sushama Parija

Inspirational Others

2  

sushama Parija

Inspirational Others

ସେଟ୍ ବ୍ୟାକ୍ ର ଜବାବ କମ୍ ବ୍ୟାକ୍

ସେଟ୍ ବ୍ୟାକ୍ ର ଜବାବ କମ୍ ବ୍ୟାକ୍

7 mins
96



 ସଂପ୍ରତି ସୋନି ଟିଭି ଚ୍ୟାନେଲ ରେ ଚାଲିଥିବା “ କୌନ୍ ବନେଗା କରୋଡ ପତି “ ର ସଂଚାଳକ ଶତାବ୍ଦୀର ମହାନାୟକ ପଦ୍ମଶ୍ରୀ ଅମିତାଭ ବଚ୍ଚନ ଙ୍କର ସଦ୍ୟତମ ପନ୍ଚ୍ ଲାଇନ୍ ( ମୁଖ୍ୟ କଥା) ହେଉଛି -- ସର୍ବଦା ତୁମର ପଶ୍ଚାଦଗମନ ର ଉତ୍ତର ଅଗ୍ରଗାମୀ ହୋଇ ଦିଅ 

(Always answer your set back with a come back) 

ଅନେକ ପ୍ରତିଯୋଗୀ ସେମାନଙ୍କ ସଂଘର୍ଷ ଆଉ ସେଥିରୁ ବାହାରି ଆସି ଜୀବନକୁ ଆଉଥରେ ଗଢିବାର କାହାଣୀ ଶୁଣିଲା ପରେ ମୋ’ ଜୀବନର ଗୋଟିଏ ଅଭୂଲା ସ୍ମୃତି ମନକୁ ଆସିଲା। ମଣିଷ ଜୀବନରେ ବେଳେବେଳେ ଅଚାନକ ଏମିତି ପରିସ୍ଥିତି ସବୁ ଆସିଯାଏ ଯେ ଦୃଢମନା ମଣିଷଟିଏ ମଧ୍ୟ ନିଜ ଉପରୁ ଆସ୍ଥା ହରାଇବସେ। ସେଇ ଅବସ୍ଥା ରେ କେବେ ସେ ବିଷାଦଗ୍ରସ୍ତ ହୋଇ ନିଜର ମାନସିକ ଭାରସାମ୍ୟ ହରାଇ ବସେ ତ କେତେବେଳେ ମାନସିକ ସ୍ତରରେ ଅସହାୟ ହୋଇ ନିଜକୁ ନିଃଶେଷ କରିଦିଏ।କିନ୍ତୁ ଆଉ କେତେକ ସ୍ଥାନରେ ସେମିତି ପରିସ୍ଥିତିରେ ପଡିଥିବା ମଣିଷ ଟି ନିଜ ମନକୁ ବୁଝାଏ ଏବଂ ଦୃଢ ମନୋବଳ ନେଇ ପରିସ୍ଥିତି ର ସାମନା କରିବାକୁ ସିଦ୍ଧାନ୍ତ ନେଇ ଦୁଇଗୁଣା ବଦଳେଇ ଲଢେଇ କରେ ଆଉ ଶେଷରେ ବିଜୟୀ ହୁଏ, ହେଲେ ସେତେବେଳକୁ ସେ ଏତେ ସବୁ ହରାଇ ସାରିଥାଏ ଯେ ସବୁ କ୍ଷେତ୍ରରେ ବିଜୟୀ ହୋଇ ମଧ୍ୟ ସେ ବିଜୟ ର ଆନନ୍ଦ କୁ ଉପଭୋଗ କରି ପାରେନା । 

