ସେ କିଏ ଥିଲା
ସେ କିଏ ଥିଲା
ଶ୍ରାବଣ ଶେଷ ପର୍ଯ୍ୟାୟରେ, ଭାଦ୍ରବର ସ୍ଵାଗତ ପାଇଁ ପୃଥିବୀ ପ୍ରସ୍ତୁତ ପ୍ରାୟ। ପ୍ରାତଃ ସମୟ , ଅଳସ ଭାଙ୍ଗୁଥାଏ ସବୁଜିମା। ମୁଁ କଲେଜ ଯାଉଥାଏ ପ୍ରକୃତିର ସୁନ୍ଦରତା କୁ ଉପଭୋଗ କରି କରି। ହଠାତ୍ ସଫେଦ ଆକାଶରେ ଭରିଗଲା ଘନ କୃଷ୍ଣ ବାଦଲ ଗୁଡାକ। ଝିପଝିପି ଜଳବିନ୍ଦୁ ପଡ଼ିବାର ଶଦ୍ଦ ମୋ କାନକୁ ଜୋର୍ ରେ ଯିବାକୁ ପ୍ରବର୍ତ୍ତାଉଥିଲା। ଦୋୖଡି ଯାଇ ଛିଡ଼ା ହୋଇଗଲି ପାଖରେ ଥିବା ଛୋଟ କୁଡିଆର ମାଟି ପିଣ୍ଡା ଉପରେ। ମୁଣ୍ଡ ବାଜିଲା ଭଳି ଚାଳ ଘର,କବାଟ ଖୋଲା,ଦରଭଙ୍ଗା ମାଟି ପିଣ୍ଡା। କୁଡିଆକୁ ଦେଖିଲେ ଲାଗୁଥିଲା ପ୍ରେମରେ ବିରହୀଟିଏ ଯେମିତି କେଉଁ ଆଦିମ କାଳରୁ ଚାହିଁ ରହିଛି ତା ପ୍ରିୟତମାର ଫେରିବା ବାଟକୁ। ଅପେକ୍ଷାର ଆଘାତରେ କ୍ଷତ ବିକ୍ଷତ ହୋଇ ସାରିଛି ହେଲେ ମରିନି।
ଭିତରୁ ଶଦ୍ଦ ଆସିଲା,"ବାବୁ ଭିତରକୁ ଆସ!" ତିଳେ ହେଲେ ସଙ୍କୋଚ ନ କରି ଭିତରକୁ ଚାଲିଗଲି ମୁଁ। ସ୍ଵରଟା କାହିଁକି କେଜାଣି ଆପଣାର ଲାଗିଲା। ଯେମିତି ଆଗରୁ କୋଉଠି ଶୁଣିଛି , ହେଲେ କେବେ କୋଉଠି?? ଭିତରେ ଥିଲେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି। ଆଖିରେ ନାହିଁ ଆଶାବାଦ,ମୁଁହରେ ଅପ୍ରତ୍ୟାଶିତ ଭାବେ ବଢ଼ିଥିଲା ଦାଢ଼ି , ଆଉ ପୋଷାକ ଗୁଡାକ ସଂଗ୍ରହାଳୟରୁ ଆଣିଲା ଭଳି ଦିଶୁଥିଲା। କିଛି ବାର୍ତ୍ତାଳାପ ପରେ ଜାଣିପାରିଲି ସେ ବହୁତ୍ କମ ଶଦ୍ଦ ଭିତରେ ତାଙ୍କ ଜୀବନର ସତ୍ୟ କାହାଣୀକୁ ଉପସ୍ଥାପନ କରୁଥିଲେ ମାେ ଆଗରେ।
ତାଙ୍କ ଜୀବନ କାହାଣୀର ପ୍ରେମ ଅଧ୍ୟାୟରେ ଶଦ୍ଦ ସବୁ ଲୁଚକାଳି ଖେଳୁଥିଲେ। ଅଧୁରା ଲାଗୁଥିଲା ବାକ୍ୟ ସବୁ, ଜୀବନ୍ତ ଲାଗୁଥିବା ଚରିତ୍ର କ୍ରମେ କାହାଣୀର ଚଉହଦି ଭିତରୁ ହଜି ଯାଉଥିଲେ ସତେ ଅବା !! ମୁଁ ପୁଣି ଥରେ ଶୁଣିବାକୁ ଚାହିଁଲି ତାଙ୍କ ପ୍ରେମ କାହାଣୀ। ପଚାରିଲି ଅଧା କହିଲେ , ତା ପରେ କଣ ହେଇଥିଲା ? "କିଛି କିଛି କାହାଣୀ ଅଧୁରା ରହିବା ପାଇଁ ଜନ୍ମ ନିଏ" ଏକ ଗଭୀର କଣ୍ଠରେ ଉତ୍ତର ଆସିଲା।
ବର୍ଷା ପରେ ମୁଁ କଲେଜ ନ ଯାଇ ଘରକୁ ଆସିଲି। ମନେ ପକେଇବାକୁ ଚେଷ୍ଟା କରୁଥିଲି ସେ ପରିଚିତ ଲାଗୁଥିବା ସ୍ୱରକୁ। କିଛି ସମୟ ପରେ ଆଇନା ଆଗରେ ମୁଁ ନିଜକୁ ଦେଖି ଚମକି ଗଲି। ନିଜ ଭିତରେ ମୁଁ ତାଙ୍କୁ ଦେଖି ପାରୁଥିଲି ଆଉ ଗୁଣୁଗୁଣୁ ହେଉଥିଲି "କିଛି କିଛି କାହାଣୀ ଅଧୁରା ରହିବା ପାଇଁଁ ଜନ୍ମ ନିଏ।"