KSHIRADRI SAHU

Drama

4.6  

KSHIRADRI SAHU

Drama

ରୁକ୍ମିଣୀ ହରଣ ଓ ବିବାହ

ରୁକ୍ମିଣୀ ହରଣ ଓ ବିବାହ

8 mins
333



ବିଦର୍ଭ ଦେଶର ରାଜା ଥିଲେ ଭୀଷ୍ମକ । ତାଙ୍କର ପାଞ୍ଚ ପୁଅ ଥିଲେ ଏବଂ ଗୋଟିଏ ମାତ୍ର ଅତୀବ ସୁନ୍ଦରୀ କନ୍ୟା ଥିଲା । ପୁତ୍ରମାନେ ହେଲେ ଯଥା କ୍ରମେ ରୁକ୍ମି, ଋକ୍ମରଥ, ଋକ୍ମବାହୁ,ଋକ୍ମକେଶ ଓ ଋକ୍ମମାଳି । ବିଦର୍ଭ ରାଜ ପ୍ରସାଦକୁ ଆସୁଥିବା ଲୋକମାନଙ୍କ ଠାରୁ ରୁକ୍ମିଣୀ ଦ୍ୱାରିକାଧିଶ କୃଷ୍ଣଙ୍କ ରୂପ ମାଧୁରୀ,ଗୁଣ,କାର୍ଯ୍ୟ ଓ ଐଶ୍ବର୍ୟ୍ଯର ପ୍ରଶଂସା ଶୁଣି ତାଙ୍କ ପ୍ରତି ଏକାନ୍ତ ଆକର୍ଷିତ ହୋଇ ମନେ ମନେ ତାଙ୍କୁ ନିଜ ପତି ରୂପେ ସ୍ଥିର କରି ନେଲେ । ଭଗବାନ ଶ୍ରୀକୃଷ୍ଣ ମଧ୍ୟ ରୁକ୍ମିଣୀଙ୍କ ବୁଦ୍ଧି,ରୂପ,ଶିଳ ଓ ଗୁଣ ବିଷୟ ଶୁଣି ସେ ତାଙ୍କର ଉପଯୁକ୍ତ ପତ୍ନୀ ହେବେ ବୋଲି ସ୍ଥିର କରି ନେଇଥିଲେ । ରୁକ୍ମିଣୀଙ୍କ ବିବାହ ଶ୍ରୀକୃଷ୍ଣଙ୍କ ସହିତ କରିବାକୁ ରାଜା,ରାଣୀ ଓ ସବୁ ଭାଇମାନେ ରାଜି ଥିଲେ । କିନ୍ତୁ କୃଷ୍ଣ ଦ୍ଵେଷୀ ବଡ଼ଭାଈ ରୁକ୍ମି ଏଥିରେ ରାଜି ନ ଥିଲା । ସେ ଦମଘୋଷଙ୍କ ପୁତ୍ର ଶିଶୁପାଳଙ୍କ ସଙ୍ଗେ ଭଉଣୀ ରୁକ୍ମିଣୀର ବିବାହ ଚାହୁଁ ଥିଲା । ଏହା ଜାଣି ରୁକ୍ମିଣୀଙ୍କ ମନରେ ବଡ଼ କଷ୍ଟ ହେଲା । ସେ ଜଣେ ବିଶ୍ୱସ୍ତ ବ୍ରାହ୍ମଣଙ୍କ ହସ୍ତରେ ପତ୍ରଟିଏ ଦେଇ ଶ୍ରୀକୃଷ୍ଣଙ୍କ ନିକଟକୁ ପଠାଇଲେ । 

