ମାଆ ଆସିଲା
ମାଆ ଆସିଲା
କଣ୍ଟ୍ରାକ୍ଟର ଘରକୁ ଆସି ସାତ ହଜାର ଟଙ୍କା ଦେଇ ଗଲେ । ଆଉ ଆଖି ଦେଖେଇ କହି ଗଲେ ,"ଏ କଥା ଯଦି ବାହାରେ କେହି ଜାଣନ୍ତି ଆଉ କମ୍ପାନୀ ନାଁରେ କିଛି ଅଭିଯୋଗ ଆସେ ତେବେ ତୁମ ଭାଗ୍ୟ ଖରାପ କରିଦେବି।" ସେ ଯିବାର ଅଧ ଘଣ୍ଟା ହେବଣି ହେଲେ ସେଇ ଦୁଆର ଆଡ଼କୁ ସେମିତି ଚାହିଁ ବସିଛି ମାଳତୀ । ଆଖି ପତା ପଡୁନି ସେତେବେଳୁ। ତା ଆଖିରୁ ବାରି ହୋଇ ପଡ଼ୁଛି ଅସହାୟପଣ । କଣ ଅବା କରିବ ସେ! ମଳିମୁଣ୍ଡିଆ ଲୋକ, ଦି ଓଳି ଖଟିଲେ ଗୋଟେ ବକ୍ତ ଖାଇବାକୁ ମିଳେ ତାହା ପୁଣି ମନ ଭରି ନୁହେଁ । ଆଉ ଟିକେ ଅଧିକ ରୋଜଗାର ପାଇଁ ମାଳତୀ ଆଉ ତା ଅଣ୍ଡିରା ସୁର ଗାଁରୁ ଆସିଥିଲେ ଏ ଖଣି ଅଞ୍ଚଳରେ କାମ କରିବା ପାଇଁ । ଏଥି କାମ କରିବାର ଏଇ ଦୁଇ ତିନି ମାସ ହେଲାଣି । ଦିନ ଯାକ ଖଣିରେ କାମ କଲେ ଭଲ ଦି ପଇସା ମିଳୁଥିଲା । ହେଲେ ଏଇ ମାହାପ୍ରୁ ଗରିବ ଲୋକଙ୍କ ଉପରେ ଏତେ ନିଷ୍ଠୁର ଆଚରଣ କଣ ପାଇଁ କରନ୍ତି କେଜାଣି?
ସାତ ଦିନ ହେଲା ଆଜିକୁ ସୁର ଗୋଡ଼ କଟା ହେବାର । ଖଣିରେ ବୁଲଡୋଜରରେ ମାଟି ତାଡୁତାଡୁ ଦଲକାଏ ପଥର ଖସି ପଡିଲା ସୁର ଉପରେ । ବିଚରାର ବାଆଁ ଗୋଡ଼ଟା ଚାପି ହୋଇଗଲା ପଥର ତଳେ। ସେତେବେଳେ ତା ସହ ସେଇଠି ମାଳତୀ ହେଲେ କାମ କରୁଥିଲା । ଓଃ! କି ହୃଦୟ ଥରା ସମୟ ଥିଲା । ପଥର ପଡ଼ି ଗୋଡ଼ଟା ପୁରା କୁଚୁକୁଚା ହେଇ ଯାଇଥିଲା । ରକ୍ତରେ ସେ ଖଣ୍ଡକ ଜାଗାର ମାଟି ପୁରା ଭିଜି ଯାଇଛି । ଦେଖି ହେଉ ନଥିଲା ସେ ଦୃଶ୍ୟ।ରକ୍ତ ହାଡ଼ ମାଂସ କୁଆଡେ କଣ କିଛି ଚିହ୍ନି ହେଉ ନଥିଲା । ସେ ସମୟର ଦୃଶ୍ୟକୁ ଯିଏ ଦେଖିଛି ତା ଦିହ ଥରି ଯାଇଛି । ତାକୁ ଡାକ୍ତରଖାନା ନେଲା ବେଳେ ମାଳତୀ ଗୋଟା ପଣେ ଥରୁଥିଲା । ଡ଼ାକ୍ତରଖାନାରେ କିଛି ସମୟ ଚିକିତ୍ସା ପରେ ଡାକ୍ତର ବାବୁ ଗୋଡ଼ କାଟିବା ପାଇଁ କହିଲେ। ଗୋଡ଼ କାଟିବା ବିନା ଅନ୍ୟ କିଛି ରାସ୍ତା ନଥିଲା । ବିଚରା ସୁର ସାରା ଜୀବନ ପାଇଁ ପଙ୍ଗୁ ହେଇଗଲା । ଡାକ୍ତରଖାନାର ସବୁ ଖର୍ଚ୍ଚ ସେଇ କଣ୍ଟ୍ରାକ୍ଟର ବୁଝିଲା । ଅପରେସନ ପଇସା ମେଡିସିନ ଖର୍ଚ୍ଚ ସବୁ ସେ ଦେଲା । କାଲି ଡାକ୍ତରଖାନାରୁ ଡିସଚାର୍ଜ ହେଇ ଘରକୁ ଫେରିଛି ସୁର । ଘର ବୋଇଲେ କଣ କି ଏଇ ପଲିଥିନ ଭିଡା ତମ୍ବୁ ମ ! ଏଇ ଭିତରେ ମୁଣ୍ଡ ଗୁଞ୍ଜନ୍ତି ତିନି ପ୍ରାଣୀ; ସୁର, ମାଳତୀ ଆଉ ଝିଅ ଉପାସନା । ଏଇ ଶ୍ରାବଣକୁ ଝିଅକୁ ତେର ବର୍ଷ ପୁରିଲା । ବାହାଘର ଚାରି ବର୍ଷ ଯାଏଁ ପିଲା ଛୁଆ ହେଉ ନଥିଲା ମାଳତୀର । କେତେ ଓଷା ବ୍ରତ କରି ପାଇଛି ଝିଅକୁ ତେଣୁ ନାଁ ଦେଇଛି ଉପାସନା । ଉପସନାକୁ ନା ରୂପରେ ନା ଗୁଣରେ କୋଉଠିରେ ବି ବାହୁନି ହେବନି, ଭାରି ଭଲ ଝିଅଟିଏ । ଗାଁରେ ସ୍କୁଲ ମାଷ୍ଟ୍ରେ କହୁଥିଲେ ଝିଅ କୁଆଡେ଼ ଭଲ ପଢୁଛି ବୋଲି ତେଣୁ ଏ ଖଣିକୁ ଆସିଲା ଦିନୁ ଝିଅର ପାଠ ପଢା ବନ୍ଦ ନ କରି ପାଖ ସରକାରୀ ସ୍କୁଲରେ ନାଁ ଲେଖେଇ ଦେଇଛି ମାଳତୀ । ଗୋଟେ ବୋଲି ଝିଅ ତା ପୁଣି ଡେରିରେ ପାଇଛି ତେଣୁ ଭାରି ଗେହ୍ଲାରେ ବଢ଼େଇଛି। ମାଳତୀର ଆଶା ଝିଅ ପାଠ ପଢ଼ି ଚାକିରୀ କରିବ ଆଉ ତାଙ୍କ ଦଶା ଦୂର ହେବ। ମାଳତୀ ଆଉ ସୁର ସବୁଦିନ ଖଣିକୁ ଯାଆନ୍ତି ସକାଳୁ ଯେ ଦିନ ଗଡିଲେ ଯାଇକି ଫେରନ୍ତି । ମାଳତୀ ରୋଷେଇ କରିକି ନେଇକି ଯାଇଥାଏ ଦି ପ୍ରହରେ ଖାଇବା ପାଇଁ।ଉପାସନା ସ୍କୁଲ ଟାଇମ୍ ହେଲେ ନିଜେ ଖା ଖୁଇ କରି ବାସନ ମାଜି ସାରିକି ସ୍କୁଲ ଯାଏ । ଗରିବ ହେଲେ କଣ ହେଲା ପାଠ ପ୍ରତି ଭାରି ଆଗ୍ରହ ତାର । ତା ଆଗ୍ରହ ଆଗରେ ହାର ମାନିଛି ପରିବାରର ଗରିବତ୍ଵ । ସବୁ ଠିକ୍ ଠାକ୍ ଚାଲିଥିଲା ହେଲେ ଏଇ ଘଟଣାଟା ପୁରା ପରିବାରର ମାନଚିତ୍ର ବଦଳେଇ ଦେଲା। ଉଜାଡି ଦେଲା ଏକ ହସ ଖୁସିର ଛୋଟ ସଂସାରକୁ। କଣ ପାଇଁ କେଜାଣି ସବୁ ଠିକ ଚାଲିଥିଲା ବେଳେ ଅଘଟଣଟିଏ ଘଟିଯାଏ!
