STORYMIRROR

Nityananda Nandi

Inspirational

4  

Nityananda Nandi

Inspirational

ଶାଶୁଙ୍କ ଫୋନ କଲ୍

ଶାଶୁଙ୍କ ଫୋନ କଲ୍

5 mins
222


ଦୀପାବଳିରେ ବୃନ୍ଦା ଆସିଛି ବାପ ଘରକୁ। ବାହାଘର ପରେ ପ୍ରଥମ ଦୀପାବଳି, ବାପାଘରେ ପ୍ରିୟଜନଙ୍କ ସହିତ ପାଳିବ। ବୃନ୍ଦାର ଖୁସି କହିଲେ ନ ସରେ। 

ଝିଅ ପାଇଁ କେତେ କଣ ଯୋଗାଡ କରିଛନ୍ତି ଗଗନ ସାର୍। ଗାଆଁ ରେ ସମସ୍ତେ ଗଗନ ସାର୍ ବୋଲି ଡାକନ୍ତି, ଜଣେ ଆଦର୍ଶ ଶିକ୍ଷକ ରୂପେ ପରିଚିତ ସେ ଆଖ ପାଖ ଗାଆଁରେ।

ଆମ୍ବ ଗଛ କୋରଡରେ ବଢୁଥିବା ମହୁ ଫେଣାରୁ ମହୁ ବାହାର କରିବା ଅତି କଷ୍ଟକର କାମ ହେଲେ ବି ଗଗନ ସାର୍ ସକାଳଠୁ ଲାଗି ପଡିଛନ୍ତି ସେଇ କାମରେ। ପିଲା ଦିନରୁ ବୃନ୍ଦାର ମହୁ ପାଇଁ ଦୁର୍ବଳତା। ନିଜ ଝିଅର ଖୁସି ପାଇଁ ଗଛ କୋରଡରୁ ତାଜା ମହୁ ଉତ୍ପାଦନ କରିବାରେ ଯୋଉ ମଜା ଥାଏ ତାହା ଅବ୍ୟକ୍ତ। ମନେ ପଡେ, ପିଲା ବେଳେ ବୃନ୍ଦା ପାଇଁ ଏମିତି ମହୁ କାଢ଼ନ୍ତି ସେ ବାଡି ପଛ ମହୁ ବସାରୁ। ମହୁ ଚାଟି ଚାଟି ଖାଇବାରେ ଧୁରନ୍ଦର ଥିଲା ବୃନ୍ଦା। ଅଦ୍ଭୁତ ଥିଲା ସେଇ ଦୃଶ୍ୟ, ଯେତିକି ମହୁ ସେ ଖାଉଥିଲା ତା ଠୁ ଅଧିକ ମହୁ ବୋଳି ହେଇ ଯାଉଥିଲା ବୃନ୍ଦାର ଦେହ ସାରା। ବାପା, ବୋଉ ଲୁଚି ଲୁଚି ଦେଖୁଥିଲେ ତା କାର୍ଯ୍ୟ କଳାପକୁ ଓ ବେଦମ୍ ହେଇ ଯାଉଥିଲେ ହସି ହସି। 


କିଛି ସ୍ମୃତି ମହୁ ପରି ମିଠା, ଆଉ କିଛି ଅଳିଆ ଗଦା ପରି ପାହାଡ ପରି ଦିଶେ ସିନା ଇଚ୍ଛା ହୁଏନି ପଛକୁ ଯାଇ ଘାଣ୍ଟିବାକୁ। ହୃଦୟ ବିଦାରକ ଘଟଣା କୁ କେନ୍ଦ୍ର କରି ଆଉ କିଛି ସ୍ମୃତି ବାର ବାର ଆହତ ହୁଏ ମନ ଭିତରେ.. ଦୁଇ ପାଦ ପଛକୁ ଯାଇ ଗଗନ ସାର୍ କିନ୍ତୁ ମିଠା ମିଠା ସ୍ମୃତି ସବୁ ସାଉଁଟୁ ଥିଲେ।


