STORYMIRROR

Ramakant Rout

Abstract

5.0  

Ramakant Rout

Abstract

*ସାଉଁଟା ସ୍ମୃତି ରୁ ଟିକିଏ*

*ସାଉଁଟା ସ୍ମୃତି ରୁ ଟିକିଏ*

7 mins
275



ଗୋଟେ ସତ ଘଟଣା ଶୁଣିବେକି?  ଆମ ଗାଁ ସ୍କୁଲରେ ସରସ୍ଵତୀ ପୂଜା ହେଉଥାଏ। ଭଲ ଦୁଇ ପଇସା ମଧ୍ଯ ଚାନ୍ଦା ଆଦାୟ ହୋଇଥାଏ। ଇଏ ଅବଶ୍ୟ ଏବେକାର କଥା ନୂହେଁ, ସେବେକାର କଥା । ସତରେ ଏମିତି ଦିନେ ଘଟିଥିଲା ବୋଲି କହୁଛି। ଏବେକାର ମାଷ୍ଟ୍ରିଆମାନେ ହୁଏତ ଶୁଣିଲେ ଚିଡିବେ କି କ’ଣ । କ’ଣ କରିବା ଯେତେବେଳେ ପୁଣି ଯୋଉ କଥା। ! ହଁ ମୂଳ କଥାଟାକୁ ଛାଡି ଗଲି ବୋଧେ? କୋଉଠୁ ଛାଡ଼ିଥିଲି ଟିକେ ମନେ ପକେଇ ଦେବେ ତ


ହଁ – ହଁ ଏଥର ମନେ ପଡିଗଲା, ନୂହେଁ ନା ସେଦିନ ବାଲିଝରୀ ଉପ୍ରା ସ୍କୁଲରେ ସରସ୍ଵତୀ ପୂଜା ଧୂମ୍ ଧାମ୍ ରେ ହଉଥାଏ। ଦିନରେ ବଡ଼ ଧୂମ୍ ଧାମ୍ ରେ ସରସ୍ଵତୀ ପୂଜାଟା ହେଲା। ଗୋଟେ ବଡ଼ ମୂର୍ତ୍ତି ଆସିଥିଲା। ସେଇଟା ପୁଣି ତା ଆଗ ଦିନରୁ ଖଣ୍ଡେ ଦୂରରେ ଥିବା ମାର୍କେଟରୁ କିଣା ହୋଇ ଆସିଥିଲା। ଆମେ ସବୁ ମୁରବି ଛୁଆ ଅନନ୍ତ ମାଷ୍ଟର ସାଙ୍ଗରେ ଯାଇ କାନ୍ଧକୁ କାନ୍ଧ ବଦଳିଆ କାନ୍ଧ କରି ବହୁ କଷ୍ଟରେ ବୋହି ବୋହି ସ୍କୁଲ ଯାଏଁ ଆଣିଥିଲୁ। ସ୍କୁଲରେ ପହଞ୍ଚିଲା ବେଳକୁ ରଫାଦଫା ହୋଇଯାଇ ଥିଲୁ। ସେଇ ମାଷ୍ଟରଟା ଭାରି ଲୋଭୀ। ନିଜେ ଚା ଜଳଖିଆ ଖାଇଲା। ବିଶୁ ପାନ ଦୋକାନୀ ରୁ ଆଠ ଦଶ ଖଣ୍ଡ ବି ଭାଙ୍ଗି ଅଣ୍ଟିରେ ପୁରେଇଲା। ହେଲେ ଆମେ ଛୁଆ ବୋଲି ଆମକୁ ଖାଲି ଦୁଇ ଦୁଇଟା କମଳା ଚକୋଲେଟ୍ ଦେଲା। ସ୍କୁଲରେ ପହଞ୍ଚିଲା ବେଳକୁ ପରା ଆମେ ବେଲେବେଲେ ପାଣି ପିଇଯାଇଥିଲୁ । କ’ଣ ବା ଆଉ ଅଧିକା କରି ପାରିଥାନ୍ତେ ସେ? ଦିନବେଳା ଆମେ ସିନା ଘରୁ ଖାଇ ସ୍କୁଲ ଆସି ଯାଇଥିଲୁ ମାର୍କେଟ ଯିବା ପାଇଁ, ହେଲେ ଅନନ୍ତ ସାରେ ତ କିଛି ଖାଇ ନଥାଏ। ସୁଦ ଉପବାସ ଥାଏ। କାମ ନିଶାରେ ରୋଷେଇ ବାସ ବୋଧହୁଏ କରି ପାରି ନଥାଏ। ନା ଦିନରେ ବୋଧେ ତା ପାଖରେ ଖାଇବା ଜିନିଷ କିଛି ନଥାଏ ବା ପଇସା ନଥାଏ । ଯାହା ହେଉ ମାଷ୍ଟ୍ରିଆ ଲୋକ ତା’ର ଅଧିକା ଖାଇଲେ ଖାଉ।

ଆମେ ତ ପ୍ରତି ବର୍ଷ ପରି ସେ ବର୍ଷ ମଧ୍ଯ କିଛି ପିଲା ରାତ୍ରି ଉଜାଗର ରହିଥିଲୁ। ସାର୍ କହିଲେ – “ଜଣକା ଟଙ୍କେ ଟଙ୍କେ ଆଉ ଦୁଇ ଦୁଇଟା ଆଳୁ ଅଧଡବା ଚାଉଳ ଧରି ଆସିବ, ଯିଏ ରାତିରେ ରହିବା କଥା । ଏଇଠି ଆମେ ଫିଷ୍ଟ କରି ଖାଇବା। କାରଣ ରାତାରାତି କାମ ନସାରିଲେ ଦିନ ବେଳାକୁ ଆଉ ତର ହେବ ନାହିଁ, ବେଳ ଉଚ୍ଛର ହୋଇଯାଇଥିବ । ତୁମେ ଠାକୁର ସଜାସଜି କରିବ, ମୁଁ ରାନ୍ଧି ଦେବି ସାଙ୍ଗ ହୋଇ ଖାଇବା, ତେଣିକି ଯେତେ ରାତି ହେଉନା କାହିଁକି, ନହେଲେ କାମ ସରିବ ନାହିଁ। ଏଇଠି ସାଙ୍ଗ ହୋଇ ଶୋଇପଡ଼ିବା। ଆସିଲା ବେଳକୁ ହାତରେ ଖଣ୍ଡେ ମସିଣା ନହେଲେ ହେଁସ ନେଇ ଆସିଥିବ”।

ସେୟା ହେଲା । ଆମେ ଚାରି ଛଅ ଜଣ ଭାରି ଆଗୁଆ। ସବୁ କଥାକୁ ଧୂରନ୍ଧର। ତେଣିକି ସ୍କୁଲ ଘର ଲିପାପୋଛା ପାଇଁ ଗୋବର ଆଦାୟ କଥା ହେଉ ବା ଛପର ଛାଏଣି ପାଇଁ ଛଅଣ କଥା ହେଉ ଆମେ ପରା ଆଗେ ଆଗେଇ ଆସୁ । ସେଇଥି ପାଇଁ ଆମର ପାଠ ନହେଉ ପଛକେ ଶ୍ରେଣୀ ଗୃହରେ ସାର୍ ଆମକୁ ଆଦୌ ବାଡାନ୍ତି ନାହିଁ, ଡରୁ ବି ଥାଇ ପାରନ୍ତି ସାର୍ । କାରଣ ଆମକୁ ନଧରିଲେ ତାଙ୍କର କୌଣସି କାମ ହୋଇପାରିବ ନାହିଁ। 


