Lopamudra Parida

Horror Classics Thriller

4.7  

Lopamudra Parida

Horror Classics Thriller

ସେଇ ଭୋର୍

ସେଇ ଭୋର୍

8 mins
440



ଶ୍ରଦ୍ଧେୟ ଦେବବାବୁ,


ତୁମର ଶଳା ବୋଧେ ଆଉ ବିଭା ହେବେ ନାହିଁ ।" 


ଇତି 

ବାପା 

୧୨/୦୬/୧୯୮୪

ପୁରୀ


ଗୋଟିଏ ଧାଡିର ଚିଠି .... 


ଦଶ ଦିନ ପରେ ପୁଣି 


ଶ୍ରଦ୍ଧେୟ ଦେବବାବୁ, 


ମୋର ଚିନ୍ତା ର କାରଣକୁ କେହି ବୁଝିଲା ପରି ଲାଗୁନି ।


ଇତି 

ତୁମର ବାପା ନୁହେଁ 

ମଉସା ।।

୨୨/୦୬/୧୯୮୪


ପୁଣି ସେଇ ଗୋଟିଏ ଧାଡିର ଚିଠି ।ନୀଳ ଇଙ୍ଗଲାଣ୍ଡ ଲେଟର କେବେଠୁ ଭାରତୀୟ ଡାକ ବିଭାଗର ହୋଇସାରିଥିଲା ।

ଗୋଟିଏ ଧାଡିର ଚିଠି ତ ,ଘିଅ ରଙ୍ଗର ପୋଷ୍ଟ କାର୍ଡଟିଏ ରେ ବି ଦେଇ ହନ୍ତା ।


ଦ୍ୱିତୀୟ ଚିଠିଟି ପରେ ଗମ୍ଭୀର ହବାକୁ ହି ହେଲା ସମସ୍ଯାଟିକୁ ନେଇ ,ଅଗତ୍ଯା ବଡଶଳାଙ୍କର କର୍ମକ୍ଷେତ୍ର କୁ ସପରିବାରେ ବାହାରିଲୁ ଦି ଚାରିଦିନର ଛୁଟି ନେଇ ।


*******


ସରାଙ୍ଗ ଇଂଜିନିୟରିଂ କଲେଜ ପରିସର ।ପିଲାଙ୍କ ହଷ୍ଟେଲ ସଂଲଗ୍ନ ବ୍ଯାଚଲର ଅଧ୍ଯାପକ ମାନଙ୍କର ବି କ୍ବାଟରଟି ମାନ ।


ଆମ ମାଷ୍ଟ୍ରେ ବାବୁଙ୍କ କ୍ବାଟରଟିରେ ପଢା ମେଜ, ଚୌକି ହଳେ, ଫାଳିକିଆ ଖଟଟିଏ ଓ ଦାନ୍ତକାଠି ମୁଠେ ସହ ଷ୍ଟୋଭ ଓ ରୋଷେଇ ସରଞ୍ଜାମ ଯୋଡେ ।ଜଣେ ଲୋକ ଚଳିବା କଥା ।ହଁ, ବହୁତ ବହିର ସମ୍ଭାର ଟି ଭଲ ଲାଗିଲା ଖଟ ଚାରିପଟ ଯାକ ।ବହୁତ ସମୟ ସେ ଦିଅନ୍ତି ପଢିବାରେ ।


ତାଙ୍କ ବସା'ଠି ଆମେ ପହଞ୍ଚିବା ଦେଖି ସୁରେନ୍ଦ୍ର ବାବୁ....ମୋ ବଡଶଳା, ଯାହାଙ୍କୁ ମୁଁ ମାଷ୍ଟ୍ରେ ବୋଲି ଡାକେ ସେ ବହୁତ ଖୁସି ହେଲେ ।ଭାଇ ଭଉଣୀଙ୍କ ଭେଟରେ ମାହୋଲ ସୁନ୍ଦର ହେଇଗଲା ।ମୋ କୁନିଝିଅ ଥକି ଶୋଇପଡିଥିଲା, ରୋଷେଇ ବସିଲା ।ମାଷ୍ଟ୍ରେ ଓ ତାଙ୍କର ସବୁ ଅଧ୍ଯାପକ ବନ୍ଧୁ ମାନେ ଆମେ ଏକାଠି ବସି ଗପ ଆସର ଜମେଇଲୁ ।କଥା ପକେଇଲି ଆସିବାର ଉଦ୍ଦେଶ୍ୟକୁ ନେଇ ।ଅବଗତ ହେଲିଯେ କନ୍ୟା ଦେଖା ତ ଚାଲିଛି କ୍ରମାଗତ ଭାବେ କିନ୍ତୁ କାହାର ନାକ,କାହାର,କାନ,କାହାର ସହ,କାହାର ରଙ୍ଗ,କାହାର କଥା, କାହାର ଚାଲି ସ୍ବୟଂ ପାତ୍ରଙ୍କୁ ନୁହେଁ ପାତ୍ରଙ୍କର ବନ୍ଧୁ ମାନଙ୍କର ମନକୁ ଯାଉନି ।ତେଣୁ ସମସ୍ତ ପ୍ରସ୍ତାବ ନାକଚ କରାଯାଉଛି ।


