Satyabati Swain

Inspirational

3  

Satyabati Swain

Inspirational

ସହର ସହର ବାସୁଛି

ସହର ସହର ବାସୁଛି

3 mins
398



ବବୋଉ କହିଲେ ବିନି ଏତେ ଦିନେ ରଜରେ ଆସିଛ ଆଜି ଆମ ଘରେ ଖାଇକି ଯିବ । ମୁଁ କହିଲି ବବୋଉ ପୋଡ ପିଠା କରିନ କି ? ସେଇଥିରୁ ଖଣ୍ଡେ ଦେଉନ । ବବୋଉ ମୁହଁ ଶୁଖିଗଲା ଆଲୋ ମା ପୋଡ ପିଠା ଆଉ କିଏ ଖାଉଛି ଯେ ମୁଁ କରିବି ? ଛକରେ ଦିଲୁ ଭୁବନେଶ୍ୱରରୁ ଆସି କଣ ଗୋଟେ ଖାନା ଖଜାନା ନୂଆ ଦୋକାନ ଖୋଲିଛି । କି ନୂଆ ନୂଆ ରଙ୍ଗ ବେରଙ୍ଗ ଖାଇବା ଲୋ ବିନି ଦେଖି ଆଖି ଖୋସି ହୋଇଯାଉଛି । ସେଇଥିରୁ ପରା କିଣା ହୋଇ କଣ ଗୋଟେ ଚକୁଳି ପିଠା ପରି ଆଣି ପ୍ରସାଦ ପାଇଲା ପରି ଖାଇଦେଉଛନ୍ତି । କେତେ କଣ ନାଲି ନେଲି ଉପରେ ପଡିଛି । ସେଇଆକୁ ଆଣି ଖାଉଛନ୍ତି । ଏ ଘଷି ପାଉଁଶ ପୋଡ ପୋଡ ପିଠା ଆଉ ରୁଚୁନାହିଁ ବା । ହଁ କଣ ତା ନାଁ ତ...ମଲା ଯା ଏ ପୋଡ ମନ କଣ ପଡୁଛି । ମୁଁ କହିଲି ବବୋଉ ପିଜା କି । ଆଗ ଛାମୁ ଦାନ୍ତ ତିନିଟା ପଡି ଯାଇଛି ବବୋଉଙ୍କର । ପାନଖିଆ ଦାନ୍ତ ପଡିଥିବା ପାଟିରେ ହସି ହସି କହିଲେ ଆଲୋ ହଁ ଲୋ ସେଇ ସେଇ ।


      ମୁଁ ଆଶ୍ଚର୍ଯ୍ୟ ହେଲି ନାହିଁ । କାରଣ ଆସିଲା ବେଳେ ଦେଖିଲି ଆମ ଗାଁ ଛକଟି ଗୋଟିଏ ଛୋଟକାଟିଆ ବଜାର ପରି ଲାଗୁଛି । ଆମ ବେଳେ ଯେଉଁଠି ଗୋଟିଏ ଚାଳ ଛପର ବନାନାଙ୍କ ଚା ଦୋକାନଟିଏ ଥିଲା ଆଜି ସେଠି ଔଷଧ ଦୋକାନ ଠାରୁ ଆରମ୍ଭ କରି ଟିଭି,ବାଇକ ,ମୋବାଇଲ ଅତ୍ୟାଧୁନିକ ଷ୍ଟାଇଲର ଦୋକାନ ହୋଇଛି । କମ୍ପ୍ୟୁଟର ଶିକ୍ଷା ଦିଅ ଯାଉଛି । ଏଟିମ ଟିଏ ବି ଅଛି । ସେଠି ଖାନା ଖଜାନା ଦୋକାନ କି ପିଜା ମିଳିବା କିଛି ବିଚିତ୍ର ନୁହେଁ ।


           ଆଉ ବବୋଉ ଆମ୍ବ ଗଛରେ ସାଇକେଲ ଟ୍ୟୁବ ବାନ୍ଧି ବାଉଁଶ ଦୋଳି ଲାଗିଛି ତ । ମୁଁ ଯାଉଛି ଟିକେ ଫିଙ୍ଗା ମାରି ଖେଳିବି । ଅନେକ ଦିନ ହେବ ବାଉଁଶ ଦୋଳି ଖେଳିନି । ବବୋଉ ପୁଣି ମନ ଦୁଃଖ କରି କହିଲେ ଆଲୋ ମା ତୁ କେଉଁ ଯୁଗରେ ଅଛୁ କି ବିନି?ବାତ୍ୟା କଣ କିଛି ଗଛ ରଖିଛି । ତିନ୍ତୁଳି ଗଛ ଟା ଅଛି ଯେ ସେଠି ଦୋଳି ଖେଳିବି କିଏ ? ବୁଢ଼ାଠୁ ପିଲା ଯାଏ ପରା ଅହରହ କଣ ଫୋନ୍ ଧରି ଖେଞ୍ଚାଖେଂଚି କରୁଛନ୍ତି । କିଛି ଗୋଟେ କିଣିବାକୁ ଚାହିଁଲେ ସେଇ ଫୋନ୍ ରେ କିଣୁଛନ୍ତି । ଆଛା ମା କହିଲୁ ଏଡ଼େ ବଡ଼ ବଡ଼ ଜିନିଷ ପୋଷାକ ବହି ଯାହା ଚାହିଁବ ତାହା ଏଇ ବକଟେ ନାକୁ ଫୋନ୍ ଭିତରେ କେମିତି ଆଉଚି ? ହଁ ତୁମ ବେଳ ମଂଜୁଆତି ପତ୍ର ବାଟି ଆଉ କଣ ହାତ ପଚଉଛି କିଏ । କି ସୁନ୍ଦର ପୁଡ଼ିଆ ଭିତରେ ଅଛି ମେହେନ୍ଦି ବୋଲି କଣ ରସ ସେଇଆକୁ କିଣି ବା ଲଗାଉଛନ୍ତି । ବୁଝିଲୁ ବିନି ଆଗେ ଯିଏ କିଣି ଖାଉଥିଲେ ତାଙ୍କୁ ଗରିବ ଗୁରିବା କହୁଥିଲେ । ଏବେ ଯିଏ କିଣି ଖାଉଛନ୍ତି ସେମାନେ ବା ବଡ଼ ଲୋକ ! ପଇସା ଵାଲା !


