STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ସାକ୍ଷାତ

ସାକ୍ଷାତ

7 mins
143

ଶିବାନୀ ଦାସଙ୍କ ସହିତ ଅଭିଷେକ ସାହାଣୀଙ୍କର ଏପରି ଦିନେ ଦେଖା ସାକ୍ଷାତ ହେବ ବୋଲି ଦୁହେଁ କେବେ ବି ସ୍ୱପ୍ନରେ ସୁଦ୍ଧା ଚିନ୍ତା କରିନଥିଲେ। କିନ୍ତୁ ସେମାନଙ୍କ ସାକ୍ଷାତ ଥିଲା ବିଧି ନିର୍ଦ୍ଦିଷ୍ଟ, ନିୟତି ପ୍ରେରିତ। ସେମାନଙ୍କର ଚାହିଁବା ନଚାହିଁବାରେ କିଛି ନଥିଲା। ଏଣୁ ଦୁହେଁ ଥିଲେ ନାଚାର, କିଂକର୍ତ୍ତବ୍ୟବିମୂଢ। ଦୁହେଁ ଦୁହିଁଙ୍କର ପକ୍ଷରେ ଥିଲେ ନିଶ୍ଚଳ ନିର୍ବିକାର। କର୍ତ୍ତବ୍ୟର ଆହ୍ୱାନ ଆଜି ଦୁହିଁଙ୍କୁ ଦୁହିଁଙ୍କ ସାମ୍ନାରେ ଆଣି ଠିଆ କରାଇ ଦେଇଛି। ଦୁହେଁ ନ୍ୟାୟ ପାଇଁ ଲଢୁଛନ୍ତି, ଜଣେ ବୃତ୍ତିର ଦାୟରେ ତ ଆରେକ ପ୍ରବୃତ୍ତିର ତାଡ଼ନାରେ। ଜଣେ ସ୍ୱେଚ୍ଛାରେ ତ ଆରଜଣକ ସ୍ୱେଚ୍ଛାଚାରରେ।

ଆଇନକାନୁନର ଦାଓପେଞ୍ଚରେ ଆଜି ପରୀକ୍ଷା ଚାଲିଛି ମାନବୀୟ ମୂଲ୍ୟବୋଧର। ଆଇନର ଗଳା ବାଟ ଦେଇ ଅପରାଧୀ ନିର୍ଭୟରେ ଘୁରି ବୁଲୁଥିବା ବେଳେ ପୀଡ଼ିତା ଆତ୍ମହତ୍ୟାର ପଥ ଆଦରି ନେଉଛନ୍ତି। ଆଉ କେତେ ଦିନ ଏମିତି ଚାଲିଥିବ ଅନ୍ଧ ମୁକ ବଧିର ବିଚାର? ପକ୍ଷପାତ ନକରିବା ପାଇଁ ତ ନ୍ୟାୟର ଦେବୀ ଚକ୍ଷୁରେ ଅନ୍ଧ ପୁଟୁଳି ବାନ୍ଧିଛନ୍ତି। କିନ୍ତୁ ବାସ୍ତବରେ କଣ ପୀଡ଼ିତାଙ୍କୁ ନ୍ୟାୟ ମିଳୁଛି ଆମ ସମାଜରେ? 

ଦିନ ଥିଲା ଯେବେ ଉଭୟ ଶିବାନୀ ଏବଂ ଅଭିଷେକ ପରସ୍ପରର ସହପାଠୀ ଥିଲେ। ଦୁହିଁଙ୍କ ମଧ୍ୟରେ ସମ୍ବନ୍ଧ ସହପାଠୀର ସମ୍ପର୍କ ଠାରୁ ଢେର୍ ଅଧିକ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଦିଲ୍ଲୀର ଜେଏନୟୁରେ ଦୁହେଁ ଗୋଟିଏ ସମୟରେ ଗୋଟିଏ ଶ୍ରେଣୀରେ ପାଠ ପଢୁଥିଲେ। ଦୁହେଁ କଟକ ସହରର ମୂଳ ବାସିନ୍ଦା। ରେଭେନ୍ସା କଲେଜରୁ ଆରମ୍ଭ ହୋଇଥିବା ଦେଖା ସାକ୍ଷାତ ଦିଲ୍ଲୀର ଶୀତୁଆ ପରିବେଶରେ ବେଶ୍ ନିବିଡ଼ ହେବାରେ ଲାଗିଥିଲା। 

