STORYMIRROR

Aravinda Das

Abstract

3  

Aravinda Das

Abstract

ସ୍ୱାଇନ ଫ୍ଲୁ

ସ୍ୱାଇନ ଫ୍ଲୁ

1 min
15.1K


ଦୁଇ ଦିନ ହେଲାଣି ନିର୍ମଳାଙ୍କୁ ଜର। ତା ସହିତ ଥଣ୍ଡା କାଶ। ନାକରୁ କଞ୍ଚା ପାଣି ଗଡୁଛି ।ଭାଇରାଲ ବୋଲି ଔଷଦ଼ ଖାଉଥିଲେ। ଆଜି ଡାକ୍ତର ସବୁ ଟେଷ୍ଟ କରିବାକୁ କହିଛି।

   "ମୋତେ ଲାଗୁଛି ତମ ବୋଉଙ୍କୁ ସ୍ବାଇନ ଫ୍ଲୁ ହୋଇଛି।ବଣ୍ଟିକୁ ନେଇ ମୁଁ କଟକ ଆମ ଘରକୁ ଯାଉଛି ।ଏଠି ରହିଲେ ବଣ୍ଟି ଓ ମୋତେ ଡେଇଁପାରେ । ଶୀଘ୍ର ତାଙ୍କୁ କେଉଁ ହସ୍ପିଟାଲରେ ଆଡ଼ମିଟ କରିଦିଅ।"

        ସ୍ତ୍ରୀ ମୋନା କଥା ଶୁଣି ଚୁପ୍ ରହିଲା ସମ୍ବିତ। କଣ କହିବ ସେ ଜାଣି ପାରୁନଥିଲା। ଏବେ ସ୍ୱାଇନ ଫ୍ଲୁକୁ ନେଇ ଚାରିଆଡେ ଚର୍ଚ୍ଚା । କେତେ ଲୋକ ମଲେଣି । ଭୟର ଏକ ଶୀତଳ ଆଶଙ୍କା ସମ୍ବିତର ଦେହରେ ସଂଚରି ଗଲା।

  "ବୋଉର ରିପୋର୍ଟ ଆସିବା ଯାଏଁ ଅପେକ୍ଷା କର । ଏମିତି ତରବର ହୋଇ ଯିବା ଠିକ ନୁହେଁ । କଟକରେ ବି ସ୍ବାଇନ ଫ୍ଲୁ ବ୍ୟାପିଛି ପରା।"

     "ଆମ ଘରେ ମୁଁ ଓ ବଣ୍ଟି ଏକଦମ ନିରାପଦ । ଏଠି ବୋଉଙ୍କ ଲକ୍ଷଣ ସବୁ ଦେଖିଛ ତ ? ଡିଆଁ ରୋଗ ଏଇଟା। ତମେ ବି ମୁହଁରେ ମାସ୍କ ପିନ୍ଧି ଟିକେ ଦୁରେଇ ରୁହ । ଜାଣି ଶୁଣି କିଏ ଯମକୁ ଆଣି ବେକରେ ଓହଳାଇବ ?"

          ସପ୍ତାହେ ପରେ ନିର୍ମଳା ହସ୍ପିଟାଲର ସ୍ୱାଇନ ଫ୍ଲୁ ୱାର୍ଡର ଶୂନଶାନ କରିଡରରେ ଠିଆ ହୋଇଥିଲେ। ନର୍ସ ଆସି କହିଲା, " ମାଉସୀ ,ବୁଢ଼ୀ ମଣିଷ ଆପଣ । ଏଠି ବେଶୀ ସମୟ ରୁହନ୍ତୁନି । ବଡ଼ ଭୟଙ୍କର ବେମାରି ଏଇଟା"

  ଶୁଖିଲା ହସଟେ ମୁହଁରେ ଖେଳାଇ ନିର୍ମଳା କହିଲେ,"ମୋ ବୋହୁ ଆଡ଼ମିଟ ହୋଇଛି ବୋଲି ତାକୁ ଦେଖିବା ପାଇଁ ଗାଁରୁ ଚାଲି ଆସିଲି । ସମ୍ପର୍କର ତିକ୍ତତା ,ସ୍ୱାଇନ ଫ୍ଲୁ ଠୁ ଅଧିକ ଭୟଙ୍କର । ଏ ସମୟରେ ନିଜ ଲୋକକୁ ପାଖରେ ଦେଖିଲେ ରୋଗୀର ଦେହ ଶୀଘ୍ର ଭଲ ହୋଇଯାଏ । ଭଗବାନ ତାକୁ ଜଲଦି ଭଲ କରିଦିଅନ୍ତୁ।"

   ସ୍ୱାଇନ ଫ୍ଲୁ ୱାର୍ଡର କାଚ କବାଟ ଭିତରୁ ମୋନା ସ୍ପଷ୍ଟ ଦେଖି ପାରୁଥିଲା ବାହାରେ ଠିଆ ହୋଇଥିବା ନିଜ ଶାଶୁଙ୍କୁ । ପ୍ରାୟଶ୍ଚିତର ଲୁହରେ ଓଦା ହୋଇଯାଉଥିଲା ତା ଆଖି।

(ଅରବିନ୍ଦ ଦାସ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract