ରଙ୍ଗ ଖେଳରେ ଭାଙ୍ଗ
ରଙ୍ଗ ଖେଳରେ ଭାଙ୍ଗ
୨୦୧୩ ମସିହା କଥା । ହୋଲି ପର୍ବ ସୋମବାର ପଡିଥାଏ । ସେହି ସମୟରେ ମୋର ସୋମବାର ବ୍ରତ ଚାଲିଥାଏ । ତେଣୁ ସେଦିନ ମୋର ଉପବାସ । ବେଶି କିଛି ଖାଏନା। ଲେମ୍ବୁ ସର୍ବତ ଦୁଇ ତିନି ଥର ହେଲେ ଯଥେଷ୍ଟ । ଅତି ଅସହ୍ୟ ହେଲେ ଦି'ଟା ବିସ୍କୁଟ ପାଟିରେ ପକାଇଦିଏ । ତେଣୁ ପ୍ରତ୍ୟେକ ସୋମବାର ଉପବାସ ହେତୁ ବେଶି ପରିଶ୍ରମ କରେନି; ଶରୀରକୁ ବିଶ୍ରାମ ଦିଏ, କଙ୍କଡାକୁ ଗୋଳିଆ ପାଣି ସୁହାଇଲା ଭଳି । କିନ୍ତୁ ହୋଲି ଦିନ ନିସ୍ତାର ନାହିଁ । ହଷ୍ଟେଲରେ କେବଳ ଆମ ବ୍ୟାଚ୍ ପିଲା ରହୁଥାଉ । ଉପର ବ୍ୟାଚ୍ ଦିଦି ଭାଇମାନେ ପରୀକ୍ଷା ଯୋଗୁଁ ଘରକୁ ପଳେଇ ଯାଇଥିଲେ । ନୂତନ ପାଠ୍ୟକ୍ରମ ଯୋଗୁଁ ନୂଆ ପିଲା ମଧ୍ୟ ଆସିନଥିଲେ । ତେଣୁ ଆମ ବ୍ଯାଚ୍ ସର୍ବେସର୍ବା ଏବଂ ନିଆରା । ତେଣୁ ଯାହା ଇଚ୍ଛା ସେୟା ହୁଏ । ହେଲେ ଗୋଟିଏ ଅଡୁଆ ଗଣ୍ଠି ଥିଲି ମୁଁ....ଯେହେତୁ ହଷ୍ଟେଲ ପ୍ରେସିଡେଣ୍ଟ୍... ଟିକେ ଅଧିକ ଷ୍ଟ୍ରିକ୍ଟ୍ ଥିଲି ।
ସେଦିନ ମନ୍ଦିରରୁ ଆସି ପାଣି ପିଇ ଶୋଇଥାଏ ସକାଳ ୯ଟାରେ ଖାଇବା ବେଲ୍ ବଜେଇ ଦେଇ । ସାଙ୍ଗମାନେ ଖିଆପିଆ ସାରି ମୋତେ ଉଠେଇଲେ ଏବଂ ହୋଲି ଖେଳିବାକୁ କହିଲେ । ମନରେ ସଙ୍କା ପଶିଲା , ଏଣେ ସାଙ୍ଗମାନଙ୍କ କଥା ଟାଳି ନୋହିଲା । ହେଲେ ଖାଲି ରଙ୍ଗରେ କ'ଣ ହୋଲି ହେବ । ରଙ୍ଗ ସାଙ୍ଗକୁ ଗୀତ ନାଚ ଟିକେ ଦରକାର ଆଉ ତା'ସାଙ୍ଗକୁ ପଣା ଟିକେ ଦରକାର.....ହେଲେ ଏଇ ସାଙ୍ଗେ ସାଙ୍ଗେ କ'ଣ କେମିତି କରିବା । ତେଣୁ ମେସ୍ ମ୍ୟାନେଜରଙ୍କୁ କହି ମେସ୍ ଟଙ୍କାରେ ପୁଅପିଲାଙ୍କ ହାତରେ ସବୁ ମଗେଇଦେଲୁ । ସମସ୍ତେ ଚାତକ ପରି ଚାହିଁଥା'ନ୍ତି ପୁଅପିଲାଗୁଡା କେତେବେଳେ ଫେରିବେ । ସେମାନଙ୍କ ଫେରିବା ଭିତରେ ହଷ୍ଟେଲରେ ଥିବା ଛୋଟିଆ ଡେଗ୍ ପ୍ରସ୍ତୁତ ହୋଇସାରିଥିଲା । ଫୋନ୍ ପାଇଁ ହଷ୍ଟେଲରେ ଅନୁମତି ନଥିଲା । ତେଣୁ ଯେଉଁମାନେ ଆଣୁଥିଲେ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କ ପାଖରେ ରଖୁଥିଲେ । କେବଳ ରବିବାର ଆଣି ପାରିବେ । ସେଦିନ ସୋମବାର ଥିଲେ ମଧ୍ୟ ଗୀତ ଲଗାଇବା ପାଇଁ ନେଇ ଆସିଲେ । ରଙ୍ଗ ପହଞ୍ଚି ଯାଇଥାଏ । ଗୀତ ଲାଗିବା ଆରମ୍ଭ ହୋଇଗଲା । ଯେଉଁମାନଙ୍କୁ ପଣା ପ୍ରସ୍ତୁତି ପାଇଁ ଦାୟିତ୍ୱ ଦିଆଗଲା ସେମାନେ ଲାଗିଗଲେ । ପଣା ପାଇଁ ପାଣି ଦରକାର । ବାଲଟିରେ ବୋହାଗଲା । ମୁଁ ବି ଗୋଟେ ବାଲଟି ବୋହିଛି । ବଡ ଡେକଚିରେ ପ୍ରସ୍ତୁତି ହେବ ପଣା । ମୋତେ କିଛି କାମ କରି ଆସେନା ସିନା କାମ ତଦାରଖ କରିବାରେ ମୁଁ ଧୁରନ୍ଧର । ହଷ୍ଟେଲ ଡାଇନିଂ ରୁମରେ ପଣା ପ୍ରସ୍ତୁତି କେମିତି କ'ଣ ହେବ କହୁଥିଲି । ସାଙ୍ଗମାନେ ଆସିଲେ ରଙ୍ଗ ଲଗାଇବାକୁ । ପଣା ଖରାପ ହେବ ବୋଲି ମନା କରିଦେଲି । ପଣାରେ ଚିନି ଭିଜିବା ପାଇଁ ସମୟ ଲାଗିବ । ସେହି ସମୟ ଭିତରେ ପଣାର ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ କହି ଦେଇ ମୁଁ ବାହାରକୁ ପଳେଇ ଆସିଲି । ଓପାସ ହେତୁ ଟିକେ କଷ୍ଟ ଲାଗୁଥାଏ । ରଙ୍ଗ ଖେଳିବା ପାଇଁ ଯେତିକି ମନ ହେଉଥାଏ ପାଦଟା ସେତିକି ରୁମ୍ ଆଡକୁ ଯାଉଥାଏ ଟିକେ ଗଡିପଡିବାକୁ । ହେଲେ ଫୁରସତ ଦେଉଛି କିଏ .....? ବାହାରକୁ ଆ ବୋଲି ସବୁ ଡାକିଲେ । ମୁଁ ଗେଟ୍ ଖୋଲି ବାହାରକୁ ଯାଇଛି ତ...; ଶୃଗାଳକୁ ସିଂହପଲ ଆକ୍ରମଣ କରିବା ପରି ସବୁ ମୋ ଉପରେ ଝାମ୍ପି ପଡି ରଙ୍ଗ ଲଗାଇଦେଲେ । ମୁଁ ନୀଳ ବର୍ଣ୍ଣ ନୁହେଁ ସର୍ବବର୍ଣ୍ଣ ଶୃଗାଳ ପାଲଟିଗଲି । ସରିଲା । ଆଉ କି ଶୋଇବି । ସମସ୍ତେ ବାଧ୍ୟ କଲେ ନାଚିବା ପାଇଁ । ମୋତେ ତ ବରଯାତ୍ରୀ ନାଚ ଛଡା କିଛି ଆସେନା । ତଥାପି ସାଙ୍ଗମାନଙ୍କ ମେଳରେ ସେତିକି ବହୁତ । ବନ୍ଦନା ତା'ଫୋନରେ ଦଣ୍ଡ ଗୀତ ଲଗାଇଲା । କାଳେ ବାହାରକୁ ଶୁଣାଯିବ, ଟିକେ ଶବ୍ଦ କମାଇଦେଲା । ଗୀତ ଅନୁସାରେ ମୁଁ ଆଉ ବନ୍ଦନା ନାଚିବାରେ ମାତିଗଲୁ ।ସାଙ୍ଗମାନଙ୍କ ହସ କହିଲେ ନସରେ ।ସେତେବେଳକୁ କିଏ ଜଣେ ଆସି କହିଲା ପଣାରେ ଆଉ ବାଲଟିଏ ପାଣି ନମିଶାଇଲେ ପାଇବନି । ସରିତା ଧାଇଁଗଲା ଆଣିବାକୁ । ସେହି ପାଣି ଆଣିବା ଭିତରେ ତା' ମୁଣ୍ଡକୁ ଭଲ ବୁଦ୍ଧି କି ମନ୍ଦ ବୁଦ୍ଧି ଆସିଲା ଜାଣିନି - ପଣା ପାଇଁ ପାଣି ଦେଇ ସାରି ଆଉ ବାଲଟିଏ ରଙ୍ଗ ମିଶା ପାଣି ଆଣି ମୋ ଉପରକୁ ଫୋପାଡି ଦେଲା । ବନ୍ଦନା ଦେଖି ଦୂରେଇ ଯାଇଥାଏ । ମୁଁ ସମ୍ପୂର୍ଣ୍ଣ ରଙ୍ଗ ପାଣିରେ ସରସର । ସାଙ୍ଗମାନେ ବି ମୋତେ ଜୋକର ବନେଇ ଥଟ୍ଟା ଲାଗିବାରେ ଧୁରନ୍ଧର । ମୋତେ ବି ଆନନ୍ଦ ମିଳେ ସାଙ୍ଗମାନଙ୍କ ଖୁସିରେ । ତେଣୁ ସରିତା ସହ ମିଶି ଆଉ ଦୁଇଜଣ କିଏ ମିଶି ଆଉ ଦୁଇ ବାଲଟି ରଙ୍ଗ ପାଣି ମୋ ଉପରକୁ ଫୋପାଡି ଦେଲେ । ହଷ୍ଟେଲ ସାରା ଚହଳ ପଡିଗଲା ଆସ ଦେଖିବ ଲିମନକୁ । ଯେଉଁମାନେ ଗାଧୁଆପାଧୁଆ କରିବା ପାଇଁ ଯାଇଥିଲେ, ସବୁ ଏକାଠି ହୋଇ ହସିଉଠିଲେ । ମୁଁ କିନ୍ତୁ ବେହାଲ୍ । ଓପାସକୁ ଓଦା ସରସର । ଖେଳ ସେତିକିରେ ବନ୍ଦ ।
ଆସିଲା ପଣା ପାଳି । ସମସ୍ତେ ନିଜ ନିଜ ଭାଗ ନେଇ ପିଇଲେ । ସୁମି ଆମର ନାକ ଚିପି କି ପଳେଇଲା । ତାକୁ ଦହି କୁଆଡେ ଭଲ ଲାଗେନା । ଆମ ହଷ୍ଟେଲ ଆଗରେ ଗୋଟେ ଓଉ ଗଛ ଅଛି । ତା'ତଳେ ଗୋଟେ ପିଣ୍ଡି । ମୁଁ ଯାଇ ସେଇଠି ବସିଛି ହାଲିଆ ହୋଇ । ସେତେବେଳକୁ ୧:୩୦ ହୋଇଗଲାଣି । କିନ୍ତୁ କାହାର ଗାଧୁଆ ପାଧୁଆ ସରିନଥାଏ । ତେଣୁ ଖାଇବା ବେଲ ନଦିଆଯାଇ କୁହାଗଲା ଯେ ଯାହାର କାମ ସରିଗଲାଣି ସେ ଯାଇ ଖାଇବା ନେଇ ଆସୁ । ସେତେବେଳକୁ ଆମ ମେସରେ ଆମର ମଦନ ସାର୍ ଖାଉଥା'ନ୍ତି । ସମୟ ହେବାରୁ ସାର୍ ଆସି ସ୍କୁଲ ଆଗରେ ଛିଡା ହୋଇ ଆମମାନଙ୍କୁ ଦେଖୁଥା'ନ୍ତି । ସ୍କୁଲ ଏବଂ ଆମ ହଷ୍ଟେଲ ଗୋଟିଏ ପରିସର ମଧ୍ୟରେ । ମୁଁ କହିଲି ସାରଙ୍କୁ ନେଇ ପଣା ଦେବା ପାଇଁ । ସାରଙ୍କୁ ନେଇ ଦେବା ଭିତରେ ମୋତେ କିଏ ଗୋଟେ ଗିଲାସ ପଣା ଧରେଇ ଦେଇଛି । ମୁଁ ନାଚି ନାଚି ଆଉ ଆୟତ୍ତରେ ନଥାଏ । ପୁଣି ଓପାସ ଆଉ ଓଦା । ଏଣେ ପେଟ ପୁରା ଖାଲି । ଯେମିତି ପଣା ଗିଲାସେ ପିଇଛି ସେହି ବସିବା ଜାଗାରେ ଟିକେ ଚହଲିଗଲି । ତା'ଭିତରେ ସାରଙ୍କ ହାତରେ ପଣା ଗିଲାସ ଥାଏ । ମୋ ପାଦଟା ଟିକେ ଅଣଆୟତ୍ତ ହୋଇ ଫୁଲ କୁଣ୍ଡ ଉପରକୁ ଯାଇଛି ଏବଂ ଫୁଲ କୁଣ୍ଡଟି ମଧ୍ୟ ଆୟତ୍ତ ବାହାରକୁ ଯାଇ ଖସିପଡିଛି । ମୋର ହସ ଅସମ୍ଭାଳ । ଏସବୁକୁ ଲକ୍ଷ୍ୟ କରୁଥା'ନ୍ତି ସାର୍ । ସାର୍ ତାଙ୍କ ଶୈଳୀରେ ପଚାରିଲେ "କ'ଣ କିରେ , ଏଥିରେ କିଛି ମିଶିଛି କି" । ପିଲାମାନେ କହିଲେ"ନା!ସାର୍ ,କିଛି ନାହିଁ ଆମେ ସମସ୍ତେ ପିଇଛୁ " । ସାର୍ କହିଲେ" ତାହେଲେ ରୋଜାଲିନ(ମୋ ଆଡକୁ ଆଖିରେ ଠାରି) ଏମିତି କ'ଣ ହେଉଛି; ଡାକିଲ ତାକୁ " । ମୁଁ ଉଠିଲା ବେଳକୁ ବି ଟଳମଳ ହୋଇ ଉଠି କି ଗଲି ।ସାର୍ କହୁଥାନ୍ତି " ନା, ନା, ମୁଁ ପିଇବିନି" ।ମୁଁ ଯାଇ ଆଉ ଥରେ ପାଦ ଛୁଇଁ ପ୍ରଣାମ କରୁ କରୁ ସାର୍ ପଚାରିଲେଣି "କ'ଣ କିରେ! ସବୁ ଠିକ୍ ଠାକ୍ ତ ?" ମୁଁ ବି ସେହି ପ୍ରଣାମ କରିବା ସହିତ"ଆଜ୍ଞା ସାର୍" ।
"କିଛି ନାହିଁ ସାର୍, ଆପଣ ପିଅନ୍ତୁ" - ଏଇ ପଦ ପ୍ରମାଣୋକ୍ତି ମୋଠୁ ଶୁଣିବା ପରେ ସାର୍ ପଣା ପିଇଲେ..........
ସେଦିନର ସ୍ମୃତିରେ ଭିଜୁଥିବା ଲିମନ ।