ସମ୍ଭ୍ରାନ୍ତ ବଂଶଜ ଅଭିଷେକ ଏବଂ ନିମ୍ନ ମଧ୍ୟବିତ୍ତ ବର୍ଗୀକୃତ ଶିବାନୀ ଭୁଲିଯାଇଥିଲେ ସମାଜର ଶ୍ରେଣୀ ବିଭାଗ ଓ ଉଚ୍ଚନୀଚର ଅଭେଦ୍ୟ ପ୍ରାଚୀରକୁ। ଯେତେବେଳେ ଦୁଇ ମନ ଦୁଇ ପ୍ରାଣ ଐକ୍ୟବଦ୍ଧ ହୋଇ ସାରିଥିଲା ପ୍ରେମର ରଜ୍ଜୁରେ ସେତେବେଳେ ଅବା ଦେହର ମିଳନ ଆଉ କେତେ ଦୂର? ଦୁହେଁ ପ୍ରେମରେ ସମସ୍ତ ସୀମା ସରହଦ ଅତିକ୍ରାନ୍ତ କରି ଜେଏନୟୁ କ୍ୟାମ୍ପସ୍ ବାହାରେ ଘର ଭଡା ନେଇ ଏକତ୍ର ସହବସ୍ଥାନ କରୁଥିଲେ। ଯଦିଓ ବିବାହ ବନ୍ଧନରେ ଆବଦ୍ଧ ହୋଇନଥିଲେ ତଥାପି ପତି ପତ୍ନୀ ପରି ଚଳିବାରେ କିଛି ବାଧା ମଧ୍ୟ ନଥିଲା।

ମଧୁମାସ ବସନ୍ତ ପରି କ୍ଷଣସ୍ଥାୟୀ ଥିଲା ଦୁହିଁଙ୍କ ପ୍ରେମ ଓ ପ୍ରଣୟର ଅବଧି। ପରିଣୟ ସମ୍ଭବ ହୋଇ ପାରିଲା ନାହିଁ ଦୁହିଁଙ୍କ ପରିବାର ମଧ୍ୟରେ ଥିବା ସାମାଜିକ ଦୂରତ୍ୱ ହେତୁ। ଏହି ଦୂରତ୍ୱ ଥିଲା ଅଲ୍ଲଂଘନୀୟ ଉଭୟଙ୍କ ପାଇଁ। ଅଭିଷେକଙ୍କ ପିତା ଅନ୍ତର୍ଯ୍ୟାମୀ ସାହାଣୀ ଓଡିଶା ଉଚ୍ଚ ନ୍ୟାୟାଳୟର ଜନୈକ ବରିଷ୍ଠ ଅଧିବକ୍ତା। ଅତୀତରେ ରାଜ୍ୟ ସରକାରଙ୍କ ତରଫରୁ ଆଡଭୋକେଟ୍ ଜେନେରାଲ୍ (ମହାଧିବକ୍ତା) ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ଅପରପକ୍ଷରେ ଶିବାନୀଙ୍କ ପିତା ସହଦେବ ଦାସ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମାମୁଲି କିରାଣୀ। ମାସକର ବେତନ ପରିବାର ପ୍ରତିପୋଷଣ କରିବା ପାଇଁ ନିଅଣ୍ଟ ହୁଏ। 

ପରିବାରର ଏକମାତ୍ର ପୁତ୍ର ହୋଇଥିବା କାରଣରୁ ଅଭିଷେକଙ୍କ ମାତାପିତା ଏକବାରକେ ଅନିଚ୍ଛୁକ ଥିଲେ ଶିବାନୀ ଦାସଙ୍କ ସହିତ ତାଙ୍କର ବିବାହ ନିମନ୍ତେ। ପରନ୍ତୁ ପୁତ୍ରମଣିର ବିଳାସର ମାଧ୍ୟମ ସାଜିଥିବା ହେତୁ ଶିବାନୀଙ୍କୁ ପ୍ରଚୁର କ୍ଷତିପୂରଣ ଦେବାକୁ ସମ୍ମତି ପ୍ରଦାନ କରିଥିଲେ ସାହାଣୀ ପରିବାର। କିନ୍ତୁ ଏହି ପ୍ରସ୍ତାବ ଅତ୍ୟନ୍ତ ନିନ୍ଦନୀୟ ଏବଂ ଅସମ୍ମାନଜନକ ଥିଲା ଶିବାନୀଙ୍କ ପାଇଁ। ଅଭିଷେକଙ୍କ ଡାକରାରେ ତାଙ୍କ ମାତାପିତାଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ନିମନ୍ତେ ସିଏ ଯାଇଥିଲେ 'ସାହାଣୀ ଭବନ'। ସେଠାରୁ ଛି ଛାକର କଥା ଶୁଣି ଅସହ୍ୟ ବେଦନାରେ ଜର୍ଜରିତ ହୋଇ ମହାନଦୀକୁ ଲମ୍ଫ ପ୍ରଦାନ କରି ଆତ୍ମହତ୍ୟାର ପନ୍ଥା ଆଦରି ନେବାକୁ ବସିଥିବା ବେଳେ ଅଚାନକ ଚୈତନ୍ୟ ଉଦୟ ହୋଇଥିଲା ତାଙ୍କର। କେହି ଗୋଟିଏ ଅଦୃଶ୍ୟ ଶକ୍ତି ତାଙ୍କୁ ସେଦିନ ଅଟକାଇ ଦେଇଥିଲା ଏହି ଚରମ ପଦକ୍ଷେପରୁ। ଉଛୁଳା ମହାନଦୀରୁ ଉଦ୍ଧାର କରି ଆଣିଥିଲା ତାଙ୍କର ଅବଶ ଶରୀରକୁ। 

