ସ୍ନେହର ସମାପ୍ତି
ସ୍ନେହର ସମାପ୍ତି
ବୁଢୀ ମାଆଟିଏ । ଆଉ ପୁଅଟିଏ । ପାଖ ସହରରେ ଚାକିରୀ କରେ । ତେଣୁ ପରିବାର ନେଇ ସହରରେ ରହୁଛି । ମାଆକୁ ନେବା ପାଇଁ ମନ, ହେଲେ ମାଆର ମନ ନାହିଁ ସହରରେ ରହିବାକୁ । ମାଆ ସିନା ଯାଇନି - ପୁଅ ସବୁବେଳେ ଭଲ ମନ୍ଦ କଥା ବୁଝୁଥାଏ । ଫୁରସତ ମିଳିଲେ ଆସି ମାଆକୁ ଦେଖିଯାଏ ।ଅବହେଳା କେବେ କରେନା । ଆସିବା ଆଗରୁ ଫୋନ କରିଦିଏ , "ମାଆ , ମୁଁ ଯାଉଛି । କ'ଣ ତୋ ପାଇଁ ନେବି କହ ।" ମାଆ ବି କହିଦିଏ "କିଛି ନାହିଁରେ ବାୟା , ଖାଲି ତୁ ଆଆଆ । ଅତି ସ୍ନେହରେ ପୁଅକୁ ବାୟା ବୋଲି ସମ୍ବୋଧନ କରିଥାଏ । ତଥାପି ବାୟା କ'ଣ ଦିଇଟା ନେଇ ପହଞ୍ଚିଯାଏ । ତା' ପରେ ବାତ୍ସଲ୍ୟ ମମତାର ସୀମା ନାହିଁ । ଦୁନିଆ ପାଇଁ ସିନା ପୁଅ ବୁଢା ହେଲାଣି ; ମାଆ ପାଇଁ ସେହି ପାଞ୍ଚ ବର୍ଷ କି ତା'ଠାରୁ କମ୍ ବୟସର ଛୁଆ ପରି । କୋଳରେ ଧରି ଗେଲ କରିଦିଏ । କେତେବେଳେ କ' ଣ ଭଲ ରୋଷେଇ କରିଥିଲେ ଖାଇବାକୁ ଦିଏ । ବାୟା ନାହିଁ କଲେ ଡାଲକି ଦେଇ ଖାଇବାକୁ ବାଧ୍ୟ କରେ । ଖାଇସାରିଲା ପରେ ପୁଣି କୋଳରେ ଧରି ଶୁଆଇ ଦିଏ । ପୁଅ ବି ମାଆର ବାତ୍ସଲ୍ୟ ପ୍ରେମ ଆଗରେ ହାର୍ ମାନି ଛୋଟ ପିଲାଟିଏ ପରି ମାଆ କଥା ମାନିଯାଏ ; ଆଉ କେତେବେଳେ ସେହି ପିଲାଳିଆମି ଢଙ୍ଗରେ ଅଝଟ ବି କରିଦିଏ । ମାଆ ବି ରାଗିବା ଛଳରେ କହିଦିଏ, " ଅତି ହେଲେ ବାହାରେ ଛାଡି କବାଟ ବନ୍ଦ କରିଦେବି ଯେ , ବୁଝିବୁ ; ଯେତେ ଡାକିଲେ ବି ଖୋଲିବିନି । ହେଲେ ପୁଅ ଜାଣେ ମାଆ ଏମିତି କହୁଥାଏ ଏବଂ କବାଟ ଖୋଲୁଥାଏ । ସବୁ ଥର ତ ଏମିତି ହେଇଛି ଆଉ । ତେଣୁ ପୁଅର ଅଝଟ ସରେନି କି ସରେନି ମାଆର ଆକଟ ।