ଏ ବିରଳ ବନ୍ଧୁ ପ୍ରିୟ ସମସ୍ଯାଟିର ସମାଧାନ ଖୋଜିବାକୁ ହେବ ହି, ବର୍ତ୍ତମାନ ଏହା ସମ୍ମିଳିତ ସମସ୍ଯା ।ଶେଷରେ ନିଷ୍ପତ୍ତି ହେଲା ଯୋଉଠି ତାଙ୍କ ଭଉଣୀ କହିବେ ସେଇଠି ସେ ରାଜି ।ହଉ ବର୍ତ୍ତମାନ ପାଇଁ ଏଇଆ ହି ଥାଉ,ପର କଥା ପରେ ଦେଖିବା ।


ସେ ଯାହା ହେଉ ରାତ୍ରି ଖାଇବାଟି କୌଣସି ଭୋଜିଠାରୁ କମ୍ ନଥିଲା ।ସମସ୍ତେ ଏକାଠି ଖାଇବାର ମଜା ହି ନିଆରା, ତେଣିକି ଭାତ,ଡାଲମା,କୁନ୍ଦୁରୀ ଭଜା ଆଉ ଆଳୁଭର୍ତ୍ତା ବଲଟିଏ ।ବ୍ଯାଚଲର ହଷ୍ଟେଲରେ ଏତେ ସବୁ ତ ଭୋଜି ନା ।


କଥା ହେଲା ଯେ ତା'ପର ଦିନ ଆମେ କପିଳାସ ଯିବା, ଆସିଛେ ଯେତେବେଳେ ଏତେ ବାଟ ଆଖପାଖ ଦେଖିଯିବା ।ତାଳଚେର କୋଇଲାମାଇନ୍ସ, ଏନଟିପିସି ( କଣିହା ), ବ୍ରାହ୍ମଣୀ ନଦୀ ପଠାରେ ଅନନ୍ତ ନାରାୟଣ ଆଉ ଯାହା ସବୁ । ପ୍ରଥମ ପାଳି କପିଳାସ ଦେଖି ଆସିବା ,ଛିଡିଲା ।ସୋମବାର ଥିଲା ବୋଲି ।ମଙ୍ଗଳବାର କୁ କଲେଜ ପିଲାଙ୍କର ବଡ ଘାଘରା ସାନଘାଘରା ଦେଖିବାକୁ ଯିବା ସ୍ଥିର ହୋଇଥାଏ,ଆମେ ବି ସେଥିକୁ ଆପେ ସାଙ୍ଗ ଯୋଡି ହେଇଗଲୁ।


ସକାଳୁ ଏକ ଟ୍ରେକର ଟିଏ ଜୁଟିଲା ।ବାହାରିଲୁ ଆମେ ତିନିଜଣ ,ମୁଁ, ଡଲି( ମୋର ପତ୍ନୀ), ସୁବ୍ରତ ବାବୁ ( ମାଷ୍ଟ୍ରେଙ୍କର ବନ୍ଧୁ ଯିଏ କି ଏ ଅଞ୍ଚଳ ବିଷୟ ରେ ଅବଗତ ) ଓ କୋଳରେ ମୋର ସାଢେଚାରି ବର୍ଷ ର ଝିଅ ବର୍ଷ ର ( ମାନୁଲୀ ) ।କୁହୁଡିଆ ପାଗ କୁ କାଲୁଆ ପବନ ,ଜଙ୍ଗଲିଆ ରାସ୍ତା ....ସୁନ୍ଦର, ଶବୁଜ, ଦିଗନ୍ତବ୍ଯାପୀ ବିସ୍ତୃତ.....ଆକାଶର ନୀଳିମାକୁ ବି ଶବୁଜ ରଙ୍ଗରେ ରୂପାନ୍ତରିତ କରିପାରିବ ଯେମିତି ।ଏମିତି ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଦେଖୁ ଦେଖୁ ଆମେ କପିଳାସ ପାହାଡ ତଳେ କେତେ ବେଳେ ପହଞ୍ଚି ଗଲୁଣୁ ଖିଆଲ ନାହିଁ ।ସହର ସରି ଜଙ୍ଗଲ ମଝିରେ ଏବେ ।


