ଶିଶୁ ମନ ଫୁଲ ପରି
ଶିଶୁ ମନ ଫୁଲ ପରି
ଛୋଟୁ ଯେବେ ସେଦିନ ତଳୁ କୌଣସି ଚକଚକିଆ ଜିନିଷଟି ଉଠେଇ ସାତଗଣ୍ଠି ଦେଇ ରଖୁଥିଲା ଚିରା ଗାମୁଛାରେ, ଦେଖିନେଇଥିବା ବୟସ୍କ ଭିକାରୀ, ମାଗୁଣି ଅଜା, ଜରଦଗବ ଭଳି କହୁଥିଲା, ସବୁ ଝଲମଲ କରୁଥିବା ଜିନିଷ ସୁନା ନୁହେଁ । ଛୋଟୁ ଆଖିରେ ଆଖିଏ ଲୁହ ଭରି କହୁଥିଲା, ସୁନା କଣ ହେବ ମୋର ଅଜା?? ବାପା ମାଆଙ୍କୁ ଜାଣିନଥିବା, ସ୍କୁଲ ଦୁଆର ମାଡ଼ିନଥିବା, ରୋଗୀଣା ପୋଲିଓ ଆକ୍ରାନ୍ତ ଗୋଡ଼ ଦିଇଟାକୁ କେହି ଠିକ କରିଦେଇ ପାରିବେକି ଅଜା?? ଆଉ ଏହାଠାରୁ ବଳି କୋଉ ସୁନା ନେଇ କଣ କରିବି ମୁଁ??ଆହାର କେନ୍ଦ୍ର ଉପରେ ନିର୍ଭର କରି ବଞ୍ଚୁଥିବା ଆମ ଭଳି ଭିକାରୀମାନଙ୍କୁ, ଦିନକୁ ଗୋଟେ ପାଞ୍ଚଟଙ୍କିଆ ଆମର ସୁନା। ପେଟର କ୍ଷୁଧା ପାଇଁ ଏହାଠୁ ବଳି ଆଉ ଅଧିକା ଧନ କି ଲୋଡ଼ା??ଛୋଟୁ କଥା ମାଗୁଣି ଆଖିରେ ଲୁହ ହୋଇ ଝରିପଡୁଥିଲା। ଏଠାରେ ଥିବା ପ୍ରତ୍ୟେକ ଭିକାରୀ ଭିତରେ, ସମସ୍ତଙ୍କ ଭଳି, ପ୍ରତ୍ୟେକଙ୍କ ଜୀବନ ସାରଣୀରେ ଅନେକ କାହାଣୀ ହେଲେ ମଧ୍ୟ ଛୋଟୁ ପିଲାଟା। ହସି ଖେଳି ପାଠ ପଢିବା ବେଳେ କୋଉ ବିଧାତାଙ୍କ କପାଳ ଲେଖନ ଯୋଗୁଁ କର୍ମଆଦରି ପଡିଛି ବିଚରା। ଆଉ କିଛି ନକହି ମାଗୁଣି ସିନା ଚୁପ ହୋଇ ଶୁନ୍ୟ ନୟନ ମେଲି ଶୁନ୍ୟକୁ ଚାହିଁରହିଥିଲା, ଛୋଟୁ କିନ୍ତୁ ଭାବୁଥିଲା ଅନେକ କିଛି। ପିଲାମନ ତାର। ଜଗନ୍ନାଥଙ୍କ ଚତୁର୍ଦ୍ଧା ଛବି, ପ୍ରତିକୃତି ବା ଚିତ୍ର ପାଖରେ ଅଟକି ଯାଏ। ଭାବେ ମାଗୁଣି ଅଜା କହିବା ଅନୁଯାୟୀ, ଏହି ଜଗନ୍ନାଥ କୁଆଡେ ସମସ୍ତଙ୍କ ଦୁଃଖ ବୁଝନ୍ତି, ସମସ୍ତଙ୍କ ମନ ଜାଣି କର୍ମ ଦେଇଥାନ୍ତି। ତେବେ ତାର କି ଦୋଷ ଯୋଗୁଁ ସେ ଆଜି ଅନାଥ, ଆଉ ଲେଙ୍ଗଡ଼ା!!ମନେ ମନେ ଭାବେ କେତେ ଲୋକ ପୁରୀ ଯାଉଛନ୍ତି ଜଗନ୍ନାଥ ଦର୍ଶନ କରିବାକୁ। ପାତକ ଛଡେଇବାକୁ, କିଛି ମାଗିବାକୁ, ସେ କିନ୍ତୁ ଯାଇପାରୁନି। ଗଲେ ମଧ୍ୟ ମନ୍ଦିର ଭିତରକୁ ଯିବାକୁ ତା ଭଳି ମ୍ଳେଛଙ୍କୁ ବାରଣ ଥିବ ନିଶ୍ଚୟ । ଧାଡ଼ିରେ ସେ ବା କାହୁଁ ଠିଆ ହୋଇପାରିବ??