Satyabati Swain

Inspirational

4.3  

Satyabati Swain

Inspirational

ସ୍ବପ୍ନର ଉଡାଣ

ସ୍ବପ୍ନର ଉଡାଣ

5 mins
23.8K



ମାମ୍!


ସ୍ୱର ଟି ଯେପରି ଅଭିଯୋଗ ବାଢ଼ି କହୁଥିଲା ଏ କେମିତି କଥା ସୁବୁକୁ ଆପଣ ଭୁଲି ଗଲେ ।

******

ରୋଷେଇ କରୁଥିବା ସମୟରେ ଅନ୍ ନୋନ୍ ନମ୍ବରରୁ ଫୋନ୍ କଲ୍ ଟି ଆସିଲା । ନାଁ ନଥିବା ନମ୍ବର ଦେଖି ରୋଷେଇ ସାରି କରିବି ଭାବିଲି । ଲଗାତର ସେଇ ଏକା ନମ୍ବରରୁ ବାରମ୍ବାର କଲ୍ ଆସିଲା । ରୋଷେଇ ଘରେ ପଶିଲେ ଏମିତିରେ ଆର୍ଜେଣ୍ଟ୍ କଲ୍ ବ୍ୟତୀତ ଅନ୍ୟ କାହା ସଂଗେ କଥା ହୋଇ ପାରେନି । ସମସ୍ତେ ଖାଇ ପିଇ ସାରିଲେ ମୁଁ କଥା ହେବାକୁ ସମୟ ପାଏ । ମିସ୍ କଲ୍ ଦେଖି ସମସ୍ତଙ୍କ ସହ ଯୋଗା ଯୋଗ କରେ । ବେଶୀ ଏ ମହିଳାମାନେ ଥରେ ଫୋନ୍ ଧରିଲେ ଘଣ୍ଟା ଘଣ୍ଟା ଗପିବା ଥୟ । ଯେବେଠାରୁ ଜିଓ ଆସିଲା ଏ ବିଷୟରେ ନ କହିବା ଭଲ । ଖାଲି ଅଯଥା ଗପ ଆଉ ଗପ । ମୁଁ ଟିକେ ବ୍ୟତିକ୍ରମ । ଗପିବା ବା ଅଯଥା ଗପ ଶୁଣିବା ବିରୋଧୀ ମୁଁ । ଏଣୁ ସାଙ୍ଗ ମାନେ ମୋତେ ଫୋନ୍ କରିବାକୁ ଭଲ ପାଆନ୍ତି ନାହିଁ । ନିଜ ଘର ଲୋକ ବି ଅତି ଆବଶ୍ୟକ ନ ହେଲେ ଫୋନ୍ କରିବାକୁ କୁଣ୍ଠିତ ହୁଅନ୍ତି ଏଇ ବଦ ଗୁଣ ପାଇଁ ମୋର ।


ଏବେ କିନ୍ତୁ କରୋନା ମହାମାରୀ ଆସିଲା ଦିନୁ ମୁଁ ଯେ ବି ଫୋନ୍ କରନ୍ତି ସାଙ୍ଗେ ସାଙ୍ଗେ ଉଠାଏ । କାହିଁକି ନା ଲକ୍ ଡାଉନ୍ ଓ ସଟ୍ ଡାଉନ୍ ବହୁତ ଲୋକଙ୍କୁ ଅସୁ ବିଧାରେ ପକାଉଛି । କାଳେ କାହାର କିଛି ଦରକାର ଥିବ,କାଳେ କିଏ କିଛି ସାହାଯ୍ୟ ଲୋଡୁଥିବ;ଏଇ ଭାଵ ନେଇ ମୁଁ ତୁରନ୍ତ ଫୋନ୍ ଖୋଲେ । କାରଣ ମୋ ମିଷ୍ଟର୍ ପୋଲିସ୍ ଇନ୍ସପେକ୍ଟର । ନିହାତି କିଛି ଆବଶ୍ୟକ ଏଇ ଯେମିତି ମେଡ଼ିସିନ୍ ପରି ଅତି ଜରୁରୀ ଜିନିଷ ପାଇଁ ଫୋନ୍ କଲ୍ କଲୋନୀ ଠାରୁ ଆରମ୍ଭ କରି ସମସ୍ତ ଚିହ୍ନା ଲୋକେ ଅନୁରୋଧ କରି କୁହନ୍ତି 'ଟିପି' ମାମ୍! ବାବୁଙ୍କୁ କହି ଏଇ ଜିନିଷଟି ଦୟାକରି ଆଣି ଦେବ,ପ୍ଲିଜ଼ ।