ଯାହା ବି ହେଉ ସ୍କୁଲରେ ସରସ୍ଵତୀ ପୂଜା ଓ ଗଣେଶ ପୂଜା ହେଲେ ଭାରି ମଜା। ଭାରି ବାହାଘରିଆ ଲାଗେ । ଡାଲି ଭାତ ଆଉ ବୋଇତାଳୁ ଘାଣ୍ଟ ଇସ୍ କି ମଜା! ଭାରି ସ୍ୱାଦିଷ୍ଠ ତିଅଣ | ଚାନ୍ଦା କୋଉ କମ୍ କି? ହକ୍ ଦୁଇ ଟଙ୍କା କରି ସବୁ ପିଲା ଦେଉଚୁ । ଅବଶ୍ଯ ଛୋଟ ପିଲାମାନଙ୍କର ମାନେ ପ୍ରଥମରୁ ଚତୁର୍ଥ ଏକ ଟଙ୍କା ଓ ପଞ୍ଚମ ସେଇ ଦୁଇ ଟଙ୍କା ରଖାଯାଇଛି। ଏ ଛୁଆ ଯାହା ଖାଇବେ ଖାଇବେ ପୁଣି ଗାଓଁ ର ଭଲ ଭଲିଆ ଲୋକ ପରା ଆସି ଖାଇବେ। ନହେଲେ ଆଇଲା ସନକୁ ଘର ଟାଇଲସ୍ ଆଦି ଲାଗିବ। ନ ହେଲେ କହିବେ – ତୁମ ସ୍କୁଲ ଭାଙ୍ଗି ଯାଉ, ଆମର କ’ଣ ଗଲା”? ଏହିପରି ସ୍କୁଲରେ ଥରେ ଭୋଜି ହେଲେ ଭାରି ଅଡୁଆ, କେତେ ରାଗରୁଷା କିଏ ସମ୍ଭାଳିବ କହୁ ନାହାଁନ୍ତି? ଖାଲି ଅନନ୍ତ ମାଷ୍ଟର ମୁହଁଟାକୁ ଚାହିଁ ଲୋକେ କିଛି କହନ୍ତି ନାହିଁ।


ହଉ ଛାଡନ୍ତୁ ଏ ସବୁ କଥା, ହଁ ଆଗ କେଉଁ କଥାଟା କହୁଥିଲି କହିଲେ! ହଁ ଏଥର ମନେ ପଡିଲା। ଅନନ୍ତ ସାର୍ ଯାହା କହିଥିଲେ ଆମେ ସବୁ ଧରି ଡକାହକା ହୋଇ ସ୍କୁଲରେ ସନ୍ଧ୍ୟା ବେଳକୁ ପହଂଚି ଗଲୁ। ଏଇ ଅନନ୍ତ ମାଷ୍ଟରଟା ଭାରି ମାହାଳିଆ ଖାଇବାବାଲା । ସେ ତ କାହିଁ କିଛି ଚାନ୍ଦା ଦେଲେ ନାହିଁ। ଓଲଟି ଆମେ ଦେଇଥିବା ପଇସାର ଚାନ୍ଦାରେ ତା ପାଇଁ ଗୋଟେ ଯୋଡ଼େ ଅଣ୍ଡା ଓ ଅନ୍ୟାନ୍ୟ ସୌଦାପାତି ସବୁ ଆମ ଗାଁ ଧୃବ ଦୋକାନରୁ ଯାଇ କିଣି ଆଣିଲେ। ହୋଉ ଖାଆନ୍ତୁ। ମାଷ୍ଟ୍ରିଆ ଲୋକ ତ, ଆମକୁ ପୁଣି ପାଠ ଦି ଅକ୍ଷର ବା ପଢ଼ଉଛନ୍ତି। ଖାଇ ଖୋରାକି ନେଇ ସେ ଆମକୁ ରାତିରେ ପଢାଏ ଓ ଏଇ ସ୍କୁଲ ଘରେ ରହେ। ଅନ୍ୟ (ବଳଭଦ୍ର ସାର୍, ସଚି ସାର୍, ସର୍ବେଶ୍ଵର ସାର୍ ) ସାର୍ ମାନଙ୍କ ଘର ତ ସବୁ ପାଖରେ, ସେମାନେ ଘରକୁ ପଳାନ୍ତି। ସାର୍ କିନ୍ତୁ ଭାରି ବଢିଆ ରାନ୍ଧନ୍ତି। ସେଇଥିପାଇଁ ପରା ଆମେ ଆଧିକାଂଶ ବେଳେ ରାତିରେ ଭୋଜି କରୁ ଓ ଖାଇ ପିଇ ସେଦିନ ସାର୍ ଙ୍କ ପାଖରେ ଶୋଇ ପଡ଼ୁ। ଅନନ୍ତ ସାର୍ ଙ୍କ କଥା ଶୁଣିଲେ ଘରେ କିଛି କହନ୍ତି ନାହିଁ। କାରଣ ସେ ମୋ ମାମୁଁ ଘର ଗାଁ ର, ବାପା ମାଆଙ୍କର ଅନନ୍ତ ମାଷ୍ଟର ଉପରେ ଭାରି ଭରସା। ସେ ତେଣୁ କିଛି କହନ୍ତି ନାହିଁ।  


