STORYMIRROR

Satyabati Swain

Inspirational

1.0  

Satyabati Swain

Inspirational

ସ୍ବପ୍ନ

ସ୍ବପ୍ନ

5 mins
618



ତା ନାଲିଆ ରଙ୍ଗ ମୋଠାରୁ ମୋ ମନକୁ ଚୋରାଇ ନେଇଥିଲା।ଦଶହରା ବୁଲିବାକୁ କଟକ ଯାଇଥିଲୁ ଆମେ ସପରିବାର।ଭାଇ ସେ ନାଲିଆ ରଙ୍ଗର କୋଠାକୁ ଦେଖେଇ କହିଲେ ଦେଖ୍ ଏ ରେଭେନ୍ସା।ଏଠି ଓଡିଶାରୁ ଓ ଓଡିଶା ବାହାରୁ ଅତି ଭଲ ପଢୁଥିବା ପିଲା ମାନେ ହି ଆସି ପଢ଼ନ୍ତି।ଗଧ ପିଲାଙ୍କ ପାଇଁ ଏଠି ସ୍ଥାନ ନାହିଁ।


    ସେବେଠାରୁ ମୁଁ ରେଭେନ୍ସା ପ୍ରେମରେ।ଅତି ଭଲ ପଢିଲେ ରେଭେନ୍ସାରେ ସିଟ୍ ମିଳିବ ନାଁ ଲେଖାଇବା ପାଇଁ।ଏଣୁ ସପ୍ତମ ଶ୍ରେଣୀରୁ ରେଭେନ୍ସାରେ ପଢିବା ଇଚ୍ଛା ମଞ୍ଜିଟିଏ ପୋତି ହୋଇଗଲା ମୋ ଭିତରେ।ପ୍ରେମରେ ପଡ଼ିଲେ ପ୍ରେମ କରୁଥିବା ମଣିଷ ସ୍ୱପ୍ନରେ ଆସନ୍ତି।ରେଭେନ୍ସା ବି ସେମିତି ମୋ ସ୍ୱପ୍ନରେ ଆସେ।ମୋତେ ଉସ୍କାଏ।କୁତୁରୁ କାଳିଆ କରେ ମୋ ପିଲା ମନର ସ୍ବପ୍ନକୁ।ଶୁଆଇ ଦିଏନି ଜମା।ଅହରହ ମୋ ସହ ଚାଲେ।କ୍ଷଣେ ମୋତେ ଦୂର କରେନା ତା ଠାରୁ।ଓହୋ ପ୍ରେମ ଏମିତି ବାଟ ବଣା କରେ!ଅସହ୍ୟ ଯନ୍ତ୍ରଣା ଦିଏ!ହାତ ମୁଠାରେ ଇପ୍ସିତକୁ ପାଇବା ବ୍ୟାକୁଳତା ବଢି ବଢି ଯାଏ।ନିର୍ଘାତ ଖରାରେ ଘଣ୍ଟାଏ ଚାଲି ଆସିଲେ ଯେମିତି ଶୋଷ ଲାଗେ।ପାଣି ଦେଖୁ ଦେଖୁ ଢକ ଢକ ପିଇ ଯିବାକୁ ଇଚ୍ଛା ଟି ଅସମ୍ଭାଳ ହୁଏ।ଅନୁମତି ଅପେକ୍ଷା ବରଦାସ୍ତ କରି ହୁଏନି।ସେମିତି ଶୋଷ ମୋତେ କଲ୍ ବଲ କଲେ।


