Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Banabihari Mishra

Inspirational

3  

Banabihari Mishra

Inspirational

ଶାଗବାଲୀ

ଶାଗବାଲୀ

7 mins
12.2K


ପ୍ରାୟ ସବୁଦିନେ ସିଏ ଆସେ। ତା'ର ଲୋଚାକୋଚା ହେଇଯାଇଥିବା ଚମଡାରେ ଢଙ୍କା ମୁହଁ, ହାତ, ଦୁର୍ବଳ ପାଦ ଆଉ ସେଇ ଗୋଟିଏ ରଙ୍ଗର କସ୍ତା ଶାଢ଼ୀ, ସବୁ ପରିଚିତ ଲାଗେ। ଆତ୍ମୀୟତା ଭରା ସ୍ବରରେ ଡାକେ, "ଝିଅ, ଏ..... ଝିଅ, ଶାଗ ରଖ। ଭଲ ନେଉଟିଆ ଶାଗ। ମୋ ବାଡିର"। ସବୁରି ଉପରେ ବୁଢୀର କପାଳରେ ମୁହଁରେ ଆକାର ଅନୁପାତରେ ବଡ ସିନ୍ଦୁର ଟୋପା ଆଉ ନାକରେ ଦଣ୍ଡି ଖଣ୍ଡକ। ନାକକୁ ତା'ର ଭାରି ମାନେ। କେମିତି ଗୋଟେ ଆକର୍ଷଣୀୟ ଲାଗେ। ପଛେ ଘରେ କେହି ସ୍ତ୍ରୀ ଲୋକ ନଥାନ୍ତୁ, ସିଏ 'ଝିଅ' ଡାକିବ ହିଁ ଡାକିବ। ଘରୁ କେହି ବାହାରନ୍ତୁ କି ନ ବାହାରନ୍ତୁ, ସିଏ ଡାକିବ ନିଶ୍ଚୟ। ସେ ଶାଗବାଲୀ ବୁଢୀ ମାଉସୀର ଡାକଟା ଆହୁରି ଜୋରରେ ହୁଏ ଯେତେବେଳେ ସିଏ ମୋ ସାମନା ଘରର ଗେଟ୍ ପାଖରେ ପହଞ୍ଚି ଯାଏ। ବୁଢୀ ମାଉସୀର ଡାକ ଶୁଣି ସାମନା ଘରର କବାଟ କେଁ…..ଏଁ….. ଶବ୍ଦ କରି ଧୀରେ ଧୀରେ ଖୋଲେ। ଅଧାଖୋଲା କବାଟ ଫାଙ୍କରୁ ଝଲସି ଉଠେ ଗୋଟେ ସୁନ୍ଦର ମୁହଁ। କି ମାୟା ଲଗେଇଛି ବୁଢୀ ମାଉସୀ କେଜାଣି, ତା ଡାକ ଶୁଣି କୁନି ଝିଅଟି ବାହାରି ଆସେ। ଫିକ୍ କରି ହସିଦିଏ ଝିଅଟି। ଚନ୍ଦ୍ର ଉଦିଆ ମୁହଁ, କଥାକୁହା ଆଖି, ଗୁଲୁଗୁଲିଆ ଚେହେରା, କୁଞ୍ଚୁକୁଞ୍ଚିଆ ଗହଳିଆ କଳା ଚୁଟି, ତା ସାଙ୍ଗକୁ ତାକୁ ଆହୁରି ସୁନ୍ଦର କରେ ସିଏ ହସିଦେଲା ବେଳେ ତା ଦୁଇ ଗାଲର ସେଇ ଚଣା ଆକୃତିର ଗାତ ଦୁଇଟି। ସାତ କି ଆଠ ବର୍ଷର ଝିଅଟି। ଯଦିଓ ସେ ଶାଗବାଲୀ ବୁଢୀ ମାଉସୀ ମୋ ଘର ଗେଟ୍ ପାଖକୁ ଆସେନି, ତଥାପି କାହିଁକି କେଜାଣି ତା ଆସିବା ବାଟକୁ ମୁଁ ଚାହିଁ ବସିଥାଏ। ସତରେ ସେ ଶାଗବାଲୀ ବୁଢୀକୁ ମୋର ଅପେକ୍ଷା ନଥାଏ। ମୁଁ ତ ଅପେକ୍ଷା କରିଥାଏ ସେଇ କୁନି ଝିଅଟିକୁ। ଥରୁଟିଏ ତାକୁ ଦେଖିବି। ତା'ପରେ ନିତ୍ୟକର୍ମ ସାରି କର୍ମକ୍ଷେତ୍ରକୁ ଯିବି। ମୋର କେମିତି ଗୋଟେ ବଦ୍ଧମୂଳ ଧାରଣା ହେଇ ଯାଇଥିଲା ଯେ ସେଇ କୁନି ଝିଅଟିର ହସିଲା ମୁହଁ ଦେଖିଲେ ମୋର ଦିନଟାଯାକ ଭଲରେ ଯିବ।

ଆମେ ଚାରିଜଣ ବ୍ୟାଚଲର ଘରଟିରେ ମେସ୍ କରି ରହୁଥିଲୁ। ଆମେ ରହୁଥିବା ଘରର ସାମନାରେ ସେ ଝିଅଟିର ଘର। ଆମେ ତ କେବେ ଶାଗ କିଣୁନା, ତେଣୁ ସେ ଶାଗବାଲୀ ମାଉସୀ ଆମ ଗେଟଆଡେ ଆସେନି। ଯଦିବା କେବେ ଆମ ଚାରିଜଣଙ୍କ ଭିତରୁ କେହି ବଜାରରୁ ଶାଗ ଆଣେ, ତେବେ ଆମ ରୋଷେଇଆ ବାଇନ ତାକୁ ଫ୍ରିଜରେ ରଖି ପଚେଇ ଦିଏ। ଯଦିଓ ଶାଗ ମୋତେ ଭାରି ଭଲଲାଗେ, ତଥାପି ଶାଗ ପାଟିରେ ବାଜିବାର ବେଶ୍ କିଛିଦିନ ହେଇଗଲାଣି। ସଜନା, ନେଉଟିଆ, କୋଶଳା, ପାଳଙ୍ଗ, ବଥୁଆ, ଖଡା,, ସୁନୁସୁନିଆ, ସବୁ ଶାଗ ଏକକୁ ଆରେକ। ସବୁଥିର ନିଆରା ସ୍ବାଦ। କିନ୍ତୁ ଏ ଚଣ୍ଡାଳ ବାଇନ, ଶାଗ କରିବାକୁ ତାକୁ ଏତେ କଷ୍ଟ ଲାଗେ ଯେ ଶାଗ କେବେ କରେନି। ଯଦି ଶାଗ ଆଣିବାର ଦୁଇ ତିନି ଦିନ ପରେ ତାକୁ ପଚରାଯାଏ, "କିରେ ବାଇନ, ଶାଗ କ'ଣ ହେଲା?" ଉତ୍ତର ମିଳେ, "ପଚିଗଲା ସାରେ, ଫ୍ରିଜରେ ରଖି ଭୁଲି ଯାଇଥିଲି। ଆଜି ବାହାର କଲା ବେଳକୁ ପଚି ଯାଇଛି। ଫୋପାଡି ଦେଲି"। ସାମାନ୍ୟ ଶାଗ ପାଇଁ ଏତେ ଦିନରୁ ଆମର ସେବା କରିଆସୁଥିବା ବାଇନକୁ କିଛି ଅପ୍ରିୟ କଥା କହିବା ପାଇଁ ଖରାପ ଲାଗୁଥିଲା। ତା'ଛଡା ଆଜିକାଲି ରୋଷେଇଆ ଗୋଟେ ମିଳିବା ଭାରି କଠିନ। ତା ଉପରେ ଏମିତି ମେଳାପୀ, ସଫାସୁତୁରା ଆଉ ଭଦ୍ର ପିଲାଟିଏ ମିଳିବା ତ ପୁରାପୁରି ଅସମ୍ଭବ କହିଲେ ଚଳେ।

