STORYMIRROR

Banabihari Mishra

Inspirational

3  

Banabihari Mishra

Inspirational

ସ୍ବାଭିମାନ

ସ୍ବାଭିମାନ

3 mins
388


କଟକରୁ ତାଳଚେର ଆସିବା ପାଇଁ ବାତାନୁକୂଳିତ ବସ୍ ରେ ନିଜ ଜାଗାରେ ବସିଗଲି । ଏତିକିବେଳେ ଗୋଟିଏ ଛୋଟିଆ ପିଲାର ପାଟି ଶୁଭିଲା । କୋଲ୍ଡଡ୍ରିଙ୍କ୍, ଅମୂଲ୍ କୁଲ୍, ମିଠାଦହି, ଘୋଳଦହି ଏଇମିତି ଡାକିଡାକି ପିଲାଟି ବସ୍ ର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ଗଲା, ହେଲେ କେହି ତା ପାଖରୁ ଗୋଟିଏ ହେଲେ କିଛି କିଣିଲେନି । କିନ୍ତୁ ଗୋରାପିଲାଟିର ଘର୍ମାକ୍ତ ମୁଁହ, ଦୃପ୍ତ ଚାହାଣି ଓ ସର୍ବୋପରି ତା'ର ସ୍ପଷ୍ଟ ଉଚ୍ଚାରଣ ମତେ ସ୍ୱତଃ ଆକର୍ଷିତ କଲା । ମୁଁ ପିଲାଟିକୁ ପାଖକୁ ଡାକିଲି ଆଉ ତା' ନାଁ ପଚାରିଲି। ପିଲାଟି ରାଜା ବୋଲି କହିଲା । ଆଠ ନଅ ବର୍ଷର ପିଲାଟିଏ। ତା ବିଷୟରେ ଜାଣିବାଲାଗି ମୋର ଆଗ୍ରହ ବହୁତ ବଢିଯାଇଥିଲା । ତଥାପି ସେ ଯେତେବେଳେ ତା' ବ୍ୟବସାୟରେ ଲାଗିଛି ତାକୁ ନ ପଚାରି ତା'ର ସମୟ ନଷ୍ଟ କରିବା ଅନୁଚିତ୍ ବୋଲି ଭାବିଲି ଆଉ ତାକୁ ପଚାରିଲି,"ବାପାରେ ପାଞ୍ଚମିନିଟ୍ ସମୟ ଅଛି ? ଟିକେ ତୋ କଥା ମତେ କହିବୁ ?" ତା' ଉତ୍ତରକୁ ଅପେକ୍ଷା ନ କରି ପଚାରିଲି, "କେଉଁ ଶ୍ରେଣୀରେ ପଢୁଛୁ ରେ ବାପା?" ପିଲାଟି କହିଲା,"ତୃତୀୟ ଶ୍ରେଣୀରେ।" 


ତା' ସାଙ୍ଗରେ କଥା ହେଇ ଜାଣିଲି ଯେ ତା' ବାପା ଏଇ ପାଖରେ ଛୋଟମୋଟ ବ୍ୟବସାୟ କରନ୍ତି । ତାଙ୍କ ନିଜ ଦୋକାନରୁ ଏସବୁ ଥଣ୍ଡା ପାନୀୟ ସେ ଆଣି ବସ୍‌ରେ ବିକ୍ରିକରିଥାଏ । ପ୍ରକାରାନ୍ତରେ ତା' ବାପାଙ୍କୁ ବେପାରରେ ସାହାଯ୍ୟ କରିଥାଏ । କିନ୍ତୁ ସେଥିରେ ତା'ର ପାଠପଢ଼ାରେ ସେ କେତେବେଳେ ବ୍ୟାଘାତ ଆଣିବାକୁ ଦିଏନାହିଁ । ସକାଳୁ ସ୍କୁଲକୁ ଯାଇ ସ୍କୁଲରୁ ଫେରିଲାପରେ ସେ ତା' ବାପାଙ୍କୁ ବେପାରରେ ସାହାଯ୍ୟ କରିଥାଏ । 

