ସେଇଟା କଣ ଥିଲା
ସେଇଟା କଣ ଥିଲା
ଜଣେ ନିକଟ ସମ୍ପର୍କୀୟ ଙ୍କ ଦଶାହ କାର୍ଯ୍ୟ ରେ ଯୋଗ ଦେବା ପାଇଁ ସପରିବାର ଯାଇଥିଲୁ ଗ୍ରାମଭିମୁଖେ।ଶୋକାକୁଳ ପରିବେଶ ! ପ୍ରାୟ ସବୁ ବନ୍ଧୁ ବାନ୍ଧବ ସେଠାରେ ଉପସ୍ଥିତ ଥିଲେ।ସମ୍ପର୍କୀୟ ଥିଲେ ଜଣେ ନବେ ବର୍ଷ ର ବୃଦ୍ଧା ।ତେଣୁ ଗୋଟିଏ ଭୋଜି ରେ ଯୋଗ ଦେବା ପରି ଲାଗୁଥାଏ।ସମସ୍ତ ଙ୍କ ତୁଣ୍ଡ ରେ ଗୋଟିଏ କଥା ବହୁତ ଦିନ ଧରି କଷ୍ଟ ପାଉଥିଲେ ମରିଗଲେ ନାହିଁ ଯେ ତରି ଗଲେ।ଦଶାହ କାର୍ଯ୍ୟ ବିଦ୍ଧି ମତେ ଚାଲିଲା ।ପ୍ରଥମେ ପୁରୁଷ ଲୋକ ମାନେ ପୋଖରୀ ତୁଠ କୁ ଗଲେ ସ୍ନାନଦି ଷୋୖରାଦି କର୍ମ ସମାପନ କରିବା ପାଇଁ।ଆମର ବ୍ରାହ୍ମଣ ସମାଜ ରେ ପ୍ରଥା ଅଛି ମୃତକ ଙ୍କ ଦଶାହ ରେ ସମସ୍ତ ନିକଟ ସମ୍ପର୍କୀୟ ମାନେ ପୋଖରୀ କୁ ଯାଇ ସ୍ନାନ କରି ଶୁଭ୍ର ବସ୍ତ୍ର ପରିଧାନ କରି ଗୃହ କୁ ପ୍ରତ୍ୟାବର୍ତ୍ତନ କରିବେ। ଆମର ବହୁତ ବଡ଼ ପରିବାର ଭୋଜି ଭାତ କିମ୍ବା ଅନ୍ତେଷ୍ଟି କ୍ରିୟା ସମୟରେ ସମସ୍ତ ସମ୍ପର୍କୀୟ ଏକାଠି ହୋଇଗଲେ ଆଉ ବାହାର ଲୋକ ଙ୍କୁ ଡାକିବାକୁ ପଡିନଥାଏ।ଭାଇ ଭାଇ ପରସ୍ପର ମଧ୍ୟରେ କାମ ବାଣ୍ଟି ଦେଇ ଭୋଜି ଭାତ କାମ ଉଠେଇ ଦିଅନ୍ତି।ବହୁତ ଖୁସି ଲାଗିଥାଏ ପରସ୍ପର ମଧ୍ୟରେ ଥିବା ସହଯୋଗ ଗୁଣ କୁ ଦେଖିଲେ।କେହି କାହାର ପଦ ପଦବୀ ଦେଖାନ୍ତି ନାହିଁ ସେହି ସମୟରେ।
ସେଥର ବି ପ୍ରାୟ ଦୁଇଶହ ଉପରେ ବନ୍ଧୁ ବାନ୍ଧବ ଯୋଗ ଦେଇଥିଲେ ଦଶାହ ରେ ।ପ୍ରଥମେ ପୁରୁଷ ମାନେ ପୁରୁଷ ତୁଠ କୁ ଗଲେ ,ସେମାନଙ୍କ କର୍ମ ସରିବା ପରେ ସ୍ତ୍ରୀ ଲୋକମାନେ ପୋଖରୀ କୁ ଗଲା ବେଳକୁ ସନ୍ଧ୍ୟା ଆଗତ ପ୍ରାୟ 5 ଟା ହେଲାଣି ।ନାପିତୁଣୀ ଆଗରୁ କହି ରଖିଥାଏ ସମସ୍ତଙ୍କୁ ସନ୍ଧ୍ୟା ପୂର୍ବରୁ ଶିଘ୍ର ସ୍ନାନାଦି କର୍ମ ସରେଇବା ପାଇଁ କାରଣ ସେ ପୋଖରୀ ରେ ତିନି ଜଣ ବୁଡି ମରିଛନ୍ତି ସନ୍ଧ୍ୟା ନଇଁ ଯେବେ ରାତ୍ରି ର ଆଗମନ ହୁଏ ସେତେବେଳେ ସେମାନେ ବାହାରି ଆସନ୍ତି, ସେ ସମୟରେ ଯେଉଁ ମାନେ ତାଙ୍କ ହାବୁଡ଼ରେ ପଡ଼ନ୍ତି ପୋଖରୀରେ ତାଙ୍କ ଗୋଡ ଟାଣି ବୁଡ଼େଇ ମରିଦିଆନ୍ତି।