ଟ୍ରେକରବାଲା କହିଲା ,ଶୀଘ୍ର ଦର୍ଶନ ସାରି ଫେରିବେ ଆଜ୍ଞା ।ବଣୁଆ ଜାଗା,ବେଶୀ ଡେରି ହେଲେ ଗାଡିମିଳିବନି ।ମୁଁ ଏଇଠି ଅଛି ଆପଣ ଶୀଘ୍ର ଫେରିଲେ ନେଇଯିବି ।ଏବେ ପାଇଁ ପଇସାଟା ଦେଇଯାନ୍ତୁ ।


ପଇସା ଦେଇ ସାରି ତାକୁ ସେଇଠି ଥିବାକୁ କହି ଶୀଘ୍ର ଫେରିବାର ପ୍ରତିଶ୍ରୁତି ଦେଇ ଗଲୁ ।ସାଙ୍ଗରେ କୁନି ପିଲା ଥିବାରୁ ସେମିତିରେ ଧିରେ ହି ଚାଲିବାକୁ ହେଉଥିଲା ।


ସୁବ୍ରତ ବାବୁ କହିଲେ ଏଠାରୁ ୧୩୫୨ ଟି ପାହାଚ, ଚଲା ଉଠା ରାସ୍ତା ମନ୍ଦିର ଯାଏ ...ଆଉ ଆଗ ବାରବାଙ୍କି ଠୁ ବାର ଆଡେ ମୋଡି ମାଡି ପାହାଡ ଦେହରେ ଗୁଡା ସର୍ପିଳ ମାଟି ରାସ୍ତା ଟି ଏ ଚଢିଯାଇଥାଏ ଉପରକୁ ପାଦ ଚଲା, ଝଟାଝାଟିର ।ସେପଟେ ଯିବା ଅସମ୍ଭବ ।


ଆମେ ପାହାଚରେ ଯିବା ବୋଲି ବାଛିଲୁ ଆଉ ଚଢିବା ଆରମ୍ଭ କଲୁ, ମୁଁ ଭାବୁଥିଲି କୁନି ମାନୁଲୀ କେମିତି ଚଢିବ ।କାଖେଇକି ଚଢିବାକୁ ହବ ବୋଧେ ,କିନ୍ତୁ ସମସ୍ତଙ୍କୁ ଚକିତ କରି ସେ ନିଜେ ହାତ ପାଦରେ ଭରା ଦେଇ ଦେଇ ଚଢିଚାଲିଲା ।


ଶେଷରେ ଆମେ ମନ୍ଦିର ର ଚୂଡା ଦେଖିପାରିଲୁ ।ପରିଶ୍ରମ ସାର୍ଥକ ହେଲା ପରି ଲାଗିଲା ।ଗଙ୍ଗବଂଶୀୟ ରାଜା ନରସିଂହ ଦେବ ଏହାର ଭିତ୍ତି ପ୍ରତିଷ୍ଠା କରିଥିଲେ ବୋଲି ଇତିହାସ କହେ ।କପିଳ ମୁନି ଏଠାରେ ତପସ୍ୟା କରୁଥିଲେ ଓ ଏହା ଇଶ୍ଵରଙ୍କର ଦ୍ବିତୀୟ କୈଳାସ ବୋଲି ମଧ୍ୟ ଲୋକମୁଖରେ ବିଦିତ ।ଧଳା ସୁନ୍ଦର ମନ୍ଦିର ଟିଏ ,ଷାଠିଏ ଫୁଟର ହବ ଅନୁମାନ ।ଅଧିଷ୍ଠିତ ଦେବତା ଶ୍ରୀଚନ୍ଦ୍ରଶେଖର ମହାଦେବ ।ସଦା ପ୍ରତ୍ୟକ୍ଷ ।ଡାକିଲେ ଓ କରନ୍ତି ଆଶୁତୋଷ ।ମରିଚି କୁଣ୍ଡ, ପୟମନ୍ତ କୁଣ୍ଡ ସୀତା ଏନ୍ତୁଡିଶାଳ ,ବୁଢାଲିଙ୍ଗ ବାବା ବିଶ୍ବନାଥ ଙ୍କୁ ମଧ୍ୟ ଦର୍ଶନ କଲୁ ।କାଠର ଜଗମୋହନ ଟି ସୁନ୍ଦର ଥିଲା ,ଯାହା ଏତେ ଉଚ୍ଚରେ ଏତେ ଝଡ ବର୍ଷା ଥଣ୍ଡା ସହି ମୁଣ୍ଡଟେକି ଠିଆ ହେଇଛି ।ସେଠି ଥିଲେ ଅସଂଖ୍ୟ ମାଙ୍କଡ, ଭୋଗ ଖାଉଥିବା, ଖେଳୁଥିବା, ଯାହାକୁ ଦେଖି ଝିଅ ଭାରି ଖୁସି ହଉଥିଲା ।ଆମ ହାତରୁ କଦଳୀ ନେବା ଦେଖି ସେ ବି ତା କୁନି ହାତରେ ତାଙ୍କୁ ସବୁ ଖୋଇବାର ମଜା ନେଲା ।