ଆଜି ବି ବୃନ୍ଦା ମହୁ ଦେଖିଲେ ପାଗଳ ହେଇଯାଏ। ସକାଳ ପାଖରୁ ଗଗନ ସାର ଗୋଟାଏ କାମରେ ହିଁ ବ୍ୟସ୍ତ। ବାର ବାର ମହୁମାଛି ର ଆକ୍ରମଣ କୁ ଭ୍ରୁକ୍ଷେପ ନ କରି ମହୁ ଉତ୍ପାଦନ ରେ ଲାଗି ପଡିଛନ୍ତି ସେ। ଝିଅର ଖୁସି ପାଇଁ ଖସି ଆସିଥିବା ଆକାଶକୁ ଯଦି ଟେକି ରଖିବାକୁ ହୁଏ ଆଗଭର ହୋଇ ଆସନ୍ତି ବାପାମାନେ। ତା ଠାରୁ ବଡ ଉପଲବ୍ଧି କଣ ଆଉ ଅଛି ଏଇ ଦୁନିଆରେ। ଝିଅ ପାଇଁ କିଛି କରି ପାରିଲେ ମନ ଭିତରେ ଅଦ୍ଭୁତ ଗୋଟେ ସମ୍ପୂର୍ଣ୍ଣତାକୁ ଅନୁଭବ କରିହୁଏ ବୋଧେ...  


ବୃନ୍ଦାର ଭାରି ଡର ବମ୍(ବାଣ) ଫୁଟାକୁ। ଗଗନ ବାବୁ ଝରାବତୀ, ଝୁର୍ ଝୁରି, ସାପ, ବେଙ୍ଗ , ଚକ୍ରି, କୁମ୍ପି ବାଣ ସବୁ କିଣି ଛନ୍ତି ବୃନ୍ଦା ପାଇଁ। ବାହାସାହା ହେଇ ଯିବା ପରେ ବି ଏଇ ସବୁ ବାଣ ପାଇଁ ଛୋଟ ପିଲା ପରି ଜିଦ୍ କରିଛି ବୃନ୍ଦା । ଗଗନ ସାର ସ୍କୁଲ ରୁ ଫେରିବା ରାସ୍ତାରେ ଦୁଇ ତିନି ହଜାର ଟଙ୍କାର ବାଣ ନେଇ ଆସିଛନ୍ତି ଘରକୁ। ବୃନ୍ଦା ର ଆକାଶ ଛୁଆଁ ଖୁସି। ବୋଉ ସିଆଡେ କ୍ଷୀରି, ପିଠାପଣା ବନେଇବାରେ ବ୍ୟସ୍ତ। ପ୍ରଥମ ଥର ଝିଅ ଆସିଛି ବାପ ଘରକୁ ବାହାଘର ପରେ। 


ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟେଇ ଫୁଟେଇ ବୃନ୍ଦା ସମ୍ପୂର୍ଣ୍ଣ କ୍ଳାନ୍ତ। ନିଜ କୋଠରୀ ରୁ ଉଠି ଆସି କେତେବେଳେ ବାପା ବୋଉଙ୍କ ମଝିରେ ଶୋଇ ଯାଇଛି, କାହିଁକି କେଜାଣି। ମମତାର ଏକ ଅଦ୍ଭୁତ ଆକର୍ଷଣ। ନା ବୟସର ବନ୍ଧନ ନା ଆଉ କିଛି। ସ୍ନେହ ପିପାସୁ ମନଟା ବୋଧେ ଉତ୍ପାତ କରେ ସମୁଦ୍ରର ବିଶାଳ ଲହଡ଼ି ପରି...ବିଶ୍ରାମ କରେ ଶାନ୍ତ ବେଳାଭୂଇଁରେ, ବାପା ବୋଉକୁ କୋଳେଇ ଶୋଇବାରେ ଯୋଉ ଆନନ୍ଦ, ଭାଷାରେ କଣ ବ୍ୟକ୍ତ କରିହୁଏ। 


