ସେ ରାତିର କଥା
ସେ ରାତିର କଥା
ରାସ୍ତା ଯାକ ମାମୁଁ ଘର ସ୍ଵପ୍ନ ରେ ଉବୁଟୁବୁ ହେଉଥିବା ସ୍ପନ୍ଦନ ବସ ଷ୍ଟପ୍ ରେ ଓହ୍ଲେଇ ସାରିଲା ପରେ କେମିତି ଡରି ଡରି ଗଲା। ତା ବ୍ୟତୀତ ଆଉ କେହି ଲୋକ ଓହ୍ଲେଇଲେ ନାହିଁ ବସ ରୁ। ଏଣେ ଚାରିଆଡେ କଳା କିଟ୍ କିଟ୍ ଅନ୍ଧାର। ମୁହଁ କୁ ମୁହଁ ଦେଖାଯାଉନି। ଚାରିଆଡେ ଗୁମସୁମ୍ ନିସ୍ତବତା।ଦଲକାଏ ପବନ ବହିଗଲେ ବି କିଏ ଯେମିତି ଛୁଇଁ ଦେଇ ଗଲା ପରି ଅନୁଭବ ହେଉଛି। ଘଣ୍ଟା ଦେଖିଲା ,ବେଳ ତ ବେଶୀ ହେଇନି।ରାତି ୯ଟା ବାଜିଛି ମାତ୍ର।ଅଥଚ ଦୋକାନ ବଜାର ସବୁ ବନ୍ଦ ହେଇ ଗଲାଣି। କେହି ଲୋକ ଯିବା ଆସିବା କରୁନାହାନ୍ତି। ବର୍ଷା ଏବେ ଏବେ ହୋଇ ଛାଡ଼ିଛି ବୋଧେ। କାଦୁଅ ପଚପଚ ରାସ୍ତା ।ଗୋଡ଼ ଗୋଟେ ଜାଗା ରେ ପକେଇଲେ ଅନ୍ୟ ଠାରେ ପଡୁଛି। କାଳବୈଶାଖୀ ବର୍ଷା ଯୋଗୁଁ ଏମିତି ଗୋଟେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।
କିଛି ସମୟ ଆଗରୁ ଘରେ ପହଞ୍ଚି ଗଲେ ତାକୁ ଦେଖି ସମସ୍ତେ କେତେ ଖୁସି ହେବେ ସେଇ କଳ୍ପନା ରେ ଉଲ୍ଲସିତ ହେଉଥିଲା ତା ମନ ।ସେ ସବୁ ଖୁସି ଏବେ ଭୟ ର ରୂପ ନେଉଛି। ଏ ଅନ୍ଧାର ରାତି ପୁଣି ଏକୁଟିଆ କେହି ସାଥୀରେ ନାହାନ୍ତି ସେ ମଶାଣି ଟା ପାରି ହୋଇ ଗାଆଁ କୁ ଯିବ କେମିତି? ଏଠି ଟିକେ ଅପେକ୍ଷା କରି ମାମୁଁଙ୍କୁ ଫୋନ କରିବ କି? ମାମୁଁ ଆସିଲେ ତାଙ୍କ ସହିତ ଯିବ।ଦୋକାନ ବଜାର ବନ୍ଦ ଥିବାରୁ ଏ ଗମ୍ଭୀର ପରିବେଶ ରେ କେତେ ସମୟ ଏକା ଏକା ମାମୁଁଙ୍କୁ ଅପେକ୍ଷା କରି ରହି ପାରିବ ସେ ! ପରକ୍ଷଣରେ ପୁଣି ଭାବିଲା ନା ବିଲକୁଲ୍ ନୁହେଁ। ଆଜି ମାମୁଁ ସିନା ଆସି ତାକୁ ନେଇଯିବେ। କିନ୍ତୁ କାଲି ଯେତେ ବେଳେ ସମସ୍ତେ ସେ ଡରି ଗଲା ଡର କୁଳା କହି ଚିଡେଇବେ, ତାର ମଜାକ ଉଡେଇବେ ସେ ଜମା ସହି
ପାରିବନି..ବରଂ କାନରେ ଇଅର ଫୋନ୍ ଟା ଗୁଞ୍ଜି ଦେଇ ,ଗୀତ ଶୁଣି ଶୁଣି ମୋବାଇଲ ଲାଇଟ୍ ରେ ବାଟ ଦେଖି ଦେଖି ଧୀରେ ଧୀରେ ଚାଲିବ। ଚାଲିବା ଆରମ୍ଭ ବି କରିଦେଲା ।ଆଗକୁ କିଛି ବାଟ ଯାଇଛି ଦେଖି ପାରିଲା ଆଗରେ ଧୋତି ପିନ୍ଧା ଲୋକ ଜଣେ ମୁଣ୍ଡରେ ଗାମୁଛା ଗୁଡେଇ ମୁହଁ ଲୁଚେଇ ଚାଲି ଚାଲି ଯାଉଛନ୍ତି। ତାର ଟିକେ ସାହସ ବଢ଼ିଗଲା ,ନିଜ ଚାଲି ବଢ଼େଇ ଦେଇ ଡାକ ଛାଡ଼ିଲା ଓ ମଉସା ମଉସା ଟିକେ ରୁହନ୍ତୁ ସାଙ୍ଗ ହୋଇ ଯିବା। ଅନ୍ଧାରରେ ଏକୁଟିଆ ଯାଆନ୍ତୁ ନାହି। ଗଛ ଡ଼ାଳ ଭାଙ୍ଗି ଏଣେ ତେଣେ ପଡ଼ିଛି ଝୁଂଟି ପଡିବେ। ଟିକିଏ ରହିଯାଆନ୍ତୁ ମୋ ମୋବାଇଲ ଲାଇଟ୍ ରେ ବାଟ ଦେଖି ଦେଖି ଯିବା ।ଉଦ୍ଦେଶ୍ୟ ଥିଲା ତାଙ୍କ ସହିତ କଥା ବାର୍ତ୍ତା ହୋଇ ଚାଲିଲେ ଆଉ ଭୟ ଲାଗିବନି।
ବୃଦ୍ଧ ଜଣକ ଉତ୍ତର ଦେଲେ ବ୍ୟସ୍ତ ହ' ନା ରେ ପୁଅ। ଆଗ କାଳିଆ ଗାଉଁଲି ଲୋକ ମୁଁ, ମୋର ଏମିତି ଏ ରାସ୍ତା ରେ ଚାଲିବା ଅଭ୍ୟାସ ଅଛି। ତୋତେ ଡର ଲାଗୁଚି କି ? ଡର କ'ଣ ? ଆ ମୋ ସହିତ କଥା ହେଇ ବାଟ ଚାଲିବୁ
ଡର ଛାଡ଼ିଯିବ ପୁଣି ବାଟ ଜଣା ପଡ଼ିବନି ।
ତୋ ଘର କେଉଁ ଗାଆଁ ରେ କି ? କାହା ପୁଅ ତୁ କହିଲୁ ।