STORYMIRROR

ରମାକାନ୍ତ ରାଉତ

Others

3  

ରମାକାନ୍ତ ରାଉତ

Others

ଏମିତି ଗୋଟେ ସମୟ ଥିଲା

ଏମିତି ଗୋଟେ ସମୟ ଥିଲା

3 mins
72

ମୋ ଅନୁଭୂତି! 

୮୫ ଓ ୯୫ ଦଶକର ମଝାମଝିରେ ମୁଁ ସ୍କୁଲରେ ପଢୁଥିଲି! ସେତେବେଳେ ସ୍କୁଲ ବୋଲେ ତ ଆଖାପାଖର ପାଞ୍ଚ ଦଶଟି ପଞ୍ଚାୟତର ଗୋଟେ ସ୍କୁଲ! ବାଲିଝରୀ ପ୍ରଥମିକ ବିଦ୍ୟାଳୟ! ଏବେ କଣ କ'ଣ ପରିବର୍ତ୍ତନ ହୋଇଛି ମୁଁ ଜାଣିନି! ସ୍କୁଲ ସମୟରେ ଆମ ଭିତରୁ ଅଧିକାଂଶଙ୍କର ସେତେବେଳେ ହାତଘଣ୍ଟା ନଥିଲା! ପରୀକ୍ଷା ଦିନମାନଙ୍କରେ ବାପାଙ୍କ ବା ପଡ଼ିଶା ଘର ଭାଇଙ୍କ ଠାରୁ ଘଣ୍ଟା କିଏ କେମିତି ମାଗି ପିନ୍ଧୁଥିଲେ ! ମାତ୍ର ନବେ ଭାଗ ପିଲା ବିନା ଘଣ୍ଟାରେ ପରୀକ୍ଷା ଦେଉଥିଲେ ଓ ସମୟର ସମ୍ୟକ୍ ଧାରଣା ଥିଲା! ସେଦିନ ଆମର ଜଣେ ସାଙ୍ଗ ଫୁଲେଇ ଗୋଟିଏ ହାତବନ୍ଧା ଘଣ୍ଟା ଆଣି ଦେଖେଇଲା ସେମିତି ଘଣ୍ଟା ଆମେ ଆଗରୁ ଦେଖିନଥିଲୁ! ସେଥିରେ ଟିକ୍‌ ଟିକ୍ କରି ଚାଲୁଥିବା ମିନିଟ୍‌ କଣ୍ଟା, ସେକେଣ୍ଡ କଣ୍ଟା ନଥିଲା! ସମୟ ପୁରା ଜଳ ଜଳ ହୋଇ ଦିଶୁଥିଲା ଅକ୍ଷରରେ! ସୁଇଚ୍‌ ଟିପିଦେଲେ ପୁଣି ଲାଇଟ୍‌ ଜଳୁଥିଲା ସେ ଘଣ୍ଟା ଭିତରେ! 


ଆମେ ଘଣ୍ଟା ଦେଖି ଟେରା! ଫୁଲେଇ କହିଲା, ଜାଣିଛୁ ଏଥିରେ ଆଲାର୍ମ ବି ଅଛି!

ଆମେ ଆହୁରି ଟେରା!

ଫୁଲେଇ କହିଲା, ଏ ଘଣ୍ଟାଟା ମୋ ଭାଇ ଦେଇଛନ୍ତି! 


ଫୁଲେଇର ବାପା ଗାଁରେ ଘଣ୍ଟା ଦୋକାନଟିଏ କରିଥିଲେ ଓ ମରାମତି ମଧ୍ୟ! ତା ଭାଇ ତାକୁ ରାକ୍ଷୀ ବାନ୍ଧିବାର ପାଉଣାରେ ଏ ଉପହାର ଦେଇଛନ୍ତି! ଯାହା ଫୁଲେଇର ଗର୍ବ ଓ ଗୌରବ କହିଲେ ନସରେ! ଶ୍ରେଣୀର କୌଣସି ପିଲାଙ୍କର ତା ପୂର୍ବରୁ ଘଣ୍ଟା ନଥିଲା! ତା ଛଡା ଆମ ମଫସଲ ଗାଁର କେତେଜଣ ହାତଗଣତି ପିଲାଙ୍କ ଘରେ ଘଣ୍ଟା ଥିଲା! 