ଯାହା ବି ହେଉ ସାର୍ ଏପଟେ ରୋଷେଇ ଆରମ୍ଭ କଲେ ଆଉ ଆମେ ସେପଟେ ସଜାସଜି। ଆଗ ଆମ୍ବ ଡାଳୁଆ ଓ ଆମ୍ଭ ପତ୍ର ରସି ବାନ୍ଧି ଚାରିଆଡ଼େ ଗୁନ୍ଥି ଦେଲୁ। ତା’ପରେ ସେୟାକୁ ହାର କରି ଟାଙ୍ଗି ଦେଲୁ। ଦେବଦାରୁ ଓ ଝାଉଁ ଗଛ ଡାଳ ଆଣି ଗେଟ୍ ତିଆରି କଲୁ। ସୁନ୍ଦର ଭାବେ ତୋରଣ ସବୁ ସଜା ଗଲା। ଖଡ଼ୁ କଣ୍ଟା କାଟି ଝୁଲେଇ ଦେଲୁ। ଚିକ୍ଚିକିଆ ଯମ୍ଭରା କାଗଜ ବି ଆସିଥିଲା। ସବୁ ଟିକି ଟିକି କରି କାଟି ରୁଞ୍ଜ କରି ଚାରିଆଡ଼େ ଫୁଲ କାଟି ସଜେଇ ଦେଲୁ। ଆମ ଗାଁର ଏକମାତ୍ର ଖବର କାଗଜ ପଢାଳି ଗିରୀଶ ସ୍ଵାଇଁ ଦୋକାନ ରୁ ଚାରି କେଜି ଖବର କାଗଜ କିଣି ଆଣିଥିଲୁ। ସେୟାକୁ ସବୁ ଅଠା ମାରି ସୁନ୍ଦର ଭାବେ ଠାକୁର ଆସ୍ଥାନ ତିଆରି କଲୁ। ପୂର୍ବରୁ ଟେବୁଲ୍ ଉପରେ ଠାକୁର ରଖି ବତା ଫାଳିରେ ରଥ ପରିକା ଥାକ ଥାକ କରି ଘର କାଟି ଦେଇଥିଲୁ। ତା ଉପରେ ଏବେ ରଙ୍ଗିନ କାଗଜ ସବୁ ମଡେଇ ଦେଲୁ। କି ଖୁସି ଲାଗୁଥାଏ! ଏଥର ଆମ ମେଢ଼ ପାଖାଆଖି ସ୍

କୁଲଠାରୁ ନିଶ୍ଚୟ ସୁନ୍ଦର ହେବ। ସେଇଥିପାଇଁ ତ ଏତେ ପରିଶ୍ରମ। ଲୋକେ ଖାଲି ଟିକେ ପ୍ରସଂଶା କରିଦେଲେ ହେଲା। ରାତାରାତି ସବୁ କାମ ସାରିଦେଲୁ। ଖାଲି ବାକି ରହିଗଲା ସକାଳ ହେଲେ ଝିଅ ପିଲାମାନେ ଆସି ମୁରୁଜ ଓ ଚିତା ପକେଇବେ। ତାଙ୍କୁ ସେତକ ଦାୟିତ୍ଵ ଦେଇ ଦେଇ ଆମେ ଘରକୁ ଯିବୁ। ପୁଣି ନୂଆ ଲୁଗା ଓ ନଡ଼ିଆ ଧରି ଡେଇଁ ଡେଇଁ ମନ ଖୁସିରେ ସ୍କୁଲ ହତା ଭିତରକୁ ପଶିବୁ।