ଘଡ଼ିସନ୍ଧି କ୍ଷଣ । ଜୀବନର ପ୍ରଶ୍ନ,ସୁରକ୍ଷାର ପ୍ରଶ୍ନ । ଯଥା ସମ୍ବବ ସାହାଯ୍ୟ ହାତ ବଢ଼ାଏ । ଏଥିପାଇଁ ଖୁ ଗାଳି ଖାଏ ପୋଲିସ୍ ବାବୁ ମିଷ୍ଟର୍ ଙ୍କ ଠାରୁ । ଏଣୁ ଅନ୍ ନୋନ୍ ନମ୍ବର ହେଲେ ବି ଫୋନ୍ ଉଠାଇଲି । ହାଲୋ


ସେପଟୁ ଶୁଭିଲା ମାମ୍ ପ୍ରଣାମ ।


ହଁ ପ୍ରଣାମ । କୁହତ ତୁମେ କିଏ?କିଛି କାମ ଥିଲା ମୋ ସଙ୍ଗେ ।


ମାମ୍ ଏଇ ନମ୍ବରରେ ଆପଣଙ୍କ ୱାଟସ୍ ଆପ୍ ଅଛି କି?


କିନ୍ତୁ କାହିଁକି?


ମୁଁ ଗୋଟେ ଫୋଟୋ ପଠାଇ ଥାନ୍ତି;ପ୍ଲିଜ଼ ।


ଫଟୋ!,କି ଫଟୋ!ପୁଣି କାହିଁକି?


ମାମ୍ ପ୍ଲିଜ଼....


ଅଦ୍ଭୁତ !କାରଣ କଣ ନ ଜାଣିଲେ କହିବି କେମିତି?ତୁମେ ଆଗ କୁହତ ମୋତେ ଜାଣିଛ,ଚିହ୍ନିଛ କି?


ହଁ ମାମ୍ । ଆପଣ ତ୍ରିପୁରା କାନୁନଗୋ,ଟିପି ମାମ୍ । ଆପଣ ଜଣେ ଟିଚର୍ । ଆପଣଙ୍କ ମିଷ୍ଟର୍ ଶ୍ରୀ ଶୁଭେନ୍ଦୁ ରାଉତ ରାୟ । ଆପଣଙ୍କର ଗୋଟିଏ ଝିଅ,ପୋଖରୀ ପୁଟ ଡିଏଭି ଷ୍ଟାଣ୍ଡର୍ଡ଼ ଟେନେଥ୍ ରେ ପଢେ । ଆପଣ କିଛି ବର୍ଷ ତଳେ ତେର ବାଟିଆ ସ୍କୁଲରେ ଶିକ୍ଷକତା କରୁଥିଲେ । ଏବେ ପ୍ରତାପଶାସନ ସ୍କୁଲରେ କାର୍ଯ୍ୟ ରତ । ଭୁବନେଶ୍ୱର ସତ୍ୟ ବିହାର ନିଜ ଘରେ ରହୁଛନ୍ତି । ପାଠ ନ ପଢି ବଦ୍ ମାସି କଲେ "କଥା ବନ୍ଦ" ଅଭିନବ ଉପାୟଟି ଆପଣାନ୍ତି । ପ୍ରତି ପିଲା ଆପଣଙ୍କୁ ଭଲ ପାଆନ୍ତି । କେଜାଣି ଯେ କୌଣସି କଥା ପାଇଁ ଆପଣ କେତେ ସରଳ ରେ ଗପ କହି ପିଲା ମାନଙ୍କ ମନ ଭିତରେ ସ୍ବପ୍ନର ମଞ୍ଜିଟିଏ ପୋତି ଦିଅନ୍ତି ଏବେ ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ।


