STORYMIRROR

Aravinda Das

Abstract Inspirational

3  

Aravinda Das

Abstract Inspirational

ଶାଶୁ ଓ କମ୍ବଳ

ଶାଶୁ ଓ କମ୍ବଳ

2 mins
15.5K


ଅଚାନକ ତାପମାତ୍ରାର ପାରଦ ଖସିଯାଇ,ହାଡ଼ଭଙ୍ଗା ଶୀତ ପାଇଁ ଯେତିକି ବ୍ୟସ୍ତ ଲାଗୁନଥିଲା,ଶାଶୁଙ୍କ ଆସିବା ଖବରଟା ସୁଜାତାକୁ ଅଧିକ ବିବ୍ରତ କରୁଥିଲା।

" ଏମିତି ଜଡ,କାକର,ଥଣ୍ଡାରେ ଏଇଠି ମାଣ ନବସାଇଲେ କେଉଁ ମହାଭାରତ ଅଶୁଦ୍ଧି ହୋଇଯିବ ?ମୋତେ ହଇରାଣ ନକଲେ, ତମ ବୋଉଙ୍କ ଭାତ ହଜମ ହୁଏନା।ଏବର୍ଷ ଅନ୍ୟ କେଉଁ ଦୁଇ ବୋହୁଙ୍କ ପାଖରେ ସେ କଣ ମାଣ ବସେଇ ପାରିବେନି ?ମୋର ପୁଣି ଥଣ୍ଡା ଦେହ।"

ସୁଜାତାଙ୍କ ଅଭିଯୋଗ ଶୁଣି,ମନୋଜ କହିଲେ,," ଏଥର ଆମ ପାଳି।ବୋଉ'ର ଭୁଲ କେଉଁଠି ?ତାଛଡା ଏ ସମୟରେ ଥଣ୍ଡା ପଡ଼ିବା କେଉଁ ନୂଆ କଥା ?

ବିରକ୍ତ ହୋଇ ସୁଜାତା ଉଠିଗଲା।ହାଠାତ୍ ତାର ମନେ ପଡିଗଲା ନୂଆକିଣା ହୋଇଥିବା କମ୍ବଳ କଥା।ମାତୃଭକ୍ତ ପୁତ୍ରମଣି,ଦେଖେଇ ହୋଇ ନିଶ୍ଚୟ ଏ କମ୍ବଳଟା ମା'ଙ୍କୁ ଘୋଡାଇବାକୁ ଦେଇଦେବେ।ଜରି ଭିତରେ ପ୍ୟାକ କରି କମ୍ବଳକୁ ଟ୍ରଙ୍କ ଭିତରେ ଲୁଚାଇ ରଖୁଥିଲା ବେଳେ ମନୋଜଙ୍କ ଆଖିରେ ପଡିଗଲା।

"ଆରେ, ଭିତରେ କାହିଁକି ରଖୁଛ କମ୍ବଳକୁ ?ବୋଉ ଆସିଲେ,ଏଇଟା ଘୋଡେଇ ହେବ।"

 "ସେଇଥିପାଇଁ ରଖିଦେଉଛି।ତମ ବୋଉଙ୍କ ପାନ ,ଗୁଡାଖୁ ଛେପ, ଖଙ୍କାରରେ ନଷ୍ଟ ହୋଇଯିବ ଏଇଟା। ପୁରୁଣା କନ୍ଥା,ଚଦରରେ କାମ ଚଳାଇବା।"

ସ୍ତ୍ରୀର ସ୍ବାର୍ଥପର ମନୋଭାବ ପାଇଁ ଦୁଃଖିତ ହେଉଥିଲା ମନୋଜ। ଶାଶୁ ଆସି  ପହଂଚିବା ପରେ ଥଣ୍ଡାର  ବାହାନା ଦେଖାଇ,ସୁଇଟର ମଫଲର ଓ ଗ୍ଲୋବସ ପିନ୍ଧି ବସିଥିଲା ସୁଜାତା।।କର୍ମଚଞ୍ଚଳା ଶାଶୁ କିନ୍ତୁ ମେସିନ ପରି ଘର ବାହାର ଧୋଇ, ଲିପି ପୋଛି ଚିତା ପକେଇ ,ମାଣ ସଜାଡି ରଖି ଦେଇଥିଲେ। ସ୍ତ୍ରୀର ନାଲି ଆଖିକୁ ଡରି,ବୋଉକୁ ରାତିରେ ଘୋଡ଼ାଇ ହେବାକୁ ,ଚଦରଟାଏ ଦେଇଥିଲେ ମନୋଜ।

ନାତି ବୁଲୁ ଜିଦି କରି ସେଦିନ ଗପ ଶୁଣିବା ଲୋଭରେ ଜେଜେମା'ଙ୍କ ପାଖରେ ଶୋଇଲା।ନାତିକୁ ନିଜ ଉଷୁମ କୋଳକୁ ଟାଣି ଆଣି ,ନିଜ ପିନ୍ଧା ଶାଢ଼ୀଟା ଘୋଡାଇ ଦେଉଥିଲେ ଜେଜେମା।

ସକାଳୁ ଉଠି ବୁଲୁ, ସୁଜାତାଙ୍କୁ କହିଲା, " ମମି, ଆମର ସେ ନୂଆ କମ୍ବଳ ଅପେକ୍ଷା , ଜେଜେମାଙ୍କ ଶାଢ଼ୀଟା ଅଧିକ ଉଷୁମ।କାଲି ମୋତେ ଟିକେ ବି ଶୀତ ଲାଗିଲାନି। କମ୍ବଳଟା ଜେଜେମାଙ୍କୁ ଦେଇ, ଆମେ ବରଂ ତାଙ୍କ ଶାଢ଼ୀଟା ଘୋଡାଇ ହେଲେ ମଜା ଲାଗିବ।ମୁଁ ତ ଭାବୁଛି ,ତମେ ଏ ସୁଇଟର ,ମଫଲର ବଦଳରେ ଜେଜେମାଙ୍କ ପରି ତାଙ୍କ ଶାଢ଼ୀ ପିନ୍ଧ।ଥଣ୍ଡା ହେବନି।"

ସମସ୍ତଙ୍କ ସାମ୍ନାରେ ପୁଅର କଥା ଶୁଣି ସୁଜାତାଙ୍କୁ ଲାଗୁଥିଲା ,ତାଙ୍କ ରକ୍ତ ଯେମିତି ବରଫ ପରି ଜମାଟ ବାନ୍ଧି ଯାଉଛି।ଏତେ ଥଣ୍ଡାରେ ବି ତାଙ୍କ ଦେହ,ମୁଣ୍ଡ ଝାଳେଇ ଯାଉଥିଲା। 

ନାତି କଥା ଶୁଣି ଜେଜେମା ହସୁଥିଲେ, ଶୀତକୁ ବେଖାତିର କଲା ଢଙ୍ଗରେ।। ସୁଜାତା ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିଲା। ଶାଶୁଙ୍କ ସେଇ ପୁରୁଣା କସ୍ତା ଶାଢୀଟାରେ କେତେ ତାତି ଥିଲା କେଜାଣି ???

 (ଅରବିନ୍ଦ ଦାସ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract