STORYMIRROR

Amiya Bej

Inspirational Abstract Others

3  

Amiya Bej

Inspirational Abstract Others

ସେଇ ରେଜେଇ

ସେଇ ରେଜେଇ

3 mins
30K


(୧)

ଆଜିକାଲି ଚାରିପାଁଶ ରେ ରେଶମୀ କମ୍ବଳଟେ ରାସ୍ତାଘାଟରେ ମିଳିଯାଉଛି। ମୁଁ କିନ୍ତୁ ତିରିଶ ବର୍ଷ ତଳର କଥା କହୁଛି। ସେତେବେଳେ ବୋଧେ ଏସବୁ ନଥିଲା ଅବା ଆଉରି କମ୍ ଦାମ୍ ଥିଲା।

କିନ୍ତୁ ସେଇ କମ ଦାମ ଟା ହିଁ, ବାପାଙ୍କ ପାଇଁ ଅଧିକା ଥିଲା।

ତିରିଶ ବର୍ଷ ତଳର ଶୀତ କିନ୍ତୁ ଆଜିପରି ସମାନ ପଞ୍ଜରାଥରାଉ ଥିଲା। ଗାଁରେ ହିସାବ ହେଉଥିଲା, ଏଥର କେଉ ବୁଢା ବୁଢ଼ୀ ଯିବେ ଶୀତରେ।

(୨)

ମା କନାଖଣ୍ଡେ ଏପଟସେପଟ କରେନି। ସାଇକେଲ ପଛରେ, କଳଟିଏ ବାନ୍ଧି କନ୍ଥା ସିଲେଇବାକୁ କୁସୁନପୁର୍ ରୁ ହମିଦ୍ ଚାଚ୍ଚା ଆସେ। ମା ତା'ଆଗରେ ଗଦେଇ ଦିଏ ତା'ପୁରୁଣା ଲୁଗା ଆଉ ଆମ ମାନଙ୍କ ଫଟାଚିରା ସାର୍ଟପ୍ୟାଣ୍ଟ୍ ସବୁ। ଚାଚ୍ଚା ଗୁସ୍ସା ହୋଇ କୁହେ -

- କାମ ବଢାଅନି ବେହନ୍।ଖାଲି ପୁରାନା ଶାଢୀ ଦୋ'।

ମା' ବିକଳ ହୋଇ ଚାହେଁ। ତା'ଲାଗି ଆଉ କେତେ ଶାଢୀ ଆସେଯେ ,ସେ ତାକୁ ପୁରୁଣା କରିବ ?

ଗୁଁପୁଁ ହେଇ ଚାଚ୍ଚା ମେସିନ ଚଲାଏ ଖଟ୍ ଖଟ୍ ଖଟ୍।

(୩)

ଶୀତ ଆସିଲେ, ସେଇ କନ୍ଥାରୁ ଯୋଡେ ଯୋଡେ ଆମକୁ ବାଣ୍ଟେ ମା'। କୁହେ, କେହି କଳି କର ନାହିଁ। ପ୍ରକୃତରେ ସେତିକିରେ ଅଣ୍ଟେନି। ଆମେ ଟଣାଓଟରା ହେଉ।

ରାତି ଅଧାରେ , ତା' ଭାଗଟାକୁ ବି ଲମ୍ବାକରି ଆମ ତିନିଜଣଙ୍କ ଉପରେ ପକେଇ ଦିଏ ମା'!!

ସେ କଣ କରେ କେଯାଣି? ଆମର ଜାଣିବାର ଅବକାଶ ନଥାଏ। କି ଖରା,କି ବର୍ଷା ଅଧାରାତିରୁ ହିଁ ମା'ର ନିଦ ଭାଙ୍ଗେ। ତା' ଦିନ ପାଇଟି ଆରମ୍ଭ ହୋଇଯାଏ।

(୪)

