Satyabati Swain

Inspirational

3  

Satyabati Swain

Inspirational

ଶାଶୁ ମୋ ମା

ଶାଶୁ ମୋ ମା

3 mins
285



ଚତୁର୍ଥୀ ବାସି।


ନୂଆ ବୋହୂ ଶାଗ ଭାଜି ଦେଇପିଣ୍ଡି ଓ ବାରିଆଡ଼େ ଶାଗ ପଖାଳ ବାଢିବା କୁଆଡେ ଗୋଟେ ବିଧି ଗାଁ ଗାଉଁଳି ରେ।


ଚତୁର୍ଥୀ ବାସି ମୋତେ ଏ ଅତି ଭୟ କରୁଥିବା ପରୀକ୍ଷାଟି ଦେବାକୁ ଚୁଲି ପାଖକୁ ଡକା ଗଲା।


କଣ କରିବି ସବୁ ପାଠରେ ଧୁରନ୍ଧର ମୋ ପାଠୁଆ ମୁଣ୍ଡଟି ଟିଣ ହେବାକୁ ବସିଲା।ମୁଁ ଜାଣି ନଥିଲି ଶାଗ କିପରି ଭଜା ହୁଏ।ତେଲ କଡେଇରେ ଆଗ ପଡେ କି ଫୁଟଣ,ଲଙ୍କା ପିଆଜ ସେତକ ମାଲୁମ ନଥିଲା।କଣ କରିବି, କଣ କରିବି ଭାବି ଭିତରେ କୁହୁଳି ହେଲି।ଘରେ କୁଣିଆଁ ଭର୍ତ୍ତୀ।ଏଇଲେ ସମସ୍ତେ ହସିବେ ବୋହୂକୁ ଶାଗ ଭଜି ଆସୁନି କହି।ହେ ପ୍ରଭୁ କିଛି ଗୋଟେ ଚମତ୍କାର କର।ଏଥରକ ମା ପାଖରୁ ସବୁ ରୋଷେଇ ଶିଖି ଆସିବି ପକ୍କା।ଜେଜେ ଲୋ ତୋ କଥା ମାନି ଥିଲେ ଆଜି ଏ ଦହଗଞ୍ଜ ହେବାକୁ ପଡି ନଥାନ୍ତା।


ସେଦିନ ଚୁଲି ରୋଷେଇ ପାଖେ ଅସହାୟତାରେ ଲୁହ ମୋ ନାକ ଓ ଆଖି ପଟେ ବୋହି ମୋ ଛାତି ଓଦା କଲେଣି ସେତେବେଳେକୁ।


ମୋ ପଛରେ କିଏ ? ଚମକି ପଡିଲି ଏ ତ ମୋର ଶାଶୁ ମା ହେବେ।


ଭୟରେ ଜଡ ସଡ଼ ହୋଇଗଲି।ଆଖି ଆଗରେ ନାଚି ଗଲା ବୋହୂ ପୋଡ଼ା, ବୋହୂକୁ ଗୋରୁଙ୍କ ପରି ବାଡେଇଁବା ,ମାରି ଦୌଡ଼ିରେ ଟାଙ୍ଗିବା, ମାରି ପାଣି ପୋଖରୀରେ ଫୋପାଡି ଦେବା।ବିଚିତ୍ର ବିଚିତ୍ର ଦୃଶ୍ୟ ମୋ ଭିତର ଦିଶିଗଲେ।


କିନ୍ତୁ ଶାଶୁ ମା ମୋର ଅତି ଭଲ ମଣିଷ ଥିଲେ।ବୋଧେ ସାଙ୍ଗେ ସାଙ୍ଗେ ପାଣି ଢାଳି ହୋଇ ଆସିଛନ୍ତି ଓଦା ଲୁଗାରେ।ଅଗାଧୁଆ ଛୁଇଁବେ ନାହିଁ ନା ରୋଷେଇ !


ମୋତେ ଅତି କୋମଳ ସ୍ୱରରେ ଠିକ୍ ମୋ ମା ପରି କହିଲେ, ତେଣିକି ବସ ଟିକେ ତ ମିଠି।ମୁଁ ଶାଗ ଭାଜୁଛି ଦେଖ।ଏଇଟା ଗୋଡେ ପୁରୁଣା କାଳିଆ ବିଧିଟିକୁ କିଏ ରଖିଛି କେଜାଣି।ଯେତେ ସବୁ ସମାଜର ଲକ୍ଷ୍ମଣ ଗାର ଖାଲି ଝିଅଙ୍କ ପାଇଁ।