ଲୋକଲଜ୍ଜା ଓ ପରିବାରର ମାନସମ୍ମାନକୁ ନଜରରେ ରଖି ଶିବାନୀ ହଜିଗଲେ ଲୋକ ଲୋଚନରୁ। ଚାଲିଗଲେ କଟକ ସହରର ଦୂରରେ ଥିବା ଏକ ଅନାଥାଶ୍ରମକୁ। ଏହା ପର ଠାରୁ ବନ୍ଧୁ ପରିଜନ କେହି ବି ଆଉ ତାଙ୍କୁ ଖୋଜା ଲୋଡ଼ା କରି ନାହାଁନ୍ତି। ଜୀବନର ସବୁ ଆଶା ମରିଯାଇଥିଲା କିନ୍ତୁ ଜୀଇଁବାକୁ ନୂଆ ରାହାଟିଏ ମିଳି ଯାଇଥିଲା। କୁନି କୁନି ପିଲାମାନଙ୍କ ସହିତ ସମୟ ଅତିବାହିତ କରି ଜୀବନର ଲକ୍ଷ୍ୟ ପଥରେ ଅଗ୍ରସର ହେବା ପାଇଁ ବଜ୍ର ଶପଥ ନେଉଥିଲେ। 

ସାହାଣୀ ପରିବାର ଦ୍ୱାରା ହୋଇଥିବା ଅପମାନର ପ୍ରତିଶୋଧ ନେବା ପାଇଁ ସେ ଜଳୁଥିଲେ ଅନବରତ ଭାବରେ। ଶ୍ରେଣୀ ବିହୀନ ସମାଜର ସ୍ୱପ୍ନ ଉଙ୍କିମାରୁଥିଲା ତାଙ୍କର ଆଖିରେ। ଏହି ପ୍ରତିଶୋଧର ଅଗ୍ନି ହିଁ ତାଙ୍କୁ କାଳକ୍ରମେ ସଜାଇ ଦେଲା ଓଡିଶା ଆଇନ୍ ସେବାର ଅଧିକାରୀ, ଜିଲ୍ଲା ଆଦାଲତର ବିଚାରପତି। ଦୀର୍ଘ ପାଞ୍ଚ ଛଅ ବର୍ଷର ଅକ୍ଲାନ୍ତ ପରିଶ୍ରମ, ଅବିରତ ସଂଗ୍ରାମ, ନିରଳସ ସାଧନାର ଫଳ ସ୍ୱରୂପ ସମଗ୍ର ରାଜ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ ଶିବାନୀ ଦାସ। 

ବିଚାରପତି ଭାବେ ଶପଥ ନେବା ଉପରାନ୍ତେ ଜୀବନରେ ଆସିଲା ଭିନ୍ନ ମୋଡ। ପ୍ରତିଶୋଧର ଭାବନା ତାଙ୍କ ମନରୁ ଦୂରେଇ ଗଲା। ସମାଜର ପୀଡ଼ିତ ବଞ୍ଚିତ ଅବହେଳିତ ଶୋଷିତ ନିଷ୍ପେଷିତ ଦୁର୍ବଳ ବର୍ଗର ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ହେଲେ ବଦ୍ଧପରିକର। ଅଭିଷେକଙ୍କୁ ବିଶ୍ୱାସ କରି ନିଜର ସର୍ବସ୍ୱ ଜଳାଞ୍ଜଳି ଦେଇଥିବା ଦୁଃଖ ଭୁଲି ଯାଇଥିଲେ ଆସ୍ତେ ଆସ୍ତେ। ପ୍ରକାରାନ୍ତରେ ବିଶାଳ ହୃଦୟରେ ନିଜର ପ୍ରିୟ ପୁରୁଷଙ୍କୁ କ୍ଷମା କରି ଦେଇଥିଲେ।