-ଜାଣିଛୁ ୟାର ଦାମ୍‌ କେତେ ? ଫୁଲେଇ ଆମକୁ ପଚାରିଲା! 

-କେତେ ?

-ଶହେ ଟଙ୍କା 

 ସେତେବେଳେ ଶହେ ଟଙ୍କା?! ଆମେ ଘଡି ଦାମ୍‌ ଶୁଣି ଥମ୍‌ ମାରି ରହିଗଲୁ! ଫୁଲେଇ ସେ ଘଡିରେ ଆମକୁ ହାତ ମରେଇ ଦେଉ ନଥିଲା! ଆମେ ଏ ଘଡି ପାଇଁ ତାକୁ ଈର୍ଷା କରୁଥିଲୁ! ଆମ ସ୍କୁଲର ସବୁ ଝିଅମାନେ ସେ ଘଣ୍ଟା ଦେଖିବାକୁ, ସମ୍ଭବ ହେଲେ ଛୁଇଁ ଦେଖିବାକୁ ବ୍ୟାକୁଳ ଥିଲେ! ଘଣ୍ଟା ପାଇଁ ଫୁଲେଇ ଭାରି ନଖରା ହୋଇଗଲା! 


ଏବେ ମୋ ତିନି ବର୍ଷର ପୁଅ ବିନା ଘଣ୍ଟାରେ ତା ମାମୁଁ ଘର ଯାଉନି, ଯେମିତି ଘଡି ପିନ୍ଧି ବାବୁ ମାନେ ସେ ସମୟରେ କାର୍ଯ୍ୟାଳୟକୁ ସବୁଦିନେ ଯାଉଥିଲେ! 


ଏବେ ଗାଁର ବୁଲାବିକାଳୀମାନଙ୍କ ଠାରୁ କୋଡିଏ ଟଙ୍କାରେ ମୁଁ ତାକୁ ସେ ଘଣ୍ଟାଟା କିଣି ଦେଇଛି! ଶୁଣିଛି ଦିଲ୍ଲୀର ସଦରବଜାରରେ କୁଆଡେ ଓଜନ ଦରରେ ଏମିତି ଘଡି ମିଳୁଛି! 

  

ଆମ ସମୟରେ (ସେତେ ପୁରୁଣାବି ନୁହେଁ, ମୁଁ ଅଶୀ-ପଞ୍ଚାନବେ ଦଶକ କଥା କହୁଛି) ଟେଲିଫୋନ ଗୋଟେ କରିବାକୁ ଗଲେ ନାନା ଝାମେଲା! ଟ୍ରଙ୍କକଲ୍‌ଟିଏ ବୁକ୍‌ କରିଥିବ ତ ବସିଥା! ଦି ଘଣ୍ଟା ତିନି ଘଣ୍ଟା! ଭଦ୍ରକରୁ କଟକ କଥା ହେବାକୁ ଗଲେ ଚାତକ ଭଳି ଚାହିଁ ବସିଥା! ଟେଲିଫୋନ୍‌ ଯାହା ଘରେ ଥିଲା ସେ ଭାରି ବଡଲୋକରେ ଗଣା ହେଉଥିଲା! ଏବେ ଆମ ଧୋବା କହୁଛି ମୋ ଟେଲିଫୋନ୍‌ ନମ୍ବରଟା ରଖନ୍ତୁ! ଘରେ ମଇଳା କପଡା ଅଧିକ ହୋଇଗଲେ ମୋତେ ଖବର ଦେଇଦେବେ! ଆସିଯିବି! ତୁଛାରେ କାହିଁକି ପ୍ରତି ଦି’ ଦିନ ଛାଡି ଆସୁଥିବି! ଆମ ଛକମୁଣ୍ଡରେ ଯେତେଟି ଅଟୋବାଲା ବସିଥାନ୍ତି, ସେମାନେ ସମସ୍ତଙ୍କ ପକେଟରେ ମୋବାଇଲ ଫୋନ୍! 


ଗୋଟିଏ ସମୟ ଥିଲା ବଜାଜ ସ୍କୁଟରଟିଏ କିଣିବାକୁ ଗଲେ ପାଞ୍ଚବର୍ଷ ଅପେକ୍ଷା କରିବାକୁ ପଡୁଥିଲା! ଭେସ୍‌ପା ସ୍କୁଟର କିଣିବାର ଫର୍ମ ବ୍ଲାକରେ ବିକ୍ରି ହେଉଥିଲା! ଆଜି ଆପଣ ସ୍କୁଟର ମୋଟର ସାଇକେଲ କିଣିବେ ବୋଲି କହିଲେ କମ୍ପାନିବାଲା ଆପଣଙ୍କ ଘରେ ଆସି ଦେଇଯିବେ! ଟଙ୍କା ନଥିଲେ ଋଣ ଦେଇ, ଜ୍ବାଇଁ ଆଦରରେ ଗାଡି ଆଣି ଘରେ ଦେଇଯିବେ! 