ବେଗପତ୍ର ପ୍ରସ୍ତୁତ କରି ଶୋଇଛି ବୃନ୍ଦା। ସକାଳ ଆଠଟା ଲୋକାଲ ଟ୍ରେନ ଧରି ଶାଶୁ ଘରକୁ ଫେରି ଯିବାକୁ ହେବ। ଶାଶୁଙ୍କ ନିର୍ଦ୍ଦେଶ, ଗୋଟାଏ ଦିନରୁ ଅଧିକ ହେବନି ଯେମିତି। ତାଙ୍କ ଘରେ ବି ପିଠାପଣା, ଦେଶୀ କୁକୁଡା ରାନ୍ଧିବେ ଶାଶୁମା ଦୀପାବଳି ପରଦିନ ରାତିରେ। ଯିବାକୁ ହେବ ହିଁ ହେବ। ଗଗନ ବାବୁଙ୍କ ମନ ବୁଝୁନି। ବାଣ ଫୁଟା ପରେ ଅନେକ ବୁଝେଇଛନ୍ତି ସେ ବୃନ୍ଦାକୁ। "ଆଉ ଗୋଟାଏ ଦିନ ରହିଯା। ଖାସି ମାଂସ ଆଣିବି, କାଲି ରାତିରେ ଭୋଜି କରିବା। କହିବୁ ଯଦି ତୋ ଶାଶୁ ଙ୍କୁ ଫୋନ କରି ଅନୁରୋଧ କରିବି"। 


ଗତ କାଲି ଗୋଡ କଚାଡି ଜିଦ୍ କରୁଥିବା ବୃନ୍ଦା ଆଜି ବାପା ବୋଉ ଙ୍କ ସ୍ନେହ ଆଉ ଶାଶୁଙ୍କ ନିର୍ଦ୍ଦେଶ ଭିତରେ ଚାପି ହେଇ ଯାଉଥିଲା ଯେମିତି। କାକୁତି ମିନତି ଭିତରେ ବାପାଙ୍କ ସ୍ନେହର ଉଷ୍ମତା କୁ ସ୍ପଷ୍ଟ ମାପି ହେଉଥିଲେ ବି ସମର୍ପଣ କରିବାର ସମସ୍ତ ଅଧିକାର ହରେଇ ବସିଲା ଭଳି ଲାଗୁଥିଲା ବୃନ୍ଦାକୁ। ଖୋଲା ମେଲା ସମୁଦ୍ରର ପାଣି ନୁହେଁ ଯେ ଯୁଆଡେ ଇଚ୍ଛା ସିଆଡେ ବହିଯିବ।

ହଁ ବି କହୁ ନ ଥିଲା, ନା ବି କହୁ ନ ଥିଲା ବୃନ୍ଦା। 


ଗଗନ ବାବୁ ନିଶ୍ଚିନ୍ତ ରେ ଶୋଇଲେ। ସକାଳ ହେଲା, ରବିବାର ଥିଲା ସେଦିନ। ସଅଳ ଉଠି ହାଇ ମାରୁଛନ୍ତି ବାରଣ୍ଡାରେ ବସି। ବୃନ୍ଦା ଏତେ ଶୀଘ୍ର ବାହା ହେଇ ଚାଲିଯିବ ବୋଲି କେବେ ଭାବି ନ ଥିଲେ। 

"ଆମ ବୃନ୍ଦା ଲକ୍ଷେରେ ଗୋଟାଏ। ଭାରି ଦୟାଳୁ। ଛୋଟ ବେଳେ ରବର, ପେନ୍ ସିଲ ସବୁ ଗରିବ ଛୁଆଙ୍କୁ ବାଣ୍ଟି ଦେଇ ଆସି କହେ, ବାପା ମୋ ପେନସିଲ୍ କୁଆଡେ ହଜିଗଲା। ଆଉ ଗୋଟେ କିଣି ଦିଅ। ଶ୍ରେଣୀ ଶିକ୍ଷକ ଦିନେ ମୋତେ ସବୁ କଥା କହିଲେ ବୋଲି ଜାଣିଲି। ତା'ରି କଥାକୁ ବିଶ୍ୱାସ କରି ଚାଲିଥିଲି ସେତେ ପର୍ଯ୍ୟନ୍ତ। ବାଡେଇ ବାକୁ ଭାରି ଇଚ୍ଛା ହେଉଥିଲା ସେଦିନ। ତଥାପି ପିଟି ନ ଥିଲି, ତାକୁ କଷ୍ଟ ହେବ ବୋଲି। ପିଲାଦିନେ ଗୋଟାଏ ଡେଣା ନ ଥାଇ ଛଟ ପଟ ହେଉଥିବା ପ୍ରଜାପତି ଉପରେ ପାଣି ଛିଞ୍ଚୁଥିଲା। ପାଣି ପିଇଲେ ପ୍ରଜାପତିଟି ଉଡିଯିବ ବୋଲି ଅତୁଟ ବିଶ୍ୱାସ ରଖୁଥିବା ବୃନ୍ଦା ଆଜି ଶାଶୁଙ୍କ କଥାକୁ ଅମାନ୍ୟ କଲେ ଅମଙ୍ଗଳ ହେବ ବୋଲି ବେଶ୍ ବୁଝି ପାରିଛି। କେତେ ଶୀଘ୍ର ବଡ ହେଇ ଯାଆନ୍ତି ଝିଅ ମାନେ। କେତେ ଶୀଘ୍ର ଦାୟିତ୍ବବାନ ହୋଇ ଯାଆନ୍ତି ସେମାନେ..