ଆମ ତିନିହେଁଙ୍କ ଭିତରୁ, ଖୁବ୍ ଜିଦ୍ଖୋର୍ ହେଉଛି ଶୁଭ। ସାନ ଆଉ ଗୋଟିଏ ଝିଅ ବୋଲି, ବାପା ତାକୁ ମୁଣ୍ଡରେ ବସେଇ ଥାନ୍ତି। ସାନ ହେଲେ ବି ସେ ସବୁବେଳେ ଆମ ନାଁରେ ଚୁଗୁଲି କରେ। ଆଉ ବାପା କିଛି ନବୁଝି, ତାକୁ ବିଶ୍ୱାସ କରି ଆମ ଦୁଇ ଭାଇଙ୍କୁ ଛେଚି ପକାନ୍ତି।

ଆଜିଯାଏଁ ବି ଉଣାଅଧିକେ , ତାକୁନେଇ ଶୁଭ ଉପରେ ମୋ ରାଗ କମିନି।

ମଝିରେ, ଆମ ଗାଁରେ ରେଜେଇ ର ପ୍ରଚଳନ ଖୁବ୍ ଜୋରଦାର୍ ଚାଲିଲା। ସେଇ ମିଆଁ ଶ୍ରେଣୀୟ କିଛି ଲୋକ ପିଠିରେ ପାହାଡପ୍ରମାଣ ଗଣ୍ଠୁଲି ବୋହି ଆସୁଥିଲେ। ସେଥିରେ ଭରିରହିଥିଲା ମହଣମହଣ କପାତୁଳା।

ଆମେ କିଛି ବୁଝିଯିବାପରି ବଡ ହୋଇସାରିଥିଲୁ। ବାପାଙ୍କୁ କିଛି କହିମାଗି ପାରୁନଥିଲୁ। ଠଉରେଇ ପାରି, ବାପା ଗୋଟେ ଛ'ବାଇଛ' ର ବଡ ରେଜେଇ ବନା କରାଇଲେ।

ସେଇ ବର୍ଷଠୁଁ, ଆମ ତିନି ଭାଇଭଉଣୀଙ୍କର ଶୀତ ଉପରେ ଜୟ ହୋଇଗଲା । ସବୁଯାକ ଭାଗର କନ୍ଥା, ଆମେ ଏଥର ମା'କୁ ଦେଇଦେଲୁ। ବାପାଙ୍କୁ ସେଥିରୁ ନେଇ, ଅଧିକା କରି ଘୋଡିଦେଉଥିଲା ମା' ।

ଅଧା ରାତିରେ ରେଜେଇ କଡକୁ ଖସିଯାଉଥିବାରୁ,

ମଝିରେ ଶୋଇବାକୁ ଶୁଭ ର ସବୁଦିନେ କଜିଆ। ବାପା ତାପଟିଆ ହୋଇ ଦିନେ ବିରକ୍ତରେ କହିଲେ,

- ସମସ୍ତିଙ୍କୁ ଘରୁ ବାହାର କରିଦେବି।

ସେଇଦିନୁ ଶୁଭକୁ ମଝିକରି ଆମେ ଦୁଇଭାଇ ପିଲାଦିନ କାଟିଦେଲୁ ଚୁପଚାପ।

(୫)

ପାରିଲାର ହୋଇଗଲେ, ନୀଡ ଭାଙ୍ଗିଯାଏ। ସୁଖ ସନ୍ଧାନରେ, ଏକତ୍ରରୁ ଏକାନ୍ତମୁଖି ହୋଇପଡେ ମଣିଷ।

ଆମେ ଖୁବ୍ ବଡହୋଇ, ସମସ୍ତେ ଘର ଛାଡି ଦେଇଥିଲୁ। ଏମିତି କି ଭିନ୍ନ ଭିନ୍ନ ସହର ରେ ନିଜେନିଜର ସ୍ୱତନ୍ତ୍ର ଘର କରି ରହିବାକୁ ଲାଗିଥିଲୁ। ବାପା ଟିକେ ଆଗତୁରା ମା' କୁ ଏକୁଟିଆ କରି ଚାଲିଯାଇଥିଲେ। ଶୁଭ ଅଭିମାନ କରି କାନ୍ଦି କହୁଥିଲା

- ମୋ ବାପା ନାହିଁ ମାନେ, ସେଘର ଆଉ ମୋର ନୁହଁ।

ଅବଶ୍ୟ, ବାପାଙ୍କ ପରି ଆମେ ଶୁଭର ଯତ୍ନ ନେଉନଥିଲୁ।

ସେ ବାପାଙ୍କ ସଂସାର ଥିଲା। ଆମେ ଆମ ସଂସାରରେ ମାତିଥିଲୁ !!!