ଏହି ପ୍ରକରଣକୁ ବିତିଗଲାଣି ବେଶ୍ କିଛି ବର୍ଷ। ଏତେ ଦିନ ଭିତରେ ଶିବାନୀ ଏବଂ ଅଭିଷେକ କେହି କାହାରି ହାନିଲାଭ ବୁଝି ନାହାଁନ୍ତି। ଅବଶ୍ୟ ଅଭିଷେକ ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରି ଆଇନ୍ ବ୍ୟବସାୟରେ ନିମଗ୍ନ। ଉଚ୍ଚ ନ୍ୟାୟାଳୟ ସମେତ ରାଜ୍ୟରେ ବିଭିନ୍ନ ଜିଲ୍ଲା ଅଦାଲତରେ ମଧ୍ୟ ଅଧିବକ୍ତା ହିସାବରେ ତାଙ୍କର ଢେର୍ ସୁନାମ ରହିଛି। କିନ୍ତୁ ହଠାତ୍ କୋରାପୁଟ୍ ଜିଲ୍ଲା ଅଦାଲତରେ ଆଜି ଦୁହେଁ ମୁହାଁମୁହିଁ। ବିଚାରପତି ଆସନରେ ଅଧିଷ୍ଠିତା ଶିବାନୀ ଦାସ ଆଉ ତାଙ୍କ ଇଜିଲାସରେ ଏକ ଯୌନ ଉତ୍ପୀଡ଼ନ ମାମଲାରେ ଅଭିଯୁକ୍ତ ପକ୍ଷର ଦଲିଲ୍ ପେଶ୍ କରୁଛନ୍ତି ଅଭିଷେକ ବାବୁ।

ନିର୍ଦ୍ଦିଷ୍ଟ ସମୟରେ ଅଦାଲତରେ ପହଞ୍ଚି ବିଚାରପତି ମହୋଦୟା ସଭିଙ୍କର ଅଭିବାଦନ ଗ୍ରହଣ ପୂର୍ବକ ପ୍ରତ୍ୟୁତ୍ତରରେ କାର୍ଯ୍ୟାରମ୍ଭର ଆଭାସ ଦେଲେ। ଏତିକିବେଳେ ତାଙ୍କର ଆଖିରେ ଦିଶିଗଲା ଅଭିଷେକ ବାବୁଙ୍କର ସୁଠାମ ଚେହେରା। କିଛି ବି ତ ବଦଳି ନାହାଁନ୍ତି ସିଏ। ଆଜି ବି ସେମିତି ତରୁଣ। ବାସ୍ତବରେ ପୁରୁଷମାନେ ସଦାସର୍ବଦା ଯୌବନର ଅଧିକାରୀ। ତରୁଣ ପରି ସବୁଜ ସୁନ୍ଦର ସୁଠାମ। କୁହାଯାଏ ନାରୀଟିଏ କାଳେ କାଳେ ତା'ର ପ୍ରଥମ ପୁରୁଷ ଓ ପ୍ରେମକୁ ଭୁଲେ ନାହିଁ। 

ଅଭିଷେକଙ୍କୁ ଦେଖିବା ପରେ ଶିବାନୀଙ୍କ ମନ ମଧ୍ୟରେ ଭାବାନ୍ତର ସୃଷ୍ଟି ହେଲା। ତାଙ୍କୁ ଦେଖି ମନରେ କେଜାଣି କାହିଁକି ଘୃଣା କିମ୍ବା ପ୍ରତିହିଂସା ଭାବ ଜାତ ହେଉନଥିଲା। ବରଂ ଏକ କୌତୁହଳ ଜାତ ହେଉଥିଲା। ଅଭିଷେକଙ୍କ ବିଷୟରେ ଅଧିକ ସୂଚନା ଜାଣିବା ପାଇଁ। ବିଚ୍ଛେଦ ପରବର୍ତ୍ତୀ କାଳରେ କଣ କଣ ସବୁ ଘଟିଛି ତାଙ୍କ ସହିତ। ବିବାହ କଲେଣି କି ନାହିଁ? ଯଦି ବିବାହ କରିଛନ୍ତି ତେବେ ତାଙ୍କର ପିଲାପିଲି କେତୋଟି? ପିଲାମାନେ କେତେ ବୟସର ହୋଇଥିବେ? କେଉଁ ଶ୍ରେଣୀରେ ପାଠ ପଢୁଥିବେ? ଏମିତି ଅନେକ କଥା... 

