ରମାକାନ୍ତ ରାଉତ

Inspirational

4.5  

ରମାକାନ୍ତ ରାଉତ

Inspirational

ନୂତନତ୍ୱ କିରଣ

ନୂତନତ୍ୱ କିରଣ

10 mins
60



ମୁମ୍ବାଇ ନଗରୀ । ଭାରତବର୍ଷର ସବୁଠାରୁ ବଡ଼ ସହର ଓ ପାଶ୍ଚାତ୍ୟ ଦର୍ଶନ ର ନମୁନା। ହୋଇପାରେ ଦିଲ୍ଲୀ ଭାରତର ରାଜଧାନୀ, କିନ୍ତୁ ମୁମ୍ବାଇ ଭାରତର ବାଣିଜ୍ୟିକ ରାଜଧାନୀ । ଦିଲ୍ଲୀରେ ରାଜନେତା ଓ ହାକିମଙ୍କ ପ୍ରତିପତ୍ତି ମାତ୍ର ମୁମ୍ବାଇରେ ପଇସା କଥା କହେ । ଏଠାରେ କାହାର ଫୁରୁସତ୍‌ ନାହିଁ । ସମସ୍ତେ ସବୁବେଳେ ବ୍ୟସ୍ତ, ବିବ୍ରତ । କାହିଁ ସୁଦୂର ଓଡ଼ିଶାର କେଉଁ ନିପଟ ମଫସଲରେ ତା’ର ଘର । ସେ କ’ଣ କେବେ ଭାବିଥିଲା ମୁମ୍ବାଇକୁ ଆସି ତାକୁ ମଧ୍ୟ ମୁମ୍ବାଇକର ହେବାକୁ ପଡ଼ିବ । ପ୍ରାଇମେରୀ ସ୍କୁଲ ଶିକ୍ଷକ ପିତା ତାକୁ କେତେ କଷ୍ଟରେ ଆଇ .ଆଇ.ଟି ରେ ଇଞ୍ଜିନିୟରିଂ ପାଠ ପଢ଼େଇଥିଲେ। ଚାରୋଟି ଭାଇଭଉଣୀ ମଧ୍ୟରେ ସେ ସବୁଠୁ ବଡ଼ । ସାନବେଳୁ ସେ ଭଲ ପାଠ ପଢ଼ୁଥିଲା- ଶ୍ରେଣୀରେ ସବୁବେଳେ ପ୍ରଥମ ତିନିଜଣଙ୍କ ଭିତରେ ରହୁଥିଲା। ବାପା କହୁଥିଲେ, ‘ବଡ଼ ହେଲେ, କୁନା (ତା’ ଡାକ ନାଁ) ମୋ ନାଁ ରଖିବ। ସାନ ଭାଇ ଭଉଣୀମାନଙ୍କ କଥା ସେ ବୁଝିବ । ରକ୍ଷାବନ୍ଧନ ଓ ଖୁଦୁରୁକୁଣୀ ରେ ଭଉଣୀର ଅଳି ଓ ବୋଉର ଦେବାଦେବୀଙ୍କ ଉପରେ ଅଗାଧ ବିଶ୍ବାସ । ପିଲାଙ୍କ ପାଇଁ କେତେ ବ୍ରତ ଉପବାସ । ପ୍ରଶାନ୍ତ (କୁନା) ଥିଲା ଭାରି ସୁଧାର, ଶାନ୍ତଶିଷ୍ଟ । କେବେହେଲେ ଅଝଟ ହେଉ ନଥିଲା, ଜିଦ୍‌ କରୁ ନଥିଲା । କୃତିତ୍ବର ସହିତ ଇଞ୍ଜିନିୟରିଂ ପାସ୍‌ କରି କ୍ୟାମ୍ପସ୍‌ରେ ତାକୁ ଗୋଟିଏ ବଡ଼ ଆଇ.ଟି. କମ୍ପାନୀରେ ଚାକିରିଟେ ମିଳିଗଲା- ପ୍ରଥମ ପୋଷ୍ଟିଙ୍ଗ୍‌ ମୁମ୍ବାଇରେ । 


ବିରାଟ ହଲ୍‌ଘରେ ଶହ ଶହ କମ୍ପ୍ୟୁଟର । ପ୍ରତ୍ୟେକ କମ୍ପ୍ୟୁଟର ସାମ୍‌ନାରେ ଜଣେ ଯୁବକ ବା ଯୁବତୀ । ହଲ୍‌ଟି ଶୀତତାପ ନିୟନ୍ତ୍ରିତ, ଚବିଶ ଘଣ୍ଟା ଝରକା କବାଟ ବନ୍ଦ । ସମସ୍ତଙ୍କ ଆଖି କମ୍ପ୍ୟୁଟର ପରଦା ଉପରେ ନିବଦ୍ଧ । ସୁଉଚ୍ଚ ଅଟ୍ଟାଳିକାଟିରେ ଏହିପରି ଆହୁରି ଅନେକ ଅନେକ ହଲ୍‌। ସମଗ୍ର ଦେଶରେ କମ୍ପାନୀର ଏପକ୍ରାର ଅନେକ ଅଟ୍ଟାଳିକା। ପ୍ରଶାନ୍ତର ନିଶ୍ବାସ ବନ୍ଦ ହୋଇ ଆସେ। ସେ ଭାବି ବସେ କ’ଣ ଏଇଥିପାଇଁ ସେ ଇଞ୍ଜିନିୟରିଂ ପାଠ ପଢ଼ିଥିଲା ? କିନ୍ତୁ ସେ ଜାଣେ ତା’ର ସହକର୍ମୀମାନେ ଏପରି ଚିନ୍ତା ବା ଭାବନା କରନ୍ତି ନାହିଁ। ସେ ମଧ୍ୟ ସେମାନଙ୍କ ସହିତ ସମୟ ସ୍ରୋତରେ ଭାସିବାକୁ ଲାଗିଲା। କମ୍ପାନୀ ସେମାନଙ୍କୁ ଦାସତ୍ବ ବଦଳରେ ପକେଟ୍‌ରେ ଭରିଦିଏ ପ୍ରଚୁର ଟଙ୍କା। ଅଳ୍ପ ବୟସରେ ଏତେ ଟଙ୍କା ରୋଜଗାର କରିବା ସେମାନେ କଳ୍ପନା ବି କରି ପାରି ନଥିଲେ। 


ମନେ ପଡ଼େ ନିଯୁକ୍ତି ପତ୍ର ଚିଠିଟି ପାଇବାପରେ ଘରକୁ ଦଉଡ଼ି ଯାଇଥିଲା ପ୍ରଶାନ୍ତ। ବାପା ବୋଉ ଏବଂ ପରିବାରର ଅନ୍ୟ ସମସ୍ତେ ଖୁବ୍‌ ଖୁସି ହୋଇଥିଲେ। ଚୁଲି ମୁଣ୍ଡରେ ବସି ରୁଟି ସେକୁ ସେକୁ ବୋଉ ତାକୁ ପଚାରିଲା, ‘ଚାକିରିରେ ତୋତେ କେତେ ଦରମା ମିଳିବ ?’ ଟଙ୍କାର ଅଙ୍କ ଶୁଣି ସେ ଆଶ୍ଚର୍ଯ୍ୟ ହୋଇ କହିଲା, ‘ତୋ ବାପା ଏତେ ଦିନ ଚାକିରି କରି ଯେତେ ଦରମା ପାଉଛନ୍ତି ତୁ’ତ ଆରମ୍ଭରେ ତା’ଠାରୁ ଅଧିକ ପାଇବୁ। ’ ବୋଉର କଣ୍ଠସ୍ବରରେ କ’ଣ ଏକ ପ୍ରଚ୍ଛନ୍ନ ଈର୍ଷାର ଗନ୍ଧ ଥିଲା ? ହୁଏତ ନୁହେଁ। 


ପ୍ରଥମେ ପ୍ରଥମେ ମୁମ୍ବାଇ ସହର ତାକୁ ବହୁତ ଭଲ ଲାଗୁଥିଲା। ଅଫିସ୍‌ରେ ଦଶ-ବାର ଘଣ୍ଟାର କଠିନ ପରିଶ୍ରମ। ରାତିରେ ଟ୍ରେନ୍‌ ଧରି ୩୦/୪୦ କି.ମି. ଯାତ୍ରାପରେ ଗୋଟିଏ ଅନ୍ଧାରୁଆ ପବନ ପଶିପାରୁ ନଥିବା ରୁମ୍‌ରେ ଆଉ ଜଣେ ସହକର୍ମୀ ସହ ମିଶି ରହିବା। ଖାଇବା ପିଇବାରେ ଅସୁବିଧା। କିନ୍ତୁ ଗୋଟିଏ ନୂତନ ଆଶା ଓ ଉତ୍ସାହରେ ମନ ସର୍ବଦା ଭରି ରହିଥିଲା। ଅନ୍ୟମାନଙ୍କ ପରି ସେ ମଧ୍ୟ ବାରମ୍ବାର ଟଙ୍କା ପଇସାର ହିସାବ କରି ସନ୍ତୋଷ ଲାଭ କରିବାକୁ ଆରମ୍ଭ କଲା। ଆଖ ପାଖ ଦଶଖଣ୍ଡ ଗାଁର କେହି ହେଲେ ଏତେ ରୋଜଗାର କରୁ ନଥିଲେ। ତା’ର ପାରିଶ୍ରମିକ (କଷ୍ଟ୍‌-ଟୁ-କମ୍ପାନୀ) ସହପାଠୀମାନଙ୍କଠାରୁ ଅଧିକ ଥିଲା। 


ମାତ୍ର ଧିରେ ଧିରେ ସେ ନିଜ ଭିତରେ ଗୋଟାଏ ଶୂନ୍ୟତାକୁ ଆବିଷ୍କାର କଲା। ତା’ ସହିତ ପେୟିଂଗେଷ୍ଟ୍‌ ରହୁଥିବା ସହକର୍ମୀ ବର୍ମା ମଧ୍ୟ ସେଇ ସମାନ ପରିସ୍ଥିତି ଦେଇ ଗତି କରୁଥିଲା। ତେବେ ସେ ଲକ୍ଷ୍ୟ କଲା ବର୍ମା କ୍ରମଶଃ ତା’ଠାରୁ ଦୂରକୁ ଚାଲି ଯାଉଛି। ପ୍ରଥମେ ଅଫିସ ବାହାରେ ସେମାନେ ସବୁକାମ ଏକାଠି କରୁଥିଲେ ଶନିବାର, ରବିବାର ଅଫିସ୍‌ ଛୁଟି। ବୁଲି ବୁଲି ସେମାନେ ରେଷ୍ଟୁରେଣ୍ଟ୍‌ରେ ଖାଉଥିଲେ, ସିନେମା ଦେଖୁଥିଲେ ଏବଂ ସମୁଦ୍ର କୂଳରେ ସମୟ ବିତାଉଥିଲେ। ଏବେ କିନ୍ତୁ ବର୍ମା ଜଣେ ବାନ୍ଧବୀ ଜୁଟାଇ ସାରିଲାଣି। ଝିଅଟି ସେମାନଙ୍କ ଅଫିସ୍‌ର ଜଣେ ସହକର୍ମୀ। ସେ ବି ଦେଶର ଅନ୍ୟ ଗୋଟିଏ ପ୍ରଦେଶରୁ ମୁମ୍ବାଇକୁ ଚାକିରି କରିବା ପାଇଁ ଆସିଥିଲା। ହୁଏତ ସେମାନଙ୍କ ପରି ହିଁ ନିଃସଙ୍ଗତାର ଶିକାର ହୋଇଥିଲା। ବର୍ମା ଏବଂ ତା’ର ବାନ୍ଧବୀ କବିତା ଏକାସାଙ୍ଗେ ରହିବା ପାଇଁ ସ୍ଥିର କଲେ। 


ବର୍ମା ତାକୁ କହିଲା, ‘ଏତେ ବଡ଼ ସହରରେ ଏକୁଟିଆ ରହିବା ବଡ଼ କଷ୍ଟକର। ତୁ ବି ଭଲ ଝିଅଟିଏ ଖୋଜିନେ। ତୁ କହିଲେ ମୁଁ କବିତାକୁ ଏ ବିଷୟରେ କହିବି। ’ ଏକଥା ଶୁଣି ପ୍ରଶାନ୍ତ ଆଶ୍ଚର୍ଯ୍ୟ ହୋଇଗଲା। 


