଣ୍ଡରେ ହାତ ଦେଇ ଭାବିଲେ ଯେ ଏସବୁ କାମ ସାନ ଭଉଣୀ କରିଛି । ଚାଲ ଦେଖିବା ସାନ ଭଉଣୀ ପାଖରେ ଯଦି ସାନ ଭାଇ ନଥିବ ତାହା ହେଲେ ଜାଣିବା ଯେ ସାନ ଭଉଣୀ ଦ୍ୱାରା ଏ କାର୍ଯ୍ୟ ହୋଇ ନାହିଁ । ତା’ହେଲେ ଭାବିବା ଯେ ଏ କାର୍ଯ୍ୟ କରିବା ଲୋକ ଗୋପରେ ବଢୁଛି ।

ଏହା ପରେ ସାଥି ହୋଇ ତିନି ଭଉଣୀ ଯାକ ସାନ ଭଉଣୀ ପାଖରେ ପହଁଚି ଦେଖିଲେ – ସେ ଦୁହେଁ ବସି ପାଲି ଖେଳୁ ଛନ୍ତି । ଅସ୍ଥି ତିନୋଟି ହଠାତ୍ ଜଳି ଉଠିବାରୁ ସାନ ଭଉଣୀ ଜାଣି ପାରିଲା ଯେ ମୋର ବଡ ଭଉଣୀ ମାନେ ମୋତେ ସନ୍ଦେହ କରି ମୋ ପାଖକୁ ଆସୁ ଛନ୍ତି ।

ସତକୁ ସତ ସାନ ଭଉଣୀ ଉପରେ ରାଗ ଶୁଝାଇବା ଲାଗି ବଡ ତିନି ଭଉଣୀ ମାନେ ସାନ ଭଉଣୀ ଉପରକୁ ବୀର ପେଷଣ କଲେ । ସାନ ଭଉଣୀ ତାହା ଜାଣି ପାରି ସାନ ଭାଇକୁ କହିଲା – ନିଅ ତମେ ମଧ୍ୟ ଏହି କୋଳିରୁ ଗୋଟିଏ କଳରେ ଯାକ । କାରଣ ଆମ ମାନଙ୍କର ଲଢେଇ ମଧ୍ୟରେ ତୁମର କୌଣସି କ୍ଷତି ହେବା ଉଚିତ୍ ନୁହେଁ ।

ସାନ ଭାଇକୁ କୋଳି ଗୋଟିଏ ଦେଇ ସାନ ଭଉଣୀ ସଙ୍ଗେ ସଙ୍ଗେ ନିଜର ବୀର ବେତାଳଙ୍କୁ ପେଷଣ କରି ଦେଲା ବୀର ଓ ବେତାଳଙ୍କ ମଧ୍ୟରେ ଘୋର ଯୁଦ୍ଧ ହେଲା ଶେଷରେ ବୀର ହାରି ଗଲା । ବେତାଳ ଜିତି ଗଲା ।

ତା’ପରେ ତିନି ଭଉଣୀ ତିନୋଟି ସାପ ପେଷଣ କଲେ । ସାପକୁ ଆଦେଶ ଦେଲେ ଯେ ତୁମେ ଯାଇ ସାନ ଭାଇର ପ୍ରାଣ ନେଇ ଯିବ । ସାପ ମାନେ ଆଦେଶ ନେଇ ସାନ ଭଉଣୀ ପାଖକୁ ଗଲାରୁ ସାନ ଭଉଣୀ ସଙ୍ଗେ ସଙ୍ଗେ ତା ପାଖରେ ଥିବା ତିନୋଟି ବିଷ ଧର ସାପଙ୍କୁ ପେଷଣ କଲା । ସାପ ସାପ ମାନଙ୍କ ମଧ୍ୟରେ ଲଢେଇ ହେଲା ଶେଷରେ ତିନି ଭଉଣୀଙ୍କର ସାପ ମାନେ ହାର ମାନି ସେଠାରୁ ଫେରି ଆସିଲେ ।