ମାତ୍ର ଏଇ କିଛି ବର୍ଷର ଅବଧିରେ ଢେର୍ ବଦଳି ଯାଇଛନ୍ତି ଶିବାନୀ ଦେବୀ। ମାନସିକ ଦୁଶ୍ଚିନ୍ତା ଏବଂ ଅସନ୍ତୁଳିତ ହର୍ମୋନ୍ ପାଇଁ ତାଙ୍କ ଶରୀରରେ ଆସିଛି ବ୍ୟାପକ ପରିବର୍ତ୍ତନ। ଅଦିନରେ ସଫେଦ୍ ହୋଇଯାଇଛି ତାଙ୍କର କଳା ମେଘୀ କେଶରାଶି। ନିକଟ ଅତୀତରେ ତାଙ୍କର ସଂସ୍ପର୍ଶରେ ଆସି ନଥିବା ଲୋକ ତାଙ୍କୁ ଚିହ୍ନି ପାରିବା କାଠିକର ପାଠ। ସମୟ ବଡ଼ ବଳବାନ। ସମୟ ସୁଅରେ ଅସହାୟ ହୋଇ ପଡେ ମଣିଷ। ଏଥିରୁ ସିଏ ଅବା ବାଦ୍ ପଡିଥାନ୍ତେ କେମିତି? କେତେ ବଡ଼ ଝଡ଼ ଯେ ବହି ଯାଇଛି ତାଙ୍କର ଜୀବନରେ କେବଳ ସିଏ ହିଁ ଜାଣିଛନ୍ତି। 

ଶିବାନୀ ଦେବୀଙ୍କ ଭାବନାରେ ବାଧା ଦେଇ ଘୋଷଣା କରାଗଲା କେସ୍ ନଂ - ୭୭୪୩/୧୯-୨୦। କୋରାପୁଟ ସହରରେ ସ୍ପଷ୍ଟ ଦିବାଲୋକରେ ବଡ଼ ଜଘନ୍ୟ ଅପରାଧ ଘଟାଇଥିଲେ ଦଳେ ଦୁର୍ବୃତ୍ତ। ଜନୈକା କଲେଜ ଛାତ୍ରୀଙ୍କୁ ବିଚ୍ ରାସ୍ତାରୁ ଉଠାଇ ଆଣି ଗଣଧର୍ଷଣ କରି ଅପନ୍ତରାରେ ଫୋପାଡ଼ି ଦେଇଥିଲେ। ବେଶ୍ ପ୍ରଭାବଶାଳୀ ପରିବାରର ଥିଲେ ଅଭିଯୁକ୍ତମାନେ। ଏଗୁଡ଼ାକ ମଣିଷ ନୁହଁନ୍ତି ପଶୁ ମଧ୍ୟ କହିବାକୁ ଯୋଗ୍ୟ ନୁହଁନ୍ତି। 

ଏମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ଦାୟିତ୍ଵ ନ୍ୟସ୍ତ କରାଯାଇଛି ବିଶିଷ୍ଟ ଅଧିବକ୍ତା ଅଭିଷେକ ସାହାଣୀଙ୍କ ଉପରେ। ଏମିତି ମାମଲାରେ ପୀଡ଼ିତାଙ୍କ ଚରିତ୍ର ସଂହାର ପୂର୍ବକ ପତିତା, ଦୁଶ୍ଚରିତ୍ରା ଅଥବା ଗଣିକା ବୋଲି ପ୍ରମାଣିତ କରି ଅଭିଯୁକ୍ତମାନଙ୍କୁ ମୁକୁଳାଇବାରେ ବିଶେଷ ଭାବରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି ସେ। ଏହି କଳା ତାଙ୍କ ପିତା ଅନ୍ତର୍ଯ୍ୟାମୀ ସାହାଣୀଙ୍କ ଠାରୁ ଶିଖିଛନ୍ତି ସିଏ। ପୀଡ଼ିତାଙ୍କୁ ଦେହଜୀବୀ ସଜାଇବା ଏଇ ଦେଶର ବିଶିଷ୍ଟ ଆଇନଜ୍ଞମାନଙ୍କ ବାଆଁ ହାତର ଖେଳ। ଖାସ୍ ଏଇଥିପାଇଁ ତାଙ୍କୁ ମୋଟା ଅଙ୍କର ଅର୍ଥରେ ଡକାଇଛନ୍ତି କଟକରୁ ଅଭିଯୁକ୍ତମାନଙ୍କ ପରିବାର ବର୍ଗ। 