ପାଶ୍ଚାତ୍ୟ ଦୁନିଆରୁ ନୂଆ ହୋଇ ଆମଦାନୀ ହୋଇଥିବା ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ କଥା ସେ ଯେ ଶୁଣିବାକୁ ପାଇ ନଥିଲା, ସେ କଥା ନୁହେଁ। କିନ୍ତୁ ତାହା ଯେ ତା’ର ନିଜ ଜୀବନ ଭିତରକୁ ଅଚାନକ ଏପରି ପଶିଆସିବ ସେ ସ୍ବପ୍ନରେ ବି ଭାବି ପାରି ନଥିଲା। ତା’ର ରକ୍ଷଣଶୀଳ ମନ ଏହାକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନଥିଲା। ସେ ଶୁଣିଥିଲା ଯେ ବିଟ୍‌ ଜେନେରେସନ, ହିପ୍ପି ଆନ୍ଦୋଳନ ଏବଂ ଭିଏତ୍‌ନାମ ଯୁଦ୍ଧ ଯାବତୀୟ ବାଧା ଓ ନିଷେଧର ପାଚେରୀ ଭାଙ୍ଗି ପାଶ୍ଚାତ୍ୟ ସମାଜର ମୂଳଦୁଆକୁ ଦୋହଲାଇ ଦେଇଥିଲା। ଫଳରେ ହଜାର ହଜାର ବର୍ଷ ଧରି ଚାଲି ଆସୁଥିବା ବିବାହ ଅନୁଷ୍ଠାନଟି ତା’ର ପ୍ରତିଷ୍ଠା ଅନେକାଂଶରେ ହରେଇ ସାରିଥିଲା। ଲିଭ୍‌-ଇନ୍‌ ଏବଂ ସମଲିଙ୍ଗୀ ବିବାହ ସମାଜର ମୁଖ୍ୟଧାରାକୁ ପ୍ରବେଶ କଲା।


କିଛି ଦିନ ପରେ କବିତା ତା’ର ବାନ୍ଧବୀ ନେହା ସହିତ ପ୍ରଶାନ୍ତର ପରିଚୟ କରାଇଦେଲା। ନେହା ସୁନ୍ଦରୀ, ଗୋରୀ, ଡେଙ୍ଗୀ ଝିଅଟିଏ। ଚେହେରା ବେଶ୍‌ ଲୋଭନୀୟ। ବୟସ ତା’ରି ପାଖାପାଖି। ସେ ଅନ୍ୟ ଏକ ବହୁରାଷ୍ଟ୍ରୀୟ ଅଫିସ୍‌ରେ କାମ କରେ। ତା’ରି ଭଳି ଇଞ୍ଜିନିୟର।


ପ୍ରଶାନ୍ତର ମନ ଚଞ୍ଚଳ ହୋଇ ଉଠିଲା। କେବଳ ମା’ ଓ ନିଜ ନିକଟ ସମ୍ପର୍କୀୟାଙ୍କୁ ଛାଡ଼ିଦେଲେ ସେ ଏ ପର୍ଯ୍ୟନ୍ତ କୌଣସି ସ୍ତ୍ରୀ ଲୋକର ଅନ୍ତରଙ୍ଗ ସମ୍ପର୍କରେ ଆସି ନଥିଲା। ଏ ଏକ ନୂତନ ଅଭିଜ୍ଞତା-ବେଶ୍‌ ଚମକପ୍ରଦ ଓ ଆନନ୍ଦଦାୟକ। ସଂସାର ଜାଲରେ ଗୋଡ଼ ନ ପକେଇ ବଞ୍ଚିଯିବାର ବିଦ୍ୟାଟି ଏ ନବ ଯୁବକକୁ ଜଣା ନଥିଲା।


ନେହା ସହିତ ତା’ର ସମ୍ପର୍କ ଦ୍ରୁତଗତିରେ ନିକଟତର ହେବାକୁ ଲାଗିଲା। ଅଫିସ୍‌ରେ ସେ ଘଣ୍ଟା କଣ୍ଟାକୁ ଚାହିଁ ବସିଥାଏ- କେତେବେଳେ କାମ ସରିବ ଏବଂ ନେହା ସହିତ ତା’ର ସାକ୍ଷାତ୍‌ ହେବ। କିନ୍ତୁ ମନ ଭିତରେ ଥିବା ଦ୍ବନ୍ଦଟିର ଶେଷ ହୋଇ ନଥାଏ। ଏ ଦିଗରେ ନେହା ବେଶ୍‌ ଖୋଲାମେଲା ସ୍ବଭାବର। ଏକ ଶିକ୍ଷିତ, ଆଭିଜାତ୍ୟ, ଉଦାର ଏବଂ ମୁକ୍ତ ପଞ୍ଜାବୀ ପରିବାରରେ ତା’ର ଜନ୍ମ। ଆଧୁନିକ ରୀତିନୀତିକୁ ସେ ସହଜ ମନରେ ଗ୍ରହଣ କରିନେଇ ପାରେ। ଦିନେ ଜୁହୁ ବିଚ୍‌ରେ ବୁଲୁ ବୁଲୁ ନେହା ତାକୁ ଏକତ୍ର ରହିବାର ପ୍ରସ୍ତାବ ଦେଲା। ‘ଆମେ ଦୁଇ ବନ୍ଧୁ ସାଙ୍ଗ ରହିଲେ ଖର୍ଚ୍ଚ କମିଯିବ, ପରସ୍ପରର ନିକଟତର ହୋଇପାରିବା ଏବଂ ପ୍ରତ୍ୟେକ ଦିନର ଟ୍ୟାକ୍ସି-ଅଟୋ ଖର୍ଚ୍ଚରୁ ମଧ୍ୟ ରକ୍ଷା ମିଳିଯିବ। 


’ପ୍ରଶାନ୍ତର ଏହି ଲକ୍ଷ୍ୟକୁ ହିଁ ଭୟଥାଏ। ସେ କହିଲା, ‘ନେହା ଆସ ଆମେ ବାହା ହୋଇ ପଡ଼ିବା। ତାହା ହେଲେ ଆମର ସମସ୍ତ ସମସ୍ୟାର ସମାଧାନ ହୋଇଯିବ। 


