STORYMIRROR

Bimala Sankar Dash

Tragedy Children

3  

Bimala Sankar Dash

Tragedy Children

ସ୍ୱପ୍ନ ଭଙ୍ଗ

ସ୍ୱପ୍ନ ଭଙ୍ଗ

4 mins
232

         

ମହାମାରୀ କରୋନା ପ୍ରକୋପରେ ଅନେକ ଦିନ ସ୍କୁଲ୍ ବନ୍ଦ ପଡି ରହିଥିଲା । ଅନଲାଇନ୍ ମାଧ୍ୟମରେ କାଁ ଭାଁ କେତେଜଣ ପିଲାଙ୍କ ସହ ଯୋଡି ହୋଇ ରହିଥିଲେ ମଧ୍ୟ ସମସ୍ତଙ୍କ ପାଖରେ ମୋବାଇଲ୍ ଉପଲବ୍ଧ ନଥିବା କାରଣରୁ ଦାସମାଷ୍ଟ୍ରେ ସବୁ ପିଲାଙ୍କ ପାଖରେ ପହଞ୍ଚି ପାରୁନଥିଲେ । ଦାସମାଷ୍ଟ୍ରେ ପ୍ରାର୍ଥନା କରୁଥିଲେ ସବୁକିଛି ଶୀଘ୍ର ଠିକ୍ ହୋଇଯାଉ ...ଭୂତାଣୁର ପ୍ରକୋପ କମିଯାଉ ..ବିଦ୍ୟାଳୟ ପୁଣିଥରେ ଚଳ ଚଞ୍ଚଳ ହୋଇଉଠୁ .. ସମୟଗୁଡାକ କର୍ମ ମୁଖର ହୋଇପଡୁ । 


ତାଙ୍କ ପାଇଁ ତମାମ୍ ଚିନ୍ତା ବ୍ୟଥା ଦୂର ହୋଇଯିବାର ନିଦାନ କେନ୍ଦ୍ର ଥିଲା ଶ୍ରେଣୀଗୃହ । ପିଲାମାନଙ୍କୁ ଶ୍ରେଣୀଗୃହରେ ପାଠ ପଢାଉଥିବା ବେଳେ ଭୁଲି ଯାଆନ୍ତି ନିଜର ସକଳ ସମସ୍ୟା । ପିଲାମାନଙ୍କ ହସହସ ସରଳ ନିଷ୍କପଟ ମୁହଁର ପ୍ରତିଛବି ଦର୍ଶନ ପାଇଁ ସତେ ଯେମିତି ସେ ବ୍ୟାକୁଳିତ ହୋଇ ପଡୁଥିଲେ ଶ୍ରେଣୀଗୃହ ଶିକ୍ଷାଦାନ ବ୍ୟାଘାତ କାରଣରୁ । ଏହାଛଡା ପୁଅ କରୋନାରେ ଆକ୍ରାନ୍ତ ହୋଇଥିବା କାରଣରୁ ତାର ଚିକିତ୍ସା ପାଇଁ ସେ ହେଡ୍ କ୍ୱାର୍ଟର୍ସ ଛାଡି ସହର ଯାଇଥିବା କାରଣରୁ ଚାହିଁଲେ ବି ପିଲାଙ୍କ ଘରକୁ ଯାଇପାରନ୍ତିନି ।

 