ସରକାରୀ ଓକିଲ ତାଙ୍କର ଚିରାଚରିତ ଢଙ୍ଗରେ ମାମଲାର ଆମୂଳଚୂଳ ତଥ୍ୟ ତଥା ତଦନ୍ତ ରିପୋର୍ଟ୍ ଉପସ୍ଥାପନ କରି ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡବିଧାନ କରିବା ନିମନ୍ତେ ବିଚାରପତି ମହୋଦୟାଙ୍କୁ ନିବେଦନ କଲେ। ଏହି ଦଲିଲକୁ ସିଧାସଳଖ ଭାବେ ଖାରଜ କରି ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ କାହାକୁ ଅପରାଧୀ ନକହିବା ପାଇଁ ସରକାରୀ ଓକିଲଙ୍କୁ ଚେତାଇ ଦେଲେ ପ୍ରତିବାଦୀ ପକ୍ଷର ଓକିଲ ଅଭିଷେକ ବାବୁ। ବେଶ୍ ନିରେଖି ଦେଖୁଥାନ୍ତି ତାଙ୍କୁ ବିଚାରପତି ମହୋଦୟା। ଆଗ୍ରହୀ ହୋଇ ଶୁଣୁଥାନ୍ତି ତାଙ୍କର ଦଲିଲ୍।

ଅଭିଯୁକ୍ତମାନଙ୍କୁ ଶୁଦ୍ଧ ସୁବର୍ଣ୍ଣ ଠାରୁ ମଧ୍ୟ ଅଧିକ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ବୋଲି ସାବ୍ୟସ୍ତ କରିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥାନ୍ତି ଅଭିଷେକ ବାବୁ। ବେଳକୁ ବେଳ ଖୁବ୍ ରୋଚକପୂର୍ଣ୍ଣ ହେବାକୁ ଲାଗୁଥାଏ ଅଦାଲତର ଶୁଣାଣୀ କାର୍ଯ୍ୟ। ଉପସ୍ଥିତ ସାକ୍ଷୀ ଏବଂ ସାଧାରଣ ଜନତାଙ୍କ ମନରେ ବିଶ୍ୱାସ ଜନ୍ମିବାରେ ଲାଗିଥିଲା ଯେ, ବାସ୍ତବରେ ପୀଡ଼ିତା ଜଣକ ଦୂରଭିସନ୍ଧି ରଖି ଏହି ପ୍ରତିପତ୍ତିଶାଳୀ ବର୍ଗର ଯୁବକମାନଙ୍କୁ ଅଦାଲତର ନାଲିକୋଠୀ ଦେଖାଇଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ କପୋଳକଳ୍ପିତ ଏବଂ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ। ଅଭିଯୋଗ ସଭ୍ୟ ଶିକ୍ଷିତ ଯୁବକମାନଙ୍କ ମାନସମ୍ମାନ ହାନୀ ନିମନ୍ତେ ପ୍ରେରିତ ଏବଂ ଅର୍ଥ ଆଦାୟ କରିବା ଏହାର ଲକ୍ଷ୍ୟ। 