ଏ ୱେଟ୍! କିଏ ତୁମେ କୁହତ ମୋର ଜନ୍ମ କୁଣ୍ଡଳୀ ଜାଣିଛ । ସରି ମୁଁ ଜାଣି ପାରୁନି ।


ଆଜ୍ଞା ମୁଁ ସୁବ୍ରତ ଦଳେଇ, ପାରିଚଅଁର ଗାଁର,ସୁବୁ ଆଜ୍ଞା ।


ସୁବୁ!ସତରେ ଠିକ୍ ରେ ମନେ ପଡୁନି ରେ । କିନ୍ତୁ ଭାବୁଛି ତୁମେ ମୋର କେହି ଛାତ୍ର ନିଶ୍ଚୟ ।


ମାମ୍!


ସ୍ୱର ଟି ଯେମିତି ଅଭିଯୋଗ ବାଢି କହୁଥିଲା ଏ କେମିତି କଥା ଆପଣ ସୁବୁକୁ ଭୁଲି ଗଲେ?


ଦେଖନ୍ତୁ ଏହା ଭିତରେ ତେର ଚଉଦ ବର୍ଷ ରୁ ଅଧିକ ହେବ ମୁଁ ତେର ବାଟିଆ ସ୍କୁଲ ଛାଡିବା । ସବୁ କଣ ମନେ ରହିବ?ହଁ ମୁହଁ ଦେଖିଲେ ମନେ ପଡିବ ନିଶ୍ଚୟ ।


ନାଇଁ ମାମ୍ ମୁହଁ ନ ଦେଖିଲେ ବି ଆପଣ ମନେ ପକାଇ ପାରିବେ ।


କେମିତି...


ଆପଣ ମୋ ଦୁଷ୍ଟାମୀ ପାଇଁ ମନେ ପକାନ୍ତୁ ଗୋଟିଏ ସପ୍ତାହ ମୋ ସହ କଥା ହୋଇ ନଥିଲେ । ବାରମ୍ବାର କହିବା ସତ୍ତ୍ୱେ ବି ମୁଁ କ୍ଲାସ୍ ରେ କାଗଜ ତିଆରି ଏରୋପ୍ଲେନ୍ ଉଡାଇ ବିଶୃଙ୍ଖଳା କରୁଥିଲି ।


ଓହୋ ସୁବ୍ରତ,କ୍ଲାସ୍ ଏଇଟି,ସେକ୍ସନ୍ ଏ । ଡେଙ୍ଗା ଗୋରା ତକ୍ ତକ୍ ପିଲାଟି । ଦୁଷ୍ଟ ସୁବୁଟି । ହଁ ହଁ ସେଇ ଏରୋପ୍ଲେନ ଉଡା ବଦ୍ ମାସ୍ ପିଲାଟା ତ..ହେଉ ବାବା କେମିତି ଅଛ,କଣ କରୁଛ କୁହ?


ମାମ୍ ତୁମେ କଣ କହୁଛନ୍ତି ତୁ କୁହନ୍ତୁ ନା । ମୋତେ ଖୁସି ଲସଗିବ । ଜାଣନ୍ତି ମାମ୍!ଦୁଷ୍ଟ ସୁବୁକୁ ଆପଣଙ୍କ ସେଇ ଗପ ମାଧ୍ୟମର ଉପଦେଶ ଜୀବନ ମୋଡ଼ ବଦେଲେଇ ଦେଲା । ଆପଣ ତ ମୋ ନବମ ଶ୍ରେଣୀ ହେବା ବେଳକୁ ଟ୍ରାନ୍ସଫର୍ ହୋଇ ଚାଲି ଗଲେ;କିନ୍ତୁ ପୋତି ଦେଇ ଯାଇଥିଲେ ଗୋଟିଏ ସ୍ୱପ୍ନର ମଞ୍ଜି । ସେଇ ଯେଉଁ କହିଥିଲେ କାଗଜ ଉଡାଯାହାଜ ନୁହେଁ ସତ ସତିକା ଉଡାଯାହାଜ ଉଡେଇ ପାରିବ ତୁମେ? । ମନ ଦେଇ ପାଠ ପଢ଼ ଓ ପାଇଲଟ୍ ହୁଅ । ଏ ମିଛି ମିଛିକା ଛୋଟ ଛୁଆଙ୍କ ପରି କଣ କାଗଜ ଏରୋପ୍ଲେନ୍ ଉଡାଉଛ?ଅଷ୍ଟମ ଶ୍ରେଣୀରେ ପଢିଲଣି ବୁଦ୍ଧି ପସନ୍ଦ ଟିକେ ଶିଖ । ଟିକେ ତ ବଡ଼ ହୁଅ । ସବୁବେଳେ କ୍ଲାସ୍ ରେ ଏରୋପ୍ଲେନ୍ ଉଡା!


