ଶ୍ରବଣ କୁମାର
ଶ୍ରବଣ କୁମାର
ବହୁ ପଥ କ୍ଳାନ୍ତି ପରେ ପିତାମାତାଙ୍କୁ ଏକ କୁଡି଼ଆ ଘରକୁ ନେଇ ବିଶ୍ରାମ ଦେବାର ସୁବ୍ୟବସ୍ଥା କଲେ।
ତୃଷାରେ ଆତୁର ଥିଲେ ଉଭୟ ପିତାମାତା ତାଙ୍କର।
ନିକଟରେ ଜଳ ନ ଥିଲା। ଜଳ ପାତ୍ରଟିଏ ଧରି
ବେଗେ ବେଗେ ଝରଣା ନିକଟରେ ପହଞ୍ଛିଲେ ସେ।
ଝରଣାର ଜଳ କି ସ୍ଵଚ୍ଛ ନିର୍ମଳ ରୂପା ପରି ଚକ୍ ଚକ୍, ଦେଖିଲେ କାଚକେନ୍ଦୁର ମିଶ୍ରଣ ପ୍ରାୟେ ଭ୍ରମ ହୁଏ। କଳ କଳ ନାଦରେ ବହି ଯାଉଥାଏ ଝରଣାଟି। ସେ ତରତର ଜଳପାତ୍ରରେ ଜଳ ଭରୁ ଭରୁ...ଭୁଡୁ ଭୁଡୁ ଶବ୍ଦ ହୁଏନ୍ତେ...ପାରିଧିକୁ ଯାଇଥିବା ରାଜନ୍ ସେ ଶବ୍ଦ ଶୁଣିଲେ ଅଦୂରେ।
ମୃଗ ଶୀକାର କରିବାକୁ ରାଜା ଏକ ଉହାଡ଼ରେ
ନୀରବରେ ଛପିଥିଲେ ଦୀର୍ଘ ସମୟରୁ...ଏ ଭୁଡୁ
ଭୁଡୁ ଶବ୍ଦ, ଜଳପାତ୍ରରେ ଜଳ ପୂର୍ଣ୍ଣ ହେବା ଶବ୍ଦ।
କିନ୍ତୁ ରାଜା ଅନୁମାନ କଲେ ହରିଣୀ ଜଳ ପାନ
କରିବାକୁ ଆସିଛି ଝରଣା କୂଳକୁ। ଶୀକାରର
ଅଭିଳାଷୀ ରାଜନ୍ ହରିଣୀ ବଧର ଉଦ୍ଦେଶ୍ୟରେ
ଏକ ଶବ୍ଦ ଭେଦୀ ବାଣ ଛାଡି଼ଲେ ସେ ଦିଗକୁ।
ପବନ ବେଗରେ ଛୁଟି ଗଲା ସେ ଶବ୍ଦ ଭେଦୀ ତୀର।
ଲକ୍ଷ୍ୟ ତାର ଅବ୍ୟର୍ଥ। ନିଶ୍ଚିତ ଶୀକାର କରିବ...
କିନ୍ତୁ ହାୟଃ...ଭାସି ଆସିଲା ଏକ କରୁଣ ଆର୍ତ୍ତ ସ୍ବର, ମୁମୂର୍ଷୂ ପ୍ରାଣ ଏ ଯେ ମର୍ମନ୍ତୁତ ଚିତ୍କାର।
ସଙ୍ଗେ ସଙ୍ଗେ ରାଜନ୍ ଦୌଡି଼ ଗଲେ ଘଟଣା ସ୍ଥଳକୁ, ଏ କଣ...ଆଗରେ ସୌମ୍ୟ ଶାନ୍ତ ଯୁବକଟିଏ ଛଟପଟ ହେଉଛି ପ୍ରାଣ ନିର୍ଗତଃ ପ୍ରାୟ, ରକ୍ତ ଜୁଡୁବୁଡୁ କ୍ଷତାକ୍ତ ଶରୀର, ବକ୍ଷ ଦେଶକୁ ବିଦ୍ଧ କରିଛି ସେ ଶବ୍ଦ ଭେଦୀ ବାଣ। ରାଜନ୍ ଙ୍କୁ ବୁଝିବାକୁ ବିଳମ୍ଵ ହେଲା ନାହିଁ।
ଏ ସବୁ ତାଙ୍କ ଭ୍ରମର ଫଳାଫଳ ଓଃ... କି ଜଘନ୍ୟ
ପାପ କଲେ ସେ ଶୀକାର ବଦଳରେ ନର ହତ୍ୟା।
ଗୋଳମାଳ ହୋଇ ଗଲା ତାଙ୍କର ମସ୍ତିଷ୍କ।
ରାଜନ୍ ସେ ଯୁବକକୁ କୋଳାଗ୍ରତ କରି ଆଖିରୁ ଝରାଇଲେ ଲୁହ। କ୍ଷମା ଭିକ୍ଷା କଲେ ତାଙ୍କ ନିକଟେ....।
ପ୍ରାଣ ବାହାରି ଯିବା ଉପରେ ଅସହ୍ୟ ଯନ୍ତ୍ରଣା
ସ୍ଫୁରୁ ନ ଥାଏ ବଚନ, ଥିଲା କେବଳ ସେ କଷ୍ଟ ଦାୟକ ଆର୍ତ୍ତ ଚିତ୍କାର।
ଯୁବକ ବହୁ କଷ୍ଟରେ ରାଜନଙ୍କୁ ଭଙ୍ଗା ଭଙ୍ଗା
ଅସ୍ପଷ୍ଟ ଧିର ଶବ୍ଦରେ ପଚାରିଲେ...ଆ.. ପ.. ଣ କିଏ ?
