ଶହୀଦ ରଘୁ ଦିବାକର
ଶହୀଦ ରଘୁ ଦିବାକର
ଉଣେଇଶୀ ଶହ ଛତିଶ ମସିହା ଏପ୍ରିଲ ପହିଲାରେ ଓଡିଶା ବ୍ରିଟିଶ ଶାସନାଧୀନ ଭାରତବର୍ଷରେ ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଲାଭ କଲା l ସେତେ ବେଳର ବ୍ୟବସ୍ଥା ଅନୁଯାୟୀ ଓଡିଶା ଶାସନ ଦୁଇ ଭାଗରେ ବିଭକ୍ତ ଥିଲା ଯଥା ମୋଗଲବନ୍ଦୀ ଏବଂ ଗଡଜାତ l ମୋଗଲବନ୍ଦୀ ଅଞ୍ଚଳ ଗୁଡିକ ପ୍ରତ୍ୟକ୍ଷ ବ୍ରିଟିଶ ଶାସନାଧୀନ ଥିଲାବେଳେ ଗଡଜାତ ସବୁ ଦେଶୀୟ ରାଜାମାନଙ୍କଦ୍ୱାରା ଶାସିତ ହେଉଥିଲାl ଗଡ଼ଜାତ ରାଜ୍ୟ ସମୂହକୁ ଅନ୍ଧାରି ମୁଲକ ବୋଲି କୁହା ଯାଉଥିଲା କାରଣ ଏଠାର ପ୍ରଜାଗଣ ନିଜର ଅଧିକାର ବିଷୟରେ ସଚେତନ ନଥିଲେ ବା ତାଙ୍କୁ ସଚେତନ ହେବାକୁ ଦିଆ ଯାଉନଥିଲା lଦେଶୀୟ ରାଜା ମାନେ ବ୍ରିଟିଶ ସରକାରଙ୍କୁ ଧାର୍ଯ୍ୟ ବାର୍ଷିକ ପେଶକିସ ବା ଖଜଣା ପଇଠକରି ସେମାନଙ୍କର ଶାସନ ଚଳାଉ ଥିଲେ l ରାଜା ମାନଙ୍କୁ ନିୟନ୍ତ୍ରଣ ଭିତରେ ରଖିବାପାଇଁ ପ୍ରତି ରାଜ୍ୟରେ ସରକାରଙ୍କ ତରଫରୁ ଜଣେ କରି ପଲିଟିକାଲ ଏଜେଣ୍ଟ ରହୁ ଥିଲେ l ରାଜା ମାନେ ମନମୁଖୀ ଶାସନ ଚଳାଇ ଆସୁଥିଲେ ଓ ପ୍ରଜା ମାନଙ୍କ ଉପରେ ଅତ୍ୟଧିକ କର ସହ ବେଠି,ଭେଟି,ବେଗାରୀ,ରସଦ,ମାଗଣ ନଜରାନା ଇତ୍ୟାଦି ପ୍ରଜାପୀଡ଼କ ପ୍ରଥାର ପ୍ରଚଳନ କରିଥିଲେ l ରାଜକର୍ମଚାରୀ ଅମଲା ମାନେ ମଧ୍ୟ ପ୍ରଜାଙ୍କ ଉପରେ ବିଭିନ୍ନ ରକମର ଜୋର ଜୁଲମ ଚଳାଉ ଥିଲେ l ପ୍ରଜାମାନଙ୍କର ଏହି ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉଠାଇବାର ସାହସ ନଥିଲା l ଓଡ଼ିଶାର 26 ଗୋଟି ଗଡ଼ଜାତ ଭିତରୁ ଢେଙ୍କାନାଳ, ନୀଳଗିରି,ରଣପୁର ଓ ତାଳଚେର କୁଶାସନ ଓ ପ୍ରଜାପିଡ଼ନ ପାଇଁ କୁଖ୍ୟାତ ଥିଲେ l