ସବୁଦିନ ପରି ସେଦିନ ମଧ୍ୟ ସେ ଶାଗବାଲୀ ମାଉସୀ ଆସିଲା। ସେଇ ପରିଚିତ ଡାକ, "ଝିଅ, ଏ... ଝିଅ, ଶାଗ ରଖ, ଶାଗ"। ସେଦିନ କିନ୍ତୁ ସବୁଦିନ ଭଳି ସେଇ କୁନିଝିଅଟି ବାହାରିଲା ନାହିଁ। ବରଂ ଜଣେ ପ୍ରୌଢା ମହିଳା ବାହାରି ଆସିଲେ। ଓଃ, କି ଅରୁଚିକର ବେଶଭୂଷା। ପୃଥୁଳ ବପୁ, ଆଉ ତା ଉପରେ ଉନ୍ମୁକ୍ତ କେଶରାଶି। ସତରେ ଯେମିତି ମା କାଳୀ ଉଭା ହେଇଗଲେ। ଆହୁରି ଶ୍ରୁତିକଟୁ ଥିଲା ମହିଳାଙ୍କର ସ୍ବର। ସତେ ଯେମିତି ଫଟା ସ୍ପିକର। "ଆଲୋ ହେ ମରୁଡି ଶାଗବାଲୀ ବୁଢୀ, ନିଇତି ନିଇତି ଶାଗ ନେଇ ପଳେଇ ଆସୁଛୁ। ଛୁଆଟାକୁ କି ମାୟା ଲଗେଇ ଦେଇଛୁ କେଜାଣି, ତତେ ନଦେଖିଲେ ସ୍କୁଲ ଯିବନି ବୋଲି କହୁଛି। ଶାଗ ରଖା ହେଉ କି ନହେଉ, ପଇସା ଆଣି ତତେ ଦେଇଦେଉଛି। ଆଉ ତୁ ସବାଖାଇ ବୁଢୀ ନେଇ ପଳେଇ ଯାଉଛୁ। କାଲି ମୋ ଝିଅ ତତେ ଗୋଟେ ପାଞ୍ଚଶହ ଟଙ୍କିଆ ନୋଟ୍ ଦେଇଦେଲା, ଆଉ ତୁ ନେଇ ପଳେଇଲୁ। ଛୋଟ ପିଲା, ସିଏ ପଇସାର ମୂଲ୍ୟ କ'ଣ ଜାଣିଛି, ହେଲେ ତୁ ତ ବୁଢୀଟିଏ ହେଲୁଣି। ତୁ ତ ଜାଣିଥିବୁ। ଦେ, ବାହାର କର ସେ ପଇସା। ନହେଲେ ଦେଖିବୁ ଏଇକ୍ଷିଣା।"।

ସେତେବେଳକୁ ବୁଢୀର କାନ୍ଦ କାନ୍ଦ ଅବସ୍ଥା। ବଡ଼ ବିକଳ ହେଇ କହୁଥାଏ ,"ନା, ନା ଝିଅ ମୁଁ ପାଞ୍ଚଶହ ଟଙ୍କା କଥା ଜାଣିନି। ମୁଁ ତ ଶାଗ ଦେଲେ ଯାଇ ପଇସା ନିଏ, କାଲି ମୁଁ ତ ଶାଗ ଦେଇନି, ପଇସା କାହିଁକି ନେବି, ଖାଲି ଟିକେ ଝିଅକୁ ଡାକ। ମୁଁ ଦେଖିଦେଇ ପଳେଇବି। ମୋର ଆଉ କିଛି ଦରକାର ନାହିଁ। ଏ ବୁଢୀ ବୟସରେ ଏତେ ବାଟ ଚାଲି ଚାଲି ମୁଁ ଖାଲି ତାକୁ ହିଁ ଦେଖିବା ପାଇଁ ଆସୁଛି। ଶାଗ ବିକା ତ ଖାଲି ଗୋଟେ ବାହାନା। କି ମାୟା ଲଗେଇଛି ସେ କୁନିଝିଅଟି କେଜାଣି, ତାକୁ ଦେଖିବାର ଲୋଭ ଏତେ ବେଶି ହେଉଛି ଯେ ଭୋକଶୋଷ କି ଖରାତରା କିଛି ବାଧୁନି।"

ଭଦ୍ରମହିଳା ଜଣକ ଆହୁରି ଚିହିଁକି ଉଠିଲେ। "ବଦମାସ ବୁଢୀ, ପାଞ୍ଚଶହ ଟଙ୍କା ପଟି ଚଢେଇ ଦେଇ ଏବେ ସାକୁଲେଇ ହୋଉଛୁ , ସୁଆଗ ଦେଖେଇ ହୋଉଛୁ। ରହ ଏବେ ମୁଁ ଥାନାରେ ରିପୋର୍ଟ ଦେବି, ଦେଖିବା କେମିତି ପାଞ୍ଚଶହ ଟଙ୍କା ନଦବୁ।" ତାପରେ ମହିଳା ଜଣକ ଘର ଭିତର ଆଡ଼କୁ ଚାହିଁ ବଡ଼ପାଟିରେ ଡାକିଲେ,"ହଇ ହେ ଶୁଣୁଛ, ଥାନାକୁ ଟିକେ ଖବର ଦିଅ ତ। ଥାନାବାବୁ ତ ତୁମର ଚିହ୍ନା ପରିଚୟ ଲୋକ, ଟିକେ ଫୋନ କରିଦିଅ।" ଯଦିଓ ମୋ ଘରଟା ସେ ଭଦ୍ରମହିଳାଙ୍କ ଘରଠୁ ବେଶୀ ଦୂର ନୁହେଁ, ଖାଲି ଗୋଟେ ଅଣଓସାରିଆ ରାସ୍ତାର ଦୂରତା ଥିଲା ମୋର ଆଉ ସେ ଶାଗବାଲୀ ମାଉସୀ ତଥା ଭଦ୍ରମହିଳାଙ୍କ ମଧ୍ୟରେ , ତଥାପି ମୁଁ ଶାଗବାଲୀ ବୁଢୀ ମାଉସୀର କଥା ଶୁଣିବାରେ ଅସମର୍ଥ ଥିଲି। କାହିଁକି ନା ସିଏ ଭାରି ଧୀର ସ୍ବରରେ କହୁଥିଲା। କିନ୍ତୁ ଏତେ କମ୍ ଦୂରତାରୁ ସ୍ପଷ୍ଟ ଭାବରେ ବାରି ହୋଇଯାଉଥିଲା ବୁଢୀର ଦୈନ୍ୟ ଓ ବୈକଲ୍ୟ ଭାବ, ସତେ ଯେମିତି ସେ କାକୁତି ମିନତି କରୁଥିଲା। ସତେ ଯେମିତି କହୁଥିଲା,"ଝିଅ ମୋର ସେ ଥାନା କୋର୍ଟକଚେରୀ ଝମେଲାରେ ପଡିବା ଦରକାର ନାହିଁ, ମୋ ଇଜ୍ଜତ ଚାଲିଯିବ। ମୁଁ ଗରିବ ସତ ଏଇ ମାନସମ୍ମାନ ଟିକକ ମୋର ବଞ୍ଚିବାର ଗୋଟିଏ ମାତ୍ର ଆଶ୍ରା। ସେତକ ଯଦି ଚାଲିଯାଏ ମୋର ଜୀଇଁବାର କଣ ବା ଲାଭ? ମୁଁ ତ ବଞ୍ଚି ଥାଉଥାଉ ମରିଯିବି।" ମୁଁ ନିଶ୍ଚିତ ଥିଲି ଯେ ମୋର ଅନୁମାନ ସତ। ବୁଢୀ ମାଉସୀ ଏଇମିତି କିଛି କହିଥିବ ନିଶ୍ଚୟ। ତାପରେ ତା ନାକରୁ ଦଣ୍ଡି ଖଣ୍ଡକ ବାହାର କରି ସେ ଭଦ୍ରମହିଳାଙ୍କ ଆଡ଼କୁ ବଢେଇ ଦେଲା। ମୋ ଛାତି ଭିତରଟା କେମିତି କେମିତି ହେଇଯାଉଥାଏ। ଏତେ ଦିନ ଭିତରେ ବୁଢୀ ମାଉସୀର ଆତ୍ମୀୟତା ଭରା ଡାକ, ତାର ସରଳତା ଆଉ ତାର ଏଇ ବୟସରେ କାହାରି ଉପରେ ନିର୍ଭରଶୀଳ ନ ହୋଇ ସ୍ଵାଭିମାନର ସହ ବଞ୍ଚିବାର ଅଦମ୍ୟ ପ୍ରଚେଷ୍ଟା ମୋତେ ପ୍ରଭାବିତ କରିଥିଲା। ମାତ୍ର ପାଞ୍ଚଶହ ଟଙ୍କା ପାଇଁ ନାକରୁ ସୁନାର ଦଣ୍ଡିଟା ଖୋଲି ଦେଇଦେବା ଦେଖି ମୋତେ ଭାରି ଦୁଃଖ ଲାଗିଥିଲା। କହିବା ବାହୁଲ୍ୟ ଯେ ସୁନା ଦଣ୍ଡିର ମୂଲ୍ୟ ପାଞ୍ଚଶହ ଟଙ୍କାରୁ ଢେର ବେଶୀ ହେବ।

