Trupti Paikaray

Comedy

3.7  

Trupti Paikaray

Comedy

ଶାଶୁ ପଟାପଟି ଟ୍ରେନିଂ

ଶାଶୁ ପଟାପଟି ଟ୍ରେନିଂ

4 mins
14.7K


“ଶାଶୁ ପଟାପଟି ଟ୍ରେନିଂ”

ଆଜିକାଲି ତ ଯୁଗ ବଦଳି ଗଲାଣି କାହିଁରେ କଣ I ସବୁ ଜିନିଷ, ସବୁ ଶିଖିବା ବା ପଢିବା ପାଇଁ ହେଲେ ସେଥିପାଇଁ ଟ୍ରେନିଂ ନେବାକୁ ପଡୁଛି I ଯାହା ଫଳରେ କି ଲୋକମାନଙ୍କୁ ଆଗକୁ ହଇରାଣ ହବାକୁ ପଡ଼ିବନି I  କିନ୍ତୁ ଗୋଟିଏ ଜିନିଷ ପାଇଁ କିଛି ଟ୍ରେନିଂ ମିଳୁନି, ଯାହା ଫଳରେ ମହାଭାରତ ଯୁଦ୍ଧ ହୋଇ ଯାଉଛି I ତାହାହେଲା, ବାହାଘର ପରେ ଶାଶୁବୋହୁଙ୍କ ମଧ୍ୟରେ ଚୁଟି ଟଣାଟଣି I  ଯେମିତି ଆଇ.ଏ.ଏସ , ଓ.ଏ.ଏସ ପାଇଁ ପିଲାମାନେ କୋଚିଂ ନେଉଛନ୍ତି, ବିଉଟିସିଆନ ହେବାପାଇଁ କୋର୍ସ କରୁଛନ୍ତି, ସେମିତି ଶାଶୁମାନଙ୍କ ସହ ତାଳଦେଇ ଚାଲିବାକୁ ବି ଟ୍ରେନିଂ ଦରକାର I  ତେଣୁ ମୋ ମନକୁ ଗୋଟେ ବୁଦ୍ଧି ଆସିଲା, ଭାବିଲି ମୋ ଭଉଣୀ ମାନଙ୍କୁ ଏ ବିଷୟରେ କିଛି ଟ୍ରେଂନିଂ ଦେଇଦେବି, ଯାହାଫଳରେ ସେମାନଙ୍କର ଶାଶୁମାନଙ୍କ ସହିତ ଭାରି ଭଲ ପଟିବ I ରୋଷେଇବାସ ତା ଶିଖି ହେଇଯିବ ସହଜରେ I ସ୍ଵାମୀମାନଙ୍କ ସହ କେମିତି କଥାବାର୍ତ୍ତା କରି ତାଙ୍କ ମନ ଜିଣିହେବ, ତାହାତ ଆମ କଲେଜ କ୍ୟାଣ୍ଟିନ, ଲାଇବ୍ରେରୀ, କୁଞ୍ଜବନ ଆଡକୁ ଲକ୍ଷ୍ୟକଲେ ଜାଣିହେବ "କେମିତି ପ୍ରେମିକା ମାନେ ତାଙ୍କ ପ୍ରେମିକ ମାନଙ୍କୁ ଇମ୍ପ୍ରେସ କରିବାକୁ କଥା କୁହନ୍ତି, ଆଉ କଣକଣ କରନ୍ତି" I

 

