Aravinda Das

Drama

3  

Aravinda Das

Drama

ଶେଷ ବଲ୍ ରେ ଛକ୍କା

ଶେଷ ବଲ୍ ରେ ଛକ୍କା

3 mins
7.3K


ଟିଭିରେ କ୍ରିକେଟ ମ୍ୟାଚ ଦେଖୁଥିଲା ଅମିତ।

ଫାଇନାଲ ମ୍ୟାଚ,ଏକଦମ ଟେନସନ ,ଉତ୍କଣ୍ଠାପୁର୍ଣ୍ଣ।

ଅମିତକୁ ଲାଗୁଥିଲା ଜୀବନଟା ବି ଗୋଟେ କ୍ରିକେଟ ମ୍ୟାଚ।ପ୍ରତିଦିନ ଏଠି ଏକଦିବସୀୟ ନହେଲେ ଟି-20 ମ୍ୟାଚ ଖେଳିବାକୁ ପଡେ।ଘରେ,ବାହାରେ,ଅଫିସରେ ସବୁଠି।ଦେଖିଚାହିଁ ବ୍ୟାଟିଂ,ବୋଲିଂ କରିବାକୁ ପଡେ।

ଯଦିଓ ସେ ମ୍ୟାଚ ଦେଖୁଥିଲା, ତା ମୁଣ୍ଡରେ ଖେଳୁଥିଲା ଆଉଗୋଟେ ମ୍ୟାଚ।

ସ୍ତ୍ରୀ ଲୀନା ଆସନ୍ନ ପ୍ରସବା।ମାସେ ହେଲାଣି ଗାଁ ଘର ତାଲା ପକାଇ,ଗାଁ ଘର ଜମି ଦାଦା, ଖୁଡି'ଙ୍କ ଦାୟିତ୍ୱରେ ଦେଇ,ବୋଉ ଏଠିକି ଚାଲି ଆସିଛି ବୋହୂର ଦେଖାଶୁଣା କରିବ ବୋଲି।ଆଗକୁ, ନାତି/ନାତୁଣୀକୁ ସେ ହିଁ ସମ୍ଭାଳିବ ବୋଲି କହି ବୁଲୁଛି।

" ବୋହୂ କଣ ପାରିବ ନା ଆଉ କିଏ ଏସବୁ ସମ୍ଭାଳିବ ?ଚାକରବାକରଙ୍କ ଭରସାରେ ପିଲାଙ୍କୁ ଜମା ଛାଡ଼ିବନି।ଯେତେଦିନ ମୁଁ ବଞ୍ଚିଛି କିଛି ଚିନ୍ତା ନାହିଁ"।ଅମିତର ପାଦ ଖୁସିରେ ତଳେ ଲାଗୁନଥିଲା।ବୋଉ ତା ପାଖରେ ଏବେ ସବୁବେଳେ ରହିବ।

ଲୀନାର କିନ୍ତୁ ଅଭିଯୋଗ ଆରମ୍ଭ ହୋଇଯାଇଥିଲା।" ବୋଉ ମୋ ପାଇଁ ହଜାରେ କଟକଣା ଲଗାଇ ଦେଲେଣି।ଏଇଟା ଖାଇବୁନି,କିଟି ପାର୍ଟି ଯିବୁନି, ବେଶୀ ଟିଭି ,ମୋବାଇଲ ଦେଖେନା ଇତ୍ୟାଦି ଇତ୍ୟାଦି।ମୋତେ ଅଣନିଶ୍ବାସୀ ଲାଗୁଛି।

ହସିଦେଇ ଅମିତ କହିଲା, " ଜେଜେମା ହେବ ବୋଉ। ତେଣୁ ସେ ଏବେ କ୍ୟାପଟେନ। ତା କଥା ତମକୁ ମାନିବାକୁ ପଡିବ"।

ମ୍ୟାଚରେ ଭାରତୀୟ ବୋଲରଙ୍କୁ ଖୁବ ପ୍ରହାର କରୁଥିଲେ ବିପକ୍ଷ ବୋଲର।କେବଳ ଚଉକା ଓ ଛକ୍କା।ବିରକ୍ତ ଲାଗୁଥିଲା ଅମିତକୁ।ଆମ ବୋଲର ଗୁଡାଙ୍କୁ ସତରେ ବୋଲିଂ ଜଣାନାହିଁ।କ୍ୟାପଟେନ ବି କାହିଁକି ବୋଲର ବଦଳାଉନି ?