ଠିକ୍ ଏମିତି ପରିସ୍ଥିତି ଟିଏ ଆସିଥିଲା ମୋ ଜୀବନରେ। ମୁଁ ସେତେବେଳେ ଆମ ସଂସ୍ଥାର ମୁଖ୍ୟାଳୟ ରେ କାମ କରୁଥାଏ। ନିଜର ସ୍ପଷ୍ଟବାଦିତା ଆଉ ସ୍ୱାଭିମାନ ଯୋଗୁଁ ସେତେବେଳକୁ ବନ୍ଧୁ ଅପେକ୍ଷା ଖୁବ୍ ବେଶୀ ଶତ୍ରୁ ଅର୍ଜନ କରି ସାରିଥାଏ । ନିଜର କାର୍ଯ୍ୟଦକ୍ଷତା ହେତୁ ମୁଁ ସବୁବେଳେ ଉପରିସ୍ଥ ଅଧିକାରୀ ମାନଙ୍କର ପ୍ରିୟଭାଜନ ହୋଇଥାଏ ଯାହାକି ଅନେକ ସହକର୍ମୀ ମାନଙ୍କ ଈର୍ଷା ର କାରଣ ହୋଇଥାଏ। ସବୁ ଅଫିସ୍ ଭଳି ଆମ ଅଫିସ୍ ରେ ମଧ୍ୟ ଗୋଷ୍ଠୀବାଦ କମ୍ ନଥିଲା, ତେଣୁ ବିପକ୍ଷ ଗୋଷ୍ଠୀ ର ସହକର୍ମୀମାନେ ମୋ’ର ସ୍ପଷ୍ଟବାଦିତା କୁ ମୋ’ର ମୁଖରାପଣ, ମୋ’ର ଅସ୍ମିତା କୁ ମୋ’ର ଅହଂକାର ବୋଲି ଧରି ନେଇ ଥାଆନ୍ତି । ମୁହଁ ରେ ନ କହିଲେ ମଧ୍ୟ ମୋ ପଛରେ ସେମାନଙ୍କ ଆଲୋଚନା ମୋ କାନରେ ପଡେ। ହେଲେ ସେଥିକୁ ମୋ’ର ଭ୍ରୁକ୍ଷେପ ନଥାଏ। “କର୍ମ ହିଁ ଭଗବାନ୍ “ ଏଇ ମନସ୍ତତ୍ବ ନେଇ କାମ କରି ଚାଲେ ମୁଁ । 

ମୋ’କାମ କୁ ସବୁବେଳେ ମୋ’ ଢଙ୍ଗରେ ନିଷ୍ଠାର ସହିତ କରିବାକୁ ପସନ୍ଦ କରିଥାଏ ମୁଁ । ସବୁ ଅଫିସ୍ ରେ ଘଟୁଥିବା ଭଳି ଆମ ଅଫିସ୍ ରେ ମଧ୍ୟ ମହିଳା କର୍ମଚାରୀଙ୍କ ଚରିତ୍ର କୁ ନେଇ ନାନା କାଳ୍ପନିକ ଉପନ୍ୟାସ ସବୁ ଲେଖା ଚାଲିଥାଏ। ଏ ଦେଶରେ ଗୋଟିଏ ପୁରୁଷ ଆଉ ଗୋଟିଏ ସ୍ତ୍ରୀ ର ସଂପର୍କ କେବଳ ଗୋଟିଏ ଦୃଷ୍ଟିକୋଣରୁ ହିଁ ବିଚାର କରାଯାଏ। ଯେତେ ଯାହା ହେଲେ ମଧ୍ୟ ସେଇ ଧାରଣା କୁ କେବେ ବଦଳାଇ ହୁଏ ନାହିଁ ।ସେଇ ଭ୍ରାନ୍ତଧାରଣା କୁ ସାଥିରେ ଧରି କାମ କରିବାକୁ ପଡେ। ଏଇଟା ସାଧାରଣ କଥା। ମୋ କ୍ଷେତ୍ରରେ ମଧ୍ୟ ସେମିତି ଘଟିଥିଲା। ମୁଁ ଜାଣେ ମୋ ନିଜ ବିବେକ ନ କହିବା ଯାଏଁ ମୁଁ କୌଣସି ଭୁଲ୍ କରିନାହିଁ , ତେଣୁ ଅନ୍ୟ କାହାର ଟୀକା ଟିପ୍ପଣୀ କୁ ଡରି ଯାଇ କୌଣସି ସଂପର୍କ କାଟି ଦେବା ର ସପକ୍ଷ ରେ ନଥାଏ ମୁଁ । ମୋ କାମ ଭଲ ତ ମୁଁ ଭଲ। ଏମିତି ରେ ଦିନ ଗଡି ଚାଲେ। 

