ଶେଷ ଠିକଣା
ଶେଷ ଠିକଣା
ସମୁଦ୍ର କୋଉଠି ମିଶିଛି ମାମୁଁ? ତାର ଶେଷ କୋଉଠି ପଚାରି ପ୍ରଶ୍ନ ଜର୍ଜ୍ଜରିତ କରିପାକାଏ ସୋମୁ ମାମୁଁଙ୍କୁ ତ ସମୁଦ୍ର କୂଳରେ ମାମୁଁ ଟେକିନିଅନ୍ତି ତାକୁ କାନ୍ଧକୁ ଆଉ ଦେଖେଇ ଦିଅନ୍ତି କହିକି ହେଇ ଦେଖ ସେଇ ଦୂରଦିଗବଳୟ ଆଡକୁ.ଚାହାଁ ସୋମୁ ଦେଖିପାରିବୁ ସମୁଦ୍ରର ମିଳନ ସ୍ଥଳ. ସୋମୁ ସତରେ ଦେଖିପାରେ କି ନପାରେ କିନ୍ତୁ ମାମୁଁଙ୍କ କାନ୍ଧରେ ବସିବା ମଜ୍ଜାରେ ତଳକୁ ଓଲ୍ହେଇବାକୁ ଚାହୁଁନଥାଏ. ପୁଣି ସେ ସୁଯୋଗ ଆସେ ଯେବେ ମାମୁଁ ଘର ଗାଁରେ ଦୋଳ ମେଳନ କି ଦୁର୍ଗା ମେଢ଼ ହୁଏ. ସୋମୁକୁ କାନ୍ଧରେ ବସାଇ ଗାଁ ଏମୁଣ୍ଡରୁ ସେମୁଣ୍ଡ ଯାଏଁ ଘୁରେଇ ବୁଲାଉ ଥାଆନ୍ତି ମାମୁଁ. ପୁଣି ଯେବେ ତାଙ୍କ ଗାଁକୁ ଆସି ମାମୁଁ ତାକୁ ପୁରୀରେ ରଥଯାତ୍ରା ଦେଖାଇନିଅନ୍ତି ତ କନ୍ଧୁଅ ହୋଇ ସୋମୁ ଦେଖୁଥାଏ ଜଗନ୍ନାଥଙ୍କୁ କେଵେ ତ କେଵେ ଭିଡ଼ ଠେଲି ଦେଖୁଥାଏ ନରେନ୍ଦ୍ରରେ ଚାପ. ବାପା ଦୂରରେ ଚାକିରୀ କରୁଥିଲେ ସୋମୁ କାନ୍ଧରେ ମାଉଁଶ ଲଗାଇବାକୁ ହେଲେ ମାମୁଁ ତାଙ୍କ କାନ୍ଧ ଦେଇ ସୋମୁର ସମସ୍ତ ଆଶା ପୁରଣ କରୁଥିଲେ. ଏମିତିକି ସୋମୁ ଯେବେ ତହସିଲଦାର ଭାବେ କୋରାପୁଟ ଜିଲ୍ଲାକୁ ଗଲା ମାମୁଁ ଯାଇଥିଲେ ସାଙ୍ଗରେ ଆଉ ଫେରିଲା ବେଳେ ପାଞ୍ଚହଜାର ଟଙ୍କା ତା ପକେଟରେ ଗୁଞ୍ଜିଦେଇ କହିଥିଲେ ଦରମା ପାଇବା ଭିତରେ ଯାହା ଆବଶ୍ୟକ କିଣି ନେବୁ. ମାମୁଁ ସେଇଯେ ଫେରିଲେ ଆଉ ତା ପରେ ତାଙ୍କ ସହ ଦେଖା ହୋଇନଥିଲେ ମଧ୍ୟ ଚିଠି ଲେଖୁଥିଲେ ସବୁସମୟରେ ମାମୁଁ.