ଭୋଗ ଭାବରେ ଖେଚଡି ଗୁଳେ ଗୁଳେ ପାଇଥିଲୁ ।ଫେରିବାକୁ ତରବର ଲାଗୁଥିଲା ଗାଡି କଥା ଯୋଗୁଁ, କିନ୍ତୁ ପୁଣି ସେତକ ପାହାଚ ଆଉ କୁନି ପାଦକୁ ଧରି ଯତ୍ନରେ ଓହ୍ଲୋଉ ଓଲ୍ହୋଉ ହେ ହେ କହୁ କହୁ ଛାଡିଦେଲା ଲାଷ୍ଟ ଟ୍ରେକର ଟି ।ହରିବୋଲ ....ଏବେ କରୁ ତ କରୁ କଣ ।ଅଗତ୍ଯା ବାଧ୍ଯ ହେଇ ଗୋଟିଏ ଗୋଟିଏ କରି ଚାଲିଲୁ ଆଗ ଛକ ଯାଏଁ ,ଝିଅ କାନ୍ଧରେ ଶୋଇପଡିଥାଏ ।ଏ କାନ୍ଧ ସେ କାନ୍ଧ କରୁଥାଉ ଆମେ ତାକୁ ,ଧରିକି କିଛି ବାଟ ଚାଲିବା ସରଳ ହେବ ବୋଲି ।


ଅନ୍ଧାର ଚାରିଆଡୁ ବୋଳିହେଇ ଆସିଲାଣି, ଏ ଜଙ୍ଗଲ ସନ୍ଧିରୁ ଚିପ୍କିକି ବୋହିଆସିଲା ପରି ତଳର ,ଘନରୁ ଘନତର ଅନ୍ଧାର ।ମାଛି ଅନ୍ଧାରର ଜାମୁକୋଳିଆ ଚଦର ଠୁ ଟିକେ ବେଶୀ ଗାଢା କଳା ।


ପାଞ୍ଚଟି ଦୋକାନ ସମାନେ, ଟିଣ କେବିନ୍ ଚାରୋଟି ସଟର ବନ୍ଦ ,ଗୋଟିଏ ଚାଳିଆ ...ତା ମାଲିକଟି ଚୁଲି, ବାସନ ଧୁଆଧୁଇ କଲାଣି ।ଆମକୁ ଦୂରରୁ ଦେଖି ସେମାନେ ଟିକେ ଥ ଥ ମ ମ ହେଲେ ,ଆଉ ପ୍ରଶ୍ନ ଆଖିରେ ନେଇ ପଚାରିଲେ ଏତେ ବେଳେ?? କଣ ଗାଡି ଫେଲେ ହେଲେ କି ଆଜ୍ଞା ।ଏ ବେଳେ ଏଠି ତ ଆଉ ମିଳିବନି କିଛି ।ଆମେ ତ ସବୁ ଗାଁ କୁ ପଳେଇବୁ ।


କ'ଣ କେମିତି କରିବା ? 


ଆଜ୍ଞା ଗୋଟିଏ ଲଣ୍ଠନ ଦେଇଯିବୁ, ହେଇ ଦେଖନ୍ତୁ ସେଠି ଗୋଟେ ଖାଲି ବଖରାଏ ସରକାରୀ ଘରଟି ଖାଲି ପଡିଛି ହେଲେ ସେଇ ପିଣ୍ଢାରେ ଯଦି ରାତିକ ........ ଆମର ଗାଁ କୁ ଯିବା ଡେରି ହେଲେ ବାଟରେ ହେଟା, ଶିଆଳ,ଆଉ କିଏ ସବୁ ।କ'ଣ କରିବେ କୁହନ୍ତୁ ।


ଚିନ୍ତା, ବ୍ଯସ୍ତତା ବଢିଚାଲିଥିଲା କିନ୍ତୁ ଇଶ୍ବରଙ୍କଠି ଅତୁଟ ଭରସା ଥିଲା ଯେ ସିଏ ଯାହା ହେଲେ ବ୍ଯବସ୍ଥା କରିବେ, ଏମିତି ତ ଆଉ ଡକେଇକି ଖାଲରେ ପକେଇବେନି ନିଶ୍ଚିତ ।ଧୌର୍ଯ୍ୟ ହି ଆପଦେ ବିପଦେ ସାହା ।


ଝିଅର ପାଣି,ବିସ୍କୁଟୁ,ସେଓ କେତେବେଳୁ ଶେଷ ।ସିଏ ଭୋକ ରେ କାନ୍ଦିବା ଆରମ୍ଭ କଲାଣି ।ସିଏ ତ ଜାଣି ସାନ ପିଲା, ଆମର ବି ପେଟରେ କରଡି ଜଳିଲାଣି ।ଅନ୍ନମୟୀ ପିଣ୍ଡ, ଅନ୍ନ ନ ପଡିଲେ ହୋଇବ ନବଖଣ୍ଡ ।


