Ramakant Rout

Inspirational

4.3  

Ramakant Rout

Inspirational

ମାଆ କୋଳର ଶାନ୍ତି

ମାଆ କୋଳର ଶାନ୍ତି

4 mins
654



ସେଦିନ ମେ' ମାସ ତିନି ତାରିଖ 2014, ଶନିବାର ଥିଲା । ଅଧାଦିନର ଅଫିସ୍ ସାରି ଅପରାହ୍ଣ ଚାରିଟାରେ ଗାଁକୁ ଯିବା ପାଇଁ ନିଶ୍ଚିତ କଲି । ଦିତୀୟ ମହଲାରୁ ଆସି ତଳେ ପହଞ୍ଚିବା ପରେ ପାର୍କିଙ୍ଗରେ ଦେଖିଲି ବାଇକ୍ ପମ୍ପଚର ହୋଇଯାଇଛି । ମେ ମାସର ଖରାବେଳରେ ପମ୍ପଚର ମାରିବାକୁ ହେଲେ ବାଇକ୍ ଗଡେଇ ଗଡେଇ ଅଧା କିଲୋମିଟର ପର୍ଯ୍ୟନ୍ତ ଯିବାକୁ ହେବ । କୌଣସି ଉପାୟ ନପାଇ ପ୍ରବଳ ଖରା ସତ୍ତ୍ବେ ବାଇକ୍ ଗଡାଇ ଗଡାଇ ଭୋଳାଭାଇ ଦୋକାନରେ ପହଞ୍ଚିଲି । ସେତେବେଳକୁ ଦେହ ସାରା ଝାଳରେ ଜୁଡୁବୁଡୁ ହୋଇ ସାରିଥାଏ । ଭୋଳାଭାଇକୁ ପମ୍ପଚର ଲଗେଇବାକୁ କହି ପଡିଥିବା ଚେୟାରରେ ବସିଗଲି । 


ମାଆ ଅନେକଥର ଫୋନ୍ କରି ଘରକୁ ଯିବାକୁ କହୁଥାଏ । ଗାଁ ଠାରୁ ବେଶୀ ଦୂର ନହେଲେ ବି ପ୍ରାୟତଃ ନବେ କିଲୋମିଟର ଦୂର ସହରରେ ମୁଁ ଚାକିରୀ କରୁଥାଏ । ଦୀର୍ଘ ଏକମାସରୁ ଅଧିକ ହେବ ମୁଁ ଗାଁକୁ ଯାଇନାହିଁ । ଏହାର ମୁଖ୍ୟ କାରଣ ଥିଲା, ଖରାଦିନେ ଗାଁରେ ଅକସ୍ମାତ ବର୍ଷା ପବନ ଆସିବା ପରେ ହଠାତ୍ ବିଦ୍ୟୁତ ଚାଲିଯାଏ । ପୁଣି ଆସିବ ଆସିବ ଚାହିଁ ଚାହିଁ ଦିନେ ଦୁଇଦିନ ଲାଗିଯାଏ । ଗୁଳୁଗୁଳି ଏତେ ପରିମାଣରେ ହୁଏ ଯେ ନା ରାତିରେ ଶୋଇ ହୁଏ ନା ଦିନରେ କେଉଁଠି ଶାନ୍ତିରେ ବସିହୁଏ । ସହରର ପାଣିପାଗରେ ଦୀର୍ଘ ଚଉଦ ବର୍ଷ କାଟିବା ପରେ ଦେହସୁହା ହୋଇ ଯାଇଥିଲା ଯେ ଗାଁରେ ବିଦ୍ୟୁତ୍ ନଥିଲେ ଅସହ୍ୟ ଯନ୍ତ୍ରଣା ମୁଁ ଅନୁଭବ କରେ । ବାତ୍ତାନୁକୁଳିତ ଅଫିସ୍ ଓ ତା ସହିତ ବି କମ୍ପାନି ତରଫରୁ ବାତ୍ତାନୁକୂଳିତ ଘର ସହିତ ଅତ୍ୟାଧୁନିକ ସରଞ୍ଜାମର ସମସ୍ତ ପ୍ରକାର ସୁବିଧା ସୁଯୋଗ । ଏତେସବୁ ସୁବିଧା ସୁଯୋଗକୁ ଛାଡି ଦିନେ ଦୁଇଦିନ ପାଇଁ ଗାଁକୁ ଯାଇ ହନ୍ତସନ୍ତ ହେବା ଅପେକ୍ଷା ଏହିଠାରେ ଖରା ଚାରିମାସ କାଟିବା ପାଇଁ ମୁଁ ପ୍ରଥମରୁ ମନେମନେ ସ୍ଥିର କରି ସାରିଥିଲି । 


କିନ୍ତୁ ମାଆ ବାରମ୍ବାର ଫୋନ୍ ସତ୍ତ୍ବେ ବାଧ୍ୟ ହୋଇ ଘରକୁ ଯିବା ପାଇଁ ରାଜି ହୋଇଥିଲି ଯେ ଭାଗ୍ୟକୁ ବାଇକ୍ ଖରାପ । ଝାଳରେ ଜୁଡୁବୁଡୁ ହେବା ପରେ ନିଷ୍ପତ୍ତି ବଦଳିଗଲା । ମାଆ କୁ ମିଛସତ କହିଦେବି ଅଫିସ୍ କାମ ଅଛି, ଯାଇ ପାରିବିନି । କାଲି ମହାପ୍ରଭୁଙ୍କୁ ଦେଖିବା ପାଇଁ ସାଙ୍ଗମାନଙ୍କ ସହିତ ପୁରୀ ଚାଲିଯିବି । ଏମିତି ମନେ ମନେ ଭାବୁଥାଏ । ହଠାତ୍ ମୋର ନଜର ପଡିଲା ଗୋଟେ ଦଶ ବାରବର୍ଷର ଛୋଟପିଲା କିଛି ସମୟ ହେଲା ମୋତେ ଚାହିଁ ରହିଛି । ମୋତେ ଲାଗିଲା ଯେମିତି ସେ ମୋ ସହିତ କିଛି କଥା ହେବାକୁ ଚାହୁଁଛି, କିନ୍ତୁ ଲୋକ ଗହଳିରେ କିଛି କହିପାରୁନି । 


ଭୋଳାଭାଇ ପମ୍ପଚର ଲଗେଇ ସାରିବା ପରେ ମୁଁ ତାଙ୍କ ହାତକୁ ଶହେଟଙ୍କା ବଢାଇଦେଲି ଓ ସେ ଚାଳିଶି ଟଙ୍କା ରଖି ବଳକା ଫେରାଇଲେ । ମୁଁ ବାଇକ୍ ଷ୍ଟାର୍ଟ କରି ଯିବା ପାଇଁ ଉଦ୍ୟତ ହେବା ମାତ୍ରେ ଛୋଟପିଲାଟି ମୋ ପାଖକୁ ଆସି ସଂକୋଚ ହୃଦୟରେ ତଳକୁ ମୁହଁକରି କହିଲା ବାବୁ ଦଶଟଙ୍କା ଦେବେ ? 


ହଠାତ୍ ଦଶଟଙ୍କା ମାଗିବା ଶୁଣି ମୁଁ ପ୍ରଶ୍ନବାଚକ ଚକ୍ଷୁରେ ପିଲାଟିକୁ ଚାହିଁଲି । ସେ କଣ ବୁଝିଲା କେଜାଣି ମୋତେ କହିଲା ବାବୁ ପ୍ରତ୍ୟେକଦିନ ମୁଁ ଗାଁରୁ ବସ୍ ରେ ସହରକୁ କାମ କରିବା ପାଇଁ ଆସେ । ମୁଁ ଜନ୍ମରୁ ବାପାଙ୍କୁ ଦେଖିନାହିଁ । ମାଆ ମୋତେ ପାଳିପୋଷି ବଡ କରିଛି । ଏହି କେତେଦିନ ହେଲା ତାର ଦେହ ଖରାପ ଯେ ମୋତେ ଏଠାକୁ ପ୍ରତ୍ୟେକଦିନ ଆସି କୌଣସି ଚା କିମ୍ବା ଜଳଖିଆ ଦୋକାନରେ କାମକରି ସଂଧ୍ୟାରେ ଘରକୁ ଫେରିଯିବାକୁ ହୁଏ । କିନ୍ତୁ ଆଜି ମୋତେ କାମ ମିଳିଲା ନାହିଁ କି ଘରକୁ ଫେରିବା ପାଇଁ ପଇସାଟେ ନାହିଁ । ମୁଁ ମାଆ ପାଖରେ ରହିଲେ ତାର ଦେହ ଯେତେ ଖରାପ ହୋଇ ଥାଉନା କାହିଁକି ସେ ସୁଖ ଅନୁଭବ କରେ । ମୁଁ କିଛି ନକହି ଚୁପଚାପ୍ ତା ହାତରେ ଦଶଟଙ୍କା ଧରାଇ ଦେଲି ଓ ସେ ମୋତେ ଆଖିରେ ଆଖିରେ କୃତଜ୍ଞତା ଜଣାଇ ଯିବାପାଇଁ ବାହାରିଲା । 