ମତେ ତ ଏସବୁ ଶୁଣି ହସ ଲାଗିଥିଲା।ତୁଠ ରେ ଏତେ ଲୋକ ଅଛୁ ଯେ ସୋରିଷ ବୁଣିବାକୁ ଜାଗା ନାହିଁ ଏଥରେ ପୁଣି କିଏ ଗୋଡ଼ ଟାଣି ଦେବ ! ପୁଣି କଥାରେ ଅଛି ନିଜ ଗାଁ ମଶାଣି ପର ଗାଁ ପାଣି ସତର୍କ ରହିବା କୁ ପଡିବ।ମୋ ପରି ଅନ୍ୟ ସମ୍ପର୍କୀୟ ସ୍ତ୍ରୀ ଲୋକମାନେ ମଧ୍ୟ ନାପିତୁଣୀ ର କଥା କୁ ହସି ଉଡେଇ ଦେଲେ।କିନ୍ତୁ ଯେଉଁମାନଙ୍କର ସେହି ଗାଁ ସେମାନେ କିନ୍ତୁ ସମର୍ଥନ କଲେ ନାପିତୁଣୀ କୁ।ନାପିତୁଣୀ ମାନେ ଶୁଦ୍ଧ ଓଡ଼ିଆ ରେ ଭଣ୍ଡାରୁଣୀ। ମୁଁ ମନେ ମନେ ଭାବିଲି ସେ ଯାହା ବି ହେଉ ଆଜି ଗୋଟେ ପରୀକ୍ଷା ହେଇଯିବ। ସତରେ ଯଦି ଏମିତି କିଛି ଶକ୍ତି ଥାଏ ତାହେଲେ ସମସ୍ତେ ଦେଖିବୁ ,ଡର କଣ?ଏତେ ଲୋକ ଅଛନ୍ତି କିଏ କଣ କରିଦେବ ଯେ?ମୁଁ ପ୍ରଥମ ରୁ ପୁରା ଦମ୍ଭ ହୋଇ ଠିଆ ହୋଇ ଥାଏ ପାଣି କୁ ଚାହିଁ।ଆମ ମାନଙ୍କ ମଧ୍ୟରୁ କେତେ ଜଣ ପାଣି ଭିତରେ ପଶି ସ୍ନାନ ଆରମ୍ଭ କରିସାରିଥିଲେ।ସତ କଥା କହିବାକୁ ଗଲେ ମତେ ପୋଖରୀ ନା ଶୁଣିଲେ ଭୟ ଲାଗେ।ସବୁବେଳେ ବାଥରୁମ ବ୍ୟବହାର କରିବାର ଅଭ୍ୟାସ । ବାହାରେ ପୋଖରୀ ରେ ସ୍ନାନ କରିବାର ଅଭ୍ୟାସ ନାହିଁ ।ମୁଁ ଭାବି ରଖିଥାଏ ସମସ୍ତ ଙ୍କ ର ସ୍ନାନ ଅଧା ଅଧି ସାରିଗଲେ ,ମୁଁ ପାହାଚ ଉପରେ ବସି କୌଣସି ପାତ୍ର ଦ୍ୱାରା ପାଣି ଆଣି ସ୍ନାନାଦି କର୍ମ ସମାପ୍ତ କରିବି। ଠିକ" ଫିର ହେରା ଫେରି "ହିନ୍ଦୀ ଚଳଚ୍ଚିତ୍ର ର ହାସ୍ୟ ଅଭିନେତା ପରେଶ ରାଓଲ ଙ୍କ ସୁଇମିଙ୍ଗ ପୁଲ ରେ ବାଲ୍ଟି ସାହାଯ୍ୟ ରେ ପାଣି ବାହାର କରି ଗାଧେଇବା ପରି ।ହା ହା ହା ।ପୂର୍ବରୁ ଛୋଟ ବେଳେ ଦୁଇ ଦୁଇ ଥର ପାଣି ରେ ବୁଡି ମରୁ ମରୁ ବଞ୍ଚିଥିବାରୁ ମୋର ପୋଖରୀ ପ୍ରତି ଅହେତୁକ ଭୟ।ସେ ଯାହା ହେଉ ଆସିଛି ମାନେ କାର୍ଯ୍ୟ ସମାପ୍ତ କରି ଯିବାକୁ ପଡ଼ିବ। ପୋଖରୀ ଜଳ ଉପରେ ତୀକ୍ଷ୍ଣ ନଜର ରଖିଥାଏ ମୁଁ କେତେବେଳେ କିଏ ବାହାରିବ ମୁଁ ଦେଖିବି,ଆଉ ଗୋଟେ କଥା ଥିଲା ସତ କି ମିଛ ପରୀକ୍ଷା କରିବା।ସୂର୍ଯ୍ୟ ଦେବତା ବୁଡିବା ପ୍ରାୟ, କମଳା ରଙ୍ଗ ର କିରଣ ପାଣି ଉପରେ ପଡି ଚକ ମକ କରୁଥାଏ ପୋଖରୀ ର ଜଳ ରାଶି।