ରୋଷେଇ ଗଣିତ
ରୋଷେଇ ଗଣିତ
ଏମ୍ ଏ ସେକେଣ୍ଡ୍ ଇୟର୍ ସରି ନଥାଏ ମୋ ବାହା ଘର ହୋଇଗଲା।ରୋଷେଇର ଅ ମୋତେ ଜଣା ନଥାଏ।ମୋର ଜଣେ ପିୟୁସୀ ଶାଶୁ ଭାମି ଅପା ପାଞ୍ଚଟାରୁ କବାଟ ବାଡେଇ ଡାକିଲେ ଉଠ୍ ମିଠି ରାତି ପାହି ଗଲାଣି।
ନୂଆଘର ପରିବେଶ ମୋତେ ଚାଉଁ ଚାଉଁ ଲାଗୁଥାଏ।ସେଥିରେ ପୁଣି ଚତୁର୍ଥୀ ଭୋଜି ସରୁ ସରୁ ରାତି ଦୁଇ।ଚତୁର୍ଥୀ ଘରକୁ ଆସୁ ଆସୁ ତିନି। ଏଇ ଯେମିତି ଆଖି ବୁଜିଛି କି ନାହିଁ ପାଞ୍ଚଟା ନ ବାଜୁଣୁ ଡାକ !
ଏ ରାତିଟା କୁଆଡେ ସମସ୍ତଙ୍କ ଅପେକ୍ଷାର ରାତି ! କାଇଁ ଆମର ସେମିତି ହୋଇ ନଥିଲା! ମୋ ମିଷ୍ଟର୍ ଭୋଜିରେ ବୁଝା ବୁଝି କରି ବେହାଲ୍। ମୁଁ ଶୋଇ ନ ପାରି ଆଖିରେ ଆଖିଏ ନିଦ ନେଇ ଆକୁଳରେ ଖୋଜୁଥାଏ ଗୋଟେ ନିରୋଳା ଜାଗା ଶୋଇ ପଡିବାକୁ । ମାର୍ ଗୁଲି ଚତୁର୍ଥୀ।ଘୋ ଘୋ ଭିତରୁ ମୋତେ ଗୋଟେ ଘରେ ପୁରାଇ ଦେଲେ।କଣ ସବୁ ଦୀପ, କ୍ଷୀର ଗ୍ଲାସ ଫୁଲ ସଜା ଘରଟିଏ ଥିଲା।ଆଃ ଚାରିଦିନ ପରେ ଏକାନ୍ତ ନିବୁଜ ଘର ଓ ମୁଲାୟମ ବେଡ୍ ଟିଏ ପାଇ ମୁଁ ଆରାମରେ ବେଡ୍ ଧରୁ ଧରୁ ନିଦ ମାଉସୀ କୋଳରେ ପରମ ଶାନ୍ତିରେ ଶୋଇ ପଡ଼ିଲି।
ଆଉ ମୋ ମିଷ୍ଟର୍ ସୁଦୁ ଶୁଖିଲା କାଠ। ଯୋଗୀ ଋଷି ଟାଇପିର। ଅବଶ୍ୟ ଖୁବ୍ କେୟାରିଂ। ସେ ବି ସେଇ ହାଲିଆ ହୋଇ ସେଇ ଘରକୁ ଆସିଲେ। କିନ୍ତୁ ମୋତେ ନିଘୋଡ଼ ନିଦରେ ଶୋଇବା ଦେଖି ଚତୁର୍ଥୀ କରିବେ କଣ ସେ ବି ଗୋଟିଏ କଡ଼କିଆ ହୋଇ ମୋରି ପାଖେ ଶୋଇ ପଡିଲେ। ଅତିଥି ଚର୍ଚ୍ଚାରେ ଧାଁ ଧଉଡ଼ କରି ସେ କ୍ଲାନ୍ତ ହୋଇ ପଡ଼ିଥିଲେ। ତାଙ୍କୁ ନିଦ ଫଟ୍ କିନା ହୋଇଗଲା।
ଚତୁର୍ଥୀ ନା ଫତୁର୍ଥୀ ହେଲା ଛତୁ।