ଏତେ ଡେରି ହେଲାଣି ଏକା ଏକା ଫେରୁଛୁ । ସ୍ପନ୍ଦନ ବାଧ୍ୟ ହୋଇ କହିଲା, ମୋ. ମାମୁଁ ଘର ଏଇ ମଧୁପୁର ଗାଆଁ ରେ। ରାଧା ଗୋବିନ୍ଦ ମହାନ୍ତି ମୋ ଅଜା। ମୁଁ ଭୁବନେଶ୍ୱରରୁ ଆସି କଟକ ରେ ବସ୍ ଧରିଲା ବେଳକୁ ଟିକେ ଡେରି ହେଇଗଲା। ବୃଦ୍ଧ ଜଣକ ଖୁସି ହୋଇଗଲେ ଆରେ ତୁ ଗୋବିନ୍ଦ ର ନାତି। ବୁଝିଲୁ ଗୋବିନ୍ଦ ମୋ ପିଲାଦିନ ର ସାଙ୍ଗ। ଆମେ ଏକାଠି ଚାଟଶାଳୀ ରୁ ପାଠ ପଢା ଆରମ୍ଭ କରିଥିଲୁ।ମୋ ଦ୍ବାରା ସେ ପାଠଶାଠ ହେଲାନି। ଅବଧାନଙ୍କ ଠାରୁ କେତେ ମାଡ଼ ଖାଇଚି ।ତୋ ଅଜା ପାଖ ରୁ ପାଠ ଶିଖି ଶିଖି ବଡ଼ କଷ୍ଟ ରେ ମାଇନର ପାସ କଲି। ତା ପରେ ବସ୍ତାନି ରେ ଡୋରି ବାନ୍ଧି ଦେଲି। ଯୁବକ ବୟସ ରେ ତାର ମୋର କେତେ ଥର ଏଇ ଅନ୍ଧାର ରାତିରେ ଟିକେଟ ସେଲ୍ ଯାତ୍ରା ଦେଖି ସାଇକଲ ରେ ଫେରିଚୁ। ଆଜି କାଲି ସିନା ଘରେ ଘରେ ବିଜୁଳି ବତୀ ।ସେତେବେଳେ ସେ ଅନ୍ଧାର ରେ ଆମକୁ କିଛି ଡର ଭୟ ନ ଥିଲା। ସାଇକଲ ଚଢି ଘଣ୍ଟି ବଜେଇ ବଜେଇ ଆମେ ସାତ କୋଶ ବୁଲି ଆସୁ ଥିଲୁ।
ସାହାସ ପାଇ ସ୍ପନ୍ଦନ କହିଲା ସେଇଥି ପାଇଁ ଆପଣ ଅନ୍ଧାରରେ ଏତେ ଜୋର୍ ରେ ଚାଲୁଛନ୍ତି ମୁଁ ଆପଣଙ୍କ ସହିତ ଚାଲି ପାରୁନି।
ତୁ ସହରୀ ପିଲା ମୋ ପରି ଗାଉଁଲି ଲୋକ ସହିତ କଣ୍ ଚାଲି ପାରିବୁ ପୁଣି ଏ ଅମାବାସ୍ୟା ରାତିରେ। ହଉ ଠିକ୍ ଅଛି ମୁଁ ଆଗେ ଆଗେ ଚାଲୁଛି ତୁ ମୋ ପଛେ ପଛେ ଧୀରେ ଧୀରେ ଦେଖି ଦେଖି ପାଦ ପକେଇ ଆସେ। ତୋର କିଛି ଅସୁବିଧା ହେଲେ କାଲି ସକାଳେ ତୋ ଅଜା ମୋତେ ଦୋଷ ଦେଇ କହିବ...ମୁଁ ତା ନାତି କୁ ଠିକ୍ ରେ ନେଇ ଘରେ ପହଞ୍ଚେଇ ପାରିଲିନି ବୋଲି।
ଏଥର ସ୍ପନ୍ଦନର ବିଶ୍ୱାସ ଟିକେ ବଢ଼ିଗଲା ଲୋକଟି ପ୍ରତି। ସେ ପଚାରିଲା ଆପଣଙ୍କ ନା କ'ଣ ଅଜା ?
ଆରେ ସେ ନାଆଁ ରୁ ତତେ କ'ଣ ମିଳିବ ?
ମୋ ଅଜା ଙ୍କୁ କେମିତି କହିବି ମୁଁ କାହା ସହିତ ସାଙ୍ଗ ହୋଇ ଆସିଲି ବୋଲି ।
ହଉ ତାକୁ କହିବୁ ମୁଁ ମଧୁ...ମଧୁସୂଦନ.. ତା ସାଙ୍ଗ।
ଏତେ ବର୍ଷା ହେଇଛି। ଗଛ ଡ଼ାଳ ସବୁ ଭାଙ୍ଗି ପଡ଼ିଛି। ଏମିତି କ'ଣ ଦରକାର ପଡ଼ିଲା ଯେ ଆପଣ ଏ ବର୍ଷା
ଅନ୍ଧାର ରାତିରେ ଘରୁ ବାହାରକୁ ଆସିଥିଲେ?
ତୁ ଛୁଆ ଟା ତତେ କଣ କହିବି। ମୋ ପାଇଁ ରାତି ତ ରାତି ଏ ଖରା ବର୍ଷା ପୁଣି କ'ଣ ? ତୋ ଅଜା ଜାଣିଛି ତାକୁ କହିଲେ ସେ ଜାଣି ପାରିବ। ଆରେ.. ପାଣୁଆ ଟା ପାଞ୍ଚ ବରଷ ହେଲାଣି ତା ଝିଅ ବାହାଘର ବେଳେ ମୋ ଠାରୁ ଟଙ୍କା ଦଶ ହଜାର ସୁଧରେ ନେଇଥିଲା.. ଦବା ନା ଧରୁନି। ଠକ ଟେ। ଆଜି ଯାଇଥିଲି ତା ବେକ ରେ ଗାମୁଛା ପକେଇ ପଇସା ଆଦାୟ କରିବାକୁ.।
ସ୍ପନ୍ଦନ ବଡ଼ ଉତ୍ସାହ ରେ ପଚାରି ପକେଇଲା ସେ ଦେଲେ..।
ଧେତ୍ ତେରୀ କା i ଦେଇଥିଲେ ଏତେ ଡେରି ହେଇଥାନ୍ତା..!
ମତେ ଦେଖିଲେ ଖାଲି ଲୁଚୁଛି। ଆଜି ବି ଲୁଚିଗଲା। ମୁଁ କ'ଣ ଛାଡ଼ିବା ଲୋକ ! ଯେମିତି ହେଲେ ମୋ ପଇସା ଆଦାୟ କରି ଆଣିବି । ଝାଳ ବୁହା ଧନ ଟି.. କଣ ଭାବିଛି ମୋତେ।
ବୁଝିଲୁ ବାପ ଧନ ଯେତେ ସହଜରେ ହାତରୁ ଯାଏ ସେତେ ସହଜରେ କ'ଣ ହାତକୁ ଆସେ !
କାହାକୁ ସହଜରେ ବିଶ୍ୱାସ କରିବା କଥା ନୁହେଁ। ମିଛ ରେ କଣ କହନ୍ତି ଠକିଲେ ଯାଇଁ ଠିକିବ ।
ହେଇ ଦେଖ କଥାରେ କଥାରେ ବାଟ ଜଣା ପଡିଲାନି ଏବେ ତୋ ମାମୁଁ ଘର ଗାଆଁ ଆସିଗଲା । ଏଥର ତୁ ଯାଆ ଗାଆଁ ଭିତର କୁ ମୁଁ ଏ ଗୋହିରୀ ରେ ଚାଲିଲି। ରାସ୍ତା ରେ ଦେଖି ଦେଖି ଯିବୁ।
