ମୋ ରାଜା ଭାଇ
ମୋ ରାଜା ଭାଇ
ମୋ ସାନ ଭାଇ ପୁପୁ । ଅନେକ ଛୋଟ ମୋଠୁ କିନ୍ତୁ ଯେତେବେଳେ ଚାହିଁଛି ସେ ଠିଆ ହେଇଚି ଆଉ ସବୁବେଳେ ସେଇ ଗୋଟିଏ କଥା ଅପା ବ୍ୟସ୍ତ କାହିଁକି ହଉଛୁ ସବୁ ଠିକ ହେଇଯିବ ଆଉ ଠିକ ସେୟା ହିଁ ହୁଏ। ଏବେ ବି ମନେ ପଡେ ତୋତେ ଥାପୁଡି ଶୋଇଦେବା କଥା । ମୁଁ ବୋଲୁଥିଲି,
ତୁମ ପରି ଛୋଟ ପିଲାଟିଏ..
ଗାଁ ଚହାଳୀର ଚାଟ ସିଏ
ଚେହେରା ତାହାର ଡଉଲ ଡଉଲ.
ବୁଦ୍ଧି ତାର ସରି କିଏ ।
ତୁ ସତରେ ମୋର ସବୁଠୁ ସୁନ୍ଦର ଆଉ ସୁନା ଭାଇ ।
ତୋ ନାଁ ପୁପୁ ନଥିଲା, ତୁ ପପୁ ଫିଡିଙ୍ଗ ବୋତଲରେ କ୍ଷୀର ପିଉଥିଲୁ ପପୁ ରୁ ପୁପୁ ହେଲୁ । ତୋତେ ନିତୁ ହିଁ ବୋଧେ ଏ ନାଁ ରେ ଡ଼ାକିବା ଆରମ୍ଭ କରିଥିଲା ।
ସବୁଠୁ ଆଶ୍ଚର୍ଯ୍ୟ ର କଥା ତୁ ଅ ଆ ଲେଖୁ ଲେଖୁ ମାମା ଜୁନାଗଡ଼ରେ ଥିଲା ବେଳେ ଦିନେ ହଟାତ ଦେଖି ଦେଖି ବହୁତ କିଛି ଲେଖି ଦେଇଥିଲୁ ଗୋଟେ ପୁରୁଣା ଲାଲ ଡ଼ାଇରୀ ରେ ।
ଭୁବନେଶ୍ୱରରେ ପଢିଲା ବେଳେ ନିତୁ ଆଗେ ଆଗେ ସ୍କୁଲ ପଳେଇ ଯାଉଥିଲା । ତୁ କାନ୍ଦୁଥିଲୁ, ଅପା ମୋତେ କାଖେଇ ନେଇ ଯା 'ଜିଦି କରୁଥିଲୁ ।
ତୁ ପ୍ରଥମ ଶ୍ରେଣୀରେ ପଢିଲା ବେଳେ ସବୁଠୁ ପରିଷ୍କାର ପ୍ରାଇଜ ପାଇଥିଲୁ କିନ୍ତୁ ତୋ ନାଁ ଡକା ହେଲା ବେଳେ ଶୋଇ ଯାଇଥିଲୁ ।
ମୁଁ ୟୁନିଟ ଚାରି ସ୍କୁଲରେ ପଢିଲା ବେଳେ ତୁ ଛତା ନେଇ ଅସୁଥିଲୁ, ଅପା ଓଦା ହେଇଯିବ ବୋଲି । ସ୍କୁଲ ବ୍ୟାଗ, ଛତା ଆଉ ତୁ କାହାକୁ ସମ୍ଭାଳିବି କହିବି ତ ତେଣୁ ଅଧା ଓଦା ହେଇ ଫେରୁଥିଲୁ ।
ଆଉ ଏବେ.....