‘ବାହା ହେବା ପାଇଁ ଏତେ ବ୍ୟସ୍ତ କାହିଁକି ? ଆମେ ତ ପରସ୍ପରକୁ ଭଲ ଭାବରେ ଜାଣି ମଧ୍ୟ ନାହୁଁ। ’ ପ୍ରଶାନ୍ତ କ’ଣ କରିବ ତାହା ଭାବି ପାରୁ ନଥାଏ। ସୁନ୍ଦରୀ ନେହାକୁ ଛାଡ଼ି ବଞ୍ଚିବା ତା’ ପକ୍ଷରେ ସମ୍ଭବ ନୁହେଁ। ନାଲି ଟପ୍‌ ଏବଂ ଟାଇଟ୍‌ ଜିନ୍‌ ପିନ୍ଧି ନେହା ଆଜି ଆହୁରି ଆକର୍ଷଣୀୟ ଦିଶୁଥାଏ। ବୋଧହୁଏ ସେ ଆଜି ଏଇ ପ୍ରସ୍ତାବ ପକାଇବା ପାଇଁ ସଜ ହୋଇ ଆସିଥାଏ। କିନ୍ତୁ ଏକ ଅବିବାହିତ ଯୁବତୀ ସହ ଗୋଟିଏ ଘରେ ରହିବା ପ୍ରଶାନ୍ତର ସମସ୍ତ ସଂସ୍କାର ବିରୋଧୀ। 

ନେହା ମୁଁ ସୁଦୂର ଓଡ଼ିଶାର ଏକ ନିପଟ ମଫସଲରେ ବଢ଼ିଥିବା ଗୋଟିଏ ଯୁବକ। ଲିଭ୍‌-ଇନ୍‌ ଭଳି ବୈପ୍ଳବିକ ଚିନ୍ତାଧାରାକୁ ମୋର ବାପା ମା’ କେବେ ବି ଗ୍ରହଣ କରିବେ ନାହିଁ।


ନେହା ଭାବିଲା ପ୍ରଶାନ୍ତ ବୋଧହୁଏ ଲିଭ୍‌-ଇନ୍‌ ବିଷୟରେ ଭଲଭାବରେ ଜାଣି ନାହିଁ ଏବଂ କେତେକ ଭୁଲ୍‌ ଧାରଣାର ବଶବର୍ତ୍ତୀ ହୋଇଛି। ସେ ତାକୁ ବୁଝାଇ କହିଲା ଯେ, ସମାଜର ଅଗ୍ରଗତି ସହିତ ତାଳ ଦେଇ ଚାଲିବାକୁ ପଡ଼ିବ। ଉନ୍ନତ ଜୀବନଯାପନ କରିବା ପାଇଁ ପୁରାତନ ପ୍ରଥା ସବୁ ଛାଡ଼ିବା ଜରୁରି। ଏ ଯୁଗରେ ବିବାହ ଆଉ ଅନ୍ଧାରରେ ବାଡ଼ିବୁଲା ନୁହଁ। ବିବାହ ପୂର୍ବରୁ ସ୍ବାମୀ-ସ୍ତ୍ରୀ ପରସ୍ପରକୁ ଭଲଭାବରେ ଜାଣିବା ନିହାତି ଦରକାର। ଏକ ସଙ୍ଗରେ ନ ରହିଲେ ଜୀବନସଙ୍ଗୀକୁ ଜାଣିବା କେମିତି ? ବିବାହ ପରେ ଏଇ ପରୀକ୍ଷାନିରୀକ୍ଷା ଆରମ୍ଭ କରିବାର କୌଣସି ମାନେ ନ ଥାଏ।


ଯଦି ଜଣେ କାର୍‌ଟିଏ କିଣିବା ପୂର୍ବରୁ ଟେଷ୍ଟ-ଡ୍ରାଇଭରେ ଯାଇଥାଏ, ତେବେ ବିବାହ ଭଳି ଅତି ଗୁରୁତ୍ବପୂର୍ଣ୍ଣ ବିଷୟରେ କ’ଣ ଏହା ଆହୁରି ଅଧିକ ଆବଶ୍ୟକ ନୁହଁ ? ବିବାହ-ବିଚ୍ଛେଦଠାରୁ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ କ’ଣ ଭଲ ନୁହେଁ। ଏବେ ଅଭିନେତ୍ରି ରିୟା ଓ ସୁଶାନ୍ତ ସିଂ ରାଜପୁତ ମାମଲାରେ ସୁପ୍ରିମକୋର୍ଟ ମଧ୍ୟ ମତ ଦେଇଛି ଯେ, ଯଦି ଜଣେ ପୁରୁଷ ଏବଂ ସ୍ତ୍ରୀ ଏକତ୍ର ବାସ କରନ୍ତି ତାକୁ ଅପରାଧ ବୋଲି ଧରାଯିବ ନାହିଁ।


ଏତେଗୁଡ଼ିଏ କଥା କହିବା ପରେ ନେହା ଟିକିଏ ଦମ୍‌ ନେଲା। ପ୍ରଶାନ୍ତ କହିଲା, ‘ନେହା ତୁମେ ଯାହା କୁହ ପଛେ ବିବାହ ଏକ ପବିତ୍ର ସମ୍ପର୍କ। ଜଣେ ଅବିବାହିତ ଝିଅ, ଆଉ ଜଣେ ପୁରୁଷ ସହିତ ଶାରୀରିକ ସମ୍ପର୍କ ରଖିବା ପାପ। ’


ଏହାର ଉତ୍ତର ଯେପରି ନେହା ଭାବି ରଖିଥିଲା। ‘ସ୍ତ୍ରୀ ଲୋକର ଶରୀର କ’ଣ ଏତେ ଭଙ୍ଗୁର ଯେ, ଥରେ ଜଣେ ପୁରୁଷ ଛୁଇଁ ଦେଲେ ଅଇଁଠା (ଅପବିତ୍ର) ହୋଇଯିବ ? ସେମିତି ହେଲେ ବାହା ହୋଇଥିବା ବର କୁ ବି ଛୁଇଁ ଦେଲେ ଅପବିତ୍ର ହେବା କଥା। ସେ ମଧ୍ୟ ଗୋଟିଏ ପୁରୁଷ ଲୋକ। ଏଇ ସବୁ ନିୟମ-କାନୁନ୍‌ ସମାଜର ବଡ଼ପଣ୍ଡାଙ୍କ ଦ୍ବାରା ତିଆରି। ଅର୍ଦ୍ଧେକ ମାନବ ସମାଜକୁ ପଦାନତ କରି ରଖିବା ତାହାର ଉଦ୍ଦେଶ୍ୟ। ସେଥିରେ ପାପ-ପୂଣ୍ୟ, ନ୍ୟାୟ-ଅନ୍ୟାୟ ସମ୍ପର୍କ କାହିଁ ? ଏକ ନୂତନ, ମୁକ୍ତ, ସୁଖୀ ଓ ସତେଜ ସମାଜ ସୃଷ୍ଟି କରିବା ପାଇଁ ସମସ୍ତ ଶୃଙ୍ଖଳାକୁ ଭାଙ୍ଗିବାକୁ ପଡ଼ିବ, ଅନ୍ୟ ରାସ୍ତା ନାହିଁ। ପ୍ରଶାନ୍ତ, ତୁମେ ଏସବୁ କଥା ଭଲ ଭାବରେ ଚିନ୍ତା କରି ମୋତେ ତୁମର ଉତ୍ତର ଦେବ। ’


ନାନା କଥା ଚିନ୍ତା କରୁ କରୁ ପ୍ରଶାନ୍ତ ସେ ଦିନ ରାତିରେ ଶୋଇ ପାରିଲା ନାହିଁ। ନେହାର ସୁନ୍ଦର ମୁଖମଣ୍ଡଳ ଏବଂ ପରେ ପରେ ବାପା, ମା’, ଭାଇ, ଭଉଣୀର ନିରୀହ, ଅସହାୟ ମୁହଁଗୁଡ଼ିକ ତା’ର ଆଖି ଆଗରେ ଘୁରିବାକୁ ଲାଗିଲା। କାହାକୁ ଛାଡ଼ି କାହାକୁ ଧରିବ ?

ତା’ପର ଦିନ ଦୁଇଟି ଘଟଣା ଘଟିଲା। କବିତା ଏବଂ ବର୍ମାର ସମ୍ପର୍କ ହଠାତ୍‌ ଭାଙ୍ଗିଗଲା। ପ୍ରଶାନ୍ତ ପରି ବର୍ମାର ଅନ୍ୟ ଘନିଷ୍ଠ ବନ୍ଧୁମାନେ ବି ଏ ବିଷୟରେ କିଛି ମାତ୍ର ଆଭାସ ପାଇ ନଥିଲେ। ବାହାରକୁ ବର୍ମା ଓ କବିତାର ସମ୍ପର୍କ ଅତି ଗଭୀର ଓ ସ୍ଥାୟୀ ଜଣା ପଡ଼ୁଥିଲେ ବି ମୂଳଦୁଆ ଦୁର୍ବଳ ଥିଲା।


ହୋଇପାରେ ଭଙ୍ଗୁରତା ଲିଭ-ଇନ୍‌-ରିଲେସନ୍‌ସିପ୍‌ର ଏକ ଅନ୍ତର୍ନିହିତ ଦୁର୍ବଳତା। ଗୋଟିଏ ପାର୍ଟନର୍‌କୁ ଛାଡ଼ି ଅନ୍ୟ ଜଣେ ପାର୍ଟନର୍‌କୁ ବାଛିବାର ସ୍ବାଧୀନତା ଦୀର୍ଘସ୍ଥାୟୀ ସମ୍ପର୍କରେ ବାଧକ ହୋଇ ଛିଡ଼ା ହୁଏ। ଶୁଣାଗଲା କବିତା ତା’ର ବସ୍‌ ସହିତ ଆମେରିକା ଯାଉଛି, ଛଅ ମାସ ପାଇଁ। ଏଇ ଘଟଣାଟି ଉଭୟ ପ୍ରଶାନ୍ତ ଏବଂ ନେହାର ମନରେ ଗଭୀର ରେଖାପାତ କଲା।


ଦ୍ବିତୀୟ ଘଟଣା ବିଷୟରେ ପ୍ରଶାନ୍ତ ଅବଗତ ହେଲା ତା’ ଘରୁ ଆସିଥିବା ଚିଠିଟିକୁ। ବାପା ଲେଖିଥିବା ଚିଠିରେ ପ୍ରଶାନ୍ତର ଗାଁରେ ରହୁଥିବା ପିଲାବେଳ ସାଙ୍ଗ ମନୁର ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଖବରଟି ଥିଲା। ଗାଁ ପାଖ ଛୋଟ ସହରର ସରକାରୀ ଡାକ୍ତରଖାନାରେ ସାପକାମୁଡ଼ା ଇଞ୍ଜେକ୍ସନ୍‌ ମିଳେ ନାହିଁ। ବାଧ୍ୟ ହୋଇ ସାପକାମୁଡ଼ା ରୋଗୀମାନେ ଯାଆନ୍ତି ଗୁଣିଆ ପାଖକୁ। ପ୍ରତି ବର୍ଷ ସେହି ଅଞ୍ଚଳର ତିନି/ଚାରି ଜଣ ଲୋକଙ୍କ ମୃତ୍ୟୁ ହୁଏ ସାପ କାମୁଡାରେ।


ଖବରଟି ପଢ଼ି ପ୍ରଶାନ୍ତକୁ ଯେତିକି ଦୁଃଖ ଲାଗିଲା ତାଠୁ ବେଶି ମନରେ କ୍ରୋଧ ଜାତ ହେଲା। ସ୍ବାଧୀନତାର ଷାଠିଏ ବର୍ଷ ପରେ ମଧ୍ୟ ଗାଁ ଗହଳିରେ ନା ଅଛି ଭଲ ରାସ୍ତା, ସ୍କୁଲ୍‌ ବା ଡାକ୍ତରଖାନା। ତାରି ଭଳି ଯୁବକମାନେ ନିଜର ସଂକୀର୍ଣ୍ଣ ସ୍ବାର୍ଥପାଇଁ ସହର ଅଭିମୁଖୀ। ଗ୍ରାମାଞ୍ଚଳର ଦୁର୍ଗତି ପାଇଁ ରାଜନେତା ଓ ସରକାରୀ କଳ ଯେତିକି ଦାୟୀ, ସେ ଏବଂ ତା’ ଭଳି ଯୁବକମାନେ ତା’ଠାରୁ ଅଧିକ ଦାୟୀ।


ବାପାଙ୍କ ଚିଠି ସହିତ ଆସିଥିବା ମା’ର ଛୋଟ ଚିଠିଟିରେ ଘରର ବିଭିନ୍ନ କଥା ସହିତ-କାଳି ଗାଈର ସୁନ୍ଦର ବାଛୁରୀଟିଏ ହୋଇଛି-କିପରି ତା’ର ସାନ ଭାଇ ଭଉଣୀମାନଙ୍କର ପଢ଼ା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବଢ଼ି ଯାଇଛି ଏବଂ ବାପାଙ୍କ ସ୍ବଳ୍ପ ବେତନକୁ ତାକୁ ମେଣ୍ଟେଇବା ସମ୍ଭବ ହେଉ ନାହିଁ ଲେଖାଥିଲା, ଆବଡ଼ା-ଖାବଡ଼ା ଅକ୍ଷରରେ।