ସେତେବେଳେ ରଣପୁର ରାଜ୍ୟରେ ଏକ ଜଘନ୍ୟ ନରବଳୀ ପ୍ରଥାର ପ୍ରଚଳନଥିଲା l ଏହି ନରବଳୀ ପ୍ରଥା ଯେତିକି ଭିତ୍ତିପ୍ରଦ ସେତିକ ଲୋମ ହର୍ଷଣ କାରି l ପ୍ରଥା ଅନୁଯାୟୀ ରାଜା କିଛି ନର ଘାତକ ନିଯୁକ୍ତ କରିଥାନ୍ତି ଯେଉଁମାନଙ୍କୁ ରକ୍ତପଟା ଜାଗିରି ଦିଆ ଯାଇଥାଏ l ରାଜ ଅନୁଗ୍ରହ ପ୍ରାପ୍ତ ଏହି ନର ଘାତକ ମାନେ ଲୋକ ମୁଖରେ ମାଘମାସିଆ ଓ ତଣ୍ଟିଆକଟା ନାମରେ ପରିଚିତ ଥିଲେ l ରାଜାଙ୍କ ଉଆସର ଦାସୀପୁତ୍ରମାନେ ମୁଖ୍ୟତ ଏ କାର୍ଯ୍ୟରେ ନିଯୁକ୍ତ ହେଉ ଥିଲେ l ପୌଷ ପୂର୍ଣ୍ଣମୀ ଦିନ ଏହି ନରଘାତକ ମାନଙ୍କୁ ରାଜ ନଅରରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ମଣ୍ଡା ପିଠା ଦିଆଯାଏ l ମଣ୍ଡାପିଠା ଗୁଡିକ ମଧ୍ୟରୁ ଗୋଟିଏରେ ଛୁରୀଟିଏ ଥାଏ l ଏ ପିଠାଟି ଯାହା ଭାଗରେ ପଡ଼େ ସେ ହୁଏ ଦଳର ଦଳପତିl ତଣ୍ଟିଆକଟା ମାନେ ଦଳବଦ୍ଧ ହୋଇ ମାଘ ମାସ ଶେଷ ପର୍ଯ୍ୟନ୍ତ ନିଛାଟିଆ ଜଙ୍ଗଲ ରାସ୍ତାରେ ବୁଲି ବାଟୋଇ ମାନଙ୍କୁ ଧରି ଆଣି ରାଜ୍ୟର ଅଧିଷ୍ଠାତ୍ରୀ ଦେଵୀ ମଣିନାଗଙ୍କ ପାଖରେ ବଳି ଚଢ଼ାନ୍ତି l ଏହି ଦେବୀ ମଣିନାଗଙ୍କ ଆସ୍ଥାନ ମଣିନାଗ ପାହାଡ଼ ଉପରେ l ଏହା ଛଡ଼ା ଏମାନେ ଅନ୍ଧାର ରାତ୍ରିରେ ଗୋରୁମାନଙ୍କ ବେକରେ ପଡ଼ିଥିବା ଘଣ୍ଟଭଳି ଏକ ମୃଦୁ ଧ୍ୱନୀ କରନ୍ତି l ଏହାଶୁଣି କେହି ଲୋକ ଗାଈ ପାଳଗଦା ଭିତରେ ପଶିଛିବୋଲି ଭାବି ଭ୍ରମରେ ପଦାକୁ ବାହାରିଆସିଲେ ତାକୁ କାବୁ କରିନିଅନ୍ତି l ବଳି ଚଢ଼ାଇବାର ଢଙ୍ଗ ବି ଆହୁରି ଲୋମହର୍ଷକ l ତଣ୍ଟିଆ କଟାମାନେ ବଳି ଉଦ୍ଦେଶ୍ୟରେ ଧରିଥିବା ଲୋକକୁ ପ୍ରଥମେ ଖୁବ ଜୋରରେ ଦଳା ଚକଟା କରି ଅଚେତ କରିଦିଅନ୍ତି l ତାପରେ ଲୋକଟିକୁ ନେଇ ଗୋଟିଏ ଗଛରେ ତଳମୁହାଁ କରି ଝୁଲାଇ ଦିଅନ୍ତି ଓ ନାକରେ ଗୋଟିଏ ଡାମ୍ଫଣ ଭର୍ତ୍ତି କରି ବାଉଁଶ ନଳୀରେ ଝରୁଥିବା ରକ୍ତକୁ ସଂଗ୍ରହ କରି ମାଆ ମଣୀନାଗଙ୍କୁ ଅର୍ପଣ କରନ୍ତି l
ରାଜାଙ୍କର ଏହି ଅନ୍ୟାୟ, ଅତ୍ୟାଚାର ଓ ଜୁଲମ ବିରୁଦ୍ଧରେ ଅସନ୍ତୋଷ ଦାନାବାନ୍ଧି କ୍ରମେ ବିଦ୍ରୋହ ରୂପ ନେଇଥିଲା ଯାହା ରଣପୁର ପ୍ରଜାମେଳି ବା ପ୍ରଜାମଣ୍ଡଳ ଆନ୍ଦୋଳନ ନାମରେ ଖ୍ୟାତ l ଏହା ଇତିହାସ ପୃଷ୍ଠାରେ Ranapur Rebellion 1938-39 ନାମରେ ଲିପିବଦ୍ଧ l ସେତେବେଳେ ରଣପୁର ରାଜା ଥାଆନ୍ତି ପକ୍ଷାଘାତ ପୀଡିତ ଏବଂ ଚଳତ୍ ଶକ୍ତିହୀନ ଶ୍ରୀକୃଷ୍ଣଚନ୍ଦ୍ର ନରେନ୍ଦ୍ର ଚକ୍ରଧର ମହାପାତ୍ର l ରାଜାଙ୍କ ଚାରିପଟେ ଏକୁ ଆରେକେ ଚାଟୁକାର ମାନେ ବେଢ଼ି ରହିଥାନ୍ତି l ଏ ରାଜାଙ୍କ ଶାସନ ମୁଖ୍ୟତଃ ତାଙ୍କର ଦେୱାନ ଶ୍ରୀଜଗନ୍ନାଥ ମହାନ୍ତିଙ୍କ ଇଙ୍ଗିତରେ ପରିଚାଳିତ ହେଉ ଥାଏ l ରାଜା ପ୍ରଜା ମାନଙ୍କ ଖବର ଠିକ ଭାବରେ ପାଇ ପାରନ୍ତି ନାହିଁ l ରଣପୁର ପ୍ରଜା ଆନ୍ଦୋଳନ କ୍ରମେ ରାସ ବିହାରୀ ବୋଷ, ଚନ୍ଦ୍ର ଶେଖର ଆଜାଦ, ବାଘାଯତୀନ,ଭଗତସିଂ ଓ ବୀରସାବରକାରଙ୍କ ଆଦର୍ଶରେ ଅନୁପ୍ରାଣିତ ବିପ୍ଲବୀ ରଘୁନାଥ ମହାନ୍ତି ଏବଂ ଦିବାକର ପରିଡାଙ୍କ ଯୁବ ନେତୃତ୍ୱରେ ଉଗ୍ର ରୂପ ନେଲା l ନରବଳୀ ପ୍ରଥାରେ ଅତିଷ୍ଠ ହୋଇ ଶହୀଦ ଶ୍ରୀ ଦିବାକର ପରିଡା ତାଙ୍କ "ଜାଗିଉଠ" କବିତାରେ ଅଗ୍ନିବର୍ଷୀ ଭାଷାରେ ଲେଖିଲେ :-
ତଣ୍ଟିଆକଟାର ମାଘ ମାସି ବାଘ
ଫନ୍ଦି କେବେ ଆଉ ଚଳିବନି l
ବ୍ରିଟିଶ ଗୋଲାମ ଅନ୍ୟାୟ ଲଗାମ