ତା ବ୍ୟବସାୟରେ ତା'ର ମୂଲ୍ୟବାନ ସମୟକୁ ନଷ୍ଟ କରିଥିବାରୁ ମୋତେ କେମିତି ଦୋଷୀ ଦୋଷୀ ଭାବ ଆବୋରି ରଖିଥିଲା । ସେଥିରୁ ମୁକ୍ତି ପାଇବା ପାଇଁ ପିଲାଟିକୁ ମୁଁ ଦଶଟଙ୍କିଆଟିଏ ବଢେଇଦେଲି । କିନ୍ତୁ ପିଲାଟି ସ୍ପଷ୍ଟଭାବେ କହିଲା, "ବାବୁ, ଆପଣ ତ କିଛି ନେଇନାହାନ୍ତି । ଏଇ କଥା ଦି'ପଦ ପଚାରିଲେ ବୋଲି ମୁଁ କ'ଣ ପଇସା ନେବି? ମୋ ମା' ପରା କୁହେ, ବିନା ପରିଶ୍ରମରେ ଯାହା ଗ୍ରହଣ କରାଯାଏ ତାହା ଚୋରି ସହ ସମାନ ।" 


ପିଲାଟିର ଏଭଳି ଉଚ୍ଚକୋଟୀର ସଂସ୍କାର ଆଉ ତାର ସ୍ପଷ୍ଟବାଦୀତା ମୋତେ ଅଭିଭୂତ କରିଦେଲା । ଭାବିଲି ଏ ଜାତି ଏବେ ବି ବଞ୍ଚିଛି ଏଇ ରାଜାମାନଙ୍କ ଭିତରେ । ତାର ସ୍ୱାଭିମାନକୁ ନେଇ ମଥାକୁ ଉନ୍ନତ କରି ଏବେ ବି ଗର୍ବ ଓ ସ୍ପର୍ଦ୍ଧାର ସହ ବାଟ ଚାଲିବା ଶିଖିଛି ।


ମୁଁ&nb

sp;ପିଲାଟିକୁ ପଚାରିଲି, "ବାପାରେ, ଏଇ ଯେତେକ ଜିନିଷ ଧରିଛୁ ତା ଭିତରୁ ତୋର କୋଉଟା ପସନ୍ଦ? " ପିଲାଟି ଅମୂଲ୍ କୁଲ୍ କହିବାରୁ ମୁଁ କହିଲି, "ଗୋଟିଏ ଖୋଲ ଆଉ ପିଇଦେ। ପଇସା ମୁଁ ଦେବି ।" ପିଲାଟିର ସଂକୋଚଭାବକୁ ଲକ୍ଷ୍ୟ କରି ମୁଁ ନିଜ ହାତରେ ଗୋଟିଏ ଖୋଲି ତା ପାଟିରେ ଲଗାଇଦେଲି । ରାଜା ଆଖିରୁ ଦି'ଧାର ଲୁହ ତା ଗାଲ ଉପରଦେଇ ବୋହିବାରୁ ଯାଉଥାଏ । କହିଲା, "ବାବୁ, ମୋ ବାପା ଏସବୁ ମୋତେ ଗଣିକି ଦିଅନ୍ତି, ଆଉ ବିକ୍ରି ପରେ ସେଇ ହିସାବରେ ପଇସା ନିଅନ୍ତି । ମୋର ଯେତେ ଇଚ୍ଛା ଥିଲେ ବି ମୁଁ ଏଥିରୁ ଗୋଟିଏ ହେଲେ ବି ପିଇପାରେନି ।" 