ସେତେବେଳକୁ ରାତି କେଯାଏଁ ହୋଇଗଲାଣି। ସାର୍ କହିଲେ – “ସେତିକି ଥାଉରେ ପିଲାଏ! ଆଉ ଯାହା ରହିଲା କାଲିକି କରିବ। ଆଉ ବେଶି ସଜାଅ ନାହିଁ, ଢେର୍ ହେଲା। ଭାତ ତେଣେ ଶୁଖି ଚଣା ହେଲାଣି। ତେଣୁ ଚାଲ ସମସ୍ତେ ସାଙ୍ଗ ହୋଇ ଖାଇବା। ଆମେ ହାତ ଗୋଡ଼ ଧୂଆଧୋଇ ହୋଇ ସିଧା ଯାଇ ଭାତ ପାଖରେ ବସି ପଡ଼ିଲୁ। ଅନନ୍ତ ମାଷ୍ଟର ଅଣ୍ଡା, ଆଳୁ ଓ ଝୋଳ କି ତାଟିଏ ତାଟିଏ ଜଣକା ବାଢି ଦେଲେ। ତରକାରୀ ତ ଭାରି ବଢିଆ ହୋଇଥିଲା। ଗୋଟେ ଗୋଟେ ସଟକାରେ ଭାତ ଉଠିଯାଉଥାଏ। ମୁଁ ଝୋଳ ହାପୁଡ଼ି ହାପୁଡ଼ି ଥାଳିଏ ଭାତ ଖାଇଦେଲି। ସାର୍ କହୁଥାନ୍ତି – “ଦେଖିକି! ତଣ୍ଟିରେ ଲାଖିବ “। କିଏ ତାଙ୍କ କଥା ଶୁଣୁଛି। ଭୋକ ତ ପ୍ରବଳ। ଦିନ ସାରାର ଥକାନ ଯୋଗୁଁ ନିଦଟା ବି ବଡ଼ ଘୋଟି ଆସୁଥାଏ ।ଏଥର ଯିଏ ଯୁଆଡେ ପାରିଲୁ ବିଛଣା ପାରି ଶୋଇ ପଡ଼ିଲୁ।

ହେଲେ ରାତି ନ ପାହୁଣୁ ସାର୍ ଡାକିଦେଲେ। କହିଲେ – “ଝଅଟ ଉଠ! ନହେଲେ କିଏ କୁଆଡ଼େ ଫୁଲ ସବୁ ନେଇଯିବେ। ଅତି କମରେ ଦୁଇ ଟୋକେଇ ଫୁଲ ନହେଲେ ହେବ ନାହିଁ। ଆଗ ଠାକୁରଙ୍କ ଉପରେ ଚଢା ଯିବ, ପୁଣି ପୁଷ୍ପାଞ୍ଜଳୀ ଓ ଅନ୍ୟନ୍ୟ କାମ ବି ଅଛି” । ଆମେ ଧଡପଡ ହୋଇ ଉଠି ପଡ଼ି କାମରେ ଲାଗି ପଡ଼ିଲୁ। କାହାରି ବାଡ଼ି ବଗିଚା ବାଦ୍ ଦେଲୁ ନାହିଁ, ତେଣିକି କିଏ ଗାଳି ଦେଉ ପଛେ। ବାଇନ ସାହୁ ଲୋକ ଟା ଭାରି ଛିଣ୍ଡାଟେ। ଆମକୁ ବାଡ଼ି ଧରି ଗୋଡାଇଲା। ଆମେ କିରି କିରି ହୋଇ ହସି ଖତେଇ ହେଲୁ। ସେ ଆମ ପାଖକୁ ଆସିଲା ବେଳକୁ, ଆମେ ବାଡ଼ ଡେଇଁ ପାର। ଏଥି ସହିତ ଦୁବ, ବରକୋଳି ପତ୍ର ଓ କଦଳୀ ପତ୍ର ମଧ୍ୟ ସଂଗ୍ରହ କଲୁ। 

 

ଆଉ କିଛି କାମ ବାକି ନଥାଏ। ଗୋଟାପୁଣି ସବୁ ରେଡି। ଏହା ପରେ ଆମେ ଝଅଟ ଘରକୁ ଯାଇ ନୂଆ ବସ୍ତ୍ର ମାନେ ସଫାଲୁଗା ପିନ୍ଧି ଡେଇଁ ଡେଇଁକା ସ୍କୁଲରେ ଆସି ହାଜର। ହାତରେ ଗୋଟେ ଗୋଟେ ନଡ଼ିଆ ଓ ବହି ବସ୍ତାନିର ଗୋଟେ ବିଡ଼ା, ଠାକୁର ପାଖରେ ରଖି ପୂଜା କରିବା ପାଇଁ। ଏଇ ସରସ୍ଵତୀ ଦେବୀଟା ଭାରି ପାଠୁଆ। ଇଏ ପରା ମୂର୍ଖ କାଳିଦାସ ଓ ହଳିଆ ସାରଳା ଦାସଙ୍କୁ ଏକାବେଳେକେ ଜ୍ଞାନୀ କରିଦେଲେ। ଆମର ଏତେ ଜ୍ଞାନ ଦରକାର ନାହିଁ ଯେ ପରୀକ୍ଷାଟା ଖାଲି ପାସ୍ କରେଇ ଦିଅନ୍ତେ କି? ଅବଶ୍ଯ ଏଥର କରେଇ ଦେଇ ପାରନ୍ତି, କାହିଁକିନା ସାର୍ ପରା କହୁଥିଲେ ପରିଶ୍ରମର ଫଳ ମିଠା। ଆମେ ତ ଏଥର ଢେର୍ ପରିଶ୍ରମ କଲୁଣି, ଆଉ କିଏ ବା ଏମିତି ଅଧିକା ପରିଶ୍ରମ ସରସ୍ଵତୀଙ୍କ ପାଇଁ କରି ପକେଇବ?