ଗପଟିଏ ବି କହିଥିଲେ ଉଦଯାହାଜର ଉଦ୍ଭାବକ ରାଇଟ୍ ବ୍ରଦର୍ସଙ୍କ ବାପା ହେଲିକେପ୍ଟର ଖେଳନା ପିଲାବେଳେ ଆଣି ଦେଉଥିଲେ । ଖେଳନାରେ ଖେଳୁ ଖେଳୁ ଏହା ଠାରୁ ଉନ୍ନତ ମାନର ଯାନ କିପରି ତିଆରି ହୋଇ ପାରିବ ସେ ଦୁହେଁ ଚିନ୍ତା କଲେ । ଶେଷରେ ସେ ଦୁଇ ଭାଇ ଉଡାଜାହାଜ ବାହାର ବି କଲେ । ତୁମେ ସେମିତି ପାଇଲଟ୍ ହେବାକୁ ଚେଷ୍ଟା କର ।


ମାମ୍ ସତ କହିବି ଉଡଜାହାଜଟିଏ ଆକାଶରେ ଉଡି ଗଲେ ମୋ ମନ ବି ଉଡିଯାଏ । ଚଗଲା ମନକୁ ଖୁସି କରିବା ପାଇଁ ମୁଁ ଭିନ୍ନ ଭିନ୍ନ ଚିତ୍ର ବିଚିତ୍ର କାଗଜ ଏରୋପ୍ଲେନ୍ କରି ଘର,ବାହାର ସ୍କୁଲ ସବୁ ଆଡେ ଉଡାଏ । ଭାରି ଆନନ୍ଦ ଲାଗେ ମୋତେ । ଏଇ ଦୁଃଷ୍ଟାମି ପାଇଁ ଆପଣ ନିଜ ଫର୍ମୁଲା ଆପ୍ଲାଏ କରି ସପ୍ତାହ ବ୍ୟାପି କଥା ହେବା ବନ୍ଦ କରି ଦେଇଥିଲେ ମୋ ସହ । ଖୁବ୍ ବାଧିଥିଲା ଏ ଦଣ୍ଡ ମୋତେ । ଆପଣ ଏତେ ଭଲ କେମିତି ମାମ୍ । କାହିଁକି କେଉଁ ପିଲା ଆପଣଙ୍କର ଏ ଦଣ୍ଡ ପାଇବାକୁ ଡରନ୍ତି । କି ଯାଦୁ ଥାଏ ଆପଣଙ୍କ କଥାରେ । ସବୁ ପିଲାଙ୍କ ଟିପି ମାମ୍ ଏତେ ପସନ୍ଦ କାହିଁକି?


ହେ.. ସୁବ୍ରତ ବେଶୀ ପ୍ରଶଂସା କରି ପକାଉଛୁ । କହ ଏବେ କଣ କରୁଛୁ,ବାବା?