ସ୍ପନ୍ଦନର ଆତ୍ମୀୟତା ଟିକେ ବଢ଼ି ଯାଇଥିଲା ସେ କହିଲା ଆପଣ ଆସନ୍ତୁ ମୋ ଅଜା ଙ୍କୁ ଦେଖା କରିଯିବେ ସେ ଖୁସି ହେବେ।
ନା ନା ଆଜି ନୁହେଁ ...ତାକୁ ଦେଖିବାକୁ ଆଉ ଦିନେ ଆସିବି । ରାତି ଅଧିକା ହେଲାଣି, ଡେରି ହେଇଯିବ। ଆହୁରି ଦୁଇଟା ଗାଆଁ ଡେଇଁଲେ ମୋ ଗାଁ ମାଳତୀ ପୁର ପଡ଼ିବ। ତର ତର ହୋଇ ଲୋକ ଟା କୁଆଡେ ଅଦୃଶ୍ୟ ହୋଇଗଲା ସ୍ପନ୍ଦନ ଜାଣି ପାରିଲାନି।
ମାମୁଁ ଘରେ ପହଞ୍ଚିଲା ପରେ ତାକୁ ଦେଖି ସମସ୍ତେ ଖୁସିରେ ଆଶ୍ଚର୍ଯ୍ୟ ହୋଇଗଲେ। ଅଜା ଖୁସି ହେଲେ ମଧ୍ୟ ତାଙ୍କ ପୁଲିସ ମନ ଏ ଅନ୍ଧାର ରେ ଏକୁଟିଆ କେମିତି ଆସିଲୁ ପଚାରିଲେ। ସେ ବଡ଼ ଖୁସି ରେ କହିଲା ତୁମ ସାଙ୍ଗ ମାଳତୀ ପୁର ର ମଧୁ ଅଜା ଙ୍କ ସହିତ ଆସିଲି..। ସେ ତୁମ କଥା କେତେ ଗପିଲେ.. ଆଜି ଡେରି ହେଇ ଗଲାଣି ଆଉ ଦିନେ ଆସିବେ କହିଲେ। ପୁଣି ସାଙ୍ଗେ ସାଙ୍ଗେ କୁଆଡେ ଅନ୍ତର୍ଦ୍ଧାନ ହେଇଗଲେ। ଆଉ ଯେତେ ଡାକିଲେ ବି ଉଁ ଚୁଁ କିଛି କହିଲେନି।
ଏକ ପ୍ରକାର ଶୂନ୍ୟତା ଛାଇଁ ଗଲା। ଆଈ କହିଲେ ମଲା ସେ କଉଠୁ ଆସିଲା,।।ଅଜା ଇଶରା ରେ ସମସ୍ତଙ୍କୁ ଚୁପ୍ ରହିବାକୁ କହି , ତାକୁ କହିଲେ ହଉ ଯା କାଲି ସକାଳେ ସେ ବିଷୟରେ କଥା ହେବା। ଭୋକ ଲାଗିବଣି ଆଗ ଗୋଡ଼ ହାତ ଧୋଇ ଲୁଗା ବଦଳେଇ ଦେ.. ଖାଇବା। ଆଈ କୁ କହିଲେ ନାତି କୁ ଦେଖି ଖାଲି ଖୁସି ହେଲେ ହବନି ,ଖାଇବା ବନ୍ଦୋବସ୍ତ କର। ସେ ଟିକେ ବିଶ୍ରାମ ନେଉ। ଇଶ୍ଵର ବଡଲୋକ।
ବୁଝି ପାରିଲାନି କିଛି ସ୍ପନ୍ଦନ। ! ଅନେକ ପ୍ରଶ୍ନ ପଚାରୁ ଥିବା ତା ଅଜା ହଠାତ୍ ଏମିତି ଚୁପ୍ ହୋଇଗଲେ କାହିଁକି?