ଧନ୍ଦି କେବେ ଆମେ ମାନିବାନି ll
ମାଆ ମଣିନାଗେ ଶପଥ ନିଅରେ
ଜାଳିବାକୁ ବିଦ୍ରୋହର ନିଆଁ l
କୋଣ ଅନୁକୋଣେ ସରବେ ଜାଗରେ
ତୋଳିବାକୁ ଜୀବନର ରାହା ll
ପରିସ୍ଥିତି ଅଣାୟତ୍ତହେବାରୁ ଏହି ବିଦ୍ରୋହ ଦମନ ପାଇଁ ବ୍ରିଟିଶ ପଲିଟିକାଲ ଏଜେଣ୍ଟ ମେଜର ଆର. ଏଲ. ବେଜେଲଗେଟଙ୍କୁ ସୈନ୍ୟ ସାମନ୍ତ ଓ ଗୁଳି ଗୋଳା ଦେଇ 1939 ମସିହା, ଜାନୁଆରୀ ପାଞ୍ଚ ତାରିଖଦିନ ରଣପୁର ପଠାଗଲା l ଲୋକମାନଙ୍କ ପାଖରେ ଖବର ପହଞ୍ଚିଲା ବେଜେଲଗେଟ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ହୋଇ ବିଦ୍ରୋହ ଦମନ ନିମନ୍ତେ ନୟାଗଡ଼ରୁ ରଣପୁର ଅଭିମୁଖେ ଆସୁଛି l ତାକୁ ଅବରୋଧ ପାଇଁ ବିଦ୍ରୋହୀ ମାନେ ଲୋଧାଚୁଆ ଗ୍ରାମ ପାଖରେ ଗଛକାଟି ରାସ୍ତା ଉପରେ ପକାଇ ଦେଲେ l ବେଜେଲଗେଟ ପହଞ୍ଚି ଏହି ଅବରୋଧ ହଟାଇବାପାଇଁ କହିବାରୁ କେହି କର୍ଣ୍ଣପାତ କଲେ ନାହିଁ l ଏଥିରେ ଉତକ୍ଷିପ୍ତ ହୋଇ ବେଜେଲଗେଟ ବହୁ ଲୋକଙ୍କୁ ବାଡେଇ ଲହୁଲୁହାଣ କରିଦେଲା l ସେଠାରୁ ଯାଇ ରାଜପ୍ରାସାଦରେ ପହଞ୍ଚି ଦେଖିଲା ଗୋଟିଏ ବିରାଟ ପଟୁଆର ପ୍ରସାଦକୁ ଅବରୋଧ କରି ରଖିଛନ୍ତି l ବିକ୍ଷୋଭକାରୀଙ୍କ ସମାବେଶକୁ ରଘୁ - ଦିବାକର ଉଦବୋଧନ ଦେବା କାର୍ଯ୍ୟକ୍ରମ ଥାଏ l ଏହିସମୟରେ ଗୋଟିଏ ଗୁଜବ ପ୍ରଚାରିତ ହୋଇ ଗଲା ବେଜେଲଗେଟ ଲୋଧାଚୁଆ ଗ୍ରାମ ଠାରେ ବହୁ ଲୋକଙ୍କୁ ମାରି ଦେଇଛି l ଏଥିରେ ତାତିଥିବା ସମବେତ ଜନତା ବେଜେଲଗେଟକୁ ଯାଇ ଘେରିଗଲେ l ସେ କୌଣସି ଲୋକଙ୍କୁ ମାରି ନାହାଁନ୍ତି ବୋଲି ଯେତେ ବୁଝାଇଲେ ମଧ୍ୟ ଉତ୍ୟକ୍ତ ଜନତା ଗ୍ରହଣ କରିବା ଅବସ୍ଥାରେ ନଥିଲେ l ରଘୁ - ଦିବାକର ରାଜାଙ୍କ ଦେୱାନ ଚଣ୍ଡୀ ମିଶ୍ରଙ୍କ ସହ ଗିରଫ ହୋଇଥିବା କର୍ମୀମାନଙ୍କୁ ଖଲାସ କରିବା ଓ ତାଙ୍କର ଦାବିପତ୍ର ମାନିନେବା ପାଇଁ କଥାବାର୍ତ୍ତା କରିବାରେ ବ୍ୟସ୍ତ ଥାଆନ୍ତି, ହଠାତ୍ ଭିଡ଼ ମଧ୍ୟରୁ ଅର୍ଜୁନ ରାଉତ ନାମକ ବ୍ୟକ୍ତି ବେଜେଲଗେଟକୁ ମାଡିବସିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଗୁଳି ମାଡ଼ରେ ନିହତ ହେଲା l ଏଥିରେ ଉତକ୍ଷିପ୍ତ ଜନତା ବେଜେଲଗେଟ ଉପରକୁ ଝାମ୍ପି ପଡିଲେ l ସେ ବିମ୍ବାଧର ପଢ଼ିଆରୀ ନାମ୍ନୀ ଜଣେ ବ୍ୟକ୍ତିଙ୍କ ଘର ଆଗରେ ଥିବା ଗୋଟିଏ ଶଗଡ଼ର ଦୁଇ ଚକ ମଧ୍ୟରେ ପଶି ନିଜକୁ ବଞ୍ଚାଇବା ଚେଷ୍ଟା କରୁଥିବା ବେଳେ ଉତ୍ୟକ୍ତ ପ୍ରଜା ମାନଙ୍କର ଅତର୍କିତ ଲାଠି ମାଡ଼ରେ ପ୍ରାଣ ହରାଇଲା l ଏହି ହତ୍ୟାକାଣ୍ଡରେ ସରକାରଙ୍କ ଠାରୁ ବିପଦର ଆଶଙ୍କା କରି, ପ୍ରଜା ମାନେ ରଘୁ - ଦିବାକରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଣ ବିକଳରେ ପଳାୟନ କରି ବଣ ଜଙ୍ଗଲରେ ଆତ୍ମ ଗୋପନକଲେ l କେତେକଲୋକ ପଡୋଶୀ ଖାସ ମାହାଲ ଖୋର୍ଦ୍ଧା ଗଡ଼କୁ ପଳାୟନ କଲେ l ରାଜା ଏଥିରେ ଅତି ଆତଙ୍କିତ ହୋଇ ଗ୍ରେପ୍ତାର ହୋଇ ଥିବା ସବୁ ପ୍ରଜାଙ୍କୁ ଖଲାସ କରିଦେଲେ l
ଏ ହତ୍ୟାକାଣ୍ଡକୁ କଂଗ୍ରେସ ଗାନ୍ଧୀଜୀଙ୍କ ଅହିଂସ ମନ୍ତ୍ରକୁ ଦୃଷ୍ଟିରେ ରଖି ନିନ୍ଦା କରି ଥିଲା l ସେତେ ବେଳେ ଶ୍ରୀବିଶ୍ୱନାଥ ଦାସଙ୍କ ପ୍ରଧାନ ମନ୍ତ୍ରୀତ୍ବରେ (ମୁଖ୍ୟମନ୍ତ୍ରୀ) ଓଡିଶାରେ କଂଗ୍ରେସ ମନ୍ତ୍ରୀ ମଣ୍ଡଳ ଥାଏ l ହତ୍ୟାକାଣ୍ଡର ତଦନ୍ତ ଭାର ବିଶ୍ୱାସଘାତକ ପୋଲିସ ଅଧିକାରୀ ମନବୋଧ ପଣ୍ଡାଙ୍କ ଉପରେ ନ୍ୟସ୍ତ କରାଗଲା l ତାଙ୍କ ସହାୟକ ରହିଲେ ଶ୍ରୀ ଗଙ୍ଗାଧର