ଭାମି ପିୟୁସୀଙ୍କ କବାଟ ବାଡେଇ ଡାକିବାରେ ମୋ ନିଦ ଭାଙ୍ଗିଲା। ମୋ ପାଖେ ମୋ ମିଷ୍ଟରଙ୍କୁ ଦେଖି ଚମକି ପଡିଲି।ଅଜଣା ଯୁବକ ଯାହାଙ୍କୁ ଚାରିଦିନ ତଳେ ବାହା ହୋଇଛି, ଭଲ କରି ଦେଖି ନଥିଲି। ନିଦରେ ଖୁବ୍ ସରଳ ଓ ନିରୀହ ଲାଗୁଥିଲେ। ରଙ୍ଗ, ରୂପ ସବୁଥିରେ ମୋ ଠାରୁ ଅଧିକ। ମୋତେ କେମିତି ଏତେ ସୁନ୍ଦର ପୁଅ ପାଇଁ ବୋହୁ ବାଛିଲେ, ନିଜକୁ ପଚାରିଲି। ମୁଁ ଯେ ଅସୁନ୍ଦର ସେକଥା ନୁହେଁ; ମୋ ତୁଳନାରେ ମୋ ମିଷ୍ଟର ହିଁ ଅଧିକ ସୁନ୍ଦର ଥିଲେ। ବାସ୍ତବ ଜୀବନରେ ମଧ୍ୟ ଖୁବ୍ ସାଧା ସିଧା ଦେବ ତୁଲ୍ୟ ମଣିଷ ଟିଏ ସେ।
ମୋତେ ଟିକେ ପ୍ରାଉଡ଼ ଫିଲ୍ ହେଲା। ଯା ହେଉ ମୋ ମିଷ୍ଟର୍ ଟି ଖୁବ୍ ସୁନ୍ଦର ଯୁବକ। ମୋତେ ଯେପରି ଲାଗିଲା ସ୍ବାମୀଟି ଯେପରି ସୁନ୍ଦର ସଂସ୍କାରୀ, ଗୁଣର ସ୍ତ୍ରୀ ଟିଏ ପସନ୍ଦ କରେ, ଗର୍ଵ ଅନୁଭବ କରେ; ସ୍ତ୍ରୀ ଟିଏ ବି ତା ବର ସୁନ୍ଦର, ନିଶାପାଣିରୁ ଦୁରେ ଓ ହୃଦୟର ମଣିଷ ହୋଇଥିଲେ ଠିକ୍ ସେମିତି ନିଜକୁ ସୌଭାଗ୍ୟବତୀ ମଣେ।
ଶୁଣିଥିଲି ଚତୁର୍ଥୀରେ କେତେ କଣ ହୁଏ। କିନ୍ତୁ ଆମର କଣ କିଛି ହେଲା ନାହିଁ! ମୁଁ ଆସି ଶୋଇ ପଡିଲି। ମୋ ମିଷ୍ଟର ବି ଆସି ଚୁପକେ ଶୋଇପଡିଲେ।
ଦାମ୍ପତ୍ୟର ଅପେକ୍ଷିତ ପ୍ରଥମ ଦିନ ଆମର ଏପରି କଟିଥିଲା। ଯା ଶୋଇବାରେ ଆମ ଜୀବନର ପ୍ରଥମ ରାତି କଟି ଗଲା।ଭାମି ଅପା ପୁଣି କବାଟ ବାଡଇଲେ।ମୋତେ ବିରକ୍ତ ଲାଗୁଥିଲା ଦୁଇ ତିନି ଘଣ୍ଟା ଶୋଇ ନାହିଁ ଡାକୁଛନ୍ତି କଣ ମ ! ଇଚ୍ଛା ନଥିଲେ ମଧ୍ୟ ହାଇ ପରେ ହାଇ ମାରି କବାଟ ଖୋଲିଲି।
ଅପା ଘରକୁ ଅନେଇଁ ଗମ୍ଭୀର ହୋଇ କହିଲେ, ସବୁ ଜିନିଷ ଠିକ୍ ସେମିତି ଅଛି।ତୁମର ଚତୁର୍ଥୀ ହୋଇଛି ନା ନାହିଁ ?