    ଟିଉସନ ହେବାର ସମ୍ବଳ ନଥିଲା ଆମ ଘରର।କିଛି ଆବୁଝା ପ୍ରଶ୍ନ ମ୍ୟାଥ୍ କି ସାଇନ୍ସର ବୁଝିବାକୁ କୌଣସି ସୁବିଧା ନଥିଲା।ଘରେ କେହି ପାଠୁଆ ନଥିଲେ ମୋ ଡାଉଟ କ୍ଲିଅର କରିବାକୁ।ଦାଦା ଏବେ ସ୍ୱର୍ଗ ବାସୀ, ଅନେକ ପିଲା ଟିଉସନ କରୁଥିଲେ।ସେ ଆମ ଠାରୁ ଭିନ୍ନ ହୋଇଥିଲେ ମୁଁ ଜନ୍ମ ନ ହେବା ଆଗରୁ।ତାଙ୍କୁ କହିଲି ଦାଦା ମୋତେ ଟିକେ ବୁଝେଇଦେବେ ତ୍ରିକୋଣମିତି?ସେ କହିଲେ ଦେଖିବା।କିନ୍ତୁ ବୁଝାଇଲେ ନାହିଁ।ସେ ଯେଉଁ ଘରେ ଟିଉସନ କରନ୍ତି ମୁଁ ସେଇ ପିଣ୍ଡାରେ ବସି ଶୁଣିବାକୁ ଚେଷ୍ଟା କରେ କେମିତି ବୁଝାଉଛନ୍ତି ମୋ ସାଙ୍ଗ ମାନଙ୍କୁ ଯେଉଁମାନେ ତାଙ୍କ ପାଖରେ ଟିଉସନ ହେଉଛନ୍ତି।ମାତ୍ର ମୋର ଦୁର୍ଭାଗ୍ୟ ଦାଦା ଦିନେ ଯେମିତି ଜାଣି ଦେଲେ ମୁଁ ପିଣ୍ଡାରେ ବସି ତାଙ୍କ ପଢା ଶୁଣୁଛି,ସେମିତି ତାପରଠାରୁ ଘର କବାଟ ବନ୍ଦ କରି ଟିଉସନ କଲେ।ଭାରି କାନ୍ଦ ଲାଗିଲା।ମୋ ଦାଦା ମୋତେ ପଢ଼ିବାକୁ ତ ଡାକନ୍ତି ନାହିଁ,ଉପରେ ମୁଁ ଟିକେ ଶୁଣେ ସେତିକ ବି ବନ୍ଦ କରିଦେଲେ କବାଟ ଦେଇ।ସବୁ ଆଡ଼ ବାଟ ବନ୍ଦ ହୋଇଗଲା।ସ୍କୁଲ ବି ବନ୍ଦ।କାରଣ ଟେଷ୍ଟ ପରୀକ୍ଷା ପରେ ଆମ ସମୟରେ ଦଶମ ପିଲା ଆଉ ସ୍କୁଲ ଯାଆନ୍ତି ନାହିଁ।ଘରେ ରହି ପରୀକ୍ଷା ଯାଏ।କଣ କରିବି କେମିତି ବୁଝିବି,ଜାଣି ପାରିଲି ନାହିଁ।