ଦୁଇ ଦିନ ହେବ ଗୋଟେ ଲୋକ ଆସି ବାରମ୍ବାର କହୁଛି କମ୍ପାନୀ ନାଁରେ କେସ ଦେବାକୁ । ଓକିଲ ଭଳି ଲାଗୁଛି । କେସ ଦେଲେ କୁଆଡେ କମ୍ପାନୀ ପଇସା ଅଧିକ ଦେଵ, ଲକ୍ଷ ଲକ୍ଷ ଟଙ୍କା ପାଇବ । ଏବେ ତ ସବୁତକ ସାତ ହଜାର ଟଙ୍କା ଦେଇଛି । ହେଲେ ମାଳତୀ ରାଜି ହେଉ ନାହିଁ କେସ ଦେବାକୁ । ଗରୀବ ଲୋକ କଣ ପାଇଁ ବଡ଼ ବଡ଼ୁଆ ଲୋକଙ୍କ ସହ ପଙ୍ଗା ନେବ । କିଏ ଶୁଣିବକି ଗରିବ ଗୁରୁବା ଲୋକଙ୍କ କଥା।ଅଯଥା ସରକାରୀ କଳରେ ପେଶୀ ହେବା କଥା । ବଡ଼ ଲୋକଙ୍କ ସହ ଶତ୍ରୁତା କରି ଫେରେ ଘାଣ୍ଟି ହେବା କଥା !
ସୁରର ଗୋଡ଼ ଭଲ ହେଲା ପରେ ମାଳତୀ ଗାଁକୁ ଫେରି ଯିବା କଥା ଭାବିଛି । ଏ ସହରଟା ତା ଅଣ୍ଡିରାର ଗୋଡ଼ ଖାଇଲା ତେଣୁ ଏ ସହରଟା ତାଙ୍କ ପାଇଁ ଶୁଭଙ୍କର ନୁହେଁ । ଗାଁରେ ଯାହା ଆ ତା ଘରେ କାମ କରି ମିଳିବ ସେଥିରେ କଷ୍ଟେ ହେଉ ସିନା ଚଳିଯିବା କଥା । ସରକାର ତ କେତେ ଯୋଜନା କଲେଣି, ମାସକୁ ମାସ ଚାଉଳ ଗହମ ତ ମିଳୁଛି। ତେଣୁ ଏ ଖଣିରେ ଆଉ କାମ କରିବନି, ଭାରି ବିପଦ ଏ କାମରେ । ଅଳପ ପଇସା ମିଳୁ ପଛେ ଗାଁରେ ଯେଉଁ ସୁଖ ଥିଲା ଏଥି ସେଇ ସୁଖ କାଇଁ? ଗାଁରେ ଯୋଉ ଆପଣାପଣ ସେଇଟା କଣ ଏଇ ସହରରେ ମିଳିବ?
××× ତିନି ବର୍ଷ ପରେ ×××
ତିନି ବର୍ଷ ହେଲା ଗାଁକୁ ପଳେଇ ଆସିଲେଣି ତିନି ପ୍ରାଣୀ । ଘରେ ସେମିତି ପଡ଼ି ରହିଛି ସୁର ଭାଙ୍ଗି ଯାଇଥିବା ଦୂର୍ଗଟିଏ ପରି! ଖଟକୁ ଆଉଜେଇ ରଖୁଛି ଦୁଇଟି ବାଡି ଦରକାର ପଡିଲେ ସେଇ ବାଡି ନେଇ ଘର ଭିତରେ ଟିକେ ଚାଲବୁଲା କରେ। ସବୁ ଦୈନନ୍ଦିନ କାର୍ଯ୍ୟ କରିବାକୁ ବି ଅସମର୍ଥ ସେ। ଉପାସନା ବାପାକୁ ସବୁ କାର୍ଯ୍ୟରେ ସାହାଯ୍ୟ କରେ, ରୋଷେଇ କରେ ଆଉ ଘର ସମ୍ଭାଳେ। ମାଳତୀ ଗାଁରେ ପର ଘରେ ପାଇଟି କରିବାକୁ କୁଣ୍ଠାବୋଧ କରି ରାଜ୍ୟ ବାହାରକୁ ଯାଇ ଇଟାଭାଟିରେ କାମ କରୁଛି । ଭଲ ଦି ପଇସା ମିଳି