ଏମିତି ଏକ ସମୟରେ ଆସିଲା ଆମ ଅଫିସ୍ ର ସମୀକରଣ ର ସମୟ। ଅନ୍ୟ ଏକ ସଂସ୍ଥା ସହିତ ଏକତ୍ରୀକରଣ ହୋଇ ଗୋଟିଏ ନୂଆ ସଂସ୍ଥା ଗଢାଯିବା ର ନିଷ୍ପତ୍ତି ନେଲେ ସରକାର ଏବଂ ସର୍ବୋଚ୍ଚ କାର୍ଯ୍ୟାଳୟ । ସେଥିପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ ଆରମ୍ଭ ହୋଇଗଲା। ମୋ’ର ଉପରିସ୍ଥ ଅଫିସର ଜଣକ ଆମ ବିଭାଗ ବିଷୟରେ ସଂପୂର୍ଣ୍ଣ ଅଜ୍ଞ ଥିଲେ ମଧ୍ୟ ଆମ ସଂସ୍ଥାର ଜଣେ ମୁଖ୍ୟ କାର୍ଯ୍ୟକର୍ତ୍ତାଙ୍କର ବାଲ୍ୟ ବନ୍ଧୁ ହୋଇଥିବା ହେତୁ ତାଙ୍କୁ ସେଇ ମୁଖ୍ୟ ସ୍ଥାନ ଟି ମିଳିଥିଲା । ମୁଖ୍ୟ କାର୍ଯ୍ୟକର୍ତ୍ତା ମହାଶୟ ପ୍ରଚଣ୍ଡ ବୁଦ୍ଧିମାନ ଥିଲେ ମଧ୍ୟ ଖୁବ୍ ପ୍ରଶଂସା ପ୍ରିୟ ଥିଲେ। ନିଜ ଚାରିପଟେ ତୋଷାମଦକାରୀ ଗୋଷ୍ଠୀ ଟିଏ ଦେଖିବାକୁ ଖୁବ୍ ଭଲ ପାଉଥିଲେ, ପାନ ଖାଇବାକୁ ମଧ୍ୟ ବହୁତ ଭଲ ପାଉଥିଲେ।ତେଣୁ ତାଙ୍କର ଆଶୀର୍ବାଦ ଆଶାୟୀ ମାନେ ପାନ ଖଣ୍ଡିଏ ଲେଖା ଦେଇ ତାଙ୍କର ଗୁଣଗାନ କରି ତାଙ୍କ ମନତୋଷ କରୁଥିଲେ। 