କାହିଁକି ମୋତେ ଏମିତି ନିର୍ମମ ଭାବରେ ମାରିବାକୁ
ତୀର ଚଳାଇଛନ୍ତି...ମୋର ଅପରାଧ କଣ ଥିଲା ?
ଦୁଇ ହସ୍ତ ଯୋଡି଼ କ୍ଷମା ଭିକ୍ଷା ପୂର୍ବକ ରାଜନ୍
କହିଲେ.....ମୁଁ ଅଯୋଧ୍ୟାର ନରେଶ ଦଶରଥ,
ମୃଗୟାକୁ ଆସିଥିଲି। ତୁମେ ଜଳପାତ୍ରରେ ଜଳ
ଭରିବାର ଶବ୍ଦ ମୋତେ ମୃଗୁଣୀର ଜଳ ପାନ କଲା
ପରି ଶବ୍ଦ ଅନୁଭୂତ ହେଲା ମୁଁ ଶବ୍ଦ ଭେଦୀ ଶର
ସନ୍ଧାନ କଲି। ମୋ ଭ୍ରମ ପାଇଁ ଘଟିଗଲା ଏତେ ବଡ଼ ଅନର୍ଥ। ହେ ଯୁବକ ମୋତେ କ୍ଷମା କର। ତୁମକୁ ବଞ୍ଚାଇବା ପାଇଁ ମୁଁ ମୋର ସବୁ ରାଜସ୍ଵ ଖର୍ଚ୍ଚ କରି ଦେବି ଏ ପ୍ରାଣ ବି ବିସର୍ଜନ ଦେଇ ପାରେ ଚାଲ ମୁଁ ତୁମକୁ ମୋ କାନ୍ଧରେ ନେଇ ଯିବି ରାଜ ବୈଦ୍ୟଙ୍କ ପାଖକୁ, ଆସ...
ଯୁବକ ଜଣକ ସେହି ମୁମୂର୍ଷୂ ଅବସ୍ଥାରେ ବହୁ
କଷ୍ଟରେ ପ୍ରାଣକୁ ଜାବୁଡି ଧରି କହିଲେ...
ମହାରାଜ, ମୋର ପ୍ରଣାମ ଘେନିବେ।ଜାଣି ନ ଥିଲି
ଆପଣ ଅଯୋଧ୍ୟାର ମହାରାଜ। ଭୁଲ୍ ଆପଣଙ୍କର
ନୁହେଁ, ଏ ଭୁଲ୍ ତ ଥିଲା ମୋର। ଅସମୟ ଜଳ
ଭରିବାକୁ ଆସି ଆପଣଙ୍କ ମନରେ ଭ୍ରମ ସୃଷ୍ଟି
କରାଇଛି। ବିଧିର ବିଧାନ। ମୋ ଜୀବନ ଆପଣଙ୍କ
ହାତରେ ଯିବାର ଥିଲା। ପ୍ରାରବ୍ଧରେ ମୋର କେଉଁ
ପାପ ଥିଲା, ଆଜି ଆପଣ ତାହା ଖଣ୍ଡନ କଲେ। ମୋତେ କ୍ଷମା କରନ୍ତୁ ମହାରାଜ। ଆପଣ ମୋ ଭୁଲ୍ ପାଇଁ ନର ହତ୍ୟା ଦୋଷ ମୁଣ୍ଡାଇବେ। ଓଃ...ଆଃ...
ମ ହା ରା ଜା...ମୁଁ ଆଉ ପା ରୁ ନି...ମୋର ନିବେଦନ ରଖିବେ ନିକଟରେ ମୋର ପିତାମାତା ତୃଷାରେ ତାଙ୍କର ପ୍ରାଣ ଛଟ ପଟ ହେଉଛି। ତାଙ୍କୁ ନେଇ ଜଳ ଦାନ କରିବେ ତାଙ୍କର ତୃଷା ନିବାରଣ ହେଲେ ମୁଁ ତୃପ୍ତି ପାଇବି। ମୁଁ ଖୁସିରେ ପ୍ରାଣ ଛାଡି଼ବି।
--- ତୁମର ନାମ କଣ ଯୁବକ, ତୁମ ପିତାମାତା
କେଉଁମାନେ....