ବ୍ରାହ୍ମଣ ଦ୍ୱାରକାରେ ପହଞ୍ଚିବା ମାତ୍ରେ ତାଙ୍କୁ ଦ୍ୱାର ପାଳ ମାନେ ପାଛୋଟି ନେଲେ । ସେ ଶ୍ରୀକୃଷ୍ଣଙ୍କୁ ସ୍ବର୍ଣ୍ଣ ସିଂହାସନରେ ବସି ଥିବାର ଦେଖିଲେ । କୃଷ୍ଣ ବ୍ରାହ୍ମଣଙ୍କୁ ଦେଖି ଆସନରୁ ଉଠିପଡ଼ି ତାଙ୍କୁ ନେଇ ଉପଯୁକ୍ତ ଆସନରେ ବସାଇଲେ ଓ ଦେବପୂଜ୍ୟ ବିପ୍ରଙ୍କର ଯଥାଵିଧି ପୂଜାକଲେ । ବିପ୍ର ଖାଇ ପିଇ ବିଶ୍ରାମ କରିବା ପରେ କୃଷ୍ଣ ତାଙ୍କ ପାଖକୁ ଯାଇ ହାତରେ ତାଙ୍କର ଦୁଇ ପାଦକୁ ଆଉଁସି ଦେଲେ ଓ ତାଙ୍କର କୁଶଳ ଜିଜ୍ଞାସା କଲେ । ସେ ବ୍ରାହ୍ମଣଙ୍କୁ କହିଲେ ମୁଁ ସର୍ବଦା ସନ୍ତୁଷ୍ଟ,ପ୍ରାଣୀଙ୍କ ହିତକାରି, ନିରହଂକାର, ସାଧୁ,ଶାନ୍ତ ବ୍ରାହ୍ମଣ ମାନଙ୍କୁ ସର୍ବଦା ମୁଣ୍ଡ ନୁଆଇଁ ଥାଏ । ଯେଉଁ ରାଜାଙ୍କ ରାଜୁତିରେ ପ୍ରଜାମାନେ ପୁତ୍ର ପରି ପାଳିତ ହୁଅନ୍ତି ସେ ରାଜା ମାନେ ମୋର ପ୍ରୀୟ । ଆପଣ ଯେଉଁ ଠାରୁ ଓ ଯେଉଁ ଇଛାରେ ଦୁର୍ଗମ ସମୁଦ୍ରପଥ ପାର ହୋଇ ଏଠାକୁ ଆସିଛନ୍ତି ତାହା ଯଦି ଗୋପନୀୟ ହୋଇ ନଥାଏ ମୋତେ ଜଣାନ୍ତୁ । ମୁଁ ଆପଣଙ୍କ କି କାର୍ଯ୍ୟ କରି ପାରିବି ତାହା ମୋତେ ଜଣାନ୍ତୁ । ଲୀଳାମୟ ଶ୍ରୀକୃଷ୍ଣ ତ ସବୁ କଥା ଜାଣନ୍ତି । ତଥାପି ତାଙ୍କର ଏ ବିନୟ ପୂର୍ଣ୍ଣ ବାକ୍ୟରେ ମୁଗ୍ଧ ହୋଇ ବ୍ରାହ୍ମଣ ସବୁ କଥା କହିଲେ ।


ବ୍ରାହ୍ମଣ ତା ପରେ ରୁକ୍ମିଣୀଙ୍କ ସନ୍ଦେଶ ଶ୍ରୀକୃଷ୍ଣଙ୍କୁ ଶୁଣାଇ କହିଲେ ବିଦର୍ଭନନ୍ଦିନୀ ରୁକ୍ମିଣୀ କହିଛନ୍ତି, " ତୁମର ଯେଉଁ ଗୁଣାବଳୀ ଶୁଣିଲେ ଶ୍ରୋତାଙ୍କ କର୍ଣ୍ଣ ପଥ ପବିତ୍ର ହୁଏ,ଯେଉଁ ରୁପକୁ ଦେଖିଲେ ଚକ୍ଷୁସ୍ମାନ ବ୍ୟକ୍ତି ଚକ୍ଷୁଲାଭ କରେ, ସେହି ରୂପ ଗୁଣ କଥା ଶୁଣି ମୋର ସମସ୍ତ ଲଜ୍ଜା ଦୂର ହୋଇ ଯାଇଛି ଏବଂ ତୁମଠାରେ ହିଁ ମୋର ଚିତ୍ତ ଲାଗି ରହିଛି । ଆପଣ କୂଳ,ଶୀଳ, ରୂପ, ବିଦ୍ୟା ଆଦି ସବୁ ବିଷୟରେ ଅତୁଳନୀୟ । ତୁମେ ହିଁ ତୁମର ତୁଳନୀୟ । କେଉଁ ସତକୁଳରେ ଜନ୍ମ ହୋଇଥିବା ବିବାହଯୋଗ୍ୟା କନ୍ୟା ତୁମପରି ସୁନ୍ଦର ପୁରୁଷକୁ ପତି ରୂପେ ବରଣ ନ କରିବ । ହେ ପ୍ରିୟତମ ମୁଁ ତୁମକୁ ପତି ରୂପେ ବରଣ କରି ସାରିଛି । ଏଣୁ ହେ ପ୍ରଭୁ ! ତୁମେ ଆସି ତୁମର ଏ ଚରଣ ଦାସୀକୁ ଘେନିଯାଅ । ସିଂହର ବଳିକୁ ଶୃଗାଳ ସ୍ପର୍ଶ କଲା ତୁଲ୍ୟ ଶିଶୁପାଳ ଆସି ମୋତେ ସ୍ପର୍ଶ ନକରୁ । ମୁଁ ଯଦି କାୟ ମନୋ ବାକ୍ୟରେ ଗୁରୁ,ବ୍ରାହ୍ମଣ,ଦେବ,  ବ୍ରହ୍ମଙ୍କ ସତ ସେବା କରି ଥାଏ ତେବେ ଭଗବାନ ଶ୍ରୀକୃଷ୍ଣ ଆସି ମୋର ପାଣି ଗ୍ରହଣ କରନ୍ତୁ । କାଲି ମୋର ବିବାହ ହେବାକୁ ଯାଉଛି । ଆପଣ ଦିନକ ପୂର୍ବରୁ ଆସି ବିଦର୍ଭରେ ପହଞ୍ଚନ୍ତୁ । ଶିଶୁପାଳ ଓ ଜରାସନ୍ଧର ସୈନ୍ୟବଳକୁ ଆପଣ ମଥିତ କରି ମୋତେ ରାକ୍ଷସଵିଧି ଅନୁସାରେ ବିବାହ କରନ୍ତୁ । ଏଠାରୁ ଆପଣ ମୋତେ କେମିତି ନେବେ ତା'ର ମଧ୍ୟ ଉପାୟ ଜଣାଇ ଦେଉଛି । ବିବାହ ପୂର୍ବଦିନ ଆମ କୁଳଦେବୀ ମା' ଅମ୍ବିକାଙ୍କ ପୂଜାହେବ । ମୁଁ ମାଆଙ୍କ ପୂଜା କରିବା ପାଇଁ ତାଙ୍କ ମନ୍ଦିରକୁ ଯାଇ ଥିବି । ଆପଣ ସେହିଠାରୁ ମୋତେ ହରଣ କରି ନେବେ । ଆପଣଙ୍କ ଚରଣ କମଳ ତଳେ ଏ ବିଶ୍ୱ ଚରାଚର ପ୍ରାଣୀ ଆଶ୍ରୟ ଲୋଡ଼ିଥାନ୍ତି । ମୁଁ ସେହି  ଶ୍ରୀଚରଣ ଦାସୀ ହେବାକୁ ଚାହେଁ । ମୁଁ ତୁମର ଅନୁଗ୍ରହ ଲାଭ ନ କଲେ ପ୍ରାଣତ୍ୟାଗ କରିବି ଏହା ଧ୍ରୁବ ସତ୍ୟ ।" ଏ ସନ୍ଦେଶ ଦେଇ ସେ ମୋତେ ଦ୍ୱାରିକା ପଠାଇଛନ୍ତି ।