କାନ୍ଦିପକାଏ ଛୋଟୁ। ଥରେ ମନ ଭରି ଦେଖି ପଚାରିବାକୁ ଇଛା ଯେ ମାଗୁଣି ଅଜା କହନ୍ତି, ସେ କାଳେ ଦାରୁ ଦେବତା। ତାରି ଭଳି ହାତ ଗୋଡ଼ ନଥିବା ଠାକୁର। ଆହା କେତେ କେତେ ଲୋକଙ୍କ କଥା କେତେ କଷ୍ଟ କରି ବୁଝୁଥିବେ। ତା ନିଜ ମନକଥା ବୁଝି, ସେ ଆଜି ଚତୁର୍ଦ୍ଧାଙ୍କ, ଫାଇବର ନିର୍ମିତ ଷ୍ଟିକରଟିଏ ପାଇଛି। କେହି କୁଆଡେ ନଥିବା ବେଳେ ଛିଣ୍ଡା ଗାମୁଛାରୁ ଗଣ୍ଠି ଫିଟେଇ କାଢ଼ି କେତେ ଗେଲ କଲା ଠାକୁରଙ୍କୁ। କହିଲା ମୁଁ ମଧ୍ୟ ଚାଲିପାରୁନି ଠାକୁର। ତୁମେ ସିନା ଗୋଟିଏ ଜାଗାରେ ବସିଛ, ମୁଁ ଗୋଟିଏ ଜାଗାରେ ବସିଲେ ପାଞ୍ଚଟଙ୍କା କୋଉଠୁ ପାଇବି ଠାକୁର। କେତେ ଲୋକ ଅଚଳନ୍ତି ଆଠେଣି ପକେଇ ଚାଲିଯାଆନ୍ତି ଯେ ଏକାଠି କରୁ କରୁ କୋଉଦିନ ତିନିଟଙ୍କା ପଚାଶ ପଇଶା ହୁଏ। ସେଦିନ ଉପାସ। ମାଗୁଣି ଅଜା ତା ପତରରୁ କିଛି ଦିଏ ବୋଲି ପିଣ୍ଡରେ ପ୍ରାଣ ରହିଯାଏ। ମାଗୁଣି ଅଜା ମତେ ଏତେ ସୁଖ ପାଏ କାହିଁକି ମୁଁ ଜାଣିନି ପ୍ରଭୁ, ହେଲେ ତାକୁ ପ୍ରତିଦିନ ପାଞ୍ଚଟଙ୍କା ମିଳିଯାଉ ପ୍ରଭୁ। ସେ ସିନା ଉପରକୁ ତୁମକୁ ଖରାପ କହେ, ହେଲେ ଭିତରେ ଖୁବ ଭକ୍ତି କରେ। ଗୁଣୁଗୁଣୁ କରି ତୁମ ନାମ ଜପ କରୁଥାଏ।
ହଠାତ କେତେ ଲୋକ ଆସି, ଷ୍ଟେସନରେ ଥିବା, ଶୀତରେ ଥରୁଥିବା ଭିକାରୀମାନଙ୍କୁ କମ୍ବଳ ବାଣ୍ଟିଦେଇ ଯାଉଥିଲେ । ମାଗୁଣି ଅଜାଙ୍କୁ ଦେଖି ଦୁଃଖରେ ଛୋଟୁ କହୁଥିଲା କୁଆଡେ ଯାଇଥିଲ ଅଜା? କମ୍ବଳ ବାଣ୍ଟିଦେଇ ଦାତାମାନେ ଚାଲିଗଲେ। ଆରେ ଛୋଟୁ ପେଟର ଶୀତ ଦାଉ ପରା ଦେହର ଶୀତଠୁ ଅଧିକା। ପାଖରେ ଗୋଟେ ବାବୁଘର ବାହାଘର ଭୋଜିରୁ କାଳେ କିଛି ପାଇଯିବି ଭାବିଥିଲି, ହେଲେ ନିରାଶ ହୋଇ ଫେରିଲା ବେଳେ ସେଇ ମହକରେ ପେଟ ପୁରି ଯାଇଛିରେ। ତୁ କମଳ ପାଇଛୁ ଘୋଡ଼ି ହୋଇ ସୁଅ। ଜଗନ୍ନାଥ ଯାହାକୁ ସୁଖ ଦିଅନ୍ତି ସବୁତକ ଦେଇଦିଅନ୍ତି ଆଉ ଯାହାକୁ ଦୁଃଖ ଦିଅନ୍ତି, ସେମିତି ସବୁତକ ଦେଇଦିଅନ୍ତି ପରାରେ ଛୋଟୁ। ଛୋଟୁ କମଳ ଭିତରକୁ ଅଜାଙ୍କୁ ଡାକି ତାଙ୍କ କୋଳରେ ସବୁଦିନ ଭଳି ଶୋଇ ପଡିବା ବେଳେ ଭାବୁଥିଲା, ମାଆ କୋଳ ତାର ମନେ ନାହିଁ। ସମସ୍ତେ କୁହନ୍ତି ମାଆ କୋଳ ଭାରି ଉଷୁମ ହେଲେ କମଳ ଭିତରେ, ମାଗୁଣି ଅଜା କୋଳ ଆଜି ଛୋଟୁକୁ ସବୁଠୁ ଉଷୁମ ମନେ ହେଉଥିଲା। ଶୋଇ ପଡୁ ପଡୁ ଛୋଟୁ କହୁଥିଲା ମୁଁ ଭଲରେ ଅଛି ଜଗନ୍ନାଥ ଠାକୁର, ତୁମେ ମଧ୍ୟ ଭଲରେ ଥାଅ।