ମା' ଖାଲି ଏ ବୟସରେ ଚାରିଘର ଏପଟସେପଟ ହେଉଥିଲା।

(୬)

ଏଥର ମକରରେ ବାପାଙ୍କର ବର୍ଷିକିଆ ପଡିଲା। ମା ତାଗିଦା କଲା ,

- ପାଳି କରି ନୁହଁ। ଆରଥରକୁ ମୁଁ ଥିବି କି ନଥିବି। ତିନିହେଁ ଆସ । ବାପାଙ୍କ କାମ କରି ଯାଅ।

ସମସ୍ତଙ୍କ ପିଲାଙ୍କ ସ୍କୁଲ ପରୀକ୍ଷା ଆଦି ଥିବାରୁ, ଆଣିହେଲାନି। କିନ୍ତୁ ଆମେ ତ ଆସିବାକୁ ବାଧ୍ୟ। ଶୁଭ ବି ବାଙ୍ଗାଲୋର ରୁ ଆସିଲା ଏକା ଫ୍ଲାଇଟ୍ ଧରି।

ଏ ବର୍ଷର ଶୀତ ଟା କାଇଁ ବେଶି ଦାଉ ସାଧୁଥିଲା। ହୁଏତ ସବୁବେଳେ ଶୀତତାପ ନିୟନ୍ତ୍ରିତ ହୋଇହୋଇ , ଦେହଟା ନିୟନ୍ତ୍ରଣ ହରେଇଦେଇଥିଲା କି କଣ ???? ମନଯତ୍ନରେ

କାମ ସାରୁସାରୁ ସଂଜ ଉଛୁର। ମୁଁ ଥକି ଯାଇ ବାଟଘର ଖଟରେ ଟିକେ ଗଡିପଡିଲି। ସାନ ବି ଆସି ସେଇଠି ଗୁଞ୍ଜିହେଲା। ବାକି ଘରେ ମକର କୁଣିଆ ଭର୍ତ୍ତି।

ଶୀତଦିନେ ସବୁଠୁ ଅଭାବ କମ୍ବଳ। ଯା' କିଛି ଥିଲା ମା' ସମସ୍ତିଙ୍କୁ ବାଣ୍ଟିକୁଣ୍ଟି ଦେଲା।

ସାଇତି ରଖିଥିଲା ବୋଧେ ! ଆମ ଦୁଇଭାଇଙ୍କୁ ଆଣି ଘୋଡି ଦେଲା ,ସେଇ ପିଲାଦିନ ରେଜେଇ!!!

ନିଦଟିକେ ଭାଙ୍ଗିଲାରୁ ଦେଖିଲି , ଶୂଭ ଆସି ପଶିଛି ମଝିରେ।

- ଏଡେ ବଡୁଟେ ହେଲୁଣି , ତଥାପି ପଶୁଛୁ ମଝିରେ ?? ଯାଃ ଏଠୁ।

ଶୁଭ ଚାହିଁଲା ବିକଳରେ ସାମ୍ନା କାନ୍ଥକୁ । ସେଠି ଟଙ୍ଗା ହେଇଥିଲା ବାପାଙ୍କ ବନ୍ଧେଇ ଫଟୋ। ବାପା ବିରକ୍ତ ହୋଇ କହିଲେ -

- ସମସ୍ତିଙ୍କୁ ଘରୁ ବାହାର କରିଦେବି। ଶୁଆଅ ତାକୁ ମଝିରେ। ସେ ଆଉ ମୋ ଶୁଭ ନୁହେଁ। ତୁମ ଦୁଇ ଭାଇଙ୍କ ସୁଭଦ୍ରା !!!!!!!!

★ ଅମିୟ ବେଜ୍ , ଘଟଗାଁ, କେନ୍ଦୁଝର ★


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational