Jeevan Pradeep Pradhan

Tragedy Inspirational

4.8  

Jeevan Pradeep Pradhan

Tragedy Inspirational

ଦୀପକାର

ଦୀପକାର

3 mins
509


ଫୋନରେ ଆଲାରମ ବାଜିବାରୁ ଇଚ୍ଛା ନଥାଇ ବି ବାଧ୍ୟ ହୋଇ ଉଠିଲି। ସମୟ ପ୍ରାତଃ ପାଞ୍ଚ ଘଟିକା। ଝରକା ବାହାରେ ଅନ୍ଧକାର କାୟା ବିସ୍ତାର କରିଥିଲେ ମଧ୍ୟ ଦିବାକର ଆଗତ ପ୍ରାୟ। ବିହଙ୍ଗ ସବୁ ଆକାଶର ବକ୍ଷ ଚିରି ଉଡି ଯାଉଛନ୍ତି ଖାଦ୍ୟାନ୍ଵେଷଣରେ । ଛାତ ଉପରକୁ ଯାଇ ବାଦଲ ସବୁକୁ ପରଖି ଦେଖିଲି ଲାଗୁଥିଲା ସତେ ଯେମିତି ଦୀପାବଳୀର ସ୍ବାଗତ ସମ୍ବର୍ଦ୍ଧନା ପାଇଁ ସଜେଇ ହୋଇ ରହିଛନ୍ତି । 

     ଘର ଭିତରୁ ମାଆ ଜୋରରେ ଡାକ ପକାଇଲେ , "କୁଆଡେ଼ ଗଲୁ ଏପଟେ କେତେ କାମ ରହିଲାଣି ତଳକୁ ଆସେ ।" ମୁଁ ତଳକୁ ଗଲି ମାଆଙ୍କ ନିର୍ଦ୍ଦେଶରେ ଘର କାମରେ ମାଆଙ୍କୁ ସାହାଯ୍ୟ ମଧ୍ୟ କଲି। ପ୍ରଭାତ ସ୍ନାନର ଅଭ୍ୟାସ ନଥିଲେ ମଧ୍ୟ ମାଙ୍କ କଥାରୁ ଓହରି ନ ଯାଇ ସ୍ନାନ କରିବାକୁ ପଡିଲା। 

     ଦୀପାବଳି ପାଇଁଁ ଦୀପ ବାଣ ଏବଂ କିଛି ଲାଇଟ୍ ଆଣିବା ପାଇଁ ବାହାରକୁ ବାହାରିଲି। ମାଆ କହୁଥିଲେ କୁଆଡେ଼ ଦୀପାବଳି ଦିନ ରାମ ନିଜ ରାଜ୍ୟକୁ ଫେରିଥିଲେ ସେଥିପାଇଁ ରାମଙ୍କ ସ୍ୱାଗତାଭିଳାଷେ ପୁରା ରାଜ୍ୟର ପ୍ରଜାଗଣ ଦୀପ ଲଗାଇ ରାଜ୍ୟକୁ ଆଲୋକିତ କରିଥିଲେ। ହେଲେ ଏବେ ଅତ୍ୟାଧୁନିକ ଯୁଗରେ ଲାଇଟ୍ ଲଗାଇ ଆମେ କୋଉ ରାମଙ୍କ ସ୍ବାଗତ କରୁଛୁ କେଜାଣି ? ମୁଁ ଭାବି ଭାବି ବଜାରକୁ ଯାଉଥାଏ। 

     ଯିବା ରାସ୍ତାରେ ପଡ଼େ ବୟସ୍କ ବର ଗଛଟିଏ। ତା ତଳେ ଜଣେ ବୃଦ୍ଧ ଦୁଇ ତିନୋଟି ବାଉଁଶ ତିଆରି ଡାଲାରେ ଦୀପ ରଖି ବସିଛନ୍ତି। ରାସ୍ତାରେ ବହୁ ଲୋକ ଯିବା ଆସିବା କରୁଛନ୍ତି ହେଲେ କାହାର ବି ତିଳେ ନଜର ନାହିଁ ସେ ବରଗଛ ଆଡ଼କୁ କି ସେ ବୁଢା ଲୋକ ଆଡ଼କୁ , ଯାହାର ବି ନଜର ପଡି ଯାଉଛି ସେ ଧ୍ୟାନ ନ ଦେଇ ମୁହଁ ବୁଲେଇ ଚାଲି ଯାଉଛି। 