ତୁ ସାତ ସମୁଦ୍ର ତେର ନଈ ଡେଇଁ ସିଙ୍ଗାପୁରରେ । ବାପା ହେଲୁଣି । ତୋ ଛୁଆଙ୍କ ଭିତରେ ତୁ ହିଁ ଦିସୁ । ଏବେ ଏ କରୋନା ର ଭୟାଭୟ ସ୍ଥିତିରେ ତୋ କଥା ଭାବିଲେ ପରିସ୍ଥିତିଟା ଆଉ ଟିକେ ଭାରି ହୁଏ ।ଏଥର ର ରାକ୍ଷୀ ଅନ୍ୟ ବର୍ଷ ଠୁ ଟିକେ ଭିନ୍ନ । ହଁ.. ତୁ ସିଙ୍ଗାପୁରରେ ରହିଲା ପରେ ତୋ ହାତରେ ସିଧା ରାକ୍ଷୀ ବାନ୍ଧିବା ଯଦିଓ ସମ୍ଭବ ହେଇନାହିଁ, ପୋଷ୍ଟରେ ହିଁ ପଠେଇ ଦିଏ । ଏଥର ର ରାକ୍ଷୀ ଟିକେ ଭିନ୍ନ ଟିକେ ଅଲଗା l ମହାମାରୀ କରୋନା ଯୋଗୁଁ ପରିବେଶ ପରିସ୍ଥିତି ବଦଳି ଯାଇଛି ।
ମନେ ପଡେ ତୁ ପିଲା ବେଳେ ନିଜେ ତୋ ପସନ୍ଦ ର ବଡ଼ ଆଉ ଚକଚକିଆ ରାକ୍ଷୀ କିଣି ଆଣୁଥିଲୁ କାରଣ ମୋ ରାକ୍ଷୀ ତୋତେ ଭଲ ଲାଗୁନଥିଲା l ତୁ କହୁଥିଲୁ "ଅପା ମୁଁ ଚାକିରୀ କଲେ ବଜାରର ସବୁଠୁ ବଡ଼ ରାକ୍ଷୀ କିଣିବି ଆଉ ପିନ୍ଧିବି । ସେ ଦିନ ଆଜି ନାହିଁ ତୁ ଚାକିରୀ କଲୁ ଏବେ ସତରେ ସବୁଠୁ ବଡ଼ ରାକ୍ଷୀ କିଣିବାର ଯୋଗ୍ୟତା ରଖୁ କିନ୍ତୁ ତୁ ବିଦେଶରେ ଆଉ ମୁଁ ମୋ ସଂସାରରେ । ଆମେ ବୁଦ୍ଧିରେ ପାକଳ ହେଇଛୁ କିନ୍ତୁ ହୃଦୟ ଭିତର ମନଟା ଗୁମୁରି କାନ୍ଦେ । ଫେରିଯିବାକୁ ଇଚ୍ଛା ହୁଏ ସେଇ ଦିନ ମାନଙ୍କୁ ଯେଉଁଠି ଆମେ ତିନି ଭାଇ ଭଉଣୀ କଳି ଝଗଡା ହେଉଥିଲେ । ତୋତେ ପଣିକିଆ ଶିଖେଇଲା ବେଳେ ତୁ ନିଦ ଲାଗୁଚି କହି ଜାଣି ଜାଣି ଘାଲେଇ ଶୋଇପଡ଼ୁଥିଲୁ । ନିତୁ ସାନ ଅପା ସହ ମିଶି ଯାବତୀୟ ଦୁଷ୍ଟାମୀ ଏଇ ଯେମିତି ବାବାଙ୍କ ପୁରୁଣା ସାଇକେଲରେ ମଙ୍କି ପେଡାଲ ମାରି ତମାମ ଖରାବେଳେ ବୁଲୁଥିଲ ଦୁହେଁ ।
ଏବେ ସେ ଦିନ ସବୁ ଅପହଞ୍ଚ କିନ୍ତୁ ମନ ଭିତରେ ସାଇତା ଏକ ମହାର୍ଘ୍ୟ ସମ୍ପତ୍ତି, ଜୀବନଟା ଯେତେବେଳେ ଦୁର୍ବିସହ ମନେହୁଏ ଏଇ ଛୋଟ ବଡ଼ କଥାର ସାଇତା ସ୍ମୃତି ହିଁ ବାତ ଚାଲିବାକୁ ଖୋରାକ ଯୋଗାଏ ।
ଭଲ ରେ ଥା ରେ ମୋ ଭାଇ । ଏମିତି ଆମ ଦୁଇ ଭଉଣୀଙ୍କ ଭାଇ ହେଇ ଥା.. ଡାକିଲେ ଉଁ କରୁଥା.. ଆଉ ଅପା ବୋଲି ଡ଼ାକୁଥା ଜୀଵନର ଶେଷ ପ୍ରହର ପର୍ଯନ୍ତ ।