ସେ ରାତି
ସେ ରାତି
କଳଙ୍କ-
ଛାଇ , ସମସ୍ତେ ଜାଣନ୍ତି ଛାଇ କଳା। ଯେ ପର୍ଯ୍ୟନ୍ତ ଚନ୍ଦ୍ର ,ସୂର୍ଯ୍ୟ ଅଛନ୍ତି ଛାଇ ତ ରହିବ। ଆଲୋକର ରାସ୍ତାରେ ଯିଏ ଆସିବ ତାର ଛାଇ ଆସିବ ।ସେ କିଛି ଦିନ,ମାସ ବା ବର୍ଷ ପାଇଁ ହେଉ ବା କିଛି ମୁହୂର୍ତ୍ତ ପାଇଁ ହେଉ। ସୂର୍ଯ୍ୟ, ଚନ୍ଦ୍ର ଯେମିତି ସତ୍ୟ ଛାଇ ମଧ୍ୟସେମିତି ସତ୍ୟ।ମାତ୍ର ରାତିର ଅନ୍ଧାରରେ ଛାଇ ବହୁତ ଭୟାନକ ହୋଇଥାଏ।ଏକଥା ଅନୁଭବ କରିଥିଲା ସୁମି ସେଦିନ ରାତିରେ। ସେ ରାତି କଥା ମନେ ପଡିଲେ ତାର ଦେହ ଶିତେଇ ଉଠେ ଓ ଲୋମ ଟାଙ୍କୁରି ହୋଇଯାଏ।ସେବେଠାରୁ ଆଜିକୁ ଦୁଇ ବର୍ଷ ହେବ ସୁମି ଆଉ ଗାଁ କୁ ଯାଇନାହିଁ।
ସେଦିନ ହୋଇଥାଏ ଖୁଦୁରୁକୁଣୀ ମାଙ୍କ ପୂଜାର ଶେଷ ପାଳି।ସେଥିପାଇଁ ଗାଁ ର ସବୁ ଝିଅମାନେ ସଜବାଜ ହୋଇ ପୂଜା ନିମନ୍ତେ ପ୍ରସ୍ତୁତ ହୋଇ ଯାଇଥାନ୍ତି।ଗାଁ ର ମଝି ମଣ୍ଡପ ପିଣ୍ଡିରେ ମାଙ୍କ ଆସ୍ଥାନ ବସିଥାଏ।ନାଲି ନେଳି,ସୁନେଲି କେତେ ରଙ୍ଗର ଝାଲର ଲାଗିଥାଏ।ଫୁଲ ର ଛାଉଣୀ ହୋଇଥାଏ ମାଙ୍କ ପାଖରେ।ମାଇକ୍ ମଧ୍ୟ ବାଜୁଥାଏ।ବିଭିନ୍ନ ଭଜନର ସ୍ୱରରେ ଗାଁ ଦାଣ୍ଡ ପଡୁଥାଏ ଓ ଉଠୁଥାଏ।ସେ ରାତି ବର୍ଷକେ ଥରେ ଆସେ ତେଣୁ ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ ଖୁସିର ଦିନ।ଆମେ ସାଙ୍ଗମାନେ ସମସ୍ତ ସଂଧ୍ୟା ସାତଟା ସୁଧା ପହଞ୍ଚି ଯାଇଥିଲୁ।ସେ ବର୍ଷ ପ୍ରଧାନ ସାହିରେ ନୂଆକରି ଜଣେ ମ୍ୟାଡାମ ଆସି ରହୁଥିଲେ ,ସେ ମଧ୍ୟ ଆମ ସହ ପୂଜା ପାଇଁ କହି ଯାଇଥିଲେ ।ତାଙ୍କର ଆସିବା ଟିକେ ଡେରିହେଲା ମାତ୍ର ଆସି ପହଞ୍ଚିଲେ।
ମୋର ମନେ ପଡେ ସେ ଏ ଗାଁ କୁ ଆସିବା ଦିନଠୁ ଗାଁ ର କିଛି ବଦମାସ ପିଲା ତାଙ୍କ ପିଛା ଲାଗିଥାନ୍ତି। ବିଭିନ୍ନ ଖରାପ କଥା ତାଙ୍କ ନାଁ ରେ କୁହନ୍ତି। ସେ ମଧ୍ୟ ଥରେ ଥାନାରେ ଅଭିଯୋଗ କରି ସେମାନଙ୍କୁ ହାଜତରେ ଭର୍ତ୍ତି କରେଇଥିଲେ। ସେବେଠାରୁ ଗାଁ ଝିଅ ମାନେ ଟିକେ ଆସ୍ୱସ୍ଥ ଥିଲେ। ନହେଲେ ଗଲା ଆସିଲା ସବୁ ଝିଅ ବୋହୁଙ୍କୁ ଇଙ୍ଗିତ କରି ଖରାପ କଥି କହି ଟାହି ଟାପରା କରିବା ତାଙ୍କର ଦୈନନ୍ଦିନ ର ବ୍ୟାପାର।
ସେ ଯାହା ହେଉ ସେମାନେ ଥରେ ଥାନାରୁ ଆସିବା ପରଠୁ ଆଉ ସେସବୁ ନଥିଲା।
ପୂଜା ଆରମ୍ଭ ହେଲା।ଘଣ୍ଟ,ଘଣ୍ଟାର ଶବ୍ଦରେ ଗାଁ ଦାଣ୍ଡ ପୂରି ଉଠିଲା। ତା ପରେ ବହି ବୋଲିବା ପାଳି।ସେ ମ୍ୟାଡାମ ଜଣଙ୍କ କହିଲେ ମୁଁ ବହି ବୋଲିବି ତେଣୁ ସମସ୍ତେ ଖୁସିରେ ହଁ ଭରିଲେ।ନୂଆ ଲୋକ କେମିତି ପଢୁଛନ୍ତି ବୋଲି ସମସ୍ତଙ୍କ ଧ୍ୟାନ ତାଙ୍କ ଉପରେ କେନ୍ଦ୍ରିତ ଥିଲା ଓ ସେ ମଧ୍ୟବହୁତ ଭଲ ପଢିଲେ।ପ୍ରାୟ ଏକ ଘଣ୍ଟା ଲାଗିଲା । ତାପରେ ନନା ପୂଜା ଆରମ୍ଭ କଲେ।ପୂନର୍ବାର ଘଣ୍ଟ ,ଶନ୍ଖ ଓ ହୁଳହୁଳିରେ ଘଘନ ପବପ ପ୍ରକମ୍ପିତ ହେଲା।ପୂଜା ପୂର୍ବରୁ ନୂଆ ମ୍ୟାଡାମ ଜଣକ ବହି ପଢି ଥକି ଯାଇ ଥିବାରୁ ଆମକୁ କହିଲେ ମୁଁ ଟିକେ ଘରକୁ ଯାଇ ଖୁବ ଶୀଘ୍ର ପଳେଇଆସେ।ଭୋଗ ସଜଡା ହୋଇ ପୂଜା ବେଳକୁ ମୁଁ ଆସିଯାଇଥିବି।ଏହା କହି ସେ ଚାଲିଗଲେ।ଆମେ ମଧ୍ୟ ପୂଜାରେ ଲାଗିଗଲୁ।ପୁଷ୍ପାଞ୍ଜଳି ସମୟ ହେଲା କାହିଁକି ଆସିଲେନି ତାଙ୍କୁ ଡାକିବା ପାଇଁ ସୁମିକୁ ପଠାଇଲେ ।ମୁଁ ମଧ୍ୟ ବୀର ଦର୍ପରେ ମାଡିଗଲି।ନିଜ ଗାଁ ନା,ବାହାରେ ପାଠ ପଢିଲେ କଣ ହେଲା ଏଇ ପାଣିପବନ ଖାଇ ବଢିଛି ତେଣୁ ସେ ଚାଲିଲା।କିଛି ବାଟ ଯାଇଛି ଏକ ମୋଡ ପଡେ ଓ ବଉଳ ଗଛ ଚାନ୍ଦିନୀ ତାପରେ ପ୍ରଧାନ ସାହି।ସୁମି ଗୀତ ଗାଇ ଗାଇ ଚାଲିଛି।ହଠାତ ଚାନ୍ଦିନୀ ପାଖରୁ କଣ ଗୋଟେ ଯିବାର ଶବ୍ଦ ହେଲା।ଛାତିଟା ଧଡ କିନା ହେଲା ।ଟିକେ ଅଟକି ଯାଇ ଦେଖିବା ପାଇଁ ଇଛା କରି ଧିରେ ଧିରେ ଆଗେଇଲା। କିଛି ଖୋଜ ଯାଇଛି ହଠାତ ଏକ ଛାଇ ଦେଖିଲା ।ସେତେବେଳକୁ ସୁମିର ମନରେ ଡର ବସି ବାନ୍ଧିଲାଣି। ସେଇଠି ଅଟକି ଗଲା।କାହିଁକି ନା ତାକୁ ଲାଗିଲା କେହି ଆସୁଛି।ମାତ୍ର ତାହା ଛାଇ ଥିଲା।ଯାହାକି ଆଗପଛ ହେଉଥିଲା।କିଛି ବୁଝି ନପାରି ଭାବିଲା ବୋଧେ ଭାଲୁ କି ବନ୍ୟଯନ୍ତୁ କିଏ ପଶି ଆସି ଛନ୍ତି ଖାଦ୍ୟ ନିଶାରେ ତେଣୁ ବଡ ପାଟିକରି ଡାକିବ କାହାକୁ ।ଏପଟେ ଡର ଲାଗୁଥାଏ।ବନ୍ୟପଶୁ କାଳେ ଗୋଡେଇବ ଭାବି ପଛକୁ ଫେରିଲା।ଇତି ମଧ୍ୟରେ କିଛି ଯନ୍ତ୍ରଣା ଦାୟକ ଶବ୍ଦ ଶୁଣିବାକୁ ପାଇଲା ।
ସୁମିକୁ ପୁରା ଲାଗିଲା ଏକ ଝିଅର ଶବ୍ଦ।ତେଣୁ ଏକ ଅଜଣା ଆଶଙ୍କାକୁ ନେଇ ସେ ଆଗେଇବାକୁ ଚେଷ୍ଟା କଲା। ପୁଣି ସେହି ଛାଇ, ଏଥର ଗୋଟିଏ ନୁହେଁ ତିନି ଚାରୋଟି। ଟିକେ ଛାଇ ଆସୁଥାଏ ପୁଣି ଆଲୁଅ,ପୁଣି ଛାଇ, ପୁଣି ଆଲୁଅ ।ଯେମିତି କିଏ ଝୁଲୁଛି। କେତେବେଳେ ଛାଇଗୁଡିକ ଲମ୍ବି ଯାଉଛି ତ କେତେବେଳେ କମିଯାଉଛି ସେଥିଭିତରେ କାହାର କୁଁ କୁଁ ଶବ୍ଦ ସୁମିର ମନକୁ ଏକ ଅଜଣା ଆତଙ୍କ ପରି ଲାଗିଲା। ପ୍ରକୃତ ରହସ୍ୟ ଜାଣିବା ପାଇଁ ସେ ଟିକେ ଆଗେଇଲା। ଯାହା ଦେଖିଲା ତା ପାଦତଳୁ ମାଟି ଖସିଗଲା ପରି ଲାଗିଲା। ନୂଆ ମ୍ୟାଡାମ ଙ୍କ ପାଦଦୁଇଟି ଛଟପଟ ହେଉଥିବାର ଦେଖି ସୁମିର ଦେହରୁ ଝାଳ ସର ସର ହୋଇ ବହି ଚାଲିଥାଏ। ବରଡା ପତର ପରି ତା ଗୋଡ ହାତ ଥରୁଥାଏ। କିଛି ବୁଝିନପାରି ସିଧା ଘରକୁ ଧାଇଁଲା।ସେତେବେଳକୁ ଆଉ ପୂଜା ନିଶା ନଥାଏ। କାହାକୁ କିଛି ନକହି ସିଧାଯାଇ ନିଜର ବ୍ୟାଗ ପ୍ରସ୍ତୁତ କରି ନିଜ ପଢାସ୍ଥାନକୁ ଯିବାକୁ ବାହାରିପଡିଲା। ଘରେ ଯିଏ ଯାହା କହିଲେ ଆଉ ଶୁଣିଲା ନାହିଁ। ରାତିଟା ବସରେ କଟିଲା। ମନେ ମନେ ଭାବୁଥାଏ କଣ ହୋଇଥିବ ସେ ନୂଆ ମ୍ୟାଡାମଙ୍କର। ସକାଳେ ନିଜ ହଷ୍ଟେଲରେ ପହଞ୍ଚି ଶୋଇଗଲା।
ଦିନ ଦଶଟାରେ ଉଠି ପେପର ଦେଖେତ ଗତ ରାତିର ମର୍ମନ୍ତୁଦ ଘଟଣାଟି ପେପରର ପ୍ରଥମ ପୃଷ୍ଠା ମଣ୍ଡିତ କରିଛି। ନୂଆ ମ୍ୟାଡାମ ଆଉ ନାହାନ୍ତି। ବହୁତ ଦୁଃଖ ଲାଗିଲା ତାକୁ। କଳଙ୍କର ଦାଗକୁ ବୋହିବା କଷ୍ଟକର ହେତୁ ସେ ସବୁଦିନ ପାଇଁ ସଂସାର ଛାଡି ଚାଲିଗଲେ। ଭାବିଲା ଯଦି ସେ କାହାକୁ ଡାକି ପାରିଥାନ୍ତା ତାହେଲେ ବୋଧହୁଏ ପରିସ୍ଥିତି କିଛି ଭିନ୍ନ ହୋଇଥାନ୍ତା। ମାତ୍ର ସେ କଳା ଧଳା ଛାଇ ତା ମନ ଓ ଆତ୍ମା ଉପରେ ଏତେ ପ୍ରଭାବ ବାସ୍ତାର କରିଥିଲା ଯେ ତା ଚେତନା ଶକ୍ତି ହଜିଯାଇଥିଲା ସେଦିନ ରାତିରେ।