 ମାଇପ ମରା ନନା ଆସିବାକୁ ଡେରି ଥାଏ। ତେଣୁ ଆମେ ଦୁଇ ବାଜି ବାଟି ଖେଳରେ ମାତି ଗଲୁ। ଡିଆଁଡେଇଁ ନଚାକୁଦା , ହସାହସି, ଗୋଡାଗୋଡ଼ି, ଲୁଚକାଳି ଖେଳ ଯେତକ କରିବା କଥା ସବୁ କଲୁ। ସେ ବୁଢ଼ା ନନା ଟିକେ ଡେରିରେ ଆସିଲେ। ଦେଖିବା ଏଥର ତୁମ କଥା ଟିକେ ସରସ୍ଵତୀଙ୍କ କାନରେ ଫୋଡିବା”।


ବୁଢ଼ା ନନା ଆସିଲା ପରେ ପାକୁଆ ପାଟିରେ ମନ୍ତ୍ର ଗୁଡାକ ବଡ଼ ପାଟିରେ ଉଚ୍ଚାରଣ କଲେ। କିଛି ବୁଝି ହେଉନଥିଲେ ବି ଭାରି ଯୋହରସେ ଶୁଭୁଥିଲା। ପିଲା ସବୁ ସଜବାଜ ହେଲେଣି ଏଥର ନଡ଼ିଆ ବାଡ଼ା ହେବ। ସମସ୍ତେ ଖୁଡୁର ଖୁଡୁର କରି ନଡ଼ିଆ ଗୁଡାକ ଚୋବାଇ ଯିବେ। ପୁଣି ସାର୍ ମାନେ ଚୂଡ଼ା କଦଳୀ, ଗୁଡ଼, ବସାଦହି, କଷି କାକୁଡି , ଫଳମୂଳ ପ୍ରଭୃତି ପକାଇ ଚକଟା ପ୍ରସ୍ତୁତ କଲେଣି, ସେଇଥିରୁ ଏଇଲାଗେ ଟେଳାଏଟେଳାଏ ଧରେଇ ଦେବେ। ପିଲାଏ କାଳେ ଦେବା ନେବା ବେଳେ ହାପୁଲା ମାରି ଦେବେ, ତେଣୁ ସବୁ ସାର୍ ମାନେ ସଜାଗ ହୋଇଗଲେଣି। ଦଳଦଳ ହୋଇ ବୁଲୁଥାନ୍ତି ଓ ପିଲାଙ୍କ ଉପରେ ନଜର ରଖୁଥାନ୍ତି। ସେଇଥିରେ ଅଠର ଗଣ୍ଡଗୋଳ, କାହାକୁ ସମ୍ଭାଳିବେ କହୁ ନାହାଁନ୍ତି? ଯିଏ ଦୁଷ୍ଟ ହେଲା ନାଲି ଆଖି ଦେଖାଇ କାନ ମୋଡ଼ା ବି ଦେଉଥାନ୍ତି। ମୋର କିନ୍ତୁ ମନ ଥାଏ ଭୋଜି ଖାଇବାଠେଇଁ। ତେଣୁ ମଝିରେ ମଝିରେ ରୋଷେଇ ପାଖକୁ ଯାଇ ଦେଖି ଆସୁଥାଏ ତରକାରୀ କେତେବାଟ ଯାଏଁ ହେଲାଣି। ନାକରେ ସେ ବାସନାଟା ବାଜିଲାଠୁଁ ଖାଇବାକୁ ଭାରି ଆଘ୍ରାଣ ହେଉଥାଏ। ଏହାର ହୁଏତ ପ୍ରମୂଖ କାରଣ ହୋଇପାରେ ସେତେବେଳେ ଏବର ଭଳିଆ ଭଲ ଜିନିଷଟେ କି ସ୍ୱାଦିଷ୍ଠ ତରକାରୀ ଟିକେ ଖାଇବା ପାଇଁ ଲୋକଙ୍କ ପାଖରେ ସେତେଟା ସ୍ଵଚ୍ଛଳତା ନଥିଲା। ତେଣୁ ନଅ ଅଙ୍କ ଦୁର୍ଭିକ୍ଷିଆ ଭଳିଆ ଖାଇବା ଜିନିଷକୁ ସମସ୍ତଙ୍କର ଭାରି ଲୋଭ।