ମୋର ଉପରିସ୍ଥ ମହାଶୟ ମଧ କୃତଜ୍ଞତା ର ନିଦର୍ଶନ ସ୍ୱରୂପ ସକାଳ ଅଫିସ୍ ଆରମ୍ଭ ହେବାବେଳୁ ଯାଇ ମୁଖ୍ୟ କାର୍ଯ୍ୟକର୍ତ୍ତାଙ୍କର ନିକଟରେ ସାରାଦିନ ବସି ରହୁଥିଲେ, ଅନ୍ୟ କାମରେ ତାଙ୍କର ଆଗ୍ରହ ନଥିଲା , ଏମିତିକି ଆମ ବିଭାଗ ର ଯାହା ଜରୁରୀ କାଗଜପତ୍ର ରେ ତାଙ୍କର ଦସ୍ତଖତ ଦରକାର ପଡୁଥିଲା, ପିଅନଟିଏ ସେଠାରେ ଯାଇ ତାଙ୍କ ଦସ୍ତଖତ କରି ଆଣୁଥିଲା।ଆମ ବିଭାଗ ଟି ଗୋଟିଏ ଗୁରୁତ୍ବପୂର୍ଣ୍ଣ ବିଭାଗ ହୋଇଥିବା ହେତୁ ବହୁତ କାମ ପଡିଥାଏ, ସେଇ ସମୟରେ ବିଭାଗୀୟ ମୁଖ୍ୟଙ୍କର ଦାୟିତ୍ଵ ଆହୁରି ବଢିଯିବା କଥା କିନ୍ତୁ ସେ ମୋଟେ ମୁଣ୍ଡ ପୁରାଉ ନଥାନ୍ତି, ସବୁ କାମ ମୋ’ଉପରେ ଛାଡିଦେଇ ସେ ନିଶ୍ଚିନ୍ତ ହୋଇ ବନ୍ଧୁ ସେବା କରୁଥାନ୍ତି।କାମ ର ଚାପ ବଢି ଚାଲିଥାଏ , ଆମ ବିଭାଗରେ ଅନ୍ୟ ଅଫିସର୍ ମାନେ ଥିଲେ ମଧ୍ୟ ମୁଖିଆ ସବୁ କାମ ମୋ’ ଆଡକୁ ଠେଲି ଦେଉଥାଆନ୍ତି, ମୁଁ ଅସ୍ତ୍ର ବ୍ୟସ୍ତ ହୋଇ ପଡୁଥାଏ। ନିଜର ସ୍ୱଭାବରେ ଚିଡିଚିଡାପଣ ଆସି ଯାଉଥାଏ, ଥରେ ଦି'ଥର ମୁହଁ ଖୋଲି ପ୍ରତିବାଦ ମଧ୍ୟ କରି ସାରିଥାଏ । ସେଇ ସବୁ କଥା ସେ ତାଙ୍କ ଉଚ୍ଚପଦାଧିକାରୀ ବନ୍ଧୁଙ୍କ କାନକୁ ନେଇ ସାରିଥାନ୍ତି। 

ଏମିତି ଘଡିସନ୍ଧି ମୁହୁର୍ତ୍ତରେ ଘଟିଗଲା ଅଘଟଣ ଟିଏ।ଏ ପଟରେ ଗୋଟିଏ ଅତି ଗୁରୁତ୍ବପୂର୍ଣ୍ଣ କାମ ରେ ବ୍ୟସ୍ତ ରହି ମୋ ଆଖିରୁ ଖସି ଗଲା ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କାମ ଯାହା ପାଇଁ ଆମ ସଂସ୍ଥା କୁ ସହିବାକୁ ପଡିଲା କିଛି ଆର୍ଥିକ କ୍ଷତି। ଯଦିଓ ସେଇ କାମଟି ମୋତେ ଦିଆ ଯାଇ ନଥିଲା, ତଥାପି ଅଭ୍ୟାସଗତ ଭାବରେ ସେଇଟି ମୁଁ ଦେଖୁଥିଲି। ତେଣୁ ମାର୍ ମାର୍ ଭଣ୍ଡାରିଆ କୁ ମାର ନୀତି ରେ ଭୁଲ୍ ପାଇଁ ଉତ୍ତରଦାୟୀ କରାଗଲା ମତେ। ମୁଁ କରୁଥିବା କାମରେ ପ୍ରଶଂସିତ ହେବା ସହିତ ଖୁବ୍ ବାଃ ବାଃ ମିଳିଲା ସବୁ ମହଲରୁ।ହେଲେ ମୋ ଉପରେ ନ୍ୟସ୍ତ ହୋଇନଥିବା ସେଇ କାମ ଟିର ଭୁଲ୍ ପାଇଁ ମୋତେ ଦଣ୍ଡିତ କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଥିଲା ମୋର ତଥାକଥିତ ଉଚ୍ଚ ଅଧିକାରୀଙ୍କ ଦ୍ୱାରା । ମୋ' ପାଇଁ ବିଷାକ୍ତ ହୃଦୟ ଏବଂ ଅମୃତମୁଖ ଧାରଣ କରିଥିବା ମୋ'ର ସମସ୍ତ ବନ୍ଧୁ ମାନଙ୍କୁ ସୁଯୋଗ ମିଳିଗଲା ନିଆଁ ରେ ଘିଅ ଢାଳିବାକୁ । 