ନେହା ସହିତ ବନ୍ଧୁତା ହେବାପରେ ତା’ର ଖର୍ଚ୍ଚ ବେଶ୍‌ ବଢ଼ି ଯାଇଥିଲା ଏବଂ ଗତ ଦୁଇମାସ ସେ ଘରକୁ ଟଙ୍କା ପଠେଇ ପାରି ନଥିଲା। ସହରରେ ପଇସା ଖର୍ଚ୍ଚ କରିବା ଅତି ସହଜ ଏବଂ କଷ୍ଟ୍‌-ଟୁ-କମ୍ପାନି ଓ ହାତକୁ ଆସୁଥିବା ଦରମା ଭିତରେ ବହୁତ ପାର୍ଥକ୍ୟ। ସେ ମନେ ମନେ ଲଜ୍ଜିତ ହୋଇ ପଡ଼ିଲା। ମଣିଷ ଅବସ୍ଥାଚକ୍ରର ଦାସ। ଗତକାଲିର ପ୍ରତିଶ୍ରୁତି ମଣିଷ ଆଜି ଭୁଲିଯାଏ।


ପ୍ରଶାନ୍ତ ଅଫିସ୍‌ ନ ଯାଇ ଘରେ ବସି ଚିନ୍ତା କରିବାକୁ ଲାଗିଲା। ତା’ର ମନେ ହେଲା ତା’ ଜୀବନର କିଛି ମାନେ ନାହିଁ। କେତୋଟି ମୁଦ୍ରା ବଦଳରେ ସେ ତା’ର ଆତ୍ମାକୁ ସୈତାନ ପାଖରେ ବିକି ଦେଇଛି। ସେ ଗୋଟିଏ ମେସିନ୍‌ ହୋଇ ଯାଇଛି। ତା’ ଚାରିପଟରେ ଅନ୍ୟମାନେ-ସ୍ତ୍ରୀ-ପୁରୁଷ ନିର୍ବିଶେଷରେ-ଗୋଟିଏ ଗୋଟିଏ ମେସିନ୍‌। ସେମାନଙ୍କ ଓ ତା’ ଭିତରେ ସେପରି କିଛି ପାର୍ଥକ୍ୟ ନାହିଁ। ଏ ପ୍ରକାର ଜୀବନ ସେ ଚାହେଁ ନାହିଁ। ଏଥିରୁ କ’ଣ ତା’ର ମୁକ୍ତି ନାହିଁ ?


କଲେଜ୍‌ରେ ତା’ଠାରୁ କିଛି ବର୍ଷ ଉପରେ ପଢ଼ୁଥିବା ଅମିତ୍‌ ଇଞ୍ଜିନିୟରିଂ ପାସ୍‌ କଲାପରେ ଆହମଦାବାଦ ଆଇ.ଆଇ.ଏମ୍‌.ରୁ ଏମ୍‌.ବି.ଏ. କଲା। କ୍ୟାମ୍ପସ୍‌ରେ ବଡ଼ ଚାକିରିଟିଏ ପାଇଲା। ବିଦେଶରେ ପୋଷ୍ଟିଂ-ଦରମା ଡଲାରରେ। କିନ୍ତୁ ଏପରି ଲୋଭନୀୟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସେ ଦରିଦ୍ର ଓଡ଼ିଶାର ଅତି ଦରିଦ୍ର କଳାହାଣ୍ଡି ଜିଲ୍ଲାରେ କାମ କରୁଥିବା ଏକ ସ୍ବେଚ୍ଛାସେବୀ ସଂସ୍ଥାରେ ଯୋଗ ଦେଇଛି।


ପ୍ରଶାନ୍ତର କଲେଜ୍‌ ବନ୍ଧୁମାନେ ଅମିତ୍‌ର ଏଇ ଅଦ୍‌ଭୂତ ଆଚରଣକୁ ବିଦ୍ରୁପ କରିଥିଲେ। କିନ୍ତୁ ଆଜି ପ୍ରଶାନ୍ତର ମନରେ ଅମିତ୍‌ ପାଇଁ ବହୁତ ଆଦର ଓ ସମ୍ମାନ। ଚିରାଚରିତ ବାଟକୁ ଛାଡ଼ି ଏକ ସମ୍ପୂର୍ଣ୍ଣ ନୂଆ ବାଟରେ ଯିବାପାଇଁ ସାହସ ଖୁବ୍‌ କମ୍‌ ଲୋକଙ୍କର ଥାଏ। କେବଳ ସେଇ ଲୋକମାନେ ହିଁ ସମାଜରେ ନୂତନ ଆଲୋକର ସଞ୍ଚାର କରିଥାନ୍ତି।


ପ୍ରଶାନ୍ତର ମଧ୍ୟ ମନେ ପଡ଼ିଲା ସେମାନଙ୍କ ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ଦେଇଥିବା ଚିର ଯୁବକ ଭାରତର ପୂର୍ବତନ ରାଷ୍ଟ୍ରପତି, ମହାନ ଦେଶପ୍ରେମୀ ଅବ୍‌ଦୁଲ କାଲାମଙ୍କ ଛାତ୍ରମାନଙ୍କୁ ଦେଶ ଗଠନ କାର୍ଯ୍ୟରେ ଯୋଗଦେବା ପାଇଁ ଆହ୍ବାନ। ନିଜର କ୍ଷୁଦ୍ର ସ୍ବାର୍ଥକୁ ତ୍ୟାଗ କରି ଅମିତ୍‌ ଆଗେଇ ଆସିଛି। ଅମିତ୍‌ ଯାହା କରି ପାରିଛି ସେ କ’ଣ ତାହା କରିପାରିବ ନାହିଁ ? ପ୍ରଶାନ୍ତର ଜନ୍ମ କଳାହାଣ୍ଡି ଜିଲ୍ଲାରେ, ଅମିତ ବାହାର ରାଜ୍ୟର ପିଲା। ସେ ଅମିତ୍‌କୁ ଗୋଟାଏ ଇ-ମେଲ୍‌ ପଠାଇଲା।


