ଓଡ଼ିଆ ଗଳ୍ପ ଓ କବିତା - ୩

Classics Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics Inspirational

ସାଧୁବାଣୀର ପ୍ରଭାବ

ସାଧୁବାଣୀର ପ୍ରଭାବ

4 mins
7.3K


ଶିବ ପ୍ରସାଦ ବେହେରା

ଦୁଷ୍ଟ ମାଙ୍କଡଟିଏ ଜଙ୍ଗଲରେ ରହୁଥାଏ l ସେ ସର୍ବଦା ନିଜକୁ ବଡ ମନେକରେ l ସିଏ ଯାହା କହୁଛି ତାହା ଠିକ୍ ଏବଂ ସମସ୍ତେ ତା’କଥା ମାନିବା ଉଚିତ୍ ବୋଲି ମଧ୍ୟ ଭାବେ l ତେଣୁ ଅନ୍ୟମାଙ୍କଡ ମାନେ ତା’କୁ ନାପସନ୍ଦ କରନ୍ତି l ମାଙ୍କଡଟି କାହା ପ୍ରତି ଦୟା, ଓ ସହାନୁ ଭୁତି ଦେଖାଏ ନାହିଁ l ମାଙ୍କଡ ଦଳ ଠାରୁ ସେ ଅଲଗା ରହେ l ପ୍ରାୟତଃ ସିଏ ଏକ ବଡ ବରଗଛରେ ରାହୁଥାଏ l ଖାଦ୍ୟ ସଂଗ୍ରହରେ ଯୁଆଡେ ଗଲେ ମଧ୍ୟ ସଞ୍ଜ ସରିକି ଫେରି ଆସେ l ବରଗଛରେ ଅନେକ ଚଢେଇ ବସାବାନ୍ଧି ରହୁଥାନ୍ତି l ସେମାନଙ୍କୁ ଦୁଷ୍ଟ ମାଙ୍କଡ ହଇରାଣ ହରକତ କରେ l ଥରେ ମାଙ୍କଡ ଏକ ଆମ୍ବ ଗଛରେ ଏମିତି ଡିଆଁକୁଦା କଲା ଯେ, ବଣି ବସା କରିଥିବା ଡାଳଟି ମଡ୍ କିନା ଭାଙ୍ଗିଗଲା l ଭାଗ୍ୟଭଲ ଡାଳଟି ଗଛ ଦିହରେ ଲଟକି ଗଲା l ଏହା ଦେଖି ମାଆ ବଣି କାନ୍ଦ ବୋବାଳି ଛାଡିଲା l ଆଖପାଖରେ ଥିବା ପକ୍ଷୀମାନେ ତୁରନ୍ତ ଆସି ବଣି ସାବକ ଦୁଇଟିକୁ ଉଦ୍ଧାର କଲେ l କାଉ,କୋଇଲି, ଶୁଆ, ଶାରୀ,କଜଳପାତି ଇତ୍ୟାଦି ପକ୍ଷୀ ମିଳିମିଶି ମାଙ୍କଡକୁ ବହୁତ ଗାଳି ଫଜିତ୍ କଲେ l ନ ଶୁଣିଲା ଭଳି ଦୁଷ୍ଟ ମାଙ୍କଡ ସେଠାରୁ ଦେଲା ଚମ୍ପଟ l