ଆଜି ମାମୁଁଙ୍କ କୋକେଇ କାନ୍ଧେଇବାକୁ ତାକୁ କେହି ସଂଭ୍ରମରେ ଡାକିନଥିଲେ. ଭଣଜା ତ ଭଣଜା ପୁଣି ହାକିମ ଭଣଜା କଣ କୋକେଇ କାନ୍ଧେଇବ? ସ୍ତ୍ରୀ କହୁଥିଲେ ତୁମେ କୋକେଇ କାନ୍ଧେଇଲେ ପ୍ରେତ ରହିବ କାନ୍ଧରେ. ପିଲାଦୁହେଁ କହୁଥିଲେ ବାପା ଆମକୁ ତ କେଵେ କନ୍ଧୁଅ କରି ସମୁଦ୍ରର ମିଳନ ସ୍ଥଳ ଦେଖେଇଦିଅ କହିଲେ ରାଜି ହୁଅନ୍ତିନି କି ଗହଳି ସ୍ଥାନରେ ବାଟ କାଢି ରାସ୍ତାର ଆଗକୁ ଯିବାକୁ ନେବା ବା ଭିଡ଼ ଭିତରେ ମନ୍ଦିରରେ ଦିଅଁ ଦେଖାଇବାକୁ କେଵେ କନ୍ଧୁଅ କରିନାହାଁନ୍ତି!ଏ ଭିତରେ ସବୁ ସଜଡା ସରିଲାଣି. ବାପା କହୁଥିଲେ ସୋମୁ ତୁ ବରଂ ସେଇ ମୁଖାଗ୍ନି ସରଞ୍ଜାମ ସବୁ ଧର. ତା ପୁଣି ତାକୁ ଧରିବାକୁ ନଦେଇ ମାମୁଙ୍କ ଦୁଇ ଝିଅ କହୁଥିଲେ ନାଇଁ ଭାଇ ଆମେ ଧରିନେଉଛୁ ମଶାଣୀ ଯାଏଁ. ସେଇଠି ତୁମେ ନେଇ ବାପାଙ୍କ ମୁହଁରେ ନିଆଁ ଦେବ. ବୋଉ କହୁଥିଲା ଆରେ ପୁଅ ତୁ ଅସ୍ଥି ଆଣିବୁନି ବର୍ଷକ ଯାକ କାନ୍ଧରେ ପ୍ରେତ ରହିବ ବରଂ ଆଉ କାହାକୁ କହିବୁ ସେ ନେଇ ଆସିବ. ସମସ୍ତଙ୍କୁ ଥରେ ଚାହିଁ ସୋମୁ ଦଉଡିଗଲା କୋକେଇ ପାଖକୁ ଗୋଟେ ପଟେ କାନ୍ଧ ଲଗାଇ କହିଲା ରାମ ନାମ ସତ୍ୟ ହେ.. ହରି ନାମ ସତ୍ୟ ହେ.ମଶାଣିରେ କୋକେଇ ରଖି କାଠ ସଜାଡି, ଘୃତ ଇତ୍ୟାଦି ଢାଳି ଶବ ଆଣି ରଖିବାକୁ କେହି ଗଲାବେଳେ ଦେଖିଥିଲା ସୋମୁ ତା ନିଜ କାନ୍ଧରେ ଶବ ରଖି ଜୁଇ ଆଡକୁ ଧାଉଁଛି ଆଉ ଶୁଆଇଦେଇ କାନ୍ଦ କାନ୍ଦ ସ୍ୱରରେ ଆନି ଓ ରୁନି ଦୁଇଭଉଣୀଙ୍କୁ ମୁଖାଗ୍ନି ଦେବାକୁ ଅନୁରୋଧ କରୁଛି .ସୋମୁ କହୁଥିଲା ତୁମେ ଦୁହେଁ ମୁଖାଗ୍ନି ଦିଅ ମୁଁ ଟିକେ ଏ ବର୍ଷକ ମାମୁଁଙ୍କୁ କାନ୍ଧରେ ରଖିଥାଏ. ସୋମୁ କଥା ଶୁଣି କିଏ କଣ ବୁଝିଲା କେଜାଣି ଦୁଇ ଭଉଣୀ କିନ୍ତୁ କାନ୍ଦି କାନ୍ଦି ଆଗେଇ ଯାଉଥିଲେ ଜୁଇ ଆଡକୁ.ସୋମୁ ସ୍ୱର୍ଗଦ୍ୱାରରୁ ବାହାରି ଆସୁ ଆସୁ କହୁଥିଲା ସମୁଦ୍ର ଏଇ ସ୍ୱର୍ଗଦ୍ୱାରରେ ମିଶିଛି ବୋଲି କଥାରେ ନକହି କାମରେ ଦେଖେଇଦେଲେ ମାମୁଁ.କେହି କେହି ଆଶ୍ଚର୍ଯ୍ୟରେ ସୋମୁକୁ ଚାହିଁରହିଥିଲା ବେଳେ ସୋମୁ କାନ୍ଦୁଥିଲା ଠିକ ଝଡ଼ ସମୟର ବର୍ଷା ବାରି ପରି ।