ଯାଉଛି । ମଦନା କକାଙ୍କ ପୁଅ ବି ସେଇ ଇଟାଭାଟିରେ ତେଣୁ ସେ ଯେବେ ଗାଁକୁ ଆସେ ତା ସହ ଟଙ୍କା ପଠାଏ ମାଳତୀ । ସେ ତ ପୁରା ଚିହ୍ନା ପିଲାଟା ତେଣୁ ବିନା ସଂକୋଚରେ ତା ସହ ପଇସା ପଠାଏ । ସେଇ ପଇସାରେ ଘର ଚଳେ। ବାରିରେ ଫସଲଫନ୍ଦା କରିଛି ଉପାସନା ସେଥିରୁ ଖାଇବାକୁ ଯାହିତାହି ହୋଇଯାଏ ଆଉ ଖାଲି ଯାହା ତେଲ ଲୁଣ ପାଇଁ ପଇସା ଦରକାର । ଉପାସନା ଏ ବର୍ଷ ଦଶମ ଶ୍ରେଣୀରେ ପଢ଼ୁଛି, ମାଟ୍ରିକ ପରୀକ୍ଷା ଦେବ ତେଣୁ ଟିକେ ଟିଉସନ ନ ଗଲେ ହେବନି । ତେଣୁ ମାଆ ଟିକେ ଅଧିକ ବକ୍ତ କାମ କରି ପଇସା ପଠାଏ । ପ୍ରତି ମାସେ ଦେଢ଼ ମାସରେ ଗାଁକୁ ଆସେ ମଦନ କାକାଙ୍କ ପୁଅ ସୁକୁଟା । ଏବେ ଦୁଇ ମାସ ହେଲା କାମ ଅଧିକ ଥିବାରୁ ସୁପରଭାଇଜର ଛୁଟି ଦେଇନି ତେଣୁ ପଇସା ଘରକୁ ଆସିବାର ବାଟଟା ବନ୍ଦ ହେଇଯାଇଛି । କାଲି ରାତିରେ ମାଳତୀ ଉପାସନା ସହ କଥା ହେଉଥିଲା ଆଉ ମାସେ ପରେ କାମ ସରିଗଲେ ତିନି ମାସର ଟଙ୍କା ଧରିକି ଗାଁକୁ ପଳେଇ ଆସିବ ସେ । ବହୁତ ଦିନ ହେଲା ଝିଅ, ଘଇତାକୁ ଛାଡ଼ି ରହିଲାଣି ମନଟା ଛଟପଟ ହେଲାଣି ଟିକେ ଦେଖିବାକୁ । ଏତେ ଦିନ ହେଲା ଦେଖିନି ତେଣୁ ମନଟା ଖାଲି ଡହଳ ବିକଳ ହେଲାଣି ଗାଁକୁ ଆସିବା ପାଇଁ। ହେଲେ କାମରୁ କଣ ଫୁରସତ୍ ମିଳୁଛି?
ତେଲେଙ୍ଗାନା ରାଇଜରୁ ଓଡ଼ିଶା ଆସିବାକୁ ଟ୍ରେନରେ ତିନି ଦିନ ଲାଗେ ତେଣୁ ସେ ହିସାବ କରି ଝିଅକୁ କହିଲା ଆର ମାସ ସତର ଅଠର ତାରିଖକୁ ସିଏ ଗାଁରେ ପହଞ୍ଚିବ। ଏ କଥା ଶୁଣି ଭାରି ଖୁସି ହେଲା ଉପାସନା। କେମିତି ଖୁସି ନ ହୁଅନ୍ତା ଯେ ଦଶହରା ବେଳକୁ ମାଆ ଆସିଥିଲା ଯେ ଏବେ ସରସ୍ଵତୀ ପୂଜା ଗଲାଣି ଦେଖିନି ମାଆକୁ ସେ। ପୁଣି ଗାଁ ଦୋକାନରେ ପଇସା ବାକି ଅଛି ମାଆ ଆସିଲେ ସେଗୁଡା ଶୁଝିବ ଟିଉସନ୍ ସାରଙ୍କ ପଇସା ବି ଦେବ। ଉପାସନା ମାଆକୁ ମନେ ପକାଇ କହିଲା ତୁ ଜଲଦି ଆସେ ମାଆ ମୋ ବୋର୍ଡ ପରୀକ୍ଷା ବି ଅଠର ତାରିଖରୁ ଆରମ୍ଭ । ତୋ ପାଦ ଛୁଇଁ ଆଶୀର୍ବାଦ ନେଇ ମୁଁ ପରୀକ୍ଷା ଦେବାକୁ ଯିବି, ଦେଖିବୁ ପରୀକ୍ଷା ନିଶ୍ଚୟ ଭଲ ହେବ।