    ଠିକ୍ ସେତିକି ବେଳେ ଜଣେ ସାଙ୍ଗ ମୋତେ ମ୍ୟାଥ୍ ଓ ସାଇନ୍ସ ର ଗୋଟିଏ ମିନିଂ ଦୁଇଟି ଦେଲା । କହି ରଖେ କି ସେ ସମୟରେ ମିନିଂ କେବକ ଗଧ ପିଲାମାନେ ହି ପଢ଼ନ୍ତି,ପୁଣି ଲୁଚେଇ କରି।ମୁଁ ଯଦିଓ ମୋ ସେକ୍ସନର ପ୍ରଥମ ପିଲା ତଥାପି କିଛି ତ୍ରିକୋଣ ମିତି ଗଣିତ ମୁଁ ବୁଝି ପାରି ନଥିଲି।କୁଆଡୁ କିଛି ସାହାରା ନ ପାଇ ଆଖି ବୁଝି ନ ବୁଝିଲେ ବି କମା ଫୁଲ ଷ୍ଟପ୍ ସହ ମୁଖସ୍ଥ କରିଦେଲି।ଭାଗ୍ୟକୁ ସେଇ ନିର୍ଦ୍ଧିଷ୍ଟ ପ୍ରଶ୍ନ ହିଁ ଦଶମ ବୋର୍ଡ ପରୀକ୍ଷାରେ ପଡିଥିଲା।ଭଗବାନଙ୍କୁ ଶତ ଧନ୍ୟବାଦ ମିନିଙ୍ଗରୁ ହେଉ ପଛେ ମୁଖସ୍ଥ କରିଥିଲି ବୋଲି ସେ ଦୁଇଟି ପ୍ରଶ୍ନ ପରୀକ୍ଷାରେ କରି ପାରିଥିଲି। ମୋ ପ୍ରାଣର,ବିଶ୍ୱାସର ଠାକୁରଶ୍ରୀ ଶ୍ରୀ ଧଧିବାମନଙ୍କ ଅସୀମ କୃପାରୁ ମୁଁ ବହୁତ ଭଲ ରେଜେଲଟ୍ କଲି। ଦୁଇଶହ ସତଚାଳିଶି ପିଲା ପରୀକ୍ଷା ଦେଇଥିଲୁ।ସେଥି ମଧ୍ୟରୁ ବାର ଜଣ ଫାଷ୍ଟ କ୍ଲାସ୍ ପାଇଥିଲୁ। ମୁଁ ସ୍କୁଲର ଫାଷ୍ଟ କ୍ଲାସ୍ ପିଲାଙ୍କ ଭିତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲି।ଫାଷ୍ଟ କ୍ଲାସ୍ ତ ଛାଡ଼ ବୋର୍ଡ ପରୀକ୍ଷାରେ ପାସ୍ ଟିଏ କରିବାକୁ ସେ ସମୟରେ ଗୌରବମୟ ମନେ ହେଉଥିଲା।ଆଉ ଯିଏ ଫାଷ୍ଟ କ୍ଲାସ୍ ପାଉଥିଲା ସଭିଏଁ ତାକୁ ମୁଣ୍ଡରେ ବସାଉଥିଲେ।ଖୁବ ତାରିଫ ମିଳୁଥିଲା।


    ମିଳୁଥିଲା ସ୍ନେହ,ଆଦର,ଆଶୀର୍ବାଦ ତଥା ସମ୍ମାନ ବି।ବନ୍ୟା ଆସି ମୋ ଦଶମ ପରୀକ୍ଷା ପୂର୍ବ ବର୍ଷ ମେରୁଦଣ୍ଡ ଦୋହଲାଇ ଦେଇଥାଏ ମୋ ସବୁ ଲୋକଙ୍କର।ଫାଷ୍ଟ କ୍ଲାସ୍ ସିନା ପାଇଗଲି କିନ୍ତୁ ନାଁ କେମିତି ଲେଖା ହେବ ପୁଣି ଏଡ଼େ ବଡ଼ କଲେଜରେ।ନାଲିଆ କୋଠା ମୋତେ ଡାକୁଥିଲା ଯେପରି।ଭାଇଙ୍କ ଚିନ୍ତା ବଢିଗଲା।ହଁ ନାଁ ଟି ବିକି ଭାଙ୍ଗି ଲେଖେଇ ଦେବେ,କିନ୍ତୁ କଟକରେ ପୁଣି ହଷ୍ଟେଲ ରହିବା ଖାଇବା ପିଇବା ଖର୍ଚ୍ଚ କୁଆଡୁ ଆସିବ??


    ମୋ ବୋଉ ଯିଏ ଆଦୌ ପାଠ ପଢି ନଥିଲା ତା ଖଡୁ ବିକି ମୋ ମନରେ ସ୍ୱପ୍ନ ଟିଏ ଭରି ପଢେଇ ଦେଲା ରେଭେନ୍ସା।କହିଲା ଯା ସୁନା ମନ ଦେଇ ପଢିବୁ ,ପଇସା ଚିନ୍ତା କରିବୁ ନାହିଁ,ଈଶ୍ୱର ଅଛନ୍ତି।ବୋଉ ଲୋ ତୁ ଏବେ କେଉଁ ତାରାରେ ମୁଁ ଜାଣିନି ହେଲେ ମୁଁ ତୋତେ ଅନୁଭବ କରେ ମୋ ଛାତିରେ,ଶ୍ବାସକ୍ରିୟାରେ।ତୁ ହି ମୋର ସାହସ,ଧୈର୍ଯ୍ୟ,ଶକ୍ତି ଥିଲୁ।ତୋ ପାଇଁ ମୁଁ ଜଣେ ରେଭେନ୍ସାଭିଆନ ହୋଇ ପାରିଛି।ତୋ ସକାରତ୍ମକ ଚିନ୍ତା ମୋତେ ରେଭେନ୍ସାରେ

ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇଛି।


    ଯେଉଁଦିନ ରେଭେନ୍ସାରେ ମୋ ନାମ ଲେଖା ଗଲା କି ଖୁସି ଆମ ଘର ଲୋକେ!ଗାଁ ଲୋକେ ବି ଭାରି ଖୁସି।ତାଙ୍କ ଗାଁ ଯେ କି ନିହାତି ନିପଟ ମଫସଲ ସେଇଠୁ ପ୍ରଥମ କରି ଝିଅଟିଏ ରେଭେନ୍ସା ପରି ବଡ଼ କଲେଜରେ ପଢିବାକୁ ଯାଉଛି।ମୁଁ ବି କି ଗୋଟେ ନିଶାରେ ଚୁର୍ ହୋଇ ପଢିବି ବୋଲି ଚାଲି ଆସିଲି।


    କିନ୍ତୁ ରେଭେନ୍ସା ପରି ବିରାଟ କଲେଜ ଦେଖି ମୋ ପରି କୂଅ ବେଙ୍ଗଟି ତଟସ୍ଥ ହୋଇଗଲା। କାରଣ ଅଚିହ୍ନା ପରିବେଶ,ଚାରି ପାଖ ପିଲା ମାନେ ଖାଲି ଠୁସ ଠାସ ଇଙ୍ଗିଲିଶ ଚୋବାଉଥାନ୍ତି। ଅଧ୍ୟାପକ ମାନେ ବି ତଦ୍ରୁପ। ତାଙ୍କ ପ୍ରୋନାଉନେସନ ମୋର ହଜମ ବାହାରେ ଥିଲା। ମୁଁ ସେମାନେ କଣ ବୁଝାଉଛନ୍ତି ବିନ୍ଦୁବିସର୍ଗ ବୁଝି ପାରୁ ନଥିଲି।


    ନା ପିଲାଙ୍କ କଥା ନା ଅଧ୍ୟାପକଙ୍କ କଥା ମୁଁ ବୁଝି ପାରୁଥିଲି।ବହୁତ କାନ୍ଦ ଲାଗିଲା।କିଛି ତ ବୁଝି ପାରୁନାହିଁ;ଏଠି ତ କେହି ଓଡ଼ିଆରେ କଥା ହେଉନାହାନ୍ତି। ମୁଁ କଣ ଏଠି ଏକା ଓଡ଼ିଆ ମିଡିୟମ ସ୍କୁଲ ପିଲା ! ମୋ କଲେଜ ଓ ହଷ୍ଟେଲର ଦ୍ଵିତୀୟ ଦିନ ପୋଷ୍ଟ୍ ଗ୍ରାଜୁଏଟ୍ ଅପାମାନଙ୍କୁ ଫେୟାର୍ ୱେଲ୍ ଦିଆ ଯାଉଥାଏ। ପାଖାପାଖି ପନ୍ଦର ଶହ ଆଡ଼ମିଶନ୍ ଓ ଗେଷ୍ଟ୍ ପିଲାଙ୍କୁ ମିଶାଇ ହେବେ। ପ୍ରିନ୍ସପାଲ୍ ସାର୍ ଓ ପଚାଶରୁ ଅଧିକ ଅଧ୍ୟାପକ ଉପସ୍ଥିତ ଥାଆନ୍ତି।ପ୍ରିନ୍ସପାଲ୍ ସାର୍ ଅପା ମାନଙ୍କୁ କିଛି କହିବାକୁ ଉଠିଲେ। ମୁଁ ଭାବିଲି ଏଠି ପିଲା ତ ଏମିତି ଇଙ୍ଗିଲିସ କହୁଛନ୍ତି,ସାର୍ ପ୍ରିନ୍ସପାଲ୍ ହିସାବରେ ପିଲାମାନଙ୍କ ଠାରୁ ଯଥେଷ୍ଟ ଉଚ୍ଚକୋଟିର ଇଙ୍ଗିଲିଶ କହିବେ ଓ ମୁଁ ବୁଝି ପାରିବି ନାହିଁ । ଓ ଗଡ୍! ମୁଁ କେଉଁଠି ପହଂଚିଲି?ନା ପାଠ ବୁଝିପାରୁଛି ନା ପିଲା ମାନଙ୍କ କଥା।କେମିତି ତିଷ୍ଠିବି ଏଠି!!!