ଚା'ଦୋକାନୀ ଟି ତା କେବିନ୍ ଖୋଲି ଅମୂଲ ପ୍ଯାକେଟ୍ ଟିଏ ଦେଲାରୁ ଆଉ ଜଳଖିଆ ଦୋକାନୀଟି ଉଷୁମ ପାଣି ସହ ଅଟାଚକୁଳି ଯୋଡେ କରିଦବାରୁ ପ୍ରାଣ ରହିଲା ଜାଣି ।ଉପକୃତ ହେଲୁ ।ଝିଅ ପୁଣି ଶୋଇଗଲା ।ଦୋକାନ ବେଞ୍ଚ ରେ ପତ୍ନୀ ଓ ଝିଅକୁ ବସେଇ ରାସ୍ତାରେ ଜଗିଲୁ ଗାଡିଟିଏ ଆଶାରେ ,ଆଉ ଯୋଗକୁ ସେଠା ବିଡିଓ ସେଇବାଟେ ଦେଇ ତାଙ୍କ ଜିପ୍ ରେ ଢେଙ୍କାନାଳ ଯାଉଥିଲେ ।ଆମକୁ ଦେଖି ଗାଡି ଅଟକେଇଲେ ଓ ପ୍ରଭୁକୃପାରୁ ଆମକୁ ଢେଙ୍କାନାଳ ଗୋଲେଇ ଛକ ଯାଏ ନେଇ ଯାଇପାରିବେ ବୋଲି କହିଲେ ।


ସେଠା ଦୋକାନୀ ଭାଇ ମାନଙ୍କୁ ଧନ୍ୟବାଦ ଜଣାଇ କପିଳାସର ଚନ୍ଦ୍ରଶେଖର ମହାପ୍ରଭୁଙ୍କୁ କରପତ୍ର ଯୋଡି ବିଡିଓ ମହାଶୟ ଙ୍କ ଜିପ୍ ରେ ଆସି ଗୋଲେଇ ଛକ ଠି ଓଲ୍ହେଇ କୌଣସି ଯାନବାହାନ ନ ପାଇ ପୁଣି ଚାଲି ଚାଲି ସୁବ୍ରତ ବାବୁଙ୍କର ସେଇ ନିକଟସ୍ଥ ଗାଁ ଘରକୁ ଯିବା ସ୍ଥିର ହେଲା ।


ସେତେବେଳକୁ ଆଠଟା ବାଜିଲାଣି, ହାତଘଣ୍ଟା ଟି କହିଲା।ଖମାଖାଲ,ବିଲହୁଡା,ନଇବନ୍ଧ, ଦେଇ ସେଇ ଅନ୍ଧାରରେ ତାଙ୍କ ପଦ ଅନୁସରଣ କରୁ କରୁ ତାଙ୍କ ଗାଁ ଠି ପହଞ୍ଚିଗଲେ ।ସେ ଯୁଗରେ ଆଠ ମାନେ ରାତି ଅଧ ।ଦିନ ଯାକ ପରିଶ୍ରମ କରିଥିବା ହାତପାଦ,ଗାଇବଳଦ,ଗଛଲତା,ନଇପାଣି, ସମସ୍ତେ ଶୋଇପଡିଥିଲେ ଖାଲି ଯାହା ପବନର ସୁ ସୁ ଟି ଚେଇଁଥିଲା ।ଆଗେ ତ ଗାଁ'ଗଣ୍ଡା କୁ ବିଜୁଳି ଆଲୁଅ ଯାଇ ନଥାଏ ,ଦିପ,ଲଣ୍ଠନ ,ଡିବିରି ଜାଳି ଚଳନ୍ତି ।ମାଟିତେଲ ପୁଣି କିଣା, ସହଜେ ମିଳେନା ତେଣୁ କୋଉ ଆଡେ ମିଞି ମିଞି ଆଲୁଅଟିଏ ବି ଦୃଷ୍ଟି ଗୋଚର ହଉନଥାଏ ।