ମୁଁ ଲକ୍ଷ୍ୟ କରୁଥିଲି ଭଦ୍ରମହିଳାଙ୍କର ମୁହଁର ଭାବଭଙ୍ଗୀକୁ। ଯଦିଓ ଶାଗବାଲୀ ବୁଢୀ ମାଉସୀ ପ୍ରଦତ୍ତ ସୁନାର ଅଳଙ୍କାରଟିକୁ ପାଇ ମନେ ମନେ ବେଶ୍ ଖୁସି ଜଣାପଡୁଥିଲେ, ତଥାପି ସେ ଖୁସିଟାକୁ ଜାହିର ହେବାକୁ ନଦେବାର ପ୍ରଚେଷ୍ଟା କରି କିଛି ମାତ୍ରାରେ ସଫଳ ଓ ଅନେକାଂଶରେ ବିଫଳ ହେଲାପରି ଜଣାପଡୁଥିଲେ। ଉପର ଠାଉରିଆ ଭାବରେ ଏତେବଡ ପାଟିଟେ କରି କହୁଥିଲେ, "ଆଲୋ, ଏଇଟା ସୁନା ନା ପିତ୍ତଳ ମ, ହ...ଉ, ଏଇଟାକୁ ଏବେ ରଖି ନୋଉଛି। ମୋ ପାଁଶହ ଟଙ୍କା ଯୋଉଦିନ ଦେଇଦେବୁ, ସେଇଦିନ ତୋ ନାକ ଦଣ୍ଡି ନେଇଯିବୁ।" ଏତକ କହିଦେଇ ଦୁମୁଦୁମୁ ହେଇ ଘର ଭିତରକୁ ପଶିଯାଇ ଧଡକିନା କବାଟଟା ବନ୍ଦ କରିଦେଲେ। ମୁଁ ଭାବୁଥିଲି, ବୋଧହୁଏ ଭଦ୍ରମହିଳା ଜଣକ ବୁଢୀର ଆର୍ଥିକ ସାମର୍ଥ୍ୟ ଦେଖି ସ୍ଥିର ନିଶ୍ଚିତ ହେଇଯାଇଥିଲେ ଯେ ବୁଢୀ ଶାଗବାଲୀ ଆଉ ଟଙ୍କା ଫେରେଇ ପାରିବ ନାହିଁ କି ସୁନା ଟିକକ ଫେରେଇ ନେଇ ପାରିବ ନାହିଁ। ଅଗତ୍ୟା କୌଣସି ଦୟା ବା ସମବେଦନାର ସମ୍ଭାବନା ନ ଦେଖି ବୁଢୀ ଶାଗବାଲୀ ଧୀର ପଦକ୍ଷେପରେ ଗେଟ୍ ବାହାରକୁ ଆସିଲା।