ଯାହା ହେଉ କିଛି ମାସ ପରେ ପ୍ରକୋପ ଟିକେ କମିବାରୁ ଅନେକ କଟକଣା ଭିତରେ ସ୍କୁଲ୍ ପୁଣି ଥରେ ଖୋଲିଲା । ଉତ୍ସାହିତ ହୋଇ ଦାସମାଷ୍ଟ୍ରେ ଶ୍ରେଣୀ କକ୍ଷକୁ ଅନେକ ଦିନ ପରେ ପ୍ରବେଶ କଲେ । ଭାବୁଥିଲେ ପିଲାମାନେ ତାଙ୍କୁ ଅନେକଦିନର ବ୍ୟବଧାନ ପରେ ଦେଖୁ ଥିବାରୁ ଉତ୍ ଫୁଲିତ ହୋଇ ଯିବେ । କିନ୍ତୁ ସେପରି କିଛି ସେ ଲକ୍ଷ୍ୟ କରି ପାରିଲେନି ପିଲାମାନଙ୍କ ଚେହେରା ଓ ଚାହାଣୀରୁ । ଶ୍ରେଣୀ କକ୍ଷରେ ପିଲାମାନଙ୍କ ବିଷଣ୍ଣ ବଦନ ଦେଖି ସେ ମର୍ମାହତ ହୋଇ ପଡିଲେ । କୈଶୋର କଳିକାଗୁଡିକର ଚେହେରାରେ ନା ଥିଲା ସରସତା ନା ଥିଲା ସବୁଜତା । 


ବୋଧହୁଏ ଏତେଦିନ ସ୍କୁଲ୍ ବନ୍ଦ ପଡି ରହିଥିବା କାରଣରୁ ସମାନଙ୍କ ମନରେ ଅଭିମାନ ଜମାଟ ବାନ୍ଧି ରହିଛି - ସେ ଚିନ୍ତା କଲେ ।


ଟିକିଏ ପରିସ୍ଥିତକୁ ହାଲୁକା କରିବା ପାଇଁ ହାସ୍ୟରୋଳର ପରିବେଶ ସୃଷ୍ଟି କରିବାକୁ କେତେ ପ୍ରକାର ଚେଷ୍ଟା କରି ମଧ୍ୟ ଏଥିରେ ସେ ସଫଳ ହୋଇ ପାରିଲେନି ।


ଶେଷରେ ଦାସମାଷ୍ଟ୍ରେଙ୍କୁ ମନେ ପଡିଗଲା ଶ୍ରେଣୀରେ ପଢୁଥିବା ହର୍ଷିତ୍ କଥା । ସ୍ନେହରେ ତା'କୁ ହସ ପେଡ଼ି ବୋଲି ସମ୍ବୋଧନ କରୁଥିଲେ । ଏତେଟା ଭଲ ପାଠ ନ ହେଉଥିଲେ ବି ସେ ସ୍କୁଲ୍ ନିୟମିତ ଆସେ । ତା' ସ୍ୱଭାବ ପାଇଁ ସେ ଥିଲା ସମସ୍ତଙ୍କ ପ୍ରିୟ । 


କିଛି ପିଲା ଥାଆନ୍ତି ବୟସ ତୁଳନାରେ ସେମାନେ ଅଧିକା ପରିପକ୍ବ । ଅଳ୍ପ ବୟସରୁ ସଂସାର ଜଂଜାଳ କଥା ଶିଖି ଯାଆନ୍ତି । ଦୁଃଖରେ ଭାଙ୍ଗି ନ ପଡି ସାହସର ସହ ବଞ୍ଚିବାର କଳା ଶିଖି ଯାଆନ୍ତି । ମନର ମରମତଳେ କଥା ବ୍ୟଥାକୁ ଲୁଚାଇ ହସ ଫୁଟାଇ ପାରନ୍ତି । ଠିକ୍ ସେମିତି ହିଁ ଥିଲା ବାପା ମାଆ ଛେଉଣ୍ଡ ହର୍ଷିତ୍ । ବୁଢ଼ୀ ଆଇମାଙ୍କ ସ୍ନେହ ଓ ଏକମାତ୍ର ବଡ ଭଉଣୀଙ୍କ ଶ୍ରଦ୍ଧାକୁ ଉପଜୀବ୍ୟ କରି ଜିଇଁବା ଶିଖିଯାଇଛି ସେ । ଅଭାବ- ଅସୁବିଧା, ଦୁଃଖ-ଶୋକକୁ ପଛରେ ପକାଇ ମୁହଁରେ ହସ ଫୁଟାଇ ପାରିଛି । 


