ସେହି ସ୍ୱର
ସେହି ସ୍ୱର


ସେତେବେଳେ ମୁଁ ପି.ଜି. କରୁଥିଲି। ପରୀକ୍ଷା ଆଗରେ ଥାଏ। ମୋ ସାନ କାକା ଯେହେତୁ ମୋ ସହପାଠୀ ଥିଲେ, ପ୍ରତି ପରୀକ୍ଷା ଆଗରୁ ସେ ଆମ ପାଖକୁ ଆସିଯାନ୍ତି। ଆମେ ସାଙ୍ଗ ହେଇକି ପାଠ ପଢୁ । ମୋ ମାଆ ଜଗି ବସିଥାଆନ୍ତି, କିଏ ଢୁଳେଇଲା ,କିଏ ପାଠରେ ଠକିଲା। ସବୁକୁ ନଜର ତାଙ୍କର । ବହୁତ ରାତି ପର୍ଯ୍ୟନ୍ତ ପଢୁ। ବର୍ଷ ସାରା ଯେତିକି ଢିଲା ମାରିଥାଉ ପାଠରେ, ମାସେ ଭିତରେ ସବୁ ସାରି ଦେବାର ଚେଷ୍ଟାରେ ରାତି ବେଶି ଯାଏଁ ପଢିବାକୁ ପଡେ।
ମାଆ କାମ କରି ହାଲିଆ ହେଇକି ଶୋଇ ପଡ଼ିଥିଲେ। କାକା ଚଉକି ଉପରେ ମୁଁ ଖଟ ଉପରେ ବସି ପଢୁଥାଉ । ପଢୁ ପଢୁ ମୋତେ ଜୋରରେ ନିଦ ଲାଗିଲା। ରାତି ଏଗାରଟା ହବ। କାକା ପଢୁଥାନ୍ତି, ମୁଁ ସେଇଠି ଶୋଇପଡିଲି। ନିଦ ଗଭୀର ହେଇନି। ହଠାତ ମୋ କାନ ପାଖରେ କେହି ଜଣେ ଅନୁନାସିକ ସ୍ୱରରେ କିଛି କହିବାର ଶୁଣିଲି। ତା'ପରେ ଆଉ କିଛି ମନେ ନାହିଁ।
ସକାଳେ ବାପା ପଚାରିଲେ" ରାତିରେ କ'ଣ ହେଲାକି ତୋର? ମୁଁ ଆଶ୍ଚର୍ଯ୍ୟ। ମନେ ପଡିଲା ଅସ୍ବସ୍ତିକର ସେ କଣ୍ଠସ୍ୱର। କେମିତି ଗୋଟେ ଲାଗିଲା । ତା'ପରେ ଯାହା ଶୁଣିଲି ଘରଲୋକଙ୍କଠାରୁ ଏମିତି ଥିଲା, - "ହଠାତ ମୁଁ ଶୋଇବାରୁ ଉଠିପଡ଼ିଲି। ମୋ ଆଖି ଦୁଇଟି ପୁରା ରକ୍ତବର୍ଣ୍ଣ ଥିଲା । ଜୋର ଜୋର ଶବ୍ଦ କରି କାନ୍ଦୁଥିଲି। ଟିକେ ପରେ ପୁଣି ହସୁଥିଲି। କାକା ଡରିକି ଘରର ସମସ୍ତଙ୍କୁ ଏକାଠି କରି ସାରିଥିଲେ। ଯିଏ ଯାହା ପଚାରିଲେ କିଛି ଉତ୍ତର ନଥିଲା । ବାପା ଯାଇକି ଜଣଙ୍କୁ ଡାକି ଆଣିଥିଲେ ଯିଏକି ଦେବୀଙ୍କୁ ପୂଜା କରନ୍ତି । ସେ ତାଙ୍କ ବେକରୁ ତାଙ୍କ ରୁଦ୍ରାକ୍ଷ ମାଳିଟି କାଢି ମୋ ବେକରେ ପକେଇଦେଲେ । ପାଦୁକ ପାଣି ପିଆଇ ଦେଲେ। ତା'ପରେ ମୁଁ ଶୋଇପଡିଲି " ।
ସେ ଅଲଗା କଥା ସେଦିନ ରାତିରେ ମୋ କାକା ଯାଇକି ବାପା ଓ ମା'ଙ୍କ ମଝିରେ ଶୋଇଥିଲେ। ରାତିରେ ଆଉ ମୋ ସହ କେବେବି ଏକାଠି ନ ପଢ଼ିବାର ଶପଥ ନେଇଥିଲେ । ଏହା ମଧ୍ୟରେ ଅଣତିରିଶ ବର୍ଷ ବିତିଗଲାଣି। ଏବେବି ସେ ଶବ୍ଦ ମୋ କାନରେ ବାଜିଲା ପରି ଲାଗେ। ଦେହ ଶୀତେଇ ଉଠେ। ଏବେବି ଜାଣି ପାରିଲିନି ସେ ଶବ୍ଦ କ'ଣ ଥିଲା? ମୁଁ କିନ୍ତୁ ଶୁଣିଥିଲି। ସ୍ପଷ୍ଟ ଶୁଣିଥିଲି।