ହଁ... ମୁଁ ଆଗ ଶୋଇ ପଡ଼ିଥିଲି।ସେ ଆସି ଶୋଇ ପଡିଛନ୍ତି କେତେବେଳେ ମୁଁ ଜାଣିନି।
ଅପା ଚିନ୍ତିତ ଥିଲା ପରି ଲାଗିଲେ। ହେଉ ଚାଲେ ଗାଧୋଇବୁ, ମୋତେ କହିଲେ।
ଏତେ ସକାଳୁ !
ବୋକି ଟା କି ! ଘର ସଂସାର କେମିତି କରିବୁ କେଜାଣି?ଭଲ ବାଛିକି ମୋ ଭାଇ ଭାଉଜ ବୋହୁଟିଏ ଆଣିଛନ୍ତି।କଣ ନା ପାଠୋଇ ବୋହୁ,ରେଭେନ୍ସା ପିଲା।ଆଲୋ ତୋତେ କେହି କହି ନାହାନ୍ତି ଚତୁର୍ଥୀ କଣ, ଶାଶୁଘର କେମିତି ଚଳନ୍ତି !!ଏ ପରା ବିଧି।ଭୋରୁ ଉଠି ବୋହୁ ଗାଧୋଇ ଚଉରା, ଦେଇପିଣ୍ଡ ଓ ବାଡ଼ି ଆଡେ ପାଣି ଦେବ ! ଗୁରୁଜନଙ୍କୁ ମୁଣ୍ଡିଆ ମାରିବ! ଚା ଜଳଖିଆ କରିବ ସମସ୍ତ ଙ୍କ ପାଇଁ।
ମୁଁ ମନେ ମନେ ଭାବିଲି ଏଗୁଡ଼ାକ କି କଥା ! ମୋତେ କିଏ କାଇଁ କହିବ ! ଛେଳି ହାଣ ମୁହଁକୁ ଗଲା ପରି ଗାଧୋଇବାକୁ ଗଲି।ମୋତେ ଏ ବାହା ଘରଟି ଗୋଟେ ବୋଝ ଲାଗୁଥାଏ।ଇଏ କହୁଥାଏ ମା ଏୟା କର; ଆଉ କିଏ କହୁଥାନ୍ତି ସେଇଟା କର, ସେମିତି କର, ନାଇଁ ନାଇଁ ସେମିତି।କିଛି ଶିଖେଇ ନାହିଁ ମା ଟା।ଆଲୋ ହଁ.. ହଁ ସେମିତି କର।
ଏମିତି ସେମିତି, ୟା ତା କଥା କରି କରି ଚିଡି ଲାଗି
ଲାଣି। ହେଇ ଦେଢ଼ ଶୁର ଆସିଲେ ମୁଣ୍ଡରେ ଲୁଗା ଦେ।ମାମୁଁଶୁର ହେବେ ପାଣି ଢାଳ ଦେ ,ପ୍ରଣାମ ହଅ।
କେତେ କଥାରେ ବାବା।ଖାଲି ବସ୍ ଉଠ୍।ମୁଁ ସିନା ପାଠ କବ୍ଜା କରିବାରେ ଓସ୍ତାତ୍ ; କିନ୍ତୁ ଏ ବୋହୁ ପଣିଆଁ ରେ ପୁରା ଜିରୋ।
ରିମୋଟ୍ କଣ୍ଢେଇ ପରି ଯିଏ ଯେମିତି ଚାବି ମୋଡୁଥିଲେ ମୁଁ ସେମିତି ବୁଲୁଥିଲି।
ବିଚରା ଶାରୀଟି ପରି ମୁକୁଳା ବାପଘର ଆକାଶ ଛାତିର ଜୀବନ ଛାଡି ଶାଶୁଘର ପିଞ୍ଜରାରେ ଡେଣା ପିଟି ଛଟ୍ ପଟ୍ କରୁଥିଲି ଯାହା।