    ମାତ୍ର ମୋ ସଂଶୟ କିଛି ମିନିଟିରେ ଦୂର ହୋଇଗଲା।ପ୍ରିନ୍ସପାଲ୍ ସାର୍ ସମ୍ପୂର୍ଣ୍ଣ ସରଳ ଓଡ଼ିଆରେ ନିଜ ବ୍ୟକ୍ତବ୍ୟ ରଖିଲେ।ବୋଧହୁଏ ଏହାକୁ କୁହନ୍ତି ପ୍ରକୃତ ଜ୍ଞାନୀ।ଏଡେବଡ଼ କଲେଜର ପ୍ରିନ୍ସପାଲ୍ ଅଥଚ ପିଲାଙ୍କ ପରି ଓଡିଆରେ କହିଲେ? ମୋର କଂନଫିଡ଼େନ୍ସ ବଢିଗଲା । ହେ ଯା ମ। ପ୍ରିନ୍ସପାଲ ସାର୍ ତ ପୁଣି ଓଡ଼ିଆ କହୁଛନ୍ତି,ଅନ୍ୟ କିଏ ନ କହନ୍ତୁ। ବାସ୍ତବିକ ସାର୍ ଙ୍କ ବକ୍ତବ୍ୟ ମୋ ଭିତରେ ବିଶ୍ୱାସ ଓ ମୋ ବାହାରେ କୁଣ୍ଠିତ ଭାଵ ଦୂର କରିବାରେ ସହାୟକ ହେଲା।


   ତାପର କଥା ନ କହିବା ଭଲ।ଯେଉଁ ପିଲା ମାନଙ୍କୁ ମୁଁ ସିଂହ ଭାବୁଥିଲି ପ୍ରକୃତରେ ସେମାନେ ଶୃଗାଳ ହି ଥିଲେ। ପ୍ରିନ୍ସପାଲ ସାର୍ ଯେତେବେଳେ ପିଲାମାନଙ୍କୁ କିଛି କହିବାକୁ ଷ୍ଟେଜକୁ ଡାକିଲେ କେହି ଜଣେ ଉଠିଲେ ନାହିଁ ! କଣ ଏତେ ଫଡ ଫଡ ହେଉଥିଲେ ଠିକଣା ବେଳକୁ ଜଣେ ପଡେ କିଛି କହିବାକୁ ସାହସ କୁଳାଉ ନାହାଁନ୍ତି।ସତରେ ତ ଗର୍ଜିଲା ମେଘ ବରଷେ ନାହିଁ କି ଭୋକିଲା କୁକୁର କାମୁଡ଼େ ନାହିଁ।ସାର୍ ମନ ଦୁଃଖ କରି କହିଲେ "ମୋ କଲେଜ; ରେଭେନ୍ସା କଲେଜର ଶହ ଶହ ଝିଅଙ୍କ ଭିତରୁ ଦି ପଦ କହିବାର ସାହସ କାହାର ନାହିଁ।ମୋତେ ଖୁବ ଲଜ୍ଜା ଓ ଦୁଃଖ ଲାଗୁଛି ଏଥିପାଇଁ।