ଦ୍ବିବେଦୀ l ଲୋକ ମାନଙ୍କୁ ବାଧ୍ୟ କରା ଗଲା ମିଥ୍ୟାସାକ୍ଷ୍ୟ ପାଇଁ l ସାକ୍ଷ୍ୟ ପାଇଁ ଅନିଛୁକ ଲୋକ ମାନଙ୍କୁ ବିଭିନ୍ନ ପ୍ରକାରରେ ଯାତନା ଦିଆ ଗଲା,ହତ୍ୟାକାଣ୍ଡରେ ଅଭିଯୁକ୍ତହୋଇ ବହୁଲୋକ ଗିରଫ ହେଲେ ଓ ସେମାନଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତ କରା ଗଲା l ଏହି ବିଷୟରେ ପୂଙ୍ଖାନୁପୁଙ୍କ ଖବରସଂଗ୍ରହ କରୁଥିବା ଏନ.ଆର. ସ୍ବାମୀ ନାମକ ସାମ୍ବାଦିକଙ୍କୁ ରଣପୁର ରାଜ୍ୟରୁ ବହିଷ୍କାର କରା ଗଲା l ଏହି ମାମଲାର ବିଚାର ବ୍ରହ୍ମପୁରର ଯୁଗ୍ମ ମାଜିଷ୍ଟ୍ରେଟ ଶ୍ରୀ ବି.ଶିବରମଣଙ୍କ ଇଜଲାସରେ ଚାଲି ଥାଏ l କିଛିଦିନ ପରେ ତାକୁ ରଣପୁରରେ ଗଠିତ ସ୍ୱତନ୍ତ୍ର ଅଦାଲତକୁ ଉଠାଇ ନିଆଗଲା l ବିଦ୍ରୋହୀ ମାନଙ୍କ ତରଫରୁ ଲଢ଼େଇ କରୁଥିଲେ ଓକିଲ ଶ୍ରୀ ଦୀନବନ୍ଧୁ ସାହୁ- ପରବର୍ତ୍ତୀ କାଳରେ ଓଡିଶାର ଆଡ଼ଭୋକେଟ ଜେନେରାଲ, ଗଦାଧର ଜେନା ଓ ଅବଦୁଲ ହାଫିଜ଼ l ବିଚାରରେ ପକ୍ଷପାତିତା କରି ବ୍ରିଟିଶ ନ୍ୟାୟାଧୀଶ ଶ୍ରୀ G.G.Shearer ଙ୍କ ସଭାପତିତ୍ୱରେ ଏକ ତୀର୍ଯ୍ୟକ ରାୟ ପ୍ରକାଶପାଇ ରଘୁ - ଦିବାକରଙ୍କୁ ପ୍ରାଣ ଦଣ୍ଡରେ ଦଣ୍ଡିତ କରାଗଲା l ଶ୍ରୀ ନରସିଂହ ସାହୁ, ଭାଗବତ ବେହେରା, ମୁରଲୀ ଧର ପଣ୍ଡା, ମଦନମୋହନ ଦାସ, ହାଟ ନାଏକ,ବାଙ୍କ ସ୍ୱାଇଁ, ଦୟାନିଧି ପରିଡା,କୃଷ୍ଣଚନ୍ଦ୍ର ରାଉତ, ଅନ୍ତର୍ଯ୍ୟାମୀ କଳସ ଆଦି ଯାବତ୍ ଜୀବନ କାରାଦଣ୍ଡ ଓ ଚିନ୍ତା ନାୟକ,ନଟ ବିଶୋଇ ଦୁଇଜଣ ଦୁଇବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତହେଲେ l ରଘୁ-ଦିବାକରଙ୍କୁ 1941 ମସିହା ଏପ୍ରିଲ 4 ତାରିଖଦିନ ବିହାରର