ବୁଢୀ ମାଉସୀ ରାସ୍ତା ଉପରେ ପାଦ ରଖିଲା। ସେତେବେଳକୁ ତା ପ୍ରତି ମୋ ମନଟା ସମବେଦନାରେ ଭରି ଯାଇଥିଲା। ମୁଁ ସ୍ଥିର କରି ସାରିଥିଲି ଯେ ବୁଢୀକୁ କୌଣସି ନା କୌଣସି ପ୍ରକାର କିଛି ନା କିଛି ସାହାଯ୍ୟ କରିବି। ଡାକ ପକେଇଲି, "ଶାଗ, ଏ ଶାଗ"। ଆମେ ରହୁଥିବା ଘରେ କେହି କେବେ କୌଣସି ସ୍ତ୍ରୀ ଲୋକକୁ ଦେଖିନାହିଁ। ତା'ଛଡା ଏ ଘରେ କେବେ ଶାଗ ରଖା ଯାଏନି। ତେଣୁ ସିଏ ବା କାହିଁକି ଏ ଆଡକୁ ଧ୍ୟାନ ଦେବ। ଶାଗବାଲୀ ମାଉସୀ ଶୁଣି ନଶୁଣିଲା ପରି ଆଗକୁ ବଢି ଯାଉଥାଏ। ମୁଁ ପୁଣି ଟିକେ ବଡ।ପାଟିରେ ଡାକିଲି, "ଏ ମାଉସୀ, ଶାଗ ଆଣିଚୁ ପରା, ଏଠିକି ଆସ।" ଏବେ ବୁଢୀ ସ୍ଥିର ନିଶ୍ଚିତ ହେଇ ଯାଇଥିଲା ଯେ ତାକୁ ହିଁ ଡକା ଯାଉଛି। ବୁଢୀ ଫେରିଲା। ଗେଟ୍ ପାର ହୋଇ ଭିତରକୁ ପଶିଲା। ବାରଣ୍ଡାରେ ତା ଶାଗ ପୁଟୁଳି ଖୋଲିଲାବେଳକୁ ମୁଁ ମନାକଲି। "ନା ନା ମାଉସୀ ଏଠି ନୁହଁ ଭିତରକୁ ଚାଲ।" ବୁଢୀ ଟିକେ ଥତମତ ହେଉଥିଲା। ମୁଁ ହାତଧରି ଭିତରକୁ ନେଇଗଲି। ସେତେବେଳକୁ ବାଇନ ଥଣ୍ଡାପାଣି ଗ୍ଲାସରେ ଆଣି ଧରେଇଦେଲା। ସତେ ଯେମିତି କୋଉ କାଳରୁ ଶୋଷିଲା ଥିଲା, ଏକା ନିଃଶ୍ବାସରେ ପାଣି ଗ୍ଲାସକ ପିଇଦେଇ ପୁଣି ବାଇନ ଆଡ଼କୁ ଗୋଟେ ସତୃଷ୍ଣ ଆଖିରେ ଚାହିଁଲା। ବାଇନ ବୁଝିପାରିଲା। ଏଥର ଗ୍ଲାସରେ ନୁହେଁ ଗୋଟେ ବେଲାରେ ପାଣି ଆଣିଦେଲା। ସେଥିରୁ ଅର୍ଦ୍ଧାଧିକ ପିଇସାରି ବୁଢୀ ଗୋଟେ ଦୀର୍ଘ ନିଃଶ୍ୱାସ ଛାଡିଲା। ସତେ ଯେମିତି କୋଉ ଯୁଗରୁ ସାଇତି ରଖିଥିବା ତତଲା ପବନ ଗୁଡାକ ଏକାବେଳେକେ ବାହାର କରିଦେଲା। ମୁଁ ପଚାରିଲି, "ମାଉସୀ, କଣ ହେଲା କି? ସେ ଉଗ୍ରଚଣ୍ଡୀ କାହିଁକି ଏମିତି ଗରଜୁଥିଲା?"

-- "କଣ କହିବିରେ ପୁଅ, ଆଜିକାଲି ଯୁଗଟା ତ ଏମିତି। ମୋ ନାତୁଣୀ ପରି ସେ ଝିଅଟା ଦେଖାଯାଏ ତ ସେଇଥିପାଇଁ ଗୋଟେ ମାୟା ଲାଗିଯାଇଥିଲା। ନିଜର ନାତୁଣୀଟାକୁ ତ କେବେ କୋଳରେ ଧରି ଗେଲ କରି ପାରିଲିନି, ସେଇଥିପାଇଁ ଖାଲି ସେଇ ଝିଅଟାକୁ ଦେଖିବାପାଇଁ ଚାରି ମାଇଲ ବାଟ ଚାଲି ଚାଲି ଆସେ।"

ତାପରେ ସବୁକଥା ଟିକିନିଖି କହିଲା ସେ ମାଉସୀ। ନାକରୁ ଦଣ୍ଡିଟା କାଢିଲା ବେଳେ ଛିଡିଯାଇ ନାକରୁ ରକ୍ତ ବାହାରୁଥିଲା। କୋଉ କାଳରୁ ସେଟା ନାକରେ ଥିବ ପ୍ରାୟ। ସେଇଥିପାଇଁ ଏକରକମ ବସିଯାଇଥିଲା। ସତେ ଯେମିତି ସେଇଟା ତା ଶରୀରର ଗୋଟେ ଅଙ୍ଗ ପାଲଟି ଯାଇଥିଲା। କାଢିଲାବେଳେ ବହୁତ କଷ୍ଟ ହେଇଥିବ ନିଶ୍ଚୟ। ମୁଁ ସେ ବୁଢୀମାଉସୀକୁ କହିଲି, "ଆହା! ମାଉସୀ, ତୋ ନାକରେ ସେ ଦଣ୍ଡିଟା କେତେ ଦିନରୁ ଥିବ। ଏବେ ମୁହଁଟା ଖାଲି ଖାଲି ଦିଶୁଛି।"