    ଏ କଥା ମୋତେ ଭାରି ବାଧିଲା।ଡର ଚାଦର ଫିଙ୍ଗି ଦେଇ ମୁଁ ଠିଆ ହେଲି।ମାତ୍ର ଦୁଇ ଦିନର ଅନୁଭୂତି ମୋ ସହ ବି ଉଠିଲେ।ମୋତେ ଦେଖି ସମସ୍ତେ କାବା ହୋଇଗଲେ " ଏ ନାହାକା ବେତ ମେଞ୍ଚେଡି ଟା କଣ କହିବ ଯେ ଭାବି"।ସ୍କୁଲ ସ୍କୁଲ ଗନ୍ଧାଉଥାଏ ମୋ ମନ ,ଦେହ,ବେଶ୍ ପୋଷାକ ବି। ମୁଁ ଥରେ କେଉଁଠି ସାହସ କରି ଠିଆ ହୋଇଗଲେ ତେଣିକି ନନଷ୍ଟପ ଚାଲେ। ଏଇଟି ମୋର ସହଜାତ ପ୍ରବୃତ୍ତୀ।ମୁଁ କଣ କହିଲି କେମିତି କହିଲି ଜାଣି ନାହିଁ,କିନ୍ତୁ କହିଲି ଅଧ ଘଣ୍ଟାରୁ ଅଧିକ ଅନର୍ଗଳ।ତାଜୁବ୍ ସମସ୍ତ ପିଲା,ତାଜୁବ୍ ଅଧ୍ୟପକ ମଣ୍ଡଳୀ।ଆରେ ବାପରେ ବାପ ଛୋଟ ସାପ ବିଷ ଅଧିକ କହୁଥିଲେ ସଭିଏଁ।ଟାଳିରେ ଫାଟି ପଡୁଥିଲା ସ୍ଭାଟି। ମୋ ଭିତରେ ଏତେ ପ୍ରତିଭା!! ସାମାନ୍ୟ ଦୁଇଦିନ ଆସିଥିବା ଛୁଆଟି।ପ୍ରିନ୍ସପାଲ ମୋ ମୁଣ୍ଡ ସାଉଁଳେଇ କହିଲେ ଗୋଟିଏ ସୁନ୍ଦର ଉଜ୍ଜ୍ୱଳ ଭବିଷ୍ୟତ ତୁମ ଅପେକ୍ଷାରେ କୁନି ଝିଅ।ନାଁ କଣ ତୁମର,ଘର କେଉଁଠି?


    ମୋ କହିବା ନିଶା ଉତ୍ତୁରି ଯାଇଥିଲା।ମୁଁ ପୁଣି ଫେରି ଆସିଥିଲି ମୋ ଭିତରକୁ।ନମ୍ର ଭାବେ ସାରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲି ସିନୋରିଟା,ଜଗତସିଂହପୁର। ସାର୍ କହିଲେ ସାବାସ? ମୁଁ ତୁମ ପାଇଁ ଗର୍ବିତ। ତୁମେ ସୁନା ଝିଅ।ବାସ୍ ତାପରଠାରୁ ଆଉ ମୁଁ ପଛକୁ ଚାହିଁନି। ଏଡେବଡ଼ କଲେଜରେ ମୁଁ ହୋଇଗଲି ଗୋଟିଏ ନୋନ ଫିଗର୍। ସବୁ ସେମିନାର ଟକ୍ ରେ ଲୋଡ଼ା ପଡିଲା ସି ନୋ ରି ଟା,ସିନୁ। ସେଇଠି ରେଭେନ୍ସାରେ ମୁଁ ବିତେଇ ଦେଲି ମୋ ଜୀବନର ଆଠ ବର୍ଷ। ଆଉ ଏବେ ମୁଁ ସିନୁ ସି ନୋ ରି ଟା ସୋସିଓଲୋଜିର ଅଧ୍ୟାପିକା। ସ୍ବପ୍ନ ଦେଖିଥିଲି ଓଡ଼ିଶାର ବଡ଼ କଲେଜରେ ପଢିବି ବୋଲି।ଦେଖନ୍ତୁ ତ ମୁଁ ଆଜି ସେଇଠି ପଢାଉଛି। ମୋ ସ୍ବପ୍ନ ଅବିଶ୍ୱନୀୟ ଭାବେ ସତ ହୋଇଛି।


Rate this content
Log in

Similar oriya story from Inspirational