ତାଙ୍କ ଦାଣ୍ଡ ଅଗଣାରେ ଡାକିଲାରୁ କେହି ଜବାବ ଦଉନଥାନ୍ତି ।କେତେବେଳେକେ ଜଳାକବାଟ ବାଟେ ଜଣେ ଡିବିରିଟିଏ ଦେଖେଇ ,ହେ କିଏ ସେ??? କ' ଣ କାମ ?? କୋଉଠୁ ଆଇଚ??? ଜିଜ୍ଞାସା କଲେ ।ସୁବ୍ରତ ବାବୁ ତାଙ୍କ ଚିହ୍ନା ଦେଲାରୁ କବାଟ ଫିଟିଲା ବିଳମ୍ବ ରେ ହଉ ପଛେ ।ତାଙ୍କ ବୋଉ ଆମକୁ ସବୁ ଆଉ କୋଳରେ ଝିଅକୁ ଦେଖି ଭାରି ଖୁସି ହେଲେ ଓ ନିଜେ ସାଙ୍ଗେ ସାଙ୍ଗେ ଚୁଲି ଲଗେଇ ଆମେ ମନା କରିବା ସତ୍ବେ ବାଧ୍ୟ କରି ପଖାଳ ଆଉ ପରିବା ପୋଡାପୋଡି ପାଗ କରି ଖୋଇଦେଲେ ।ସତରେ ଭୋକବେଳେ ବାସିତୋରାଣି ଅମୃତ କଥାଟି ପୁରା ସତ ।ଆତ୍ମା ଶାନ୍ତି ହେଇଗଲା ବେଲାରୁ ତୋରାଣି ତକ ଢକ ଢକ କି ଏକାନିଶ୍ବାକ କେ ପି ଦେଇ ଶୋଇପଡିଲୁ ।କଥା ହେଲା ଭୋରୁ ଉଠି ଆଗେ ସରାଙ୍ଗ ଫେରିବା ବ୍ଯବସ୍ଥା କରିବା ।ମୁଁ ଆଗେ ବାହାରିଯିବି ଓ ସୁବ୍ରତ ବାବୁ ପରେ ପିଲାଙ୍କୁ ନେଇ ପହଞ୍ଚିଯିବେ ।ମୁଁ ଆଗେ ବାହାରିଯିବି କାରଣ ସେପଟେ ଆମକୁ ନ ଫେରିବା ଦେଖି  ବ୍ଯସ୍ତତା ନିଶ୍ଚିତ ବଢିଥିବ ।ପରେ ଆଣିଲି ସତରେ ବି ମାଷ୍ଟ୍ରେ ପୋଲିସ ରେ ଖବର ଦେଇ,ସବୁ ମେଡିକାଲ, ହୋଟେଲ ଆଦିରେ ଛାନବିନ୍ କରିସାରିଥିଲେ ।


ପରଦିନ ସିନ୍ଦୁରା ନ ଫିଟୁଣୁ ମୁଁ ଓ ସୁବ୍ରତ ବାବୁ ବାହାରିଲୁ, ସେ ମତେ ମେନ୍ ରୋଡ ଯାଏ ବାଟେଇ ଦବାକୁ ଆସିଲେ ନୂଆ ଜାଗା ହେତୁ।ମେନ୍ ରୋଡ ରୁ ମୁଁ କୌଣସି ଯାନ ପାଇ ସରାଙ୍ଗ କୁ ଗାଡି ଧରିବା ବୋଲି ।ମୁଁ ଗାଁ'ରେ ବଢିଛି, ପୁଣି ଚନ୍ଦ୍ରପକ୍ଷ ରାତି ତେଣୁ ଭୟ ତ ନଥାଏ, ବାସ୍ ଅଜଣା ବାଟ ।କାଲି ରାତିକୁ ଅନ୍ଧାରିଆ କି ଥରୁଟେ ଯାଇଛି ସେ ଲାଗି ସୁବ୍ରତ ବାବୁ ଆସିବାକଥା ।


ଆମେ ଗପସପ ହୋଇ ଚାଲିଛୁ ।ମୁଁ ଆଗେ ଆଗେ , ସିଏ ମୋ ପଛେ ପଛେ ।କୋଡିଏ / ତିରିଶ ହାତ ଖଣ୍ଡେ ଗଲାପରେ ମତେ ଲାଗିଲା ସୁବ୍ରତ ବାବୁ କିଛି କଥାର ଉତ୍ତର ଫେରଉନାହାନ୍ତି ।ପାଦ ଚାଲିଥାଏ ସେମିତି ନ ଅଟକି ଡାକିଲି, କ'ଣ ଘୁମ ଲାଗୁଛି କି ? ଆପଣ ଆମ ପାଇଁ ବଡ ହଇରାଣ ହେଲେ ଆଜ୍ଞା ! କିଛି ଉଁ ଚୁଁ ନ ଶୁଭିଲାରୁ ପଛକୁ ଚାହିଁ ଦେଖେ କେହି ନାହିଁ ।ଛନ୍କା ପଶିଲା ।ଛାତି ତଳ ଟି ଆପେ ଝାଇଁ ଝିଲି ମାରିଦେଲା ।ଏତେ କୋହଲା ପାଗରେ ବି ଝାଳେଇଗଲି ।ଭେଟେଣା ହେଲା ପରି ଲାଗିଲା ।ବଡ ଲୋକଙ୍କୁ ବି ଡର ଲାଗେ ।କ'ଣ କୁଆଡୁ କରିବି! ମୋ ଝିଅ ମୁହଁ ଦିଶିଗଲା ,ମୁଁ ପୁଣି ପିଲାଟିଏ ହେଇଗଲି ।ମନେ ପଡିଲା ମୋ ବାପାଙ୍କ କଥା ," ଡର କାହାକୁ ଭୟ କାହାକୁ, କାଳିଆ ଅଛି ଚଉ ବାହାକୁ " ।ମୁଁ ବି ମାନୁଲୀ କୁ କହେ ,ସେ ସ୍ବର କରି ଗାଇ ଗାଇ ଘୁରେ ।ଡର ଗୋଟେ ଏମିତି ଜିନିଷ ଯାହା ବୁଦ୍ଧି କୁ ଠପ୍ କରିଦିଏ ।ଏଇଠି ହି ଚେତନାର ,ବିଶ୍ବାସ ର, ଉଦୟ ହୁଏ ଅବଚେତନ ସତ୍ତା ଭିତରୁ ।ନିଜ ଭିତରୁ ।