ତିନିଦିନ ହେଲାଣି ବୋଉ'ର ପୁରୁଣା ଶ୍ଵାସ ରୋଗ ବାହାରିଛି।ରାତିରେ ବିଚାରୀ ଠିକ୍ ଭାବେ ଶୋଇ ପାରୁନି। ଡାକ୍ତରଙ୍କୁ ଦେଖାଇ ଅମିତ ଔଷଧ ଆଣିଛି। ଏବେ ଭଲ ଅଛି ସେ।ଟିକେ ଟିକେ ଖୁଁ, ଖୁଁ ହେଉଛି।

ଗତକାଲି ଶାଶୁଙ୍କୁ ପହଞ୍ଚିବାର ଦେଖି ଆଶ୍ଚର୍ଯ୍ୟ ହେଲା ଅମିତ । ତାକୁ ନଜଣାଇ, ଲୀନା ତା ମମିଙ୍କୁ ଡକାଇ ଆଣିଛି।

" ବାବା ଅମିତ, ଲୀନା ଦୁର୍ବଳ ହୋଇଯାଇଛି। ଗୋଟେ ରୋଷେଇଆ, ଆଉ ଗୋଟେ ଲୋକକୁ ବୋଲହାକ କରିବାକୁ ରଖ।ଛୁଆ ହେଲେ ତା କାମଦାମ ପୁଣି କିଏ କରିବ ?"

ଅମିତ ପାଟିରୁ ବାହାରି ପଡ଼ିଲା, " ବୋଉ ପରା ନିଜେ ସବୁ କରିବ ବୋଲି କହିଛି।"ଟିଭିରେ ଅମିତ ଦେଖୁଥିଲା, ଭାରତୀୟ ବୋଲର ଜଣଙ୍କ ଚମତ୍କାର ୟର୍କର ବୋଲିଂ କରି ଗୋଟାଏ ଉଇକେଟ ଅକ୍ତିଆର କଲା।ଆଃ, ଏମିତି ସିନା ବୋଲିଂ କରନ୍ତେ।

ଗତକାଲି ରାତିରେ ଲୀନା ସେତିକି ବେଳେ ପାଖକୁ ଆସି ଚୁପ୍ କିନା କହିଲା, " ତମ ବୋଉଙ୍କୁ ବୋଧେ ଟି.ବି ହେଲାଣି।ଏମିତି କିଏ କାଶେ ? ରାତିରେ ମୋତେ ନିଦ ହେଉନି। ଆମ ଛୁଆକୁ ଯଦି ବୋଉଙ୍କ ଠାରୁ ରୋଗ ଡେଇଁବ ?ଇନଫେକସନ ହେବ ?ତମେ ବୋଉଙ୍କୁ ଗାଁରେ ଛାଡିଦିଅ।ମମି ତ ଆସିଗଲାଣି।ଦୁଇଜଣ ମଣିଷ କଣ କରିବେ ଏଠି ?