ପୁନଶ୍ଚ ମୁଁ ତାକୁ ପଛରୁ ଡାକି ପଚାରିଲି ଦିନକୁ କେତେ ମଜୁରୀ ?

ସେ କହିଲା ବାବୁ ମୁଁ ଛୋଟ ପିଲାଟିଏ । କିଏ ଅଶୀଟଙ୍କା ତ କିଏ ନବେଟଙ୍କା ଦିଏ । ତାର ଉତ୍ତର ଶୁଣିବା ଭିତରେ ମୁଁ ପର୍ସ ଖୋଲି ସତୁରୀଟଙ୍କା ଦେଇ କହିଲି "ନେଇଯାଆ, ମାଆ ପାଇଁ ଔଷଧ କିଣିନେବୁ ।' 


ପିଲାଟି କହିଲା ନାହିଁ ଭାଇ ମୋର ଆଉକିଛି ପଇସା ର ଆବଶ୍ୟକତା ନାହିଁ । ମଜୁରୀ ମିଳିଲା ନାହିଁ ବୋଲି ଘରକୁ ଯାଇ ମାଆର ସେବା କଲେ ସେ ଟିକିଏ ସୁସ୍ଥ ଅନୁଭବ କରିବ । ଗତକାଲି ମୁଁ ଔଷଧ ନେଇଥିଲି ଓ ଆଜି ସାରାଦିନ ମାଆ ପାଖରେ ରହିବି । ମାଆ କଣ କେବେ ଔଷଧରେ ଭଲ ହୁଅନ୍ତି କି ବାବୁ ? ଏତିକି କହୁ କହୁ ତାର ଆଖିରୁ ଦୁଇବୁନ୍ଦା ଲୁହ ଝରିପଡିଲା । 

ମୁଁ ଆଶ୍ଚର୍ଯ୍ୟ ହୋଇ ତାକୁ ପଚାରିଲି......

"ତୋ ନାଁ କଣ ?'

ଏହା ଭିତରେ ବସ୍ ଆସି ସାରିଥିଲା ଓ ଚଟାପଟ ବସରେ ଚଢି ସାମାନ୍ୟ ହସି କହିଥିଲା "ଗୁଲୁ' । 


ଗୁଲୁ'ର ବସ୍ ମୋ ଆଖି ସାମନାରୁ ଧିରେ ଧୀରେ ଅଦୃଶ୍ୟ ହେଉଥିଲା ଓ ସେ ଫେରାଇଥିବା ସତୁରୀଟଙ୍କା ମୋ ହାତ ମୁଠାରେ ଭିଜି ଯାଉଥିଲା । ସହରର ଗହଳି ପୂର୍ଣ୍ଣ ଭୀଡରେ ଥାଇ ମଧ୍ୟ ମୁଁ ନିଜକୁ ଏକୁଟିଆ ମନେ କରୁଥିଲି ।


କିଛି ଚିନ୍ତା କରିବା ପରେ ବାଇକ୍ କୁ ଘର ମୁହାଁ କରି ଏକା ରାହାରେ ଘରେ ପହଁଞ୍ଚିବା ର ନିଷ୍ପତ୍ତି ନେଲି । ବାଇକ୍ ଷ୍ଟାର୍ଟ କରି କେତେବେଳେ ସହରର ଟ୍ରାଫିକ ପୋଷ୍ଟ ପାରି ହୋଇ ଘଞ୍ଚ ଜଙ୍ଗଲର ଦୁର୍ଗମ ରାସ୍ତା ଦେଇ କେତେବେଳେ ମୁଁ ଘରେ ପହଞ୍ଚିଲି ତାହା ମୋର ସଠିକ୍ ମନେ ନାହିଁ। ବା ମନରେ ଥିଲେ ମଧ୍ୟ "ଗୁଲୁ" ର ସେ କେତୋଟି ପଦ କଥା ମୋ ମନକୁ ମନ ଆନ୍ଦୋଳିତ କରୁଥିଲା ଯାହାକି ମୋ ଦୀର୍ଘ ରାସ୍ତା ର ପଥ ଅପସରି ଯାଇଥିଲା ।