ପ୍ରବୀଣ, ପ୍ରଖର, ପରିପକ୍ୱ ଅଧିବକ୍ତା ଅଭିଷେକ ବାବୁଙ୍କର ଅକାଟ୍ୟ ଯୁକ୍ତି ଶୁଣି ରାଜନୈତିକ ଦଳର ଅନୁଗ୍ରହରେ ସରକାରୀ ଓକିଲ ହୋଇଥିବା ବ୍ୟକ୍ତିଙ୍କ ଅକଲଗୁଡୁମ୍ ହୋଇଗଲା। କୂପମଣ୍ଡୁକ ପରି ଆପଣାକୁ ସର୍ବଜ୍ଞ ବୋଲି ମନେ କରୁଥିବା ସରକାରୀ ଓକିଲ ଅଗତ୍ୟା ହାତ ଟେକି ଦେଲେ। ଏପରି ପରିସ୍ଥିତିରେ ମାନସିକ ଭାରସାମ୍ୟ ହରାଇ ପୀଡ଼ିତା ମୂର୍ଚ୍ଛିତ ହୋଇଗଲେ। ତାଙ୍କୁ ତୁରନ୍ତ ଆଶୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଚିକିତ୍ସାଳୟକୁ ନିଆଗଲା କଡ଼ା ସୁରକ୍ଷା ମଧ୍ୟରେ।ଅଭିଯୁକ୍ତମାନଙ୍କ ମୁଖମଣ୍ଡଳରେ ସ୍ପଷ୍ଟ ଭାବେ ବାରି ହୋଇପଡୁଥିଲା ଆସ୍ୱସ୍ଥିର ପ୍ରସନ୍ନତା। ପୀଡ଼ିତାଙ୍କ ଚରିତ୍ର ସମ୍ବନ୍ଧରେ ନାନାଦି କଟୁ ଟୀକା ଟିପ୍ପଣୀ କରୁଥିଲେ ସମବେତ ଜନତା।

ଶୁଣାଣୀ ସମୟରେ ଘଟୁଥିବା ସମସ୍ତ ନାଟକୀୟତାକୁ ଗଭୀର ଭାବରେ ଅବଲୋକନ କରୁଥିଲେ ଜଷ୍ଟିସ୍ ଶିବାନୀ ଦେବୀ। ଅଭିଷେକ ବାବୁଙ୍କର ଚରିତ୍ର ଏବଂ ବ୍ୟକ୍ତିତ୍ୱ ସହିତ ତାଙ୍କର ପୂର୍ବରୁ ଉତ୍ତମ ପରିଚୟ ଥିଲା। ତାଙ୍କ ପ୍ରଦତ୍ତ ଦଲିଲ୍ ଶୁଣି ଶୁଣି ଶିବାନୀ ଦେବୀଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲା। ହଠାତ୍ ସେ ପ୍ରଶ୍ନ କଲେ ପ୍ରତିବାଦୀ ପକ୍ଷର ଅଧିବକ୍ତାଙ୍କ ଉଦ୍ଦେଶ୍ୟରେ, "ଗୋଟିଏ ନାରୀର ଇଜ୍ଜତର ମୂଲ୍ୟ କେତେ? ଆପଣ ଏମିତି କେତେ ମାମଲାରେ ଦଲାଲି କରିଛନ୍ତି ଯେଉଁଠି ପୀଡ଼ିତା ମହିଳାଟିଏ ଅଭିଯୁକ୍ତମାନଙ୍କ ଠାରୁ ଅର୍ଥ ଦାବି କରିଛନ୍ତି?? ଯଦି ବଳାତ୍କାରୀ ପୁରୁଷ ସମାଜରେ ମଥା ଟେକି ବାଟ ଚାଲି ପାରିବ ତେବେ ପୀଡ଼ିତା ମହିଳାଟିଏ କାହିଁକି ଲୋକଲଜ୍ଜାର ଶରବ୍ୟ ହୋଇ ଆତ୍ମହତ୍ୟା କରିବ???" 

ବିଚାରପତି ମହୋଦୟାଙ୍କ ଅପ୍ରତ୍ୟାଶିତ ପ୍ରଶ୍ନ ନିମନ୍ତେ ଅପ୍ରସ୍ତୁତ ଥିବା ଅଧିବକ୍ତା ଅଭିଷେକ ବାବୁ ହଠାତ୍ ପରିଚିତ କଣ୍ଠସ୍ୱର ଶୁଣି ହତବମ୍ବ ହୋଇଗଲେ। ସିଏ ଆଖିରୁ ଚଷମାଟିକୁ ବାହର କରି ଉପରକୁ ମୁହଁ ଟେକି ଚାହିଁଲେ ବିଚାରପତିଙ୍କୁ। ଏଇ କଣ୍ଠସ୍ୱର ତ ଅତି ପରିଚିତ ଶିବାନୀଙ୍କର ପରି ମନେ ହେଉଛି। ମାତ୍ର ଶିବାନୀ ତ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ ତାଙ୍କ ସମ୍ମୁଖରେ। ନା, ଅସମ୍ଭବ। ଏହି ମହିଳା ଜଣକ କେବେ ବି ତାଙ୍କର ପ୍ରାଣପ୍ରିୟା ଶିବାନୀ ଦାସ୍ ହୋଇ ପାରିବେ ନାହିଁ। ଦୁନିଆଁରେ ସମାନ ନାମ ଓ ଉପନାମ ବିଶିଷ୍ଟ ଅନେକ ଲୋକ ଅଛନ୍ତି, ଇଏ ବି ସେମିତି ହୋଇଥିବେ। କାହିଁ କ୍ଷୀଣକାୟା ରୂପସୀ ଷୋଡ଼ଶୀ ସୌମ୍ୟା ତରୁଣୀ ଶିବାନୀ ପୁଣି କାହିଁ ଏହି ପୃଥୁଳକାୟା ରଙ୍ଗ ରୂପ ହୀନା ମଧ୍ୟ ବୟସ୍କା ମହିଳା। ନା, ନା କୌଣସି ମେଳ ନାହିଁ ଦୁହିଁଙ୍କ ମଧ୍ୟରେ। ଏହା ନିଶ୍ଚିତ ଭାବେ ତାଙ୍କ ମନର ଭ୍ରମ। 