     ବୋଲଇ ଶୁଣ ବିପ୍ରମଣି ।

         ଦ୍ୱାରିକା ଯାଅ ଏହିକ୍ଷଣି ।।

              ଯେବେ ଆସିବେ ଚକ୍ରଧର ।

                 ତେବେ ସେ ଜୀବନ ମୋହର ।।

                 ବ୍ରାହ୍ମଣ ଦେବତା କହିଲେ, ହେ ଯଦୁପତି ! ମୁଁ ବିଦର୍ଭ ରାଜ ନନ୍ଦିନୀଙ୍କଠାରୁ ଏହି ସନ୍ଦେଶ ନେଇ ଆସିଛି । ଯାହା କରଣୀୟ ଯଦି ଉଚିତ ମଣୁଥାନ୍ତି ତେବେ ବିହିତ ବ୍ୟବସ୍ଥା କରିବା ହେବେ ।


                 ଯଦୁପତି ବ୍ରାହ୍ମଣଙ୍କଠାରୁ ରୁକ୍ମିଣୀଙ୍କ ସନ୍ଦେଶ ଶୁଣି ସ୍ମିତହାସ୍ୟ କରି କହିଲେ,ହେ ଦ୍ଵିଜ ଶ୍ରେଷ୍ଠ ମୁଁ ମଧ୍ୟ ରୁକ୍ମିଣୀଙ୍କ କଥା ଭାବି ଭାବି ସୁଖ ନିଦ୍ରା ଯାଇପାରୁ ନାହିଁ । ମୋତେ ଦ୍ୱେଷ କରି ତା'ର ଭାଈ ରୁକ୍ମି ଏ ବିବାହ କରାଇ ଦେଉନାହିଁ ଏକଥା ମଧ୍ୟ ମୋତେ ଜଣା । ମୁଁ ନିଶ୍ଚିନ୍ତ ଭାବେ କ୍ଷତ୍ରୀୟ ରାଜା ମାନଙ୍କୁ ଯୁଦ୍ଧରେ ଦଳିଦେଇ ମୋର ପ୍ରେୟସୀ ସେ ଅନିନ୍ଦ୍ୟ ସୁନ୍ଦରୀଙ୍କୁ ଲାଭ କରିବି । 