ହଟାତ ମତେ ଦେଖାଗଲା ପାଣି ଭିତରେ କିଛି ଗୋଟେ ଆସିଲା ।ସେ ଦୃଶ୍ୟ କୁ ମୁଁ ଶବ୍ଦ ରେ ବର୍ଣ୍ଣନା କରିପାରୁ ନାହିଁ ଡିସକୋଭେରୀ ଚେନେଲ ରେ ଅନକୋଣ୍ଡା ପ୍ରଜାତି ର ବିରାଟ କାୟ ସର୍ପ ମାନେ ପାଣି ରେ ସୁଅ କାଟି ଆସିବା ବେଳେ ଯେମିତି ଦେଖାଯାଏ ଠିକ ସେମିତି ମତେ ଲାଗିଲା ।କିଂ କର୍ତ୍ତବ୍ୟବିମୁଢ ହୋଇ ଠିଆ ହୋଇଥାଏ ମୁଁ ସେମିତି, ପାଟି ବି କରିପାରୁ ନ ଥାଏ। ହଟାତ ନାପିତୁଣୀ ର ଚିତ୍କାର ପାଣିରୁ ବାହାରି ଆସ ସମସ୍ତେ ମୋ ଧ୍ୟାନ ଭଗ୍ନ କଲା।କିନ୍ତୁ ଏତେ ଜଲଦି କଣ କେବେ କିଏ ପାଣି ରୁ ବାହାରି ଆସି ପାରିବ!!! ପାଣି ଭିତରେ ଠିଆ ହୋଇଥିବା ସମର୍କୀୟ ଙ୍କ ମଧ୍ୟରୁ ତିନି ଜଣ ସମର୍କୀୟ ଏକା ସାଙ୍ଗରେ ଚିତ୍କାର କଲେ।ସେମାନଙ୍କ ଗୋଡ଼ ରେ କାହାର ହାତର ସ୍ପର୍ଶ ,ଏକା ସମୟରେ ସେମାନଙ୍କୁ କିଏ ଟାଣିଲା ପରି ଲାଗିଲା।ପରିବେଶ ପୁରା କୋଳାହଳ ପୂର୍ଣ ହୋଇଯିବାରୁ ସୁଅ କାଟି ପଳେଇଲା କିଏ ଯେପରି।
ଭୟରେ ଥରି ଥରି ଉପରକୁ ଆସିଲେ ସମସ୍ତେ ଯେଉଁମାନଙ୍କ ସହ ଏପରି ହୋଇଥିଲା ସେମାନେ ଜମାରୁ ଆଣ୍ଠୁଏ ପାଣିରେ ଠିଆ ହୋଇ ସ୍ନାନ କରୁଥିଲେ ନାପିତୁଣୀ ର ବାରଣ କୁ ମାନି।ଜାହି ତାହି କାର୍ଯ୍ୟ ସମାପ୍ତ କରି ସମସ୍ତେ ଗୃହଭିମୁଖେ ପ୍ରତ୍ୟାବର୍ତ୍ତନ କଲୁ।ଅତ୍ୟଧିକ ଭୟ ଯୋଗୁ ସେହି ତିନି ଜଣ ଙ୍କ ଦେହ ବହୁତ ଖରାପ ହେଲା ।ରାତି ସାରା ଜ୍ୱର ସହ କେତେବେଳେ କାନ୍ଦ କେତେବେଳେ ହସ ବିଚିତ୍ର ଭଙ୍ଗୀ ଦେଖାଉଥାନ୍ତି ସେମାନେ।ଗୁଣିଆ ,ଝାଡ଼ାଣ ,ଫୁଙ୍କଣ ପରେ ଯାଇ ସେମାନେ ଧୀରେ ଧୀରେ ଠିକ ହେଲେ। ମୁଁ ତ ସତ ମିଛର ପରୀକ୍ଷା କରି ପାରିଲି ହେଲେ ଏବେ ବି ଦ୍ଵନ୍ଦ ରେ ଅଛି ପ୍ରକୃତରେ ସେଇଟା କଣ ଥିଲା? ମାଛ ହୋଇଥିଲେ ଏତେ ବଡ଼ ମାଛ ପୋଖରୀ ରେ ଅସମ୍ଭବ ।କୁମ୍ଭୀର ତ ପୋଖରୀ ରେ ରହିପାରିବନି।ଆଉ ରହିଲା ସର୍ପ କଥା ନିତ୍ୟ ବ୍ୟବହୃତ ପୋଖରୀ ରେ ଏତେ ବଡ଼ ସର୍ପ !,ଅସମ୍ଭବ ।ପୁଣି ଦିବସ ସମୟରେ କାହାକୁ କିଛି ହୁଏ ନାହିଁ ଯାହା ହୁଏ ସନ୍ଧ୍ୟା ଗଡ଼ିବା ପରେ ସେ କଥା ଏବେ ବି ରହସ୍ୟ ହୋଇ ରହିଛି ମୋ ମନରେ।