ଗୋଟିଏ ସମୟଥିଲା ମାଗୁର ମାଛର ଦାମ୍‌ ରୋହି, ମିରିକାଳିଠୁଁ କମ୍‌ ଥିଲା! କୁକୁଡା ମାଂସର ଦାମ୍‌ ଖାସି ମାଂସର ଡବଲ ଥିଲା! ଆତ ଥିଲା ଶସ୍ତା ଆଉ ଆପେଲ ମହଙ୍ଗା! ଏବେ ଅବସ୍ଥା ଠିକ୍ ଓଲଟା! 


ଗୋଟିଏ ସମୟ ଥିଲା, ଶିକ୍ଷକମାନେ କ୍ଲାସରେ ଆସିଲେ ଛାତ୍ରମାନେ ଠିଆ ହେଉଥିଲେ! ବାଟରେ ଶିକ୍ଷକଙ୍କୁ ଦେଖିଲେ କାହା ଘର, ବାଡ଼ିବଗିଚା ଉହାଡରେ ଲୁଚି ଯାଉଥିଲୁ କୋଶେ ଦୂରରୁ! ଏବେ ଶିକ୍ଷକ ଛାତ୍ରଙ୍କ ସିଗାରେଟରେ ନିଆଁ ଲଗାଇ ବାର ଦେଖିଲୁଣି! ଏବେ ସେ ସବୁ ଆଉ ପ୍ରାୟ ନାହିଁ! ଛାତ୍ର ଶିକ୍ଷକ ଦୋସ୍ତ ହେଲେଣି! ସାଙ୍ଗରେ ସିଗାରେଟ୍ ଆଉ କ’ଣ କ’ଣ ଖାଉଛନ୍ତି! 


ଗୋଟିଏ ସମୟ ଥିଲା ଯେତେବେଳେ ପ୍ରେମ କରିବାଟା ଭାରି ସାହସର କାମ ବୋଲି ଗଣ୍ୟ ହେଉଥିଲା! ପ୍ରେମିକ ପ୍ରେମିକା ପରସ୍ପରକୁ ଲମ୍ବା ଲମ୍ବା ଚିଠିସବୁ ଲେଖୁଥିଲେ! ପ୍ରେମ ଚିଠି ଲେଖିବାଟା ଗୋଟିଏ କଳା ଥିଲା! ସେ ଚିଠିକୁ ପୁଣି ସେମାନେ ଡାକ ଜରିଆରେ ପରସ୍ପର ପାଖକୁ ପଠାଉଥିଲେ! ପ୍ରତିଦିନ ଡାକବାଲାକୁ ଚାତକ ଭଳି ଚାହିଁ ରହୁଥିଲେ! ଏବର ଇ-ମେଲ, ଏସ୍‌ଏମ୍‌ଏସ୍‌, ଏମ୍‌ଏମ୍‌ଏସ୍‌ ଯୁଗରେ ଏସବୁ ଗଳ୍ପଭଳି ଲାଗିବ! 


ଗୋଟିଏ ସମୟ ଥିଲା ଯେତେବେଳେ ବାହାଘର ଆଗରୁ ଡିଭୋର୍ସର କଥା ହେଉ ନଥିଲା! ଦୁର୍ନୀତି କରି ଧରା ପଡିଲେ ସମାଜରେ ଭାରି ବଦନାମ ହେଉଥିଲା! 


ଗୋଟିଏ ସମୟ ଥିଲା ଯେତେବେଳେ ପୃଥିବୀଟା ଆଉ ଟିକେ ବେଶୀ ସବୁଜ ଓ କୋଳାହଳମୟ ଥିଲା! 


ସେ ସମୟଟା ଭଲ ଥିଲା କି ଆଜିର ସମୟଟା ଭଲ କହି ପାରିବିନି! ତେବେ "ଏମିତି ଗୋଟେ ସମୟ ଥିଲା"?!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