---ମୋର ପିତା ମାଆ ଅନ୍ଧ ଅନ୍ଧୁଣୀ ମୁନିବର ମୁନିମତୀ।
ମୁଁ ଥିଲି ତାଙ୍କର ଏକମାତ୍ର ଲଉଡି଼ ସମ। ତାଙ୍କର
ମନସ୍କାମନା ପୂରଣ ପାଇଁ ବୋଝରେ ବସାଇ ମୋ
କାନ୍ଧରେ ବସାଇ ସବୁ ତୀର୍ଥ ସ୍ଥାନ ବୁଲାଉଥିଲି।
ସେମାନେ ତୀର୍ଥ କରି ଦିଅଁ ନିକଟେ ଯାଇ ଆନନ୍ଦିତ ହେଉଥିଲେ। ଠାକୁରଙ୍କୁ ଶୁଭ ମନାସୁ ଥିଲେ।
ମୁଁ ତାଙ୍କର ଏକ ମାତ୍ର ପୁତ୍ର ଶ୍ରବଣ କୁମାର....
ନିମିଷକେ ବାକ୍ ଶୂନ୍ୟ ହୋଇ ପଡିଲେ ସେ, ପିଣ୍ଡରୁ ପ୍ରାଣ ବାହାରିଗଲା। ଲିଭିଗଲା ତାଙ୍କର ଜୀବନ ଦୀପ।
ଅଯୋଦ୍ଧାର ମହାରାଜ ପ୍ରବଳ ପ୍ରତାପୀ। ନିମିଷକେ ତାଙ୍କର ସବୁ ଦମ୍ଭ ଶକ୍ତି ସାମର୍ଥ୍ୟ ଭାଙ୍ଗି ଚୁରମାର୍ ହୋଇଗଲା, ତାଙ୍କର ଚେତନା ବରଫ ପରି ଜମାଟ ବାନ୍ଧି ଜଡ଼ ପାଲଟି ଗଲା। କିଂକର୍ତ୍ତବ୍ୟବିମୁଢ ହୋଇପଡିଲେ। ତାଙ୍କ ଆଗରେ ଛାଇ ଗଲା କେବଳ ଅନ୍ଧକାର...
ବହୁ ଅନୁତାପ କରି ଶ୍ରବଣ କୁମାରଙ୍କ ପିତାମାତାଙ୍କୁ ନେଇ ଜଳ ଦେଲେ, ତୃଷି ନିବାରଣ କରିବାକୁ କହିଲେ। ମାତ୍ର ଶ୍ରବଣ କୁମାରଙ୍କ ବିନା ସେମାନେ ଜଳ ପାନ କଲେ ନାହିଁ। ରାଜା ଦଶରଥ ତାଙ୍କର କୃତ କର୍ମ ସ୍ଵୀକାର କରି ସବୁ ବୃତ୍ତାନ୍ତ କହିଲେ ମୁନିବର ମୁନିମତୀଙ୍କୁ ।
ଏ ସବୁ ଶୁଣି ତାଙ୍କର ଆଉ ଧୈର୍ଯ୍ୟ ରହିଲା ନାହିଁ,
ରାଜାଙ୍କୁ ଅଭିଶାପ ଦେଲେ...ହେ, ରାଜନ୍...
ବିନା ଦୋଷରେ ଆମର କୋଳ ଶୂନ୍ଯ କରାଇଲ।
ଆମର ଆଖିର ଦୃଷ୍ଟି ଯିଏ ଥିଲା ତାକୁ ହତ୍ୟା କଲ।
ସେହି ଅପରାଧରେ ତୁମେ ମଧ୍ୟ ଦିନେ ଆମ ପରି
ପୁତ୍ର ମୁଖ ଦର୍ଶନ ନ କରି ପ୍ରାଣ ବିସର୍ଜନ କରିବ।
ଏତିକି କହୁ କହୁ ଉଭୟ ମୁନି ଦମ୍ପତ୍ତିଙ୍କ ପ୍ରାଣ ପିଣ୍ଡରୁ ବାହାରିଗଲା ।
ଅପୁତ୍ରିକ ରାଜା ଦଶରଥଙ୍କ ପାଇଁ ସେ ଅଭିଶାପ
ଆଶୀର୍ବାଦରେ ପରିଣତ ହେଲା। ପରବର୍ତ୍ତୀ ଜୀବନରେ ସେ ପୁତ୍ର ସୁଖରୁ ବଞ୍ଚିତ ହୋଇ ମୃତ୍ୟୁବରଣ କଲେ ସତ ମାତ୍ର ପୁତ୍ର ସନ୍ତାନଙ୍କର ଜନକ ତ ହୋଇଥିଲେ।
ବିତି ଗଲାଣି ଅନେକ କାଳ, ବଦଳିଲାଣି ଯୁଗ।
ଆଜି ପ୍ରତ୍ୟେକ ବାପା ମାଆ ମନରେ ଶ୍ରବଣ କୁମାରଙ୍କ ପାଇଁ ଦରଦ। ମରି ବି ସେ ଅମର। ସବୁ ବାପା ମାଆଙ୍କ ମନରେ ଇଚ୍ଛାଟିଏ ଆସେ ପୁଅଟିଏ ଆମର ହୁଅନ୍ତା କି ଶ୍ରବଣ କୁମାରଙ୍କ ପରି...।