ଶାଶୁ କହୁଥିଲେ," ଥାଉ , ମୁଁ ଚାଲି ଯାଉଛି।"

ଲୀନା କହିଲା, ତାହେଲେ ମୁଁ ମମି ସହ ଆମ ଘରକୁ ଚାଲିଯିବି।"

ମ୍ୟାଚ ପୁଣି ଦେଖୁଥିଲା ଅମିତ। ବିଶାଳ ସ୍କୋର କରିଛି ବିପକ୍ଷ।ବଡ଼ ଚ୍ୟାଲେଞ୍ଜ ଭାରତ ପାଇଁ।ଗୁଗୁଲି ବୋଲିଂରେ ଧରାଶୟୀ ଭାରତୀୟ ଆଗଧାଡ଼ିର ବ୍ୟାଟ୍ସ ମ୍ୟାନ।

ଘଣ୍ଟାର ପେଣ୍ଡୁଲମ୍ ପରି ଅମିତର ମନ ଗତି କରୁଛି।ବୋଉ ବୋଧେ ଶୁଣିଦେଇଥିଲା କଥା ପଦକ।

ଶୋଇଲା ପୂର୍ବରୁ ପାଖକୁ ଆସି କହିଥିଲା, " ବାପାରେ ,ମୋତେ ଗାଁ ରେ ନେଇ ଛାଡ଼ିଦେ।ସମୁଦୁଣି ତ ଆସିଲେଣି।ଚାଷବାସ ବି ଅନ୍ୟ ଭରସାରେ ଛାଡି ହେବନି।ମୋ ଦିହ ଭଲ ହୋଇଗଲେ ମୁଁ ପୁଣି ଆସିବି।"

"ତୋର ଏ ଅବସ୍ଥାରେ ଗାଁରେ ଏକୁଟିଆ କେମିତି ରହିବୁ ?"

"ଗାଁ ରେ ପୁଣି ଏକୁଟିଆ କଣ ?ଦାଦା,ଖୁଡି ଓ ସାହି ଯାକର ଲୋକ ପରା ଅଛନ୍ତି।"

ଅମିତ ମନରେ ଦ୍ଵନ୍ଦ।କଣ କରିବ ?ଗୋଟେ ପଟେ ବୋଉ ,ଆର ପଟେ ଲୀନାର ଅପରିପକ୍ଵ ଯୁକ୍ତି।

ଚା,ପକୁଡି ନେଇ ଲୀନା ସାମ୍ନା ଟିପୟ ଉପରେ ରଖି ଗେଳ୍ହେଇ ହୋଇ ପଚାରିଲା, " କଣ ଠିକ୍ କଲ ?"

ମ୍ୟାଚର ଶେଷ ଓଭର, ଶେଷ ବଲ୍।ପାଞ୍ଚ ରନ୍ ଦରକାର ଜିତିବା ପାଇଁ।ମିଆଁଦାଦ ପରି ଶେଷ ବଲ୍ ରେ କଣ ଛକ୍କା ମାରିପାରିବ ଏ ବ୍ୟାଟ୍ସମ୍ୟାନ।ନଖ କାମୁଡୁଥିଲା ଅମିତ।

"ବୋଉ ନୁହେଁ, ତମ ମମି ଯିବେ।ଯଦି ତମେ ଚାହଁ ମମିଙ୍କ ସହ ଯାଇପାର।ଭବିଷ୍ୟତରେ ଆମ ଛୁଆକୁ ମୁଁ କହିପାରିବିନି ତା ଜନ୍ମ ପାଇଁ ଜେଜେମାକୁ ଘରୁ ବାହାର କରିଦେଇଥିଲି ବୋଲି ।"

ପ୍ରବଳ ପାଟି ଓ ତାଳିମାଡ଼ ଟିଭିରୁ ଆସୁଥିଲା।ବିପକ୍ଷ ଦଳ ପରି ହତବାକ ହୋଇଯାଇଥିଲା ଲୀନା।

ବାହାରେ ବାଣ ଫୁଟିବାର ଶବ୍ଦ।ବୋଉ ଆସି ପଚାରିଲା,କଣ ହେଲା ?"

"ଭାରତ ମ୍ୟାଚ ଜିତିଗଲା ବୋଉ।"

ଶେଷ ବଲ୍ ରେ ଛକ୍କା ମାରିଥିଲା ବ୍ୟାଟ୍ସମ୍ୟାନ।

😊( ଅରବିନ୍ଦ ଦାସ)


Rate this content
Log in

Similar oriya story from Drama