ଆମ ଅଫିସ୍ ର ସର୍ବୋଚ୍ଚ କର୍ତ୍ତା ଥିଲେ ଜଣେ ଅଣ ଓଡିଆ । କଥାରେ ଅଛି ସବୁବେଳେ ସର୍ବୋଚ୍ଚ କର୍ତ୍ତାମାନେ କାନରେ ଦେଖନ୍ତି, ସେଇ ନ୍ୟାୟ ରେ ଆମ ଉଚ୍ଚ ପଦାଧିକାରୀ ଜଣକ ତାଙ୍କର ଶେଷ ତାସ୍ ପତା ଖେଳିଲେ, ନିଜର ରଙ୍ଗ ଦେଇ ମୋର ଯାବତୀୟ ଦୁର୍ଗୁଣ ସର୍ବୋଚ୍ଚ କର୍ତ୍ତା ଙ୍କ କାନରେ ବିଭିନ୍ନ ପ୍ରକାର କୌଶଳ କରି ତାଙ୍କର ମୁଣ୍ଡରେ ଭର୍ତ୍ତି କରିଦେଲେ ଯେ ମୁଁ ଜାଣିଶୁଣି ସେଇ ଭୁଲ୍ ଟି କରିଛି। ଯଦି ବା ମୋ’ ଉପରେ କାମଟି ନ୍ୟସ୍ତ ହୋଇ ନଥିଲା, ମୁଁ ଚାହିଁଥିଲେ ସେ କାମଟି କରିବାରେ କିଛି ବାଧା ନଥିଲା, କାରଣ ସେଇଟି ଆମ ସମସ୍ତଙ୍କର କାମ ଥିଲା। ଆମ ସର୍ବୋଚ୍ଚ କର୍ତ୍ତା ମଧ୍ୟ ଥରେ ହେଲେ ଚିନ୍ତା କଲେନାହିଁ ଯେ ସଂସ୍ଥା ପାଇଁ ଦୀର୍ଘ ଦିନ ଧରି ନିଷ୍ଠାପର ଭାବରେ କାମ କରୁଥିବା କର୍ମଚାରୀ ଟି କେମିତି ଆଉ କେଉଁ ପରିପ୍ରେକ୍ଷୀରେ ଏମିତି ଭୁଲ୍ ଟିଏ କରି ବସିଲା । ତାଙ୍କର ବିଚାର ରେ ଦୋଷୀ ସାବ୍ୟସ୍ତ ହେଲି ମୁଁ । ଦଣ୍ଡ ସ୍ୱରୂପ ମୋତେ ସବୁଦିନ ପାଇଁ ଗୋଟିଏ ଇନକ୍ରିମେଣ୍ଟ୍ ତଳକୁ ଖସାଇ ଦିଆଗଲା। ଅନ୍ୟ ସ୍ଥାନକୁ ବଦଳି କରି ଦିଆଗଲା। 