ବରଗଛର ଏକ କୋରଡରେ ସୁନ୍ଦର ବସାଟିଏ l ସେଇଠି ଥାଆନ୍ତି ଦୁଇଟି ସୁନ୍ଦର ଶୁଆ ଶାବକ l ସେମାନଙ୍କ ଡେଣାରେ ଟିକିଏ ଟିକିଏ ପର ଗଜୁରି ଲାଣି l ମାଆ ଶୁଆ ଆହାର ଖୋଜି ଗଲା ବେଳେ ବାରମ୍ବାର ତାଗିତ୍ କରି କହିଛି, ‘’ ବସା ଛାଡି କୁଆଡେ ଯିବନି l ତୁମ ଡେଣାରେ ତାକତ୍ ଆସିନି, ଭଲ ରୂପେ ଉଡିପାରିବନି l ବରଗଛଠାରୁ ଖଣ୍ଡେ ଦୂରରେ ଛୋଟ ଝରଣା ଟିଏ କୁଳୁକୁଳୁ ନାଦରେ ଗୀତ ଗାଇ ନାଚି ନାଚି ବହି ଯାଉଛି l ଝରଣାର କିଛି ଜଳ ଆସି ଗୋଟିଏ ଖାଲୁଆ ଜାଗାରେ ଜମି ରହିଛି l ତମେ ଉଡି ଉଡି ଯାଇ ଯଦି ସେଇ ପାଣିରେ ପଡିବ, ତେବେ ରକ୍ଷା ନାହିଁ ! ଜୀବନ ଚାଲିଯିବ l ତେଣୁ ବସା ଛାଡି କୁଆଡେ ଯିବନି l’’ ଶୁଆ ଶାବକ ଦୁଇଟି କିନ୍ତୁ ନୂଆଁ ଦୁନିଆ ଦେଖିବାକୁ ଭାରି ବ୍ୟଗ୍ର l ନୀଡରୁ ମଥା ତୋଳି ନୀଳ ଆକାଶରେ ଶୋଭାଦେଖି ସେମାନେ ପୁଲକିତ ହୁଅନ୍ତି l ଫୁଲ ଫଳ ଥିବା ବିଭିନ୍ନ ଗଛଲତା ଦେଖି ତାଙ୍କ ମନ ଆନନ୍ଦରେ ନାଚି ଉଠେ l ତେଣୁ ସେ ଦୁହେଁ ବସାରୁ ବାହାରି ଖଣ୍ଡି ଉଡ଼ାଦେଲେ l ଏ ଡାଳରୁ ସେ ଡାଳକୁ ଗଲେ, ସେମାନଙ୍କୁ ଉଡିବାକୁ ଭାରି ମଜା ଲାଗିଲା l ଉଡୁ ଉଡୁ ଗୋଟେ ଶୁଆ ତଳକୁ ତଳକୁ ଖସିଲା l ଅନ୍ୟ ଶୁଆଟି କିରି୍ କିରି୍ କରି ଚିଲେଇ କହିଲା, ‘’ ଆରେ ବାପ୍ ରେ ! ତଳେ ଏତେ ପାଣି ! ଭାଇ ଉପରକୁ ଉଡିବାକୁ ଚେଷ୍ଟା କର l ଆଉ ଥରେ, ଆଉ ଥରେ l’’ ଶୁଆଟିର ସବୁ ଚେଷ୍ଟା ବିଫଳ ହେଲା l ସେ ଯାଇ ପାଣି ଉପରେ ପଡିଲା l, ଭାଗ୍ୟକୁ କେତୋଟି ଶୁଖିଲା ବରପତ୍ର ଉପରେ ଠିଆ ହେଲା l ପତ୍ର ଗୁଡିକ ପାଣିରେ ବୁଡିବା ଭଳି ହେବାରୁ ସେ ନିଜ ଡେଣା ଦୁଇଟିକୁ ଫଡ୍ ଫଡ୍ କରି ଠିଆ ହେବାକୁ ଚେଷ୍ଟା କଲା l ପାଖ ଆମ୍ବ ଗଛରେ ବସିଥିବା ସେଇ ଦୁଷ୍ଟ ମାଙ୍କଡଟି ଶୁଆ ଦୁଇଟି ଉପରେ ନଜର ରଖିଥିଲା l ସେ ଶୀଘ୍ର ବରଗଛ ମୂଳକୁ ଦୌଡିଲା ଏବଂ ଶୁଆ ଶାବକ ପାଖକୁ ଏକ ବାଉଁଶ ବାଡ଼ି ବଢାଇଲା l ଏହା ଦେଖି ଶୁଆ ଦୂରକୁ ଦୂରକୁ ଘୁଞ୍ଚିବାକୁ ଚେଷ୍ଟା କଲା l ମାଙ୍କଡ ମଧ୍ୟ ଶୁଆ ପାଖକୁ ପାଖକୁ ବାଡ଼ି ନେଲା l ଶୁଆ ଭାବିଲା,’’ ଦୁଷ୍ଟ ମାଙ୍କଡ ଆଜି ମୋତେ ନିଶ୍ଚୟ ପାଣିରେ ବୁଡାଇ ମାରିବ, ନ ହେଲେ ସିଏ ବାଡ଼ି ବଢାଉଛି କାହିଁକି ?’’

