ଶୀତରେ ଭେଟି
ଶୀତରେ ଭେଟି




ମାଘ ମାସର ହାଡ଼ଭଙ୍ଗା ଶୀତ ଦେହକୁ ଥରାଇ ଦେଉଛି l ତା ' ସହ ଥରୁଛି ନିଲୁର ମନ l ଆଜି ସନ୍ଧ୍ୟାବେଳରୁ ଏପରି ଶୀତ ହେଲାଣି l ରାତିରେ ନିଶ୍ଚିତ ଆହୁରି ଜୋର ଶୀତ ହେବ l ବାପା, ମା ଓ ତା'ର ଦୁଇଟି ଭାଇ l ଘରର ସେ ବଡ଼ ଝିଅ l ମଝିଆ ଭାଇ ତା ' ଠାରୁ ପାଞ୍ଚ ବର୍ଷ ସାନ l ଏ ବର୍ଷ ନିଲୁ ଘର ପାଖ କଲେଜରେ ନାମ ଲେଖାଇଛି l ତା 'ମଝିଆ ଭାଇ ଷଷ୍ଠ ଶ୍ରେଣୀ ଓ ସାନ ଭାଇ ପ୍ରଥମ ଶ୍ରେଣୀରେ ପାଠ ପଢ଼ନ୍ତି l ଘରେ ତାକୁ ମିଶାଇ ପାଞ୍ଚ ଜଣ lବାପା ତା'ର ବୁଲା ବିକାଳୀ l ମାଆ ତା'ର ସବୁବେଳେ ଘର କାମରେ ବ୍ୟସ୍ତ l ଅତି କଷ୍ଟରେ ବାପା ଗୋଟିଏ କମ୍ବଳ ଆଣିଛନ୍ତି lଘୋଡ଼ିହେବା ପାଇଁ ସେମାନେ ପାଞ୍ଚଜଣ l କେମିତି ଏ ଶୀତ ଦିନ କଟିବ କେଜାଣି l
ଏତିକିବେଳେ ବାପା ହସହସ ମୁହଁରେ ଘରେ ପହଞ୍ଚିଗଲେ ଏକ ବଡ଼ କମ୍ବଳ ପ୍ୟାକେଟ ସହ ମିଠା ପ୍ୟାକେଟ ଧରି l ବୋଉକୁ ପାଖକୁ ଡାକି କହିଲେ, "ଶୁଣୁଛ, ଆମ ନିଲୁ ଦଶମ ଶ୍ରେଣୀରେ ଯେଉଁ ଜାତୀୟ ମେଧା ବୃତ୍ତି ପରୀକ୍ଷା ଦେଇଥିଲା , ସେଥିରେ କୃତକାର୍ଯ୍ୟ ହୋଇଛି l ତା 'ର ପ୍ରଧାନ ଶିକ୍ଷକ ମୋତେ ଫୋନ କରି ଜଣାଇଛନ୍ତି l ମାସକୁ ତାକୁ ବାର ଶହ ପଚାଶ ଟଙ୍କା ମିଳିବ l ଶୀତ ଜୋର ପଡୁଛି l ଏଇ ଖୁସିରେ ଛୁଆଙ୍କପାଇଁ ଦୁଇଟା କମ୍ବଳ ନେଇ ଆସିଲି l ଏ ମିଠା ଠାକୁରଙ୍କ ପାଖରେ ଭୋଗ ଲାଗଇ ପିଲାଙ୍କୁ ବାଣ୍ଟିଦିଅ l ଏ ଖବର ଶୁଣି ମନେ ମନେ ଭଗବାନଙ୍କୁ କୃତଜ୍ଞତା ଜଣାଉଥିଲା ନିଲୁ l ଶୀତକୁ ଆଉ ଡରିବନି ସେ l ଶୀତରେ ତାକୁ ଭେଟି ମିଳିଗଲା ପରି ଲାଗୁଥିଲା l