ସେଇ ମୁହୂର୍ତ୍ତ ରେ ପ୍ରବଳ ମାନସିକ ଯନ୍ତ୍ରଣା ରେ ଜର୍ଜରିତ ହେଲି ମୁଁ । ମୋ ନିଷ୍ଠା ର ଫଳ ଏମିତି ଦେଲେ ବୋଲି ଈଶ୍ବର ଙ୍କ ଉପରେ ଖୁବ୍ ଅଭିମାନ କଲି। ସବୁବେଳେ ବିଷାଦଗ୍ରସ୍ତ ହୋଇ ରହିଲି। ମୋ’ର ଏମିତି ଅବସ୍ଥା ଦେଖି ମୋର ଅଶୁଭାକାଂକ୍ଷୀ ବନ୍ଧୁମାନଙ୍କୁ ଗୋଟାଏ ଅହେତୁକ ଆନନ୍ଦ ର ଅବସର ମିଳିଗଲା।ସେଇ ସମୟରେ ମୋର ଶାରୀରିକ ଅସୁସ୍ଥତା ମଧ୍ୟ ବଢିଗଲା । ସବୁଆଡୁ ନିରାଶ ହୋଇ ମୁଁ ପ୍ରଥମେ ଛୁଟିରେ ରହି ନିଜର ମନ କୁ ବୁଝେଇଲି । ଏଇଟା ମୋର ଭାଗ୍ୟଲେଖା ବୋଲି ଧରିନେଲି ଆଉ ଈଶ୍ବର ଙ୍କୁ ଡାକି ପୁଣି ଥରେ ମୋର ସ୍ୱାଭାବିକ ଢଙ୍ଗରେ କାମ ଆରମ୍ଭ କଲି। ସେତେବେଳକୁ ଉପର ମହଲରେ ଅନେକ ପରିବର୍ତ୍ତନ ହୋଇ ସାରିଥିଲା । ନୂଆ ସ୍ଥାନରେ ମଧ୍ୟ ମୋର କାର୍ଯ୍ୟଦକ୍ଷତା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କଲା। ବହୁ ସ୍ଥାନରେ ମୋର କାର୍ଯ୍ୟଦକ୍ଷତାକୁ ଉଚ୍ଚ କର୍ତ୍ତୃପକ୍ଷ ମାନେ ଉଦାହରଣ ଭାବରେ ନେଇ ଅନେକ ପ୍ରଶଂସା କରିବାର ଶୁଣୁଥିଲି ମୁଁ । 

ତା’ ପରେ ଆସିଲା ପ୍ରମୋଶନ୍ ର ପରୀକ୍ଷା । ବରିଷ୍ଠ କ୍ରମ ଗଣନା ରେ ମୋ’ର ସଂଖ୍ୟା ଥାଏ ବହୁତ ପଛରେ । ମୋ’ଠାରୁ ଆହୁରି ଅନେକ ଅନେକ ବରିଷ୍ଠ, ଆହୁରି ଉଚ୍ଚ ଶିକ୍ଷାଧାରୀ , ବୈଷୟିକ ଜ୍ଞାନଧାରୀ ସହକର୍ମୀ ମାନଙ୍କ ଭିତରେ ମୁଁ ଯେ ସେଇ ପରୀକ୍ଷା ରେ କୃତକାର୍ଯ୍ୟ ହେବି , ସେ ଭରସା ପାଉ ନଥିଲେ ମଧ୍ୟ ମୁଁ ପଢାପଢି ଜାରି ରଖିଥାଏ । ନିର୍ଦ୍ଧାରିତ ଦିନରେ ଲିଖିତ ପରୀକ୍ଷା ସରିଲା। ପରୀକ୍ଷା ଫଳକୁ ଆଶା ନକରି ମୁଁ ମୋ’କାମରେ ଲାଗିଥାଏ। ଦିନେ ସକାଳୁ ମୋ’ର ହିତୈଷୀବନ୍ଧୁ ଜଣେ ଫୋନ୍ କଲେ --- 

--“ ପରୀକ୍ଷା ଫଳ ବାହାରିବା କଥା ଜାଣିଛ ? “ ନିରାସକ୍ତ ଭାବରେ ଉତ୍ତର ଦେଲି ମୁଁ ....