କିନ୍ତୁ ଶାଶୁଘରେ କଡାରୋଲ ଶାଶୁମାନଙ୍କର I  ତେଣୁ ଶାଶୁମାନଙ୍କ ମନନେଇ ଚାଲିବାକୁ ହେଲେ, ସେମାନଙ୍କ ମାନସିକ ସ୍ଥିତି ବୁଝିବାକୁ ହେବ, ଯାହାକି ଝିଅମାନେ କିଛି ପରିମାଣରେ ହଷ୍ଟେଲରେ ରହିବା ସମୟରେ ଶିଖିପାରିବେ I  ମୋର ଭଉଣୀମାନେ, ସର୍ବପ୍ରଥମେ ତୁମାନଙ୍କୁ ମୋର ହୃଦୟଭରା ଅନୁରୋଧ, ନିଜେ ତୁମେମାନେ ତ ହଷ୍ଟେଲରେ ରହୁଛ I  ତୁମେ ତୁମ ଝିଅମାନଙ୍କୁ ହଷ୍ଟେଲରେ ରହିବାକୁ ନିଶ୍ଚୟ କହିବ I କାରଣ ଏଠି ଥରେ ରହିଗଲେ ସବୁପ୍ରକାର ଶାଶୁମାନଙ୍କ ସହିତ ଚାଲିବାକୁ ପୁରାପୁରି ସହଜ ହୋଇଯିବ I ମୋ କଥା ଛାଡ, ମୁଁ ତ ଏତେ ବର୍ଷ ହଷ୍ଟେଲରେ ରହିଗଲିଣି ଯେ, ସବୁପ୍ରକାର ଝିଅମାନଙ୍କୁ ଦେଖିଦେଖି ସେମାନଙ୍କ ସହ ମିଶିମିଶି ମୋର ଦେହସୁହା ହୋଇଗଲାଣି I ତେଣୁ ମୁଁ ଶାଶୁଘରକୁ ଗଲେ ମୋର ଆଉ ଅସୁବିଧା ହେବନି I ହେଲେ ଭାବିଲି ମୋ ଭଉଣୀମାନଙ୍କୁ ଟିକେ ଜ୍ଞାନ ବାଣ୍ଟିଦେଇ ଯିବି I

ଏଇ ହଷ୍ଟେଲରେ ବିଭିନ୍ନ ପ୍ରକାର ଶାଶୁମାନଙ୍କ କାର୍ବନ କପି ରହନ୍ତି I ସେମାନଙ୍କ ମଧ୍ୟରେ ଭୁରୁଙ୍ଗିମୁହିଁ ଶାଶୁ, କର୍ମକୋଢି ଶାଶୁ, ଝଗଡ଼ାଲୁ ଶାଶୁ, ଛାଁଟମରା ଶାଶୁ, ମନ୍ଥରା ଶାଶୁ, ମାୟାବତୀ ଶାଶୁ, ରୋମାଣ୍ଟିକ ଶାଶୁ, ଗୁମସୁମ ଶାଶୁ, ପୁସ୍ତକକୀଟ ଶାଶୁ, ବକରବକର ଶାଶୁ, ଆଉ ମାଆ ପରି ସ୍ନେହ ଦେଉଥିବା ଶାଶୁମାନଙ୍କର ଜୁନିଅରମାନେ ଏଠାରେ ରହନ୍ତି I ଏମାନଙ୍କ ସହିତ ତୁମେ ଯଦି ଚଳିଯିବ, ତୁମ ଶାଶୁଘର ସୁଖ ବଢ଼ିଯିବ I

ପ୍ରଥମେ ହେଲା ଭୁରୁଙ୍ଗିମୁହିଁ ଶାଶୁ, ଏହି ଗୋଷ୍ଠୀର ଶାଶୁମାନଙ୍କ ସଂଖ୍ୟା ଏଠାରେ ଅଧିକ I  ଲକ୍ଷେ ଟଙ୍କା ତାଙ୍କର କିଏ ନେଲାପରି ଭୁରୁଙ୍ଗା ମୁହଁ କରି ବସିଥିବେ I ତୁମେ ମଲେ ତାଙ୍କର ନା ଚିନ୍ତା, ନା ଗଲେ ଚିନ୍ତା, ତେଣୁ ଏମିତି ପିଲାଙ୍କ ସହ ଖାଲି ଟିକେ ତେଲମାଲିଶ କଲାଭଳି କଥାଟିକେ ହେବ I ତାପରେ ଦେଖିବ ସେମାନେ ପୁରାପୁରି ଖୁସି I ଏହି ଗୋଷ୍ଠୀର ଶାଶୁମାଙ୍କୁ ଏମିତି ପଟେଇ ହେବ I

ତାପରେ ଆସିଲେ କର୍ମକୋଢି ଶାଶୁ I ଏମାନଙ୍କ କଥା ନକହିଲେ ଭଲ I କୁଟାଖଣ୍ଡକୁ ଦିଖଣ୍ଡ ବି କରିବେନି I ତୁମେ କାମ କରିକରି ଅଣ୍ଟାପିଠି ଦରଜ ହେଇଯିବ, ହେଲେ ଏମାନେ ଏଡ଼େଏଡ଼େ ଦୁଇ ଆଖିରେ ତୁମଆଡେ ଅନେଇ ରହିଥିବେ I ଏହି ଶାଶୁମାନଙ୍କୁ ପଟେଇବାକୁ ହେଲେ, ଆପଣ ହଷ୍ଟେଲରେ ଥିବା ଏମାନଙ୍କର ଜୁନିଅରମାନଙ୍କୁ ପଟେଇବା ଶୈଳୀ ଶିଖିବା ଦରକାର I

