ନିଜ ପାଇଁ ଚିଠି ଟିଏ....
ନିଜ ପାଇଁ ଚିଠି ଟିଏ....


ଚିଠି !!!
ବହୁଦିନର ବଞ୍ଚିବା ଭିତରେ ମୋ ଭିତରର "ମୁଁ"ଟି କେମିତି ହଜି ହଜି ଗଲା ପରି ମନେ ହେଉଥିଲା, ତେଣୁ ନିଜକୁ ଭେଟିବାକୁ ଯାଇ ଚିଠି ଟିଏ ଲେଖିବାକୁ ଇଚ୍ଛା ହେଲା :::ଆଉ ସେଇ କ୍ରମରେ ଚିଠି.....
ସ୍ନେହର ମିତା !!!!
ସ୍ନେହ ନେବୁ, ଆଲୋ ସ୍ନେହ ଆଉ କାହିଁ ଯେ.. ସ୍ନେହ କାହିଁ ଯେ ନେବୁ ? ଆଜୀବନ ବାଣ୍ଟିଚି ସେଇତକ ଜମା ପୁଞ୍ଜିକୁ l ଜୀବନେ ସାଇତା ସ୍ନେହ ଆଉ ଶୁଭେଚ୍ଛା ନିଜ ଅଜାଣତେ କେଉଁଠି ଛାଡି ଆସିଲି ସେ ବି ଏକ ବିରାଟ ପ୍ରଶ୍ନବାଚୀ..
ଦେଖ ତ କହୁ କହୁ କୁଆଡେ ମାଡିଗଲିଣି, ମୋ କଥା ସବୁବେଳେ ସେମିତି, ଯଥା ପରଂ ତଥା ପରଂ... କିଛି ନୁଆଁ ନାହିଁ, ରୁଟିନ ବନ୍ଧା ଜୀବନ... ଛାଡ଼ ମୋ କଥା... ତୁ କହ, କହ କେମିତି ଅଛୁ?? ହଁ ସେମିତି.. ସବୁ ଉପରବାଲାର ଇଚ୍ଛା.. ଏଇ କେତୋଟି ଭଙ୍ଗା ଉଚ୍ଚାରଣକୁ ଧରି ଚାଲିଛି କାହିଁ କେତେ ଦିନରୁ, ବଞ୍ଚିବା ଏଠି ଅସମାହିତ ସଂଘର୍ଷ, ଦିନ ଯାଏଁ ଚି଼ହ୍ନ ରହେ ଜୀବନ ଧାଉଁଥାଏ ଉଠିପଡି ଏଠି ସେଠି ବିନା ବିରାମରେ, ଝାଳ ଆଉ ରକ୍ତ ସବୁ ଗୋଟିଏ ନାଡିରେ ପ୍ରବାହିତ ହେଉଥାନ୍ତି...ଶରୀରଟା କେବଳ ଚମଡାର ଥଳି ବୁଜୁଳା ବନ୍ଧା ହେଇଛି ଯେମିତି...
ଜୀବନ ଏଠି ସାତସିଆଁ ତାଳି ପକା କନ୍ଥା ଭଙ୍ଗା ଗଢ଼ା ଜୀବନ ଭିତରେ ପହଁରି ବୁଲୁଥାଏ କୁଢ଼ କୁଢ଼ ଅବିଶ୍ୱାସ..ଆପଣାର ବୋଲାଉଥିବା ମଣିଷଟି ହଠାତ୍ ଅପରିଚିତ ହେବାର ପୋଷାକ ତଳେ ନିଜକୁ କୁଞ୍ଚିକାଞ୍ଚି ବେଶ ଚତୁରତାର ସହ ପିନ୍ଧାଇ ପକାଏ.. ଜାଣୁ ସମ୍ପର୍କର ପରିଭାଷା ବଦଳୁଥାଏ ଘଡି ଘଡି....
"ମୋତେ ସତ ତୋତେ ମିଛ" ଏଇ କ୍ରମରେ କଥା କାହାଣୀ ସବୁ ଫେଣ୍ଟା ଫେଣ୍ଟି ମିଶ୍ର ଅନୁଭୂତି ଜୀବନକୁ ନେଇ, କମ ବ୍ୟକ୍ତ ବେଶୀ ଅବ୍ୟକ୍ତ ସ୍ମୃତି ଆଉ ଅନୁଭୂତି ଆଉ ତାରି ଭିତରେ ଦିକ ଦିକ ହେଇ ଜଳୁଥାଏ ବଞ୍ଚିବାର ଆଶା....
ମଣିଷ ଭିଡ଼ ଭିତରେ କୋଣିକିଆ ବଖୁରିଆ ଘରେ ମୁଁ ହେଉଥାଏ ଘର ବାହାର କେତେବେଳେ ହୁଏତ ଆସିବ କେହି ଜଣେ, ତାପରେ ହୁଏତ ନିରବି ଯାଇଥିବା ଯାଇଥିବା ମନ ଅଗଣାରେ କୋଳାହଳର ମହୋତ୍ସବ ଗୁଞ୍ଜରି ଉଠିବ, ପୁଣି ପଲ୍ଲବିତ ହେବ ଘର ଅଗଣା.. ପ୍ରସ୍ପୁଟିତ ହେବ ସୁଗନ୍ଧି ପ୍ରୀତି ପୁଷ୍ପ ଆଉ ତାରି ବାସ୍ନାରେ ମହ ମହ ବାସିବ ସମଗ୍ର ପରିବେଶ.....
ହେଲେ ସେ ଅପେକ୍ଷା କେବଳ ଅପେକ୍ଷା ଫାଟକରେ ଠିଆ ହେଇଛି. କିନ୍ତୁ ବିଶ୍ୱାସଟା ଏବେ ବି ଦିଗ୍ ଦିଗ୍ ହେଇ ଜଳୁଛି., ତେଣୁ ଅନ୍ଧାର ଏ ଯାଏଁ ଆସି ନାହିଁ ଆଶାର ସଳିତା ଏବେ ବି ଆର୍ଦ୍ର...
ହଉ ଚାଲ, ଏଥର ଯିବା, ସିନ୍ଦୂରା ସିନ୍ଦୂରା ଫିଟାଇଲାଣି.. ମିତା କହିଲା ଢେର... ମିତା ଶୁଣିଲା ବି ଢେର, ଆଜି ଏତିକି.. ବାକି କଥା ଆରଥରକୁ ମୋ ସୁନାଟା ପରା ହସିଲୁ ଟିକେ.. ହେଇ ତ ଓଦା ଆଖି ପୋଛି ହସୁଛୁ.. ହସୁଥା ଏମିତି ସବୁ ହତାଶାକୁ ହଜମ କରି ସକାଳେ ପରା ଅନେକ କାମ ଚାଲ ଫେରିବା ଆମ ଦୁନିଆକୁ ଆମ ନୀଡ଼ ଆଉ ଅବାଦକୁ ସବୁ ଦୁଃଖ କଷ୍ଟକୁ ତକିଆ କରି କ୍ଲାନ୍ତିର ଚାଦର ଢାଙ୍କି ଦଣ୍ଡେ ଆଖି ବୁଜି ଉଠିବା.. ପୁଣିଥରେ ଅଣ୍ଟା ଭିଡି କାମରେ ଲାଗିଯିଵା...
ମୁଠେ ଭଲପାଇବା ଆଉ ଅଞ୍ଜୁଳାଏ ସ୍ନେହ ଖାସ ତୋ ପାଇଁ... ରହିଲି...
ଇତି ତୋର
ମୁଁ "...