ସଦା ଉଚ୍ଚାରିତ ଜୀବନ.. ବାପା
ସଦା ଉଚ୍ଚାରିତ ଜୀବନ.. ବାପା
ମୋ ବାବା.....
ସମୟ ସେଇଠି କଡ଼ ଲେଉଟାଏ ଯେଉଁଠି ବାବା ଠିଆ ହୁଅନ୍ତି l ଆକାଶ ପରି ବ୍ୟାପ୍ତ ଆଉ ଅସୀମ l ଶୃଙ୍ଖଳା କୁ ଭଲ ପାଉଥିବା ମଣିଷ ମୋ ବାବା l ବେଳେ ମୁଁ ଆଶ୍ଚର୍ଯ୍ୟ ହୁଏ ତାଙ୍କ ଜୀବନ ଚର୍ଯ୍ୟା ଦେଖି... ପରିଶ୍ରମ ର ଫଳ କୁ ହିଁ ଆହାର ମଣନ୍ତି...
ମୁଁ ଶୁଣିଚି ବାବା ଏତେ ଭଲ ପାଠ ପଢ଼ଥିଲେ ଯେ ତାଙ୍କୁ ପଢେଇବାକୁ ମୋ ବଡ଼ ପିଇସୀ.( ବାବାଙ୍କ ବଡ଼ ଭଉଣୀ ) ଯଦିଓ ସେ ବି ଭଲ ଛାତ୍ରୀ ଥିଲେ ସେ ନର୍ସିଙ୍ଗ ଟ୍ରେନିଂ ରେ ଯୋଗ ଦେଇଥିଲେ ଏଇ ଷ୍ଟାଇପେଣ୍ଡ ପଇସା ବାବାଙ୍କୁ ଦେଉଥିଲେ ପାଠ ପଡ଼ିବାକୁ କାରଣ ମୋ ଜେଜେମା ଙ୍କ ପକ୍ଷେ ତାଙ୍କ ସ୍ୱଳ୍ପ ଦରମାରେ ଚାରି ପିଲାଙ୍କୁ ଲାଳନ ପାଳନ କରିବା ଅତ୍ୟନ୍ତ କଷ୍ଟକର ଥିଲା,
ବାବା ପାଠ ପଢା ସହ ଗୀତ ଗାଇବା ଅଭିନୟ କରିବା
ଜାରି ରଖିଥିଲେ.. ଆକାଶବାଣୀ ରେ ସମ୍ବାଦ ପାଠକ ଭାବେ ବଛା ବି ହେଇଥିଲେ.. ଜେଜେ ମା କହନ୍ତି" ତୋ
ବାପ ଏତେ ଭଲ ପଢୁଥିଲା ଯେ ତତ୍କାଳୀନ ରାଷ୍ଟ୍ରପତି ଭି ଭି ଗିରି ବ୍ରହ୍ମପୁର ରେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ
ଅଲ ଇଣ୍ଡିଆ ମୁଟ କୋର୍ଟ ଚମ୍ପିୟାନସିପ ଓଡିଶା କୁ ପ୍ରତିନିଧିତ୍ୱ କରି ବିଜୟୀ ହେଇଥିଲେ l
1969 ର ଛାତ୍ର ଆନ୍ଦୋଳନ ରେ ନେତୃତ୍ୱ ନେଇ କୋରାପୁଟ ର ଡିଏଭି କଲେଜ ସ୍ଥାପନ ରେ ଅଗ୍ରଣୀ ଭୂମିକା ନେଇଥିଲେ ବାବା l
ଚାକିରୀ ର ପ୍ରାରମ୍ଭ ରେ ସମ୍ବଲପୁର ରେ ଥିଲେ ବାବା ସେତେବେଳେ ଆମେ ଦୁଇ ଭଉଣୀ କଟକ ବକ୍ଲି ହଷ୍ଟେଲ ରେ ପାଠ
ପଢ଼ୁଥିଲୁ,, ମାମା କୋରାପୁଟ ରେ ଚାକିରୀ କରୁଥିଲେ. ମୋର ମନେ ଅଛି ବାବା ଛୁଟି ରେ ଆମକୁ ଆଣିବାକୁ ଆସନ୍ତି l ନାଇଟ ବସ ରେ ଆମ ଦୁଇ ଭଉଣୀ ଙ୍କୁ ଧରି ଫେରନ୍ତି ସକାଳେ. ବାବା ରୋଷେଇ କରୁଥିଲେ ଆମେ ଖାଉଥିଲୁ. ଦୁଇ ଚାରି ଦିନ ପରେ ମାମା ଆସୁଥିଲେ..
ବାବା ସାଇକଲ ରେ ବ୍ୟାଙ୍କ ଯାଉଥିଲେ ଯେହେତୁ ମୁଁ ଟିକେ ବଡ଼ ହେଇସାରିଥିଲି ତେଣୁ ମନେ ଅଛି ବାବା ଗୋଟେ ଗୋଟେ କରି ଜିନିଷ କରୁଥିଲେ ଆଉ ଆମେ ଛୁଟି ରେ ଆସିଲେ ଖୁସି ହେଉଥିଲୁ..
ଦିନ ଆଗେଇଛି.. ସମୟ ବାଟ କଢେଇ ନେଇଛି.. ଏବେ ଆମେ ସଂସାର କରି ପାକଳ ହେଲେଣି.. ହେଲେ ଏବେବି ମୋ ବାବା କହିଲେ କେମିତି ଗୋଟାଏ ଅଦ୍ଭୁତ ଭାବ ମୋହଗ୍ରସ୍ଥ କରେ... ବିପଦ ଯେଡ଼େ ବଡ଼ ହେଇଥାଉ ବାବାଙ୍କ ପିଠି ପଛ ଆଡେ ରହିଯାଏ.. ଗଣ୍ଠି ପଡ଼ିଥିବା ସମସ୍ୟା ଆପେ ଆପେ ଖୋଲିଯାଏଁ...
ତେଣୁ କ୍ୟାଲେଣ୍ଡର ର ଗୋଟିଏ ଦିନ ହିଁ ବାପାଙ୍କର.. ତାଙ୍କ ପରିସର ଆଉ ପରିଧି ଭିତରେ ପରା ଆମେ ତିନି ଭାଇ ଭଉଣୀ ଏବେବି ନିଶ୍ୱାସ ନେଉଛେ..
ତେଣୁ....
ବାବାଙ୍କୁ କଣ ବର୍ଣ୍ଣିହୁଏ
ସେ 'ଅନୁଭବ ରେ
ସ୍ପର୍ଶରେ..
କଥା ରେ..
କାହାଣୀରେ..
ସ୍ମୃତିରେ...
ଅ ରୁ କ୍ଷ ଯାଏଁ
ଆରମ୍ଭ ରୁ ଶେଷ ଯାଏଁ
ସୂର୍ଯ୍ୟଦୋୟ ରୁ ସୂର୍ଯ୍ୟାସ୍ତ ଯାଏଁ
ଯୁଗ ରୁ ଯୁଗାନ୍ତ ଯାଏଁ...
କେବଳ ଉଚ୍ଚାରଣ ହିଁ ଯଥେଷ୍ଟ. ।