ତୃତୀୟ ଗୋଷ୍ଠିରେ ଆସିଲେ ଝଗଡ଼ାଲୁ ଗୋଷ୍ଠୀର ପିଲାମାନେ I ଏମାନେ ଭାରି ବିପଦଜନକ, ଖାଲି କଜିଆ କରିକରି ସବୁ ଫଟେଇଫାଟେଇ ଦେବେ I ଏମାନଙ୍କୁ ସାବଧାନ, ଏମାନଙ୍କ ସହ ଟିକେ ଟେଢା ହୋଇ ଚଳିବାକୁ ପଡିବ I ଯାହା କହିବେ ହଁ ହଁ  କହିଦେଇ ସେଠୁ ଛୁ ହୋଇଯିବ I ଏପରି ଝଗଡ଼ାଲୁ ଶାଶୁଙ୍କୁ ଏମିତି ଶାନ୍ତ କରିହେବ I

ଚତୁର୍ଥ ଗୋଷ୍ଠୀର ଆସିବେ ଛାଁଟମରା ଶାଶୁମାନଙ୍କର ଡୁପ୍ଲିକେଟ I ଏମାନଙ୍କ ଜୀବନ, ଆଇନା, ଲିପିସ୍ଟିକ, ପାଉଡର ଇତ୍ୟାଦି ଜିନିଷକୁ ନେଇ ଗଠିତ I ଏମାନଙ୍କୁ ଟିକେ ମେକ-ଅପ ଜିନିଷ ଧରେଇଦେଲାପରେ ସେ ପଟିଯିବେ I ତେଣୁ ଭବିଷ୍ୟତରେ ଯଦି ଏମିତିକା ଶାଶୁ ମିଳନ୍ତି, ତାହାହେଲେ ଏହି ମନ୍ତ୍ର ପଢିଦେବ I

ତାପରେ ଆସିଲେ ମନ୍ଥରା ଶାଶୁ I ଏମାନେ ଯାତ୍ରା ମଝିରେ ଷଣ୍ଢ ପୁରେଇଦେବେ I  ଆ କଥା ନେଇ ତା ଆଗରେ, ତା କଥା ନେଇ ଆ ଆଗରେ, ଝଗଡା କରାଇଦେବେ I ଏମାନଙ୍କ ଆଗରେ କିଛି କଥା କହିବନି, ସେମାନେ ବି ଚୁପ, ତୁମେ ବି ଚୁପ I ଏହିପ୍ରକାର ଶାଶୁମାନଙ୍କ ତୋଡ ଭାଙ୍ଗିବାକୁ ହେଲେ ଏହି ଗୋଷ୍ଠୀର ଜୁନିଅରମାନଙ୍କ ସହିତ ଏମିତି ଆଗ ମିଶିବା ପ୍ରାକ୍ଟିସ କରିବା ଦରକାର I

ହେମାମାଳିନୀ ଶାଶୁ ଗୋଷ୍ଠୀର ଝିଅମାନେ ନିଜକୁ ହେମାମାଳିନୀ ଭାବନ୍ତି I ସମସ୍ତଙ୍କୁ ଖାଲି କମେଣ୍ଟ କରନ୍ତି, କାହା ମୁହଁ ଏମାନଙ୍କୁ ଭଲ ଲାଗେନା I ତେଣୁ ଏମାନଙ୍କୁ ଖାଲି ସୁନ୍ଦର ସୁନ୍ଦର କହି ପଛେପଛେ ଗୋଡାଉଥିବ I ତାହେଲେ ଏମାନେ ଖୁସ ଆଉ ତୁମେ ବି ଖୁସ I ଭବିଷ୍ୟତରେ ଏମିତି ଶାଶୁ ମିଳିଲେ ସେମାନଙ୍କୁ ଏମିତି ମାଲିସ କରିବ I

ସପ୍ତମ ଗୋଷ୍ଠୀରେ ରହିଲେ ମାୟାବତୀ ଗୋଷ୍ଠୀର ଶାଶୁ ଜୁନିଅର I ନିଜକୁ ଏମାନେ ବଡ ନେତ୍ରୀ ଭାବନ୍ତି I ଖାଲି ଉପରେ ପଡି ମାମଲତି I ଏମାନଙ୍କୁ ଖାଲି ରାଜନୀତି ମନ୍ତ୍ର ପଢେଇବ I