ଏପଟେ ପୂଜା ସରିଗଲା। ପୁଷ୍ପାଞ୍ଜଳୀ ଦେବା ପାଇଁ ଠେଲାପେଲା। ତା’ପରେ ଭୋଗ ବଣ୍ଟାବଣ୍ଟିକୁ ନେଇ କଳି ତକରାଳ-“କାହିଁ ମୋ ଭାଗରେ ନଡ଼ିଆ ପଡିଲା ନାହିଁ, ମୋତେ ଟିକେ ବାଛି ବାଛି”, ସାର୍ ଭୂରୁଡିଏ ଲେଖାଏ କାଢୁଥାନ୍ତି । ଦଣ୍ଡେ କିଏ କେଣେ ଛିନ୍ ଛତର ହୋଇ ପଳାଉଥାନ୍ତି, ପୁଣି ଯୋଉ କଥାକୁ ସେଇ କଥା। ସାର୍ ଦିଗ୍ଦାର ହୋଇ ଯାଉଥାନ୍ତି।

ଏଥର ଚୂଡାନ୍ତ ପର୍ବ – ଭୋଜିଭାତ। ମାଧବ ରୋଷେଇଆ ଖାଲି ଡେରି ଡେରି କରୁଥାଏ। ଆଉ ଧୈର୍ଯ୍ୟ ନାହିଁ। ଛୁଆ କିନ୍ତୁ ପତର ପକେଇ ନିଜେ ନିଜେ ଆଗୁଆ ବସି ସାରିଲେଣି। ଭୋଜି ଭାତ ପେଟେ ଖାଇ ସମସ୍ତେ ଶାନ୍ତିରେ ଘରକୁ ଫେରିଲୁ। ଆଃ କି ଶାନ୍ତି!

ସେଇ ମୋ ଅଭୂଲା ସ୍ମୃତି ଯାହା ମୋ ପିଲା ବେଳର ସାଉଁଟା କାହାଣୀ।

ଆଜି ଅନନ୍ତ ସାର୍ ନାହାନ୍ତି ସତ ହେଲେ ତାଙ୍କ ସହିତ ବ୍ୟୟିତ ପ୍ରତିଟି ମୁହୂର୍ତ୍ତ ଅତି ସ୍ମୃତି ବିଜଡିତ, ସୁନ୍ଦର ସେ ମୁହୂର୍ତ୍ତ। ଏ ଘଟଣାର ନାହିଁ କିଛି ଆଦି ଅନ୍ତ, ତଥାପି ଭାରି ଭଲ ଲାଗେ ରୋମନ୍ଥନ କରିବା ପାଇଁ ସେ ପ୍ରତିଟି ମୁହୂର୍ତ୍ତ। ସେତେବେଳ କମ ଓ ବିନା ବେତନର ଶିକ୍ଷକ ସେ। କି ଦୁର୍ବିଶହ ଥିଲା ଶିକ୍ଷକର ଜୀବନ, ଯେମିତି ମାଗିଖିଆ ଭିକାରୀ ମଣିଷଟେ । ଅତି ଦୟନୀୟ ସ୍ଥିତି।ଆଉ ପାଠ ପଢା କଥା ନକହିଲେ ଭଲ। ପେଟ ପୋଡ଼ି ଯାଉଥିବା ଶିକ୍ଷକମାନେ ଯେତକ ବି ପାଠ ପଢାନ୍ତି ଯଥେଷ୍ଟ। ସେଦିନୁ ଏଦିନ ନାହିଁ ନଥିବା ଫରକ।

କେମିତି ଲଗିଲା କହିବେ... ଓ share ନିଶ୍ଚିନ୍ତ କରିବେ 


Rate this content
Log in

Similar oriya story from Abstract