ଗାଧୋଇ ଆସିଲା ପରେ ମୋର ଶାଶୁ ଘରେ ପ୍ରଥମ ପରୀକ୍ଷା ଆରମ୍ଭ ହେଲା।ବିଶ୍ୱାସ କରନ୍ତୁ କୌଣସି ବୋର୍ଡ଼ ପରୀକ୍ଷା ଦେବାକୁ ଗଲା ବେଳେ ଏମିତି ଭୟ କରି ନଥିବି କେବେ।
ମୋତେ ଶାଗ ଭାଜି ବାରିଆଡ଼ ଓ ଦେଇପିଣ୍ଡିରେ ବାଢି
ଦେବାକୁ କୁହାଗଲା।ଗ୍ୟାସ ନଥାଏ।ଚୁଲି ମୂଳେ କୁଲାରେ ଲେଉଟିଆ ଶାଗ କାଟି,, ରୋଷେଇର ଆବଶ୍ୟକ ସାମଗ୍ରୀ ଥୋଇ ନଡ଼ିଆ ପତ୍ର ଜାଳି ଶାଗ ଭାଜିବାକୁ କୁହା ଗଲା।ଏକଥା ଶୁଣି ମୋର ହାଲୁକ ଶୁଖିଗଲା।
କାଇଁକି କହିଲ?
ମୋତେ ବା ରୋଷେଇ ବିଷୟରେ ଆସେନି କିଛି ! ପୁଣି ଚୁଲି ଜାଳି ! ଆଈ ଶାଶୁ ଚୁଲି ଜାଳି କଡେଇ ବସେଇ ଦେଲେ।ମୁଁ ଚୁଲି ମୂଳେ ବସି ଭାବୁଥାଏ ଶାଗ କେମିତି ଭଜା ହୁଏ। କଡେଇ ତାତିଲେ ଆଗ ତେଲ ପକାଯିବ ନା ଫୁଟଣ।ପୁଣି ଲଙ୍କା ଆଗ ପଡିବ ନା ଫୁଟଣ ଆଗ।ପିଆଜ କେତେବେଳେ ପଡେ ଯେ ! କେତେ ସମୟ ଶାଗ ଭଜା ହେବ।ଶାଗ ହେଲାଣି ବୋଲି କେମିତି ଜାଣିବ।ଲୁଣ କେତେ ପକେଇବି। ମୋ ମୁହଁ ଚିନ୍ତା ଓ ଦୁଃଖରେ ପୁରା ଝାଉଁଳି ଗଲାଣି ସେତେବେଳେକୁ।
ହେ ପ୍ରଭୁ ଶାଗ ଭଜାଟି ଶିଖେଇ ଦିଅ।ଏ ବିପଦରୁ ମୋତେ ରକ୍ଷାକର ଦଧି ବାମନ। ଏଠୁ ଗଲେ ଆଗ ତୁମ ପାଖେ ଭୋଗ ଲାଗେଇବି।ଉଦ୍ଧରି ଦିଅ ପ୍ରଭୁ, ପ୍ଲିଜ଼, ପ୍ଲିଜ଼। ଆଖି ବୁଜି ଏମିତି ଭାବୁ ଭାବୁ କଡ଼େଇ ପାଚି ନାଲ୍। ମୋ ମୁହଁ ବି ଦୁଃଖରେ ଶୁଖି ମଉଲା କନିଅର ଫୁଲ।
ମୁହଁକୁ ଦେଖି ସ୍ୱର୍ଗତଃ ଆଈ ଶାଶୁ ଠଉରେଇ ପାରିଲେ କି କଣ ମୋ ମନ ଭିତର କଥା; ପଚାରିଲେ ରୋଷେଇ ଆସେନି ? ଶାଗ ଭାଜି ଜାଣିନୁ ?
ମୁଁ ଅତି କରୁଣ ମୁହଁ କରି କହିଲି ନା ମା।
ସେ ଫେଁ କିନା ହସିଦେଲେ। ମୁଁ ଆହୁରି ଦୁଃଖରେ ଭାଙ୍ଗି ପଡିଲି ମୋ ଅପାରଗତା ପ୍ରକାଶ କରି।ହେଲେ କଣ କରିବି ଯେ; ମୋତେ ତ ଶାଗ ଭାଜି ଆସିବ ନାହିଁ। ଆସିବ ନାହିଁ ସ୍ୱୀକାର ନ କଲେ ଅନ୍ୟ ଚାରା କଣ ଅଛି!
ମୋତେ ମା ଟିକେ ଆଉଁସି ଦେଇ କହିଲେ, ମନ ଦୁଃଖ କାଇଁକି କରୁଛୁ ? ସମସ୍ତେ କଣ ଶିଖି ଥାଆନ୍ତି ? ଆସ୍ତେ ଆସ୍ତେ ଶିଖିଯାନ୍ତି।ଜାଣିଲୁ ମା, ବେକରେ ପଡିଲେ ବଜାଇ ଶିଖନ୍ତି।ତୁ କୁଆଡେ ଯିବୁ। ଆପେ ଆପେ ଶିଖିଯିବୁ। ଆବଶ୍ୟକତା ତୋତେ ସବୁ ଶିଖିବାକୁ ବାଧ୍ୟ କରିବ।
ମନେ ମନେ କହିଲି ହଁ ଜାଣିଛି ଆବଶ୍ୟକତା ଉଦ୍ଭାବନର ଜନନୀ।କିନ୍ତୁ ମୋର ଉଦ୍ଭାବନ ନୁହେଁ ଶାଗ ଭାଜିବାର ଅଛି।
ହେଉ ଆଗ ତେଲ ପକା।
ତେଲ ପାଚି ଆସିଲେ ଫୁଟଣ ପକା। ଫୁଟଣ ଫୁଟି ଆସିଲେ କଞ୍ଚା ଲଙ୍କା ଦିଟା ଭାଙ୍ଗି ପକା।
ଲଙ୍କା ପରେ ପରେ ପିଆଜ ପକା।
ପିଆଜ ଭାଜି ହୋଇ ଆସିଲେ କଟା ଶାଗ ପକେଇ ଖରି କାରେ ଏପଟ ସେପଟ କରି ଜାକି ଦେ।
ଶାଗରୁ ପାଣି ମରି ଆସିଲେ ଲୁଣ ପକା।ଶାଗକୁ ଚାହିଁ ଲୁଣ ଭାଗ ମାପ କରିବୁ। ଶାଗ ଲୁଣିଆ ହେଲେ ଖାଇ ହେବନି।ସେଥିପାଇଁ କୁହନ୍ତି, "ଶାଗ ଅଲୁଣି ଭଜା ଲୁଣି ତେବେ ଜାଣିବ ରୋଷେଇ ପଣି।"
ଶାଗ ଫକା ଶିଝା କରିବୁ।
ଓହ୍ଲେଇଲା ବେଳକୁ ରସୁଣ ଚାରି ପାଖୁଡା ଛେଦି ପକେଇ ଏପଟ ସେପଟ ଟିକେ କରିବୁ।
ତଥାପି ମୋତେ ଆସିଲା ନାହିଁ।ଡର ଲାଗିଲା।କେମିତି କରିବି ଯେ ।
ମା ଡାକିଲେ ମୋ ଶାଶୁ ମା ଙ୍କୁ, " ହେ ହେମ ; ତୋ ବୋହୁ ଛୁଆଟା କଥା ଟିକେ ବୁଝୁ।ତାକୁ ରୋଷେଇ ବାସ କିଛି ଆସେ ନାହିଁ।ତାକୁ କଣ ଶାଗ ଭାଜିବାକୁ କହିଛ।