                 ଶ୍ରୀକୃଷ୍ଣ ସାରଥୀ ଦାରୁକକୁ ତତ୍କ୍ଷଣାତ ନିର୍ଦ୍ଧେଶ ଦେଲେ ରଥ ସଜ କରିବା ପାଇଁ । ଚାରି ଗୋଟି ବେଗଗାମୀ ଅଶ୍ୱ ଶୈବ୍ୟ, ସୁଗ୍ରୀବ, ମେଘପୁଷ୍ପ ଓ ବଳାହକକୁ ଦାରୁକ ରଥରେ ଯୋଚି ଶ୍ରୀକୃଷ୍ଣଙ୍କ ସମ୍ମୁଖରେ ଆସି କରଯୋଡ଼ି ଉପସ୍ଥିତ ହେଲେ । ରଥରେ ସେ ବ୍ରାହ୍ମଣଙ୍କୁ ବସାଇ ନିଜେ ବସିଲେ ଓ ଦ୍ରୁତ ବେଗରେ ଯାଇ ଏକ ରାତି ମଧ୍ୟରେ ବିଦର୍ଭ ଦେଶରେ ପହଞ୍ଚିଲେ । ସେତେବେଳକୁ ରାଜଧାନୀ କୁଣ୍ଡୀନଗରରେ ବିଦର୍ଭ ରାଜ ଭୀଷ୍ମକ ପୁତ୍ର ସ୍ନେହ ତଥା ପୁତ୍ର ରୁକ୍ମିଙ୍କ ବାଧ୍ୟ ବାଧକତାର ବଶବର୍ତ୍ତୀ ହୋଇ ଶିଶୁପାଳଙ୍କ ସହ ରୁକ୍ମଣୀଙ୍କ ବିବାହର ସମସ୍ତ ଆୟୋଜନ କରି ସାରିଥାନ୍ତି । ବିଭିନ୍ନ ସାଜ ସଜ୍ଜା ସହିତ ସମସ୍ତ କୁଣ୍ଡୀନଗର ଉତ୍ସବ ମୁଖର ହୋଇ ଉଠିଥାଏ । ବେଦ ଧ୍ୱନୀ ସହିତ ସମସ୍ତ ମାଙ୍ଗଳିକ କାର୍ଯ୍ୟ ଚାଲିଥାଏ । ଚତୁରଙ୍ଗ ସେନା ପରିବେଷ୍ଟିତ ହୋଇ ଚେଦିରାଜ ଦମଘୋଷ ପୁତ୍ର ଶିଶୁପାଳଙ୍କ ସହିତ କୁଣ୍ଡୀନଗରରେ ପହଞ୍ଚିଲେ । ବିଦର୍ଭ ରାଜ ଭୀଷ୍ମକ ତାଙ୍କୁ ତଥା ତାଙ୍କ ସହିତ ଆସିଥିବା ଶାଲ୍ଵ,ଜରାସନ୍ଧ, ଦନ୍ତବକ୍ର,ବିଦୁରଥ, ପୌଣ୍ଡ୍ରକ ଆଦି ରାଜା ମାନଙ୍କୁ ସମ୍ମାନର ସହିତ ବିଭିନ୍ନ ଭବନରେ ରଖାଇ ଥାନ୍ତି । ଶିଶୁପାଳ ଏବଂ ଏହି ସମସ୍ତ ରାଜା ମାନେ କୃଷ୍ଣ ଓ ବଳରାମଙ୍କୁ ଦ୍ୱେଷ କରୁଥିଲେ । କୃଷ୍ଣ ଓ ବଳରାମ ବୈଦର୍ଭିଙ୍କୁ ହରଣ କରିନେବାର ସମ୍ଭାବନା ଥିବାରୁ ସେମାନେ ସମସ୍ତେ ପ୍ରସ୍ତୁତ ହୋଇ ଆସିଥାନ୍ତି ଯାଦବ ସେନା ସହିତ ଲଢ଼ି ଶିଶୁପାଳଙ୍କୁ ରକ୍ଷା କରିବା ପାଇଁ । ବିପକ୍ଷ ରାଜା ମାନଙ୍କର ଏ ପ୍ରସ୍ତୁତି ଏବଂ ଶ୍ରୀକୃଷ୍ଣ ଏକାକୀ ବିଦର୍ଭ ଯାଇଥିବା ହେତୁ ବିପଦ ଆଶଙ୍କା କରି ବଳରାମ ଚତୁରଙ୍ଗ ଯାଦବ ସେନା ସହିତ କୁଣ୍ଡୀନ ନଗରରେ ପହଞ୍ଚିଲେ । 