ସୂର୍ଯ୍ୟଦେବ ଅସ୍ତ ହେବା ପୂର୍ବରୁ ଘର ଅଗଣାରେ ପାଦ ରଖିଲି । ଘର ଅଗଣାରେ ମାଆ ଦଉଡିର ଖଟିଆ ଉପରେ ମଥାରେ ଓଦା କପଡା ରଖି ଶୋଇଥିଲେ । ବାପା ଅଲଗା ଅଲଗା ଔଷଧ ଚାମଚ ଚାମଚ କରି ମାଆ'ଙ୍କୁ ପିଆଉଥିଲେ । ମୋତେ ଦେଖିବା ମାତ୍ରେ ମାଆ ତୁରନ୍ତ ଖଟିଆରୁ ଉଠି ବସିଲା ଓ କହିଲା "ଆ ମୋ ଧନ ! ଯାହା ହେଉ ଭଲରେ ଘରେ ପହଞ୍ଚିଗଲୁ । ଏବେ ମୁଁ ସମ୍ପୁର୍ଣ୍ଣ ସୁସ୍ଥ ହୋଇଯିବି । ବାପା କହୁଥିଲେ ତୋ ମାଆ ଦେହ ଦେଢମାସ ହେଲା ଖରାପ ହେଲାଣି । ହେଲେ ତୁ ମାଆ କଥା ଶୁଣି ମନଦୁଃଖ କରିବୁ ବୋଲି ମୋତେ ରାଣ ନିୟମ ପକାଇ ତୋତେ ଜଣାଇବାକୁ ମନା କରୁଥିଲା । ସେଥିପାଇଁ କିଛି ନକହି ମଧ୍ୟ ଦୁଇମାସ ହେଲା ପ୍ରତ୍ୟେକ ଶନିବାର ଘରକୁ ଆସିବାକୁ କହେ, କିନ୍ତୁ ତୁ ଆସୁନା । ଯାହା ହେଉ ଏବେ ତୁ ଆସିଗଲୁ, ତୋ ମାଆ ଦେହ ଭଲ ହୋଇଯିବ ।


ମୁଁ ନିଜ ଆଖି ଲୁହକୁ ସମ୍ଭାଳି ନପାରି ଦୌଡି ଦୌଡି ଯାଇ ମାଆ କୋଳରେ ମଥା ରଖି କାନ୍ଦିଲି । ମାଆ ମୋତେ ନିଜ ଛାତିରେ ଚାପିଧରି ତାର ପଣତ କାନି ଘୋଡାଇ ମୋର ଶୁଭ ମନାସୁଥିଲା । ମାଆ'ର ଛାତିରେ ଚାପି ହୋଇ ମୁଁ ଯେଉଁ ସୁଖ ଅନୁଭବ କଲି ସହର'ର ବାତ୍ତାନୁକୁଳିତ ଘର ଓ ଅତ୍ୟାଧୁନିକ ସୁଖ ସୁବିଧା ଠାରୁ ଅନେକ ଶାନ୍ତି ମିଳିଲା । ପୁରୀ ନଯାଇ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ମୋତେ ମାଆର କୋଳରେ ମିଳି ସାରିଥିଲା । 


କିଛିକ୍ଷଣ ମଧ୍ୟରେ ମାଆ ଠାରୁ ଅଲଗା ହେବା ମାତ୍ରେ ବସ୍'ର ଗେଟ୍ ପାଖରେ ଠିଆ ହୋଇଥିବା ହସ ହସ "ଗୁଲୁ"ର ଚେହେରା ମୋର ମନେ ପଡିଗଲା ଓ ମୁଁ ତାକୁ ମନେମନେ ଧନ୍ୟବାଦ ଦେଉଥିଲି । ଆଜି ମାତ୍ର ଦଶଟଙ୍କା ବଦଳରେ ମାତୃତ୍ବର ମମତା କଣ ଓ ମାଆ କୋଳର ଶାନ୍ତି କେତେ ମୁଁ ବୁଝିପାରିଥିଲି ।



Rate this content
Log in

Similar oriya story from Inspirational