ଯେତେ ଯାହା ହେଉ ନା କାହିଁକି, ବୃନ୍ଦାକୁ ଆଜି ଅଟକି ରଖିବି। କାଲି ଯିବ ଶାଶୁ ଘରକୁ। କଣ ହେବ ଯେ, ଆକାଶ ତ ଆଉ ଖସି ପଡୁନି।"  


ବେଳେ ବେଳେ ଇଚ୍ଛା ହୁଏ ଝିଅଟା ଛୋଟ ହେଇ ଯା'ନ୍ତା କି, ହାତ ଧରି ଗାଆଁ ଦାଣ୍ଡରେ ପୁଣି ଥରେ ଚାଲନ୍ତେ ଗଗନ ସାର୍। ଡେଣା ନ ଥିବା ସ୍ବପ୍ନ ପରି କିଛି ଇଚ୍ଛା ଅଟକି ଯାଏ ସମୟର ପାଚେରୀ ପାଖରେ। ତଥାପି ଗଗନ ସାର୍ ଆଶାବାଦୀ, ବୃନ୍ଦା କଥା ରଖିବ।


ସିଆଡେ ଗାଧୋଇ ପାଧୋଇ ଶାଢୀ ପିନ୍ଧି ପ୍ରସ୍ତୁତ, ବୃନ୍ଦା। ଗଗନ ସାର୍ ଦୁଃଖରେ ଭାଙ୍ଗି ପଡିଲେ। ରାତିରେ ଏତେ ବୁଝେଇବା ପରେ ବି ସେ ବୁଝିଲାନି। ଗୁମ୍ ମାରି ବସିଲେ ସେ। ଆଉ ଅଧା ଘଣ୍ଟା ଅଛି। ଲୋକାଲ ଟ୍ରେନଟା ଆସି ଛିଡା ହେବ ଘର ଆଗରେ। 


ସିଆଡେ ଅଡୁଆ ପରିସ୍ଥିତି ଉପୁଜିଛି ବୃନ୍ଦା ପାଇଁ। ଭେନିଟ ବେଗଟା ପାଉନି। ମନି ପର୍ସ, ପଇସା ପତ୍ର ସବୁ ତାରି ଭିତରେ ଅଛି। ଘର ସାରା ସବୁ ଆଡେ ଖୋଜି ସାରିଲାଣି ବୃନ୍ଦା। କାଲି ରାତିରେ ପଡୋଶୀ ଘର ଝିଅମାନେ ବାଣ ଫୁଟାଇବାକୁ ଆସିଥିଲେ, ସେମାନେ ଆଉ ନେଇ ଗଲେ କି ?

ରୋଷେଇ ଘର, ବୈଠକ ଘରେ, କପବୋର୍ଡ, ଆଲମୀରା ସବୁ ଦରାଣ୍ଡି ସାରିଲାଣି ସେ। କାନ୍ଦି ପକେଇଲା ବୃନ୍ଦା। ବୃନ୍ଦା ଆଖିରେ ଲୁହ ଦେଖି ସହି ପାରିଲେନି ଗଗନ ସାର୍। ଉଠି ଯାଇ ଶୋଇବା ଖଟ ତଳକୁ ନଇଁ ପଡି ଭେନିଟ୍ ବେଗ ଟାକୁ ନେଇ ଆସିଲେ।


ବାପା ! ତମେ ଲୁଚେଇ ଦେଇଥିଲ ମୋ ବେଗ ଟି କୁ..