ଚାକିରିରୁ ଇସ୍ତଫା ଦେଇ ମୁମ୍ବାଇରେ ପ୍ରଶାନ୍ତ ତା’ର ଶେଷ କାମଟିରେ ହାତଦେଲା- ତାହା ଥିଲା ନେହାକୁ ଏକ ଚିଠି। ନେହାକୁ ସେଲ୍‌ଫୋନରେ ବା ସାକ୍ଷାତ୍‌କରି ସେ ବିଦାୟ ମାଗି ପାରିଥାନ୍ତା। କିନ୍ତୁ ତାହା କରିବା ପାଇଁ ସେ ସାହସ ସଞ୍ଚୟ କରିପାରିଲା ନାହିଁ। ତା’ର ମନେହେଲା ନେହାର ମୁହାଁମୁହିଁ ହେଲେ ସେ ଆଉ ମୁମ୍ବାଇ ଛାଡ଼ି ପାରିବ ନାହିଁ। ସେ ଭାରାକ୍ରାନ୍ତ ହୃଦୟରେ ନେହାକୁ ଚିଠିଟି ଲେଖିବାକୁ ଆରମ୍ଭ କଲା।


ପ୍ରିୟ ନେହା,

ସେଲ୍‌ଫୋନ୍‌ ଯୁଗରେ ତୁମେ ମୋଠାରୁ ଚିଠିଟିଏ ପାଇ ନିଶ୍ଚୟ ଆଶ୍ଚର୍ଯ୍ୟାନ୍ବିତ ହେଉଥିବ। କିନ୍ତୁ ମୋ ପାଖରେ ଅନ୍ୟ ଉପାୟ ନଥିଲା। ତୁମର ସୁନ୍ଦର ମୁଖମଣ୍ଡଳ ଓ ଓଠର ହସରେ ଅଛି ଏକ ସମ୍ମୋହନ ଶକ୍ତି ଯାହା ମୋର କଣ୍ଠର ଭାଷାକୁ ରୁଦ୍ଧ କରିଦିଏ। ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ ସପକ୍ଷରେ ତୁମର ସୁଚିନ୍ତିତ ମତକୁ ମୁଁ ଶ୍ରଦ୍ଧା ଓ ଗୁରୁତ୍ବର ସହିତ ଶୁଣିଛି ଏବଂ ବହୁତ ସମୟ ଧରି ଚିନ୍ତା ମଧ୍ୟ କରିଛି। କିନ୍ତୁ ବିବାହ ଅନୁଷ୍ଠାନ, ବିଶେଷତଃ ହିନ୍ଦୁ ବିବାହର ସ୍ଥାନ, ତୁମର ସବୁ ଯୁକ୍ତି ଊର୍ଦ୍ଧ୍ବରେ ବୋଲି ମୋର ବିଶ୍ବାସ। ବିବାହ କେବଳ ଦୁଇଟି ସ୍ଥୂଳ ଶରୀରର ସଂଯୋଗ ନୁହେଁ, ଏହା ଦୁଇ ଆତ୍ମାର ମିଳନ। ଏଇ ସମ୍ପର୍କ ଗୋଟାଏ ଜନ୍ମର ନୁହେଁ, ପରନ୍ତୁ ଜନ୍ମ-ଜନ୍ମାନ୍ତରର। କୌଣସି ହିନ୍ଦୁ ଧାର୍ମିକ ଅନୁଷ୍ଠାନ ସ୍ତ୍ରୀ ବ୍ୟତିରକେ ପାଳିତ ହୋଇପାରେ ନାହିଁ। ସ୍ତ୍ରୀ-ପୁରୁଷର ବିବାହ ଏକ ଆଧ୍ୟାତ୍ମିକ ଯାତ୍ରା ଏବଂ ଏହାର ଗନ୍ତବ୍ୟସ୍ଥଳ ଈଶ୍ବର ସହିତ ମିଳନ। ହିନ୍ଦୁ ଆଧ୍ୟାତ୍ମିକ ଶାସ୍ତ୍ର ସ୍ତ୍ରୀ ଓ ପୁରୁଷକୁ ସମାନ ଚକ୍ଷୁରେ ଦେଖେ (ଆଜିର କ୍ଷୟିଷ୍ଣୁ ସମାଜର କଥା ଯଦିଓ ଅଲଗା)। ସେଇଥିପାଇଁ ଶିବ ପାର୍ବତୀଙ୍କୁ କହିଛନ୍ତି- ‘ମୋର ଅର୍ଦ୍ଧେକ ଶରୀର ସୃଷ୍ଟି ତୁମର ଅର୍ଦ୍ଧେକ ଶରୀରରୁ ହୋଇଛି। ’ ଏଇ କାରଣରୁ ସ୍ତ୍ରୀ ପୁରୁଷର ଅର୍ଦ୍ଧାଙ୍ଗୀନୀ। ଉଭୟ ମିଳିତ ଭାବରେ ଧର୍ମ, ଅର୍ଥ, କାମ ଓ ମୋକ୍ଷର ଅନ୍ବେଷଣ କରିବେ।