                 ରାଜକୁମାରୀ ରୁକ୍ମିଣୀ ବ୍ରାହ୍ମଣଙ୍କୁ ଫେରି ନଆସିବା ଦେଖି ଚିନ୍ତାରେ ପଡ଼ି ଯାଇଥାନ୍ତି । ସେ ଭାବୁଥାନ୍ତି ଦ୍ଵାରକା ପତି କ'ଣ ମୋର ଧୃଷ୍ଟତା ଦେଖି ମୋର ହାତ ଧରିବାକୁ ଆସୁ ନାହାଁନ୍ତି କି? ବିଧାତା ମୋର ଭାଗ୍ୟ ପ୍ରତି ବୋଧହୁଏ ଅନୁକୂଳ ନୁହଁନ୍ତି । ଶଙ୍କର ଓ ମାଆ ଗୌରୀ ମଧ୍ୟ ମୋ ପ୍ରତି ବିମୁଖ । ଏତିକି ବେଳେ ତାଙ୍କୁ କେତେକ ଶୁଭ ସୂଚନା ମିଳିଲା । ତାଙ୍କ ବାଁ ଆଖି ଡେଇଁବାକୁ ଲାଗିଲା,ବାଁ ଜଂଙ୍ଘ ଓ ବାହୁ କମ୍ପିତ ହେଲା । ଆଶାୟୀ ହୋଇ ଶ୍ରୀକୃଷ୍ଣଙ୍କ ପଥ ସେ ଚାହିଁ ରହିଥାନ୍ତି । ଠିକ ଏତିକିବେଳେ ସେ ବ୍ରାହ୍ମଣ ଦେବତା ଆସି ପହଞ୍ଚିଲେ ରୁକ୍ମିଣୀଙ୍କ ନିକଟରେ । ବ୍ରାହ୍ମଣଙ୍କର ପ୍ରସନ୍ନ ବଦନ ଓ ତାଙ୍କ ଠାରେ କାର୍ଯ୍ୟସିଦ୍ଧିର ଅନ୍ୟ ଲକ୍ଷଣ ମାନ ଦେଖି ରୁକ୍ମିଣୀ ଉତ୍ସୁକ ଚିତ୍ତ ହୋଇ ତାଙ୍କୁ ସମସ୍ତ ଖବର ପଚାରିଲେ । ବ୍ରାହ୍ମଣ ଶ୍ରୀକୃଷ୍ଣଙ୍କ ଅତି ପ୍ରଶଂସାକରି ରୁକ୍ମିଣୀଙ୍କୁ କହିଲେ," ମାଆ, ଯଦୁନନ୍ଦନ ଏଠାକୁ ଆସି ପହଞ୍ଚି ଗଲେଣି, ସେ ତୁମକୁ ନେଇଯିବା ପାଇଁ ପ୍ରତିଜ୍ଞା କରିଛନ୍ତି ।" ଏକଥା ଶୁଣି ରୁକ୍ମିଣୀ ଅତ୍ୟନ୍ତ ଉଲ୍ଲସିତ ହେଲେ । ସେ ବ୍ରାହ୍ମଣଦେବଙ୍କୁ କି ପ୍ରୀୟ ବସ୍ତୁ ଦେବେ ତାହା ଭାବିପାରିଲେ ନାହିଁ, କେବଳ ନମସ୍କାର କଲେ ।


                 ନିଜ କନ୍ୟାର ବିବାହ ଉତ୍ସବ ଦେଖିବା ପାଇଁ କୃଷ୍ଣ ବଳରାମ ଆସିଛନ୍ତି ଜାଣି ରାଜା ଭୀଷ୍ମକ ତାଙ୍କୁ ଭେରୀ ତୁରୀ ବାଦ୍ୟ ସହ ପଟୁଆରରେ ନଅରକୁ ପାଛୋଟି ନେଇ ଉପଯୁକ୍ତ ମଧୁପର୍କ,ନିର୍ମଳ ବସ୍ତ୍ର ଓ ଉତ୍ତମ ଉପହାର ଦେଇ ଵିଧି ପୂର୍ବକ ସତ୍କାର କରି ତାଙ୍କ ରହିବାର ସୁବନ୍ଦୋବସ୍ତ କଲେ । କୃଷ୍ଣ ବଳରାମ ବିଦର୍ଭ ଆସିଛନ୍ତି ଶୁଣି ବିଦର୍ଭର ସମସ୍ତ ନାଗରିକ ତାଙ୍କ ମୁଖପଦ୍ମ ଦର୍ଶନ କରିବାକୁ ଆସୁ ଥାନ୍ତି । ସେମାନେ କୁହାକୁହି ହେଉଥାନ୍ତି ଶ୍ରୀକୃଷ୍ଣ ହିଁ ରାଜକୁମାରୀ ରୁକ୍ମିଣୀଙ୍କ ଉପଯୁକ୍ତ ପତି । ଯଦି ଆମ ବୈଦର୍ଭି ମାନଙ୍କର କିଞ୍ଚିତ ମାତ୍ରାରେ ପୁଣ୍ୟ ଥାଏ ତେବେ ଭଗବାନ ଶ୍ରୀକୃଷ୍ଣ ବିଦର୍ଭ କୁମାରୀ ରୁକ୍ମିଣିଙ୍କ ପାଣି ଗ୍ରହଣ କରି ଆମକୁ ଅଣୂଗୃହୀତ କରନ୍ତୁ । ସେମାନେ ଏପରି କୁହାକୁହି ହେଉଥିଲା ବେଳେ ରୁକ୍ମିଣୀ ଅନ୍ତପୁରରୁ ବାହାରି ଆସିଲେ ଓ ସୈନ୍ୟ ସାମନ୍ତ ପରିବେଷ୍ଟିତା ହୋଇ କୁଳଦେବୀ ମାଆ ଅମ୍ବିକାଙ୍କ ମନ୍ଦିରକୁ ଯାତ୍ରା କଲେ । ସଖୀ ମାନେ ତାଙ୍କୁ ଘେରି ରହିଥାନ୍ତି,ମଙ୍ଗଳ ବାଦ୍ୟମାନ ବାଜୁଥାଏ ଏବଂ ସେ ଶ୍ରୀକୃଷ୍ଣଙ୍କ ରୁପକୁ ଧ୍ୟାନ କରି କରି ଚାଲିଥାନ୍ତି । ମନ୍ଦିରରେ ପହଞ୍ଚି ରୁକ୍ମିଣୀ ପଦ ଧୌତ ଓ ଆଚମନ ଉପରାନ୍ତେ ଦେବୀ ଅମ୍ବିକାଙ୍କ ସମ୍ମୁଖରେ ପହଞ୍ଚିଲେ । ବ୍ରାହ୍ମଣପତ୍ନୀମାନେ ତାଙ୍କୁ ନେଇ ଶିବ ଓ ମା'ଅମ୍ବିକାଙ୍କ ବନ୍ଦନା କରାଇଲେ । ରୁକ୍ମିଣୀ ମାଆଙ୍କ ପାଖରେ ସ୍ତୁତି କରୁଥାନ୍ତି ଆପଣ ଏତିକି ଆଶୀର୍ବାଦ କରନ୍ତୁ, ଶ୍ରୀକୃଷ୍ଣ ମୋର ପତି ହୁଅନ୍ତୁ ।


