*_ଭିନ୍ନ ଏକ ଦୁର୍ବାସା_*
*_ଭିନ୍ନ ଏକ ଦୁର୍ବାସା_*


ସଚୀବଙ୍କ ସାମ୍ନାରେ ଠିଆହେଇଥିଲେ ରଘୁ ମାଷ୍ଟ୍ରେ। ଆଖିରେ ମୋଟା ଫ୍ରେମ ରେ ତିଆରି ଚଷମା | ଅବସର ନେବା ଦି'ବର୍ଷ ବିତିଯାଇଥିଲେବି ଏଯାଏ ପେନସନ୍ ଗଣ୍ଡାକ ମିଳିନାହିଁ। ୟା'ଭିତରେ କେତେଥର କିରାଣୀଙ୍କ ଟେବୁଲ୍ ପାଖରେ ଯୋଡ଼ହସ୍ତ ହେଇ ଠିଆ ହେଇଛନ୍ତି ତା' ହିସାବ ତାଙ୍କ ପାଖରେ ନାହିଁ। ଆଜି ଆସିଛନ୍ତି ସଚୀବଙ୍କ ନିକଟକୁ। ଚିନ୍ତା କରି ଆସିଛନ୍ତି ଆଜି ଶେଷଥର ପାଇଁ ତାଙ୍କ ଆଗରେ ଅଭିଯୋଗ ଶୁଣାଇଦେବେ। ତେଣିକି ତାଙ୍କ ଭାଗ୍ୟ। ଲେଖା ଅଭିଯୋଗ ପତ୍ରଟି ସଚୀବଙ୍କୁ ବଢ଼ାଇ ଦେଇ ହାତଯୋଡିଲେ ରଘୁମାଷ୍ଟ୍ରେ। "ସାର୍! ମୁଁ ଆଦର୍ଶପୁର ଗାଁ'ର ସରକାରୀ ହାଇସ୍କୁଲର ସାମାନ୍ୟ ଶିକ୍ଷକଟିଏ ଥିଲି। ଦି'ବର୍ଷ ହେଲା ରିଟାୟାର୍ଡ କଲିଣି, ହେଲେ ଆପଣଙ୍କ ଦପ୍ତରରେ ପେନସନ୍ କାଗଜ କାମ ଏଯାଏ ସରିଲାନି। ସାର୍! ବହୁତ ଅପେକ୍ଷା କରି ଶେଷରେ ଆପଣଙ୍କ ପାଖକୁ ଆସିଛି। ଭାରି କଷ୍ଟ ହେଲାଣି। ପିଲାମାନେ ସବୁ ବଡ଼ବଡ଼ ଅଫିସର ହେଇଯିବାପରେ ପଚାରୁ ନାହାଁନ୍ତି। ସେମାନେ ହିସାବ କରିନେଇଛନ୍ତି ଏ ବୁଢ଼ା ମାସକୁ ପେନସନ୍ ବାବଦକୁ ପଚାଶ ହଜାର ପାଉଥିବ। ଆଉ ପଇସା ହବ କଣ? ଏ ଦୁଃଖ କାହାକୁ କହିବି? ସାର୍, ଆପଣତ ମୋ ପୁଅ ବୟସର, ତଥାପି ହାତ ଯୋଡୁଛି। ଯଦି ଆପଣ..." କଥା ସରିନାହିଁ, ସଚୀବ ଉଠି ଆସିଲେ ତାଙ୍କ ଚେୟାରରୁ। ରଘୁମାଷ୍ଟ୍ରଙ୍କ ପାଦ ଛୁଇଁ ପ୍ରଣାମ କଲେ। ତାଙ୍କୁ ଧରିନେଇ ସାମ୍ନା ଚଉକୀରେ ବସେଇଲେ। ରଘୁମାଷ୍ଟ୍ରେ କାବା ହେଇ ଚାହିଁଥାନ୍ତି। ସଚୀବ ବେଲ୍ ମାରି ପିଅନକୁ ଡାକିଲେ। କହିଲେ ଚା' କି କଫି ଗୋଟେ କପ୍ ଶିଘ୍ର ନେଇଆସ। ପିଅନ ଧାଇଁଲା। ସଚୀବ ପାଣି ଗ୍ଳାସରେ ଢାଳି ବଢ଼ାଇଦେଲେ ରଘୁ ମାଷ୍ଟ୍ରଙ୍କୁ। କହିଲେ -"ସାର୍, ପାଣି ପିଅନ୍ତୁ।" ରଘୁମାଷ୍ଟ୍ରେ ବଡ଼ ତ୍ରସ୍ତ ଅବସ୍ଥାରେ ପାଣିଗ୍ଲାସ୍ ଧରି କହିଲେ"ସାର୍...। ସଚୀବ ତାଙ୍କୁ ହାତଯୋଡିଲେ, କହିଲେ-" ମୋତେ ସାର୍ କୁହନ୍ତୁନି ସାର୍। ପାପ ଲାଗିବ ମୋତେ। ଆପଣ ପରା ମୋ ସାର୍, ମୋତେ ପାଠ ପଢେଇଛନ୍ତି। କେମିତି ଭୁଲିଯିବି? ମୁଁ କ୍ଲାସରେ ପଛ ବେଞ୍ଚରେ ବସୁଥିଲି ସାର୍। ଆପଣ ସବୁବେଳେ ମୋ ଉପରେ ରାଗୁଥିଲେ। ରାଗିକି ମୋତେ ଡାକୁଥିଲେ କାଳିଦାସ। ମୁଁ ଆପଣଙ୍କ ନାଁ ଦେଇଥିଲି ଦୁର୍ବାସା। ମନେଅଛି ସାର୍?" ସଚୀବ ଡାକିଲେ ନିଜ ପ୍ରାଇଭେଟ୍ ସେକ୍ରେଟାରୀଙ୍କୁ, ଡକାଇଲେ ସେକ୍ସନର ଡେସ୍କ୍ ଅଫିସରଙ୍କୁ। ଚାହିଁଲେ ସେମାନଙ୍କୁ। ଡେସ୍କ୍ ଅଫିସର୍ ଜାଣିଲେ ଆଜି ନିଶ୍ଚୟ ବେଳା ଖରାପ। ସଚୀବ ତୀକ୍ଷଣ ଦୃଷ୍ଟିରେ ଚାହିଁ କହିଲେ-"ମୋ ସାରଙ୍କ ପେନସନ୍ ଅର୍ଡର୍ ଆଜି ସଂଧ୍ୟା ସୁଦ୍ଧା ହେବା ଦରକାର। ତା'ପରେ ମୁଁ ଅଫିସରୁ ବାହାରିବି। ନହେଲେ ଆଜି ରାତିସାରା ରହି ସମସ୍ତେ କାମ କରିବ। କଣ କହୁଛନ୍ତି ବଡ଼ବାବୁ?" ବଡ଼ବାବୁ ବଡ଼ ବିକଳରେ କହିଦେଲେ "ସବୁ ହେଇଯାଇଛି ସାର୍, ଏବେ ନେଇଆସୁଛି।" ଧାଇଁଲେ ସେ। ରଘୁମାଷ୍ଟ୍ରେ ହାତ ଟେକି ଆଶୀର୍ବାଦ କରି ଉଠିଲେ ଫେରିବାକୁ। ସଚୀବ କହିଲେ-" ରୁହନ୍ତୁ ସାର୍। ଏଇଠି ବସନ୍ତୁ। ଆଜି ଆପଣ ଅର୍ଡର୍ ନେଇକରି ଯିବେ। ଏତେଦିନ ପରେ ମୋ ପାଖକୁ ଆସିଛନ୍ତି ଯେତେବେଳେ, ମୋ ସହ ଘରକୁ ଯିବେ। ସେଇଠି ସାଙ୍ଗହେଇ ଲଞ୍ଚ୍ କରିବା। ମୋ ପୁଅକୁ ଟିକେ ଆଶୀର୍ବାଦ କରିବେନି? ତା'ପରେ ଅଫିସ୍ ଆସିବା। ସେତେବେଳକୁ ଅର୍ଡର୍ ହେଇଯାଇଥିବ। ମୋ ଡ୍ରାଇଭର୍ ନେଇ ଆପଣଙ୍କୁ ଛାଡ଼ିଆସିବ ଷ୍ଟେସନରେ। ବ୍ୟସ୍ତ ହୁଅନ୍ତୁନି।" ଫୋନ୍ ଲଗେଇଲେ ଘରକୁ -"ସ୍ମିତା! ଆଜି ମୋର ପ୍ରିୟ ରଘୁସାର୍ ଆମର ଗେଷ୍ଟ୍। ତମକୁ କହିଥିଲିନା? ମୋ ଖାତାକୁ କେମିତି ଟିକିନିଖି କରି ଦେଖୁଥିଲେ ଆଉ ଗୋଟିଏ ଭୁଲ୍ ବାହାରିଲା ମାନେ କେତେ ମାଡ଼... ହଁ, ହଁ, ସେଇ ଦୁର୍ବାସା ହଉଛନ୍ତି ରଘୁ ସାର୍। ହଉ ରଖୁଛି।" ରଘୁମାଷ୍ଟ୍ରେ ଚାହିଁଥିଲେ। ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ଭାବୁଥିଲେ ସବୁବେଳେ ପଛବେଞ୍ଚର ପିଲାମାନେ ଖରାପ ନଥାନ୍ତି। ସେମାନଙ୍କ ଭିତରେ ବୋଧହୁଏ ମାନବିକତା ସବୁଠୁ ବେଶି। ଆଜି ତାଙ୍କୁ ଦୀର୍ଘ ପଇଁତିରିଶ ବର୍ଷର ଶିକ୍ଷକ ଜୀବନର ସାର୍ଥକତା ମିଳିଗଲା ପରି ଲାଗୁଥିଲା। ସଚୀବ ତାଙ୍କ ଆଖିରୁ ନିଜ ହାତରେ ଲୁହ ପୋଛିଦେଇ କହିଲେ "ସାର୍, ଦୁର୍ବାସା କାନ୍ଦିବା କଥା ପୁରାଣରେ କୋଉଠି ମୁଁ ପଢ଼ି ନାହିଁ।" ଉଭୟେ କାଳିଦାସ ଆଉ ଦୁର୍ବାସା ହସୁଥିଲେ ଆଉ ଉଭୟଙ୍କ ଆଖିରୁ ଝରିଯାଉଥିଲା ଖୁସିର ଲୁହ।