ରୋଲ୍ ମଡେଲ
ରୋଲ୍ ମଡେଲ
ଭାଙ୍ଗି ଭୁଙ୍ଗି ମୋଡି ଦେଉଥିଲା ମୋତେ ପିଲାଦିନର ଗୋଟେ ଘଟଣା।
ମୋର ସ୍ପଷ୍ଟ ମନେ ଅଛି ସେ ଦିନ। ଯେଉଁ ଦିନ ମୋ "ରୋଲ୍ ମଡେଲ", ମୋ ଆଦର୍ଶ ମୋ ବାପା ଗୋଡ଼ ଭାଙ୍ଗି ଠିଆ ହୁଅନ୍ତି ତାଙ୍କ ଉପର ହାକିମଙ୍କ ପାଖେ।
ଏ ଘଟଣା ମୋତେ ବେଶୀ କଷ୍ଟ ଦେଇଥିଲା ପିଲା ଦିନେ।କେତେ ରାଗ ମାଡୁଥିଲା ସେଇ ବାପାଙ୍କ ହାକିମଙ୍କୁ ! ଯାହା ପାଇଁ ମୁଁ ସବୁବେଳେ ସ୍ୱାଧୀନ ରହିବାର ପଣ ଟିଏ କରିଥିଲି ନିଜ ସହ।ବାପା ସବୁବେଳେ ରୋଗ ସହ ଚାକିରୀ ପାଇଁ ବ୍ୟସ୍ତତାରେ ରହୁଥିଲେ।ଦିନେ ଦିନେ ବହୁତ ବ୍ୟସ୍ତ ହେଉଥିଲେ ବାପା।ଯେଉଁଦିନ ତାଙ୍କ ଉପର ହାକିମ ଗ୍ରସ୍ତରେ ଚେକ୍ କରିବାକୁ ଆସୁଥିଲେ।ବାପା ଆମ ନିଜ ଘରେ ତାଙ୍କର ଖାଇବା ପିଇବାର ସମସ୍ତ ବ୍ୟବସ୍ଥା କରୁଥିଲେ। ବହୁତ କିଛି ବରାଦ ହେଉଥିଲା ଆମ ।ଘରେ ସକାଳେ କଣ ଖାଇବେ,ମଧ୍ୟାହ୍ନରେ କଣ କଣ ଆଇଟମ୍ ହେବ, କେଉଁଠୁ ଆସିବ ମାଂସ,ମାଛ,ମହୁଲି ବି। ଏପରି କି ମୋ ମା ବି ଲାଗୁଥିଲେ ରୋଷେଇ କରିବାରେ।
ମାଛ,ମାଂସ, କ୍ଷୀରି ପୁରୀ କେତେ କଣ ପ୍ରସ୍ତୁତ ହେଉଥିଲା ତାଙ୍କ ପାଇଁ।ହାକିମ ଆସି ନଯିବା ଯାଏ ବାପାଙ୍କ ଆଖିରେ ନିଦ ଆସୁଥିଲା।ବାପା ଥିଲେ ତଳିଆ କର୍ମଚାରୀ। ବହୁତ ଡରୁଥିଲେ ତାଙ୍କ ହାକିମଙ୍କୁ।ପାନରୁ ଦୈବାତ ଚୁନ ଖସିଗଲେ ସବୁ ଅଡ଼ୁଆ ତଡୁଆ ହୋଇଯାଉଥିଲା।ବାପାଙ୍କର ଗୁଡାଏ ରୋଗ ଥିଲା।ରୋଗ ପାଇଁ ପଇସାର ଆବଶ୍ୟକତା ଯଥେଷ୍ଟ ଥିଲା।କେବଳ ପଇସା ଖର୍ଚ୍ଚ କରି ବାପା ବର କୁ ବର ବଞ୍ଚି ଯାଉଥିଲେ। ପରିବାର ବିନା ରୋଜଗାରରେ ଚଳିବା ଅସମ୍ଭବ।ପାଣିକୁ ଛାଡି ସବୁ କିଣା।ଏଣୁ ଚାକିରୀ ସୁରକ୍ଷା ନିମିତ୍ତ ବାପା ବହୁତ ଯତ୍ନବାନ ଥିଲେ।ସେଥି ପାଇଁ ହାକିମଙ୍କ ଗ୍ରସ୍ତ ବାପାଙ୍କ ଟେନସନ୍ ବଢ଼ାଇ ଦେଉଥିଲା।
ହାକିମ ହୋଇଛନ୍ତି ବୋଲି କଣ ଇନ୍ଦ୍ର ଚନ୍ଦ୍ର ମାନିବେ ନାହିଁ। ଆମେ କଣ ମଣିଷ ନା ପୋକ ମାଛି ଯେ ଏମିତି ବ୍ୟବହାର କରିବେ ! ହେଲା ଯେ ବାପା କାଇଁ ନିଜେ ଜଣେ ହାକିମ ହେଲେ ନାହିଁ ! କେତେ ପ୍ରଶ୍ନ ମୋତେ ଆକ୍ତା ମାକ୍ତା କରି ଦେଉଥିଲେ।