ବ୍ରାହ୍ମଣପତ୍ନୀ ମାନେ ରୁକ୍ମିଣୀଙ୍କୁ ନିର୍ମାଲ୍ୟ ପ୍ରଦାନ କରି ଆଶୀର୍ବାଦ କଲେ । ଏଥି ଉତ୍ତାରୁ ରୁକ୍ମିଣୀ ଜଣେ ସଖୀର ହାତଧରି ବାହାରକୁ ଚାଲି ଆସିଲେ । ସେ କଳହଂସ ଗତିରେ ଚାଲୁ ଥାନ୍ତି । ପାଦରେ ନୁପୁର ରୁଣୁଝୁଣୁ ବାଜୁଥାଏ । ସମବେତ ଯଶସ୍ବୀ ବୀରମାନେ ସୌନ୍ଦର୍ଯ୍ୟପସରା ରୁକ୍ମିଣୀଙ୍କୁ ଦେଖି କାମ ମୋହିତ ହୋଇପଡ଼ିଲେ । ସେମାନେ ଏତେ ମାତ୍ରାରେ ମୋହିତ ହୋଇ ପଡ଼ିଲେ ଯେ ତାଙ୍କ ହସ୍ତରୁ ସବୁ ଅସ୍ତ୍ରଶସ୍ତ୍ର ଖସି ପଡ଼ିଲା । ରାଜ କୁମାରୀ ରୁକ୍ମିଣୀ ଧୀର ପଦପାତରେ ଦେଖୁଥିଲେ କୃଷ୍ଣ କେଉଁଠି ଅଛନ୍ତି । ସମବେତ ରାଜାମାନଙ୍କୁ ସେ ଲଜ୍ଜାବନତ ବଦନରେ ଚାହୁଁଥିଲା ବେଳେ ଶ୍ରୀକୃଷ୍ଣଙ୍କୁ ଦେଖି ପାରିଲେ । ସ୍ପର୍ଦ୍ଧିତ ରାଜାମାନେ ଦେଖୁଥାନ୍ତି,ଶ୍ରୀକୃଷ୍ଣ ରାଜକୁମାରୀ ରୁକ୍ମିଣୀଙ୍କୁ ରଥ ଉପରକୁ ଉଠାଇ ନେଲେ । ଶୃଗାଳମାନଙ୍କ ମଧ୍ୟରୁ ସିଂହ ତାର ଭାଗ ଉଠାଇନେଲା ଭଳି ଦେଖୁଦେଖୁ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ଧରି ଭାଈ ବଳରାମ ଓ ଅନ୍ୟ ଯାଦବ ବୀର ମାନଙ୍କ ସହିତ ସେଠାରୁ ପ୍ରସ୍ଥାନ କଲେ । ଶ୍ରୀକୃଷ୍ଣଙ୍କ ଶତ୍ରୁ ଜରାସନ୍ଧ କର୍ତ୍ତୃକ ଅନ୍ୟ ରାଜାମାନେ ଏ ପରାଭବକୁ ସହ୍ୟ କରି ପାରିଲେ ନାହିଁ । ସେ କହିଲେ ଆମ ଜୀବନକୁ ଧିକ,ସିଂହ ମାନଙ୍କ ଏହି ଭୋଗ୍ୟ ବସ୍ତୁକୁ ଶୃଗାଳ ଗୋପାଳ ମାନେ ହରଣ କରି ନେଲେ । ଏହାକହି ଉତକ୍ଷିପ୍ତ ରାଜା ମାନେ ଶ୍ରୀକୃଷ୍ଣଙ୍କ ଅନୁଧାବନ କଲେ । 