ଗଗନ ବାବୁ ଆଖିରୁ ଦୁଇ ଟୋପା ଲୁହ ବହି ଆସିଲା। କହିଲେ, ଛୋଟ ବେଳେ ଠିକ୍ ଏମିତି ରବିବାର ଦିନ ବହୁତ ଜରୁରୀ କାମରେ ସ୍କୁଲ ଯିବାକୁ ଥିଲା। ମନେ ଅଛି ନା, ତୁ ମୋ ସ୍କୁଲ ବେଗ ଲୁଚେଇ ଦେଲୁ, ଏଇଥି ପାଇଁ ଯେ ମୁଁ ସ୍କୁଲ ଯାଇ ପାରିବିନି। ତୋ ସ୍ନେହର ଅଠାରେ ମୁଁ ବାନ୍ଧି ହେଇ ଯାଇଥିଲି ସେଦିନ, ମୁଁ ସ୍କୁଲ ଯାଇ ନ ଥିଲି। ଆଜି କାହିଁକି କେଜାଣି ମନ ହେଲା, ତୋ ବେଗ ଟା ଲୁଚେଇ ଦେବାକୁ। ଭାବିଲି, ତୁ ବି ଶାଶୁ ଘରକୁ ଯିବୁନି। ମୋ କଥା ରଖିବୁ।

ଆଖିରୁ ଦୁଇ ଟୋପା ଲୁହ ବୋହି ଆସିଥାଏ ବୃନ୍ଦାର।


"ମୁଁ ନିରୁପାୟ ବାପା, ତେଣେ ଶାଶୁଙ୍କ ମନ ଭାଙ୍ଗିଯିବ। ତମେ କେତେଥର ବୁଝେଇଛ ନା.. ଶାଶୁ ଶ୍ୱଶୁର ଙ୍କ ମନ କୁ ଜିତିଲେ ସାରା ପୃଥିବୀ କୁ ଜିତି ହୁଏ ବୋଲି। ସଂସ୍କାର ତମେ ଦେଇଛ। ମୁଁ ଅଧା ଅଧା ବାଣ୍ଟି ହେଇ ଯାଇଛି ଦୁଇ ଘର ଭିତରେ... ମୋତେ ଯିବାକୁ ଦିଅ ବାପା, ମୋତେ ଯିବାକୁ ଦିଅ।"


ଶାଶୁଙ୍କ ପାଖରୁ ହଠାତ୍ ଫୋନ ଆସିଲା, 


"ପଡୋଶୀ ଘରେ ଆଜି ସତ୍ୟ ନାରାୟଣ ପୂଜା ଅଛି। ଆଜି ଆଉ ଦେଶୀ କୁକୁଡ଼ା ସମ୍ଭବ ନୁହେଁ, ବାପା ଘରେ ରହିବାକୁ ଇଚ୍ଛା ଥିଲେ ଆଉ ଗୋଟେ ଦିନ ଅଧିକା ରହି କି ଆସ, ସେମାନେ ଖୁସି ହେବେ.."

ବାପା ! ଶାଶୁ କହୁଛନ୍ତି ଆଉ ଗୋଟେ ଦିନ ତମ ଘରେ ରହିବି..

ବାପାଙ୍କୁ କୋଳେଇ ନେଲା ବୃନ୍ଦା । ଶୀତୁଆ ସକାଳର ସୂର୍ଯ୍ୟ ଆସି ନିମ୍ବ ଗଛ ଉପରେ ଛିଡା ହେଲାଣି। ଖରା ଆସିଛି ବୋଲି ଜଣା ପଡୁ ନ ଥାଏ। ବାପାଙ୍କ ଲୁହର ଉଷ୍ମତା କିନ୍ତୁ ସ୍ପଷ୍ଟ ବାରି ପାରୁଥିଲା ବୃନ୍ଦା। ବାପା କହିଲେ ଆଜି ରାତିରେ ଖାସି ମାଂସ ପକ୍କା...କାହିଁକି କେଜାଣି, ସ୍ପଷ୍ଟତା ନ ଥିଲା ତାଙ୍କ କଥାରେ...

ବୋଉ, କବାଟ ପାଖରେ ଛିଡା ହୋଇ ଆଖି ପୋଛି ହେଉଥାଏ।



Rate this content
Log in

Similar oriya story from Inspirational