ମୁଁ ଦେଖୁଥିଲି ମୋ ବାପା ଯିଏକି ଦୁନିଆର ସବୁଠୁ ବଡ଼ ଭଗବାନ ଲାଗୁଥିବା ବ୍ୟକ୍ତି ମୋ "ରୋଲ୍ ମଡେଲ୍" ଜଣଙ୍କ ହାତ ଯୋଡି ଗୋଡ଼ ଭାଙ୍ଗି ଠିଆ ହେଉଥିଲେ ହାକିମଙ୍କ ଆଗରେ,ଆଜ୍ଞା, ଆଜ୍ଞା,ସାର୍ ସାର୍ କହି।ଗୋଡ ବି ମୋଡୁଥିଲେ ତାଙ୍କର।ଠାକୁରଙ୍କୁ ଡାକୁଥିଲେ ହାକିମ ଖୁସି ହୁଅନ୍ତୁ।ଭଲ ମନ୍ତବ୍ୟ ଦିଅନ୍ତୁ ତାଙ୍କ ପାଇଁ।କାରଣ ସେତେବେଳେ ଚାକିରି ଲଟିକୁଥିଲା ହାକିମଙ୍କ କଲମ ମୁନରେ।ଯେତେ ସନ୍ତୁଷ୍ଟ ,ଖୁସି କରିପାରିବ ଆପ୍ୟାୟିତ କରି ସେତେ ପ୍ରଂଶସା, ସୁପାରିଶ,ଚାକିରିର ସ୍ଥାୟୀତ୍ୱ, ପ୍ରମୋସନ୍ ଭାଗ୍ୟ ସେତେ ଉଜ୍ଜ୍ୱଳ।
କୁନି ମନ ମୋର ଆଦୌ ଏସବୁ ପସନ୍ଦ କରୁ ନଥିଲା। ବାପା ହାଁ ଜୀ ହାଁ ଜୀ କାହା ପାଖରେ କରନ୍ତୁ ଏଇଟା ମୋତେ ଖୁବ୍ ବାଧୁ ଥିଲା।ବାପା କାହିଁକି ହାତ ଯୋଡି ସେ ମୋଟୁ ଲୋକଟା ପାଖରେ ସେମିତି ଠିଆ ହୁଅନ୍ତି?
କାହିଁକି ଏତେ ଡର ସେଇ ପେଟୁଆ ରାକ୍ଷସ ପରି ଦିଶୁଥିବା ଲୋକଟିକୁ?
ମୋ ହିରୋ ମୋ ବାପା ! ମୋ ହିରୋ କାହିଁକି ସେ ମୋଟୁ ଲୋକଟା ପାଖରେ ଏମିତି ଆଚରଣ କରନ୍ତି। ଇଚ୍ଛା ହୁଏ ଯାଇ କହିବାକୁ କିଏ ବା ତୁମେ ମୋ ବାପା ତୁମକୁ ଡରୁଛନ୍ତି ? ତୁମେ କିଏ କି ବାଘ!!ନା ସିଂହ ! ବାପା ବି ଆଖି ଠାରି ମୋତେ କୁହନ୍ତି ଆ ପାଦ ଛୁଇଁ ନମଃ ହ ଅ।
ପୋଡା ମୁହାଁ ! ମୋ ବାପାଙ୍କୁ ଖଟାଉଛି,ଗେଁଫୁଛି ଥାଳି ଥାଳି ତାକୁ କାଇଁ ମୁଁ ପ୍ରଣାମ ହେବି?ହେଲେ ବାପାଙ୍କ ବିସ୍ଫାରିତ ଏଡ଼େ ବଡ଼ ବଡ଼ ଆଖି ଦେଖି ଅନିଚ୍ଛା ସତ୍ତ୍ୱେ ପ୍ରଣାମ ହୁଏ।ବଡ଼ ହାକିମ ମୋ ମୁଣ୍ଡ ସାଉଁଳେଇ କୁହନ୍ତି ସୁନା ଝିଅ। ସୁନା ନା ଫୁନା ! ବିରୁଡ଼ି ମାରିଲା ପରି ଦଉଡ଼ି ଆସେ ସେ ମୋଟୁ ଟା ପାଖରୁ।ବାପାଙ୍କୁ ସେ ମୋଟୁ ଅଫିସର କୁହନ୍ତି, "ଅତି ସୁନ୍ଦର ହୋଇଛି ତୁମ ଝିଅଟି।ସତେ କି ଲକ୍ଷ୍ମୀ ପ୍ରତିମା। "ବାପା ଆହୁରି ଉତ୍ସାହିତ ହୋଇ ମୋତେ ପ୍ରଶଂସା କରି କୁହନ୍ତି ଖାଲି ସୁନ୍ଦର ନୁହେଁ ଖୁବ୍ ଗୁଣର ମୋ ଝିଅ ଆଜ୍ଞା।ଗୀତ,ନାଚ,ପାଠ କେଉଁଥିରେ କେହି ପାରିବେ ନାହିଁ।