       ମନେ ଅଛି ରଜ ହେଁସ କେମିତି ପଡୁଥିଲା ! ପାଲି, ଚାସ୍,କଉଡ଼ି ଖେଳରେ ଦିନ ନଉଁଥିଲା । ବିଲୁଆ ଡାକିଲେ ରଜରେ ଆଉ ଖିଆ ହେଉନଥିଲା । ମନେ ଅଛି ନା ବିନି ତୋର ବାଇଗଣ, ବଡ଼ି,ଆଳୁ ସୋରିଷ ପକା ରାଇ କଥା!!ଏବେ ଏସବୁ କିଛି ନାଇଁ ଲୋ ମା । ପ୍ରଥା ପରମ୍ପରା ଦିନକୁ ଦିନ ସବୁ ବୁଡ଼ିଲାଣି । ରାତି ହେଲେ ଗାଁ ଦାଣ୍ଡ ଡରାଉଥିଲା । ହେଲେ ରାତି କାଇଁ!!ସବୁରି ଦାଣ୍ଡ ଆଗେ ବା ବିଜୁଳି ଆଲୁଅ!ରାତି ଦିନ ପରି ଲାଗୁଛି । ଖାଇବା,ପିନ୍ଧିବା,ନାଇବା ସବୁ ବଦଳି ଗଲାଣି ମା । ଯାହା କହ ମା ତମ ସହର ଆମ ଗାଁ ରେ ଧସେଇ ପଇଚି । ଗାଁ ଗୁଡା ଖାଲି ସହର ସହର ହେବ ବୋଲି ହମ ହମ ହେଉଛି । ପୁଣି କଣ ହୋଇଛି ଜାଣିଛୁ ମା ଭାରି ବାଟିଆ ପିଟା କେସ୍ କୁସା ପୋଲିସ୍ ବି ବରକୁ ବର ଗାଁ କୁ ଆସୁଛନ୍ତି । ଆଗେ ପୋଲିସ୍ ଗାଁ ରେ ପଶିଲେ ଇଜ୍ଜତ ଯାଉଥିଲା । ଏବେ କଥା କଥାକେ ପୋଲିସ୍ । କଣ ପାର୍ଟି ପାର୍ଟି ହୋଇ ବାପପୁଅ ମୁଣ୍ଡ ଫଟା ଫାଟି ହେଉଛନ୍ତି ।


    ବିନି ଲୋ ଗାଡି ଟିଏ ଗାଁକୁ ଆସିଲେ ଦଉଡା ଦଉଡ଼ି ହୋଇ ଦେଖିବାକୁ ଯାଉଥିଲେ । କାଁ ଭାଁ ଦିଚକିଆ ଗାଡି ଗୋଟିଏ କି ଦି ଟା ଥିଲା । ଏବେ ଘରେ ଦିଚକିଆ ଗାଡି କଣ ବା ମାଳ ମାଳ ଚାରିଚକିଆ ଗାଡି ଲୋ ବିନି । ସବୁ ଠିକ୍ ଅଛି ଯୁଗ ବଦଳିଲା ବଦଳିଲା ମଣିଷ । କିନ୍ତୁ ଦୁଃଖ ଲୋ ବିନି ସମ୍ପର୍କ ଭାରି ହୁଗୁଳା । ମାନ ଥାନ ନାହିଁ ଗୁରୁଗୁରୁଜନଙ୍କୁ । ଅଶାନ୍ତି ବଢିଛି ।


        ସହରରୁ ଧାଇଁ ଆସିଥିବା ମନଟି ମୋର ମଉଳି ଗଲା । ସତେ ତ ମୋ ଗାଁ ଏବେ ସହର ସହର ବାସୁଛି । ଶିଳ ବଟା ପିଠା,ବଡ଼ି ସ୍ୱାଦ କଣ ଗ୍ରାଇଣ୍ଡର ବଟାରେ ମିଳୁଛି ! ଚୁଲି ରୋଷେଇ ତରକାରୀ ବାସ୍ନା, ଖାଲି ସୋରିଷ ରସୁଣ ଲଙ୍କାବଟା ପୋଇ ରାଇ କି ନଡ଼ିଆ ସଜନା ଶାଗ ଭଜା ମଜା,ଚୁଲି ପୋଡ ଆଳୁ ବାଇଗଣ ଚକଟା ବାସ ଗ୍ୟାସ ରୋଷେଇରେ ମିଳୁଛି ! ସତରେ ସେ କାଳ ପଖାଳ କାଇଁ ! ମୋ ଗାଁ ସତରେ ସହର ସହର ବାସୁଛି ।



Rate this content
Log in

Similar oriya story from Inspirational