--"ହଁ ରେ ବାପା, ଘରକୁ ଗଲେ ବୁଢା ଦଣ୍ଡି କଥାବ ପଚାରିବ ତାକୁ କି ଜବାବ ଦେବି ସେଇକଥା ଭାବୁଛି।"

--"କାଇଁ ତୋ ପୁଅବୋହୂ କୁଆଡ଼େ ଗଲେ?"

--"ନା ରେ ବାପା ସେମାନେ ପଚାରନ୍ତିନି। ଗୋଟେ ବୋଲି ପୁଅ କୋଉ ଗୋଟେ ଅଜାତିର ଝିଅକୁ ଧରି ପଳେଇଲା ବୋଲି ଗାଁରେ ତାକୁ ପୁରାନ୍ତିନି। ସିଏ ବି ବୋହୁ ବୁଦ୍ଧିରେ ପଡି ଆମକୁ ପଚାରେନି।"

ବଡ଼ ଦୁଃଖିନୀ ବୁଢୀଟି। ଘର ଭିତରକୁ ଯାଇ ପର୍ସରୁ ପାଞ୍ଚଶହ ଟଙ୍କିଆ ନୋଟଟିଏ ବୁଢୀ ହାତକୁ ବଢାଇଦେଲି। ବୁଢୀ ନାହିଁ ନାହିଁ କରୁଥିଲା, ଜବରଦସ୍ତି ତା ହାତରେ ଧରେଇଦେଇ କହିଲି,"ମାଉସୀ ମୁଁ କଣ ତୋର ପୁଅ ନୁହେଁ? ଯା ସେ ସ୍ତ୍ରୀଲୋକ ମୁହଁକୁ ଫୋପାଡ଼ି ଦେଇ ଆସେ, ହଁ, ଦଣ୍ଡିଟା ନିଶ୍ଚୟ ଆଣିବୁ। ସେଇଟା ତୋ ମୁହଁକୁ ଖୁବ୍ ମାନେ।" ଅନ୍ତରରୁ ଅନେକ କଲ୍ୟାଣ କରିପକାଉଥିଲା ବୁଢୀ, ମୁଁ ବି ପରମତୃପ୍ତି ପାଇଯାଇଥିଲି। ଆଃ, ସତରେ ସହାୟତା ପାଇଁ ଆଉଟୁପାଉଟୁ ହେଉଥିବା ଜୀବଟିଏ ପ୍ରତି ସାମାନ୍ୟ ସାହାଯ୍ୟ କଲେ ଯେ ଏତେ ଆତ୍ମତୃପ୍ତି ମିଳେ ଆଉ ହୃଦୟଟା ପରମଶାନ୍ତିରେ ଭରିଯାଏ ସେ କଥା ଆଜି ମୁଁ ଜାଣିଲି।

ବୁଢୀ ଶାଗବାଲୀ ମାଉସୀ ବାରଣ୍ଡାରୁ ତଳକୁ ଓଲ୍ହାଇବା ସହ ମୋ ମନର ପ୍ରଫୁଲ୍ଲତା ଚରମରେ ପହଞ୍ଚିଯାଇଥିଲା। ବାଇନ ଡାକୁଥିଲା,"ବାବୁ ଜଳଖିଆ ବାଢିବି?" ମୁଁ କିନ୍ତୁ ବୁଢୀ ମାଉସୀକୁ ଚାହିଁ ରହିଥିଲି। ବାଇନର କଥା ମୋତେ କିଛି ଶୁଭୁନଥିଲା। ପରମ ଆଲ୍ହାଦରେ ହୃଦୟ ପୂରି ଉଠୁଥିଲା।


Rate this content
Log in

More oriya story from Banabihari Mishra

Similar oriya story from Inspirational