ଦଶମ ଶ୍ରେଣୀର ପଢୁଥିବା ପିଲାଟିର ବୟସ ବା କେତେ, ଚଉଦ କି ପନ୍ଦର ହେବ । ଅଥଚ ପ୍ରତିକୂଳ ପରିସ୍ଥିତି ସକାଶେ ପଚିଶି ବର୍ଷର ଜୁଆନ ଟୋକାର ଆତ୍ମା ତା' ଭିତରେ ଭରି ହୋଇ ଯାଇଛି । ଘର ଖର୍ଚ୍ଚ ତୁଲାଇବା ପାଇଁ ଛୋଟିଆ ଚାହା ଦୋକାନ । ସକାଳୁ ଓ ସଂଜରେ ଚାହା ଦୋକାନ ଖୋଲେ । ଯେତିକି ମିଳେ ସେଥିରୁ ଘର ଖର୍ଚ୍ଚ ତୁଲାଏ, ଭଉଣୀର ବାହାଘର କରିବା ପାଇଁ ସ୍ୱପ୍ନ ସାଇତେ । ଦିନରେ ସ୍କୁଲ ଆସେ । ଦାସମାଷ୍ଟ୍ରେ ତାକୁ ପୋଷ୍ୟପୁତ୍ର ଭାବେ ପାଳନ ନ କରିପାରିଥିଲେ ସୁଦ୍ଧା ସୁବିଧା ଅସୁବିଧା ସମୟରେ ବାପ ପରି ତା ଦାୟିତ୍ୱ ବୁଝୁଥିଲେ । ପାଠ ପଢ଼ା ପାଇଁ ଯାହା ଖର୍ଚ୍ଚ ସେସବୁ ଦାସମାଷ୍ଟ୍ରେ ତା ଅଜାଣତରେ ବୁଝି ନିଅନ୍ତି । ହର୍ଷିତ୍ ସାନ ହେଲେ ବି ଏତେ ସ୍ବାଭିମାନ ଯେ କେବେ କାହା ପାଖରେ ହାତ ପତାଏନି । ଆପଣା ହାତ୍ ଜଗନ୍ନାଥ ନ୍ଯାୟରେ ପରିଶ୍ରମ କରି ବଞ୍ଚିବା ଉପରେ ସେ ବିଶ୍ୱାସ ରଖେ । ହର୍ଷିତର ଏ ସ୍ୱଭାବ ପାଇଁ ଦାସମାଷ୍ଟ୍ରେଙ୍କ ସେ ଖୁବ୍ ପ୍ରିୟ ।


ଥଟ୍ଟା ମଜା ଚୁଟକୁଲା କହି ଓ ଅଭିନୟ କରି ହସେଇବାରେ ସେ ମାହିର୍ । ଏଥିପାଇଁ ସେ ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଛି । 


ସେଦିନ ଦାସମାଷ୍ଟ୍ରେ କିଛି ମଜା କଥା କହି ସମସ୍ତଙ୍କୁ ହସେଇବା ପାଇଁ, ହସ ପେଡ଼ି ହର୍ଷିତକୁ ଶ୍ରେଣୀ କକ୍ଷରେ ଖୋଜିଲେ । କିନ୍ତୁ ସେ ଦେଖା ଯାଉନଥାଏ । ଏମିତି ଖୁବ୍ କମ୍ ଦିନ ଆସିଛି ଯେଉଁ ଦିନ ହର୍ଷିତ୍ ସ୍କୁଲ୍ ଆସିନି ...


ଆଶ୍ଚର୍ଯ୍ୟ ପ୍ରକଟ କରି କହିଲେ - ଆଜି ହର୍ଷିତ ସ୍କୁଲ ଆସିନି, ସେ କ'ଣ ଜାଣିନି ସ୍କୁଲ୍ ଆରମ୍ଭ ହୋଇଗଲା ବୋଲି ..ତା ଖବର କାହା ପାଖରେ ରହିଛି...