 ---” ନାଇଁ ଭାଇ, ଜାଣି ନାହିଁ । ଆଉ କାହିଁକି ବା ଜାଣିବି? ମୋର କୋଉ ଲିଷ୍ଟ୍ ରେ ନାଆଁ ଥିବ ଯେ ? ସିନିୟରିଟି ଆଉ ପ୍ରଫେସନାଲ୍ ଏଜୁକେସନ୍ ରେ ଆପଣମାନଙ୍କ ଠାରୁ କାହିଁ କେତେ ପଛରେ ମୁଁ । ଅଯଥାରେ ଆଶା କରି ଦୁଃଖ ପାଇବି କାହିଁକି? 

ସେ ସେପଟୁ ହସିଲେ ଆଉ ପର ମୁହୂର୍ତ୍ତରେ ମତେ ଲିଖିତ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ପାଇଁ ବଧାଇ ଜଣାଇଲେ। ମୁଁ ଆଶ୍ଚର୍ଯ୍ୟ ହୋଇ ଘଡିଏ ଚୁପ୍ ରହିଲି। ମୋର ନୀରବତା ଦେଖି ସେ ଖୁବ୍ ସହଜ ଢଙ୍ଗରେ କହିଲେ ...

 --- “ଆରେ , ତୁମେ ଖାଲି ପାଶ୍ କରିନ , ବହୁତ ଭଲ ନମ୍ବର ରଖି ପାଶ୍ କରିଛ, ବହୁତ ବଡ ବଡ ହାତୀ ମାନଙ୍କୁ ପଛରେ ପକାଇ ଦେଇଛ ଆଉ ତୁମ ମହିଳା କର୍ମଚାରୀଙ୍କ ଭିତରେ ତୁମେ ଏକମାତ୍ର ମହିଳା ଭାବେ ସେଇ ଲିଷ୍ଟ୍ ରେ ସ୍ଥାନ ପାଇଛ”। 

ଖବର ଟି ଶୁଣି ସେଇ ଫୋନ୍ ଧରିଥିବା ଅବସ୍ଥା ରେ କାନ୍ଦ କାନ୍ଦ ହୋଇଗଲି ମୁଁ । ଈଶ୍ଵର ଙ୍କ ଉଦ୍ଦେଶ୍ୟରେ ଦୁଇହାତ ଯୋଡିଲି। ସେ ଭାଇ ଜଣକ ମୋର ବହୁତ ସିନିୟର୍ ଥିଲେ ଏବଂ ପ୍ରଫେସନାଲ୍ ଏଜୁକେସନ୍ ରେ ମଧ୍ୟ ଢେର୍ ଆଗୁଆ ଥିଲେ ମୋ’ଠାରୁ । ତେଣୁ ମୁଁ ଭାବିଥିଲି ସେ ନିଶ୍ଚୟ ପାଶ୍ କରିଥିବେ , କିନ୍ତୁ ସେ ନିଜ ତରଫରୁ କହିଲେ ..

 --- ଜାଣିଛ! ମୁଁ ଖୁବ୍ କମ୍ ନମ୍ବର ରଖି ଫେଲ୍ ହୋଇଛି ସେ ପରୀକ୍ଷା ରେ ଆଉ ଅମୁକ ଅମୁକ ଇତ୍ୟାଦି ମଧ୍ୟ ଫେଲ୍ ହୋଇଛନ୍ତି । 