ତୁମେ ହୁଏତ ଜାଣିଥିବ ଆମ ଧର୍ମରେ ବିବାହ ଅନୁଷ୍ଠାନ ପଦ୍ଧତି ହଜାର ହଜାର ବର୍ଷ ଧରି ବୈଦିକ ଯୁଗରୁ ଚଳି ଆସୁଛି। ଅଗ୍ନିକୁ ସାକ୍ଷୀ ରଖି ହିନ୍ଦୁ ପତି-ପତ୍ନୀ ଏକତ୍ର ଜୀବନର ଅଙ୍ଗୀକାରବଦ୍ଧ ହୁଅନ୍ତି। ଏ ଯୁଗର ଅବତାର ଶ୍ରୀ ରାମକୃଷ୍ଣ ପରମହଂସ ହିନ୍ଦୁ ବିବାହର ଏଇ ଉଚ୍ଚ ଭାବଧାରାକୁ ତାଙ୍କ ଜୀବନରେ ପାଳନ କରି ସମାଜକୁ ଶିକ୍ଷା ଦେଇ ଯାଇଛନ୍ତି। ଅସଂସାରୀ ଶ୍ରୀରାମକୃଷ୍ଣ ମା’ ସାରଦା ଦେବୀଙ୍କୁ ଯେତେ ଭଲ ପାଉଥିଲେ, ସେତିକି ଭଲ ପାଇବା କେତେ ଜଣ ସଂସାରୀ ଜୀବନରେ ଆମେ ଦେଖି ପାରିବା ? ଥରେ ପରୀକ୍ଷା କରିବା ପାଇଁ ଶ୍ରୀରାମକୃଷ୍ଣ ମା’ଙ୍କୁ ପଚାରିଲେ- ‘କ’ଣ ତୁମେ ମୋତେ ସଂସାର ପଥରେ ଟାଣିନେବା ପାଇଁ ଆସିଛ ?’ କିଛି ମାତ୍ର ଚିନ୍ତା ନକରି ମା’ ଉତ୍ତର ଦେଲେ, ‘ନା, ମୁଁ ତୁମକୁ ସଂସାର ପଥରେ କାହିଁକି ଟାଣିବି ? ତୁମର ଇଷ୍ଟ ପଥରେ ହିଁ ସାହାଯ୍ୟ କରିବା ପାଇଁ ଆସିଛି। ’ ସେମାନଙ୍କ ଏଇ ଐଶ୍ବୀ ସମ୍ପର୍କର ଚୂଡ଼ାନ୍ତ ପ୍ରକାଶ ଘଟିଥିଲା ଷୋଡ଼ଶୀ ପୂଜାରେ। ସ୍ତ୍ରୀ ସାରଦାମଣିଙ୍କୁ ମା’ ଜଗଦମ୍ବା ଆସନରେ ବସେଇ ଶ୍ରୀ ରାମକୃଷ୍ଣ ତାଙ୍କୁ ପୂଜା କରିଥିଲେ। ଉଭୟେ ବାହ୍ୟଜ୍ଞାନ ହରେଇ ସମାଧିସ୍ଥ ହୋଇ ଯାଇଥିଲେ।


ଆମ ସଭ୍ୟତାର ପବିତ୍ର ବିବାହ ଅନୁଷ୍ଠାନକୁ ଆମେ ପରିତ୍ୟାଗ କରିବୁ କାହିଁକି ? ବର୍ମା ଏବଂ କବିତାର ବିଚ୍ଛେଦ ଆମ ଆଖି ସାମ୍‌ନାରେ ହିଁ ଘଟିଛି।


ମୋର ଚାକିରିଟି ଯେ ମୋତେ ଆନନ୍ଦ ବା ସନ୍ତୋଷ ଦିଏ ନାହିଁ ତାହା ତୁମେ ଜାଣିଛ। ଅବଶ୍ୟ ମୋ ପରି ଅନେକେ ଆମ ବନ୍ଧୁମାନଙ୍କ ଭିତରେ ଅଛନ୍ତି। ଚିକିତ୍ସା ଅଭାବରୁ ମୋର ବାଲ୍ୟବନ୍ଧୁର ମୃତ୍ୟୁ, ମୋ ଗାଁ ଏବଂ ପରିବାରର ଆର୍ଥିକ ଅବସ୍ଥା କଥା ତୁମକୁ କହିଛି। ଗତକାଲି ଅମିତ୍‌ର ଚିଠି ପାଇଲି- ତା’ ଏନ୍‌ଜିଓ’ ରେ ଯୋଗଦେବା ପାଇଁ ସେ ମୋତେ ନିମନ୍ତ୍ରଣ (ଆହ୍ବାନ) କରିଛି। ସେଠାରେ ବହୁତ କାମ କରିବାର ଅଛି। ମୋର ଇସ୍ତଫା ପତ୍ର ମୁଁ ଆଜି ପଠାଇ ଦେଇଚି। ଆଶାକରେ ତୁମେ ମୋତେ କ୍ଷମା କରିଦେବ।


ନେହା, ମୁଁ ଅତ୍ୟନ୍ତ ଦୁଃଖିତ ଯେ, ପରିସ୍ଥିତି ଆମକୁ ପରସ୍ପରଠାରୁ ବିଦାୟ ନେବାକୁ ବାଧ୍ୟ କରିଛି। କିନ୍ତୁ ତୁମର ପ୍ରେମ ଏବଂ ଛନ୍ଦକପଟ ହୀନ ଚାଲି-ଚଳନ ମୁଁ ସବୁଦିନ ପାଇଁ ମୋର ହୃଦୟରେ ସାଇତି ରଖିଚି। ତୁମର ଜୀବନ ସୁଖ ସମୃଦ୍ଧିରେ ଭରିଯାଉ।


। ଇତି ।

ପ୍ରଶାନ୍ତ


ସମସ୍ତଙ୍କଠାରୁ ବିଦାୟ ନେଇ ସେ ରେଳଷ୍ଟେସନରେ ଆସି ପହଞ୍ଚିଲା- ମୁମ୍ବାଇକୁ ବିଦାୟ ଦେଇ, ନିଜ ଜିଲ୍ଲାର ନୂତନ କର୍ମ କ୍ଷେତ୍ରରେ ଯୋଗଦେବା ପାଇଁ। ଏଇ କେତୋଟି ମାସର ମୁମ୍ବାଇ ସହରର ରହଣି ଏବଂ ବିଭିନ୍ନ ଘଟଣା ତା’ ମନକୁ ଆନ୍ଦୋଳିତ କରୁଥାଏ। ପୂର୍ବ ଆକାଶ ଲାଲ ହୋଇ ଆସୁଥାଏ।


ହଠାତ୍‌ ଗୋଟିଏ ଅତି ପରିଚିତ ନାରୀ ମୂର୍ତ୍ତି ଆସି ତା’ ନିକଟରେ ଛିଡ଼ା ହେଲା। ନେହା କହିଲା, ‘ମୁଁ ମଧ୍ୟ ଆସିଗଲି ପ୍ରଶାନ୍ତ। ଏତେ ବଡ଼ ସହରରେ ମୋତେ ଏକୁଟିଆ ଛାଡ଼ି ତୁମେ ଯାଇ ପାରିବ ନାହିଁ। ’

ଦିବାକରଙ୍କ ନୂତନତ୍ବ ସକାଳ ଉଦୟ ସହିତ ପ୍ରଶାନ୍ତ ଓ ନେହାଙ୍କ ନୂତନତ୍ୱ କିରଣ ଚତୁର୍ଦ୍ଦିଗରେ ଆଲୋକିତ ହୋଇଗଲା। 



Rate this content
Log in

Similar oriya story from Inspirational