ପାଦ ପାହୁଣ୍ଡ ବଡ ବଡ ପକେଇ ଆଗକୁ ବଢି ଚାଲିଲି ଗୋବିନ୍ଦ ଗୋବିନ୍ଦ କହି କହିକା, ଆଉ କୁଆଡକୁ ତିଳେ ନଜର ନାହିଁ ।ଧାଇଁ ଧପାଲି ଦଉଡିଲି କହିଲେ ଚଳେ, ସେମିତି ରେ ମୁଁ ଜୋର୍ ଚାଲେ ନିତି ଚାଲିବାର ଅଭ୍ଯାସ ଯୋଗୁଁ ।


ଶେଷରେ ମେନ୍ ରୋଡ ଦିଶିଲା, ତଥାପି ଫର୍ଚ୍ଚା ହେଇ ନ ଥାଏ ।ତମାସା ତମାମ୍ ଆକାଶ ଠୁ ମାଟି ଯାଏ ଗଛର ପତ୍ର ସବୁରୁ ଫିଟି ଫିଟି ଫେଲୁଥାଏ ଯେମିତି । ସୂର୍ଯ୍ୟ ବି ସେପଟୁ ତାଙ୍କ ଲାଲିମା କୁ ଫିଟେଇ ସାରିଥାନ୍ତି ।ସତ୍ୟ ଓ ଅଜ୍ଞାନତା ର ଦ୍ବନ୍ଦ ଥାଏ ଠିକ୍ ମୋ ଭିତର ପରି ଡର ଓ ଜିତିବାର ଜିଦ୍ ମଝାମଝି ।


ମୁଁ ରାସ୍ତା କଡକୁ ଠିଆ ହେଇ ସବୁ ଗାଡିକୁ ହାତ ଦେଖଉଥାଏ, କିନ୍ତୁ ମୁଁ ଠିଆ ହେଇଥିବା ସେଇଠୁ ସେତକ କାହିଁକି କେଜାଣି ଗାଡିର ଚକ ସବୁ ଉଡିଲା ବେଗରେ ପାରି କରି ଯାଉଥାନ୍ତି ।ହଠାତ୍ ନଜର ପଡିଲା ଜଣେ ବୃଦ୍ଧ ବୟସ୍କ ବ୍ଯକ୍ତିଙ୍କଠି ।ସେ ମୋ ଆଡକୁ ଆସି କହିଲେ, ଏଠି ଠିଆ ହୁଅନି ବାପା ।ଏଠି କୋଉ ଗାଡି ରହିବେନି,ସେ ଆଗ ବିଜୁଳି ଖମ୍ବ ଯୋଉ ଦୁଶୁଛି ସେଇ ଠିକି ଯ ହରି ।


ମୁଁ କୋଉ ଲାଇଟ୍ ଖମ୍ବ ବୋଲି ମୁହଁ ବୁଲେଇ ଦେଖି ଧନ୍ୟବାଦ କହିବାକୁ ଏପଟକୁ ଚାହିଁଲା ବେଳକୁ କେହି ନାହିଁ।ଚାରିଆଡକୁ ବୁଲି ଦେଖେ ମୋ ଠିକ୍ ପଛରେ ସମାଧି ସବୁ ମୁଣ୍ଡ ଟେକିଛନ୍ତି ।ଭୟ ପୁଣି ଲେଉଟିଲା । କଥା ଅଛି ଅନ୍ଯ ଗାଁ, ପୋଖରୀ ଆଉ ମଶାଣି କୁ ସାବଧାନ ।ଠିକ୍ ସେତିକି ବେଳକୁ ମୋ ହାତ ଠରା ଦେଖି ଆଉ ଡାକ ଶୁଣି ଗୋଟିଏ ଟ୍ରକ୍ ବାଲା ଗାଡି ସ୍ଲୋ କଲା ,ମୁଁ ଦଉଡିଲେ ତା'ଆଡକୁ ।ସିଏ ମତେ ଚିଡିକି କହିଲା, ତମେ ଜୀଅଁନ୍ତା ମଣିଷ ଟି ,ସେ ମଶାଣି ଠି କେମିତି ଠିଆ ହେଇଛ?? କିଏ ଭୁତ ଭାବିକି ଗାଡି ମଡେଇ ଦେଇଥାନ୍ତା ଯଦି ।ସେଥିରେ ପୁଣି ଧଳା ଫୁଲ୍ ପିନ୍ଧିଛ ।ହଉ ହଉ କୁଆଡିକି ଯିବ ନା କଣ ???