ମୁଁ ବାକ୍ ଶୂନ୍ୟ ହୋଇ ଭାବୁଥିଲି ସେମାନଙ୍କ କଥା। ସେଦିନ ଅଫିସ୍ ରେ ଯାଇ ଶୁଣିଲି , କାଳେ ବହୁତ ଆଲୋଡନ ସୃଷ୍ଟି କରିଥିଲା ମୋ’ର ପାଶ୍ କରିବାର କଥା। କିଏ କହୁଥିଲା ସେ କାହାକୁ ଧରାଧରି କରି ପାଶ୍ କରିଥିବ, ତ ଆଉ କେହି କହୁଥିଲା ନା’ ନା' ଏଇଟା ତ ସର୍ବ ଭାରତୀୟ ସ୍ତରର ପରୀକ୍ଷା, ସେମିତି ହୋଇନଥିବ । ମୋ’ର ଶୁଭାକାଂକ୍ଷୀ ମାନଙ୍କର କିନ୍ତୁ ମୋ’ ଦକ୍ଷତା ଉପରେ ସଂପୂର୍ଣ୍ଣ ଭରସା ଥିଲା , ସେମାନଙ୍କ ମତ ଥିଲା ମୋ’ର ଯୋଗ୍ୟତା ଭିତ୍ତିରେ ମୋତେ ଫଳ ମିଳିଛି। ସେ ଯାହାହେଉ, କାହାରି କଥା କୁ କୌଣସି ପ୍ରକାର ଗୁରୁତ୍ୱ ନଦେଇ ମୁଁ ମୌଖିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଲି ଏବଂ ସେଥିରେ ଖୁବ୍ ଭଲ ନମ୍ବର ରଖି ସଫଳ ହେଲି। ମୋର ଶତ୍ରୁ ମାନଙ୍କୁ ଉଚିତ୍ ଜବାବ୍ ଟିଏ ମିଳି ସାରିଥିଲା । ମୁଁ ପ୍ରମୋଶନ୍ ପାଇଲି। ଗୋଟିଏ ହରାଇଥିବା ଇନକ୍ରିମେଣ୍ଟ୍ ସ୍ଥାନରେ ଦୁଇଟି ଅଧିକ ଇନକ୍ରିମେଣ୍ଟ୍ ନେଇ ନୂତନ ଦାୟିତ୍ଵ ନେଲି। ନୂଆ ଠିକଣାରେ ମଧ୍ୟ ଦୁଇଗୁଣା ଉତ୍ସାହ ରେ କାମ କଲି। ସବୁ ସ୍ଥାନରେ ନିଷ୍ଠାର ସହିତ କାର୍ଯ୍ୟ କରି ଖୁବ୍ ପ୍ରଶଂସିତ ହେଲି। ଚାକିରୀ ସରିବା ଯାଏଁ ନିଜର ଅସ୍ମିତା, ନିଜର କାର୍ଯ୍ୟ କରିବାର ଢଙ୍ଗ ବଜାୟ ରଖିଲି । ଅନ୍ୟ ମାନଙ୍କୁ ଦେଖାଇ ଦେଇଥିଲି ଯେ ଦୂରଭିସନ୍ଧି ରଖି କାହା ଉପରେ ଅନ୍ୟାୟ ରେ ଦୋଷ ଲଦି ସିନା ତୁମେ ସାମୟିକ ଆନନ୍ଦ ପାଇବ , ହେଲେ ଈଶ୍ବର ସତ୍ କର୍ମ ର ଫଳ ସବୁବେଳେ ସତ୍ ରେ ଦେଇଥାନ୍ତି । ଦୃଢ ମନୋବଳ ଥିଲେ ମଣିଷ ଅସାଧ୍ୟ ସାଧନ କରିପାରେ । କେହି ନିଷ୍ଠା ର ସହିତ କାମ କଲେ ଈଶ୍ବର ସବୁମତେ ସାହାଯ୍ୟ କରିଥାନ୍ତି ତା’ର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ । ସଇଁତିରିଶ ବର୍ଷ ର ଚାକିରୀ ପରେ ସମ୍ମାନ ର ସହିତ ଅବସର ନେଇ ଆଜି ମୁଁ ଅବସର ଜୀବନ ଖୁସିରେ କାଟୁଛି । ଈଶ୍ବର ଙ୍କୁ କୋଟି ପ୍ରଣାମ ଜଣାଇ ପ୍ରାର୍ଥନା କରୁଛି ଯେ ମୋତେ ତାଙ୍କର ଆଶୀର୍ବାଦ ଦେଇ ସେ ତାଙ୍କର ଛତ୍ରଛାୟା ତଳେ ମତେ ଏମିତି ରଖିଥାନ୍ତୁ ସବୁବେଳେ।


Rate this content
Log in

Similar oriya story from Inspirational