ଅଭିଷେକ ବାବୁ ତାଙ୍କର ଓକିଲାତି ପେଶାରେ ଅନେକ ମକଦ୍ଦମା ଲଢିଛନ୍ତି କିନ୍ତୁ ଏପରି ପରିସ୍ଥିତି ସାମନା କରିବାକୁ କେବେ ବି ପଡି ନାହିଁ। ନିଜର ବାକ୍ ଚାତୁରୀ ଏବଂ ଅକାଟ୍ୟ ଯୁକ୍ତିରେ ସବୁଠି ବାଜିମାତ୍ କରିଛନ୍ତି। ଆଜି ବିଚାରପତି ମହୋଦୟାଙ୍କ ପ୍ରଶ୍ନର ଉତ୍ତର ତାଙ୍କ ପାଖରେ ନାହିଁ। ଜୀବନରେ ଏମିତି ଏକ ଦିନ ଦେଖିବେ ବୋଲି କେବେ ବି କଳ୍ପନା କରି ନାହାଁନ୍ତି ସେ। ଅତୀତର କଳଙ୍କିତ ଅଧ୍ୟାୟ ଆଖି ଆଗରେ ନାଚି ଉଠୁଥିଲା। ଶିବାନୀଙ୍କ ପ୍ରତି କରିଥିବା ଅନ୍ୟାୟ ତାଙ୍କ ଅନ୍ତରକୁ ବିଦାରି ପାଉଥାଏ। ଏହି କଥା ଭାବି ଆକ୍ତାମାକ୍ତା ହୋଇ ଯାଉଥିଲେ ସିଏ। ଉଜ୍ଜ୍ୱଳ ମୁଖମଣ୍ଡଳରେ ସ୍ୱେଦ ବିନ୍ଦୁ ଝଲସୁଥାଏ। 

ତାଙ୍କର ଏପରି ଅବସ୍ଥା ଦେଖି ଶିବାନୀ ଦାସଙ୍କ ହୃଦୟ ବିଗଳିତ ହୋଇ ଉଠିଲା। ମଧ୍ୟାହ୍ନ ଭୋଜନ ବିରତିରେ ତାଙ୍କ ଚ୍ୟାମ୍ବରରେ ଦେଖା କରିବାକୁ ଅଭିଷେକ ବାବୁଙ୍କୁ ଆମନ୍ତ୍ରଣ ଜଣାଇଲେ ସିଏ। ଶଙ୍କିତ ମନରେ ଅଭିଷେକ ବାବୁ ପ୍ରବେଶ କଲେ ବିଚାରପତିଙ୍କ ପ୍ରକୋଷ୍ଠରେ। କିଛି ସମୟ ପର୍ଯ୍ୟନ୍ତ ଅଖଣ୍ଡ ନିରବତା ବିରାଜମାନ କରୁଥିଲା ସେଠାରେ। ଯେଉଁ ଶିବାନୀଙ୍କୁ ଯୋବ୍ରା ଆନିକଟ ନିକଟରେ ହରାଇଥିବାର ଗ୍ଲାନିରେ ଚିରକୁମାର ବ୍ରତ ପାଳନ କରୁଥିଲେ ଆଜି ସେହି ଶିବାନୀ ଦେବୀ ସ୍ଵଦେହରେ ପ୍ରକଟିତ ହୋଇଥିଲେ କୋରାପୁଟ ଜିଲ୍ଲା ଆଦାଲତରେ ଏକ ସ୍ମରଣୀୟ ସାକ୍ଷାତର ଅବସରରେ... 



Rate this content
Log in

Similar oriya story from Inspirational