ମୁଁ ଭାବୁଥିଲି ଏଇଟା ଠିକ୍ କେଉଟ ଧରେ ମାଛ ଖାଏ କଙ୍କଡା ପରି । 


ସେତେବେଳକୁ ତାର ଅମୂଲ୍ କୁଲ୍ ସରିଯାଇଥିଲା । ସେ ଖାଲି ବୋତଲଟିକୁ ରାଜା ତା ପ୍ୟାଣ୍ଟ ପକେଟରେ ରଖିଦେଲା । ମୁଁ ପଚାରିଲି, "କିରେ, ପକେଟରେ କାହିଁକି ରଖିଲୁ?" ରାଜା କହିଲା, "ବାବୁ, ଏଇଟା ଅଇଁଠା ହେଲାନି କି? ଆଉ ସେଇ ଅଇଁଠା ବୋତଲକୁ ଭଲ ସାଙ୍ଗରେ ରଖିଲେ ସବୁଗୁଡା ମାରା ହେବନି କି? ଏଟାକୁ ନେଇ ଅଳିଆ ଡବାରେ ପକେଇ ଦେବି ।"


ଏଭଳି ସଂସ୍କାରଯୁକ୍ତ ଆଉ ସ୍ୱଚ୍ଛତା ସଚେତନତା ଏତେ ଛୋଟ ପିଲାଠାରେ ଦେଖି ଆଶ୍ଚର୍ଯ୍ୟାବିଭୂତ ହୋଇଗଲି । ମୁଁ ତା ବାପା ମା'ଙ୍କୁ ଭେଟିବାକୁ ଚିନ୍ତା କରୁଥିଲି । କିନ୍ତୁ କର୍ତ୍ତବ୍ୟର ତାଡନା ଆଉ ସମୟାଭାବ ମୋତେ ସେଥିରୁ ବିରତ କଲା ।


ସେତିକିବେଳେ ବସ୍ ହର୍ଣ୍ଣ ଦେଲା । ପିଲାଟି ତରତର ହୋଇ ଓହ୍ଲାଇବାକୁ ବାହାରିଲା । କିନ୍ତୁ କ'ଣ ଭାବିଲା କେଜାଣି, ଚାରି ପାଞ୍ଚ ପାହୁଣ୍ଡ ଯାଇ ଫେରିଆସି ମୋ ପାଦ ଛୁଇଁ ପ୍ରଣାମ କଲା । ମୋ ହୃଦୟଟା ତା ପ୍ରତି ସ୍ନେହ ଶ୍ରଦ୍ଧାରେ ଆପ୍ଳୁତ ହୋଇଯାଇଥିଲା । ମୁଁ ଆନନ୍ଦିତ ହୋଇ ତାକୁ କୋଳେଇ ନେଲି ଓ ତା ମୁଣ୍ଡରେ ହାତ ବୁଲେଇ ଆଶୀର୍ବାଦ କଲି । 


ବସ୍ ଗଡିବା ଆରମ୍ଭ କଲା ଆଉ ଏକ ସୁନ୍ଦର ଅନୁଭୂତି ନେଇ ମୁଁ ଫେରିଲି ।


ବସ୍ ରେ ବସି ଭାବୁଥିଲି ସତରେ ରାଜାର ମନଟା ସତସତିକା ରାଜା ପରି । ଛୋଟିଆ ପିଲାଟିଏ ହେଲେ କ'ଣ ହେଲା, ସ୍ୱାଭିମାନର ସହ ବଞ୍ଚିବା ପାଇଁ ଚଲେଇଛି ଅଦମ୍ୟ ପ୍ରଚେଷ୍ଟା । 


ଆସନ୍ତୁ, ଏଇମିତି 'ରାଜା' ମାନଙ୍କୁ ସାମାନ୍ୟ ସହାନୁଭୂତି ଓ ସମବେଦନାର ଦୃଷ୍ଟି ଦେଇ ଦେଖିବା । ସତରେ, ସବୁକିଛି ସୁନ୍ଦର ହେଇଯିବ । ନା ସତରେ ଆପଣ କ'ଣ କହୁଛନ୍ତି ଟିକେ କୁହନ୍ତୁନା ।


Rate this content
Log in

Similar oriya story from Inspirational