କେହି କିଛି ଜବାବ୍ ନ ଦେଇ ଉଦାସୀ ଆଖିରେ ଚାହିଁବାକୁ ଲାଗିଲେ । କେହି କିଛି କହୁନଥିବାର ଦେଖି ଦାସମାଷ୍ଟ୍ରେ ସାମାନ୍ୟ କ୍ରୋଧିତ ହୋଇ ପୁଣିଥରେ ହର୍ଷିତ ସମ୍ପର୍କରେ ପାଟିକରି ପଚାରିଲେ ।


 ଜଣେ କେହି ଛାତ୍ର ଲୁହ ଛଳ ଛଳ ହୋଇ କହିଲା - ଗପ ପେଡ଼ିର ଗପ ସରିଗଲା ସାର୍...ସେ ଆଉ କବେ ବି ଆମକୁ ତା' ଗପପେଡିରୁ ମଜା ମଜା ଗପ ଶୁଣେଇବନି । 

କରୋନା ଆକ୍ରାନ୍ତ ହୋଇ ସେ ଆର ପାରିକି ଚାଲି ଯାଇଛି ଗତ କାଲି.... 


ଏ କଥା ଶୁଣି ଦାସମାଷ୍ଟ୍ରେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ । ମନେ ମନେ କହୁଥିଲେ ତାଙ୍କ ଗପ ପେଡ଼ିର ଗପ ମଧ୍ୟ ସରି ଯାଇଛି । ଆଉ କିଛି ନୂଆ ଗପ ପିଲାମାନଙ୍କ ସହ, ବିଶେଷ କରି ହର୍ଷିତ୍ ସହ ଆରମ୍ଭ କରି ନିଜ ଖାଲି ଗପ ପେଡିରେ ହସ ଟିକକ ଭରିବାକୁ ଆଶା ବାନ୍ଧିଥିଲେ କିନ୍ତୁ ଏଇଠି ବି ସେଇ କରୋନାର କରୁଣ ଗପ ତାଙ୍କୁ ଶୁଣିବାକୁ ପଡିଥିଲା ... 


କିଛି ମାସ ତଳେ କରୋନାରେ ନିଜ ଏକମାତ୍ର ପୁଅକୁ ହରାଇ ଦେଇ ଯେଉଁ ଅସରା ଦୁଃଖ ପାଇଥିଲେ ହର୍ଷିତ୍ କଥା ଶୁଣି ସେଇ ଦୁଃଖ ଆହୁରି ତାଜା ହୋଇ ଗଲା । ସେ ଦୁଃଖରେ ସମ୍ପୂର୍ଣ୍ଣ ବିଗଳିତ ହୋଇ ପୁରା ଶ୍ରେଣୀ ଗୃହରେ ଭୋ ଭୋ କାନ୍ଦିବାକୁ ଲାଗିଲେ ।


ଖାଲି ଗପ ପେଡ଼ି ସାଙ୍ଗରେ ଧରି ଦାସ ମାଷ୍ଟ୍ରେ ଶ୍ରେଣୀଗୃହରୁ ଫେରିଲାବେଳେ ତାଙ୍କ ସର୍ବାଙ୍ଗ ଶରୀର ବିଷାଦରେ ବୋଳି ହୋଇ ଯାଉଥାଏ । ଅନ୍ତରାତ୍ମାରେ ପୁଅ ବୋଲି ମାନି ନେଇଥିବା ହର୍ଷିତ୍ ପାଇଁ ଉପହାର ସ୍ୱରୂପ ଆଣିଥିବା ପୋଷାକକୁ ଏବେ କ'ଣ କରିବେ କିଛି ବି ଚିନ୍ତା କରି ପାରୁ ନ ଥିଲେ ଦାସମାଷ୍ଟ୍ରେ..... !!!  



Rate this content
Log in

Similar oriya story from Tragedy