ଏହା ଦେଖି ଅନ୍ୟ ଶୁଆଟି କିର୍ କିର୍ ରାବିଲା l ବଣି ଚଢେଇ ଟିଏ ମଧ୍ୟ ଚିଁ ଚିଁ ରାବୀ ଫୁର୍ ର କିନା ଉଡିଗଲା ଏବଂ ମାଆ ଶୁଆକୁ ଭେଟି କୁନି ଶୁଆର ଅସୁବିଧା ବିଷୟରେ ଗୋଟି ଗୋଟି ସବୁକଥା କହିଲା l ସବୁଶୁଣି ମାଆ ଶୁଆ ଦୁଃଖରେ କାନ୍ଦି ପକାଇ କହିଲା, ‘’ ମୋ ଛୁଆକୁ ଦୁଷ୍ଟ ମାଙ୍କଡ ଆଜି ନିଶ୍ଚୟ ମାରି ଦେଇଥିବ ! ମୁଁ ଏଇଲେ କ’ଣ କରିବି ?’’ ବସା ପାଖରେ ପହଞ୍ଚି ମାଆ ଶୁଆ ଯାହା ଦେଖିଲା, ନିଜ ଆଖିକୁ ବିଶ୍ଵାସ କରିପାରିଲା ନାହିଁ l ମାଙ୍କଡ ହାତରେ ବାଉଁଶ ବାଡ଼ି, ସେଥିରେ ବସିଛି କୁନି ଶୁଆ l ଧୀରେ ଧୀରେ ମାଙ୍କଡ ସୁଆକୁ ଧରିଲା ଏବଂ ଗଛର ଏକ ସୁରକ୍ଷିତ ଜାଗାରେ ଛାଡିଲା l ମାଆ ଶୁଆ ଉଡିଯାଇ ଛୁଆ ପାଖରେ ପହଞ୍ଚିଲା ଏବଂ ନିଜର ଦୁଇଡ଼େଣା ମଝିରେ ଛୁଆକୁ ଆଉଜାଇ ନେଲା l ତା’ ଆଖିରୁ ଆନନ୍ଦର ଅଶୃ ନିଗିଡି ପଡିଲା l ନିଜ ଛୁଆର ଜୀବନ ରକ୍ଷା କରିଥିବା ଯୋଗୁଁ ମାଆ ଶୁଆ ମାଙ୍କଡକୁ ଗଭୀର କୃତଜ୍ଞତା ଜଣାଇଲା l ସେଠାରେ ଉପସ୍ଥିତ ଥିବା ପକ୍ଷୀମାନେ କିଚିରି ମିଚିରି ଶବ୍ଦ କରି ମାଙ୍କଡକୁ ପ୍ରଶଂସାରେ ପୋତି ପକାଇଲେ l

ଡାମରା କାଉ ତା କର୍କଶ ସ୍ଵରକୁ ଯଥାସମ୍ଭବ ନରମ କରି କଅଁଳେଇ ପଚାରିଲା,’’ହେ... ହନୁ ମଉସା ! ତୁମେ ଏତେ ଶୀଘ୍ର କିପରି ବଦଳିଯାଇ ଏତେ ଭଲ ହୋଇଗଲ ସେ କଥାଟିକେ ବିସ୍ତାରିକି କୁହ l ଦାନ୍ତକୁ ଦେଖେଇ ଲାଜେଇ ମାଙ୍କଡ କହିଲା – ମୁଁ ଦିନେ ଗୁରୁକୁଳ ଆଶ୍ରମରେ ଏକ ଆମ୍ବ ଗଛରେ ଚୁପ୍ ଚାପ୍ ବସିଥାଏ l ସାଧୁ ଜଣଙ୍କ ଶିଷ୍ୟ ମାନଙ୍କୁ ବୁଝାଉଥାନ୍ତି, ‘’ ଆମେ ଅନ୍ୟକୁ ସାହାଯ୍ୟ କଲେ ଭଗବାନ ମଧ୍ୟ ଆମକୁ ସାହାଯ୍ୟ କରିବେ l ଆମେ ଭଲ ହେଲେ ଦୁନିଆ ମଧ୍ୟ ଆମ ପାଇଁ ଭଲ ହୋଇଯିବ l ‘’ ଏହି ସାଧୁବାଣୀ ଶୁଣି ମୁଁ ମାଙ୍କଡ଼ ହେଲେ ମଧ୍ୟ ମୋ ମନରେ ଦିବ୍ୟ ଭାବନା ଜାତ ହେଲା l ସେଦିନ ହିଁ ମୁଁ ଭଲ ହେବା ପାଇଁ ଶପଥ ନେଲି ଏବଂ ନିଜକୁ ବଦଳାଇ ପାରିଲି l ଏହା ଶୁଣି ଚଢେଇ ମାନେ କଳରବ କରି ହନୁ ମାଙ୍କଡର ଜୟ ଜୟ କଲେ l


Rate this content
Log in

Similar oriya story from Classics