ମୁଁ କହିଲି ମା , ତୁମେ କରି ଦେଉନ।ମା ହାତେ ଜିଭ କାମୁଡି କହିଲେ ,ନାଇଁରେ ମା , ଦେଇପିଣ୍ଡି ବଡ଼ ବଡୁଆ ପାଣି ପାଇବେ, ଅଗାଧୁଆ କଣ ଶାଗ ଭଜା ହେବ। ମୁଁ ବା ଅଗାଧୁଆ ଅଛି।
ଓହୋ ପ୍ରତିଦିନ ଗାଧୋଇ ଏତେ ସକାଳୁ ଏମିତି କରିବାକୁ ପଡିବ ! ମୁଁ ପାଣି ଦେଖିଲେ ଡରେ। ମୋର ଇସନ୍ଫିଲି ହାଇ। ଏତେ ସକାଳୁ ଗାଧୋଇଲେ ମଲି ଜାଣ।କାହିଁକି ମୋତେ ବାହା କରୁଥିଲେ ବୋଲି ଭାଇ ଓ ମା ଉପରେ ରାଗ ଗର ଗର ହେଲି।
ମୋତେ ଭାରି ଖରାପ ଲାଗୁଥାଏ।ମନେ ପଡ଼ିଲା ମୋ ମା କେତେ ଥର କହିଛି, ମିଠି ଲୋ ରୋଷେଇ ବାସ ଟିକେ ଶିଖ। ଶାଶୁ ଘରେ ମୋ ନାକ କାଟିବୁ ନା କଣ ? ବୋଉ କଥା ଶୁଣି ଭାଇ ରାଗନ୍ତି। କୁହନ୍ତି ମୋ ଭଉଣୀ କଣ ସପ୍ତମ ପାସ୍ କରିଛି ତୋ ପରି କି ମା। ମୋ ଭଉଣୀ କେତେ ପଢିଲାଣି। ସେ ଚାକିରୀ କରିବ ନା ରାନ୍ଧିବାଢି ପରଷିଵ ? ସାହେବାଣୀ ହେବ ସାହେବାଣୀ। ତୁ ଯା ମିଠି ପଢ଼ିବୁ ଯା।ଭାଉଜ ସବୁ ରୋଷେଇ କରିଦେବ।
ସେତେବେଳେ ଭାଇ ଠିକ୍ ଆଉ ମା ଟା ଭୁଲ୍ ,ଭାରି ଇଏ ଭାବୁଥିଲି।କିନ୍ତୁ ଏବେ ଭାବୁଛି ମା ଠିକ୍ ।ସତରେ ମା ହିଁ ଜାଣିଥାଏ କେଉଁଠି କେଉଁଠି ତା ଝିଅକୁ ଝୁଣ୍ଟି ବାକୁ ପଡିବ।ସେଥିପାଇଁ ଆଗରୁ ଟ୍ରେନିଂ ଦିଏ; ଏଇଥିପାଇଁ ଯେ ତା ଝିଅ କେଉଁଠି ନ ଝୁଣ୍ଟୁ, ହଇରାଣ ନ ହେଉ।କିନ୍ତୁ ମୁଁ କଣ ମା କଥା ମାନିଥିଲି ! ହୁଏତ ମା କଥା ମାନିଥିଲେ,ଆଜି ଏ ଦୁର୍ଦ୍ଦଶା ଭୋଗିବାକୁ ପଡି ନଥାନ୍ତା।
ବାପା ତ ଅନେକ ଦିନରୁ ହୃଦ୍ଘାତରେ ଆକାଶର ତାରା।ବେଶୀ ମା କଥା ମନେ ପଡ଼ିଲା।ଆଖିରୁ ଲୁହ ଥୋପା ଗୁଡା ଗରମ କଡେଇରେ ପଡି ଚେଏଁ ଚାଆଁ ଶବ୍ଦ କରୁଥିଲେ ।ହଠାତ୍ କାହାର ନରମ ସ୍ପର୍ଶ ଅନୁଭବ କଲା ମୋ ପିଠି।