ଏହା ପରେ ତିନି ଭଉଣୀ ମାନେ ରାଗରେ ନିଆଁ ହୋଇ ଯାଇ ସାନ ଭଉଣୀ ପାଖକୁ ଆସି ଅନେକ ଗାଳି ଗୁଲଜ କଲେ । ଏହା ଦେଖି ରାଜା ପୁଅ ଆଉ ସହ୍ୟ କରି ପାରିଲା ନାହିଁ । ଶେଷରେ ତିନି ଭଉଣୀଙ୍କୁ ଉପଯୁକ୍ତ ଶାସ୍ତି ଦେଇ ସେଠାରୁ ଫେରାଇ ଦେଲା ।

ଏହା ମଧ୍ୟରେ ଦୁଇ ଚାରି ଦିନ ବିତି ଯାଇଛି । ରାଜା ପୁଅ ଦେଖିଲା ଯେ ଏଠାରେ ଆଉ ରହିଲେ ଶାନ୍ତି ମିଳିବ ନାହିଁ । ତହୁଁ ସେ ସାନ ଭଉଣୀକୁ କହିଲା – ଚାଲ ଆମେ ଏଠାରୁ ପଳାଇ ଯିବା । ଆମେ ଏଠାରେ ଯେତେ ଦିନ ରହୁ ଥିବା – ଆମ ସହିତ ତାଙ୍କର କଳି ସେତିକି ସେତିକି ବଢି ଚାଲି ଥିବ ।

ଶେଷକୁ ସାନ ଭଉଣୀ ସାନ ଭାଇ ସାଥିରେ ପଳାଇ ଯିବାକୁ ସ୍ଥିର କଲା ।

ଏହା ପରେ ଦୁହେଁ ନିଜର ସମସ୍ତ ଜିନିଷ ପତ୍ର ଧରି ଦିନେ ରାତିରେ ସେଠାରୁ ପଳାଇ ଗଲେ ।

ସେମାନେ ଦୁଇ ଦିନ ଦୁଇ ରାତି ରାସ୍ତାରେ ଚାଲିଲେ, ତା’ପରେ ଯାଇ ଗୋଟିଏ ବଡ ସହରରେ ପହଁଚିଲେ । ସେତେ ବେଳକୁ ରାତି ହୋଇ ଯାଇ ଥାଏ । ସାନ ଭାଇ କହିଲା ଏତେ ରାତିରେ ଆଉ ଆମେ କୁଆଡେ ଯିବା, ଆମେ ଆଜି ରାତିକ ବରଂ ସହରର କୌଣସି ଧର୍ମଶାଳାରେ ରହି ବିଶ୍ରାମ ନେବା, ରାତି ପାହିଲେ ଆମେ ଆମ ରାଜ୍ୟକୁ ପଳାଇ ଯିବା ।