ସେତବେଳକୁ ମୁଁ ହେଜିଲି ଯେ ମୁଁ ଧଳା ଚୁଡିଦାର ପଞାବୀ କୁର୍ତ୍ତା ପିନ୍ଧିଛି ଓ ମତେ ଭୁତ ଭାବି କେହି ଗାଡି ଅଟକ କରୁ ନଥିଲେ ।ସେ ଯା ହେଉ ସେ ଗାଡି ବାଲାଟି ମତେ ଆଗ ଛକରୁ ଡାହାଣ କୁ ଆଉ ଗୋଟିଏ ମେଣ୍ଢା ଟ୍ରକ୍ ରେ ଚଢେଇଦେଲା ।ଏମିତି ଦୁଇତିନି ଗାଡି ,ଚଲା କରି ଶେଷରେ ପହଞ୍ଚିଲି ସରାଙ୍ଗ ରେ ।ସେପଟୁ ମୋ ଝିଅ, ଡଲି,ଓ ସୁବ୍ରତ ବାବୁ ମଧ୍ୟ ଆସି ପହଞ୍ଚିଲେ ।


ମୁଁ ସେ ଭୋର କଥା କହିଲି ,ସୁବ୍ରତ ବାବୁ ବଡ ବ୍ଯସ୍ତ ହେଲେ ।କହିଲେ ମତେ ମଝି ବାଟରେ କିଏ ଆଁ କଲା ପରି ଲାଗିଲା ।ମୁଁ ଆପଣଙ୍କୁ ଆଉ ଡାକିବି କଣ ,ପ୍ରାଣ ଭୟେ ସେଉଠୁ ଲେଉଟି ଏକାମୁହାଁ ଘରକୁ ଫେରିଯାଇଥିଲେ ।କ୍ଷମା କରିବେ ।


ମୁଁ ଭାବୁଥାଏ, ସେ ବୁଢା ଜଣକ କିଏ ??? କାହାର ବାପା, ଜେଜେ, କି ନିଜେ ଚନ୍ଦ୍ରଶେଖର ମହାଦେବ କି ସ୍ବୟଂ ଗୋବିନ୍ଦ ।ସିଏ ଯିଏ ବି ହୁଅନ୍ତୁ ତାଙ୍କୁ ଜୁହାର ଜଣେଇଲି ମନେ ମନେ ।ସେ ତାଗିଦା କଲେ ବୋଲି ସିନା ।ନୋହିଲେ ....... ।


ଚମତ୍କାରିତା ସବୁ ବେଳେ ଅବିରତ ହୋଇଚାଲିଥାଏ ,ଖାଲି ତାକୁ ମୁଠେଇ ପାରିଲେ ହେଲା ।ଚିହ୍ନରା ମନ ଲୋଢା ।


ସମସ୍ତଙ୍କୁ କୁଶଳ ମଙ୍ଗଳ ଦେଖି ଆମ ମାଷ୍ଟ୍ରେ ବି ଖୁସି ହେଲେ ।

ଦିନେ ଦୁଇଦିନ ରହି ଆମେ ଆମ କଟକ ବସାକୁ ଫେରିଆସିଲୁ । ଶଳାବାବୁଙ୍କୁ କହିକି ଯେ ଶୀଘ୍ର ତାଙ୍କ ବିବାହ ବ୍ଯବସ୍ଥା କରାଯିବ ସେ ପ୍ରସ୍ତୁତ ଥାନ୍ତୁ ପୁଣି ଝିଅ ଦେଖା ପର୍ବ ପାଇଁ ।କିନ୍ତୁ ଏଥର ଆଉ ନାହିଁ.... ନାହିଁ ।ହଁ କହିବାକୁ ହି ହବ ।


ପୁଣି ନ ହେଲେ ଗୋଟେ ,ଗୋଟିକିଆ ଧାଡିବାଲା ଇଂଲାଣ୍ଡଲେଟର ଆସି ଯିବ ଯେ ,


ଶ୍ରଦ୍ଧେୟ ଦେବବାବୁ ........।



రచనకు రేటింగ్ ఇవ్వండి
లాగిన్

Similar oriya story from Horror