                 ଯାଦବ ସେନା ଉପରେ ସେମାନେ ମେଘ ସଦୃଶ ଶର ବର୍ଷଣ କରିବାକୁ ଲାଗିଲେ । ଆକ୍ରମଣରେ ଆତଙ୍କିତ ରୁକ୍ମିଣୀ କୃଷ୍ଣଙ୍କଆଡ଼େ ସଲ୍ଲଜ ଦୃଷ୍ଟିରେ ଚାହିଁଥାନ୍ତି । ଶ୍ରୀକୃଷ୍ଣ ତାଙ୍କୁ କହୁଥାନ୍ତି ସୁନୟନେ ଭୟ କରନାହିଁ,ଦେଖ ଏବେ ତୁମର ସେନା ଶତ୍ରୁ ପକ୍ଷକୁ କିଭଳି ପରାଭବ ଦେଉଛି । ଶତ୍ରୁମାନଙ୍କ ଆକ୍ରମଣରେ ଅତିଷ୍ଠ ହୋଇ ଯଦୁବୀର ଗଦ ଓ ସଙ୍କର୍ଷଣ ପ୍ରବଳ ଶରାଘାତରେ ଶତ୍ରୁ ପକ୍ଷର ଅଶ୍ୱ, ଗଜ ଓ ରଥ ଆଦିକୁ ବିନାଶ କରି ଚାଲିଲେ । ଶତ୍ରୁପକ୍ଷ ସୈନ୍ୟ ମାନଙ୍କର ଅଗଣିତ ମୁଣ୍ଡ ଭୂମି ଉପରେ ଗଡିବାକୁ ଲାଗିଲା । ଯଦୁ ସେନା ଦ୍ୱାରା ନିଜ ସେନାର ପରାଭବ ଦେଖି ଜରାସନ୍ଧ ଯୁଦ୍ଧ ବିମୁଖ ହୋଇ ପଳାୟନ କଲା । ପ୍ରସ୍ତାବିତ ବର ଶିଶୁପାଳ ଅତି କାତର ହୋଇ ପଡ଼ିଥିଲା । ତାର ମୁହଁ ଶୁଖିଯାଇ ଚେହେରା ମଉଳି ଯାଇ ଥିଲା । ତାଙ୍କ ପାଖକୁ ଜରାସନ୍ଧ ଆସି ପ୍ରବୋଧନା ଦେଇ କହିଲେ ହେ ବୀର ! ଦୁଃଖ କରନାହିଁ । ବର୍ତ୍ତମାନ କାଳ ଆମ ପାଇଁ ଅନୁକୂଳ ନାହିଁ । କାଳ ଅନୁକୂଳ ହେଲେ ଆମେ ଭବିଷ୍ୟତରେ ନିଶ୍ଚୟ ବିଜୟଲାଭ କରିବା । ଏହିଭଳି ଜରାସନ୍ଧ ଓ ଅନ୍ୟ ମିତ୍ରରାଜା ମାନଙ୍କ ଦ୍ୱାରା ପ୍ରବୋଧିତ ହୋଇ ଅପମାନିତ ଶିଶୁପାଳ ଚେଦି ରାଜ୍ୟକୁ ପ୍ରସ୍ଥାନ କଲା ।


                 ଏପଟେ କୃଷ୍ଣଦ୍ଵେଷୀ ଭାଈ ରୁକ୍ମି ନିଜ ଭଉଣୀର ଏଭଳି ରାକ୍ଷସ ବିଧିରେ ବିବାହକୁ ସହ୍ୟ ନକରି ପାରି ବହୁ ଅକ୍ଷୋହୀଣି ସୈନ୍ୟ ଧରି ଯାଦବଙ୍କ ଅନୁଧାବନ କଲା । ସେ ପ୍ରତିଜ୍ଞା କଲା ଯେ କୃଷ୍ଣଙ୍କୁ ନିହତକରି ରୁକ୍ମିଣୀଙ୍କୁ ଫେରାଇ ନଆଣିଲା ଯାଏ କୁଣ୍ଡିନନଗରକୁ ଫେରିବ ନାହିଁ । ଅସ୍ତ୍ର ଶସ୍ତ୍ର ଧରି ସେ ରେରେକାର କରି କୃଷ୍ଣଙ୍କୁ ଗୋଡ଼ାଇ ଧିକ୍କାର କଲା, ରେ ଅସଭ୍ୟ ଗୋପାଳ, ତୋର ଜାତିପତି ନାହିଁ, ରେ ଗଉଡ଼ ଅଇଁଠା ଖିଆ,ତୁ କାକ ଘୃତ ଚୋରି କଲା ପ୍ରାୟ ମୋର ଭଉଣୀକୁ ହରଣ କରି ନେଉଛୁ । ଏପରି କହି ସେ କୃଷ୍ଣଙ୍କୁ ବହୁ ଅସ୍ତ୍ର ଦ୍ୱାରା ଆଘାତ କଲା । କୃଷ୍ଣ ତାର ସମସ୍ତ ବାଣକୁ ପ୍ରତିହତ କରି ତୀକ୍ଷ୍ଣ ଅସି ହସ୍ତରେ ତାକୁ ମାରିବା ପାଇଁ ଉଦ୍ୟତ ହେଲେ । ଭାଈ ମରିବାକୁ ଯାଉଛି ଦେଖି, ରୁକ୍ମିଣୀ କାତର ହୋଇ ଶ୍ରୀକୃଷ୍ଣଙ୍କ ପାଦ ତଳେ ପଡ଼ି ଭାଇକୁ ନମାରିବାକୁ କାତର ପ୍ରାର୍ଥନା କଲେ । ଶ୍ରୀକୃଷ୍ଣ ରୁକ୍ମିଣୀଙ୍କ ପ୍ରାର୍ଥନା ଶୁଣିଲେ । କିନ୍ତୁ ସେହି କୃଷ୍ଣ ଦ୍ଵେଷୀ ରୁକ୍ମିର ନିଶ, ଦାଢ଼ି ଓ ବାଳକୁ କାଟି ତାକୁ ବିରୂପକରି ନିଜ ରଥଚକରେ ବାନ୍ଧି ଦେଲେ । ଯଦୁବୀର ମାନେ ଆସି ଦେଖିଲେ ରୁକ୍ମି ବନ୍ଧାହୋଇ ମୃତ ପ୍ରାୟ ଅବସ୍ଥାରେ ରହିଛି । ବଡଭାଈ ବଳରାମ ତାକୁ ମୁକୁଳାଇ ଦେଲେ ଓ କହିଲେ,କହ୍ନେଇ ତୁ ଯାହା କଲୁ ଠିକ କଲୁନାହିଁ, ବନ୍ଧୁଙ୍କୁ ବିରୂପ କରିବା ହତ୍ୟା ସହିତ ସମାନ । ଏହା ଆମ କୂଳକୁ ଲଜ୍ଜା । ସେ ରୁକ୍ମିକୁ କହିଲେ ଭାଈ ଦୁଃଖ କର ନାହିଁ । କେହି କାହାରିକୁ ଦୁଃଖ ବା ସୁଖ ଦିଏ ନାହିଁ । ନିଜର କର୍ମ ଫଳ ସଭିଙ୍କୁ ଭୋଗ କରିବାକୁ ପଡ଼ିଥାଏ । ନିଜ ଦୋଷରେ ହିଁ ପ୍ରାଣୀ ନିଜେ ନିହତ ହୋଇଥାଏ । ଏପରି ରୁକ୍ମିକୁ ବଳରାମ ବୁଝାଇ ଦେବାରୁ ତାର ଶୋକ ଦୂର ହେଲା ସତ, ମାତ୍ର ସେ କରିଥିବା ପ୍ରତିଜ୍ଞା ବିଷୟ ଭୁଲି ପାରିଲା ନାହିଁ । ସେ ଆଉ କୁଣ୍ଡୀନପୁରୀକୁ ନ ଫେରି ଭୋଜକଟ ନାମକ ଏକ ବିଶାଳ ନଗର ନିର୍ମାଣ କରି ସେଠାରେ ଅବସ୍ଥାନ କଲା ।


                 ଶ୍ରୀକୃଷ୍ଣ ଏହିଭଳି ଦ୍ଵେଷୀ ରାଜାମାନଙ୍କୁ ପରାସ୍ତ କରି ଲକ୍ଷ୍ମୀ ସ୍ୱରୂପା ପ୍ରେୟସୀ ରୁକ୍ମିଣୀଙ୍କୁ ସାଥିରେ ଧରି ଭାଈ ବଳରାମ ଓ ସମସ୍ତ ଯାଦବ ସେନାଙ୍କ ସହ ଦ୍ୱାରିକାରେ ପହଞ୍ଚିଲେ । ଯଦୁପୁରୀ ଦ୍ୱାରକା ନଗରରେ ଘରେ ଘରେ ମହୋତ୍ସବ ଲାଗି ଗଲା । ଦ୍ଵାରକା ବାସୀ ଚିତ୍ରିତ ବସ୍ତ୍ର ପରିହିତ ବରକନ୍ୟା ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ନାନା ଉପଢୌକନ ଦେଲେ । ସାରା ଦ୍ଵାରକା ନଗର କୋଳାହଳ ମୟ ହୋଇ ଉଠିଲା । ଚତୁର୍ଦିଗରେ ରୁକ୍ମିଣୀ ହରଣ ବୃତ୍ତାନ୍ତ କୀର୍ତ୍ତିତ ହେଉଥିଲା । ଶ୍ରୀପତି ଶ୍ରୀକୃଷ୍ଣ,ଶ୍ରୀମତୀ ରୁକ୍ମିଣୀଙ୍କ ମିଳନ ଦେଖି ଦ୍ଵାରକା ବାସୀ ମାନଙ୍କ ସହ ସମଗ୍ର ସୃଷ୍ଟି ଉଲ୍ଲସିତ ହେଉଥିଲା । ଶ୍ରୀମଦ ଭାଗବତରେ ରୁକ୍ମିଣୀ ହରଣ ଉପାଖ୍ୟାନ ଶେଷ କରି ଓଡ଼ିଆ ଭାଗବତକାର ଶ୍ରୀ ଜଗନ୍ନାଥ ଦାସ କହିଲେ :-

                      ଲକ୍ଷ୍ମୀ ମାଧବ ଵିଭାକାଳେ ।

                           ବାନ୍ଧବେ ଯଉତୁକ ଦେଲେ ।।

                                ସେ ବରକନ୍ୟା ପାଦଗତ ।

                                      ନମଇଁ ଦାସ ଜଗନ୍ନାଥ ।।

                                               

   


Rate this content
Log in

Similar oriya story from Drama