ଅଭିଜ୍ଞତାର ପାହାଡକୁ ଧରି ନୀରବରେ ଅଛନ୍ତି ସେ ବରଗଛ ଆଉ ବୁଢା ଜଣଙ୍କ। 

   ମୁଁ ସେ ବୃଦ୍ଧଙ୍କ ଆଡ଼କୁ ଗଲି । ଚର୍ମ ଗୁଡ଼ାକ ଓହଳି ପଡ଼ିଲାଣି ଯେମିତି ବରଗଛର ଶୁଖି ଯାଇଥିବା ପତ୍ର ପରି। ଶରୀରକୁ ଦେଖିଲେ ଲାଗୁଛି ଏବେ ହିଁ ପ୍ରାଣବାୟୁ ଟିକକ ଉଡିଯିବ। ହେଲେ ଦାୟିତ୍ଵର ଭାର ଏତେ ଶୀଘ୍ର ପ୍ରାଣ ଛାଡ଼ିବାକୁ ରାଜି ନୁହେଁ। ହାତ ଦୁଇଟି ସ୍ଥିର ରହିପାରୁ ନାହିଁ ଅନବରତ ଥର ଥର ହେଉଛି ହେଲେ ଦୀର୍ଘ ୬୦ ବର୍ଷ ହେଲା କେବେ ଦୀପ ଗଢିବାରେ ଭୁଲ କରିନି ଏ ହାତ। 

     ପାଖକୁ ଯାଇ ଦୀପର ଦାମ ପଚାରିଲି , ବୁଢା ଜଣଙ୍କ କହିଲେ ବଡ ଦୀପ ଗୋଟିକ ଚାରି ଟଙ୍କା ଏବଂ ସାନ ଦୀପ ଗୋଟିକ ଦୁଇ ଟଙ୍କା। 

କିଛି ଦୀପ କିଣି ସାରିବା ପରେ ମୁଁ ପଚାରିଲି ଆପଣ ଏ ପରିଣତ ବୟସରେ ଦୀପ ତିଆରି କରି ବିକ୍ରି କରୁଛନ୍ତି କଣ ପାଇଁ ! ଆପଣଙ୍କ ପରିବାରରେ ଆଉ କିଏ ଅଛନ୍ତି ? ବୁଢା ଜଣଙ୍କ ଗମ୍ଭୀର ହସଟିଏ ଭେଟି ଦେଇ କହିଲେ ,"ମୋ ଭାରିଯା ଚାରି ବରଷ ହେବ ଆର ପାରିକି ଗଲାଣି, ବହୁ ବର୍ଷ ପୂଜାର୍ଚ୍ଚନା ପରେ ପୁଅଟିଏ ପାଇଥିଲି ହେଲେ ସେ ବି ଜନ୍ମରୁ ପାଗଳ ତାର ଚିକିତ୍ସା କରାଇବା ବି ସମ୍ଭଵପର ହୋଇ ପାରିଲା ନାହିଁ ମାେ ପକ୍ଷେ। ମୁଁ ଏଇମିତି ମାଟି କାମ କରେ ଯାହା ଦି ପଇସା ମିଳେ ଦିଜଣ ଦି ବକତ ଖାଇ ଚଳି ଯାଉ । " 

    ମୁଁ ଦୀପ ନେଇ ସାରି ଅଗ୍ରସର ହେଲି ବାଣ ଏବଂ କିଛି ଲାଇଟ୍ କିଣିବା ପାଇଁ। ବାଣ ଦୋକାନ ଆଗରେ ବହୁତ ଗହଳି, ଭିନ୍ନ ଭିନ୍ନ ବିଦେଶୀ ବାଣ କିଣିବା ପାଇଁ ଲୋକଙ୍କ ଭିତରେ କସରତ। ଲାଇଟ୍ ଦୋକାନରେ ବି ସମାନ ସ୍ଥିତି ଭିନ୍ନ ଭିନ୍ନ ରଙ୍ଗର ଲାଇଟ୍ କିଣିବା ପାଇଁ ଲୋକଙ୍କ ଭିଡ଼ ପ୍ରବଳ। ମୁଁ କିଛି ବାଣ ଆଉ ଲାଇଟ୍ ନେଇ ଘରକୁ ଫେରିଲା ବେଳେ ବି ସେ ବରଗଛ ତଳେ ଥିବା ବୁଢା ପାଖରେ ଜଣେ ହେଲେ ବି ଲୋକ ନଥାନ୍ତି। ଏଇ ଲାଇଟ୍ ଯୁଗରେ ହାତ ତିଆରି ମାଟି ଦୀପ ଏବଂ ମାଟି କାମ କରୁଥିବା ଲୋକର ଭବିଷ୍ୟତ ଯେ କଣ ତାହା କହିବା ଭାରି କଷ୍ଟ। 

    କୋଟି କୋଟି ଟଙ୍କାର ବ୍ୟବସାୟ ହୁଏ ଦୀପାବଳି ଦିନ। ହେଲେ କୋଉଠି ପହଁଚିଛି ସେ ବ୍ୟବସାୟିକ ଲାଭାଂଶ? ବରଗଛ ତଳେ ବସିଥିବା ବୁଢା ଆଜି ବି ଦି ଓଳି ଖାଇବା ପାଇଁ ସଂଘର୍ଷ କରୁଛି ଆଉ ତେଲିଆ ମୁଣ୍ତରେ ତେଲ ବଢ଼ି ଚାଲିଛି।


Rate this content
Log in

Similar oriya story from Tragedy