ସବୁ ଥର ପରି ପୁଅ ଫୋନ କଲା । ହେଲେ ଆଜି କାହିଁ ସେପଟୁ ବାରମ୍ବାର ଉତ୍ତର ଆସିଲା , "ଆପଣ ଚେଷ୍ଟା କରୁଥିବା ନମ୍ବରଟି ସୁଇଚ ଅଫ ଅଛି, ଦୟାକରି କିଛି ସମୟ ପରେ ଡାଏଲ୍ କରନ୍ତୁ " । ମାଆ ବୋଧେ ଫୋନ ଚାର୍ଜ କରିବାକୁ ଭୁଲି ଯାଇଛି । କିଛି ଜିନିଷ ଧରି ପୁଅ ପହଞ୍ଚି ଗଲା କବାଟ ପାଖରେ । କବାଟ ବାଡେଇଲା ; କବାଟ ନ ଖୋଲିବାରୁ ମାଆ, ମାଆ ବୋଲି ଡାକ ପକାଇଲା । ହେଲେ ଏତେ ନିରବ କାହିଁକି ? ମାଆ କ'ଣ ସେଦିନ ସତରେ ରାଗିଥିଲା ? ନା ମ ,।ମୋ ମାଆ ପୁଣି ମୋ ଉପରେ ରାଗ ? ଏତିକି ଭାବୁ ଭାବୁ ପୁଅର ପାଦ ଟିକିଏ ଓଦା ଓଦା ଲାଗିଲା । ତଳକୁ ଚାହିଁଲା ବେଳକୁ ନାଲି ନାଲି କ'ଣ ଗୁଡାଏ ।ପୁଅକୁ ଟିକେ ଅସ୍ତବ୍ୟସ୍ତ ଲାଗିଲା । ଆଉ ଦୁଇ ଥର ଜୋରରେ ମାଆ ମାଆ ଡାକି କବାଟ ବାଡେଇଲା । ଏପରି ବିକଳ ସ୍ବରର ଡାକ ଶୁଣି ପଡୋଶୀ ଧାଇଁ ଆସିଲେ । କ 'ଣ ହେଇଛି ପଚାରୁ ପଚାରୁ ସମସ୍ତଙ୍କ ନଜର ପୁଅର ପାଦ ତଳକୁ ପଳେଇ ଯାଇଥାଏ ।ଆଉ ବିଳମ୍ବ ନ କରି କବାଟ ଭାଙ୍ଗି ଦିଆଗଲା । ଏ କ'ଣ ମାଆ କାନ୍ଥକୁ ଆଉଜି ଶୋଇଛି । ମୁଣ୍ଡ ଫାଟି ରକ୍ତ ଧାରଟା ବହିଯାଇଛି । ଭୋ ଭୋ ହୋଇ କାନ୍ଦି ଉଠିଲା ବାୟା । ମାଆ ମାଆ ବୋଲି ଅନେକ ଡାକିଲା । ହେଲେ ଉତ୍ତର ଆସିଲା "ପହର ଦିନ ରାତିରେ ତୋ ମାଆ ବାୟା ବାୟା ବୋଲି ଡାକ ପକଉଥିଲା । ଆମେ ଭାବିଲୁ ତୁ ବୋଧେ ତୋ ମାଆକୁ ଚିଡେଇଦେଇଛୁ ଖାଇବାକୁ ଅମଙ୍ଗ ହୋଇ । ସେଥିପାଇଁ ତୋ ମାଆ ତୋତେ ଆକଟ କରୁଛି । କାଲିଠାରୁ ବୁଢୀକୁ ଦେଖିନୁ । ଭାବିଲୁ ତୁ ବୋଧେ ସହର ନେଇ ଯାଇଛୁ । " ବାୟା ଆହୁରି ଜୋରରେ କାନ୍ଦି ଉଠିଲା । ହେଲେ ଆଜି ଲୁହ ପୋଛିବାକୁ ମାଆର ପଣତ କାନିଟା ଚଟାଣରେ ରକ୍ତ ପୋଛୁଛି।