ରୋମାଣ୍ଟିକ ଗୋଷ୍ଠୀର ଶାଶୁ, ଏମାନଙ୍କ ସଂଖ୍ୟା ହଷ୍ଟେଲରେ ଅଧିକ ଥାଏ I ସଦାସର୍ବଦା ପ୍ରେମ, ଭଲପାଇବା ଦୁନିଆରେ ବ୍ୟସ୍ତ I ଏହି ପ୍ରକାର ଶାଶୁଙ୍କୁ ଖାଲି ପ୍ରେମମନ୍ତ୍ର ଫୁଙ୍କିଫୁଙ୍କି ଥଣ୍ଡା କରେଇବ I 

ତାପରେ ଆସିଲେ ପୁସ୍ତକକୀଟ ଦଳ I ବହିଧରି ଏମାନେ ଖାଆନ୍ତି, ଶୁଅନ୍ତି, ଉଠନ୍ତି ଆଉ ବସନ୍ତି I ଏମିତିକା ପିଲାଙ୍କୁ ଖାଲି ବହି ଯୋଗାଇବ, ଏହିପ୍ରକାର ପିଲାମାନଙ୍କ ସହ ମିଶିଗଲେ, ଭବିଷ୍ୟତର ଭାଗବତ, ଗୀତା, ଗଳ୍ପପଢା ଶାଶୁମା'ଙ୍କ ସହ ଆରାମରେ ଚଳିହେବ I

ଆଉ ବକରବକର ଗୋଷ୍ଠୀର ଶସୁମାନଙ୍କ କାର୍ବନ କପି, ଏମାନେ ମୁଣ୍ଡବ୍ୟଥା କରାଇବାରେ ପୁରା ସାହାଯ୍ୟ କରନ୍ତି, ବେଳେବେଳେ ଡ଼ିସପ୍ରିନଠାରୁ ଆହୁରି ପାୱାରଫୁଲ ମେଡ଼ିସିନ ବି ଦରକାର ପଡେ, କାରଣ ଏମାନଙ୍କ ବକରବକର ଶୁଣିଶୁଣି ମୁଣ୍ଡବିନ୍ଧେ I ଏପରି ଶାଶୁଙ୍କୁ ହଁ, ନା ରେ ଉତ୍ତର ଦେଇ ସେଠୁ ପାରହେଇ ନିଜ କାମରେ ଲାଗିଯିବ, ନହେଲେ ତାଙ୍କ ଗପ ସରିବନି I

ଶେଷକୁ ମାଆ ପରି ସ୍ନେହ କରୁଥିବା ଶାଶୁମା’ଙ୍କ କଥା, ଏମାନେ ଭାରି ଭଲ I କୋଟିଜନ୍ମର ପୁଣ୍ୟ ଥିଲେ ଏମିତିକା ଶାଶୁ ମିଳନ୍ତି I ଏମାନଙ୍କ ପାଦତଳେ ପଡିଯିବାକୁ ଇଛାହୁଏ I ଏମାନଙ୍କ ହାର୍ଟ ଫୋର ଚ୍ୟାମ୍ବରଡ଼ ନହୋଇ ଏଇଟ ଚ୍ୟାମ୍ବରଡ଼ ହୋଇଥିବ I ନିଶ୍ଚୟ ବହୁତ ବଡ ହାର୍ଟ ହୋଇଥିବ, ନହେଲେ ଏତେ ପ୍ରେମ, ସ୍ନେହ କେଉଁଠୁ ବା ଆସିବ I ଏମାନେ ହେଲେ ପ୍ରକୃତରେ ସ୍ନେହମୟୀ ଶାଶୁ, ଯେଉଁମାନଙ୍କ ସହ ସାରା ଜୀବନ ରହିଲେ ଜୀବନ ଧନ୍ୟ ହେଇଯିବ I  ତେଣୁ ପିଲାମାନେ ଦିନରାତି ଭଗବାନଙ୍କୁ ବସି ଜପ, ହନୁମାନଚାଲିଶା ପଢ, ଗୀତା ପଢ, ଭଲଦିଗକୁ ଗତିକରିବା ସଂଗେସଂଗେ ଏହିପରି ଶାଶୁ ଯେମିତି ମିଳିବେ I ଏହା ହେଲା ଶାଶୁମାନଙ୍କୁ ପଟେଇବା ପାଇଁ ବିନାମୁଲ୍ୟରେ ମିଳୁଥିବା ଟ୍ରେନିଂ I

 

TRUPTI…..


Rate this content
Log in

Similar oriya story from Comedy