ଭୁଲ୍ କାହାର
ଭୁଲ୍ କାହାର
ସେ ସିନା କହି ହୁଅନ୍ତି ସମସ୍ତଙ୍କୁ, ମୁଁ ଭଲ ପାଏନି ତାଙ୍କୁ ; ହେଲେ ତାଙ୍କ ଖୋଜିଲା ଖୋଜିଲା ଆଖି କହିଦିଏ ସେ ମୋତେ କେତେ ଚାହାଁନ୍ତି । ସକାଳ ହେଉ ହେଉ ବାଢିଦିଏ ପଖାଳ - ସାଙ୍ଗରେ କଣ୍ଟ ଦେଲା ଭଳି ଚାରିଟି ବଡି, ଛଅଟି ଦେଶୀ ଛୋଟ ପିଆଜ, ଗୋଟେ କଞ୍ଚା ଲଙ୍କା... .ଯଦି କେତେବେଳେ ଥାଏ ଶୁଖୁଆ ଖଣ୍ଡେ, ନହେଲେ ବାସି ଆଳୁ ପୋଡାଟେ... ତଥାପି ତା'ସାଙ୍ଗକୁ ଆଉ ଚଟୁଏ ଭାତ ନଦେଲେ ତାଙ୍କ ଖିଆ ସରେନି । ତାଙ୍କ ଖିଆ ସରୁ ସରୁ ମୁଁ ଟିପିଣିରେ ସକାଳ ଖିଆ ଭଳି ଆଉ ଟିକେ ମଙ୍ଗେଇ ଆଚାର ନହେଲେ ଆମ୍ବୁଲ ଫେରାଏ ଦେଇ ସଜାଡି ଦିଏ। ସେ ତାଙ୍କର ହଳଦିଆ ହେଲେମେଟେ, କାଳିଆ ବୁ-ଟୁ ପିନ୍ଧି ସାଇକେଲରେ ବାହାରି ପଡନ୍ତି ଅତିକ୍ରମ କରିବାକୁ ଚାରି ମାଇଲି ବାଟ । ଦିଇ ମାଇଲିରେ କାମ ଅଛି, ହେଲେ ସେ ଠିକାଦାରଟା ପଇସା ହେରଫେର କରିଦିଏ ।
ସେ ଗଲା ପରେ ଘରର ଯାବତୀୟ କାମ ମୋତେ ଅନେଇଁ ବସିଥିବେ । ମୁଁ କରିଲେ ସେମାନଙ୍କୁ ଭଲ ଲାଗେ । ମୋ ଶାଶୁଙ୍କୁ ସେମାନେ ଜମା ଚାହାଁନ୍ତିନି ।ଆଉ ମୋର ଗୋଟେ ଯାଆ ଅଛି ଯେ ତାକୁ ପସନ୍ଦ କରନ୍ତିନି । କ'ଣ ସେ କଲଜରେ ପଢିକି ଆଇଚି ; ତା' ବର ମାନେ ମୋ ଦିଅର କ'ଣ ବଡ ଦୋକାନରେ ବିକୁଛି । ତେଣୁ ମୁଁ ମୋର କରିଚାଲେ । ମୋ ରାନ୍ଧଣା ଶାଶୁଙ୍କୁ ଭଲ ଲାଗେ; ହେଲେ ଖିଆ ପିଆ ଶେଷରେ ଶଶୁରଙ୍କ ସହ ମିଶିକି କହନ୍ତି କ'ଣ ଗୋଟେ କମ୍ ଅଛି । ଖାଇ ସାରି ଟିକେ ଗଡେଇ ହେବାକୁ ଭାବିଲା ବେଳକୁ ଶାଶୁ ହାଇ ମାରି କହୁଥିବେ ଡାଲି ଭାଜି ଦେ, ବିରି ଚୁରିଦେ, ଏଟା କରି ଦେ , ସେଟା କରିଦେ ... ଆଉ କ'ଣ ଶୋଇବି... ତା'ପରେ ସେ ଆସନ୍ତି । ସମସ୍ତେ ମିଶି ଚା' ପିଉ । ସେ ଟିକେ ଥକା ମାରି ବସିଲା ବେଳକୁ ମୁଁ ଭାବେ ଯାଇ ଟିକେ ଗୋଡ ହାତ ମୋଡି ଦିଅନ୍ତି... ଶାଶୁ ଦାଣ୍ଡ ପିଣ୍ଡାରୁ ନକହିଲା ଭଳି କହୁଥିବେ ପୁରୁଷ ପିଲା ହେଇ ସନ୍ଧ୍ୟାରୁ କ'ଣ ଘରେ ପଶିବ... ତାଙ୍କୁ ଭଲ ଲାଗେନି ; ସେ ଛକଆଡେ ବୁଲି ପଳାନ୍ତି । ହେଲେ ମୁଁ ବାହାରକୁ ବାହାରି ପାରିବିନି କି ଖଟରେ ଟିକେ ଗଡପଡ ହୋଇପାରିବିନି । ଆଗୁଆ ରୋଷେଇ କରିଦେବି ବୋଲି ଭାବିଲା ବେଳକୁ ଥଣ୍ଡା ହୋଇଯିବ କହି ମନା କରାଯାଏ । ସେମିତି ଠାକୁରାଣୀ ଭଳି ବସି ରହେ । ୮ଟା ବାଜିଲେ ରୋଷେଇ ଆରମ୍ଭ । ୯ଟାରେ ପୁରୁଷ ପିଲା ଖାଇବେ ।ତା' ପରେ ଶାଶୁ ।ତା'ପରେ ମୁଁ । ଖାଇ ସାରି ସବୁ ବାସନ ମାଜିବି ।ଶୋଇବାକୁ ଗଲାବେଳକୁ ୧୦:୩୦ପରେ । ସେତେବେଳକୁ ତାଙ୍କର ନିଘୋଡ଼ ନିଦ । କଥା ଥିଲେ ବି କିଛି କହିପାରେନି । ସେ ଉଠିବା ପୂର୍ବରୁ ଉଠିବାକୁ ପଡେ । ଯଦି ଟିକେ ଡେରି ହୁଏ ଶାଶୁ ଡାକ ପକାଇ ଉଠାଇ ଦିଅନ୍ତି ।
ଯେତେବେଳେ ସେ ଛୁଟିରେ ରୁହନ୍ତି, ଶାଶୁ କୁଆଡେ କାମରେ ପଠାଇ ଦିଅନ୍ତି । ପୁଣି ସେହି କାମ କଲା ପରି ଥକା ଲାଗେ । ଭୂଇଁ ଶୁଙ୍ଘୁ ଶୁଙ୍ଘୁ ନିଦ । ଆମ ଗାଁକୁ ଦୁହେଁ ଯାଉ । ହେଲେ ଶାଶୁ ସକାଳୁ ସକାଳୁ ପଠାଇ ଦିଅନ୍ତି ସିନା କହିଥାଆନ୍ତି - "ସିଏ ଯଦି ରହିବ, ରହୁ..... ତୁ ସଂଜ ନହେଉଣୁ ପଳେଇ ଆସିବୁ ;ଶଶୁର ଘରେ କିଏ ରହେ । ସେ ବି ଆଜ୍ଞାଧିନ ପୁତ୍ର ପରି ଫେରି ଆସନ୍ତି ; ଆମ ଘରେ ଯେତେ ଅଟକାଇଲେ ସୁଦ୍ଧା...
ବାହାଘର ବର୍ଷେ ଆଠ ମାସ ହେଲାଣି । ସମସ୍ତେ ପଚାରୁଛନ୍ତି ଖୁସି ଖବର କାଇଁ । ମୁହଁ ଲଜ୍ଜାକୁ ଘୋଡାଇ ମୁରୁକି ହସିଦିଏ ସିନା, ଛାତିଟା ଫାଟି ପଡୁଥାଏ...