ସେ ଖାଇବାକୁ ବସିବା ପୂର୍ବ ରୁ ଆଈ ତାକୁ ଝାଡୁ ରେ ଝାଡି ଦେଲା..ଦୁଇ ଚାରିଟା ଶୁଖିଲା ଲଙ୍କା କୁ ଚୁଲି ରେ ପୋଡି ତା ଚାରିପଟେ ବୁଲେଇ ଆଣି ପାଚେରୀ ସେପଟ କୁ ଫିଙ୍ଗିଲା।ମନ୍ତ୍ର ସବୁ ତା କାନରେ ଗୁ ଣୁ ଗୁଣ ହୋଇ ବୋଳିଲା। ସେ ହସିଲା. ଜମା ଡରିନି ଲୋ ଆଈ ..ମୁଁ ପରା ବଡ଼ ହେଲେଣି। ଆଈ ତା ପାନ ଖିଆ ପାଟିରୁ ମେଞ୍ଚେ ଛେପ କାଢି ତା ଉପରେ ଥୁ ଥୁ କରି ପକେଇ କହିଲା ସୁଦୁ ... ବାଇଆ ଟେ। ଏ କ'ଣ ତମ ସହର ବଜାର ହେଇଛି ଯେ ରାତିଦିନ ସମାନ..ଏଇଟା ଗାଆଁ..ଅନ୍ଧାର ରାତିରେ ଭୂତ ପ୍ରେତ ଡ଼ାଅାଣି , ଚିରିଗୁଣୀ ବୁଲନ୍ତି ।ଆଉ କେବେ ରାତିରେ ଏକୁଟିଆ ଆସିବୁନାହିଁ । କିଛି ସମୟ .. ହସ ମଜା ହୋ ହାଲ୍ଲା ଚାଲିଲା ..ସବୁ ଖାଇ ପିଇ ଶୋଇଲେ।
ସକାଳୁ ସ୍ପନ୍ଦନ ଉଠିଲା ଟିକେ ଡେରି ରେ। ଦେଖିଲା ଅଜା ତା ଗୋଡ଼ ପାଖରେ ବସି ଗୋଡ଼ ଚିପି ଦେଉଛନ୍ତି।
ସେ ଅଜାଙ୍କ ମୁହଁ କୁ ଟିକେ ଚାହିଁ ଦେଇ ଉଠି ବସିଲା.। ଅଜାଙ୍କ ରାଗ କମିଛି କି ନାହିଁ କେଜାଣି? ଏବେ ଦେଖିଲା ଅଜା ଙ୍କ ମୁହଁ ରେ କାଲି ରାତିର ସେ ବିଷର୍ଣ୍ଣ ଭାବ ନାହିଁ। ଅଜାଙ୍କ ମୁହଁ ରେ ପ୍ରସନ୍ନତା ଭରି ରହିଛି। ମନେ ମନେ ଖୁସି ହୋଇଗଲା ..ଏଥର ଚିନ୍ତା ଗଲା।
ଅଜା ତା ମନ କଥା ଜାଣି ପାରି କହିଲେ. ମୁଁ ତୋ ଉପରେ ରାଗି. ନାହିଁ ରେ ଧନ କାଲି ଟିକେ ବ୍ୟସ୍ତ ହେଇଗଲି ।ତୁ ଦାନ୍ତ ବ୍ରଶ କରି ଆସ
ଆମେ ଗତକାଲି ର ଘଟଣା ବିଷୟରେ କଥା ହେବା ।
କିଛି ସମୟ ପରେ ଅଜା କହିଲେ ଗତ କାଲି ଯାହା ସହିତ ତୁ ଆସିବା କଥା କହୁଛୁ ଏହା କିପରି ସମ୍ଭବ ? ମାଳତୀ ପୁର ର ମଧୁ ଓରଫ ମଧୁସୂଦନ ୨ ବର୍ଷ ହେଲା ମରି ସାରିଛି। ରାତିରେ ଖାଇ ପିଇ ଶୋଇଥିଲା ହଠାତ ଛାତିରେ କିଛି ଯନ୍ତ୍ରଣା ଅନୁଭବ କଲା । ତା ପୁଅମାନେ ଗାଡ଼ି ଠିକ୍ କରି ହସ୍ପିଟାଲ୍ ନେଲା ବେଳେ ବାଟରେ ହିଁ ସେ ଚାଲିଗଲା। ମଧୁ ଭାରି ଭଲ ସ୍ନେହୀ ଉପକାରୀ ମଣିଷଟେ ଥିଲା । ଲୋକ ମାନଙ୍କୁ ସୁବିଧା ଅସୁବିଧା ଅଭାବ ସମୟରେ ସାହାଯ୍ୟ କରୁଥିଲା । ପ୍ରାଣକୃଷ୍ଣ ଓରଫ ପାଣୁଆ ମରିବା ମଧ୍ୟ ୩ କି ୪ବର୍ଷ ହେଲାଣି। ସେ ମରିବା ଯାଏଁ ମଧୁ ର ଧାର ଟଙ୍କା ଶୁଝି ପାରି ନ ଥିଲା । ଯାହା ତୁ କହୁଛୁ ବା ସେ ତୋତେ କହିଛି ସବୁ ସତ କଥା। କିନ୍ତୁ ମୁଁ ବିଶ୍ୱାସ କରି ପାରୁନି ଏହା କିପରି ସମ୍ଭବ। ମଧୁ ର ଆତ୍ମା ଆଜି ବି କଣ ଘୂରି ବୁଲୁଛି ? ପୁଣି ଅସୁବିଧା ରେ ପଡୁଥିବା ଲୋକ ଙ୍କୁ ସାହାଯ୍ୟ କରୁଛି।
ସେ କଥା ମୁଁ କହି ପାରିବିନି ଅଜା..କିନ୍ତୁ କାଲି ରାତିରେ ସେ ଲୋକ ଗୋହିରୀ ପାଖ ରେ ମୋତେ ଛାଡ଼ି ହଠାତ କୁଆଡେ ଅଦୃଶ୍ୟ ହୋଇଗଲେ। ମୁଁ ଯେତେ ଡାକିଲେ ଆଉ କିଛି ଜବାବ ମିଳିଲା ନାହିଁ ।ମୋତେ ଲାଗିଲା ଲୋକ ଜଣଙ୍କ ଯେମିତି ଦଉଡ଼ି ଦଉଡ଼ି ପବନ ସହିତ ମିଶିଗଲେ।
ଅଜା ଆଖି ବନ୍ଦ କରି ମଧୁ ଉଦ୍ଦେଶ୍ୟ ରେ କହୁଥିଲେ ଆରେ ବଞ୍ଚିଥିଲା ବେଳେ ମୋ ପାଖରେ ଛାଇ ପରି ଥିଲୁ ଆଜି ମରିଯିବା ପରେ ବି ସେହି ବନ୍ଧୁତା କୁ ଭୂଲିନୁ।
ଗତ ରାତିର କଥା କୁ ବର୍ଣ୍ଣନା କରି ସ୍ପନ୍ଦନ ଅଧିକ ଉଲ୍ଲସିତ ହୋଇଗଲା।
ତା ସାନ ଭଉଣୀ କୁ ଫୋନ ରେ କହୁଥିଲା ତୁ ବିଶ୍ୱାସ କରିବୁନି ମୁଁ କାଲି ରାତିରେ ଭୂତ କୁ ଭେଟିଥିଲି। ଆମେ ଯେମିତି ଗପ ରେ ଶୁଣିଥିଲେ ବାସ୍ତବ ରେ ସେ ତା ଠାରୁ ସମ୍ପୁର୍ଣ୍ଣ ଭିନ୍ନ। ସେ ଗୋଟେ ପରୋପକାରୀ ପବିତ୍ର ଆତ୍ମା।
ବୁଝିଲୁ.. ସବୁ ମୃତ ଆତ୍ମା ପ୍ରତିଶୋଧ ନିଅନ୍ତି ନାହିଁ ବରଂ ବେଳ ଅବେଳ ରେ ସାହାଯ୍ୟ ମଧ୍ୟ କରନ୍ତି। ଗତ କାଲି ଭେଟିଥିବା ଆତ୍ମା ଙ୍କୁ ମୁଁ ପ୍ରଣାମ କରୁଛି।