ମାମ୍ ଆପଣ ଚାଲିଗଲା ପରେ ସବୁ ପିଲା ଖୁବ୍ ଝୁରି ଛନ୍ତି ଆପଣଙ୍କୁ । ବେଶୀ ଖୋଜିଛି ମୁଁ । ଆପଣ ସିନା ଚାଲିଗଲେ ମୋ ଭିତରେ କିନ୍ତୁ ଛାଡି ଦେଇଗଲେ ସ୍ବପ୍ନ;ପାଇଲଟ୍ ହେବାର ସ୍ୱପ୍ନ । ଆପଣ ହିଁ ମୋ ପ୍ରେରଣାର ଉତ୍ସ ମାମ୍ । ଦୁଷ୍ଟାମୀ ଛାଡି ଦେଇ ମନ ଲଗାଇ ପଢ଼ିଲି । ଭଲ ରେଜେଲଟ୍ ବି କଲି ପ୍ଲସ୍ ଟୁ ସାଇନ୍ସ ପରେ ଏରନେଟିକ୍ ଇଞ୍ଜିନିୟରିଙ୍ଗ୍ ପଢ଼ିଲି । ଏନ୍ ଟ୍ରାନ୍ସ ଦେଇ ପାଇଲଟ୍ ପାଇଲି ଏହା ପୁଣି ଦୁଇ ଥର ଅକୃତକାର୍ଯ୍ୟ ହେଲା ପରେ । ଟ୍ରେନିଂ ନେଇ ଏବେ ମୁଁ ଆନ୍ତର୍ଜାତିକ ବିମାନ ଚାଳକଟିଏ ଏଇ ଏଗାର ମାସ ହେବ ହୋଇଛି । ଯେତେବେଳେ ଆକାଶରେ ବିମାନ ଚଳାଏ ଆପଣ ମୋର ମନେ ପଡନ୍ତି ଖୁବ୍ । ଆପଣଙ୍କୁ ପାଇଲଟ୍ ପୋଷାକରେ ଦେଖା କରିବାକୁ ଅନେକ ଇଛା ।


ଆପଣଙ୍କ ଯୋଗାଯୋଗ ନମ୍ବର ନଥିଲା । ଏବେ ଲକ୍ ଡାଉନ୍ ଚାଲିଛି । ବିମାନ ଚଳାଚଳ ବନ୍ଦ । ଘରେ ବସି ଖୋଜିଲି ସବୁ ଆତ୍ମୀୟ ମାନଙ୍କୁ । ଆମ ସ୍କୁଲ ବ୍ୟାଚର୍ ଗୋଟେ ଗ୍ରୁପ୍ ମୋତେ ଏବେ ଆଡ୍ କରିଛନ୍ତି । ସେଇ ଗ୍ରୁପରୁ ଆପଣଙ୍କ ବିଷୟରେ ଟିକି ନିକି ଖବର ପାଇଗଲି । ଏଥରକ ଛୁଟିରେ ଗଲେ ଆପଣଙ୍କୁ ନିଶ୍ଚୟ ଦେଖା କରିବି । ସେ ଯାଏ ଅପେକ୍ଷା କରିବା ଧୈର୍ଯ୍ୟ ମୋର ନାହିଁ । ଏଣୁ ୱାଟସ୍ ଆପ୍ ନମ୍ବର ଦେଲେ ପାଇଲଟ୍ ପୋଷାକ ପରିହିତ ଫଟୋ ଟିଏ ପଠାନ୍ତି ।


ହେଉ ହେଉ ସୁବୁ । ମୁଁ ବି ଅଧିର ଦେଖିବାକୁ ତୁମକୁ । ଆସିଲେ ଦେଖା କରିବ ନିଶ୍ଚୟ । ମୁଁ ଆଜି ବହୁତ ଖୁସି ଯେ ତୁମେ ତୁମ ସ୍ୱପ୍ନର ଉଡାଣ ଭରି ପାରିଛ । ଖୁସି ରୁହ ସୁବୁ ।


ମାମ୍ ପ୍ରଣାମ ।


ସୁସ୍ଥ ,ସୁରକ୍ଷିତ ଓ ଖୁସି ରୁହ ।


ସତରେ ପାଇଲଟ୍ ପୋଷାକରେ ସୁବ୍ରତ ଖୁବ୍ ସୁନ୍ଦର ଲାଗୁଥିଲା ।



Rate this content
Log in

Similar oriya story from Inspirational