ମୁଁ ଟିକେ ମୋ ଶାଶୁଙ୍କ ମୁହଁକୁ ଅନେଇଁଲି।ସତେକି ଶାଶୁ ନୁହାନ୍ତି ଜଣେ ଅଭିମାନୀ ଝିଅ ଠିଆ ହୋଇଥିଲେ।ପ୍ରଥା ପରମ୍ପରା ବିରୋଧ କରୁଥିବା ନାରୀ।ବିଦ୍ରୋହୀ ମନଟି କିନ୍ତୁ ଜାକି ଜୁକି ଶୋଇ ପଡିଛି ପ୍ରଥା ପରମ୍ପରା ଶଗଡ଼ ଗୁଳାରେ ଚାଲି ଚାଲି।


ମୋ ପରି ବୋଧେ ଶାଶୁ ମା ବାଧ୍ୟ ବାଧକତାର ଜୀବନ ବଞ୍ଚିଛନ୍ତି।ସବୁ ଝିଅଙ୍କ ଜୀବନ ଏମିତି ! ଏ ପ୍ରଶ୍ନ ଖୁବ୍ ଆନ୍ଦୋଳିତ କଲା ମୋତେ।


ତୋତେ ରୋଷେଇ ଆସେନି ତ; କଣ ହେଲା ମୁଁ କଣ କରିବି କି? ଏଇ ସାମାନ୍ୟ କଥାରେ କାନ୍ଦୁଛୁ ? ଶୁଣ୍ ମୋତେ ତୋ ମା ଭାବିବୁ। ସବୁ ମନ ଖୋଲି କହିବୁ।କିଛି ଅସୁବିଧା ହେବ ନାହିଁ।ଏମିତି ସ୍ନେହ ବୋଲା କଥା କହିବା ଭିତରେ ଠିଆ ଠିଆ ଶାଶୁ ମା ଚୁଟ୍କେ ଶାଗ ଭାଜି ଦେଲେ।କହିଲେ ଶାଗ ଫକା ସିଝା କଲେ ସ୍ୱାଦ ଲାଗେ।


ତାପରେ ମୋତେ ସାଙ୍ଗରେ ନେଇ ଦେଇପିଣ୍ଡି ଓ ବାରିଆଡ଼େ ଶାଗ ପଖାଳ ଦେଲେ।


ଓଃ ଅତି ବଡ଼ ଗୋଟେ ପରୀକ୍ଷା ମୋର ସରି ଗଲା ସେଦିନ।


କିନ୍ତୁ ସେବେଠାରୁ ଯେବେ ଶାଗ ଭାଜିଛି ;ଏତେ ଟେଷ୍ଟି ହୁଏ ଯେ ସମସ୍ତେ କୁହନ୍ତି ଶାଶୁ କୁ ବୋହୂ ବଳି ଗଲା।ଏହାର ଅର୍ଥ ଏଇଆ ଯେ ମୋ ଶାଶୁଙ୍କ ହାତରେ ଅମୃତ ଅଛି।ଯେଉଁ ଆଇଟମ୍ ଟି ଠିଆ ଠିଆ କରିଦେବେ ଅତି ସୁସ୍ୱାଦୁ ଲାଗେ।


ଉତ୍ତମ ଚେଲାଙ୍କ ଶିଷ୍ୟା ଉତ୍ତମ ହେବା ଥୟ ଯଦି ଝୁଙ୍କ୍ ଅଛି କିଛି କରିବାର, ହେବାର ଠିକ୍ ଅର୍ଜୁନ ପରି।ଏମିତିରେ ମୁଁ ତ ଖୁବ୍ ଜିଦିଆ ପୁଣି କେଉଁ କଥାରେ ଆଣ୍ଠେଇଲେ ଆଗେ ସେଇଟା ନ ଶିଖିବା ଯାଏ ମୋତେ ଶାନ୍ତି ମିଳେନାହିଁ।ଖାଲି ଶିଖେନି ପରନ୍ତୁ ଭଲ କି ଅକ୍ତିଆର କରିନିଏ ସେ କଳା।


ଖାଲି ଶାଗ ଭଜା ନୁହେଁ,ଦିନ କେଇଟାରେ ପ୍ରତ୍ୟେକ ରୋଷେଇରେ ମୋତେ ଏକ୍ସପର୍ଟ କରିଦେଲେ ମୋ ଶାଶୁ ମା।ଖୁବ୍ କମ୍ ତେଲ ମସଲାରେ ଅତି ସୁନ୍ଦର ସୁନ୍ଦର ଆଇଟମ ବନେଇଁବାରେ ମୁଁ ଓସ୍ତାତ୍ ହୋଇଗଲି।


ସତରେ ମୋ ଶାଶୁ ପରି ଶାଶୁ ଜଗତରେ ନଥିବେ।ଏତେ ସ୍ନେହୀ ,ବିବେକୀ ମଣିଷ ମୁଁ ମୋ ଜୀବନରେ ଦେଖିନି।ସବୁ କାମରେ ବାଜ ବିଣା। ମୋତେ ତ କୋଳରେ ପୁରାଇ ଖୁଆଇ ବି ଦେଇଛନ୍ତି।ମୋ ସଂସାର ଯଦି ହସେ ସେଇ ଶାଶୁ ମାଙ୍କ ସ୍ନେହ, ପ୍ରେମ, ଓ ଆଶୀର୍ବାଦରୁ।


କେବଳ ଶାଗରେ ମୁଁ ବିଭିନ୍ନ ଠା ପ୍ରସ୍ତୁତ କରିପାରେ।ଏଇ ଯେମିତି ସଜନାଶାଗ ମୁଗ,ସଜନା ଶାଗ ନଡ଼ିଆ, ସଜନା ଶାଗ କ୍ଷୀର, ସଜନା ଶାଗ ସାରୁ,ସଜନା ଶାଗ ଭେଣ୍ଡି କି ବାଇଗଣ ପକେଇ ଭଜା।ସଜନା ଆଳୁ ତରକାରୀ।


 ସୋରିଷ ପତ୍ର,ପାଳଙ୍ଗ,ଖାଡା,ବଥୁଆ ଶାଗ ସିଝେଇ ଗ୍ରାଇଣ୍ଡିଙ୍ଗ କରି ଭଜା ଅରୁଆ ଚାଉଳ ଚୁନା ପକେଇ ଘାଣ୍ଟି ରସୁଣ ଦେଇ ବଘାରି ଦେଲେ ଖୁବ୍ ଟେଷ୍ଟି ଲାଗେ।


ପୁଣି କଅଁଳ ସାରୁ ପତ୍ର,କନିସିରି ପତ୍ର,ଖଡା,ବାଲୁ ବାଲୁଗା,ଅଖାରୁ ପତ୍ର ଆଦି ଆହୁରି କେତେ ଶାଗ ପତ୍ର ସିଝେଇ ଘୋରି ରସୁଣ ଛୁଙ୍କ୍ ମାରିଦେଲେ ଆଃ କି ଟେଷ୍ଟ୍ !


କଳମ ଶାଗ କୁଚେଇ କୁଚେଇ କାଟି ସେଥିରେ କୋରା ନଡ଼ିଆ ପକେଇ ପିଆଜ ଛୁଙ୍କ୍ ଦେଲେ ଆହୁରି ମଜାଦାର।


ଲେଉଟିଆରେ ବଢି ପକେଇ ଭାଜିଲେ ମାଛ ମଞ୍ଜି ପରି ସ୍ୱାଦ ଦିଏ।


ପିତା ଶାଗରେ ତ ଅନେକ ଠା କରି ହୁଏ।


ଶୁନୁଶୁନୁଆଁ ଶାଗ ଟିକେ ପାଣି ଦେଇ ଭାଜିଲେ ତାର ବାସ୍ନା କାହିଁରେ କେତେ।


ମୁଠିଶାଗରେ ଟିକି ଟିକି ଆଳୁ ଦେଇ ଭାଜିଲେ ଚମତ୍କାର ଲାଗେ।


ଲାଜକୁଳୀ ଶାଗ ପାଟିକୁକତା ଲାଗିଲେ ବି ଭାରି ସୁଆଦିଆ।


ମଦରଙ୍ଗା ଶାଗର ରାଇ ଗରମ ଗରମ ଖାଇବା ମଜା କିଛି ଅଲଗା।


ସବୁ ଶାଗର ଟେଷ୍ଟ ପ୍ରାୟତଃ ରସୁଣ ଛେଚା ବଢ଼େଇ ଥାଏ। ବିନା ରସୁଣ ରେ ଶାଗ ଭଜା ହୋଇ ପାରେ ମାତ୍ର ରସୁଣ ଛୁଙ୍କ ଦିଅନ୍ତୁ ବା ଶାଗ ହୋଇ ଆସିଲା ବେଳକୁ ପକାନ୍ତୁ ତା ବାସ୍ନା ଓ ସ୍ୱାଦ ଟିକେ ନିଆରା କିନ୍ତୁ।


 ପଖାଳକୁ ଗରମ ଗରମ ଶାଗ ଭଜା କିନ୍ତୁ ଖୁବ୍ ଜମେ।ମୁଁ ଯଦି ସୁନା ବୋହୂଟିଏ ହୋଇ ପାରିଛି କେବଳ ଶାଶୁ ନୁହଁନ୍ତି ତ ମୋ ମା ଯେ ତାଙ୍କରି ପାଇଁ।ମୁଁ ଏତିକି ଶିଖିଛି ଏବଂ ମୋ ଝିଅକୁ ବି ଶିଖେଇବି ଶାଶୁ ବି ନିଜ ମାଠାରୁ ଅଧିକ ହୋଇ ପାରନ୍ତି।ଖାଲି ଯାହା ନିଜକୁ ବୋହୂ ନୁହେଁ ଶାଶୁଙ୍କର ଝିଅଟିଏ କରି ପାରିଲେ ହେଲା।



Rate this content
Log in

Similar oriya story from Inspirational