ଭାଗଲପୁର ଜେଲ ଫାଶୀଖୁଣ୍ଟରେ ଝୁଲାଇ ଦିଆ ଗଲା l ତାଙ୍କର ମୃତ ଶରୀରଟିକୁ ମଧ୍ୟ କୌଣସି ଆତ୍ମୀୟ କିମ୍ଵା ସଂଗ୍ରାମୀଙ୍କୁ ଦିଆଯାଇ ନଥିଲା l ନର ହତ୍ୟା ଅଭିଯୋଗରେ ଦଣ୍ଡିତ ଶହୀଦ ରଘୁ ଦିବାକରଙ୍କୁ ଯେଉଁଦିନ ଅନ୍ଧାରିଗାଡ଼ିରେ ବସାଇ ଭାଗଲପୁର ଜେଲ ଅଭିମୁଖେ ରଣପୁର ଠାରୁ କାଳୁପଡାଘାଟ ଷ୍ଟେସନକୁ ନିଆଯାଉଥିଲା ରାସ୍ତା ଧାରରେ ହଜାରହଜାର ଜନତା ଧାଡିବାନ୍ଧିଥିଲେ ତାଙ୍କର ପ୍ରିୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ l ଏହିପରି ଭାରତର ସ୍ୱାଧୀନତା ସଂଗ୍ରାମର ପୃଷ୍ଠା ଉପରେ ଏହି ଦୁଇ ମହାନ ସଂଗ୍ରାମୀଙ୍କ ଜୀବନ ପ୍ରଦୀପ ଲିଭି ଯାଇଥିଲା l ଏ ବିପ୍ଳବର ପରବର୍ତ୍ତୀ କାଳରେ ରଣପୁର ରାଜାଙ୍କ ସବୁ କ୍ଷମତା କ୍ରମେ ସଂକୁଚିତ ହୋଇ ବ୍ରିଟିଶ ସରକାରଙ୍କ ପ୍ରଚେଷ୍ଟା ଫଳରେ ରଣପୁର ରାଜ୍ୟରୁ ଚିରଦିନପାଇଁ ଏହି ଅନ୍ୟାୟ, ଅତ୍ୟାଚାର ଓ ନରବଳୀ ଇତ୍ୟାଦିର ବିଲୋପ ହୋଇ ଶାନ୍ତି ପ୍ରତିଷ୍ଠିତ ହୋଇଥିଲା l ଏହି ହତ୍ୟାକାଣ୍ଡ ସେତେବେଳେ ଲଣ୍ଡନର ବ୍ରିଟିଶ ପାର୍ଲିଆମେଣ୍ଟରେ ଚାଞ୍ଚଲ୍ୟ ସୃଷ୍ଟି କରି ଥିଲା l ବ୍ରିଟିଶ ପାର୍ଲିଆମେଣ୍ଟରେ ପ୍ରଶ୍ନଉଠିଲା ଅଧିକାରୀ ବେଜେଲଗେଟକୁ କେଉଁ ଅସ୍ତ୍ରଦ୍ୱାରା ହତ୍ୟା କରା ଯାଇଛି l ଜଣେ ସଦସ୍ୟ ଏହାର ଉତ୍ତରରେ କହି ଥିଲେ ଯେ ତାଙ୍କୁ ବାଉଁଶକିଳା,ମୁଳୀ,ଠେଙ୍ଗାରେ ପିଟି ହତ୍ୟା କରା ଯାଇଛି l ଆହୁରି କିଛି ସଦସ୍ୟ ଦାବିକଲେ ଏ କେମିତିକା ଆଶ୍ଚର୍ଯ୍ୟ ଅସ୍ତ୍ର ଏହାକୁ ପାର୍ଲିଆମେଣ୍ଟରେ ପେଶ କରାଯାଉ l ଏହାପରେ ହତ୍ୟା କାଣ୍ଡରେ ବ୍ୟବହୃତ ତଥା ପୋଲିସ ଦ୍ୱାରା ଜବତ ହୋଇଥିବା ବାଉଁଶ ମୂଳି,କିଳା