ସେମାନେ ସେ ଦିନ ସହରର ଗୋଟିଏ ଧର୍ମଶାଳାରେ ବିଶ୍ରାମ ନେଲେ । ବହୁତ ପରିଶ୍ରମ ହୋଇ ଥାଏ । ସାନ ଭଉଣୀ ଚେତା ନଥିବା ପରି ନିଘୋଡ ନିଦରେ ଶୋଇ ପଡିଛି । ସେତିକି ବେଳେ ସାନ ଭାଇ ଭାବିଲା, ଏପରି ଗୁଣି ଗାରେଡି ଜାଣି ଥିବା ଝିଅକୁ ନେଇ ନିଜର ସ୍ତ୍ରୀ କରି ରଖିବ ସିନା, ହେଲେ ତା ପ୍ରତି, ତାର ଗୁଣି ଗାରେଡି ପ୍ରତି ତ ଭୟ ରହିବ । ଆଜି ଭଲରେ ଭଲରେ ସମୟ ଅତିବାହିତ ହେବ । କାଲି ଯେତେ ବେଳେ କୌଣସି ଅସୁବିଧା ହେବ । ସେଦିନ ନିଶ୍ଚୟ ଏ ଗୁଣି ଗାରେଡି ପେଶି ମୋତେ ହତ୍ୟା କରିବାକୁ ଭୁଲିବ ନାହିଁ । ତେଣୁ ୟାକୁ ଏହି ଠାରେ ଶେଷ କରି ଦେଲେ ମଣିଷର ଗୋଟାଏ କଂଟା ଯିବ । ସାନ ଭାଇ ସିନା ଏକଥା ସେହି ମୁହୁର୍ତରେ ଭାବିଲା । ହେଲେ ପର ମୁହୂର୍ତକୁ ସେ ଭାବିଲା ଯେ ଝିଅଟାର କି ଦୋଷ, ସେ ତ ମୋର ତିନି ଭାଇଙ୍କୁ ଏତେ ବଡ ବିପଦରୁ ମୁକୁଳାଇ ଦେଲା । ଏପରି ଅବସ୍ଥାରେ ମୁଁ କିପରି ତାକୁ ହତ୍ୟା କରିବି । ଏଥି ଲାଗି ସ୍ତ୍ରୀ ହତ୍ୟା ଦୋଷ ମୋତେ ଲାଗିବ । ନାଁ ତାହା କରିବା ଉଚିତ୍ ନୁହେଁ । ବରଂ ତା’ର ଜୀବନ ରହୁ, ମୁଁ ଏଠାରୁ ପଳାଇ ଯିବାଟା ଉଚିତ୍ ହେବ ।

ଏହା ପରେ ସାନ ଭାଇ ସେୟା କଲା, ସାନ ଭଉଣୀ ନିଦ୍ରାରେ ଶୋଇ ଥିବା ଅବସ୍ଥାରେ ସେ ସହର ଛାଡି ପଳାଇ ଗଲା ।

ରାତି ପାହି ସକାଳ ହେବାରୁ ସାନ ଝିଅ ଦେଖିଲା । ସାନ ଭାଇ ଆଉ ତା’ ପାଖରେ ନାହିଁ । ସେ ତାକୁ ଠକାଇ ଦେଇ ପଳାଇ ଯାଇଛି । ସେ ତା’ର ପ୍ରତିଶୋଧ ନେବାକୁ ଚାହିଁ ଥିଲେ । କ’ଣ କେବେ କରି ପାରି ଥାଆନ୍ତା । ହେଲେ ମନରେ ତା’ର ଭୟ, ଭକ୍ତି, ଆଦର ତା’ ପ୍ରତି ଥିଲା ସେ ଭାବିଲା ସ୍ୱାମୀ ସିନା ମୋ ପ୍ରତି ଭୁଲ୍ କରି ମୋତେ ଅଧା ରାସ୍ତାରେ ଛାଡି ଚାଲି ଗଲେ । ଏଣିକି ମୋର ଦୁଃଖ ପଡିଲା ସେ ଦୁଃଖକୁ ତ ମୁଁ ଫେରାଇ ପାରିବି ନାହିଁ । ମୋତେ ହିଁ ଭୋଗିବାକୁ ହେବ । ତାଙ୍କ ଲାଗି ବିପଦ ଘଟାଇଲେ ସେଥିରେ ତ ମୋର କୌଣସି ଲାଭ ହେବ ନାହିଁ । ସେ ଗଲେ ଗଲେ, ଠାକୁରାଣୀଙ୍କ କୃପାରୁ ସେ ଯେଉଁଠି ଥାଆନ୍ତୁ ସେଠାରେ ସେ ସୁଖରେ ଥାଆନ୍ତୁ ।

ଏହା ଭାବି ସାନ ଝିଅ ଆଖିରୁ ଲୁହ ପୋଛି ନିଜେ ସନ୍ନ୍ୟାସିନୀ ବେଶ ଧାରଣ କରି ଜଙ୍ଗଲ ଆଡକୁ ପଳାଇ ଗଲା ।

......


Rate this content
Log in

Similar oriya story from Children