ଅଠର ତାରିଖ ଦିନ ସକାଳୁ ପୋଖରୀରେ ଗାଧୁଆ ପାଧୁଆ ସାରି ଗାଁ ମନ୍ଦିରରେ ଦୀପ ଜାଳି ଦର୍ଶନ ସାରି ଆସି ମାକୁ ଅପେକ୍ଷା କରି ବସିଛି ଉପାସନା । ମାଆ ଆସିଲେ ପାଦ ଛୁଇଁ ପରୀକ୍ଷା ଦେବାକୁ ଯିବ। ପାହାନ୍ତି ପହରରୁ ମାଆ ଆସିବା କଥା ହେଲେ ଏବେ ଯାଏଁ ଆସିନି। ପରୀକ୍ଷା ସମୟ ପାଖେଇ ଆସିଲାଣି ହେଲେ ମାଆ ଆସୁନି। ଖଟ ଉପରେ ସୁର ପାଖରେ ବସି ଦରୱାଜା ଆଡ଼କୁ ଚାହିଁଛି ଉପାସନା।
ମାଆ ଆସିଲାନି ତ କାହିଁ! ସମୟ ହୋଇଗଲା ତେଣୁ ବାଧ୍ୟ ହୋଇ ଝିଅ ମାଟ୍ରିକ ପରୀକ୍ଷା ଦେବା ପାଇଁ ସ୍କୁଲ୍ ବାହାରିଲା । ହଠାତ ଖବର ଆସିଲା ତେଲେଙ୍ଗାନା ଇଟାଭାଟିରୁ ତା ମାଆର ମୃତ ଶରୀର ଫେରୁଛି । ସ୍ଥାନୀୟ କନେଷ୍ଟବଳ ଆସି ଖବର ଦେଲା । କଥାଟାକୁ ବିଶ୍ୱାସ କରି ପାରୁନଥିଲା ଉପାସନା । କନେଷ୍ଟବଳ ଫଟୋ ମଧ୍ୟ ଦେଖେଇଲା ତେଲେଙ୍ଗାନା ପୁଲିସ ସେ ଫଟୋ ପଠେଇଥିଲା । ପରୀକ୍ଷା କଥା ସେତେବେଳେ ଆଉ ଉପାସନା ମୁଣ୍ତରେ ନଥାଏ । ଦୁଇ ଘଣ୍ଟା ପରେ ମାଆର ଶବ ଆସି ପହଞ୍ଚିଲା ଗାଁରେ। ପୁଲିସ୍ ବାବୁ ଆସି ସୁରକୁ କହିଦେଇ ଗଲେ ଦୁଇ ଦିନ ତଳେ ମାଳତୀର ମର୍ଡର ହେଇଛି ସେଇ ଇଟାଭାଟିରେ ହିଁ। ମାଳତୀର ବ୍ୟାଗ୍ ମଧ୍ୟ ମିଳୁନାହିଁ ତେଣୁ ଚୋରି ପାଇଁ ଏମିତି ହେଇଥିବା ସନ୍ଦେହ କରାଯାଉଛି । ଉପାସନା ମାଆକୁ ଧରି କାନ୍ଦିଲା ବେଳେ ହଠାତ ନଜର ପଡିଲା ଖାଲି ବେକଟାରେ ଦେଖିଲା ତା ବେକରେ ମଙ୍ଗଳସୂତ୍ର କି କାନରେ ପେଣ୍ଡିଫୁଲ ହଳକ ନାହିଁ। ଦଶହରାକୁ କିଣିଥିବା ନୂଆ ପାଉଁଜିହଳକ ବି ନାହିଁ।ପୁଲିସ ଇଟାଭାଟିରେ ପଚରାଉଚୁରା କରି ଜାଣିଛି ସୁକୁଟା ବି ସେଇ ଦିନ ରାତିରୁ କାହାକୁ କିଛି ନ ଜଣାଇ କୁଆଡେ଼ ପଳେଇଛି।