ଓ ଠେଙ୍ଗା ସହିତ ରଣପୁରର ଜଙ୍ଗଲରୁ କାଟି 500 ବାଉଁଶ ଠେଙ୍ଗା ବ୍ରିଟିଶ ପାର୍ଲିଆମେଣ୍ଟ ଲଣ୍ଡନକୁ ପଠାଇ ଦିଆଗଲା l ବଡ଼ଲାଟ ଏହି ସବୁ ଅସ୍ତ୍ରକୁ ଦେଖି ପଚାରିଲେ, ଏହା କେମିତି ଫୁଟେ l ପୋଲିସ ଅଧିକାରୀମାନେ କହିଲେ, ଏହା ଫୁଟେ ନାହିଁ l ବଡ଼ଲାଟ କହିଲେ ଏହା ଫୁଟେନାହିଁ ତ ତେବେ ବେଜେଲଗେଟ କେମିତି ମଲେ ମୋତେ ଏହା ପରିଚାଳନା କରି ଦେଖାଇ ଦିଅ l ଅଧିକାରୀ ମାନେ କହିଲେ ଆପଣ ଯଦି ଅନୁମତି ଦେବେ ଆମେ ଦେଖାଇଦେବୁ l ତହୁଁ ବଡ଼ଲାଟ ଅନୁମତି ଦେବାରୁ ପୋଲିସ ଅଧିକାରୀ ବାଉଁଶ ମୂଳିରେ ତାଙ୍କ ଦେହକୁ ଓ ଠେଙ୍ଗାରେ ତାଙ୍କ ଚନ୍ଦାମୁଣ୍ଡକୁ ଆଘାତ କଲେ l ବଡ଼ଲାଟ ଆତଙ୍କିତ ହୋଇ ଚିତ୍କାର କରି କହିଲେ "How dangerous these weapons are, keep them in our museum stating the facts" l ଲଣ୍ଡନ ପାର୍ଲିଆମେଣ୍ଟ museumରେ ସେହିଦିନ ଠୁଁ ବେଜେଲଗେଟ ହତ୍ୟାକାଣ୍ଡରେ ବ୍ୟବହୃତ ଏ ବାଉଁଶ ଠେଙ୍ଗା,କିଳା ଓ ମୁଳିଗୁଡିକ ଟିପ୍ପଣୀସହ ସଂରକ୍ଷିତ ହୋଇ ରହିଛି l
ରଣପୁର ଓ ନୟାଗଡ ଅଂଚଳରେ ଏହି ଅମର ଶହୀଦ ରଘୁ -ଦିବାକରଙ୍କୁ ଚିରଦିନ ମନେରଖିବା ପାଇଁ ଅନେକ ଗୁଡିଏ ଅନୁଷ୍ଠାନକୁ ତାଙ୍କ ନାମରେ ନାମିତ କରାଯାଇଛି l ଆଜି ବି ରଣପୁର ମାଟିରେ ଝଙ୍କୃତ ହୁଏ ଶହୀଦ ଦିବାକର ପରିଡାଙ୍କର ସେହି ବିପ୍ଲବୀ ସଂଗୀତ -
ରଣପୁରବାସୀ ଜାଗି ଉଠ ଆଜି
ଶୋଷଣ କଷଣ ବନ୍ଦୀଶାଳେ l
ଭାଙ୍ଗି ଦିଅରେ ବଣ ଜଙ୍ଗଲର
ଗଡ଼ଜାତି ରାଜ ବାହୁ ବଳେ l
ଅନ୍ଧାରି ଆଇନ ପୋଲିସ ଜୁଲୁମ
ଦୁଃଖୀ ଜନତାର ନିର୍ଯ୍ୟାତନା l
ରଣପୁରେ ଦିଅ ରଣ ହୁଙ୍କାର
ମଇନାକେ ଉଡ଼ୁ ମୁକ୍ତି ବାନା l