ସବୁ ବାପା ମା ମାନେ ନିଜ ପିଲା ପ୍ରଶଂସାରେ ଏତେ ଖୁସି ହୁଅନ୍ତି କାହିଁକି ! ସମସ୍ତଙ୍କ ଆଗରେ ମୋ ଝିଅ ଏମିତି ନାଚେ,ଏମିତି ଗାଏ,କ୍ଲାସ୍ ରେ ଫାଷ୍ଟ ହୁଏ କହି ଫୁଲି ଉଠନ୍ତି କଣ ପାଇଁ ! ମୋ ପ୍ରଶଂସା ବାପାଙ୍କ ମୁହଁରୁ ଶୁଣି ସେ ନିଆଁ ଗିଳା ବଡ଼ ଅଫିସର କୁହେ" ତେବେ ତ ଗୀତ ଟିଏ ଶୁଣିବା ତୁମ ଝିଅ କଣ୍ଠରୁ।"
ଗଲା ଯାଃ ବାପା ନା.... ଓହୋ କାହିଁକି କହୁଥିଲେ ମୋ ବିଷୟରେ ! "ପେଟୁଆ! ମୋଟୁ !ମୋ ମାକୁ ଖଟେଇଲୁ, ମୋ ବାପାଙ୍କୁ ହାତ ଯୋଡ଼ାଇଲା,ଏବେ ପୁଣି ମୋତେ ଗୀତ ବୋଲିବାକୁ କହୁଛି ! ତା ପିଠିରେ ଧାଉଁ ଧାଉଁ ଗୋପାଳି ଦିଟା ଥୋଇ ଦେବାକୁ ମନ ହେଉଥିଲା ମୋର।
କିନ୍ତୁ ମୁଁ ଯେ ଛୁଆଟା।ସାନ ଟା। ପିଲାଟା।ପିଲା ମାନଙ୍କର ଇଚ୍ଛା ଅନିଚ୍ଛା ଥାଏ ନା କଣ?କେହି କେବେ ଭାବନ୍ତି ପିଲାମାନେ ବଡଙ୍କ କଥା ପାଳନ କରୁ କରୁ କେତେ ଲୁହ ପିଇଥାନ୍ତି! କି ବିଦ୍ରୋହ କରେ ସେମାନଙ୍କ ମନ ! ପିଲାମାନଙ୍କୁ ତ ସବୁବେଳେ ଛୁଆଟା କହି ଠେଲି ଦିଅନ୍ତି ଖାଇ ମୁହଁକୁ। ବାପା ଗେହ୍ଲେଇକି ଡାକନ୍ତି" ମା ଡିଜୁ ଆଇଲୁ ମା।ଗୋଟେ ସୁନ୍ଦର ଗୀତ ଗାଇଦେଲୁ ସାର୍ ଶୁଣିବେ"।ଜମାରୁ ଇଚ୍ଛା ନଥିଲେ ବି ବାପାଙ୍କ କଥା ମାନି ମୁଁ ବୋଲିଥିଲି ସେଦିନ " କି ସୁନ୍ଦର ଆହା କି ଆନନ୍ଦ ମୟ ଏହି ବିଶାଳ ସଂସାର" ଗୀତ।
ସେତିକି ବେଳେ ମୋ ପିଲା ମନ ସଂକଳ୍ପଟିଏ କରିଥିଲା ମୁଁ କାହା ତଳେ ରହି କୌଣସି କାମ କରିବ ନାହିଁ କେବେ ବି। ନିଜେ ବଡ଼ ହାକିମଟିଏ ହେବି।ନିଜ ଇଚ୍ଛାର ମାଲିକ।କାହା କଥାରେ ଉଠ୍ ବସ୍ ହେବନାହିଁ। ଏ କଥା ମୁଁ ମୁହଁ ଫୁଲେଇ କହିଲା ବେଳେ ମୋ ଆଈ ହସି ହସି ଗଡି ଯାଉଥିଲା।
ବାପା ସିନା ଆଜି ନାହାନ୍ତି; ମାତ୍ର ସେଇ ପିଲା ଦିନ ଘଟଣା ମୋତେ ଚାକିରି ପଛରେ ଗୋଡ଼ାଇବା ଶିଖାଇନାହିଁ।ବରଂ ଚାକିରି ମୋ ପଛେ ଗୋଡାଉଛି।ମୁଁ ମୋ ଇଚ୍ଛାର ଈଶ୍ୱରୀ। ମୁଁ ଆଜି ଗୋଟିଏ ହାତ ପ୍ରସ୍ତୁତ,ପାମ୍ପଡ଼, ବଡି,ମିକ୍ସଚର, ଆଚାର,ଶସ୍ ଓ ମସଲା ଦ୍ରବ୍ୟ କାରଖାନାର ମାଲିକ ମିସ୍ ସାହୁ।
